Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

70ତମ ସ୍ଵତନ୍ତ୍ରତା ବର୍ଷ ପାଳନ ଅବସରରେ ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

70ତମ ସ୍ଵତନ୍ତ୍ରତା ବର୍ଷ ପାଳନ ଅବସରରେ ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଅଲୀରାଜପୁର ଜିଲ୍ଲା ଅନ୍ତର୍ଗତ ଭାବ୍ରାଠାରେ ମହାନ ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ଆଜାଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଭାବ୍ରାଠାରେ ସ୍ଥାପିତ ସହିଦ୍ ଚନ୍ଦ୍ରଶେଖର ଆଜାଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସେ ପବିତ୍ର ଜନ୍ମପୀଠରେ ଥିବା ସ୍ମାରକ ପରିଦର୍ଶନ କରିଥିଲେ ।

ଏହି ଅବସରରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆଜିକାର ଦିବସରେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଦିଆଯାଇଥିବା ଭାରତ ଛାଡ ଆନ୍ଦୋଳନ ଡାକରାକୁ ସ୍ମରଣ କରିଥିଲେ । ସ୍ୱାଧୀନତାର ସୁଗନ୍ଧ ବାରିବା ପାଇଁ ଯେଉଁ ମହାପୁରୁଷମାନେ ମୁକ୍ତି ସଂଗ୍ରାମ ବେଳେ ବଳିଦାନ ଦେଇଛନ୍ତି ସେମାନଙ୍କୁ ସ୍ମରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଚନ୍ଦ୍ରଶେଖର ଆଜାଦଙ୍କ ଜନ୍ମପୀଠକୁ ଦର୍ଶନ ପାଇଁ ଆସିବା ତାଙ୍କ ଲାଗି ଏକ ସୌଭାଗ୍ୟର ବିଷୟ । ମହାନ ସଂଗ୍ରାମୀ ଆଜାଦଙ୍କ ଭଳି ମହାପୁରୁଷମାନେ ଆମ୍ଭମାନଙ୍କୁ ଦେଶସେବା କରିବା ପାଇଁ ପ୍ରେରଣା ଦେଇଥାନ୍ତି ବୋଲି ସେ କହିଥିଲେ ।

ଆମେ ଯେଉଁମାନେ ଦେଶ ପାଇଁ ଆତ୍ମବଳୀ ଦେବାର ସୌଭାଗ୍ୟ ପାଇନାହୁଁ ଆମକୁ ରାଷ୍ଟ୍ରର ହିତ ପାଇଁ ବଂଚିବାକୁ ପଡିବ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଗୋଟିଏ ରାଷ୍ଟ୍ର ଏହାର ଜନସାଧାରଣ, ସେମାନଙ୍କର ଆଶା ଆକାଂକ୍ଷା ଏବଂ ସେମାନଙ୍କ କଠିନ ପରିଶ୍ରମକୁ ନେଇ ଆଗକୁ ବଢ଼ିଥାଏ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରତ୍ୟେକ ଭାରତୀୟ କାଶ୍ମୀରକୁ ଭଲ ପାଆନ୍ତି ଏବଂ ଜୀବନରେ କେବେ ହେଲେ କାଶ୍ମୀର ବୁଲିଯିବା ପାଇଁ ମନ କରିଥାନ୍ତି । କିନ୍ତୁ ଏବେ କେତେକ ବିପଥଗାମୀ ତତ୍ୱ କାଶ୍ମୀରର ମହାନ୍ ପରମ୍ପରାକୁ ନଷ୍ଟଭ୍ରଷ୍ଟ କରିବାକୁ ବସିଛନ୍ତି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, କାଶ୍ମୀର ଯୁବକମାନଙ୍କ ପାଇଁ କେନ୍ଦ୍ର ସରକାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ଚାହାନ୍ତି । କାଶ୍ମୀରକୁ ପୁଣିଥରେ “ଭୂସ୍ୱର୍ଗ”ରେ ପରିଣତ କରିବା ଲାଗି ରାଜ୍ୟର ଯୁବକମାନେ ସ୍ୱପ୍ନ ଦେଖିବା ସହ ସେ ଦିଗରେ ଅଗ୍ରସର ହେବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ । ସେ କହିଥିଲେ କାଶ୍ମୀର ଶାନ୍ତି ଚାହେଁ । କାଶ୍ମୀରର ଜନସାଧାରଣ ପର୍ଯ୍ୟଟନର ବିକାଶ ମାଧ୍ୟମରେ ଅଧିକ ରୋଜଗାର କରିବା ପାଇଁ ଚାହାନ୍ତି ।

ସେ କହିଥିଲେ ଯେ ଉଭୟ କେନ୍ଦ୍ର ଓ ଜାମ୍ମୁ-କାଶ୍ମୀର ସରକାର ବିକାଶ ମାଧ୍ୟମରେ ସବୁ ପ୍ରକାର ସମସ୍ୟାର ସମାଧାନ କରିବାକୁ ଚାହାନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦୂରଦୃଷ୍ଟି – ଇନ୍ସାନିୟତ୍, ଜମ୍ମୁରିୟାତ୍, କାଶ୍ମୀରିୟାତ୍ କୁ ଆଗକୁ ବଢ଼ାଯିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ସମୟର ଆବଶ୍ୟକତା ହେଉଛି ଦେଶକୁ ନୂତନ ଶୀର୍ଷରେ ପହଂଚାଇବା ପାଇଁ ଆମେ ସମସ୍ତେ ମିଳିମିଶି ସଂକଳ୍ପବଦ୍ଧ ହୋଇ କାର୍ଯ୍ୟକରିବାକୁ ପଡିବ। ସେ କହିଥିଲେ ଯେ ଭାରତୀୟ ତ୍ରିରଙ୍ଗା ଆମ ସମସ୍ତଙ୍କୁ ଏକତ୍ରୀତ କରି ରଖିଛି ଏବଂ ଭାରତର ଭାଗ୍ୟକୁ ପୂନଃଲିଖନ କରିବା ପାଇଁ ପ୍ରେରଣା ଦେଉଛି ।

ପରିଶେଷରେ ପ୍ରଧାନମନ୍ତ୍ରୀ 70ତମ ସ୍ୱତନ୍ତ୍ରତା ବର୍ଷ ସମାରୋହ ଉପଲକ୍ଷେ ଆୟୋଜିତ ତ୍ରିରଙ୍ଗା ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

**********