Search

ପିଏମଇଣ୍ଡିଆପିଏମଇଣ୍ଡିଆ

ଶ୍ରୀ ଇନ୍ଦର କୁମାର ଗୁଜରାଲ

ଏପ୍ରିଲ 21, 1997 - ମାର୍ଚ୍ଚ 19, 1998 | ଜନତା ଦଳ

ଶ୍ରୀ ଇନ୍ଦର କୁମାର ଗୁଜରାଲ


ଶ୍ରୀ ଇନ୍ଦର କୁମାର ଗୁଜରାଲ 1997 ମସିହା ଅପ୍ରେଲ 21 ତାରିଖ ସୋମବାର ଦିନ ଭାରତର ଦ୍ୱାଦଶ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

ସ୍ୱର୍ଗୀୟ ଅବତାର ନାରାୟଣ ଗୁଜରାଲ ଓ ସ୍ୱର୍ଗୀୟା ପୁଷ୍ପା ଗୁଜରାଲଙ୍କ ସୁପୁତ୍ର ଶ୍ରୀ ଗୁଜରାଲ ଏକାଦିକ୍ରମେ ଏମ.ଏ, ବିକମ୍, ପିଏଚଡି ଏବଂ ଡିଲିଟି (ସମ୍ମାନ ସୂଚକ) ଡିଗ୍ରୀର ଅଧିକାରୀ । 1919 ମସିହା ଡିସେମ୍ବର 4 ତାରିଖ ଦିନ ସେ ଝେଲମ୍ (ଅବିଭକ୍ତ ପଞ୍ଜାବ କ୍ଷେତ୍ରର)ଠାରେ ଜନ୍ମଗ୍ରହଣ କରିଥିଲେ । 1945 ମସିହା ମେ 26 ତାରିଖ ଦିନ ସେ ଶ୍ରୀମତୀ ଶୀଲା ଗୁଜରାଲଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

ଶ୍ରୀ ଗୁଜରାଲ ଏକ ସ୍ୱାଧୀନତା ସଂଗ୍ରାମୀ ପରିବାରର ଅଂଶବିଶେଷ ଥିଲେ । ତାଙ୍କର ପିତାମାତା ଉଭୟ ପଞ୍ଜାବ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିଲେ । ତାଙ୍କୁ ଯେତେବେଳେ ମାତ୍ର 11 ବର୍ଷ ବୟସ ହୋଇଥିଲା, 1931 ମସିହାର ସ୍ୱାଧୀନତା ସଂଗ୍ରାମରେ ଶ୍ରୀ ଗୁଜରାଲ ସକ୍ରିୟ ଭାବେ ଭାଗ ନେଇଥିଲେ । କେବଳ ସେତିକି ନୁହେଁ ଏଥିପାଇଁ ତାଙ୍କୁ ପୁଲିସ ଗିରଫ ମଧ୍ୟ କରିଥିଲା । ଝେଲମ୍ ଟାଉନରେ ଯୁବକମାନଙ୍କୁ ଏକଜୁଟ କରି ସ୍ୱାଧୀନତା ସଂଗ୍ରାମର ଆୟୋଜନ କରିଥିବା ହେତୁ ତାଙ୍କୁ ପୁଲିସର ନିସ୍ତୁକ ପ୍ରହାର ଭୋଗିବାକୁ ପଡିଥିଲା । 1942 ମସିହାରେ ଭାରତ ଛାଡ ଆନ୍ଦୋଳନରେ ଅଂଶଗ୍ରହଣ କରି ତାଙ୍କୁ ଜେଲବରଣ କରିବାକୁ ପଡିଥିଲା ।

