ମାତ୍ର 40 ବର୍ଷ ବୟସରଙ୍କ ରାଜୀବ ଗାନ୍ଧୀ ଭାରତର ଯୁବ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ସମ୍ଭବତଃ ସେହି ଦୃଷ୍ଟିରୁ ବିଚାର କଲେ ସେ ଥିଲେ ବିଶ୍ୱର ସର୍ବକନିଷ୍ଠ ନିର୍ବାଚିତ ଶାସନ ମୁଖ୍ୟ । ତାଙ୍କ ମାଆ ଶ୍ରୀମତୀ ଇନ୍ଦିରା ଗାନ୍ଧୀ 1966 ମସିହାରେ ପ୍ରଧାନମନ୍ତ୍ରୀ ହେବା ବେଳକୁ ତାଙ୍କୁ 48 ବର୍ଷ ବୟସ ହୋଇଥିଲା ଏବଂ ତାଙ୍କର ଯଶସ୍ୱୀ ପିତାମହ ପଣ୍ଡିତ ଜବାହାରଲାଲ ନେହରୁ 58 ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରି ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ସୁଦୀର୍ଘ 17 ବର୍ଷର ଇନିଂସ ଆରମ୍ଭ କରିଥିଲେ ।
ଦେଶର ପିଢ଼ିଗତ ପରିବର୍ତ୍ତନର ଆବାହକ ଭାବେ ଶ୍ରୀ ରାଜୀବ ଗାନ୍ଧୀ ଦେଶର ନିର୍ବାଚନୀ ଇତିହାସରେ ସର୍ବବୃହତ୍ ଜନସମର୍ଥନ ଲାଭ କରିଥିଲେ । ତାଙ୍କ ମାଆଙ୍କ ହତ୍ୟାଶୋକରୁ ମୁକୁଳିବା ସଙ୍ଗେ ସଙ୍ଗେ ସେ ଲୋକସଭା ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହି ନିର୍ବାଚନରେ କଂଗ୍ରେସ ଦଳକୁ ଏତେ ବିପୁଳ ପରିମାଣର ଜନ ସମର୍ଥନ ମିଳିଥିଲା ଯେ ଯାହା ପୂର୍ବରୁ ଅନୁଷ୍ଠିତ ସାତଟି ସାଧାରଣ ନିର୍ବାଚନରେ ପରିଲକ୍ଷିତ ହୋଇନଥିଲା । ଲୋକସଭାର 508 ଟି ଆସନ ପାଇଁ ଅନୁଷ୍ଠିତ ନିର୍ବାଚନରେ କଂଗ୍ରେସ ଦଳ ପାଇଥିଲା 401ଟି ଆସନ ।
ଦେଶର 70 କୋଟି ଭାରତୀୟଙ୍କ ନେତା ଭାବେ ଶାସନ ଆରମ୍ଭ କରିଥିବା ରାଜୀବ ଗାନ୍ଧୀଙ୍କ ଶାସନ କାଳ ବହୁଦୃଷ୍ଟିରୁ ଉଲ୍ଲେଖନୀୟ ହେବା ସ୍ୱାଭାବିକ । ସବୁଠାରୁ ଅଧିକ ବିସ୍ମୟକର ବିଷୟଟି ଥିଲା ଏହି ଯେ ଶ୍ରୀ ଗାନ୍ଧୀ ବିଳମ୍ବରେ ଓ ଅନିଚ୍ଛା ସତ୍ତ୍ୱେ ରାଜନୀତିରେ ପାଦ ଥାପିଥିଲେ ଯଦିଚ ଏକଥା ଅନସ୍ୱୀକାର୍ଯ୍ୟ ଯେ ଏକ ବିଶିଷ୍ଟ ରାଜନୈତିକ ପରିବାର ଭାବେ ଦୀର୍ଘ ଚାରିପିଢ଼ି ଧରି ଏହା ରାଷ୍ଟ୍ରସେବାରେ ନିଜକୁ ସମର୍ପିତ କରିଥିଲା ଏବଂ ଏହା ପୁଣି ବ୍ୟାପ୍ତ ଥିଲା ସ୍ୱାଧୀନତା ପୂର୍ବବର୍ତ୍ତି ଠାରୁ ସ୍ୱାଧୀନୋତ୍ତର କାଳ ପର୍ଯ୍ୟନ୍ତ ।
