Search

ପିଏମଇଣ୍ଡିଆପିଏମଇଣ୍ଡିଆ

ଶ୍ରୀମତୀ ଇନ୍ଦିରା ଗାନ୍ଧୀ

ଜାନୁୟାରୀ 24, 1966 - ମାର୍ଚ୍ଚ 24, 1977 | କଂଗ୍ରେସ

ଶ୍ରୀମତୀ ଇନ୍ଦିରା ଗାନ୍ଧୀ


1917 ମସିହା ନଭେମ୍ବର 19 ତାରିଖ ଦିନ ଏକ ଯଶସ୍ୱୀ ପରିବାରରେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ପଣ୍ଡିତ ଜବାହାରଲାଲ ନେହରୁ । ଇକୋଲି ନୋଭେଲ୍, ବେକ୍ସ (ସୁଇଜରଲାଣ୍ଡ), ଇକୋଲି ଇଂଟରନ୍ୟାସନାଲ, ଜେନେଭା, ପ୍ୟୁପିଲ୍ସ ଓନ୍ ସ୍କୁଲ ପୁନା ଓ ବମ୍ବେ, ବ୍ୟାଡମିଂଟନ ସ୍କୁଲ-ବ୍ରିଷ୍ଟଲ, ବିଶ୍ୱଭାରତୀ, ଶାନ୍ତି ନିକେତନ ଏବଂ ସମରଭିଲେ ସ୍କୁଲ-ଅକ୍ସଫୋର୍ଡ ଭଳି ସ୍ୱନାମଧନ୍ୟ ଶିକ୍ଷାନୁଷ୍ଠାନମାନଙ୍କରେ ଇନ୍ଦିରା ଶିକ୍ଷା ଲାଭ କରିଥିଲେ । ପରବର୍ତ୍ତି ସମୟରେ ବିଶ୍ୱର ଅନେକ ବିଶ୍ୱବିଦ୍ୟାଳୟରୁ ତାଙ୍କୁ ସମ୍ମାନସୂଚକ ଡକ୍ଟରେଟ ଡିଗ୍ରୀ ମିଳିଥିଲା । ତାଙ୍କର ଉଲ୍ଲେଖନୀୟ ଶିକ୍ଷାଗତ ପୃଷ୍ଠଭୂମି ସକାଶେ ତାଙ୍କୁ କଲମ୍ବିଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ସାଇଟେସନ ଅଫ୍ ଡିଷ୍ଟିଙ୍କସନ୍ ପ୍ରଦାନ କରାଯାଇଥିଲା । ଶ୍ରୀମତୀ ଇନ୍ଦିରା ଗାନ୍ଧୀ ସକ୍ରିୟ ଭାବେ ସ୍ୱାଧୀନତା ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ଶିଶୁ ଅବସ୍ଥାରେ ସେ ଶିଶୁମାନଙ୍କୁ ନେଇ 1930 ମସିହାରେ ଗଠନ କରିଥିଲେ “ବାଲ୍ ଚରଖା ସଂଘ” ଏବଂ “ବାନର ସେନା” । ଅସହଯୋଗ ଆନ୍ଦୋଳନ ବେଳେ କଂଗ୍ରେସ ଦଳକୁ ସହାୟତା ପ୍ରଦାନ କରିବା ଥିଲା ଏହି ଦୁଇ ସଂଗଠନର ଉଦେ୍ଦଶ୍ୟ । 1942 ମସିହା ସେପ୍ଟେମ୍ବର ମାସରେ ତାଙ୍କୁ ଜେଲ ବରଣ କରିବାକୁ ପଡିଥିଲା ଓ 1947 ମସିହାରେ ସେ ଗାନ୍ଧୀଜୀଙ୍କ ତତ୍ତ୍ଵାବଧାନରେ ଦିଲ୍ଲୀର ଦଙ୍ଗାଗସ୍ତ ଅଂଚଳରେ କାର୍ଯ୍ୟ କରିଥିଲେ ।

 

