ଅବିଭକ୍ତ ପଞ୍ଜାବର ସିଆଲକୋଟଠାରେ 1898 ମସିହା ଜୁଲାଇ 4 ତାରିଖ ଦିନ ଶ୍ରୀ ଗୁଲଜାରୀଲାଲ ନନ୍ଦା ଜନ୍ମଗ୍ରହଣ କରିଥିଲେ । ସେ ଲାହୋର, ଆଗ୍ରା ଓ ଆହ୍ଲାବାଦଠାରେ ଶିକ୍ଷା ଲାଭ କରିବା ପରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ (1920-21) ଶ୍ରମ ସମସ୍ୟା ଉପରେ ଜଣେ ଗବେଷକ ଭାବେ କାର୍ଯ୍ୟ କରିଥିଲେ । 1921 ମସିହାରେ ସେ ନେସନାଲ କଲେଜ (ବମ୍ବେ)ରେ ଅର୍ଥନୀତି ପ୍ରଫେସର ଭାବେ ଯୋଗ ଦେଇଥିଲେ । ତେବେ ସେହି ବର୍ଷ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଅସହଯୋଗ ଆନ୍ଦୋଳନରେ ଯୋଗଦାନ ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା । 1922 ମସିହାରେ ଶ୍ରୀ ନନ୍ଦା ଅହମ୍ମଦାବାଦ ଟେକ୍ସଟାଇଲ ଶ୍ରମିକ ସଂଘର ସଂପାଦକ ରୂପେ ମନୋନୀତ ହୋଇଥିଲେ ଏବଂ ଏହି ପଦବୀରେ ସେ 1946 ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ସ୍ୱାଧୀନତା ଆନ୍ଦୋଳନ ବେଳେ ସତ୍ୟାଗ୍ରହରେ ଯୋଗ ଦେବା ଯୋଗୁଁ 1932 ମସିହାରେ ଏବଂ 1942 ଠାରୁ 1944 ମସିହା ପର୍ଯ୍ୟନ୍ତ ସେ ଜେଲ ବରଣ କରିଥିଲେ ।
ଶ୍ରୀ ନନ୍ଦା 1937 ମସିହାରେ ପ୍ରଥମେ ବମ୍ବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ବମ୍ବେ ସରକାରଙ୍କ ସଂସଦୀୟ ସଚିବ (ଶ୍ରମ ଓ ଅବକାରୀ) ଭାବେ 1937ଠାରୁ 1939 ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ପରେ ଯେତେବେଳେ ସେ ବମ୍ବେ ସରକାରରେ ଶ୍ରମମନ୍ତ୍ରୀ ହେଲେ ସେତେବେଳେ ରାଜ୍ୟ ବିଧାନସଭାରେ ଶ୍ରମ ବିବାଦ ଆଇନକୁ ବେଶ୍ ସଫଳତାର ସହ ଗୃହୀତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହା ବ୍ୟତୀତ କସ୍ତୁରବା ସ୍ମାରକୀ ଟ୍ରଷ୍ଟର ଟ୍ରଷ୍ଟି, ହିନ୍ଦୁସ୍ତାନ ମଦଜୁର ସେବକ ସଂଘର ସଂପାଦକ ଏବଂ ବମ୍ବେ ହାଉସିଂ ବୋର୍ଡର ଅଧ୍ୟକ୍ଷ ରହିଥିଲେ । ଜାତୀୟ ଯୋଜନା କମିଟିର ସଦସ୍ୟ ଭାବେ ମଧ୍ୟ ସେ କାର୍ଯ୍ୟ କରିବାରେ ସୁଯୋଗ ପାଇଥିଲେ । ଭାରତୀୟ ଜାତୀୟ ଟ୍ରେଡ୍ ୟୁନିଅନ କଂଗ୍ରେସ ଗଠନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ଏବଂ ସେ ପରେ ଏହାର ସଭାପତି ହୋଇଥିଲେ ।
1947 ମସିହାରେ ଶ୍ରୀ ନନ୍ଦା ଭାରତ ସରକାରଙ୍କ ପ୍ରତିନିଧି ଭାବେ ଜେନେଭା ଯାଇ ଅନ୍ତରାଷ୍ଟ୍ରୀୟ ଶ୍ରମ ଶ୍ରମ୍ମିଳନୀରେ ଯୋଗ ଦେଇଥିଲେ । ଏହି ସମ୍ମିଳନୀରେ “ଫ୍ରିଡମ ଅଫ୍ ଆସୋସିଏସନ” କମିଟିରେ କାର୍ଯ୍ୟ କରି ସେ ସ୍ଵିଡେନ୍, ଫ୍ରାନ୍ସ, ସୁଇଜରଲାଣ୍ଡ, ବେଲଜିୟମ ଓ ଇଂଲଣ୍ଡ ଭଳି ରାଷ୍ଟ୍ର ଗସ୍ତ କରି ସେସବୁ ଦେଶର ଶ୍ରମିକ ଓ ଗୃହନିର୍ମାଣ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିଥିଲେ ।
