Search

ପିଏମଇଣ୍ଡିଆପିଏମଇଣ୍ଡିଆ

ଶ୍ରୀ ପି.ଭି. ନରସିଂହ ରାଓ

ଜୁନ 21, 1991- ମେ' 16, 1996 | କଂଗ୍ରେସ (ଆଇ)

ଶ୍ରୀ ପି.ଭି. ନରସିଂହ ରାଓ


ଶ୍ରୀ ପି.ରାଙ୍ଗାରାଓଙ୍କ ସୁପୁତ୍ର ଶ୍ରୀ ପି.ଭି. ନରସିଂହ ରାଓ 1921 ମସିହା ଜୁନ 28 ତାରିଖ ଦିନ କଲମନଗରଠାରେ ଜନ୍ମଗ୍ରହଣ କରିଥିଲେ । ସେ ହାଇଦ୍ରାବାଦର ଓସମାନିଆ ବିଶ୍ୱବିଦ୍ୟାଳୟ, ବମ୍ବେ ବିଶ୍ୱବିଦ୍ୟାଳୟ ଏବଂ ନାଗପୁର ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିଥିଲେ । ବିପତ୍ନୀକ ଶ୍ରୀ ପି.ଭି. ନରସିଂହ ରାଓ ତିନି ପୁତ୍ର ସନ୍ତାନ ଓ ପାଞ୍ଚ କନ୍ୟା ସନ୍ତାନର ଜନକ ।

ଜଣେ କୃଷିକାରୀ ଓ ଓକିଲ ଭାବେ ପରବର୍ତ୍ତି ସମୟରେ ଶ୍ରୀ ରାଓ ରାଜନୀତିରେ ଯୋଗଦେଇ କେତେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ବସିବାର ସୁଯୋଗ ପାଇଥିଲେ । ସେ 1962ରୁ 1964 ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ଆଇନ ଓ ସୂଚନା ମନ୍ତ୍ରୀ, 1964ରୁ 1967 ପର୍ଯ୍ୟନ୍ତ ଆଇନ ଓ ଦେବୋତ୍ତର ବିଭାଗ ମନ୍ତ୍ରୀ, 1967 ରେ ସ୍ୱାସ୍ଥ୍ୟ ଓ ନିଦାନ ମନ୍ତ୍ରୀ, 1968 ରୁ 1971 ପର୍ଯ୍ୟନ୍ତ ଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଏହାପରେ 1971 ରୁ 1973 ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସଂପାଦନ କରିଥିଲେ । ଏହା ବ୍ୟତୀତ ଅଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସଂପାଦକ (1975-76), ତେଲୁଗୁ ଏକାଡେମୀ, ଆନ୍ଧ୍ରପ୍ରଦେଶର ସଭାପତି (1968-74) ଏବଂ 1972 ମସିହାଠାରୁ ମାଡ୍ରାସର ଦକ୍ଷିଣ ଭାରତ ହିନ୍ଦୀ ପ୍ରଚାର ସଭାର ଅଧ୍ୟକ୍ଷ ରହିଥିଲେ । ଏହାଛଡା ସେ ଆନ୍ଧ୍ରପ୍ରଦେଶ ବିଧାନସଭାର ସଦସ୍ୟ (1957-77), ଲୋକସଭା ସଦସ୍ୟ (1977-84) ରହିବା ସହ 1984 ମସିହା ଡିସେମ୍ବର ମାସରେ ମେର୍ଡକ ଆସନରୁ ଅଷ୍ଟମ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ପବ୍ଲିକ୍ ଏକାଉଂଟସ୍ କମିଟିର ଅଧ୍ୟକ୍ଷ (1978-79) ଭାବେ ଶ୍ରୀ ରାଓ ଲଣ୍ଡନ ବିଶ୍ୱବିଦ୍ୟାଳୟର ଏସୀୟ ଓ ଆଫ୍ରିକୀୟ ଅଧ୍ୟୟନ ସ୍କୁଲ ଦ୍ୱାରା ଆଦୃତ ଦକ୍ଷିଣ ଏସିଆ ସମ୍ମିଳନୀରେ ଯୋଗଦେବାର ସୁଯୋଗ ପାଇଥିଲେ । ଶ୍ରୀ ରାଓ ମଧ୍ୟ ଭାରତୀୟ ବିଦ୍ୟା ଭବନ ଆନ୍ଧ୍ର ପ୍ରଦେଶ କେନ୍ଦ୍ରର ସଭାପତି ଥିଲେ । ଏହା ବ୍ୟତୀତ ସେ ଜାନୁଆରୀ 14, 1980 ଠାରୁ ଜୁଲାଇ 18, 1984 ପର୍ଯ୍ୟନ୍ତ ବୈଦେଶିକ ବ୍ୟାପାରମନ୍ତ୍ରୀ, ଜୁଲାଇ 19, 1984 ଠାରୁ ଡିସେମ୍ବର 31, 1984 ପର୍ଯ୍ୟନ୍ତ ସ୍ୱରାଷ୍ଟ୍ର ମନ୍ତ୍ରୀ ଏବଂ ଡିସେମ୍ବର 31, 1984ଠାରୁ ସେପ୍ଟେମ୍ବର 25, 1985 ପର୍ଯ୍ୟନ୍ତ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ସଂପାଦନ କରିଥିଲେ । 1985 ମସିହା ସେପ୍ଟେମ୍ବର 25 ତାରିଖ ଦିନ ଶ୍ରୀ ରାଓ ଦେଶର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

