Search

ପିଏମଇଣ୍ଡିଆପିଏମଇଣ୍ଡିଆ

ଶ୍ରୀ ଚରଣ ସିଂହ

ଜୁଲାଇ 28, 1979 - ଜାନୁୟାରୀ 14, 1980 | ଜନତା ଦଳ

ଶ୍ରୀ ଚରଣ ସିଂହ


ଶ୍ରୀ ଚରଣ ସିଂହ ଉତ୍ତର ପ୍ରଦେଶର ମିରଟ ଜିଲ୍ଲା ଅନ୍ତର୍ଗତ ନୁରପୁର ଗ୍ରାମରେ ଏକ ମଧ୍ୟବିତ୍ତ କୃଷକ ପରିବାରରେ 1902 ମସିହାରେ ଜନ୍ମଲାଭ କରିଥିଲେ । 1923 ମସିହାରେ ବିଜ୍ଞାନରେ ସ୍ନାତକ ଶିକ୍ଷା ଶେଷ କରିବା ପରେ ସେ 1925 ମସିହାରେ ଆଗ୍ରା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ଏହା ପରେ ଆଇନ ଶିକ୍ଷା ସମାପ୍ତ କରି ସେ ଘାଜିଆବାଦ ଠାରେ ଓକିଲାତି ଆରମ୍ଭ କଲେ । ଏହି ପେଶାରେ ରହି ସେ 1929 ମିରଟକୁ ସ୍ଥାନାନ୍ତରିତ ହେବା ପରେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ ।

ରାଜନୀତିରେ ଯୋଗଦେଇ ସେ ପ୍ରଥମେ 1937 ମସିହାରେ ଛପ୍ରାଉଲି ନିର୍ବାଚନ ମଣ୍ଡଳୀରୁ ଉତ୍ତରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ପରେ 1946, 1952, 1962 ଏବଂ 1967 ନିର୍ବାଚନରେ ଶ୍ରୀ ସିଂହ ଏହି ନିର୍ବାଚନମଣ୍ଡଳୀରୁ ବିଧାନସଭାରେ ପ୍ରତିନିଧିତ୍ୱ କରିଥିଲେ । 1946 ମସିହାରେ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ଥ ସରକାରରେ ସେ ହୋଇଥିଲେ ପାର୍ଲାମେଣ୍ଟାରୀ ସେକ୍ରେଟାରୀ ଓ ରାଜସ୍ୱ, ଚିକିତ୍ସା ଓ ଜନସ୍ୱାସ୍ଥ୍ୟ, ନ୍ୟାୟ, ସୂଚନା ଆଦି ବିଭିନ୍ନ ବିଭାଗରେ କାର୍ଯ୍ୟ କରିଥିଲେ । 1951 ମସିହାରେ ପ୍ରଥମେ ତାଙ୍କୁ ରାଜ୍ୟ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିଲା ଓ ସେ ହେଲେ ନ୍ୟାୟ ଓ ସୂଚନା ବିଭାଗ ମନ୍ତ୍ରୀ । ପରେ 1954 ମସିହାରେ ଡକ୍ଟର ସମ୍ପୂର୍ଣ୍ଣାନନ୍ଦଙ୍କ କ୍ୟାବିନେଟରେ ତାଙ୍କୁ ରାଜସ୍ୱ ଓ କୃଷି ବିଭାଗ କ୍ୟାବିନେଟ ପାହ୍ୟା ମିଳିଥିଲା । 1959 ମସିହାରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିବା ବେଳେ ରାଜସ୍ୱ ଓ ପରିବହନ ବିଭାଗ ଦାୟିତ୍ୱରେ ଥିଲେ ।

ଏହାପରେ ଶ୍ରୀ ସି.ବି ଗୁପ୍ତାଙ୍କ ମନ୍ତ୍ରିମଣ୍ଡଳରେ (1960) ତାଙ୍କୁ ଘରୋଇ ଓ କୃଷି ବିଭାଗର କ୍ୟାବିନେଟ ପଦ ମିଳିଥିଲା । ଶ୍ରୀମତୀ ସୁଚେତା କୃପାଳିନୀଙ୍କ ମନ୍ତ୍ରିମଣ୍ଡଳରେ ଚରଣ ସିଂହ କୃଷି ଓ ଜଙ୍ଗଲ ବିଭାଗର କ୍ୟାବିନେଟ ମନ୍ତ୍ରୀ (1962-63) ଭାବେ କାର୍ଯ୍ୟ କରିଥିଲେ । 1965 ମସିହାରେ ସେ କୃଷି ବିଭାଗ ଦାୟିତ୍ୱ ଛାଡି ସ୍ୱାୟତ୍ତଶାସନ ବିଭାଗ (1966) ଗ୍ରହଣ କରିଥିଲେ ।

କଂଗ୍ରେସ ଦଳର ବିଭାଜନ ଘଟିବା ପରେ, 1970 ମସିହା ଫେବ୍ରୁଆରୀ ମାସରେ ସେ ଦ୍ୱିତୀୟ ଥର ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ । ତାଙ୍କ ସରକାରକୁ କଂଗ୍ରେସ ଦଳ ସହଯୋଗ କରିଥିଲା । କିନ୍ତୁ ପରେ 1970 ମସିହା ଅକ୍ଟୋବର 2 ତାରିଖ ଦିନ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା ।