ଭାରତର ପ୍ରଧାନମନ୍ତ୍ରୀ ପଦ ଗ୍ରହଣ ପୂର୍ବରୁ ଶ୍ରୀ ଗୁଜରାଲ 1996 ମସିହା ଜୁନ 1 ତାରିଖ ଦିନ ବୈଦେଶିକ ବ୍ୟାପାରମନ୍ତ୍ରୀ ଭାବେ ପଦଭାର ଗ୍ରହଣ କରିଥିଲେ ଓ ଏଥିସହ ତାଙ୍କୁ 1996 ମସିହା ଜୁନ 28 ତାରିଖ ଦିନ ଜଳସଂପଦ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା । ଏହା ପୂର୍ବରୁ 1989 ଠାରୁ 1990 ପର୍ଯ୍ୟନ୍ତ ସେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଏହା ବ୍ୟତୀତ 1976 ଠାରୁ 1980 ପର୍ଯ୍ୟନ୍ତ ସେ ସୋଭିଏତ୍ ସଂଘରେ ଭାରତର ରାଷ୍ଟ୍ରଦୂତ (କ୍ୟାବିନେଟ୍ ପାହ୍ୟାରେ) ଭାବେ କାର୍ଯ୍ୟ କରିଥିଲେ ଏବଂ 1967 ଠାରୁ 1976 ପର୍ଯ୍ୟନ୍ତ ନିମ୍ନଲିଖିତ ମନ୍ତ୍ରଣାଳୟର ଦାୟିତ୍ୱ ନିର୍ବାହ କରିଥିଲେ ।

ଯୋଗାଯୋଗ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ;
ସୂଚନା ଓ ପ୍ରସାରଣ ଏବଂ ଯୋଗାଯୋଗ ମନ୍ତ୍ରୀ;
ପୂର୍ତ୍ତ ଓ ଗୃହନିର୍ମାଣ ମନ୍ତ୍ରୀ;
ସୂଚନା ଓ ପ୍ରସାରଣ ମନ୍ତ୍ରୀ ;
ଯୋଜନା ମନ୍ତ୍ରୀ

ସଂସଦୀୟ ପଦପଦବୀ

1996 ମସିହା ଜୁନରୁ ରାଜ୍ୟସଭାରେ ଗୃହର ନେତା, 1993 ଠାରୁ 1996 ମସିହା ଅପ୍ରେଲ ମାସ ପର୍ଯ୍ୟନ୍ତ ବାଣିଜ୍ୟ ଓ ବୟନଶିଳ୍ପ ମନ୍ତ୍ରଣାଳୟର ସଂସଦୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ । 1996 ମସିହା ଅପ୍ରେଲ ମାସ ପର୍ଯ୍ୟନ୍ତ ବୈଦେଶିକ ବ୍ୟାପାର ବିଭାଗର ସଂସଦୀୟ ସ୍ଥାୟୀ କମିଟିର ସଦସ୍ୟ, 1964 ଠାରୁ 1976 ଏବଂ 1989 ଠାରୁ 1991 ମସିହା ପର୍ଯ୍ୟନ୍ତ ପାର୍ଲାମେଂଟ ସଦସ୍ୟ, 1992 ମସିହାରେ ବିହାରରୁ ରାଜ୍ୟସଭାକୁ ପୁନଃ ନିର୍ବାଚିତ, ରାଜ୍ୟସଭାର ପିଟିସନ୍ କମିଟି, ପବ୍ଲିକ୍ ଏକାଉଂଟସ୍ କମିଟି, ନ୍ୟାୟିକ କମିଟିର ସଦସ୍ୟ, ଅପ୍ରଧାନ ବିଧାନ କମିଟି, ରାଜ୍ୟସଭା, ଜେନେରାଲ ପର୍ପୋଜ କମିଟି, ରାଜ୍ୟସଭା; ବୈଦେଶିକ ବ୍ୟାପାର ସଂକ୍ରାନ୍ତ ସ୍ଥାୟୀ କମିଟିର ସଦସ୍ୟ ।

