ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅବିଭକ୍ତ ଭାରତର ପଞ୍ଜାବ କ୍ଷେତ୍ରର ଏକ ଗ୍ରାମରେ 1932ମସିହା ସେପ୍ଟେମ୍ବର 26 ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । 1948 ମସିହାରେ ଡକ୍ଟର ସିଂହ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ମାଟ୍ରିକ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିଲେ । ତାଙ୍କର ଅଧ୍ୟୟନର ଦୀର୍ଘ ଯାତ୍ରା ତାଙ୍କୁ ପଞ୍ଜାବଠାରୁ ବ୍ରିଟେନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ପହଂଚାଇଥିଲା । ସେଠାରୁ ସେ 1957 ମସିହାରେ ଅର୍ଥଶାସ୍ତ୍ରରେ ପ୍ରଥମ ଶ୍ରେଣୀରେ ସମ୍ମାନର ସହ ଡିଗ୍ରୀ ହାସଲ କରିଥିଲେ । ଏହାପରେ ଡକ୍ଟର ସିଂହ 1962 ମସିହାରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ନିଫିଲ୍ଡ କଲେଜରୁ ଡି.ଫିଲ୍ ଡିଗ୍ରୀ ଲାଭ କରିଥିଲେ । ତାଙ୍କ ଦ୍ୱାରା ରଚିତ ପୁସ୍ତକ “India’s Export Trends and Prospects for Self-Sustained Growth” (Clarendon Press. Oxford, 1964) ଭାରତର ଅନ୍ତର୍ମୁଖୀ ବାଣିଜ୍ୟ ନୀତି ସମ୍ପର୍କରେ ଏକ ମୌଳିକ ପ୍ରାରମ୍ଭିକ ବିଶ୍ଲେଷଣାତ୍ମକ ଗ୍ରନ୍ଥ ।
ଡକ୍ଟର ସିଂହଙ୍କ ଶୈକ୍ଷିକ ପ୍ରତିଭା ସେ ଅଧ୍ୟାପନା କରୁଥିବା ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଏବଂ ପ୍ରଖ୍ୟାତ ଦିଲ୍ଲୀ ସ୍କୁଲ ଅଫ୍ ଇକୋନୋମିକ୍ସରେ ହିଁ ପୁଷ୍ଟ ଓ ପୂର୍ଣ୍ଣ ବିକଶିତ ହୋଇଥିଲା । ଏହି ଅଧ୍ୟାପନା କାଳରେ ସେ ସ୍ୱଳ୍ପ ସମୟ ପାଇଁ UNCTAD ସଚିବାଳୟରେ ମଧ୍ୟ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ । ପରେ ସେ ଜେନିଭାଠାରେ 1987ରୁ 1990 ମସିହା ପର୍ଯ୍ୟନ୍ତ ସାଉଥ୍ କମିଶନର ମହାସଚିବ ଭାବେ ନିଯୁକ୍ତ ହୋଇ ଦାୟିତ୍ୱ ସଂପାଦନ କରିଥିଲେ ।
1971 ମସିହାରେ ଡକ୍ଟର ସିଂହ ଭାରତ ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟର ଆର୍ଥିକ ପରାମର୍ଶଦାତା ଭାବେ ଯୋଗ ଦେଇଥିଲେ । ଏହା ପରେ ଖୁବଶୀଘ୍ର 1972 ମସିହାରେ ତାଙ୍କୁ ଅର୍ଥ ମନ୍ତ୍ରଣାଳୟର ମୁଖ୍ୟ ଆର୍ଥିକ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଥିଲା । ଡକ୍ଟର ସିଂହ କାର୍ଯ୍ୟ କରିଥିବା ଗୁରୁତ୍ୱପୂର୍ଣ୍ଣ ପଦପଦବୀ ମଧ୍ୟରେ ଅର୍ଥମନ୍ତ୍ରଣାଳୟରେ ସଚିବ, ଯୋଜନା କମିଶନର ଉପାଧ୍ୟକ୍ଷ, ଭାରତୀୟ ରିଜର୍ଭବ୍ୟାଙ୍କର ଗଭର୍ଣ୍ଣର, ପ୍ରଧାନମନ୍ତ୍ରୀଙ୍କ ଉପଦେଷ୍ଟା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଅଧ୍ୟକ୍ଷ ପଦ ଅନ୍ୟତମ ।
ସ୍ୱାଧୀନ ଭାରତର ଆର୍ଥିକ ଇତିହାସରେ ଏକ ଯୁଗାନ୍ତକାରୀ ମୋଡ ଭାବେ ଗ୍ରହଣ କରାଯାଇଥିବା 1991ରୁ 1996 ମସିହା ପର୍ଯ୍ୟନ୍ତ ପାଞ୍ଚ ବର୍ଷର ଅବଧିରେ ଡକ୍ଟର ସିଂହ ଭାରତର ଅର୍ଥମନ୍ତ୍ରୀ ରୂପେ କାର୍ଯ୍ୟ କରିଥିଲେ । ଏହି ସମୟରେ ସେ ଆର୍ଥିକ ସଂସ୍କାର ଦିଗରେ ଯେଉଁ ବ୍ୟାପକ ନୀତିର ଅୟମାରମ୍ଭ କରିଥିଲେ ତାହା ଏବେ ବିଶ୍ୱବ୍ୟାପୀ ସ୍ୱୀକୃତ ।ଭାରତର ସେହି ଅବଧି ଡକ୍ଟର ସିଂହଙ୍କ ବ୍ୟକ୍ତିତ୍ୱ ସହ ଓତଃପ୍ରୋତ ଭାବେ ଜଡିତ ଥିବା ସମୟ ବୋଲି ସାଧାରଣ ଜନତା ଗ୍ରହଣ କରିଛନ୍ତି ।
