ଏଫଡିଆଇ ନୀତିରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ;
ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ନୀତିରେ ଏକାଧିକ ସଂଶୋଧନ ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି । ଦେଶରେ ବ୍ୟବସାୟ କାରବାରକୁ ଅଧିକ ସୁଗମ କରିବା (ଇଜ ଅଫ ଡୁଇଂ ବିଜନେସ) ଉଦ୍ଦେଶ୍ୟରେ ଏଫଡିଆଇ ନୀତିକୁ ଅଧିକ କୋହଳ ଏବଂ ସରଳ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି । ଏହାଦ୍ୱାରା ଏଫଡିଆଇ ପ୍ରବାହ ବୃଦ୍ଧି ପାଇବା ସହିତ ନିବେଶରେ ଅଭିବୃଦ୍ଧି, ଆୟ ଏବଂ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଇବ ।
ଏଫଡିଆଇ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ସହିତ ଏହା ଦେଶର ଆର୍ଥିକ ବିକାଶ ପାଇଁ ଅଣ-ଋଣ ଆର୍ଥିକ ଉତ୍ସ । ଏଫଡିଆଇ ଉପରେ ସରକାର ଏକ ନିବେଶକ ଅନୁକୂଳ ନୀତି ଆଣିଛନ୍ତି । ଏହାଦ୍ୱାରା ଅଧିକାଂଶ କ୍ଷେତ୍ର/କାର୍ଯ୍ୟକଳାପରେ ସ୍ୱୟଂକ୍ରିୟ ମାର୍ଗ ଜରିଆରେ 100% ଏଫଡିଆଇକୁ ଅନୁମତି ନିଆଯାଇଛି । ନିକଟ ଅତୀତରେ ସରକାର କେତେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଯେପରିକି; ପ୍ରତିରକ୍ଷା, ନିର୍ମାଣ ବିକାଶ, ବୀମା, ପେନସନ, ଅନ୍ୟ ଆର୍ଥିକ ସେବା, ସମ୍ପତି ପୁନର୍ଗଗଠନ କମ୍ପାନୀ, ପ୍ରସାରଣ, ବେସାମରିକ ବିମାନ ଚଳାଚଳ, ଫାର୍ମାସ୍ୟୁଟିକାଲ୍ସ, ଟ୍ରେଡିଂ ଆଦି କ୍ଷେତ୍ରରେ ଥିବା ଏଫଡିଆଇ ନୀତିରେ ସଂସ୍କାର ଆଣିଥିଲେ ।