ଅଳଙ୍କୃତ କରିଥିବା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପଦପଦବୀ

ଦକ୍ଷିଣ ଏସୀୟ ସହଯୋଗ ସଂକ୍ରାନ୍ତ ଭାରତୀୟ ପରିଷଦର ଅଧ୍ୟକ୍ଷ, କେପିଟାଲ ପ୍ଲାନ ମନିଟରିଂ କମିଟିର ସଦସ୍ୟ, ଭାରତୀୟ ପ୍ରତିରକ୍ଷା ଅଧ୍ୟୟନ ଓ ବିଶ୍ଳେଷଣ ପ୍ରତିଷ୍ଠାନର ପୂର୍ବତନ ସଭାପତି, ଊର୍ଦ୍ଦୁ ଭାଷା (ଗୁଜରାଲ କମିଟି) ସଂକ୍ରାନ୍ତ ସରକାରୀ କମିଟିର ଅଧ୍ୟକ୍ଷ; 1959-64 ମସିହା ପର୍ଯ୍ୟନ୍ତ ନୂଆଦିଲ୍ଲୀ ପୌରପରିଷଦର ଉପାଧ୍ୟକ୍ଷ; ଲାହୋର ଛାତ୍ର ସଂଘର ସଭାପତି; ପଞ୍ଜାବ ଛାତ୍ର ମହାସଂଘର ସାଧାରଣ ସଂପାଦକ; କଲିକତା, ଶ୍ରୀନଗର ଓ ଦିଲ୍ଲୀଠାରେ ଅନୁଷ୍ଠିତ ବିରୋଧୀ ଦଳ ମିଳିତ ସାମ୍ମୁଖ୍ୟ ସମ୍ମିଳନୀର ଆବାହକ ଓ ମୁଖପାତ୍ର ।

ଅନ୍ତରାଷ୍ଟ୍ରୀୟ ପ୍ରତିନିଧି

1996 ମସିହାରେ ମିଳିତ ଜାତିସଂଘ ସାଧାରଣ ପରିଷଦକୁ ଭାରତୀୟ ପ୍ରତିନିଧି ମଣ୍ଡଳର ନେତା; 1995 ମସିହାରେ ଜେନେଭାଠାରେ ଅନୁଷ୍ଠିତ ମିଳିତ ଜାତିସଂଘ ମାନବାଧିକାର ଅଧିବେଶନକୁ ଭାରତୀୟ ପ୍ରତିନିଧ ମଣ୍ଡଳ ନେତା; 1990 ମସିହାରେ ମିଳିତ ଜାତିସଂଘ ସାଧାରଣ ପରିଷଦ ବୈଠକରେ ଭାରତୀୟ ପ୍ରତିନିଧି ମଣ୍ଡଳର ନେତା; 1990 ମସିହାରେ ମିଳିତ ଜାତିସଂଘର ଆର୍ଥିକ ବିକାଶ ସଂକ୍ରାନ୍ତ ସ୍ୱତନ୍ତ୍ର ଅଧିବେଶନକୁ ଭାରତୀୟ ପ୍ରତିନିଧି ଦଳର ନେତା; 1994 ଏବଂ 1995 ମସିହାରେ ମିଳିତ ଜାତିସଂଘରେ ଭାରତୀୟ ପ୍ରତିନିଧି ଦଳର ସଦସ୍ୟ; 1977 ମସିହାରେ ୟୁନୋସ୍କୋର ଶିକ୍ଷା ଓ ପର୍ଯ୍ୟାବରଣ ସଂକ୍ରାନ୍ତ ସମ୍ମିଳନୀରେ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ଗ୍ରହଣ; 1970, 1972 ଏବଂ 1974 ମସିହାରେ ୟୁନେସ୍କୋ ଅଧିବେଶନରେ ଭାରତୀୟ ପ୍ରତିନିଧି ଦଳର ବିକଳ୍ପ ନେତା ଭାବେ ଯୋଗଦାନ; 1973 ମସିହାରେ ପ୍ୟାରିସଠାରେ ୟୁନେସ୍କୋ ପକ୍ଷରୁ ଆୟୋଜିତ ମାନବ ଓ ନୂତନ ଯୋଗାଯୋଗ ବ୍ୟବସ୍ଥା ଶୀର୍ଷକ ଆଲୋଚନାଚକ୍ରରେ ଅଧ୍ୟକ୍ଷତା; 1995 ମସିହାରେ ବୁକାରେଷ୍ଟଠାରେ ଆନ୍ତଃ-ସଂସଦୀୟ ସଂଘ ସମ୍ମିଳନୀରେ ପ୍ରତିନିଧି ଭାବେ ଯୋଗଦାନ; 1994 ମସିହାରେ କାନାଡାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ସମ୍ମିଳନୀରେ ପ୍ରତିନିଧି ଭାବେ ଅଂଶଗ୍ରହଣ; 1967 ମସିହାରେ କାନବେରା (ଅଷ୍ଟ୍ରେଲିଆ)ଠାରେ ଅନୁଷ୍ଠିତ ଆନ୍ତଃ-ସଂସଦୀୟ ସଂଘ ବୈଠକରେ ଭାରତର ପ୍ରତିନିଧିତ୍ୱ; 1974 ମସିହାରେ ଷ୍ଟକହୋମଠାରେ ଅନୁଷ୍ଠିତ ମିଳିତ ଜାତିସଂଘର ପର୍ଯ୍ୟାବରଣ ଶୀର୍ଷକ ଅଧିବେଶନରେ ଭାରତୀୟ ପ୍ରତିନିଧି ଦଳର ବିକଳ୍ପ ନେତା ଭାବେ ଯୋଗଦାନ; 1975 ମସିହାରେ ଭାରତର ସ୍ୱତନ୍ତ୍ର ଦୂତ ଭାବେ ଗାବୋନ, କାମେରୁନ୍, କଙ୍ଗୋ, ଚାଦ୍ ଏବଂ କେନ୍ଦ୍ର ଆଫ୍ରିକୀୟ ଗଣତନ୍ତ୍ର; 1966 ମସିହାରେ ମାଲାୱି ପ୍ରଜାତନ୍ତ୍ରର ଉଦ୍ଘାଟନ ଅବସରରେ ଭାରତୀୟ ସ୍ୱତନ୍ତ୍ର ଦୂତ ଭାବେ ପ୍ରତିନିଧିତ୍ୱ; 1961 ମସିହାରେ ବୁଲଗେରିଆକୁ ଭାରତର ସ୍ୱତନ୍ତ୍ର ଦୂତ; ଶ୍ରୀଲଙ୍କା, ଭୁଟାନ, ଇଜିପ୍ଟ ଏବଂ ସୁଦାନକୁ ଭାରତର ରାଷ୍ଟ୍ରପତିଙ୍କ ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ଭାବେ ଉପସ୍ଥିତ ରହିବା; ଦକ୍ଷିଣ ଏସିଆ ସହଯୋଗ ସଂକ୍ରାନ୍ତ ଭାରତୀୟ ପରିଷଦର ଅଧ୍ୟକ୍ଷ ଏବଂ 1961ରେ ଏସୀୟ ରୋଟାରୀ ସମ୍ମିଳନୀରେ ସହ-ଅଧ୍ୟକ୍ଷ ଭାବେ ଅଂଶଗ୍ରହଣ ।