ରାଜୀବ ଗାନ୍ଧୀ 1944 ମସିହା ଅଗଷ୍ଟ 20 ତାରିଖ ଦିନ ବମ୍ବେଠାରେ ଜନ୍ମଗ୍ରହଣ କରିଥିଲେ । ଭାରତ ସ୍ୱାଧୀନତା ଲାଭ କଲାବେଳକୁ ତାଙ୍କୁ ମାତ୍ର ତିନି ବର୍ଷ ହୋଇଥିଲା ଓ ତାଙ୍କ ପିତାମହ ପଣ୍ଡିତ ଜବାହାରଲାଲ ନେହରୁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ରୂପେ ଦାୟିତ୍ୱ ଗ୍ରହଣ କରିଥିଲେ । ତାଙ୍କ ମାତାପିତା ସେତେବେଳେ ଲକ୍ଷ୍ନୌ ଛାଡି ନୂଆଦିଲ୍ଲୀ ଆସିଥିଲେ । ପରେ ପରେ ତାଙ୍କ ପିତା ଫିରୋଜ ଗାନ୍ଧୀ ସାଂସଦ ଭାବେ ନିର୍ବାଚିତ ହେଲେ ଏବଂ ଜଣେ ନିର୍ଭୀକ ଓ କର୍ମନିପୂଣ ସାଂସଦ ଭାବେ ନିଜର ପରାକାଷ୍ଠା ପ୍ରମାଣିତ କରିଥିଲେ ।
ରାଜୀବ ଗାନ୍ଧୀଙ୍କ ବାଲ୍ୟକାଳ କଟିଥିଲା ତାଙ୍କ ପିତାମହ ତଥା ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ତିନମୂର୍ତ୍ତି ଭବନରେ । ସେଠାରେ ତାଙ୍କ ମାଆ ଇନ୍ଦିରା ଗାନ୍ଧୀ ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ଅତିଥି ପରିଚର୍ଯ୍ୟା ଦାୟତ୍ୱ ସମ୍ପାଦନ କରୁଥିଲେ । ଡେରାଡୁନର ୱେଲହାମ୍ ପ୍ରେପ୍ ବିଦ୍ୟାଳୟକୁ ଅଳ୍ପଦିନ ପାଇଁ ଯିବା ପରେ ରାଜୀବ ନାମ ଲେଖାଇଥିଲେ ହିମାଳୟ ପାଦଦେଶରେ ଅବସ୍ଥିତ ଆବାସିକ ବିଦ୍ୟାଳୟ ଡୁନ୍ ସ୍କୁଲରେ । ସେହିଠାରେ ସେ ପାଇଥିଲେ ଅନେକ ବନ୍ଧୁ ଯିଏ ଜୀବନବ୍ୟାପୀ ତାଙ୍କ ସହ ରହିଥିଲେ । ପରେ ପରେ ସେହି ବିଦ୍ୟାଳୟରେ ତାଙ୍କ ସହ ଯୋଗଦେଇଥିଲେ ସାନ ଭାଇ ସଞ୍ଜୟ ।
ବିଦ୍ୟାଳୟ ଶିକ୍ଷା ଶେଷ କରି ଶ୍ରୀ ଗାନ୍ଧୀ କେମ୍ବ୍ରିଜର ପ୍ରସିଦ୍ଧ ଟ୍ରିନିଟି କଲେଜରେ ନାମ ଲେଖାଇଥିଲେ । କିନ୍ତୁ ପରେ ପରେ ସେ ଇମ୍ପେରିଆଲ କଲେଜ (ଲଣ୍ଡନ)କୁ ସ୍ଥାନାନ୍ତରୀତ ହୋଇଥିଲେ । ସେଠାରୁ ମେକାନିକାଲ ଇଂଜିନିୟରିଂରେ ଏକ ପାଠ୍ୟକ୍ରମ ଶେଷ କରିଥିଲେ । ପରେ ତାଙ୍କ ନିଜ ସ୍ୱୀକାରୋକ୍ତ ଅନୁସାରେ କେତେବେଳେ ବି ସେ ପରୀକ୍ଷା ପାଇଁ ଗୁରୁତ୍ୱର ସହ ପାଠପଢ଼ିବାକୁ ଆଗ୍ରହୀ ନଥିଲେ ବୋଲି କହନ୍ତି ।
