ଶ୍ରୀ ମୋରାରଜୀ ଦେଶାଇ ବର୍ତ୍ତମାନ ଗୁଜରାଟର ବୁଲସାର ଜିଲ୍ଲା ଅନ୍ତର୍ଗତ ଉଡେଲୀ ଗ୍ରାମରେ 1896 ମସିହା ଫେବ୍ରୁଆରୀ 29 ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ ଜଣେ କଠୋର ଶୃଙ୍ଖଳାବାଦୀ ସ୍କୁଲ ଶିକ୍ଷକ । ପିଲାଟି ଦିନରୁ ବାଳକ ମୋରାରଜୀ ନିଜ ପିତାଙ୍କ ଠାରୁ ଯେକୌଣସି ପରିସ୍ଥିତିରେ କଠିନ ଶ୍ରମ ଓ ସତ୍ୟବାଦିତାର ମୂଲ୍ୟବୋଧ ଆଦର୍ଶ ଶିକ୍ଷା କରିଥିଲେ । ସେଣ୍ଟ ବୁସାର ହାଇସ୍କୁଲରୁ ସେ ମାଟ୍ରିକ ପାସ୍ କରିଥିଲେ । ଏହାପରେ ସେ 1918 ମସିହାରେ ବମ୍ବେ କ୍ଷେତ୍ରର ୱିଲସନ ସିଭିଲ ସର୍ଭିସରେ କୃତକାର୍ଯ୍ୟ ହୋଇ 12 ବର୍ଷ ଧରି ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟ କରିଥିଲେ ।
ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ 1930 ମସିହା ବେଳକୁ ଦେଶର ସ୍ୱାଧୀନତା ସଂଗ୍ରାମ ଏକ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚି ସାରିଥାଏ । ବ୍ରିଟିଶ ନ୍ୟାୟିକ ବ୍ୟବସ୍ଥା ଉପରୁ ଆସ୍ଥା ହରାଇ ଶ୍ରୀ ଦେଶାଇ ନିଜ ପଦବୀରୁ ଇସ୍ତଫା ନେବାକୁ ଚୂଡାନ୍ତ ନିଷ୍ପତ୍ତି ନେଇ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଗଲେ । ଏଭଳି ଏକ ନିଷ୍ପତ୍ତି ଗ୍ରହଣ ତାଙ୍କ ପକ୍ଷେ କଷ୍ଟକର ଥିଲା । କିନ୍ତୁ ସେଥିରୁ ସେ ପଛଘୁଞ୍ଚା ଦେଇନଥିଲେ । ସେ ଅନୁଭବ କଲେ ଯେ ଯେଉଁଠି ଦେଶ ସ୍ୱାଧୀନତାର ପ୍ରଶ୍ନ ଉଠୁଛି ସେଠାରେ ପାରିବାରିକ ସମସ୍ୟାକୁ ଗୌଣ ଭାବେ ବିବେଚନା କରାଯିବା ଉଚିତ ହେବ ।
ସ୍ୱାଧୀନତା ସଂଗ୍ରାମ ଅବଧିରେ ଶ୍ରୀ ଦେଶାଇ ତିନି ତିନି ଥର କାରାବରଣ କରିଥିଲେ । 1931 ମସିହାରେ ସେ ଅଖିଳ ଭାରତ କଂଗ୍ରେସ କମିଟିର ସଦସ୍ୟ ହୋଇଥିଲେ ଓ 1937 ମସିହାରେ ଗୁଜରାଟ ପ୍ରଦେଶ କଂଗ୍ରେସ କମିଟିରେ ସେ ସଚିବ ପଦଭାର ଗ୍ରହଣ କଲେ ।
1937 ମସିହାରେ ଯେତେବେଳେ ଦେଶରେ ପ୍ରଥମ କଂଗ୍ରେସ ସରକାର ଗଠନ ହେଲା । ବମ୍ବେ କ୍ଷେତ୍ରରେ ଶ୍ରୀ ବି.ଜି ଖେରଙ୍କ ନେତୃତ୍ୱରେ ଗଠିତ ମନ୍ତ୍ରିମଣ୍ଡଳରେ ଶ୍ରୀ ଦେଶାଇ ରାଜସ୍ୱ, କୃଷି ଓ ଜଙ୍ଗଲ ଓ ସମବାୟ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ । ଭାରତବାସୀଙ୍କ ବିନା ସମର୍ଥନରେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଭାରତକୁ ସାମିଲ କରିବା ପ୍ରତିବାଦରେ 1939 ମସିହାରେ ଦେଶର ସବୁ କଂଗ୍ରେସ ସରକାର ଇସ୍ତଫା ଦେଇଥିଲେ ।
