ଜର୍ମାନୀର ହାମବର୍ଗଠାରେ ଚାଲିଥିବା ଜି-20 ଶିଖର ସମ୍ମିଳନୀ ଅବସରରେ 5 ବ୍ରିକ୍ସ ରାଷ୍ଟ୍ରର ନେତାମାନଙ୍କ ମଧ୍ୟରେ ଅନୌପଚାରିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ସେପ୍ଟେମ୍ବର ମାସରେ ଚୀନର ଜିଆମେନ୍ ଠାରେ ବ୍ରିକ୍ସ ସମ୍ମିଳନୀର ନବମ ବୈଠକ ଅନୁଷ୍ଠିତ ହେବା ନେଇ ଏଥିରେ ଆଲୋଚନା ହୋଇଥିଲା । ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ କହିଥିଲେ ଯେ ବ୍ରିକ୍ସ ନେତାମାନଙ୍କୁ ସ୍ୱାଗତ କରିବା ଲାଗି ସେ ଆଗ୍ରହର ସହ ଅପେକ୍ଷା କରିଛନ୍ତି ।
ଏହି ବୈଠକରେ ଜିଆମେନରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ବ୍ରିକ୍ସ ସମ୍ମିଳନୀର ପ୍ରସ୍ତୁତି ଏବଂ ପ୍ରାଥମିକତା ନେଇ ନେତାମାନେ ଆଲୋଚନା କରିଥିଲେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ବ୍ରିକ୍ସର ଅତି ଶକ୍ତିଶାଳୀ ସ୍ୱର ରହିଛି ଏବଂ ଆତଙ୍କବାଦ ଓ ବିଶ୍ୱ ଅର୍ଥବ୍ୟବସ୍ଥା ପ୍ରସଙ୍ଗରେ ଏହା ନେତୃତ୍ୱ ନେବାର ଆବଶ୍ୟକତା ରହିଛି । ଜି-20 ବୈଠକରେ ଆତଙ୍କବାଦକୁ ପାଣ୍ଠି ଯୋଗାଣ, ପ୍ରୋତ୍ସାହନ, ସହଯୋଗ ଏବଂ ସମ୍ବଳ ଯୋଗାଉଥିବା ଶକ୍ତିକୁ ମିଳିତ ଭାବେ ବିରୋଧ କରାଯିବା ଉଚିତ ବୋଲି ସେ ଗୁରୁତ୍ୱ ଦେଇଥିଲେ । ନିକଟରେ ଲାଗୁ ହୋଇଥିବା ଜିଏସଟି ସମେତ ଭାରତରେ ସଂସ୍କାର ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱ ଅର୍ଥବ୍ୟବସ୍ଥାର ପୁନରୁଦ୍ଧାର ନିମନ୍ତେ ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ବାଣିଜ୍ୟ ଏବଂ ଶିକ୍ଷା ଓ ପେସାଦାରଙ୍କ ସ୍ଥାନାନ୍ତରଣ କ୍ଷେତ୍ରରେ ସଂରକ୍ଷଣବାଦ ବିରୋଧରେ ମିଳିତ ଭାବେ ସ୍ୱର ଉତ୍ତୋଳନ କରିବା ସପକ୍ଷରେ ସେ ମତବ୍ୟକ୍ତ କରିଥିଲେ । ପ୍ୟାରିସ ଜଳବାୟୁ ଚୁକ୍ତିକୁ ଗ୍ରହଣ ଏବଂ କାର୍ଯ୍ୟକାରୀ କରିବା ଲାଗି ଭାରତର ପ୍ରତିବଦ୍ଧତାକୁ ସେ ଦୋହରାଇଥିଲେ । ଏଥିସହ ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼େଇ କରିବା ପାଇଁ ବିଶ୍ୱସମୁଦାୟ ଏହାକୁ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ବ୍ରିକ୍ସ ରେଟିଂ ଏଜେନ୍ସି ପ୍ରତିଷ୍ଠା କରିବା ଲାଗି ତ୍ୱରିତ ପଦକ୍ଷେପ ନେବା ଲାଗି ସେ ଆହ୍ୱାନ ଜଣାଇଥିଲେ ଏବଂ ଆଫ୍ରିକାର ବିକାଶ ପାଇଁ ସହଯୋଗକୁ ପ୍ରାଥମିକତା ଦେବା ଲାଗି ମଧ୍ୟ ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ସେହିପରି ଜନ-ଜନ ମଧ୍ୟରେ ସମ୍ପର୍କ ବୃଦ୍ଧି ଓ ମତ ବିନିମୟ ପାଇଁ ମଧ୍ୟ ସେ ଆହ୍ୱାନ ଜଣାଇଥିଲେ ।
ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କ ଅଧ୍ୟକ୍ଷତାରେ ବ୍ରିକ୍ସର ଅଗ୍ରଗତିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ଏବଂ ଜିଆମେନ୍ ବ୍ରିକ୍ସ ସମ୍ମିଳନୀ ପାଇଁ ପୂର୍ଣ୍ଣ ସହଯୋଗ ଏବଂ ଶୁଭକାମନା ଜଣାଇଥିଲେ ।
ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ପରେ ରାଷ୍ଟ୍ରପତି ଜିନପିଙ୍ଗ ବୈଠକରେ ଉଦଯାପନୀ ଅଭିଭାଷଣ ରଖି ଆତଙ୍କବାଦ ବିରୋଧରେ ଭାରତର ଦୃଢ଼ ଆଭିମୁଖ୍ୟ ଏବଂ ଭାରତ ନେତୃତ୍ୱରେ 2016 ଗୋଆ ବ୍ରିକ୍ସ ସମ୍ମିଳନୀର ଫଳ ସ୍ୱରୂପ ବ୍ରିକ୍ସରେ ହୋଇଥିବା ଅଗ୍ରଗତିର ପ୍ରଶଂସା କରିଥିଲେ । ସେ ମଧ୍ୟ ଅର୍ଥନୈତିକ ଏବଂ ସାମାଜିକ ବିକାଶ କ୍ଷେତ୍ରରେ ଭାରତର ସଫଳତାକୁ ପ୍ରଶଂସା କରିବା ସହିତ ଭାରତ ଆହୁରି ସଫଳତା ପାଇବ ବୋଲି ଶୁଭେଚ୍ଛା ଜଣାଇଥିଲେ ।
**********