ରାଷ୍ଟ୍ରୀୟ ପ୍ରତିରକ୍ଷା ପ୍ରୟାସକୁ ଆଗେଇ ନେବା ନିମନ୍ତେ ନଗଦ ଅଥବା ଯେ କୌଣସି ପ୍ରକାର ସ୍ୱେଚ୍ଛାକୃତ ଦାନ ଗ୍ରହଣ ଲାଗି ଜାତୀୟ ପ୍ରତିରକ୍ଷା ପାଣ୍ଠି ଗଠନ କରାଯାଇଛି । ଅର୍ଦ୍ଧ-ସାମରିକ ବାହିନୀ ସହିତ ଦେଶର ପ୍ରତିରକ୍ଷା ବାହିନୀର ସଦସ୍ୟମାନଙ୍କ କଲ୍ୟାଣ ଦିଗରେ ଏହି ପାଣ୍ଠିକୁ ଉପଯୋଗ କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କାର୍ଯ୍ୟନିର୍ବାହୀ କମିଟି ଦ୍ୱାରା ଜାତୀୟ ପ୍ରତିରକ୍ଷା ପାଣ୍ଠି ପରିଚାଳିତ ହୋଇଥାଏ । ଏଥିରେ ପ୍ରତିରକ୍ଷା ମନ୍ତ୍ରୀ, ଅର୍ଥ ମନ୍ତ୍ରୀ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ସଦସ୍ୟ ଭାବେ ରହିଥାନ୍ତି । ଅର୍ଥ ମନ୍ତ୍ରୀ ଏହି ପାଣ୍ଠିର କୋଷାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏହି ପାଣ୍ଠି ସଂଲଗ୍ନ ଦାୟିତ୍ୱ ବୁଝୁଥିବା ସମ୍ପୃକ୍ତ ଯୁଗ୍ମ ସଚିବ, କାର୍ଯ୍ୟନିର୍ବାହୀ କମିଟିର ସଚିବ ଭାବେ ଦାୟିତ୍ୱ ତୁଲାଇଥାନ୍ତି । ଜାତୀୟ ପ୍ରତିରକ୍ଷା ପାଣ୍ଠିର ସମସ୍ତ ଜମା ହିସାବ ଭାରତୀୟ ରିଜର୍ଭ ବ୍ୟାଙ୍କ ଜିମାରେ ରଖାଯାଇଥାଏ । ସର୍ବସାଧାରଣଙ୍କଠାରୁ ମିଳୁଥିବା ସ୍ୱେଚ୍ଛାକୃତ ଦାନକୁ ନେଇ ପାଣ୍ଠି ଗଠିତ ହୋଇଛି ଏବଂ ଏହାକୁ କୌଣସି ବଜେଟ ସହାୟତା ମିଳେନାହିଁ । ପ୍ରତିରକ୍ଷା ପାଣ୍ଠିକୁ ଅନ୍-ଲାଇନ୍ ଜରିଆରେ ମଧ୍ୟ ସ୍ୱେଚ୍ଛାକୃତ ଦାନ ଗ୍ରହଣ କରାଯାଇଥାଏ । ଏଭଳି ଦାନ ଦେବାଲାଗି ୱେବ୍ସାଇଟ ହେଲା – ପିଏମ୍ଇଣ୍ଡିଆ.ନିକ୍.ଇନ୍ (pmindia.nic.in), ପିଏମ୍ଇଣ୍ଡିଆ.ଗଭ.ଇନ୍(pmindia.gov.in) ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ୱେବ୍ସାଇଟ -ଡବ୍ଲୁ୍ୟଡବ୍ଲୁ୍ୟଡବ୍ଲୁ୍ୟ.ଅନଲାଇନଏସବିଆଇ.କମ୍ (www.onlinesbi.com) ଜରିଆରେ ଗ୍ରହଣ କରାଯାଇଥାଏ । ଦାନ ଗ୍ରହଣର ଏକାଉଂଟ ନମ୍ବର ହେଲା – 11084239799 ଯାହାକି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଇନଷ୍ଟିଟ୍ୟୁସନାଲ୍ ଡିଭିଜନ୍, 4ର୍ଥ ଫ୍ଲୋର, ସଂସଦ ମାର୍ଗ, ନୂଆଦିଲ୍ଲୀ ପାଖରେ ରହିଛି ।
ଏହାଛଡା ଜାତୀୟ ପ୍ରତିରକ୍ଷା ପାଣ୍ଠି ପାଇଁ ଏକ ସ୍ୱତନ୍ତ୍ର ସ୍ଥାୟୀ ଏକାଉଂଟ ନମ୍ବର (Permanent Account Number) ହେଲା – ଏଏଏଜିଏନ୍0009ଏଫ୍ (AAAGN0009F).