ଶ୍ରୀ ରାଓଙ୍କର ଅନେକ ରୁଚି ମଧ୍ୟରେ ସଂଗୀତ, ସିନେମା ଓ ଥିଏଟର ପ୍ରତି ଶ୍ରଦ୍ଧା ଅନ୍ୟତମ । ସେହିଭଳି ଭାରତୀୟ ଦର୍ଶନ ଓ ସଂସ୍କୃତି, ଉପନ୍ୟାସ ରଚନା, ରାଜନୈତିକ ବିଶ୍ଳେଷଣ, ନୂଆ ନୂଆ ଭାଷା ଶିକ୍ଷା, ତେଲୁଗୁ ଓ ହିନ୍ଦୀରେ କବିତା ରଚନା ଏବଂ ସର୍ବୋପରି ସାହିତ୍ୟର ସମସ୍ତ ବିଭାଗରେ ରୁଚି ରଖିବା ତାଙ୍କର ଅନ୍ୟତମ ସଉକ । ସ୍ୱର୍ଗୀୟ ଶ୍ରୀ ବିଶ୍ୱନାଥ ସତ୍ୟନାରାୟଣଙ୍କ ଦ୍ୱାରା ଏବଂ ଜ୍ଞାନପୀଠ ଦ୍ୱାରା ପ୍ରକାଶିତ ପ୍ରସିଦ୍ଧ ତେଲୁଗୁ ଉପନ୍ୟାସ “ଭେୟି ପାଦଗାଲୁ”କୁ ସେ ହିନ୍ଦୀ ଭାଷାରେ ସଫଳତାର ସହ ଅନୁବାଦ କରି “ସହସ୍ରଫଣ” ନାମରେ ପ୍ରକାଶ କରିଥିଲେ । ସ୍ୱର୍ଗୀୟ ଶ୍ରୀ ହରିନାରାୟଣ ଆପ୍ତେଙ୍କ ଚର୍ଚ୍ଚିତ ମରାଠୀ ଉପନ୍ୟାସ “ଅବଳା ଜୀବିତମ୍” ନାମରେ ଅନୁବାଦ କରିଛନ୍ତି ଯାହା କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶ ପାଇଛି । ଶ୍ରୀ ରାଓ ଅନେକ ପୁସ୍ତକ ମରାଠୀରୁ ତେଲୁଗୁ ଏବଂ ତେଲୁଗୁରୁ ହିନ୍ଦୀକୁ ଅନୁବାଦ କରିଛନ୍ତି ଏବଂ ବହୁ ନିବନ୍ଧ ଛଦ୍ମନାମରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ କରିଛନ୍ତି । ରାଜନୀତି ବିଜ୍ଞାନ ଏବଂ ଅନ୍ୟାନ୍ୟ ବିଷୟରେ ସେ ଯୁକ୍ତରାଷ୍ଟ୍ର ଆମେରିକା ଓ ପଶ୍ଚିମ ଜର୍ମାନୀର କେତେକ ବିଶ୍ୱବିଦ୍ୟାଳୟରେ ମଧ୍ୟ ଅଧ୍ୟାପନା କରିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ଶ୍ରୀ ରାଓ 1984 ମସିହାରେ ଇଂଲଣ୍ଡ, ପଶ୍ଚିମ ଜର୍ମାନୀ, ସୁଇଜରଲାଣ୍ଡ, ଇଟାଲୀ ଓ ଇଜିପ୍ଟ ଆଦି ରାଷ୍ଟ୍ର ଗସ୍ତ କରିଥିଲେ ।

ଯେଉଁ ଅବଧିରେ ଶ୍ରୀ ରାଓ ଦେଶର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ସେହି ସମୟରେ ସେ ନିଜର ପାଣ୍ଡିତ୍ୟପୂର୍ଣ୍ଣ ପୃଷ୍ଠଭୂମି ଦୀର୍ଘ ରାଜନୈତିକ ଓ ପ୍ରଶାସନିକ ଅନୁଭୂତିକୁ ଅନ୍ତରାଷ୍ଟ୍ରୀୟ କୂଟନୀତି କ୍ଷେତ୍ରରେ ସଫଳତାର ସହ ପ୍ରୟୋଗ କରିପାରିଥିଲେ । ଦାୟିତ୍ୱ ଗ୍ରହଣ କରିବାର ମାତ୍ର ଅଳ୍ପ ଦିନ ମଧ୍ୟରେ 1980 ଜାନୁଆରୀ ମାସରେ ନୂଆଦିଲ୍ଲୀଠାରେ ଆୟୋଜିତ ତୃତୀୟ ୟୁନିଡୋ ସମ୍ମିଳନୀରେ ସେ ଅଧ୍ୟକ୍ଷତା କରିଥିଲେ । ସେହିଭଳି 1980 ମସିହା ମାର୍ଚ୍ଚ ମାସରେ ନ୍ୟୁୟର୍କଠାରେ ଅନୁଷ୍ଠିତ ଗ୍ରୁପ-77 ବୈଠକରେ ଅଧ୍ୟକ୍ଷତା କରିବା ତାଙ୍କ ସଫଳତାର ଆଉ ଏକ ପ୍ରମାଣ । 1981 ଫେବୃଆରୀ ମାସରେ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀର ସଦସ୍ୟ ରାଷ୍ଟ୍ରଙ୍କ ବୈଦେଶିକ ମନ୍ତ୍ରୀ ସମ୍ମିଳନୀରେ ତାଙ୍କର ଭୂମିକା ତାଙ୍କୁ ଅଜସ୍ର ପ୍ରଶଂସାର ଅଧିକାରୀ କରାଇଥିଲା । ଅନ୍ତରାଷ୍ଟ୍ରୀୟ ଅର୍ଥନୈତିକ ପ୍ରସଙ୍ଗରେ ଗଭୀର ରୁଚି ରଖୁଥିବା ଶ୍ରୀ ରାଓ 1981 ମସିହା ମେ ମାସରେ କାରାକାସଠାରେ ଆୟୋଜିତ ଗ୍ରୁପ-77ରେ ଇସିଡିସି ଶୀର୍ଷକ ସମ୍ମିଳନୀରେ ବ୍ୟକ୍ତିଗତ ଭାବେ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ଗ୍ରହଣ କରିଥିଲେ ।