ସରକାର ଏହି ପଦକ୍ଷେପ ନେବା ପରେ ଦେଶରେ ଏଫଡିଆଇ ପ୍ରବାହ ବୃଦ୍ଧି ହୋଇଥିଲା । 2014-15ଆର୍ଥିକ ବର୍ଷରେ ମୋଟ 45.15 ବିଲିୟନ ଆମେରିକୀୟ ଡଲାର ବୈଦେଶିକ ପୁଞ୍ଜି ନିବେଶ ହୋଇଥିଲା । 2013-14ଆର୍ଥିକ ବର୍ଷରେ ଏହି ପରିମାଣ 36.05ବିଲିୟନ ଆମେରିକୀୟ ଡଲାର ଥିଲା । ସେହିପରି 2015-16ଆର୍ଥିକ ବର୍ଷରେ ଦେଶରେ 55.46ବିଲିୟନ ଆମେରିକୀୟ ଡଲାର ଏଫଡିଆଇ ନିବେଶ ହୋଇଥିଲା । 2016-17ଆର୍ଥିକ ବର୍ଷରେ ଏଫଡିଆଇ ନିବେଶ ପରିମାଣ 60.08ବିଲିୟନ ଆମେରିକୀୟ ଡଲାରରେ ପହଂଚିଥିଲା, ଯାହାକି ସର୍ବକାଳୀନ ରେକର୍ଡ ଥିଲା ।
ଦେଶରେ ଅଧିକ ବୈଦେଶିକ ପୁଞ୍ଜି ନିବେଶ ପାଇଁ ସମ୍ଭାବନା ରହିଛି ଏବଂ ଏଫଡିଆଇ ବ୍ୟବସ୍ଥାକୁ ଅଧିକ ସରଳ ଏବଂ କୋହଳ କରିବା ଜରିଆରେ ଏହାକୁ ହାସଲ କରାଯାଇପାରିବ ବୋଲି ଅନୁଭବ କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ସରକାର ଏଫଡିଆଇ ନୀତିରେ ଏକାଧିକ ସଂଶୋଧନ ପାଇଁ ନିଷ୍ପତ୍ତି ନେଇଛନ୍ତି ।
ବିସ୍ତୃତ ବିବରଣୀ
ଏକକ ବ୍ରାଣ୍ଡ ଖୁଚୁରା କାରବାର (ଏସବିଆରଟି)ରେ ଏଫଡିଆଇ ନିମନ୍ତେ ଏବେ ସରକାରଙ୍କ ଅନୁମତି ଆବଶ୍ୟକ ପଡ଼ିବ ନାହିଁ ।
ବର୍ତ୍ତମାନର ଏଫଡିଆଇ ନୀତି ଅନୁଯାୟୀ ଏସବିଆରଟି ଉପରେ ସ୍ୱୟଂକ୍ରିୟ ମାର୍ଗରେ 49% ଏଫଡିଆଇକୁ ଅନୁମତି ମିଳୁଥିଲା ଏବଂ 49% ବାଦ୍ ଉପରକୁ ଏବଂ 100% ପର୍ଯ୍ୟନ୍ତ ଏଫଡିଆଇ ନିମନ୍ତେ ସରକାରଙ୍କ ଅନୁମତି ଆବଶ୍ୟକ ପଡ଼ୁଥିଲା । ତେବେ ବର୍ତ୍ତମାନ ଏସବିଆରଟି ଉପରେ ସ୍ୱୟଂକ୍ରିୟ ମାର୍ଗରେ 100% ପର୍ଯ୍ୟନ୍ତ ଏଫଡିଆଇକୁ ଅନୁମତି ମିଳିପାରିବ ।