ନିଜର ଦୀର୍ଘ କର୍ମମୟ ଜୀବନ ମଧ୍ୟରେ ଡକ୍ଟର ସିଂହ ଅଜସ୍ର ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇପାରିଛନ୍ତି । ସେଗୁଡିକ ମଧ୍ୟରୁ ପ୍ରମୁଖ ହେଲା, ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣ (1987), ଭାରତୀୟ ବିଜ୍ଞାନ କଂଗ୍ରେସର ଜବାହାରଲାଲ ନେହରୁ ଜନ୍ମଶତବାର୍ଷିକୀ ପୁରସ୍କାର (1995), ବର୍ଷର ଶ୍ରେଷ୍ଠ ଅର୍ଥମନ୍ତ୍ରୀ ଭାବେ ଏସିଆ ମନି ପୁରସ୍କାର(1993 ଏବଂ 1994), ବର୍ଷର ଶ୍ରେଷ୍ଠ ଅର୍ଥମନ୍ତ୍ରୀ ଭାବେ ୟୁରୋମନି ପୁରସ୍କାର (1993), କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଆଡାମ ସ୍ମିଥ୍ ପୁରସ୍କାର (1956), କେମ୍ବ୍ରିଜ ସେଂଟ୍ ଜୋନ୍ସ କଲେଜରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ପ୍ରଦତ୍ତ ରାଇଟ୍ସ ପ୍ରାଇଜ୍ (1955) ଅନ୍ୟତମ । ଡକ୍ଟର ସିଂହ ମଧ୍ୟ ଦେଶ ବିଦେଶର ଅନ୍ୟ ବହୁ ପ୍ରସିଦ୍ଧ ସଂସ୍ଥା ଓ ସଂଗଠନଠାରୁ ଅନେକ ସମ୍ମାନ ଲାଭ କରିଛନ୍ତି ଓ ସେଥି ମଧ୍ୟରେ ଜାପାନର ନିହୋନ୍ କେଇଜାଇ ସିମ୍ବୁନ୍ ସମ୍ମାନ ଅନ୍ୟତମ । ସେହିଭଳି କେମ୍ବ୍ରିଜ ଓ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସମେତ ଭାରତ ତଥା ବିଶ୍ୱର ବହୁ ବିଶ୍ୱବିଦ୍ୟାଳୟ ଡକ୍ଟର ସିଂହଙ୍କୁ ସମ୍ମାନ ସୂଚକ ଡିଗ୍ରୀମାନ ପ୍ରଦାନ କରିଛନ୍ତି ।
ଡକ୍ଟର ସିଂହ ବିଭିନ୍ନ ପଦପଦବୀରେ ରହି ଭାରତକୁ ଅନେକ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀ ଓ ବିଶ୍ୱ ଅନୁଷ୍ଠାନରେ ପ୍ରତିନିଧିତ୍ୱ କରିଛନ୍ତି । ସେ ସାଇପ୍ରସ ଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ସରକାରୀ ମୁଖ୍ୟ ବୈଠକ (1993)ରେ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ ଏବଂ 1993 ମସିହାରେ ଭିଏନାଠାରେ ଆୟୋଜିତ ବିଶ୍ୱ ମାନବିକ ଅଧିକାର ସମ୍ମିଳନୀରେ ଭାରତୀୟ ଦଳର ନେତୃତ୍ୱ ଗ୍ରହଣ କରିଥିଲେ ।
ରାଜନୈତିକ ଜୀବନରେ ଡକ୍ଟର ସିଂହ ଭାରତୀୟ ସଂସଦର ରାଜ୍ୟସଭାକୁ 1991 ମସିହାଠାରୁ ନିର୍ବାଚିତ ହେବା ସହ 1998ଠାରୁ 2004 ମସିହା ପର୍ଯ୍ୟନ୍ତ ବିରୋଧୀ ଦଳ ନେତା ଦାୟିତ୍ୱ ନିର୍ବାହ କରିଥିଲେ । 2004 ମସିହାରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ପରେ ଡକ୍ଟର ମନମୋହନ ସିଂହ ମେ 22 ତାରିଖ ଦିନ ଭାରତର ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିଲେ ଏବଂ ପୁନର୍ବାର 2009 ମସିହା ମେ’ 22 ତାରିଖ ଦିନ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏହି ପଦବୀ ମଣ୍ଡନ କରିଥିଲେ ।
ଡକ୍ଟର ସିଂହ ଏବଂ ତାଙ୍କ ପତ୍ନୀ ଶ୍ରୀମତୀ ଗୁରୁଶରଣ କୌର ତିନୋଟି କନ୍ୟା ସନ୍ତାନର ପିତାମାତା ।