ଏ କଥା ସ୍ପଷ୍ଟ ଯେ ରାଜନୀତିକୁ ଜୀବନରେ ପେଶା କରିବାକୁ ତାଙ୍କ ମନରେ ଆଦୌ ଆଗ୍ରହ ନଥିଲା । ତାଙ୍କର ସହପାଠୀମାନଙ୍କ କହିବା ଅନୁସାରେ ତାଙ୍କ ବହି ଥାକରେ ଧାଡି ଧାଡି ବିଜ୍ଞାନ ଓ ଇଂଜିନିୟରିଂ ପୁସ୍ତକ ଖଞ୍ଜିହୋଇ ରହିଥିବ । କିନ୍ତୁ ସେଥିରେ ଖଣ୍ଡିଏ ହେଲେ ଦର୍ଶନ, ରାଜନୀତି ଅଥବା ଇତିହାସ ଗ୍ରନ୍ଥ ନଥିବ । ତେବେ ସଙ୍ଗୀତ ତାଙ୍କ ରୁଚିମାନଙ୍କ ମଧ୍ୟରେ ପ୍ରମୁଖ ସ୍ଥାନ ଅଧିକାର କରିଥିଲା । ଉଭୟ ପାଶ୍ଚାତ୍ୟ ଓ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତକୁ ସେ ଭଲ ପାଉଥିଲେ । ପୁଣି ଆଧୁନିକ ସଙ୍ଗୀତରେ ବି ତାଙ୍କର ଢ଼େର ଆଗ୍ରହ ଥିଲା । ଏହା ବ୍ୟତୀତ ଫଟୋଗ୍ରାଫି ଏବଂ ସୌଖିନ ରେଡିଓ ପ୍ରତି ମଧ୍ୟ ତାଙ୍କ ମନରେ ପ୍ରବଳ ଝୁଙ୍କ ଥିଲା ।
କିନ୍ତୁ ରାଜୀବଙ୍କର ପ୍ରଥମ ସଉକ ଥିଲା ବିମାନ ଚାଳନା । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନଥିଲା ଯେ, ଇଂଲଣ୍ଡରୁ ଫେରିବା ପରେ ସେ ଦିଲ୍ଲୀ ଫ୍ଲାଇଂ କ୍ଲବରେ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବ୍ୟବସାୟୀକ ପାଇଲଟ୍ ତାଲିମ ସମାପ୍ତ କଲେ । ପରେ ପରେ ସେ ଘରୋଇ ବିମାନସେବା ଇଣ୍ଡିଆନ ଏୟାରଲାଇନ୍ସରେ ଜଣେ ପାଇଲଟ୍ ଭାବେ ଯୋଗଦେଲେ ।
କେମ୍ବ୍ରିଜରେ ଅଧ୍ୟୟନ ସମୟରେ ରାଜୀବଙ୍କର ଭୋଟ ହୋଇଥିଲା ସୋନିଆ ମାଇନୋ ନାମ୍ନୀ ଜଣେ ଇଟାଲୀୟ ତରୁଣୀଙ୍କ ସହ । ସେ ସେଠାରେ ଇଂରାଜୀ ଅଧ୍ୟୟନ କରୁଥିଲେ । 1968 ମସିହାରେ ଉଭୟ ରାଜୀବ ଓ ସୋନିଆ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ସେମାନେ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ବାସଭବନରେ ନିଜର ଦୁଇ ସନ୍ତାନ ରାହୁଳ ଓ ପ୍ରିୟଙ୍କାଙ୍କ ସହ ରହୁଥିଲେ । ଚତୁଃପାର୍ଶ୍ଵରେ ରାଜନୈତିକ କାର୍ଯ୍ୟବ୍ୟସ୍ତତା ଓ ନେତାଙ୍କ ଆତଜାତ ମଧ୍ୟରେ ସେମାନଙ୍କର ଜୀବନଶୈଳୀ ଥିଲା ଖୁବ୍ ବ୍ୟକ୍ତିଗତ ।