1942 ମସିହା ମାର୍ଚ୍ଚ 26 ତାରିଖରେ ଇନ୍ଦିରା ଗାନ୍ଧୀଙ୍କର ଫିରୋଜ ଗାନ୍ଧୀଙ୍କ ସହ ବିବାହ ହୋଇଥିଲା ଓ ସେମାନେ ଦୁଇ ପୁତ୍ର ସନ୍ତାନର ମାତାପିତା ହୋଇଥିଲେ । 1955 ମସିହାରେ ଶ୍ରୀମତୀ ଗାନ୍ଧୀ କଂଗ୍ରେସ କାର୍ଯ୍ୟକାରୀ କମିଟି ଏବଂ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟିର ସଦସ୍ୟ ରୂପେ ମନୋନୀତ ହୋଇଥିଲେ । 1958 ମସିହାରେ ତାଙ୍କୁ କଂଗ୍ରେସ ପାର୍ଟିର କେନ୍ଦ୍ରୀୟ ସଂସଦୀୟ ବୋର୍ଡର ସଦସ୍ୟ ରୂପେ ନିଯୁକ୍ତି ମିଳିଥିଲା । ଏଥିସହ 1956 ମସିହାରେ ସେ AICC ର ଜାତୀୟ ଏକତା ପରିଷଦର ଅଧ୍ୟକ୍ଷା, ଅଖିଳ ଭାରତ ଯୁବ କଂଗ୍ରେସର ସଭାନେତ୍ରୀ ଏବଂ AICC ମହିଳା ବିଭାଗର ମୁଖ୍ୟ ପଦରେ ଅବସ୍ଥାପିତ ହୋଇଥିଲେ । 1959 ମସିହାରେ ଶ୍ରୀମତୀ ଗାନ୍ଧୀ ଭାରତୀୟ ଜାତୀୟ କଂଗ୍ରେସ ସଭାପତି ହୋଇଥିଲେ ଓ 1960 ପର୍ଯ୍ୟନ୍ତ ଏହି ପଦରେ ଥିଲେ ଏବଂ 1978 ମସିହା ଜାନୁଆରୀ ମାସରେ ପୁଣିଥରେ ସେହି ପଦ ଗ୍ରହଣ କରିଥିଲେ ।
ଶ୍ରୀମତୀ ଗାନ୍ଧୀ ପ୍ରଥମେ କେନ୍ଦ୍ରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ (1964-66) ହୋଇଥିଲେ । ଏହାପରେ 1966 ମସିହା ଜାନଆରୀ ଠାରୁ 1977 ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସେ ଦେଶର ସର୍ବୋଚ୍ଚ ପଦବୀ – ଭାରତର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଏହା ବ୍ୟତୀତ ସେପ୍ଟେମ୍ବର 5, 1967 ଠାରୁ ଫେବୃଆରୀ 14, 1969 ପର୍ଯ୍ୟନ୍ତ ସେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱରେ ଥିଲେ । ଶ୍ରୀମତୀ ଗାନ୍ଧୀ 1970 ଜୁନଠାରୁ 1973 ନଭେମ୍ବର ମାସ ପର୍ଯ୍ୟନ୍ତ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ 1972 ମସିହା ଜୁନ ଠାରୁ 1977 ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ମହାକାଶ ବିଭାଗ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । 1980 ମସିହା ଜାନୁଆରୀ ମାସ ଠାରୁ ସେ ଯୋଜନା କମିଶନର ଅଧ୍ୟକ୍ଷ ହୋଇଥିଲେ ଏବଂ ପୁଣି ଥରେ 1980 ମସିହା ଜାନୁଆରୀ 14 ତାରିଖ ଦିନ ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ ।
ଶ୍ରୀମତୀ ଗାନ୍ଧୀ ଅନେକ ଗୁଡିଏ ସଂସ୍ଥା ଓ ସଂଗଠନ ସହ ସଂଶ୍ଳିଷ୍ଟ ଥିଲେ । ସେଗୁଡିକ ମଧ୍ୟରୁ କମଳା ନେହରୁ ସ୍ମାରକୀ ହସ୍ପିଟାଲ, ଗାନ୍ଧୀ ସ୍ମାରକ ନିଧି ଓ କସ୍ତୁରବା ଗାନ୍ଧୀ ସ୍ମାରକୀ ଟ୍ରଷ୍ଟ ଅନ୍ୟତମ । ସେ ସ୍ୱରାଜ ଭବନ ଟ୍ରଷ୍ଟର ମଧ୍ୟ ଅଧ୍ୟକ୍ଷ ପଦ ମଣ୍ଡନ କରିଥିଲେ । ଇନ୍ଦିରା 1955 ମସିହାରେ ବାଳ ସହଯୋଗ ବୋର୍ଡ ଏବଂ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଜାତୀୟ ସଂଗ୍ରହାଳୟ ସହ ଓତଃପ୍ରୋତ ଭାବେ ଜଡିତ ଥିଲେ । ଆହ୍ଲାବାଦ ଠାରେ ସେ ପ୍ରତିଷ୍ଠା କରିଥିଲେ କମଳା ନେହରୁ ବିଦ୍ୟାଳୟ । ଏହା ବ୍ୟତୀତ ଅନ୍ୟ କେତେକ ପ୍ରଖ୍ୟାତ ଅନୁଷ୍ଠାନ ଯଥା, ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟ ଏବଂ ଉତ୍ତର-ପୂର୍ବାଂଚଳ ବିଶ୍ୱବିଦ୍ୟାଳୟ ସହ 1966-77 ଅବଧିରେ ସେ ନିଜକୁ ସଂପୃକ୍ତ ରଖିଥିଲେ । ଏହାଛଡା ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ କୋର୍ଟର ସଦସ୍ୟ, ୟୁନେସ୍କୋକୁ ଯାଇଥିବା ଭାରତୀୟ ପ୍ରତିନିଧି ମଣ୍ଡଳ (1960-64), ୟୁନେସ୍କୋ କାର୍ଯ୍ୟକାରିଣୀ ବୋର୍ଡର ସଦସ୍ୟ (1960-64) ଏବଂ ଜାତୀୟ ପ୍ରତିରକ୍ଷା ପରିଷଦ (1960)ର ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି । ସର୍ବୋପରି ଇନ୍ଦିରା ଗାନ୍ଧୀ ସଙ୍ଗୀତ ନାଟକ ଏକାଡେମୀ, ଜାତୀୟ ଏକତା ପରିଷଦ, ହିମାଳୟ ପର୍ବତାରୋହଣ ପ୍ରତିଷ୍ଠାନ, ଦକ୍ଷିଣ ଭାରତ ହିନ୍ଦୀ ପ୍ରଚାର ସଭା, ନେହରୁ ସ୍ମାରକୀ ସଂଗ୍ରହାଳୟ ଓ ଲାଇବ୍ରେରୀ ସୋସାଇଟି ଏବଂ ଜବାହାରଲାଲ ନେହରୁ ସ୍ମାରକୀ ପାଣ୍ଠିରେ ମଧ୍ୟ ସକ୍ରିୟ ଭାବେ ଜଡିତ ଥିଲେ ।

 

ଶ୍ରୀମତୀ ଗାନ୍ଧୀ 1964 ମସିହା ଅଗଷ୍ଟ ମାସରେ ରାଜ୍ୟସଭାର ସଦସ୍ୟ ହୋଇଥିଲେ ଏବଂ ସେହି ପଦରେ 1967 ଫେବ୍ରୁଆରୀ ମାସ ପର୍ଯ୍ୟନ୍ତ ରହିଥିଲେ । ଏହାପରେ ସେ ଚତୁର୍ଥ, ପଂଚମ ଓ ଷଷ୍ଠ ଲୋକସଭାର ସଦସ୍ୟ ଭାବେ ନିର୍ବାଚିତ ହେଲେ । ସେ ସପ୍ତମ ଲୋକସଭାକୁ ରାଏବରେଲୀ (ଉତ୍ତରପ୍ରଦେଶ)ରୁ ନିର୍ବାଚିତ ହେଲେ ଓ 1980 ମସିହାରେ ମେର୍ଡକ (ଆନ୍ଧ୍ର ପ୍ରଦେଶ) ସଂସଦୀୟ କ୍ଷେତ୍ରରୁ ବିଜୟ ଲାଭ କରି ଲୋକସଭାକୁ ଯାଇଥିଲେ । 1967-77ମସିହାରେ ସେ କଂଗ୍ରେସ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହେଲେ ଓ ପରେ ପୁଣି ଥରେ 1980 ମସିହା ଜାନୁଆରୀ ମାସରେ ଏହି ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ କରାଯାଇଥିଲା ।

 

ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କର ଅନେକ ବିଷୟରେ ସଉକ ଥିଲା । କାରଣ ସେ ଜୀବନକୁ ଏକ ସାମଗ୍ରିକ ପ୍ରକ୍ରିୟା ଭାବେ ଦେଖୁଥିଲେ । ଯେଉଁଠି ବ୍ୟକ୍ତିଗତ କାର୍ଯ୍ୟକଳାପ ଓ ଆଗ୍ରହକୁ ଜୀବନର ଗୋଟିଏ ଗୋଟିଏ ବିଭାଗ ବୋଲି ଦେଖାଯାଇପାରେ, ତାହା ତାଙ୍କ ପାଇଁ କଦାଚିତ୍ ପୃଥକ୍ କାର୍ଯ୍ୟ ଅଥବା ଭିନ୍ନଭିନ୍ନ ଶୀର୍ଷରେ ପ୍ରଦର୍ଶିତ ହେଉନଥିଲା ।

 

ଜୀବନରେ ସେ ଅନେକ ସଫଳତା ହାସଲ କରିଥିଳେ । 1972 ମସିହାରେ ତାଙ୍କୁ ଭାରତରତ୍ନ ପ୍ରଦାନ କରାଯାଇଥିଲା । ବାଂଲାଦେଶ ମୁକ୍ତି ସଂଗ୍ରାମ ପାଇଁ ତାଙ୍କୁ ମିଳିଥିଲା ମେକ୍ସିକାନ ଏକାଡେମୀ ପୁରସ୍କାର, ଖାଦ୍ୟ ଓ କୃଷି ସଂଗଠନ (FAO)ର ଦ୍ୱିତୀୟ ବାର୍ଷିକ ମେଡାଲ ଏବଂ 1976 ମସିହାରୋ ନାଗରୀ ପ୍ରଚାରିଣୀ ସଭା ପକ୍ଷରୁ ତାଙ୍କୁ ପ୍ରଦାନ କରାଯାଇଥିଲା ସାହିତ୍ୟ ବାଚସ୍ପତି (ହିନ୍ଦୀ) ସମ୍ମାନ । 1953 ମସିହାରେ ତାଙ୍କୁ ମିଳିଥିଲା ଯୁକ୍ତରାଷ୍ଟ୍ର ଆମେରିକାର ମଦର୍ସ ପୁରସ୍କାର, କୂଟନୀତି କ୍ଷେତ୍ରରେ ଉଲ୍ଲେଖୀନୟ କାର୍ଯ୍ୟବଳୀ ପାଇଁ ଇଟାଲୀର ଇସାବେଲ ଡି ଇଷ୍ଟେ ସମ୍ମାନ ଏବଂ ୟେଲ୍ ବିଶ୍ୱବିଦ୍ୟାଳୟର ହାଓଲାଣ୍ଡ ସ୍ମାରକୀ ପୁରସ୍କାର । 1967 ଏବଂ 1968ରେ କ୍ରମାଗତ ଭାବେ ଦୁଇ ବର୍ଷ ଧରି ଫ୍ରାନ୍ସର ଇନଷ୍ଟିଟ୍ୟୁଟ୍ ଅଫ୍ ପବ୍ଲିକ୍ ଓପିନିଅନ ଦ୍ୱାରା କରାଯାଇଥିବା ମତ ସଂଗ୍ରହରେ ସେ ଫ୍ରାନ୍ସବାସୀଙ୍କ ଦ୍ୱାରା ସବୁଠାରୁ ଆଦରଣୀୟ ମହିଳା ଭାବେ ଚୟନ ହୋଇଥିଲେ । 1971 ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାରେ କରାଯାଇଥିବା ଏକ ସ୍ୱତନ୍ତ୍ର ଗ୍ୟାଲପ ମତଗଣନା ସର୍ଭେ ଅନୁସାରେ ଇନ୍ଦିରା ଗାନ୍ଧୀ ଥିଲେ ବିଶ୍ୱର ସବୁଠାରୁ ଆଦରଣୀୟ ମହିଳା । ପ୍ରାଣୀ ସୁରକ୍ଷା ଲାଗି ତାଙ୍କର ବିଶେଷ ଅବଦାନକୁ ସମ୍ମାନ ଜଣାଇ 1971 ମସିହାରେ ଆର୍ଜେଂଟାଇନ୍ ସୋସାଇଟି ତାଙ୍କୁ ସମ୍ମାନସୂଚକ ଡିପ୍ଲୋମାରେ ଭୂଷିତ କରିଥିଲେ ।

