ଶ୍ରୀ ଏଚ.ଡି.ଦେବେଗୌଡା ସାମାଜିକ-ଆର୍ଥିକ ବିକାଶର ଜଣେ ପ୍ରମୁଖ ପ୍ରବକ୍ତା ଏବଂ ଭାରତୀୟ ସାଂସ୍କୃତିକ ଐତିହ୍ୟର ନିଷ୍ଠାପର ପ୍ରଶଂସକ । 1933 ମସିହା ମେ 18 ତାରିଖ ଦିନ କର୍ଣ୍ଣାଟକର ହାସାନ ଜିଲ୍ଲା ଅନ୍ତର୍ଗତ ହୋଲେନରସିପୁରା ତାଲୁକର ହରଦନାହଲ୍ଲୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।
ସିଭିଲ ଇଂଜିନିୟରିଂରେ ଡିପ୍ଲୋମାଧାରୀ ଶ୍ରୀ ଦେବେଗୌଡା ଶିକ୍ଷା ସମାପ୍ତି ପରେ ମାତ୍ର 20 ବର୍ଷ ବୟସରେ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ । 1953 ମସିହାରେ କଂଗ୍ରେସ ଦଳରେ ଯୋଗଦେଇ 1962 ମସିହା ପର୍ଯ୍ୟନ୍ତ ଦଳର ଜଣେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ । ଏକ ମଧ୍ୟବିତ୍ତ କୃଷକ ପରିବାରରୁ ଆସିଥିବାରୁ କୃଷକମାନଙ୍କ ଦୁଃଖଦୁର୍ଦ୍ଦଶା ସଂପର୍କରେ ସେ ଭଲଭାବେ ପରିଚିତ ଥିଲେ । ତେଣୁ ସମାଜର ଗରିବ, କୃଷକ, ଅବହେଳିତ ଓ ଦଳିତମାନଙ୍କ ସମସ୍ୟା ସମାଧାନ ଏବଂ ସେମାନଙ୍କୁ ସମାଜରେ ନ୍ୟାଯ୍ୟ ଅଧିକାର ପ୍ରଦାନ ଲାଗି ରାଜନୈତିକ ସ୍ତରରେ ସଂଗ୍ରାମ କରିବା ନିମନ୍ତେ ସେ ମନେ ମନେ ଦୃଢ଼ ପ୍ରତିଜ୍ଞା କରିଥିଲେ ।
ଗଣତାନ୍ତ୍ରିକ ବ୍ୟବସ୍ଥାର ତଳ ପାହାଚରୁ ଆରମ୍ଭ କରି ଶ୍ରୀ ଦେବେଗୌଡା ଧୀରେ ଧୀରେ ରାଜନୈତିକ ସିଡିରେ ଆଗକୁ ବଢ଼ି ଚାଲିଥିଲେ । ଆଜ୍ଞାଦେୟ ସମବାୟ ସମିତିର ସଭାପତି ଭାବେ କାର୍ଯ୍ୟ କରୁଥିବାବେଳେ ନିଜର କର୍ତ୍ତବ୍ୟନିଷ୍ଠା ବଳରେ ସେ ଲୋକମାନଙ୍କ ମନରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ । ପରେ ହୋଲେନରସିପୁରା ତାଲୁକ ବିକାଶ ବୋର୍ଡର ସଦସ୍ୟ ଭାବେ କାର୍ଯ୍ୟ କରି ସେ ଅଧିକ ଲୋକପ୍ରିୟତା ଅର୍ଜନ କରିଥିଲେ ।