ସାମାଜିକ ଅନୁଷ୍ଠାନ ସହ ସଂପୃକ୍ତି

ନାରୀ ନିକେତନ ଟ୍ରଷ୍ଟ ଏବଂ ଏ.ଏନ.ଗୁଜରାଲ ସ୍ମାରକୀ ବିଦ୍ୟାଳୟ, ଜଳନ୍ଧରର ଅଧ୍ୟକ୍ଷ; ଭାରତ-ପାକ୍ ବନ୍ଧୁତା ସୋସାଇଟିର ସଭାପତି; ଦିଲ୍ଲୀ କଳା ଥିଏଟରର ପ୍ରତିଷ୍ଠାତା ସଭାପତି; ଲୋକ କଲ୍ୟାଣ ସମିତିର ଉପସଭାପତି; 1960ରେ ଦିଲ୍ଲୀ ରୋଟାରୀ କ୍ଲବର ସଭାପତି ଏବଂ 1961 ମସିହାରେ ଅନୁଷ୍ଠିତ ଏସୀୟ ରୋଟାରୀ ସମ୍ମିଳନୀର ସହ-ଅଧ୍ୟକ୍ଷ ।

ସ୍ୱତନ୍ତ୍ର ଅଭିରୁଚି

ଶ୍ରୀ ଗୁଜରାଲ ଜଣେ ସୁଲେଖକ ଏବଂ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ପ୍ରସଙ୍ଗ ତଥା ବିଶ୍ଵ ରାଜନୀତି ଉପରେ ପ୍ରସିଦ୍ଧ ଭାଷ୍ୟକାର ।