 

ଶ୍ରୀମତୀ ଗାନ୍ଧୀଙ୍କ ପ୍ରମୁଖ ରଚନା ମଧ୍ୟରେ ଦି ଇୟର୍ସ ଅଫ୍ ଚାଲେଞ୍ଜ (1966-69), ଦି ଇୟର୍ସ ଅଫ୍ ଏଣ୍ଡିଓଭର (1969-72), ଇଣ୍ଡିଆ (ଲଣ୍ଡନ) (1975), ଇଣ୍ଡେ (ଲସାନେ) 1979 ଏବଂ ସେ ବିଭିନ୍ନ ସମୟରେ ଦେଇଥିବା ଭାଷଣ ଆଦିର ପ୍ରକାଶନ ଅନ୍ୟତମ । ଇନ୍ଦିରା ଗାନ୍ଧୀ ଭାରତ ତଥା ବିଶ୍ୱର ବହୁ ସ୍ଥାନ ଭ୍ରମଣ କରିଥିଲେ । ସେ ପ୍ରତିବେଶୀ ରାଷ୍ଟ୍ର ବାଂଲାଦେଶ, ଭୁଟାନ, ବର୍ମା, ଚୀନ, ନେପାଳ ଓ ଶ୍ରୀଲଙ୍କା ସହ ଫ୍ରାନ୍ସ, ଜର୍ମାନ ଗଣରାଜ୍ୟ, ଫେଡେରାଲ ରିପବ୍ଲିକ ଅଫ୍ ଜର୍ମାନୀ, ଗୟାନା, ହଙ୍ଗେରୀ, ଇରାନ, ଇରାକ ଏବଂ ଇଟାଲୀ ଭଳି ରାଷ୍ଟ୍ର ଗସ୍ତ କରିଥିଲେ । ସେହିଭଳି ସେ ଗସ୍ତ କରିଥିବା ଅନ୍ୟ ରାଷ୍ଟ୍ରଗୁଡିକ ମଧ୍ୟରେ ଆଲଜେରିଆ, ଆର୍ଜେଂଟିନା, ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ, ବେଲଜିୟମ, ବ୍ରାଜିଲ, ବୁଲଗେରିଆ, କାନାଡା, ଚିଲି, ଚେକୋସ୍ଲୋଭାକିଆ, ବଲିଭିଆ ଏବଂ ଇଜିପ୍ଟ ଗସ୍ତରେ ଯାଇଥିଲେ । ସେ ଗସ୍ତ କରିଥିବା ଅନ୍ୟ ୟୁରୋପୀୟ, ଆମେରିକୀୟ ଏବଂ ଏସୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଇଣ୍ଡୋନେସିଆ, ଜାପାନ, ଜାମାଇକା, କେନିଆ, ମାଲେସିଆ, ମରିସସ, ମେକ୍ସିକୋ, ନେଦରଲ୍ୟାଣ୍ଡ, ନ୍ୟୁଜିଲାଣ୍ଡ, ନାଇଜେରିଆ, ଓମାନ, ପୋଲାଣ୍ଡ, ତାଞ୍ଜିନିଆ, ଥାଇଲାଣ୍ଡ, ତ୍ରିନିନାଦ ଓ ଟୋବାଗୋ, ୟୁଏଇ, ବ୍ରିଟେନ, ଆମେରିକା, ସୋଭିଏତ ସଂଘ, ଉରୁଗୁଏ, ଭେନେଜୁଏଲା, ଯୁଗୋସ୍ଲୋଭିଆ, ଜାମ୍ବିଆ ଓ ଜିମ୍ବାୱେ ଅନ୍ୟତମ । ମିଳିତ ଜାତିସଂଘ ମୁଖ୍ୟାଳୟଠାରେ ସେ ଅନେକ ଥର ଅଭିଭାଷଣ ପ୍ରଦାନ କରିଛନ୍ତି ।