Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଐତିହାସିକ ବଜେଟ ସଂସ୍କାର ପାଇଁ କେନ୍ଦ୍ର କେବିନେଟର ନିଷ୍ପତ୍ତି


 ସାଧାରଣ ବଜେଟରେ ମିଶିବ ରେଳ ବଜେଟ
 ଆପାତତଃ ଫେବୃୟାରୀ ପହିଲା ବେଳକୁ

ହେବ ବଜେଟ ଉପସ୍ଥାପନା
 ଯୋଜନା, ଅଣ-ଯୋଜନା ଖର୍ଚ୍ଚର ହେବ ସମ୍ମିଶ୍ରଣ

 2017-18 ଆର୍ଥିକ ବର୍ଷରୁ ଲାଗୁ ହେବ ନିଷ୍ପତ୍ତି

କେନ୍ଦ୍ର କେବିନେଟ ଦେଶରେ ଐତିହାସିକ ବଜେଟ ସମ୍ପର୍କିତ ସଂସ୍କାର ଆଣିବା ଲାଗି ନିଷ୍ପତ୍ତି ନେଇଛନ୍ତି । ଏ ସଂକ୍ରାନ୍ତରେ ଅର୍ଥ ମନ୍ତ୍ରଣାଳୟର କେତେକ ପ୍ରସ୍ତାବକୁ କେବିନେଟ ସବୁଜ ସଂକେତ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି (21.09.2016) ଅନୁଷ୍ଠିତ କେବିନେଟ ବୈଠକରେ ନିଆଯାଇଥିବା ନିଷ୍ପତି ଅନୁଯାୟୀ – ସାଧାରଣ ବଜେଟରେ ରେଳ ବଜେଟର ସମ୍ମିଶ୍ରଣ ହେବ। ଫେବୃୟାରୀ ଶେଷ ଦିବସ ପରିବର୍ତେ ଫେବୃୟାରୀ ପହିଲାରେ ସାଧାରଣ ବଜେଟ ଆଗତ କରାଯିବ। ଏବଂ ସାଧାରଣ ବଜେଟରେ ଯୋଜନା ଓ ଅଣ-ଯୋଜନା ମଧ୍ୟରେ ଥିବା ପ୍ରଭେଦକୁ ପ୍ରତ୍ୟାହାର କରାଯାଇ ଏକାଉଂଟ୍ସରେ ଏହାର ମିଶ୍ରଣ କରାଯିବ। 2017-18 ଆର୍ଥିକ ବର୍ଷର ବଜେଟରେ ଏହାର ପୂର୍ଣ୍ଣ ପ୍ରତିଫଳନ ଘଟିବ।

କେବିନେଟର ସଂସ୍କାରମୂଳକ ନିଷ୍ପତି ଅନୁସାରେ ରେଳ ବଜେଟର ଉଚ୍ଛେଦ ହେବା ସତ୍ୱେ ରେଳ ମନ୍ତ୍ରଣାଳୟ ତାର ସ୍ୱତନ୍ତ୍ର ବ୍ୟବସାୟୀକ ପରିଚୟ ବଜାୟ ରଖିବ।

ପ୍ରଚଳିତ ଗାଇଡଲାଇନ ଅନୁସାରେ ଏହାର ସ୍ୱୟଂଶାସନ କ୍ଷମତା ଓ ଆର୍ଥିକ କ୍ଷମତା ପୂର୍ବ ଭଳି ବଳବତର ରହିବ।

ରେଳବାଇ ତାର ରାଜସ୍ୱ ଆୟରୁ ସମସ୍ତ ରାଜସ୍ୱ ଖର୍ଚ୍ଚ ବହନ କରିବ। ବର୍ତମାନର ଆର୍ଥିକ ବ୍ୟବସ୍ଥା ପୂର୍ବ ଭଳି ଚାଲୁ ରହିବ।

ରେଳବାଇର ମୂଳଧନୀ ପୁଞ୍ଜି ବର୍ତମାନର ହିସାବରେ 2.27 ଲକ୍ଷ କୋଟି ଟଙ୍କାର ଆକଳନ କରାଯାଇଥିବା ବେଳେ ତାହା ଉପରେ ଦିଆଯାଉଥିବା ବାର୍ଷିକ ଲାଭାଂଶକୁ ଉଚ୍ଛେଦ କରାଯିବ। 2017-18 ଆର୍ଥିକ ବର୍ଷଠାରୁ ରେଳବାଇର କୌଣସି ଡିଭିଡେଣ୍ଡ ଲାଏବିଲିଟି ରହିବ ନାହିଁ ଏବଂ ଏହି ମନ୍ତ୍ରଣାଳୟକୁ ସମସ୍ତ ପ୍ରକାର ଆବଶ୍ୟକ ବଜେଟ ସହାୟତା ଦିଆଯିବ। ଏହାଦ୍ୱାରା ବାର୍ଷିକ ଭାରତ ସରକାରଙ୍କୁ ଦିଆଯାଉଥିବା 9700 କୋଟି ଟଙ୍କାର ବାର୍ଷିକ ଲାଭାଂଶକୁ ରେଳବାଇ ସଂଚୟ କରିପାରିବ।