1982 ଓ 1983 ଥିଲା ଭାରତ ଓ ଏହାର ବୈଦେଶିକ ନୀତି ପାଇଁ ବେଶ ମହତ୍ୱପୂର୍ଣ୍ଣ ସମୟ । ଉପସାଗରୀୟ ଯୁଦ୍ଧ ପୁଷ୍ଠଭୂମିରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ (ନାମ୍) ଭାରତକୁ ଏହାର ସପ୍ତମ ଶିଖର ସମ୍ମିଳନୀ ଅୟୋଜନ ସକାଶେ ପ୍ରସ୍ତାବ ଦେଇଥିଲା । ଏହାର ଅର୍ଥ ଥିଲା ଆୟୋଜକ ରାଷ୍ଟ୍ରଭାବେ ଭାରତ ଆନ୍ଦୋଳନର ଅଧ୍ୟକ୍ଷତା ପଦ ଗ୍ରହଣ କରିବ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ହେବେ ଏହାର ଅଧ୍ୟକ୍ଷା । ଏହି ଶିଖର ସମ୍ମିଳନୀ ଆୟୋଜନ ହେବା ପୂର୍ବରୁ 1982 ମସିହାରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ନାମ ବୈଦେଶିକ ମନ୍ତ୍ରୀ ସମ୍ମିଳନୀରେ ଶ୍ରୀ ପି.ଭି.ନରସିଂହରାଓ ଅଧ୍ୟକ୍ଷତା କରିଥିଲେ ଏବଂ ମିଳିତ ଜାତିସଂଘ ବୈଠକରେ ମଧ୍ୟ ପୌରୋହିତ୍ୟ କରିଥିଲେ । ଏହି ସମୟରେ ଭାରତକୁ ନାମ୍ ଶିଖର ସମ୍ମିଳନୀ ଆୟୋଜନ ଲାଗି ପ୍ରସ୍ତାବ ଦିଆଯାଇଥିଲା ଏବଂ ତା ପରବର୍ଷ ନାମର ଉଦ୍ୟମରେ ନ୍ୟୁୟର୍କଠାରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ମୁଖ୍ୟଙ୍କ ମଧ୍ୟରେ ଅଣ-ଆନୁଷ୍ଠାନିକ ଆଲୋଚନା ଅନୁଷ୍ଠିତ ହୋଇଥିଲା ।

1983 ମସିହା ନଭେମ୍ବର ମାସରେ ଶ୍ରୀ ରାଓଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଗୋଷ୍ଠୀ ନିରପେକ୍ଷ ମିଶନ ପଶ୍ଚିମ ଏସିଆର ରାଷ୍ଟ୍ର ସମୂହ ଗସ୍ତରେ ଯାଇଥିଲେ । ଏହାର ଉଦ୍ଦେଶ୍ୟ ଥିଲା ପାଲେଷ୍ଟାଇନ ମୁକ୍ତି ସଂଗଠନ ସମସ୍ୟାର ସମାଧାନ । ଏହା ବ୍ୟତୀତ ଶ୍ରୀ ରାଓ ନୂଆଦିଲ୍ଲୀଠାରେ ଆୟୋଜିତ ରାଜ୍ୟଗୋଷ୍ଠୀ ସରକାର ମୁଖ୍ୟଙ୍କ ସମ୍ମିଳନୀରେ ସକ୍ରିୟ ଭାବେ ଜଡିତ ଥିଲେ । ଏହି ସମ୍ମିଳନୀରେ ସାଇପ୍ରସ ପ୍ରସଙ୍ଗରେ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯାଇଥିଲା ।

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ଶ୍ରୀ ନରସିଂହ ରାଓ ଭାରତ ପକ୍ଷରୁ ଅନେକ ଗୁଡିଏ ମିଳିତ କମିଶନରେ ଅଧ୍ୟକ୍ଷତା କରିଛନ୍ତି । ସେଥି ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା, ସୋଭିଏତ ସଂଘ, ପାକିସ୍ତାନ, ବାଂଲାଦେଶ, ଇରାନ, ଭିଏତନାମ, ତାଞ୍ଜାନିଆ ଏବଂ ଗାଏନା ଆଦି ରାଷ୍ଟ୍ରଙ୍କ ସହ ମିଳିତ କମିଶନ ଆଲୋଚନା ଅନ୍ୟତମ ।

1984 ମସିହା ଜୁଲାଇ 19 ତାରିଖ ଦିନ ଶ୍ରୀ ନରସିଂହ ରାଓ ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ ପଦଭାର ଗ୍ରହଣ କରିଥିଲେ । ପୁନର୍ବାର 1984 ମସିହା ନଭେମ୍ବର 5 ତାରିଖ ଦିନ ଏହି ପଦରେ ସେ ପୁନଃନିଯୁକ୍ତ ହେବା ସହ ତାଙ୍କୁ ଯୋଜନା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା । 1984 ମସିହା ଡିସେମ୍ବର 31 ତାରିଖଠାରୁ 1985 ସେପ୍ଟମ୍ବର 25 ତାରିଖ ପର୍ଯ୍ୟନ୍ତ ସେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟନିର୍ବାହ କରିଥିଲେ । ଏହା ବ୍ୟତୀତ 1985 ସେପ୍ଟେମ୍ବର 25 ତାରିଖ ଦିନ ତାଙ୍କୁ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଭାବେ ଅବସ୍ଥାପନ କରାଯାଇଥିଲା ।