ଏହି ସମୟରେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ବ୍ୟକ୍ତିଗତ ସତ୍ୟାଗ୍ରହରେ ଅଂଶ ଗ୍ରହଣ କରିବାରୁ ଶ୍ରୀ ଦେଶାଇଙ୍କୁ 1941 ମସିହା ଅକ୍ଟୋବର ମାସରେ ଅଟକ ରଖାଯାଇଥିଲା । 1942 ମସିହାରେ ଭାରତ ଛାଡ ଆନ୍ଦୋଳନ ବେଳେ ପୁଣି ଥରେ ତାଙ୍କୁ ଇଂରେଜ ସରକାର ଅଟକ ରଖିଥିଲେ । 1945 ମସିହାରେ ସେ ଜେଲରୁ ମୁକୁଳିଥିଲେ । 1946 ମସିହାରେ ଅନୁଷ୍ଠିତ ରାଜ୍ୟ ବିଧାନସଭା ନିର୍ବାଚନରେ ସେ ବମ୍ବେ ରାଜ୍ୟର ଘରୋଇ ଓ ରାଜସ୍ୱ ବିଭାଗ ମନ୍ତ୍ରୀ ହୋଇଥିଲେ । ଏହି ସମୟରେ ସେ ଭୂ-ରାଜସ୍ୱ କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିଥିଲେ । ଯାହା ରୟତମାନଙ୍କୁ ଭୂମି ଅଧିକାର ପ୍ରଦାନ କରିବା ଦିଗରେ ସହାୟକ ହୋଇଥିଲା । ଯାହା “ଲଙ୍ଗଳ ଯାହାର ଜମି ତାହାର” ଚିନ୍ତାଧାରା ଉପରେ ଆଧାରିତ ଥିଲା । ସେହିଭଳି ପୁଲିସ ପ୍ରଶାସନ କ୍ଷେତ୍ରରେ ଶ୍ରୀ ଦେଶାଇ ପୁଲିସ ଓ ଜନତାଙ୍କ ମଧ୍ୟରେ ଥିବା ଦୂରତାକୁ ଦୂର କରିପାରିଥିଲେ । ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ଦିଗରେ ପୁଲିସକୁ ଅଧିକ ସକ୍ରିୟ ଓ ଦାୟିତ୍ୱସମ୍ପର୍ଣ୍ଣ କରାଯାଇଥିଲା । 1952 ମସିହାରେ ଶ୍ରୀ ଦେଶାଇ ବମ୍ବେର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ ।
ଶ୍ରୀ ଦେଶାଇଙ୍କ ମତରେ ଗ୍ରାମ ହେଉ ବା ସହର, ଗରିବ ଓ ଅବହେଳିତ ବର୍ଗର ଜନତା ଯେ ପର୍ଯ୍ୟନ୍ତ ସ୍ୱଚ୍ଛଳ ଜୀବନଯାପନ କରିବାର ସୁଯୋଗ ନପାଇଛନ୍ତି, ସମାଜବାଦର ସ୍ୱର ସେ ପର୍ଯ୍ୟନ୍ତ ଅର୍ଥହୀନ ବୋଲି ବୁଝିବାକୁ ପଡିବ । ଏହି ଚିନ୍ତାଧାରାରେ ବିଶ୍ୱାସୀ ଶ୍ରୀ ଦେଶାଇ ଅନେକ ପ୍ରଗତିଶୀଳ ଆଇନକୁ କାର୍ଯ୍ୟକାରୀ କରି କୃଷକ ଓ ରୟତଙ୍କ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିଥିଲେ । ଏହି ଦୃଷ୍ଟିରୁ ଶ୍ରୀ ଦେଶାଇଙ୍କ ସରକାର ଦେଶର ଅନ୍ୟ ଯେ କୌଣସି ପ୍ରାନ୍ତୀୟ ସରକାରଙ୍କ ତୁଳନାରେ ଢ଼େର ଆଗରେ ଥିଲେ । ଅଧିକନ୍ତୁ, ଗଭୀର ନିଷ୍ଠାର ସହ ସେ ଆଣିଥିବା ଆଇନ ଏବଂ ଏହାକୁ ପ୍ରଶାସନିକସ୍ତରରେ କାର୍ଯ୍ୟକାରୀ କରି ସେ ଲୋକମାନଙ୍କ ଅଶେଷ ଶ୍ରଦ୍ଧା ଭାଜନ ହୋଇପାରିଥିଲେ ।
ରାଜ୍ୟ ପୁନର୍ଗଠନ ପରେ 1956 ମସିହା ନଭେମ୍ବର 14 ତାରିଖରେ ଶ୍ରୀ ଦେଶାଇ କେନ୍ଦ୍ର କ୍ୟାବିନେଟରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଭାବେ ଯୋଗଦେଇଥିଲେ । ପରେ 1958 ମସିହା ମାର୍ଚ୍ଚ 22 ତାରିଖ ଦିନ ସେ ହୋଇଥିଲେ ଅର୍ଥମନ୍ତ୍ରୀ ।
ଅର୍ଥନୈତିକ ଯୋଜନା ଓ ଆର୍ଥିକ ପ୍ରଶାସନ କ୍ଷେତ୍ରରେ ସେ ଯାହା ଉଚିତ ବୋଲି ଚିନ୍ତା କରୁଥିଲେ ତାକୁ ନିଶ୍ଚିତ ରୂପେ କାର୍ଯ୍ୟରେ ପରିଣତ କରୁଥିଲେ । ପ୍ରତିରକ୍ଷା ବିକାଶ ପାଇଁ ଆବଶ୍ୟକ ଅର୍ଥ ସଂଗ୍ରହ ଲାଗି ସେ ରାଜସ୍ୱ ବୃଦ୍ଧି କରିବା ସହ ସବୁ ପ୍ରକାର ଅଯଥା ଖର୍ଚ୍ଚ କାଟ କରିଥିଲେ । ଏଥିସହ ସରକାରୀ ପ୍ରଶାସନରେ ବ୍ୟୟ ସଂକୋଚନକୁ କଠୋର ଭାବେ କାର୍ଯ୍ୟକାରୀ କରିଥିଲେ । ଆର୍ଥିକ ଶୃଙ୍ଖଳା ଅବଲମ୍ବନ କରି ବଜେଟରେ ନିଅଣ୍ଟ ପରିମାଣକୁ ଶ୍ରୀ ଦେଶାଇ ଯଥା ସମ୍ଭବ ସ୍ୱଳ୍ପ କରିବାକୁ ସକ୍ଷମ ହୋଇଥିଲେ । ସମାଜର ଉଚ୍ଚ ବର୍ଗର ଲୋକଙ୍କ ବିଳାସପୂର୍ଣ୍ଣ ଜୀବନଯାପନ ଉପରେ ମଧ୍ୟ ସେ ଅଙ୍କୁଶ ଲଗାଇଥିଲେ ।
କାମରାଜ ଯୋଜନାରେ ମୋରାରଜୀ ଦେଶାଇ 1963 ମସିହାରେ କେନ୍ଦ୍ର କ୍ୟାବିନେଟରୁ ଇସ୍ତଫା ଦେଇଥିଲେ । ପଣ୍ଡିତ ଜବାହାରଲାଲ ନେହରୁଙ୍କ ପରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ଶ୍ରୀ ଲାଲବାହାଦୂର ଶାସ୍ତ୍ରୀ । ସେ ଦେଶାଇଙ୍କୁ ପ୍ରଶାସନିକ ସଂସ୍କାର କମିଶନର ଅଧ୍ୟକ୍ଷ ହେବାକୁ ପ୍ରବର୍ତ୍ତାଇ ଥିଲେ । ଏହାଦ୍ୱାରା ଦେଶର ପ୍ରଶାସନିକ ଢ଼ାଂଚାରେ ପରିବର୍ତ୍ତନ ଆଣିବା, ନିଜର ଦୀର୍ଘ ଦିନର ଜନସେବା ଓ ପ୍ରଶାସନିକ ଦକ୍ଷତାକୁ ସମ୍ପୂର୍ଣ୍ଣ ରୂପେ ବିନିଯୋଗ କରିବା ସହିତ ଶ୍ରୀ ଦେଶାଇ ଏହି ଦାୟିତ୍ୱକୁ ସୁଚାରୁରୂପେ ସମ୍ପାଦନ କରିଥିଲେ ।
1967 ମସିହାରେ ଶ୍ରୀ ଦେଶାଇ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ନେତୃତ୍ୱାଧୀନ ମନ୍ତ୍ରିମଣ୍ଡଳରେ ଉପପ୍ରଧାନମନ୍ତ୍ରୀ ଭାବେ ଯୋଗଦେଲେ । ଏଥି ସହ ସେ ଦେଶର ଅର୍ଥମନ୍ତ୍ରୀ ଦାୟିତ୍ୱ ମଧ୍ୟ ଗ୍ରହଣ କରିଥିଲେ । 1969 ମସିହା ଜୁଲାଇ ମାସରେ ଶ୍ରୀମତୀ ଗାନ୍ଧୀ ତାଙ୍କଠାରୁ ଅର୍ଥ ମନ୍ତ୍ରଣାଳୟ କାଢ଼ି ନେଇଥିଲେ । ପ୍ରଧାନମନ୍ତ୍ରୀ ତାଙ୍କର କ୍ୟାବିନେଟ୍ ସହଯୋଗୀଙ୍କଠାରୁ ଯେ କୌଣସି ସମୟରେ ତାଙ୍କ ପଦ ଓହରାଇ ନେବାକୁ କ୍ଷମତାପ୍ରାପ୍ତ ବୋଲି ଶ୍ରୀ ଦେଶାଇ ନିଜ ମନକୁ ବୁଝାଇ ଦେଲେ ସୁଦ୍ଧା ଏହା ତାଙ୍କ ଆତ୍ମସମ୍ମାନକୁ ଢ଼େର ଧକ୍କା ପହଂଚାଇଥିଲା ବୋଲି ତାଙ୍କର ହୃଦବୋଧ ହୋଇଥିଲା । କାରଣ ଏଥିପାଇଁ ତାଙ୍କ ସହ ପୂର୍ବରୁ ଆଲୋଚନା ସୁଦ୍ଧା କରିବାର ସୌଜନ୍ୟ ଶ୍ରୀମତୀ ଗାନ୍ଧୀ ପ୍ରଦର୍ଶନ କରିନଥିଲେ । ତେଣୁ ସେ ଅନୁଭବ କଲେ ଯେ ଉପପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ଛଡା ତାଙ୍କ ନିକଟରେ ଆଉ କୌଣସି ବିକଳ୍ପ ନାହିଁ ।
1969 ମସିହାରେ ଯେତେବେଳେ କଂଗ୍ରେସ ପାର୍ଟିରେ ବିଭାଜନ ଘଟିଲା ଶ୍ରୀ ଦେଶାଇ ସେତେବେଳେ ଅର୍ଗାନାଇଜେସନ କଂଗ୍ରେସ ସହ ରହିବାକୁ ପସନ୍ଦ କଲେ । ବିରୋଧି ପକ୍ଷରେ ରହି ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । 1971 ମସିହାରେ ସେ ଲୋକସଭାକୁ ପୁନଃ ନିର୍ବାଚିତ ହେଲେ । 1975 ମସିହାରେ ଗୁଜରାଟ ବିଧାନସଭା ନିର୍ବାଚନ ଦାବିରେ ସେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଲେ । ସେତେବେଳ ଗୁଜରାଟ ବିଧାନସଭା ଭଙ୍ଗ ହୋଇ ସାରିଥାଏ । ତାଙ୍କ ଅନଶନ ଯୋଗୁ ସେହି ବର୍ଷ ଜୁନ ମାସରେ ସେଠାରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଚାରୋଟି ପ୍ରମୁଖ ବିରୋଧୀ ଦଳଙ୍କୁ ନେଇ ଗଠିତ ହେଲା ଜନତା ସାମ୍ମୁଖ୍ୟ ଏବଂ ଏହାକୁ ସ୍ୱାଧୀନ ସଦସ୍ୟମାନେ ସମର୍ଥନ ଜଣାଇଲେ । ଫଳରେ ଗୁଜରାଟ ବିଧାନସଭାରେ ଏହା ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା । ଇତ୍ୟବସରେ ଆହ୍ଲାବାଦ ହାଇକୋର୍ଟ ତାଙ୍କର ଗୁରୁତ୍ୱପୂର୍ଣ୍ଣ ରାୟରେ ଶ୍ରୀମତୀ ଗାନ୍ଧୀଙ୍କ ଲୋକସଭା ନିର୍ବାଚନକୁ ଅସିଦ୍ଧ ବୋଲି ରାୟ ପ୍ରଦାନ କଲେ । ଶ୍ରୀ ଦେଶାଇଙ୍କ ବିବେଚନାରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଦୃଷ୍ଟିରୁ ଶ୍ରୀମତୀ ଗାନ୍ଧୀ ଏହି ରାୟ ପ୍ରକାଶ ପରେ ନିଜ ପଦରୁ ଇସ୍ତଫା ପ୍ରଦାନ କରିବା ଉଚିତ ହୋଇଥାନ୍ତା ।