ସମାଜରେ ଥିବା ନାନା ପ୍ରକାର ବୈଷମ୍ୟକୁ ଦୂର କରି ସମାନତା ଆଣିବା ଉଦ୍ଦେଶ୍ୟରେ ଶ୍ରୀ ଦେବେଗୌଡା ସଦାସର୍ବଦା ଏକ ଆଦର୍ଶ ୟୁରୋପୀୟ ରାଷ୍ଟ୍ର ଗଠନର ସ୍ୱପ୍ନ ଦେଖୁଥିଲେ । ମାତ୍ର 28 ବର୍ଷ ବୟସରେ ଯୁବକ ଗୌଡା ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ରାଜ୍ୟ ବିଧାନସଭାକୁ ବିପୁଳ ଭୋଟରେ ବିଜୟୀ ହୋଇଥିଲେ । ତାହା ଥିଲା 1962 ମସିହାର ଘଟଣା । ବିଧାନସଭାରେ ଜଣେ ତୁଙ୍ଗ ପ୍ରବକ୍ତା ଭାବେ ଲୋକମାନଙ୍କର ସମସ୍ୟାବଳୀ ଉପସ୍ଥାପନ କରି ସେ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ । ଏପରିକି ଅନେକ ବରିଷ୍ଠ ନେତା ତାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଏହାପରେ ହୋଲେନରସିପୁର ନିର୍ବାଚନମଣ୍ଡଳୀର ଭୋଟର ତାଙ୍କୁ କ୍ରମାଗତ ଭାବେ ତିନି ଥର ଅର୍ଥାତ୍ ଚତୁର୍ଥ (1967-71), ପଂଚମ (1972-77) ଏବଂ ଷଷ୍ଠ (1978-83) ଥର ପାଇଁ ବିପୁଳ ଜନସମର୍ଥନ ଦେଇ ବିଜୟୀ କରାଇଥିଲେ ।
1972 ଠାରୁ 1976 ମସିହା ମାର୍ଚ୍ଚ ପର୍ଯ୍ୟନ୍ତ ଏବଂ 1976 ନଭେମ୍ବର ଠାରୁ 1977 ମସିହା ଡିସେମ୍ବର ପର୍ଯ୍ୟନ୍ତ କର୍ଣ୍ଣାଟକ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ତାଙ୍କ ନିଷ୍ଠା ଓ ସେବା ତାଙ୍କୁ ଅଜସ୍ର ପ୍ରଶଂସାର ଅଧିକାରୀ କରାଇଥିଲା ।
1982 ମସିହା ନଭେମ୍ବର 22 ତାରିଖ ଦିନ ଶ୍ରୀ ଦେବେଗୌଡା ଷଷ୍ଠ ବିଧାନସଭାର ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଥିଲେ । କର୍ଣ୍ଣାଟକର ସପ୍ତମ ଓ ଅଷ୍ଟମ ବିଧାନସଭାର ସଦସ୍ୟ ଭାବେ ସେ ରାଜ୍ୟ ପୂର୍ତ୍ତ ଓ ଜଳସେଚନ ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଥିଲେ । ସେ ରାଜ୍ୟ ଜଳସେଚନ ମନ୍ତ୍ରୀ ଥିବାବେଳେ ରାଜ୍ୟରେ କୃଷିକ୍ଷେତ୍ରକୁ ଜଳସେଚନ ଦିଗରେ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା । 1987 ମସିହାରେ ସେ ଜଳସେଚନ ବିଭାଗକୁ ଯଥେଷ୍ଟ ପାଣ୍ଠି ବ୍ୟୟ ବରାଦ କରାଯାଇନଥିବା ପ୍ରତିବାଦରେ ରାଜ୍ୟ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ ।