ଏକକ ବ୍ରାଣ୍ଡ ଖୁଚୁରା କାରବାର କରୁଥିବା ସଂସ୍ଥାକୁ ପ୍ରାରମ୍ଭିକ 5 ବର୍ଷ ସମୟରେ ବିଶ୍ୱସ୍ତରୀୟ ପରିଚାଳନା ଲାଗି ଭାରତରୁ ବସ୍ତୁଗୁଡ଼ିକର ନିଜସ୍ୱ ବୃଦ୍ଧିଶୀଳ ପ୍ରାପ୍ତିର ସମାଯୋଜନା କରିବାର ଅନୁମତି ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଅବଧିର ଆରମ୍ଭ ଭାରତରୁ 30 ପ୍ରତିଶତ କ୍ରୟର ବାଧ୍ୟତାମୂଳକ ପ୍ରାପ୍ତର ଆବଶ୍ୟକତା ସାପେକ୍ଷ ପ୍ରଥମ ଷ୍ଟୋର ଖୋଲିବା ବର୍ଷର ପ୍ରଥମ ଏପ୍ରିଲରୁ ହେବ । ଏହି ଉଦ୍ଦେଶ୍ୟ ପାଇଁ, ବୃଦ୍ଧିଶୀଳ ସୋର୍ସିଂର ଅର୍ଥ ହେଉଛି, ଗତ ଆର୍ଥିକ ବର୍ଷ ତୁଳନାରେ କୌଣସି ବିଶେଷ ଆର୍ଥିକ ବର୍ଷରେ ସେହି ଏକକ ବ୍ରାଣ୍ଡ ଲାଗି ଭାରତରୁ ଏପରି ବିଶ୍ୱସ୍ତରୀୟ ସୋର୍ସିଂର ମୂଲ୍ୟରେ(ଭାରତୀୟ ମୂଦ୍ରାରେ) ବୃଦ୍ଧି ଘଟିବ; ଯେଉଁ ବ୍ରାଣ୍ଡର ପ୍ରତ୍ୟକ୍ଷ ଭାବେ କିମ୍ବା ସେମାନଙ୍କ ଗ୍ରୁପ ଅଫ କମ୍ପାନୀଗୁଡ଼ିକ ଦ୍ୱାରା ବିଦେଶୀ ଏକକ ବ୍ରାଣ୍ଡ ଖୁଚୁରା ସଂସ୍ଥାଗୁଡ଼ିକ କାରବାର କରୁଥିବେ । 5 ବର୍ଷ ପୂରଣ ହେବା ପରେ, ଏସବିଆରଟି ସଂସ୍ଥାକୁ 30% ସୋର୍ସିଂ ନିୟମାବଳୀକୁ ପ୍ରତ୍ୟକ୍ଷ ଭାବେ ଏହାର ଭାରତର କାରବାର ପାଇଁ ବାର୍ଷିକ ଆଧାରରେ ପାଳନ କରିବାକୁ ହେବ ।
ଅଣନିବାସୀ ସଂସ୍ଥା କିମ୍ବା ସଂସ୍ଥାଗୁଡ଼ିକ, ବ୍ରାଣ୍ଡର ମାଲିକ ହୋଇଥା’ନ୍ତୁ ବା ନହୋଇଥା’ନ୍ତୁ, ଭାରତରେ ‘ଏକକ ବ୍ରାଣ୍ଡ’ ଉତ୍ପାଦର ଖୁଚୁରା କାରବାର ପାଇଁ ଅନୁମତି ପାଇବେ । ବ୍ରାଣ୍ଡ ମାଲିକଙ୍କ ଦ୍ୱାରା ପ୍ରତ୍ୟକ୍ଷ ଭାବେ କିମ୍ବା ଏକକ ବ୍ରାଣ୍ଡ ଖୁଚୁରା ବ୍ୟବସାୟ କରୁଥିବା ଭାରତୀୟ ସଂସ୍ଥା ଏବଂ ବ୍ରାଣ୍ଡ ମାଲିକଙ୍କ ମଧ୍ୟରେ ଆଇନଗତ ବୈଧ ଚୁକ୍ତି ଜରିଆରେ କାରବାର ପାଇଁ ଏହି ଅନୁମତି ମିଳିବ ।
ବେସାମରିକ ବିମାନ ଚଳାଚଳ