1980 ମସିହାରେ ଏକ ବିମାନ ଦୁର୍ଘଟଣାରେ ସାନ ଭାଇ ସଞ୍ଜୟଙ୍କ ଆକସ୍ମିକ ବିୟୋଗ ରାଜୀବ ଗାନ୍ଧୀଙ୍କ ଜୀବନଧାରାରେ ପରିବର୍ତ୍ତନ ଘଟାଇବା ସହ ତାଙ୍କୁ ରାଜନୀତିରେ ପାଦ ଥାପିବାକୁ ବାଧ୍ୟ କରିଥିଲା । ମାଆ ଇନ୍ଦିରାଙ୍କୁ ସହଯୋଗ କରିବା ଥିଲା ଏହାର ଉଦ୍ଦେଶ୍ୟ । ସେତେବେଳେ ଅନେକ ପ୍ରକାର ଆଭ୍ୟନ୍ତରୀଣ ଓ ବାହାର ଚାପ ଦେଶକୁ ଚତୁର୍ଦ୍ଦିଗରୁ ଘେରି ରହିଥାଏ । ପ୍ରଥମେ ସେ ଏହିସବୁ ଚାପକୁ ବିରୋଧ କଲେ, କିନ୍ତୁ ପରେ ସେମାନଙ୍କ ଯୁକ୍ତିକୁ ଗ୍ରହଣ କରିଥିଲେ । ଉତ୍ତରପ୍ରଦେଶର ଆମେଥି ସଂସଦୀୟ କ୍ଷେତ୍ର ଯାହାକି ତାଙ୍କ ଭାଇଙ୍କ ଅକାଳ ବିୟୋଗ ପରେ ଖାଲି ପଡିଥିଲା, ସେହି ଆସନ ପାଇଁ ଅନୁଷ୍ଠିତ ଉପନିର୍ବାଚନ ଲଢ଼ି ସେ ପାର୍ଲାମେଣ୍ଟକୁ ନିର୍ବାଚିତ ହେଲେ ।
1982 ମସିହାରେ ଭାରତ ଯେତେବେଳେ ଏସୀୟ କ୍ରୀଡାର ଆୟୋଜନ କଲା, ବହୁ ବର୍ଷ ପୂର୍ବରୁ ଭାରତ ଅନେକ ଷ୍ଟାଡିୟମ ଓ ଅନ୍ୟ ଭିତ୍ତିଭୂମିର ବିକାଶ ଘଟାଇବ ବୋଲି ଯେଉଁ ପ୍ରତିଶ୍ରୁତି ପ୍ରଦାନ କରିଥିଲା ତାହା ପୂରଣ କରିଥିଲେ । ସବୁ କାର୍ଯ୍ୟ ଯେପରି ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ ହୁଏ ସେ ଦାୟିତ୍ୱ ରାଜୀବଙ୍କ କାନ୍ଧରେ ନ୍ୟସ୍ତ କରାଯାଇଥିଲା । ଏସୀୟ କ୍ରୀଡା ଯେପରି କୌଣସି ପ୍ରକାର ଦୋଷତ୍ରୁଟିର ସମ୍ମୁଖୀନ ନହୋଇ ସୁରୁଖୁରୁରେ ସମ୍ପନ୍ନ ହୁଏ ସେ ଭାର ତାଙ୍କୁ ଦିଆଯାଇଥିଲା । ରାଜୀବ ଗାନ୍ଧୀ ଏହି ଚାଲେଞ୍ଜକୁ ସୁଚାରୁ ରୂପେ କରି ଦେଖାଇଥିଲେ । ଏହା ହିଁ ସର୍ବପ୍ରଥମ ତାଙ୍କ କର୍ଯ୍ୟଦକ୍ଷତା ପ୍ରତି ଥିବା ନିଷ୍ଠା ଓ ସମନ୍ୱୟର ପରାକାଷ୍ଠା ପ୍ରତିପାଦନ କରିଥିଲେ । ଏଥିସହ କଂଗ୍ରେସ ଦଳର ସାଧାରଣ ସମ୍ପାଦକ ଭାବେ ସମାନ ନିଷ୍ଠାର ସହ ସେ ଦଳୀୟ ସଂଗଠନକୁ ସନ୍ତୁଳିତ ଓ ଶୃଙ୍ଖଳିତ କରିବାରେ ଲାଗି ପଡିଲେ । ତାଙ୍କର ଏହି ଗୁଣ ପରବର୍ତ୍ତି କାଳରେ ଜଟିଳ ଓ ଘଡିସନ୍ଧି ମୁହୂର୍ତ୍ତରେ କାର୍ଯ୍ୟରେ ଆସିଥିଲା ।
ରାଜୀବ ଗାନ୍ଧୀଙ୍କଠାରୁ ଅନ୍ୟ କୌଣସି ବ୍ୟକ୍ତି ଅଧିକ ଦୁଃଖଦ ଓ କ୍ଲେଶପୂର୍ଣ୍ଣ ପରିସ୍ଥିତିରେ ଉଭୟ ପ୍ରଧାନମନ୍ତ୍ରୀ ଓ କଂଗ୍ରେସ ଦଳର ଅଧ୍ୟକ୍ଷ ପଦଭାର ଗ୍ରହଣ କରିନଥିବେ । 1984 ମସିହା ଅକ୍ଟୋବର 31 ତାରିଖ ଦିନ ତାଙ୍କ ମାଆ ଇନ୍ଦିରା ଗାନ୍ଧୀ ନିଜ ଅଙ୍ଗରକ୍ଷୀଙ୍କ ଗୁଳିରେ ନିର୍ମମ ଭାବେ ହତ୍ୟାର ଶିକାର ହୋଇଥିଲେ । ସେତେବେଳେ ରାଜୀବଙ୍କ ମୁଣ୍ଡ ଉପରେ ବ୍ୟକ୍ତିଗତ ଦୁଃଖର ପାହାଡ଼ ଲଦି ହୋଇ ରହିଥାଏ । ତେବେ ସେ ଅପୂର୍ବ ଧୈର୍ଯ୍ୟ, ସମ୍ମାନବୋଧ ଓ କର୍ତ୍ତବ୍ୟନିଷ୍ଠା ପ୍ରଦର୍ଶନ କରି ଜାତୀୟ ଦାୟିତ୍ୱବୋଧ ନିଜ କାନ୍ଧକୁ ନେଇଥିଲେ ।
ମାସାଧିକ କାଳ ବ୍ୟାପୀ ନିର୍ବାଚନ ପ୍ରଚାର କାଳରେ ଶ୍ରୀ ଗାନ୍ଧୀ ଅବିଶ୍ରାନ୍ତ ଭାବେ ଦେଶରେ ଗୋଟିଏ ମୁଣ୍ଡରୁ ଆର ମୁଣ୍ଡ ପର୍ଯ୍ୟନ୍ତ ପ୍ରାୟତଃ ପୃଥିବୀ ପରିଧିର ଦେଢ଼ଗୁଣ ପଥ ଯାତ୍ରା କରିଥିଲେ । ଏହି ସମୟରେ ସେ ବିଭିନ୍ନ ସ୍ଥାନରେ ପ୍ରାୟ 250 ଟି ଜନସଭାକୁ ସମ୍ବୋଧିତ କରି କୋଟି କୋଟି ଜନତାଙ୍କ ସମ୍ମୁଖୀନ ହୋଇଥିଲେ ।
ଆଧୁନିକ ଚିନ୍ତାଧାରା ଓ ନିର୍ଣ୍ଣାୟକ ମାନସିକତାର ଅଧିକାରୀ ହୋଇ ସୁଦ୍ଧା ରାଜୀବ କଦାପି ଏହା ପ୍ରଦର୍ଶନ କରୁନଥିଲେ । ବିଶ୍ୱର ସର୍ବାଧୁନିକ ପ୍ରଯୁକ୍ତି ମଧ୍ୟରେ ଅବସ୍ଥାନ କରି ସୁଦ୍ଧା ସେ ଥିଲେ ସ୍ଥିରଚିତ୍ତ ଏବଂ ସେ ଯାହା ବାରମ୍ବାର କହୁଥିଲେ, ତାଙ୍କର ଅନ୍ୟତମ ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଭାରତର ଐକ୍ୟକୁ ସୁରକ୍ଷିତ ରଖିବା ଏବଂ ଏହାକୁ ଏକବିଂଶ ଶତାବ୍ଦୀରେ ସଶକ୍ତ ପଦାର୍ପଣ କରାଇବା ।