ସ୍ୱାଧୀନତା ଓ ସମାନତାର ଏକ ପ୍ରବକ୍ତା ଭାବେ 1975-76ରେ ସେ କେନ୍ଦ୍ରୀୟ କ୍ଷମତାସୀନ ସରକାରଙ୍କ କ୍ରୋଧ ଓ ଆକ୍ରୋଶର ଶିକାର ହୋଇଥିଲେ ଏବଂ ଜରୁରୀ ପରିସ୍ଥିତି ସମୟରେ ଏଥିଲାଗି ତାଙ୍କୁ ଜେଲ ଯିବାକୁ ପଡିଥିଲା । ଏହି ଅନିଚ୍ଛାକୃତ ବିଶ୍ରାମକୁ ସେ ବ୍ୟାପକ ଅଧ୍ୟୟନରେ ମନୋନିବେଶ କରି ନିଜର ଜ୍ଞାନ ବୃଦ୍ଧି ଦିଗରେ ବିନିଯୋଗ କରିଥିଲେ । ଏହି ସମୟରେ ଜେଲରେ ଥିବା ଅନ୍ୟ ତୁଙ୍ଗ ନେତାମାନଙ୍କ ସହ ତାଙ୍କର ଭାବ ବିନିମୟ ଯୋଗୁ ତାଙ୍କ ବ୍ୟକ୍ତିତ୍ୱ ଓ ଚିନ୍ତାଧାରାରେ ବ୍ୟାପକ ପରିବର୍ତ୍ତନ ଘଟିଥିଲା । ଜେଲରୁ ମୁକୁଳିବା ପରେ ସେ ପାଲଟି ଯାଇଥିଲେ ଜଣେ ଅଭିଜ୍ଞ ଓ ଦୃଢ଼ପ୍ରତିଜ୍ଞ ଜନନେତା ।
1991 ମସିହାରେ ଶ୍ରୀ ଦେବେଗୌଡା କର୍ଣ୍ଣାଟର ହାସାନ ନିର୍ବାଚନମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏହା ଫଳରେ ସେ ରାଜ୍ୟର ବିଶେଷ କରି କୃଷକମାନଙ୍କର ବିବିଧ ସମସ୍ୟାକୁ ଜାତୀୟସ୍ତରକୁ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏଥିସହ ସଂସଦ ଓ ଅନ୍ୟ ସଂସଦୀୟ ଅନୁଷ୍ଠାନମାନଙ୍କ ଗରିମା ଓ ମର୍ଯ୍ୟାଦା ରକ୍ଷା ନିମନ୍ତେ ତାଙ୍କର ଉଦ୍ୟମ ଲାଗି ସେ ବିଶେଷ ପ୍ରଶଂସାର ଅଧିକାରୀ ହୋଇଥିଲେ ।
ଶ୍ରୀ ଦେବେଗୌଡା ଜନତା ପାର୍ଟିର ଦୁଇ ଦୁଇ ଥର ସଭାପତି ଓ 1994 ମସିହାରେ ରାଜ୍ୟ ଜନତା ପାର୍ଟିର ସଭାପତି ଦାୟିତ୍ୱ ନିର୍ବାହ କରିଛନ୍ତି । 1994 ମସିହାରେ ଜନତା ଦଳକୁ କେନ୍ଦ୍ରରେ କ୍ଷମତାସୀନ କରାଇବା ଦିଗରେ ଶ୍ରୀ ଦେବେଗୌଡାଙ୍କ ଭୂମିକା ଓ ଅବଦାନ ସର୍ବଜନସ୍ୱୀକୃତ । 1994 ମସିହା ଡିସେମ୍ବର 11 ତାରିଖ ଦିନ ସେ ରାଜ୍ୟ ବିଧାନସଭାର ଜନତା ଦଳ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେବାପରେ କର୍ଣ୍ଣାଟକର ଚତୁର୍ଦ୍ଦଶ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହାପରେ ରାମନଗର ବିଧାନସଭା କ୍ଷେତ୍ରରୁ ପ୍ରତିଦ୍ୱନ୍ଦ୍ୱିତା କରି ସେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ ।