ଜାତୀୟ ପ୍ରତିରକ୍ଷା ପାଣ୍ଠିର ଗତ ପାଞ୍ଚ ବର୍ଷର ଆୟ ଓ ବ୍ୟୟର ବିବରଣୀ ନିମ୍ନରେ ପ୍ରଦାନ କରାଗଲା:-
ବର୍ଷ | ବ୍ୟୟ | ପ୍ରାପ୍ତ | ବଳକା |
---|---|---|---|
31.03.2020 | 54.62 | 103.04 | 1249.96 |
31.03.2021 | 52.51 | 87.04 | 1284.49 |
31.03.2022 | 70.75 | 90.64 | 1304.38 |
31.03.2023 | 77.76 | 110.74 | 1337.36 |
31.03.2024 | 60.43 | 119.29 | 1396.22 |
ଜାତୀୟ ପ୍ରତିରକ୍ଷା ପାଣ୍ଠି ଅଧୀନରେ ବିଭିନ୍ନ ସ୍କିମ୍
1. ଅର୍ଦ୍ଧ ସାମରିକ ବଳ ଏବଂ ପ୍ରତିରକ୍ଷା ବାହିନୀରେ କାର୍ଯ୍ୟରତ ଅବସ୍ଥାରେ ମୃତ କର୍ମଚାରୀଙ୍କ ବିଧବା ପତ୍ନୀ ଏବଂ ସନ୍ତାନଙ୍କ ପାଇଁ ବୈଷୟିକ ତଥା ସ୍ନାତକୋତ୍ତର ଶିକ୍ଷାକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏକ ମେଧାବୃତ୍ତି ଯୋଜନା କାର୍ଯ୍ୟକାରୀ କରାଯାଉଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ଅବସରପ୍ରାପ୍ତ ସାମରିକ କର୍ମଚାରୀ କଲ୍ୟାଣ ବିଭାଗ ଦ୍ୱାରା ଏହି ମେଧାବୃତ୍ତି ସ୍କିମ୍ କାର୍ଯ୍ୟକାରୀ କରାଯାଉଛି । ସେହିପରି ଅର୍ଦ୍ଧ ସାମରିକ ବଳର ମୃତ କର୍ମଚାରୀଙ୍କ ପତ୍ନୀ ଏବଂ ସନ୍ତାନଙ୍କ ପାଇଁ ମେଧାବୃତ୍ତି ସ୍କିମ୍ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଏବଂ ରେଳବାଇ ସୁରକ୍ଷା ବଳର କର୍ମଚାରୀଙ୍କ ପାଇଁ ରେଳ ମନ୍ତ୍ରଣାଳୟ ଏହି ମେଧାବୃତ୍ତି ସ୍କିମ୍ କାର୍ଯ୍ୟକାରୀ କରୁଛନ୍ତି ।
ଜାତୀୟ ପ୍ରତିରକ୍ଷା ପାଣ୍ଠି ଅଧୀନରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ମେଧାବୃତ୍ତି ସ୍କିମର ବୈଶିଷ୍ଟ୍ୟ