1950 ମସିହା ମାର୍ଚ୍ଚ ମାସରେ ଶ୍ରୀ ନନ୍ଦା ଯୋଜନା କମିଶନର ଉପାଧ୍ୟକ୍ଷ ଭାବେ ଯୋଗଦେଲେ । ତାପର ବର୍ଷ ସେପ୍ଟେମ୍ବର ମାସରେ ସେ କେନ୍ଦ୍ର ସରକାରରେ ଯୋଗ ଦେଲେ ଯୋଜନା ମନ୍ତ୍ରୀ ରୂପେ । ଏହା ଛଡା ଜଳସେଚନ ଓ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ତାଙ୍କ ଉପରେ ନ୍ୟସ୍ତ କରାଯାଇଥିଲା । 1952 ମସିହାର ପ୍ରଥମ ନିର୍ବାଚନରେ ସେ ବମ୍ବେ ସଂସଦୀୟ କ୍ଷେତ୍ରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏବଂ ସେଇ ଯୋଜନା, ଜଳସେଚନ ଓ ଶକ୍ତି ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । 1955 ମସିହାରେ ସିଙ୍ଗାପୁର ଠାରେ ଅନୁଷ୍ଠିତ ଯୋଜନା ପରାମର୍ଶଦାତା କମିଟି ବୈଠକ ଏବଂ 1959 ମସିହାରେ ଜେନେଭା ଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଶ୍ରମ ସମ୍ମିଳନୀରେ ସେ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ ।
1957 ମସିହାରେ ଅନୁଷ୍ଠିତ ଦ୍ୱିତୀୟ ସାଧାରଣ ନିର୍ବାଚନରେ ଶ୍ରୀ ନନ୍ଦା ଲୋକସଭାକୁ ପୁନଃ ନିର୍ବାଚିତ ହେଲେ ଏବଂ କେନ୍ଦ୍ର କ୍ୟାବିନେଟରେ ତାଙ୍କୁ ଶ୍ରମ ଓ ନିଯୁକ୍ତି ଏବଂ ଯୋଜନା ମନ୍ତ୍ରଣାଳୟ ମିଳିଥିଲା ଏବଂ ପରେ ସେ ଯୋଜନା କମିଶନର ଉପାଧ୍ୟକ୍ଷ ରୂପେ ଯୋଗ ଦେଇଥିଲେ । 1959 ମସିହାରେ ସେ ଫେଡେରାଲ ରିପବ୍ଲିକ୍ ଅଫ୍ ଜର୍ମାନୀ, ଯୁଗୋସ୍ଲୋଭିଆ ଓ ଅଷ୍ଟ୍ରିଆ ଗସ୍ତ କରିଥିଲେ ।
1962 ମସିହା ଲୋକସଭା ନିର୍ବାଚନରେ ଶ୍ରୀ ନନ୍ଦା ଗୁଜରାଟର ସବରକାନ୍ତା ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ହେଲେ ଏବଂ ସେହିବର୍ଷ ସେ ଗଠନ କରିଥିଲେ “କଂଗ୍ରେସ ଫୋରମ୍ ଫର ସୋସାଲିଷ୍ଟ ଏକ୍ସନ” । 1962 ଓ 1963 ମସିହାରେ ସେ ଦେଶର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ହୋଇଥିଲେ ଓ ତାପରେ 1963 ରୁ 1966 ପର୍ଯ୍ୟନ୍ତ ସ୍ୱରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।
ପଣ୍ଡିତ ନେହରୁଙ୍କ ନିଧନ ପରେ 1964 ମସିହା ମେ 27 ତାରିଖ ଦିନ ଶ୍ରୀ ନନ୍ଦା ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଶ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କର ତାସକେଂଟଠାରେ ଆକସ୍ମିକ ପରଲୋକ ଘଟିବା ପରେ 1966 ମସିହା ଜାନୁଆରୀ 11 ତାରିଖ ଦିନ ସେ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ।