ଜାତୀୟ ଅଟୋମୋଟିଭ ଟେଷ୍ଟିଂ,ଗବେଷଣା ଓ ବିକାଶ ସାଧନ ପ୍ରକଳ୍ପ (NATRIP)ର ସଂଶୋଧିତ ବ୍ୟୟ ଅଟକଳ କେନ୍ଦ୍ର କେବିନେଟର ଅନୁମୋଦନ ଲାଭ କରିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର (27.07.2016) ଅନୁଷ୍ଠିତ କେବିନେଟ ବୈଠକରେ 3727.30 କୋଟି ଟଙ୍କାର ଏହି ସଂଶୋଧିତ ବ୍ୟୟ ଅଟକଳକୁ ସ୍ୱୀକୃତି ମିଳିଛି । ଏହି ମଞ୍ଜୁରି NATRIP ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହେବାରେ ସହାୟକ ହେବ । ଦେଶରେ ବିଶ୍ୱସ୍ତରୀୟ ପରୀକ୍ଷଣ କେନ୍ଦ୍ର ପ୍ରତିଷ୍ଠା ଲାଗି ଭାରତ ସରକାରଙ୍କ ଉଦ୍ୟମ ଏହାଦ୍ୱାରା ସାଧିତ ହୋଇପାରିବ । ଅଟୋମୋଟିଭ ଶିଳ୍ପ ଏହାର ପୂର୍ଣ୍ଣାଙ୍ଗ ପରୀକ୍ଷଣ ଏବଂ ହୋମୋଲୋଗେସନ କେନ୍ଦ୍ର ସମ୍ପର୍କୀତ ସମସ୍ତ ପ୍ରକାର ଗବେଷଣା ଓ ବିକାଶ ଆବଶ୍ୟକତାକୁ ଏହା ପୂରଣ କରିବ । ଏଥିପାଇଁ ଉତ୍ତାରଞ୍ଚଳ କ୍ଷେତ୍ର ନିମନ୍ତେ ହରିଆନାର ମାନେଶର ICAT, ଦକ୍ଷିଣାଂଚଳ ପାଇଁ ତାମିଲନାଡୁର ଚେନ୍ନାଇସ୍ଥିତ GARC, ଓର୍ଗାଡାମ, ପଶ୍ଚିମାଂଚଳ ସକାଶେ ମହାରାଷ୍ଟ୍ରର ଅହମ୍ମଦନଗରଠାରେ ଥିବା VRDE ଏବଂ ପୁନେର ARAIକୁ ଆଧୁନୀକିକରଣ କରାଯିବାର ପ୍ରସ୍ତାବ ରହିଛି ।
NATRIP ପ୍ରକଳ୍ପ ଦ୍ୱାରା ସଡକ ନିରାପତ୍ତା, ପର୍ଯ୍ୟାବରଣ ସୁରକ୍ଷା ଭାରତରେ ସମସ୍ତ ପ୍ରକାର ମୋଟରଯାନର ଡିଜାଇନ, ନିର୍ମାଣ, ପରୀକ୍ଷଣ ଓ କାର୍ଯ୍ୟକାରିତା ସମ୍ପର୍କୀତ ବିଶ୍ୱସ୍ତରୀୟ ପଦ୍ଧତି ଅବଲମ୍ବନ ସମ୍ଭବପର ହେବ । କାରଣ ଭାରତ 1998 ମସିହାରେ ଜାତିସଂଘ ପ୍ରାୟୋଜିତ ହାର୍ମୋନାଇଜେସନ ଅଫ୍ ଭେହିକିଲ ସ୍ପେସିଫିକେସନ ନିୟମାବଳୀର ଏକ ସ୍ୱାକ୍ଷରକାରୀ ରାଷ୍ଟ୍ର । ପୁନଶ୍ଚ ଏହା ଅଟୋମୋଟିଭ ମିଶନ ଯୋଜନା 2016-26କୁ ସହାୟକ ହେବ । ଯାହାକି ଆଗାମୀ 10 ବର୍ଷରେ ଭାରତରେ ନିର୍ମିତ ଯାନବାହନର 35-40% ବିଦେଶକୁ ରପ୍ତାନି କରିବାରେ ସାହାଯ୍ୟ କରିବ । ଏହା ମୋଟରଯାନ ଗୁଡିକର ଗୁଣାତ୍ମକ ମାନ ବୃଦ୍ଧି କରିବା ସହ ଦୁର୍ଘଟଣା ହାର ନିୟନ୍ତ୍ରଣ ଓ ହ୍ରାସ କରିବାରେ ସହାୟକ ହେବ । ପୁନଶ୍ଚ OEM ଏବଂ ଯନ୍ତ୍ରାଂଶ ବିକ୍ରୟ ପରବର୍ତ୍ତୀ ଅବସ୍ଥାରେ ଅଟୋ-ଉପକରଣ ବିକାଶ ଓ ସାର୍ଟିଫିକେସନ ଲାଗି MSME କୁ ସହାୟକ ହେବ ।