ବର୍ତ୍ତମାନର ନୀତି ଅନୁଯାୟୀ, ନିର୍ଦ୍ଧାରିତ ଏବଂ ଅଣନିର୍ଦ୍ଧାରିତ ବିମାନ ପରିବହନ ସେବା ପରିଚାଳନା କରୁଥିବା ଭାରତୀୟ କମ୍ପାନୀଗୁଡ଼ିକରେ, ସେମାନଙ୍କ ପ୍ରଦତ ପୁଞ୍ଜିର ସୀମା 49% ପର୍ଯ୍ୟନ୍ତ ନିବେଶ କରିବା ଲାଗି ବିଦେଶୀ ବିମାନ ଚଳାଚଳ ସଂସ୍ଥାଗୁଡ଼ିକୁ ଅନୁମତି ମିଳୁଥିଲା । ତେବେ ଏହି ବ୍ୟବସ୍ଥା ବର୍ତ୍ତମାନ ଏଆର ଇଣ୍ଡିଆ କ୍ଷେତ୍ରରେ ପ୍ରୟୋଗ ହେଉନଥିଲା, ଫଳରେ ବିଦେଶୀ ଏୟାରଲାଇନଗୁଡ଼ିକ ଏୟାରଇଣ୍ଡିଆରେ ନିବେଶ କରିପାରୁନଥିଲେ । ଏବେ ଏହି କଟକଣା ଉଚ୍ଛେଦ ପାଇଁ ନିଷ୍ପତ୍ତି ନିଆଯାଇଛି ଏବଂ ବିଦେଶୀ ବିମାନ ଚଳାଚଳ ସଂସ୍ଥାଗୁଡ଼ିକ ଅନୁମତି ପ୍ରାପ୍ତ ବାୟୁମାର୍ଗରେ 49% ନିବେଶ ଲାଗି ଅନୁମତି ପ୍ରଦାନ କରାଯାଇଛି । ଏଥିରେ କେତେକ ସର୍ତ୍ତ ରହିଛି:
ବିଦେଶୀ ଏୟାରଲାଇନ୍ସ (ଗୁଡ଼ିକୁ) ମିଶାଇ ଏୟାର ଇଣ୍ଡିଆରେ ବୈଦେଶିକ ନିବେଶ(ଗୁଡ଼ିକ) ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ 49%ରୁ ଅଧିକ ହେବ ନାହିଁ ।
ଏୟାରଇଣ୍ଡିଆର ପର୍ଯ୍ୟାପ୍ତ ମାଲିକାନା ଏବଂ ପ୍ରଭାବୀ ନିୟନ୍ତ୍ରଣ ଭାରତୀୟ ଜାତୀୟତାରେ ନିହିତ ରହିବ ।
ନିର୍ମାଣ ବିକାଶ : ଟାଉନସିପ, ଗୃହ ନିର୍ମାଣ, ଭିତ୍ତିଭୂମି ନିର୍ମାଣ ଏବଂ ରିୟଲ ଇଷ୍ଟେଟ ବ୍ରୋକିଂ ସେବା
ଏହା ସ୍ପଷ୍ଟ କରାଯାଉଛି ଯେ ରିୟଲ-ଇଷ୍ଟେଟ ବ୍ରୋକିଂ ସେବା ରିୟଲ ଇଷ୍ଟେଟ ବ୍ୟବସାୟ ସହ ସମାନ ନୁହେଁ, ତେଣୁ ଏହା ସ୍ୱୟଂକ୍ରିୟ ମାର୍ଗ ଜରିଆରେ 100% ଏଫଡିଆଇ ପାଇଁ ଯୋଗ୍ୟ ।
ପାୱାର ଏକ୍ସଚେଞ୍ଜ
ବର୍ତ୍ତମାନର ନୀତି ଅନୁଯାୟୀ, କେନ୍ଦ୍ରୀୟ ବିଦ୍ୟୁତ ନିୟାମକ ଆୟୋଗ (ଶକ୍ତି ବଜାର) ବିନିୟମ, 2010 ଅଧୀନରେ ପଞ୍ଜୀକୃତ ହୋଇଥିବା ପାୱାର ଏକ୍ସଚେଞ୍ଜଗୁଡ଼ିକରେ ସ୍ୱୟଂକ୍ରିୟ ମାର୍ଗରେ 49% ଏଫଡିଆଇ ପାଇଁ ଅନୁମତି ମିଳୁଥିଲା । ତେବେ ଏଫଆଇଆଇ/ଏଫପିଆଇ କ୍ରୟଗୁଡ଼ିକ କେବଳ ମାଧ୍ୟମିକ ବଜାରରେ ସୀମିତ ରହୁଥିଲା । ବର୍ତ୍ତମାନ ଏହି ବ୍ୟବସ୍ଥାର ଉଚ୍ଛେଦ ପାଇଁ ନିଷ୍ପତ୍ତି ନିଆଯାଇଛି । ଫଳରେ ଏପଆଇଆଇ/ଏଫପିଆଇଗୁଡ଼ିକୁ ପ୍ରାଥମିକ ବଜାର ଜରିଆରେ ମଧ୍ୟ ଶକ୍ତି ଏକ୍ସଚେଞ୍ଜରେ ନିବେଶ ପାଇଁ ଅନୁମତି ଦିଆଯାଇଛି ।
ଏଫଡିଆଇ ନୀତି ଅଧୀନରେ ଅନ୍ୟ ଅନୁମତି ଆବଶ୍ୟକତା
ସମ୍ବେଦନଶୀଳ ଦେଶରୁ ପ୍ରାପ୍ତ ଏଫଡିଆଇ ପ୍ରସ୍ତାବ ଉପରେ ଧ୍ୟାନ ଦେବା ଲାଗି କ୍ଷମତାସମ୍ପନ୍ନ ପ୍ରାଧିକରଣ
ଏଫଡିଆଇ ନୀତି ଏବଂ ସମୟକ୍ରମେ ସଂଶୋଧିତ କରାଯାଇଥିବା ସୁରକ୍ଷା ନିର୍ଦ୍ଦେଶାବଳୀ ଅନୁଯାୟୀ ସୁରକ୍ଷା ଅନୁମୋଦନର ଆବଶ୍ୟକତା ପଡ଼ୁଥିବା ବିସ୍ତୃତ ଫେମା-20ର ସମ୍ବେଦନଶୀଳ ଦେଶଗୁଡ଼ିକରୁ ପ୍ରାପ୍ତ ହେଉଥିବା ଏଫଡିଆଇ ଆବେଦନଗୁଡ଼ିକୁ ଗୃହ ମନ୍ତ୍ରଣାଳୟ ଅନୁଧ୍ୟାନ କରିବ । ଏହି ଆବେଦନଗୁଡ଼ିକ ସ୍ୱୟଂକ୍ରିୟ ମଞ୍ଜୁରି କ୍ଷେତ୍ର/କାର୍ଯ୍ୟକଳାପ ଅଧୀନରେ ଆସିଥା’ନ୍ତି । ଅନ୍ୟପଟେ ସରକାରୀ ମଞ୍ଜୁରିପ୍ରାପ୍ତ କ୍ଷେତ୍ର, ଯେଉଁଗୁଡ଼ିକ ପାଇଁ ସ୍ୱୀକୃତି କେବଳ ସମ୍ବେଦନଶୀଳ ଦେଶରୁ ହେଉଥିବା ନିବେଶ ପ୍ରସଙ୍ଗ ଉପରେ ଜରୁରୀ ହୋଇଥାଏ, ସେଥିରେ ନିବେଶ ନିମନ୍ତେ ଏଫଡିଆଇ ଆବେଦନ ଉପରେ ସରକାରୀ ମଞ୍ଜୁରି ଲାଗି ଶିଳ୍ପ ନୀତି ଏବଂ ପ୍ରୋତ୍ସାହନ ବିଭାଗ (ଡିଆଇପିପି) ଦୃଷ୍ଟି ଦେବ । ସରକାରୀ ମଞ୍ଜୁରିପ୍ରାପ୍ତ ରୁଟ ଅନ୍ତର୍ଗତ ଆସୁଥିବା ଏପରି ପ୍ରସଙ୍ଗ ପ୍ରତି ଆଗକୁ ମଧ୍ୟ ସମ୍ପୃକ୍ତ ପ୍ରଶାନିକ ବିଭାଗ/ମନ୍ତ୍ରଣାଳୟ ହିଁ ଧ୍ୟାନ ଦେବେ ଯେଉଁମାନଙ୍କ ପାଇଁ ସମ୍ବେଦନଶୀଳ ଦେଶ ସହ ଜଡ଼ିତ ସୁରକ୍ଷା ଅନୁମତି ଆବଶ୍ୟକତା ପଡ଼ିଥାଏ ।
ଫାର୍ମାସ୍ୟୁଟିକାଲ୍ସ :