1. ଏହି ସ୍କିମଟି ଅର୍ଦ୍ଧ ସାମରିକ ବଳ ଏବଂ ପ୍ରତିରକ୍ଷା ବାହିନୀର କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ । ମାସିକ ମେଧାବୃତ୍ତି ପ୍ରଦାନ କରାଯାଇଥାଏ (ଏ) ଅଫିସର ପାହ୍ୟାରୁ ନିମ୍ନରେ ଥିବା ଅର୍ଦ୍ଧ ସାମରିକ ବାହିନୀର କର୍ମଚାରୀଙ୍କ ସନ୍ତାନ ( ବି) ସେମାନଙ୍କ ବିଧବା ପତ୍ନୀ (ସି) କାର୍ଯ୍ୟରତ ଅବସ୍ଥାରେ ମୃତ ସାମରିକ କର୍ମଚାରୀଙ୍କ ବିଧବା ପତ୍ନୀ ଏବଂ (ଡି) ଅର୍ଦ୍ଧ ସାମରିକ ବାହିନୀ ତଥା ରେଳ ସୁରକ୍ଷା ବଳର ମୃତ କର୍ମଚାରୀଙ୍କ ବିଧବା ପତ୍ନୀ ଏବଂ ସନ୍ତାନ । ବିଶେଷ ଭାବେ ମେଡିକାଲ, ଡେଣ୍ଟାଲ, ଭେଟେରିନାରୀ, ଇଂଜିନିୟରିଂ, ଏମବିଏ, ଏମସିଏ ଏବଂ ଏଆଇସିଟିଇ/ୟୁଜିସି ଦ୍ୱାରା ଅନୁମୋଦିତ ସମସ୍ତ ବୈଷୟିକ ପେଶାଦାର ପାଠ୍ୟକ୍ରମ ପାଇଁ ଏ ପ୍ରକାର ମେଧାବୃତ୍ତି ଦିଆଯାଇଥାଏ । ବିଧବା ପତ୍ନୀଙ୍କ ସନ୍ତାନ ଏବଂ କାର୍ଯ୍ୟରତ ଅବସ୍ଥାରେ ମୃତ କର୍ମଚାରୀଙ୍କ ବିଧବା ପତ୍ନୀଙ୍କ ପିଲାଙ୍କୁ ଏଭଳି ମେଧାବୃତ୍ତି ପ୍ରଦାନ ପାଇଁ ବାଛିବା ବେଳେ ମୃତ କର୍ମଚାରୀଙ୍କ ପାହ୍ୟାକୁ ବିବେଚନା କରାଯାଏନାହିଁ । ଏ ପ୍ରକାର ସ୍କିମ୍ ଅର୍ଦ୍ଧ ସାମରିକ ବାହିନୀର କର୍ମଚାରୀଙ୍କ ପିଲାଙ୍କ କ୍ଷେତ୍ରରେ ମଧ୍ୟ ଉଦ୍ଦିଷ୍ଟ । ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ମେଧାବୃତ୍ତି ସ୍କିମ୍ ଅଧୀନରେ ପୂର୍ବତନ ସାମରିକ କର୍ମଚାରୀଙ୍କ ପିଲାଙ୍କୁ ପ୍ରତିବର୍ଷ 4000 ନୂଆ ମେଧାବୃତ୍ତି ଦିଆଯାଇଥାଏ । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ମେଧାବୃତ୍ତି ସ୍କିମ୍ ଅଧୀନରେ 910ଟି ନୂଆ ମେଧାବୃତ୍ତି ଏବଂ ରେଳ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ସ୍କିମ୍ ଜରିଆରେ ପ୍ରତି ବର୍ଷ 90ଟି ନୂଆ ମେଧାବୃତ୍ତି ଦିଆଯାଇଥାଏ । ତେବେ 2015-16 ଆର୍ଥିକ ବର୍ଷଠାରୁ ମେଧାବୃତ୍ତି ପ୍ରଦାନ ସଂଖ୍ୟା ବୃଦ୍ଧି କରାଯାଇଛି । ଏହି ସ୍କିମ ଅଧୀନରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ 5500 ମେଧାବୃତ୍ତି, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ 2000 ମେଧାବୃତ୍ତି ଏବଂ ରେଳ ମନ୍ତ୍ରଣାଳୟ ପକ୍ଷରୁ ବାର୍ଷିକ 150 ମେଧାବୃତ୍ତି ସଂପୃକ୍ତ କର୍ମଚାରୀଙ୍କ ପିଲାମାନଙ୍କୁ ପ୍ରଦାନ କରାଯାଉଛି । ପ୍ରାରମ୍ଭିକ ପ୍ରର୍ଯ୍ୟାୟରେ ମେଧାବୃତ୍ତି ମାସିକ ପୁଅ ପିଲାଙ୍କ ପାଇଁ 1250 ଟଙ୍କା ଏବଂ ଝିଅ ପିଲାଙ୍କ ପାଇଁ 1500 ଟଙ୍କା ଦିଆଯାଉଥିଲା । ଏବେ ଏହି ମେଧାବୃତ୍ତି ହାର ସଂଶୋଧିତ ହୋଇ ପୁଅ ପିଲାମାନଙ୍କୁ ମାସିକ 2000 ଟଙ୍କା ଏବଂ ଝିଅ ପିଲାମାନଙ୍କୁ 2250 ଟଙ୍କା ପ୍ରଦାନ କରାଯାଉଛି ।
2. ସ୍ୱତନ୍ତ୍ର ସୁରକ୍ଷା ଗାର୍ଡ (SPG) ପରିବାର କଲ୍ୟାଣ ପାଣ୍ଠି ପାଇଁ ଜାତୀୟ ପ୍ରତିରକ୍ଷା ପାଣ୍ଠିରୁ ବାର୍ଷିକ ଗ୍ରାଂଟ୍ ଆକାରରେ 15ଲକ୍ଷ ଟଙ୍କା ମଂଜୁର କରାଯାଉଛି । ଏସପିଜିର କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କ ବହୁବିଧ କଲ୍ୟାଣ କାର୍ଯ୍ୟକ୍ରମ ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯାଇଥାଏ ।
3. ତିନୋଟି ପ୍ରତିରକ୍ଷା ସେବା (ସ୍ଥଳସେନା ,ନୌସେନା ଏବଂ ବାୟୁସେନା) ଏବଂ ତଟରକ୍ଷୀ ଅଧିକାରୀମାନଙ୍କ ପାଇଁ ପୁସ୍ତକ ଏବଂ ଅନ୍ୟାନ୍ୟ ପଢ଼ିବାର ସାମଗ୍ରୀ କ୍ରୟ ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟକୁ ବାର୍ଷିକ ଅନୁଦାନ ଜାରି କରାଯାଉଛି । ମୋଟ ଅନୁଦାନ ରାଶି 26.50 ଲକ୍ଷ ଟଙ୍କା ସହିତ ଯଥାକ୍ରମେ ସ୍ଥଳସେନାଙ୍କ ପାଇଁ 5 ଲକ୍ଷ ,ବାୟୁସେନାଙ୍କ ପାଇଁ 37 ଲକ୍ଷ ,ନୌସେନାଙ୍କ ପାଇଁ 32 ଲକ୍ଷ ଏବଂ ତଟରକ୍ଷୀଙ୍କ ପାଇଁ 2.50 ଲକ୍ଷ ଟଙ୍କା ରହିଛି । ଆର୍ଥିକ ବର୍ଷ 2017-18 ପାଇଁ 1,26.50 ଲକ୍ଷ ଟଙ୍କାର ନବୀନତମ ଅନୁଦାନ ଜାରି କରାଯାଇଛି ।
(11.07.2024 ପର୍ଯ୍ୟନ୍ତ ଏହା ଅପଡେଟ୍ କରାଯାଇଛି)