ସକ୍ରିୟ ରାଜନୀତିରେ ତାଙ୍କର ଦୀର୍ଘ ଦିନର ଅନୁଭୂତି ଏବଂ ସମାଜର ତଳସ୍ତରରେ ତାଙ୍କର ଦୃଢ଼ ସମର୍ଥନ ଭିତ୍ତି କାରଣରୁ ରାଜ୍ୟ ରାଜନୀତିରେ ଦେଖାଦେଇଥିବା ନାନା ସମସ୍ୟାକୁ ସେ ସଫଳତାର ସହ ସମାଧାନ କରିପାରିଥିଲେ । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ହୁବଲିର ଇଦ୍-ଗାହ ମୈଦାନ ପ୍ରସଙ୍ଗ । ଏହି ମୈଦାନଟି ସଂଖ୍ୟାଲଘୁ ସଂପ୍ରଦାୟଙ୍କ କର୍ତୃତ୍ୱାଧୀନ ଥିଲା ଓ ଏ ସଂକ୍ରାନ୍ତରେ ରାଜନୈତିକ ବିବାଦ ଲାଗି ରହିଥିଲା । କିନ୍ତୁ ଶ୍ରୀ ଗୌଡା ସଫଳତାର ସହ ଏହାର ଏକ ଶାନ୍ତିପୂର୍ଣ୍ଣ ସମାଧାନ ମାର୍ଗ ବାହାର କରି ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ ।
1995 ମସିହା ଜାନୁଆରୀ ମାସରେ ଶ୍ରୀ ଦେବେଗୌଡା ସୁଇଜରଲାଣ୍ଡ ଗସ୍ତରେ ଯାଇ ଅନ୍ତରାଷ୍ଟ୍ରୀୟ ଅର୍ଥନୀତିଜ୍ଞ ଫୋରମରେ ଯୋଗ ଦେଇଥିଲେ । ତାଙ୍କର ଏହି ୟୁରୋପୀୟ ଏବଂ ମଧ୍ୟ-ପ୍ରାଚ୍ୟ ରାଷ୍ଟ୍ର ଗସ୍ତ ତାଙ୍କ ସମର୍ପିତ ରାଜନୈତିକ ସେବା ଓ ସଫଳତାର ପ୍ରମାଣ ବୋଲି ଗ୍ରହଣ କରାଯାଇପାରେ । ସେହିଭଳି ସିଙ୍ଗାପୁର ଗସ୍ତ କରି ସେ ରାଜ୍ୟ ପାଇଁ ପ୍ରତିକ୍ଷୀତ ବିଦେଶୀ ପୁଞ୍ଜିନିବେଶ ସଂଗ୍ରହ କରାଇଥିଲେ ଯାହାକୁ ତାଙ୍କ ବ୍ୟବସାୟିକ ଦୂରଦୃଷ୍ଟି ଓ ସାମର୍ଥ୍ୟର ଏକ ନିଚ୍ଛକ ନମୁନା ବୋଲି କୁହାଯାଇପାରେ।
S1970 ଦଶକଠାରୁ ଶ୍ରୀ ଦେବେଗୌଡା ରାଜନୀତିରେ ଏପରି ଏକାଗ୍ର ଚିତ୍ତରେ ନିବିଷ୍ଟ ରହିଥିବା ହେତୁ ତାଙ୍କ ବନ୍ଧୁ ଓ ସମାଲୋଚକମାନେ ଅନେକ ଟୀକା-ଟିପ୍ପଣୀ ଦେଉଥିଲେ । ଶ୍ରୀ ଗୌଡାଙ୍କ ଭାଷାରେ, ତାଙ୍କ ରାଜନୀତି ହେଲା ଜନ ରାଜନୀତି ଏବଂ ଲୋକମାନଙ୍କ ଗହଣରେ ରହି ଓ ସେମାନଙ୍କ ଲାଗି କିଛି କରିବାରେ ହିଁ ସେ ସବୁଠାରୁ ଅଧିକ ଆନନ୍ଦ ପାଇଥାନ୍ତି ।