ଫାର୍ମାସ୍ୟୁଟିକାଲ୍ସ କ୍ଷେତ୍ର ସହ ଜଡ଼ିତ ଏଫଡିଆଇ ନୀତିରେ ଅନ୍ୟ ପ୍ରସଙ୍ଗଗୁଡ଼ିକ ବ୍ୟତୀତ ଏହାର ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଏଫଡିଆଇ ନୀତିରେ ଚିକିତ୍ସା ଉପକରଣଗୁଡ଼ିକର ଯେଉଁ ସଂଜ୍ଞା ଦିଆଯାଇଛି ତାହା ଔଷଧ ଏବଂ କସ୍ମେଟିକ୍ସ ଅଧିନିୟମରେ କରାଯାଇଥିବା ସଂଶୋଧନ ଅନୁରୂପ ହେବ । ଯେହେତୁ ନୀତିରେ ଦିଆଯାଇଥିବା ସଂଜ୍ଞା ସ୍ୱୟଂ ସମ୍ପୂର୍ଣ୍ଣ, ତେଣୁ ଏଫଡିଆଇ ନୀତିରୁ ଔଷଧ ଏବଂ କସ୍ପେଟିକ୍ସ ଅଧିନିୟମର ସନ୍ଦର୍ଭ ଶେଷ କରିବା ଲାଗି ନିଷ୍ପତ୍ତି ନିଆଯାଇଛି । ଏହାବ୍ୟତୀତ ଏଫଡିଆଇ ନୀତିରେ ଦିଆଯାଇଥିବା ‘ଚିକିତ୍ସା ଉପକରଣ’ର ସଂଜ୍ଞାରେ ସଂଶୋଧନ କରିବା ଲାଗି ମଧ୍ୟ ନିଷ୍ପତ୍ତି ନିଆଯାଇଛି ।
ଅଡିଟ କମ୍ପାନୀଗୁଡ଼ିକ ପାଇଁ ପ୍ରତିବନ୍ଧକମୂଳକ ସର୍ତ୍ତ ନିଷେଧ :
ବର୍ତ୍ତମାନର ଏଫଡିଆଇ ନୀତିରେ ବିଦେଶୀ ନିବେଶ ପ୍ରାପ୍ତ କରୁଥିବା ଭାରତୀୟ ନିବେଶ ପ୍ରାପ୍ତକର୍ତ୍ତା କମ୍ପାନୀଗୁଡ଼ିକ ଦ୍ୱାରା କରାଯାଇପାରୁଥିବା ଅଡିଟରମାନଙ୍କ ପାଇଁ ବିନିର୍ଦ୍ଦେଶ ସମ୍ବନ୍ଧୀୟ କୌଣସି ବ୍ୟବସ୍ଥା ନାହିଁ । କୌଣସି ବିଦେଶୀ ନିବେଶକ ଯଦି ଭାରତୀୟ ନିବେଶ ପ୍ରାପ୍ତକର୍ତ୍ତା କମ୍ପାନୀ ଲାଗି ଅନ୍ତର୍ଜାତୀୟ ନେଟୱାର୍କ ବିଶିଷ୍ଟ କୌଣସି ବିଶେଷ ଅଡିଟର/ଅଡିଟ ଫାର୍ମକୁ ନିର୍ଦ୍ଧାରିତ କରିବାକୁ ଚାହାନ୍ତି, ସେହିପରି ସ୍ଥିତିରେ ଏ ପ୍ରକାରର ନିବେଶ ପ୍ରାପ୍ତକର୍ତ୍ତା କମ୍ପାନୀଗୁଡ଼ିକର ଅଡିଟ ସେହିପରି ମିଳିତ ଅଡିଟ ଅଧୀନରେ କରାଯିବା ଉଚିତ୍ ଯେଉଁଥିରେ କୌଣସି ଜଣେ ଅଡିଟର ସମ୍ପୃକ୍ତ ନେଟୱାର୍କର ଅଂଶବିଶେଷ ହୋଇନଥିବେ । ଏହି ବ୍ୟବସ୍ଥାକୁ ବର୍ତ୍ତମାନର ଏଫଡିଆଇ ନୀତିରେ ଉଲ୍ଲେଖ କରିବା ଲାଗି ନିଷ୍ପତ୍ତି ନିଆଯାଇଛି ।
**********