ସ୍ୱଚ୍ଛ ବା ପାରଦର୍ଶି ଏବଂ ଦୁର୍ନିତିମୁକ୍ତ ପ୍ରଶାସନ ଦେଶ ପାଇଁ ଅନେକ ଉପକାରୀ ।
ଗତ ଦଶନ୍ଧିରେ ମନମୁଖୀ ନିଷ୍ପତ୍ତି ଗ୍ରହଣ, ଦୁର୍ନିତି ଏବଂ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ନିତିଗତ ନିଷ୍ପତ୍ତି ବଦଳରେ ଇଚ୍ଛଧୀନ ନିଷ୍ପତ୍ତିର ଅନେକ କାହାଣୀ ଦୃଷ୍ଟିଗୋଚର ହୋଇଥିବା ବେଳେ ଗତବର୍ଷ ଏଥିରେ ସ୍ୱାଗତଯୋଗ୍ୟ ପରିବର୍ତ୍ତନ ହୋଇଛି ।
ସୁପ୍ରିମ୍ କୋର୍ଟ ଦ୍ୱାରା କୋଇଲା ବ୍ଲକ୍ ଆବଣ୍ଟନ ବାତିଲ୍ ହେବା ପରେ ସରକାର ସ୍ୱଚ୍ଛତା ଏବଂ ସମୟାନୁବର୍ତ୍ତି ନିଲାମ୍ ପାଇଁ ଅସାଧାରଣ ତୀବ୍ରତାର ସହ କାର୍ଯ୍ୟ କଲେ । ଖଣିର ଆୟୂଷ କାଳ ମଧ୍ୟରେ ୬୭ଟି ଖଣିରୁ ନିଲାମ ଏବଂ ଆବଣ୍ଟନଜନିତ ଆୟ ୩.୩୫ ଲକ୍ଷ କୋଟି ଟଙ୍କା ହୋଇଛି ।
ଏହା ଉପରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ମନ୍ତବ୍ୟ ହେଲା – ନିଲାମ୍ ପ୍ରକ୍ରିୟା ଠିକ୍ ଭାବେ କାର୍ଯ୍ୟ କରିଥିବା ଆମର ହୃଦବୋଧ ହେଉଛି । ଏହି ପ୍ରକ୍ରିୟା ମନମୁଖୀ କିମ୍ବା ଅଯୌକ୍ତିକ ମନେ ହେଉ ନାହିଁ । ନିଲାମ ପ୍ରକ୍ରିୟା କୌଣସି ନିର୍ଦ୍ଦିଷ୍ଟ ନିଲାମଧାରୀଙ୍କୁ କୌଣସି ପ୍ରକାର ଅନୁଗ୍ରହ ପ୍ରଦର୍ଶନ କରିଥିବାର କୌଣସି ଅଭିଯୋଗ ହସ୍ତଗତ ହୋଇ ନାହିଁ ।
ସ୍ପେକ୍ଟ୍ରମ୍ ନିଲାମ୍ କ୍ଷେତ୍ରରେ ବିଗତ ଦିନର ଜିରୋ ଲସ୍ ତତ୍ଵ ତୁଳନାରେ ସରକାରଙ୍କ ଆଭିମୁଖ୍ୟ ଅତ୍ୟଧିକ ଲାଭ ସୁନିଶ୍ଚିତ କରିଛି । ସାତ ବର୍ଷ ଧରି ଗଡିଚାଲିଥିବା ଡିଫେନ୍ସ ବ୍ୟାଣ୍ଡ ଆଇଡେଣ୍ଟିଫିକେସନ୍ ମାମଲାର ତ୍ୱରିତ ସମାଧାନ ହୋଇପାରିଛି । ପ୍ରତିରକ୍ଷା ବିଭାଗ ଦ୍ୱାରା ଜାରି ଉତ୍ତମ ମାନର ୨୧୦୦ ମେଗାହର୍ଜକୁ ନିଲାମ୍ କରାଯାଇଥିଲା । ପ୍ରଥମ ଥର ପାଇଁ ଚାରୋଟି ଅଲଗା ବ୍ୟାଣ୍ଡର ସ୍ପେକ୍ଟ୍ରମ୍ ଯଥା-୮୦୦, ୯୦୦, ୧୮୦୦ ଏବଂ ୨୧୦୦ ମେଗାହର୍ଜ କୁ ଏକସଙ୍ଗେ ଏବଂ ବିଭିନ୍ନ ପର୍ଯ୍ୟାୟରେ ନିଲାମ କରାଯାଇଥିଲା, ଯାହା ଫଳରେ ଅପରେଟର ମାନଙ୍କୁ ସୂଚନାତ୍ମକ ନିଷ୍ପତ୍ତି ଗ୍ରହଣ କରିବା ପାଇଁ ସୁବିଧା ହେଲା । ୮୦,୨୭୭ କୋଟି ଟଙ୍କାର ଅନୁମୋଦିତ ରିଜର୍ଭ ମୂଲ୍ୟ ତୁଳନାରେ ନିଲାମ୍ ମାଧ୍ୟମରେ ୧,୦୯,୮୭୫ କୋଟି ଟଙ୍କା ମିଳିଲା ।
ସ୍ୱଚ୍ଛତା ସୁନିଶ୍ଚିତ କରିବା ଦିଗରେ ଗୋଟିଏ ନୂତନ ପଦକ୍ଷେପ ସ୍ୱରୂପ ପରିବେଶ ମନ୍ତ୍ରଣାଳୟ ପରିବେଶ ସମ୍ପର୍କିତ ଅନୁମୋଦନ ଅନଲାଇନ ଗ୍ରହଣ କରିବା ଆରମ୍ଭ କରିଛି । ଦରଖାସ୍ତର ସ୍ଥିତିକୁ ଅନ୍-ଲାଇନ ଯାଞ୍ଚ କରିହେବ । ଜଙ୍ଗଲ ଅନୁମୋଦନ ଦରଖାସ୍ତ କ୍ଷେତ୍ରରେ ସୂଚିତ, ସ୍ୱଚ୍ଛ, ତ୍ୱରିତ ଏବଂ ଆଶାନୁରୂପ ନିଷ୍ପତ୍ତି ପାଇଁ ଜିଆଇଏସ ଆଧାରିତ ଡିସିସନ୍ ସପୋର୍ଟ ସିଷ୍ଟମ୍ ଅବଲମ୍ବନ କରାଯାଉଛି ।
Oକଳାଧନ କ୍ଷେତ୍ରରେ, କାର୍ଯ୍ୟାଳୟର ପ୍ରଥମ ଦିନ ଏସ୍ଆଇଟି ଗଠନ କରାଗଲା । ଆମ ସରକାର ସ୍ୱିସ୍ ସରକାରଙ୍କ ସହ ଯୋଗାଯୋଗ ରକ୍ଷା କରି ଆୟକର ବିଭାଗ ଦ୍ୱାରା ତଦନ୍ତାଧୀନ ମାମଲାଗୁଡିକରେ ସୂଚନା ପ୍ରାପ୍ତ କରୁଛନ୍ତି । ସରକାର ଅଘୋଷିତ ବୈଦେଶିକ ଆୟ ଏବଂ ସମ୍ପତ୍ତି (ଟିକସ ଧାର୍ଯ୍ୟକରଣ) ବିଲ୍ ୨୦୧୫କୁ ଅନୁମୋଦନ କରିଛନ୍ତି । ବିଲ୍ ରେ ଅଘୋଷିତ ବୈଦେଶିକ ଆୟ ଏବଂ ସମ୍ପତ୍ତି ପାଇଁ କଡା ଜୋରିମାନା ଏବଂ ଦଣ୍ଡବିଧାନ ବ୍ୟବସ୍ଥା ରହିଛି । ଏକ ଲକ୍ଷରୁ ଉର୍ଦ୍ଧ୍ଵ ମୂଲ୍ୟର କୌଣସି କିଣାବିକାରେ ପ୍ୟାନ ନମ୍ବର ଉଲ୍ଲେଖକୁ ବାଧ୍ୟତାମୂଳକ କରାଯାଇଛି ।