ଭାରତର ବିକାଶ ପାଇଁ କାର୍ଯ୍ୟ କରିବା ନିମନ୍ତେ ‘ଟିମ୍ ଇଣ୍ଡିଆ’ ଆଭିମୁଖ୍ୟ ପୂର୍ବରୁ ଦେଖିବାକୁ ମିଳିନଥିଲା । ପ୍ରଧାନମନ୍ତ୍ରୀ ମୋଦୀ ସାମଗ୍ରିକ ବିକାଶକୁ ହାସଲ କରିବା ପାଇଁ ସହଯୋଗିତା ଓ ପ୍ରତିଯୋଗିତାମୂଳକ ସଂଘୀୟ ବ୍ୟବସ୍ଥାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ଦୀର୍ଘଦିନ ଧରି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆମେ ବଡଭାଇ-ପଣିଆ ସମ୍ପର୍କ ଦେଖି ଆସୁଥିଲେ । ‘ସମସ୍ତଙ୍କ ପାଇଁ ଗୋଟିଏ ସାଇଜ୍’ ଆଭିମୁଖ୍ୟ ଦୀର୍ଘବର୍ଷ ଧରି ଚାଲି ଆସିଥିଲା । ବିଭିନ୍ନ ରାଜ୍ୟର ସ୍ଥାନୀୟ ଆବଶ୍ୟକତା ଓ ବିବିଧତା କ’ଣ ରହିଛି ତାକୁ ଦୃଷ୍ଟିରେ ରଖାଯାଉନଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୫ ଫେବୃୟାରୀ ୮ ତାରିଖରେ ଟିମ୍ ଇଣ୍ଡିଆ, ନୀତି ଆୟୋଗର ପ୍ରଥମ ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରିଥିଲେ । ରାଜ୍ୟଗୁଡ଼ିକୁ ସଶକ୍ତ ଓ ସୁଦୃଢ଼ କରିବା ପାଇଁ ଏହି ନୀତି ଆୟୋଗ ଗଠନ କରାଯାଇଛି । ଅତୀତ ତୁଳନାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଅଣାଯାଇ ରାଜ୍ୟମାନଙ୍କ ସହ ଏକ ବାସ୍ତବିକ ଓ ସାମଗ୍ରିକ ଭାଗିଦାରୀ ନୀତି ଗ୍ରହଣ କରାଯାଇଛି । ସରକାରଙ୍କ ପାଇଁ ରଣନୀତିକ ନୀତି ଆଭିମୁଖ୍ୟ ପ୍ରସ୍ତୁତ କରିବା ଓ ବିଭିନ୍ନ ପ୍ରସଙ୍ଗର ସମାଧାନ ଦିଗରେ ନୀତି ଆୟୋଗ ଦୃତ ଭାବେ କାର୍ଯ୍ୟ କରୁଛି ।
ନୀତି ଆୟୋଗ ଜାତୀୟ ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ରାଜ୍ୟଗୁଡ଼ିକର ସକ୍ରିୟ ଭାଗିଦାରୀ ସହ ଜାତୀୟ ବିକାଶର ପ୍ରାଥମିକତା, କ୍ଷେତ୍ର ଓ ରଣନୀତିକ ସହଯୋଗ ଦିଗରେ କାର୍ଯ୍ୟ କରୁଛି । ନୀତି ଆୟୋଗଙ୍କ ଦୃଷ୍ଟିକୋଣ ‘ଜାତୀୟ ଏଜେଣ୍ଡା’ର ରୂପରେଖ ହୋଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରୋତ୍ସାହନ ଯୋଗାଇବ । “ରାଜ୍ୟ ସୁଦୃଢ଼ ହେଲେ ଦେଶ ସୁଦୃଢ଼ ହେବ” ନୀତିକୁ ସ୍ୱୀକାର କରି ନିୟମିତ ଭାବେ ରାଜ୍ୟଗୁଡ଼ିକ ସହ ଢାଂଚାଗତ ସହାୟତା ପଦକ୍ଷେପ ଓ ବ୍ୟବସ୍ଥା ମାଧ୍ୟମରେ ଦୃତ ସଂଘୀୟ ସହଭାଗିତାକୁ ଗତିଶୀଳ କରାଯାଉଛି । ଏହା ଗାଁସ୍ତରରେ ବିଶ୍ୱସନୀୟ ଯୋଜନା ନିର୍ଦ୍ଧାରଣ କରି ତାକୁ ଉଚ୍ଚସ୍ତରରେ ଲାଗୁ କରିବାର ବ୍ୟବସ୍ଥାକୁ ବିକଶିତ କରିବ ।
ଏକ ଉଲ୍ଲେଖନୀୟ ନିଷ୍ପତ୍ତିକ୍ରମେ ଏନଡିଏ ସରକାର ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିସକୁ ସ୍ୱୀକାର କରିଛନ୍ତି । ରାଜ୍ୟଗୁଡ଼ିକ ଟିକସ ରାଜସ୍ୱର ୪୨ ପ୍ରତିଶତ ପାଉଛନ୍ତି ଯାହାକି ପୂର୍ବରୁ ୩୨ ପ୍ରତିଶତ ଥିଲା । ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିସକୁ ଭାରତ ସରକାର ସକରାତ୍ମକ ଢଙ୍ଗରେ ନେଇ ରାଜ୍ୟଗୁଡ଼ିକୁ ନିଜର ଆବଶ୍ୟକତା ଓ ପ୍ରାଥମିକତା ଅନୁସାରେ ଯୋଜନା ପ୍ରସ୍ତୁତ କରିବାର ସ୍ୱାଧୀନତା ଦେଇଛି । ଏହା ଏକ ଅଭୂତପୂର୍ବ ବୃଦ୍ଧି । ଯାହା ରାଜ୍ୟଗୁଡ଼ିକୁ ସବୁ ସମ୍ଭାବ୍ୟ ଦିଗରୁ ସଶକ୍ତ କରିବ, ସେମାନେ ନିଜର କାର୍ଯ୍ୟକ୍ରମ ଓ ଯୋଜନାକୁ ଆଥିଁକ ଶୃଙ୍ଖଳାକୁ ପାଳନ କରି ବ୍ୟାପକ ଅର୍ଥନୀତିକ ସୁଦୃଢ଼ତା ଓ ସ୍ୱାୟତ୍ତତା ସହ କାର୍ଯ୍ୟକାରୀ କରିପାରିବେ ।
ଏକ ସୁସ୍ଥ ପ୍ରୟାସକ୍ରମେ ପ୍ରଧାନମନ୍ତ୍ରୀ ମୋଦୀ ଦୁଇଜଣ ମୁଖ୍ୟମନ୍ତ୍ରୀଙ୍କ ସହ ଚୀନ ଗସ୍ତ କରିଥିଲେ । ସେମାନେ ପ୍ରାଦେଶିକ ନେତାଙ୍କ ବୈଠକରେ ଭାଗ ନେଇଥିଲେ । ଏହା ରାଜ୍ୟଗୁଡ଼ିକୁ ସହଯୋଗ କରିବା ପାଇଁ ଏକ ନୂଆ ଯୁଗର ଆରମ୍ଭ ହେବ । ରାଜ୍ୟଗୁଡ଼ିକ ପାଇଁ ପ୍ରମୁଖ ପ୍ରୋତ୍ସାହନ ଭାବେ ବିଶେଷକରି ପୂର୍ବ ଭାରତର କୋଇଲା ସମୃଦ୍ଧ ରାଜ୍ୟକୁ କୋଇଲା ନିଲାମରୁ ମିଳୁଥିବା ରାଜସ୍ୱର ବୃହତ୍ ଭାଗ ଦିଆଯାଇଛି । ଯାହା ସେମାନଙ୍କୁ ସହାୟତା କରିବ ।