Search

ପିଏମଇଣ୍ଡିଆପିଏମଇଣ୍ଡିଆ

ଶ୍ରୀ ବିଶ୍ୱନାଥ ପ୍ରତାପ ସିଂହ

ଡିସେମ୍ବର 2, 1989 - ନଭେମ୍ବର 10, 1990 | ଜନତା ଦଳ

ଶ୍ରୀ ବିଶ୍ୱନାଥ ପ୍ରତାପ ସିଂହ


ଉତ୍ତରପ୍ରଦେଶର ଆହ୍ଲାବାଦଠାରେ 1931 ମସିହା ଜୁନ 25 ତାରିଖ ଦିନ ବିଶ୍ୱନାଥ ପ୍ରତାପ ସିଂହ ଜନ୍ମଲାଭ କରିଥିଲେ । ତାଙ୍କର ପିତାଙ୍କ ନାମ ରାଜା ବାହାଦୂର ରାମ ଗୋପାଳ ସିଂହ । ଆହ୍ଲାବାଦ ଏବଂ ପୁନା ବିଶ୍ୱବିଦ୍ୟାଳୟରୁ ଶ୍ରୀ ସିଂହ ଶିକ୍ଷା ଲାଭ କରିବା ପରେ 1955 ମସିହା ଜୁନ 25 ତାରିଖ ଦିନ ଶ୍ରୀମତୀ ସୀତା କୁମାରୀଙ୍କୁ ବିବାହ କରିଥିଲେ । ସେ ଦୁଇଟି ପୁତ୍ର ସନ୍ତାନର ଜନକ ।

ବିଶ୍ୱନାଥ ପ୍ରତାପ ସିଂହ ଜଣେ ବିଦ୍ୱାନ ବ୍ୟକ୍ତି ଓ ସେ ଆହ୍ଲାବାଦଠାରେ ଗୋପାଳ ବିଦ୍ୟାଳୟ ଏବଂ କୋରାଓଁଠାରେ ଇଂଟରମିଡିଏଟ୍ କଲେଜ ପ୍ରତିଷ୍ଠା କରିଥିଲେ । 1947-48 ମସିହାରେ ବାରାଣାସୀର ଉଦୟ ପ୍ରତାପ କଲେଜରେ ଅଧ୍ୟୟନ କରୁଥିବା ବେଳେ ସେ ଛାତ୍ରସଂଘର ସଭାପତି ହୋଇଥିଲେ ଓ ପରବର୍ତ୍ତି ସମୟରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘର ଉପସଭାପତି ଭାବେ ନିର୍ବାଚିତ ହୋଇଥିଲେ । 1957 ମସିହାରେ ଦେଶରେ ଚାଲିଥିବା ଭୂଦାନ ଆନ୍ଦୋଳନ ତାଙ୍କୁ ସମସ୍ତଙ୍କ ନଜରକୁ ଆଣି ପାରିଥିଲା । ସେ ଆହ୍ଲାବାଦର ପସନା ଗ୍ରାମଠାରେ ତାଙ୍କ ବିଶାଳ ଫାର୍ମକୁ ଭୂଦାନ ଯଜ୍ଞରେ ଦାନ କରିଥିଲେ ।

ବିଶ୍ୱନାଥ ପ୍ରତାପ ସିଂହ ଅଖିଳ ଭାରତ କଂଗ୍ରେସ କମିଟିର ଆହ୍ଲାବାଦ ବିଶ୍ୱବିଦ୍ୟାଳୟର କାର୍ଯ୍ୟକାରିଣୀର ସଦସ୍ୟ (1969-71) ଏବଂ 1969-71 ମଧ୍ୟରେ ଉତ୍ତରପ୍ରଦେଶ ବିଧାନସଭାର ସଦସ୍ୟ ଥିଲେ । ପୁଣି 1970-71 ରେ ସେ କଂଗ୍ରେସ ବିଧାୟକ ଦଳର ଛାଟୁଆ (ହ୍ୱିପ୍), 1971-74 ରେ ସାଂସଦ (ଲୋକସଭା), ଅକ୍ଟୋବର 1974 – ନଭେମ୍ବର 1976 ପର୍ଯ୍ୟନ୍ତ କେନ୍ଦ୍ରରେ ଉପମନ୍ତ୍ରୀ, ନଭେମ୍ବର 1976 – ମାର୍ଚ୍ଚ 1977 ପର୍ଯ୍ୟନ୍ତ କେନ୍ଦ୍ରରେ ରାଷ୍ଟ୍ରମନ୍ତ୍ରୀ ଏବଂ ଜାନୁଆରୀ 3 – ଜୁଲାଇ 26, 1980 ପର୍ଯ୍ୟନ୍ତ ସାଂସଦ (ଲୋକସଭା) ରହିଥିଲେ । ଏହାପରେ ଜୁନ 9, 1980 ଠାରୁ ଜୁନ 28, 1982 ପର୍ଯ୍ୟନ୍ତ ସେ ହୋଇଥିଲେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ । ନଭେମ୍ବର 21, 1980 ଠାରୁ ଜୁନ୍ 14, 1981 ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ବିଧାନ ପରିଷଦର ସଦସ୍ୟ ଭାବେ କାର୍ଯ୍ୟ କରିବା ପରେ ଜୁନ 15, 1981 – ଜୁଲାଇ 16, 1983 ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ବିଧାନସଭାର ସଦସ୍ୟ ରୂପେ ସେ କାର୍ଯ୍ୟ କରିଥିଲେ ।

1983 ମସିହା ଜାନୁଆରୀ 29 ତାରିଖ ଦିନ ଶ୍ରୀ ସିଂହ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବାଣିଜ୍ୟମନ୍ତ୍ରୀ ଭାବେ ଯୋଗ ଦେଇଥିଲେ । ଏହି ମନ୍ତ୍ରଣାଳୟ ସହ 1983 ମସିହା ଫେବ୍ରୁଆରୀ 15 ତାରିଖ ଦିନ ତାଙ୍କୁ ଯୋଗାଣ ବିଭାଗ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା । 1983 ଜୁଲାଇ 16 ତାରିଖରେ ସେ ସାଂସଦ ଭାବେ ରାଜ୍ୟସଭାକୁ ନିର୍ବାଚିତ ହେଲେ ଓ 1984 ମସିହା ସେପ୍ଟେମ୍ବର 1 ତାରିଖରେ ତାଙ୍କୁ ଉତ୍ତରପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଯାଇଥିଲା । 1984 ମସିହା ଡିସେମ୍ବର 31 ତାରିଖ ଦିନ ଶ୍ରୀ ସିଂହ କେନ୍ଦ୍ର ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।