1975 ମସିହା ଜୁନ 26 ତାରିଖ ଦିନ ଶ୍ରୀ ଦେଶାଇଙ୍କୁ ଗିରଫ କରାଯାଇ ଅଟକ ରଖାଗଲା । ସେତେବେଳେ ଦେଶରେ ଜରୁରୀ ପରିସ୍ଥିତି ଜାରି ହୋଇସାରିଥାଏ । ତାଙ୍କୁ ଏକାନ୍ତ ସେଲରେ ରଖାଯାଇଥିଲା ଓ 1977 ମସିହା ଜାନୁଆରୀ 18 ତାରିଖରେ ସେ ଜେଲରୁ ମୁକ୍ତ ହେଲେ । ଏହାର ଅଳ୍ପ ଦିନ ପରେ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାର ଘୋଷଣା କରାଯାଇଥିଲା । ଶ୍ରୀ ଦେଶାଇ ଏହି ନିର୍ବାଚନରେ ଦେଶର ଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ ବୁଲି ବ୍ୟାପକ ନିର୍ବାଚନ ପ୍ରଚାର କରିଥିଲେ ଏବଂ 1977 ମସିହା ମାର୍ଚ୍ଚ ମାସରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଜନତା ପାର୍ଟିର ବିଜୟ ପଛରେ ମୁଖ୍ୟତଃ ତାଙ୍କର ବିଶେଷ ଅବଦାନ ଥିଲା । ଶ୍ରୀ ଦେଶାଇ ନିଜେ ଗୁଜରାଟର ସୁରଟ ସଂସଦୀୟ କ୍ଷେତ୍ରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ପରେ ସେ ସର୍ବସମ୍ମତି କ୍ରମେ ପାର୍ଲାମେଣ୍ଟର ଜନତା ଦଳ ସଂସଦୀୟ ଦଳର ନେତା ଭାବେ ନର୍ବିାଚିତ ହୋଇ 1977 ମସିହା ମାର୍ଚ୍ଚ 24 ତାରିଖ ଦିନ ଭାରତର ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିଲେ ।
1911 ମସିହାରେ ଶ୍ରୀ ଦେଶାଇ ଓ ଶ୍ରୀମତୀ ଗୁଜରାବେନଙ୍କର ବିବାହ ସମ୍ପନ୍ନ ହୋଇଥିଲା । ସେମାନଙ୍କର ପାଞ୍ଚଟି ସନ୍ତାନ ମଧ୍ୟରୁ ଗୋଟିଏ କନ୍ୟା ଓ ଗୋଟିଏ ସନ୍ତାନ ଜୀବିତ ।
ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ଦେଶାଇ ସଦାସର୍ବଦା ଚାହୁଁଥିଲେ ଯେ ଭାରତର ଜନସାଧାରଣଙ୍କୁ କିପରି ନିର୍ଭୀକ ହେବାକୁ ସହାୟତା ଯୋଗାଇ ଦିଆଯାଇପାରିବ, ଯଦ୍ୱାରା ଦେଶର ସର୍ବୋଚ୍ଚ ପଦପଦବୀରେ ଆସୀନ ବ୍ୟକ୍ତି ବି ଯଦି କିଛି ଭୁଲ କରିବସନ୍ତି ତେବେ, ସାଧାରଣ ଲୋକଟିଏ ସୁଦ୍ଧା ତାଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିପାରିବେ । ତେଣୁ ସେ ସଦାସର୍ବଦା କହୁଥିଲେ – ଦେଶର ଆଇନ ଊଦ୍ଧ୍ୱର୍ରେ କେହି ନୁହନ୍ତି, ଏପରିକି ପ୍ରଧାନମନ୍ତ୍ରୀ ମଧ୍ୟ ।
ତାଙ୍କ ପାଇଁ ସତ୍ୟ ଥିଲା ଆସ୍ଥାର ସୌଧ, ତାହା କେବଳ ବ୍ୟଗ୍ରତା ନୁହେଁ । ପରିସ୍ଥିତିର ଆବଶ୍ୟକତା ସତ୍ତ୍ୱେ ସେ ତାଙ୍କର ନୀତିକୁ କଦାଚିତ ଜଳାଞ୍ଜଳି ଦେବାକୁ ପ୍ରସ୍ତୁତ ଥିଲେ । ଏପରିକି କେତେକ ଜଟିଳ ପରିସ୍ଥିତିରେ ସୁଦ୍ଧା, ସେ ତାଙ୍କ ଆତ୍ମବଳ ଟେକ ରଖିଥିଲେ । ତାଙ୍କ ନିଜ ଭାଷାରେ ଜଣେ ବ୍ୟକ୍ତି ସତ୍ୟ ଓ ନିଜର ଆସ୍ଥା ଅନୁସାରେ ଜୀବନ ବଂଚିବା ଉଚିତ ।
.