ହିନ୍ଦୁସ୍ଥାନ ଫର୍ଟିଲାଇଜର କରପୋରେସନ ଲିମିଟେଡର ଆର୍ଥିକ ପୁନଃର୍ବିନ୍ୟାସ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅନୁମୋଦନ ଦେଇଥିବା ବେଳେ ଏହା ଉପରେ ଥିବା ୯ ହଜାର ୭୯ କୋଟି ୪୯ ଲକ୍ଷ ଟଙ୍କାର ଋଣ ଭାରକୁ ଛାଡ କରାଯାଇଛି ।
ଏବେ ଏଚ.ଏଫ.ସି.ଏଲ ଉପରେ କେନ୍ଦ୍ର ସରକାରଙ୍କର ଯେଉଁ ଋଣ ଭାର ରହିଛି, ତନ୍ମମଧ୍ୟରେ ୧୯୬୪ କୋଟି ୧୪ ଲକ୍ଷ ଟଙ୍କା ମୂଳ ଋଣ ହୋଇଥିବା ବେଳେ ୭,୧୬୩ କୋଟି ୩୫ ଲକ୍ଷ ଟଙ୍କା ହେଉଛି ତାହା ଉପରେ ବର୍ଦ୍ଧିତ ସୁଧ । ସେହି ସମସ୍ତ ଋଣ ଭାରରୁ ଏଚ.ଏଫ.ସି. ଏହାକୁ ଛାଡ କରାଯାଇଛି । ସେହିପରି ଭାବେ ବିହାର ରାଜ୍ୟରେ ଥିବା ବରାଉନି ସାର କାରଖାନାର ଆସଡାଇକ ଲ୍ୟାଣ୍ଡ (ପାଉଁଶ କୁଣ୍ଡ)ର ୫୬ ଏକର ଜମିକୁ ବିହାର ରାଜ୍ୟ ଶକ୍ତି ଉତ୍ପାଦନ କମ୍ପାନୀକୁ ହସ୍ତାନ୍ତର ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି ।
ଏହି କ୍ୟାବିନେଟ ଅନୁମୋଦନ ଫଳରେ ଏଚ.ଏଫ.ସି.ଏଲ ତାହାର ସମ୍ପତିକୁ ମୂଳଧନ ଆକାରରେ ପରିଣତ କରିବ ଏବଂ ଏଫ.ଆଇ.ଆର ଠାରେ ନୂତନ ଭାବେ ପଞ୍ଜିକୃତ ହେବ । ଏହାଦ୍ୱାରା ସେହି ବରାଉନି ସାରକାରଖାନାର ଦୃତ ପୁନଃରୁଦ୍ଧାର ହୋଇପାରିବ । ଏହି କାରଖାନାଟି ଜାନୁଆରୀ ୧୯୯୯ ପରଠାରୁ ଅଚଳ ଅବସ୍ଥାରେ ଅଛି ।
ଏବେ ଦେଶର ୟୁରିଆ ଚାହିଦା ହେଉଛି ୩୨୦ ଲକ୍ଷ ମେଟ୍ରିକ ଟନ । ଏହା ମଧ୍ୟରୁ ୨୪୫ ଲକ୍ଷ ମେଟ୍ରିକ ଟନ ୟୁରିଆ ଦେଶରେ ଉତ୍ପାଦିତ ହେଉଥିବା ବେଳେ ବାକି ୟୁରିଆ ଆମଦାନୀ କରାଯାଉଛି । ବରାଉନି ସାରକାରଖାନା ଆଗାମୀ ଦିନରେ ବିହାର, ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡ ରାଜ୍ୟର ବର୍ଦ୍ଧିତ ସାର ଚାହିଦାକୁ ପୂରଣ କରିପାରିବ । ଏଥିରେ ପ୍ରତ୍ୟକ୍ଷ ଭାବେ ୪୦୦ ଏବଂ ପରୋକ୍ଷଭାବେ ୧୨୦୦ ଲୋକ ନିଯୁକ୍ତି ପାଇବେ । ଏହି କାରଖାନା ପାଇଁ ଗେଲ ପକ୍ଷରୁ ବିଛା ଯାଇଥିବା ଜଗଦିଶପୁର- ହଳଦିଆ ଗ୍ୟାସ ପାଇପ ଲାଇନ ବେଶ ଉପଯୋଗୀ ହେବ ।