1989 ମସିହାରେ ଜନତା ପାର୍ଟିରେ ତାଙ୍କ ଗୋଷ୍ଠୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ସ୍ୱଳ୍ପସଂଖ୍ୟକ ଆସନରେ ବିଜୟୀ ଲାଭ କରିଥିଲା । 222ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ମାତ୍ର ଦୁଇଟି ଆସନରେ ସଫଳତା ପାଇଥିଲେ । ଦୁଇ ଦୁଇଟି ଆସନରୁ ଲଢ଼ି ଶ୍ରୀ ଦେବେଗୌଡା ଉଭୟ କ୍ଷେତ୍ରରୁ ହାରିଥିଲେ ଯାହା ତାଙ୍କ ଦୀର୍ଘ ରାଜନୈତିକ ଜୀବନରେ ବିଫଳତାର ସ୍ୱାଦ ଚାଖିବାର ପ୍ରଥମ ଅନୁଭୂତି ଥିଲା । ତେଣୁ ରାଜନୀତିର ଚୋରାବାଲିରେ ଉଭୟ ସଫଳତା ଓ ବିଫଳତାର ଅନୁଭବକୁ ଭଲ ଭାବେ ସେ ଅଙ୍ଗେ ନିଭେଇଥିଲେ ।
ଏହି ବିଫଳତା କିନ୍ତୁ ତାଙ୍କୁ ଆଣିଦେଇଥିଲା ଏକ ନୂଆ ଅଭିଜ୍ଞତା ଯାହା ତାଙ୍କୁ ହୃତଗୌରବ ଓ କ୍ଷମତାକୁ ଫେରାଇବା ଲାଗି ନୂଆ ଉଦ୍ଦୀପନାରେ କାର୍ଯ୍ୟପାଇଁ ପ୍ରେରିତ କରିଥିଲା । ତେଣୁ ସେ ତାଙ୍କ ରାଜନୈତିକ କାର୍ଯ୍ୟଶୈଳୀର ଆତ୍ମସମୀକ୍ଷା କରିବାର ଅବସର ପାଇଥିଲେ । ଉଭୟ କର୍ଣ୍ଣାଟକ ଓ ଦିଲ୍ଲୀରେ ସମ୍ପର୍କ ସ୍ଥାପନ ସହ ସେ ପ୍ରତିଦ୍ୱନ୍ଦ୍ୱିମାନଙ୍କ ସହ ଥିବା ରାଜନୈତିକ ତିକ୍ତତାକୁ ଭୁଲି ଯାଇଥିଲେ । ଶ୍ରୀ ଦେବେଗୌଡାଙ୍କ ଜୀବନଶୈଳୀ ବେଶ ସରଳ କିନ୍ତୁ ତାଙ୍କ ଚିନ୍ତାଧାରା ବେଶ ଦୃଢ଼ ଓ ପ୍ରଭାବୀ ।
ରାଜନୀତିରେ ଯୋଗଦେବା ପୂର୍ବରୁ ଶ୍ରୀ ଦେବେଗୌଡା ଜଣେ ଠିକାଦାର ଭାବେ ଛୋଟ ଛୋଟ କାର୍ଯ୍ୟମାନ ହାତକୁ ନେଉଥିଲେ । ସ୍ୱାଧୀନ ପ୍ରାର୍ଥୀ ଭାବେ ତାଙ୍କ ପ୍ରାରମ୍ଭିକ 7-ବର୍ଷର ଅନୁଭୂତି ବାହାରେ ରହି ଦଳୀୟ ରାଜନୀତି ସଂପର୍କରେ ପ୍ରତ୍ୟେକ୍ଷ ଜ୍ଞାନ ଆହରଣ ସକାଶେ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରିଥିଲା । ଜଣେ କର୍ମପ୍ରବଣ ବ୍ୟକ୍ତିଭାବେ ସେ ସଦାସର୍ବଦା ନିଜକୁ ବ୍ୟସ୍ତ ରଖିଥାନ୍ତି । ଏପରିକି ପ୍ରତିନିଧିସଭାର ଲାଇବ୍ରେରୀରୁ ବିଭିନ୍ନ ପୁସ୍ତକ ଓ ପତ୍ର-ପତ୍ରିକା ଆଣି ସେ ସବୁ ପଢ଼ାପଢ଼ିରେ ନିଜକୁ ନିୟୋଜିତ ରଖିଥାନ୍ତି । 