1924 ମସିହାରୁ ପୃଥକ ଭାବେ ରେଳ ବଜେଟ ଉପସ୍ଥାପନା ଆରମ୍ଭ ହୋଇଥିଲା। ସ୍ୱାଧିନତା ପରେ ମଧ୍ୟ ରେଳ ବଜେଟ ଉପସ୍ଥାପନା ଲୋକସଭାରେ ଜାରି ରହିଥିଲା। ଏବେ ରେଳ ଓ ସାଧାରଣ ବଜେଟର ସମ୍ମିଶ୍ରଣ ଦ୍ୱାରା ଭାରତ ସରକାରଙ୍କ ସାମଗ୍ରିକ ଆର୍ଥିକ ଅବସ୍ଥାର ବାସ୍ତବ ଚିତ୍ର ଓ ରୂପରେଖ ସ୍ପଷ୍ଟଭାବେ ଜଣାପଡିବ। ବଜେଟର ବ୍ୟୟମଞ୍ଜୁରି ବିଲ୍ ମଧ୍ୟରେ ରେଳବାଇର ସାମଗ୍ରିକ ଖର୍ଚ୍ଚ ସନ୍ନିବେଶିତ ହେବ।

କେବିନେଟର ଅନ୍ୟ ଏକ ନିଷ୍ପତି ଅନୁସାରେ ବଜେଟ ଉପସ୍ଥାପନା କ୍ଷେତ୍ରରେ ସଂସ୍କାର ଅଣାଯାଇଛି। ଫେବୃୟାରୀ ଶେଷ ଦିବସ ବଦଳରେ ଫେବୃୟାରୀ ପହିଲା ବେଳକୁ ଏକ ସୁବିଧାଜନକ ତାରିଖରେ ସାଧାରଣ ବଜେଟ ଉପସ୍ଥାପନା ଲାଗି ଦିନ ଧାର୍ଯ୍ୟ ହେବ। 2017-18 ଆର୍ଥିକ ବର୍ଷର ବଜେଟ କେବେ ଉପସ୍ଥାପନା କରାଯିବ ତାହା ଆଗାମୀ ବର୍ଷର କେତେକ ବିଧାନସଭା ନିର୍ବାଚନ ତାରିଖକୁ ଦୃଷ୍ଟିରେ ରଖି ସ୍ଥିର କରାଯିବ। ବଜେଟ ଉପସ୍ଥାପନା ସମୟକୁ ପ୍ରାୟ ଏକ ମାସ ଆଗୁଆ କରାଯାଉଥିବାରୁ ବଜେଟ ସଂକ୍ରାନ୍ତ ବୈଧାନିକ କାର୍ଯ୍ୟଧାରା ସଂସଦରେ ଶୀଘ୍ର ଶେଷ ହେବ ଏବଂ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗକୁ ଆଗୁଆ ଯୋଜନା କରିବା ଓ ଏହାର ଫଳପ୍ରଦ କାର୍ଯ୍ୟକାରୀତା ଦିଗରେ ସୁଯୋଗ ଓ ସୁବିଧା ମିଳିବ। ଏହାଛଡା ଆର୍ଥିକ ବର୍ଷ ଆରମ୍ଭରୁ ନୂତନ ଟିକସ ଧାର୍ଯ୍ୟ ପାଇଁ ଆବଶ୍ୟକ ଆଇନ ପ୍ରଣୟନ ନିମନ୍ତେ ଅଧିକ ସମୟ ଉପଲବ୍ଧ ହେବ।

କେବିନେଟର ତୃତୀୟ ସଂସ୍କାରମୂଳକ ନିଷ୍ପତି ଅନୁସାରେ ଯୋଜନା ଓ ଅଣ-ଯୋଜନା ଖର୍ଚ୍ଚର ପରିଭାଷା ରହିବ ନାହିଁ। 2017-18 ବଜେଟ ଏକାଉଂଟ୍ସରେ ଯୋଜନା ଓ ଅଣ-ଯୋଜନା ଖର୍ଚ୍ଚ ମିଶିଯିବ। ତେବେ ତଫସିଲଭୁକ୍ତ ଜାତି ଉପ-ଯୋଜନା, ଜନଜାତି ଉପ-ଯୋଜନା ଏବଂ ଉତର-ପୂର୍ବାଂଚଳ ରାଜ୍ୟମାନଙ୍କ ପାଇଁ ସ୍ୱତନ୍ତ୍ର ଅନୁଦାନ ବାବଦ ଖର୍ଚ୍ଚ ବ୍ୟୟବରାଦ ପୂର୍ବ ଭଳି ଜାରି ରହିବ।

ଯୋଜନା ଓ ଅଣ-ଯୋଜନାର ମିଶ୍ରଣ ଫଳରେ ରାଜସ୍ୱ ଓ ମୂଳଧନୀ ଖର୍ଚ୍ଚ ଉପରେ ବଜେଟ ସଂକ୍ରାନ୍ତ ଆବଶ୍ୟକ ଢ଼ାଂଚାଗତ ପ୍ରାଧାନ୍ୟ ଦିଆଯିବ। ଏହାଛଡା ଜରୁରୀ ସାମାଜିକ ସେବା କ୍ଷେତ୍ର ପାଇଁ ଅଧିକ ବଜେଟ ସହାୟତା ମିଳିପାରିବ।

**********