ଶ୍ରୀ ଚରଣ ସିଂହ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ସହ ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟରେ ଜଣେ କର୍ତ୍ତବ୍ୟନିଷ୍ଠ ରାଜନେତା ଭାବେ ଅଜସ୍ର ସୁଖ୍ୟାତି ଅର୍ଜନ କରିଥିଲେ । ଏହି କ୍ରମରେ ପ୍ରଶାସନର ଅପାରଗତା, ପ୍ରୀୟାପ୍ରୀତି ତୋଷଣ ଏବଂ ଦୁର୍ନୀତିକୁ ସେ କୌଣସି ପରିସ୍ଥିତିରେ ବରଦାସ୍ତ କରୁନଥିଲେ । ସେ ଥିଲେ ଜଣେ ତୁଙ୍ଗ ସାଂସଦ ତଥା ବାସ୍ତବବାଦୀ । ପୁଣି ତାଙ୍କର ବାଗ୍ମୀତା ଓ ଦୃଢ଼ ମନୋବଳ ପାଇଁ ସମସ୍ତଙ୍କ ନିକଟରେ ସେ ପ୍ରିୟଭାଜନ ହୋଇପାରିଥିଲେ ।

ଉତ୍ତର ପ୍ରଦେଶରେ ଭୂସଂସ୍କାର କାର୍ଯ୍ୟକାରୀ କରିବାରେ ଶ୍ରୀ ଚରଣ ସିଂହ ଥିଲେ ମୁଖ୍ୟ ବିନ୍ଧାଣୀ । 1939 ମସିହାରେ ବିଭାଗୀୟ ଋଣମୁକ୍ତି ବିଲ୍ ପ୍ରସ୍ତୁତି ଓ ଏହାକୁ ଚୂଡାନ୍ତ ରୂପ ପ୍ରଦାନ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି ବିଲ୍ ଆଇନରେ ପରିଣତ ହୋଇ ରାଜ୍ୟର ଗରିବ ଋଣୀମାନଙ୍କର ଅଶେଷ ଉପକାର ସାଧାନ କରିଥିଲା । ପୁଣି ତାଙ୍କର ଏକକ ପ୍ରୟାସ ଫଳରେ ଉତ୍ତର ପ୍ରଦେଶର ମନ୍ତ୍ରୀମାନେ ପାଉଥିବା ବେତନ ଓ ଅନ୍ୟାନ୍ୟ ଭତ୍ତାରେ ବ୍ୟାପକ କାଣ୍ଟଛାଣ୍ଟ ଘଟିଥିଲା । ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ଭୂମି ଅଧିକାର ଆଇନ 1960 କାର୍ଯ୍ୟକାରୀ କରିଥିଲେ ଯାହା ଜମି ସିଲିଂ ପରିମାଣକୁ ହ୍ରାସ କରି ସାରା ରାଜ୍ୟରେ ଏକ ସମାନତା ଆଣିବା ଦିଗରେ ସହାୟକ ହୋଇଥିଲା ।

ତୃଣମୂଳ ସ୍ତରରେ ଅଶେଷ ଲୋକପ୍ରିୟତା ଅର୍ଜନ କରିବାରେ ଦେଶର କ୍ୱଚିତ ରାଜନେତା ଚରଣ ସିଂହଙ୍କ ସହ ସମକକ୍ଷ ହୋଇପାରିବେ । ସାମାଜିକ ନ୍ୟାୟର ଜଣେ ନୀରବ ସାଧକ ଓ ଅଖଣ୍ଡ ବିଶ୍ୱାସୀ ଭାବେ ଶ୍ରୀ ଚରଣ ସିଂହ ତାଙ୍କ ଉପରେ ଦେଶର କୋଟି କୋଟି ଜନତା ସ୍ଥାପନ କରିଥିବା ଆସ୍ଥାରୁ ହିଁ ନିଜର ଆତ୍ମବିଶ୍ୱାସ ଅର୍ଜନ କରିଥିଲେ ।

ଚୌଧୁରୀ ଚରଣ ସିଂହ ସଦାବେଳେ ସରଳ ଜୀବନ ଯାପନ କରୁଥିଲେ ଓ ତାଙ୍କର ବଳକା ସମୟକୁ ଲେଖାପଢ଼ାରେ ବିନିଯୋଗ କରୁଥିଲେ । ସେ ଅନେକ ପୁସ୍ତକ ଓ ପ୍ରଚାର ପୁସ୍ତିକା ରଚନା କରିଥିଲେ । ତନ୍ମଧ୍ୟରୁ ଜମିଦାରୀ ଉଚ୍ଛେଦ, କୋଅପରେଟିଭ୍ ଫାର୍ମିଂ ଏକ୍ସ-ରେଡ, ଭାରତର ଦାରିଦ୍ର୍ୟ ଓ ତାର ସମାଧାନ ମାର୍ଗ, କୃଷି ମାଲିକାନା ଅଥବା ଶ୍ରମିକଙ୍କ ପାଇଁ ଜମି ଏବଂ ପ୍ରିଭେନସନ ଅଫ୍ ଡିଭିଜନ ଅଫ୍ ହୋଲଡିଂସ ବିଲୋ ଏ ସେର୍ଟେନ ମିନିମମ୍ ଆଦି ଅନ୍ୟତମ ।