1997 ମସିହାରେ ପୁନଃ-ନିର୍ବାଚନ ତାଙ୍କ ଆତ୍ମବିଶ୍ୱାସକୁ ଢ଼େର ମାତ୍ରାରେ ବୃଦ୍ଧି କରିଥିଲା ଓ 1969 ମସିହାରେ ଯେତେବେଳେ କଂଗ୍ରେସ ଦଳରେ ବିଭାଜନ ଘଟିଲା, ସେ ଶ୍ରୀ ନିଜାଲିଙ୍ଗାପ୍ପା ନେତୃତ୍ୱାଧୀନ କଂଗ୍ରେସ(ଓ)ରେ ଯୋଗଦେଇଥିଲେ । କିନ୍ତୁ 1971 ମସିହା ଲୋକସଭା ନିର୍ବାଚନରେ କଂଗ୍ରେସ (ଓ)ର ପରାଜୟ ହିଁ ଶ୍ରୀ ଗୌଡାଙ୍କ ରାଜନୈତିକ ପ୍ରଗତି ପାଇଁ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରିଥିଲା । ଇନ୍ଦିରା ଗାନ୍ଧୀ ହାୱାରେ ବିପର୍ଯ୍ୟସ୍ତ ବିରୋଧୀ ଦଳର ନେତାଭାବେ ସେ ମୁଣ୍ଡ ଟେକିଥିଲେ ।
ଶ୍ରୀ ଦୋଦ୍ଦେ ଗୌଡା ଏବଂ ଶ୍ରୀମତୀ ଦେବାମ୍ମାଙ୍କ ସୁପୁତ୍ର ଭାବେ ଶ୍ରୀ ଦେବେଗୌଡା ନିଜର ସରଳ କୃଷକ ପରିବାରର ପୃଷ୍ଠଭୂମିକୁ ନେଇ ସଦାସର୍ବଦା ଗର୍ବ ଓ ଗୌରବ ଅନୁଭବ କରିଥାନ୍ତି । ଶ୍ରୀମତୀ ଚିନ୍ନାମ୍ମାଙ୍କ ପାଣିଗ୍ରହଣ କରି ଏକ ସଫଳ ପାରିବାରିକ ଜୀବନ ବିତାଇବା ସହ ଶ୍ରୀ ଦେବେଗୌଡା 4ଟି ପୁତ୍ର ଓ 2ଟି କନ୍ୟା ସନ୍ତାନର ଜନକ । ତାଙ୍କର ଜଣେ ପୁଅ କର୍ଣ୍ଣାଟକ ବିଧାନସଭାରେ ବିଧାୟକ ଅଛନ୍ତି ଏବଂ ଅନ୍ୟ ଜଣେ ପୁଅ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ।
ତୃତୀୟ ସାମ୍ମୁଖ୍ୟ (ଅଣ-କଂଗ୍ରେସ ଓ ଅଣ-ବିଜେପି କ୍ଷେତ୍ରୀୟ ଦଳମାନଙ୍କର ଏକ ସଂଗୋଷ୍ଠୀ)ର ନେତାଭାବେ ଶ୍ରୀ ଦେବେଗୌଡା ପ୍ରଧାନମନ୍ତ୍ରୀ ପଦକୁ ଉନ୍ନୀତ ହୋଇଥିଲେ, ଯଦିଓ ସେ କଦାଚିତ ଏହି ପଦପାଇଁ ଗୁରୁତ୍ୱର ସହ ପ୍ରତ୍ୟାଶା ରଖିନଥିଲେ ।
1996 ମସିହା ମେ’ 30 ତାରିଖ ଦିନ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତର ଏକାଦଶ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।