Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ହାଇଦ୍ରାବାଦ ଆଇଟି ବିଶ୍ୱ ସମ୍ମିଳନୀକୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦ ଆଇଟି ବିଶ୍ୱ ସମ୍ମିଳନୀକୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ


ଭାଇ ଓ ଭଉଣୀମାନେ,

ସୂଚନା ଓ ପ୍ରଯୁକ୍ତି ବିଶ୍ୱ କଂଗ୍ରେସକୁ ଉଦ୍ଘାଟନ କରି ମୁଁ ଆନନ୍ଦିତ । ପ୍ରଥମ ଥର ଲାଗି ଭାରତରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହା ନାସକମ, ୱିଟସା ଏବଂ ତେଲଙ୍ଗାନା ସରକାରଙ୍କ ସହଭାଗୀତାରେ ଆୟୋଜନ କରାଯାଇଛି ।

ମୁଁ ନିଶ୍ଚିତ ଯେ ଏହା ସାରା ବିଶ୍ୱର ନିବେଶ, ଉଦ୍ଭାବକ, ଚିନ୍ତାନାୟକ ଏବଂ ଅନ୍ୟ ଅଂଶୀଦାରଙ୍କୁ ଆପୋସ ଲାଭ ପହଂଚାଇପାରିବ । ବ୍ୟକ୍ତିଗତ ଭାବେ ମୁଁ ସେଠାରେ ଉପସ୍ଥିତ ରହିବା ଲାଗି ପସନ୍ଦ କରିଥାନ୍ତି । ତେବେ ମୁଁ ଖୁସି ଯେ ଆଇଟିର ଶକ୍ତି ଯୋଗୁ ଦୂରରେ ଥାଇ ମଧ୍ୟ ଆପଣମାନଙ୍କୁ ଉଦ୍ବୋଧନ ଦେବା ଲାଗି ସକ୍ଷମ ହୋଇପାରିଛି ।

ଆମ ସହିତ ଯୋଗ ଦେଇଥିବା ସମସ୍ତ ବିଦେଶୀ ପ୍ରତିନିଧିମାନଙ୍କୁ ଭାରତରେ ସ୍ୱାଗତ । ହାଇଦ୍ରାବାଦରେ ସ୍ୱାଗତ ।

ଏହି ସମ୍ମିଳନୀ ଅବସରରେ, ମୁଁ ଆଶା କରେ ଯେ ଆପଣମାନେ ହାଇଦ୍ରାବାଦର ବିବିଧ ଇତିହାସ ଏବଂ ସୁସ୍ୱାଦୁ ବ୍ୟଞ୍ଜନ ବିଷୟରେ ଜାଣିବାର ସୁଯୋଗ ପାଇବେ । ମୁଁ ନିଶ୍ଚିତ ଯେ ଏହା ଆପଣଙ୍କୁ ଭାରତର ଅନ୍ୟ ଅଂଶକୁ ଭ୍ରମଣ କରିବା ଲାଗି ଉତ୍ସାହିତ କରିବ ।

ବାସ୍ତବରେ, ଭାରତ ହେଉଛି ପ୍ରାଚୀନ, ସମୃଦ୍ଧ ଏବଂ ବିବିଧ ସଂସ୍କୃତିର ଦେଶ, ଯାହା ଏକତାର ସୂତ୍ରରେ ପରିଚାଳିତ ହେଉଛି ।

ଭାଇ ଓ ଭଉଣୀମାନେ,

“ବସୁଧୈବ କୁଟୁମ୍ବକମ-ସାରା ବିଶ୍ୱ ଗୋଟିଏ ପରିବାର” ବିଚାର ଭାରତୀୟ ଦର୍ଶନରେ ଗଭୀର ଭାବେ ଆତ୍ମସାତ ହୋଇରହିଛି । ଏହା ଆମର ସାମଗ୍ରୀକ ପରମ୍ପରାକୁ ପ୍ରତିଫଳିତ କରିଥାଏ । ଏକବିଂଶ ଶତାବ୍ଦୀରେ ପ୍ରଯୁକ୍ତି ଏହି ବିଚାରଧାରାକୁ ପ୍ରସାରିତ କରିବାରେ ସହାୟକ ହୋଇଛି । ଏହା ଆମ ପାଇଁ ଏକ ବାଧାମୁକ୍ତ, ସମନ୍ୱିତ ବିଶ୍ୱ ପ୍ରଦାନ କରିବାରେ ସଫଳ ହୋଇଛି ।

ଏପରି ଏକ ବିଶ୍ୱ ଯେଉଁଠି ଉତ୍ତମ ଭବିଷ୍ୟତ ଲାଗି ଏକଜୁଟ ହେବା ପାଇଁ ଭୌଗଳିକ ଦୂରତା ଆଉ ବାଧକ ହୋଇରହିନାହିଁ ।  ଆଜି, ସବୁକ୍ଷେତ୍ରରେ ଭାରତ ଡିଜିଟାଲ ନବସୃଜନର ପ୍ରମୁଖ କେନ୍ଦ୍ର ଭାବେ ମୁଣ୍ଡ ଟେକିଛି ।

ଆମ ପାଖରେ କେବଳ ଅଧିକ ସଂଖ୍ୟକ ଅଭିନବ ଉଦ୍ୟୋଗୀ ନାହାନ୍ତି, ବରଂ ପ୍ରଯୁକ୍ତି ନବସୃଜନ ପାଇଁ ଏକ ବୃହତ ବଜାର ମଧ୍ୟ ରହିଛି । ସାରା ବିଶ୍ୱରେ ଆମ ଦେଶବାସୀ ପ୍ରଯୁକ୍ତିର ସବୁଠୁ ଭଲ ଉପଯୋଗ ଜାଣନ୍ତି ଏବଂ ଆଗକୁ ମଧ୍ୟ ପ୍ରଯୁକ୍ତିଅନୁକୂଳ ରହିବେ । ଦେଶର 1 ଲକ୍ଷ ଗ୍ରାମକୁ ଅପ୍ଟିକାଲ ଫାଇବର ଯୋଡ଼ାଯାଇଛି ତଥା 121 କୋଟି ମୋବାଇଲ ଫୋନ, 120 କୋଟି ଆଧାର ଏବଂ 50 କୋଟି ଇଂଟରନେଟ ବ୍ୟବହାରକାରୀ ଅଛନ୍ତି । ଭାରତ ପ୍ରଯୁକ୍ତି ଶକ୍ତିର ଶ୍ରେଷ୍ଠ ଉପଯୋଗ କରି ଅଗ୍ରସର ହେବା ସହ ପ୍ରତ୍ୟେକ ନାଗରିକର ସଶକ୍ତିକରଣକୁ ସୁନିଶ୍ଚିତ କରୁଛି । ଡିଜିଟାଲ ସଶକ୍ତିକରଣ ଲାଗି ଡିଜିଟାଲ ଅନ୍ତର୍ଭୂକ୍ତିକରଣର ଏକ ଯାତ୍ରା ହେଉଛି ଡିଜିଟାଲ ଇଣ୍ଡିଆ । ଡିଜିଟାଲ ଭିତ୍ତିଭୂମି ନିର୍ମାଣ ଏବଂ ଡିଜିଟାଲ ସେବା ପ୍ରଦାନ ଦ୍ୱାରା ଏହା ଅଧିକ ତ୍ୱରାନ୍ୱିତ ହୋଇଛି । କିଛିବର୍ଷ ପୂର୍ବରୁ ପ୍ରଯୁକ୍ତିର ଏପରି ସାମଗ୍ରୀକ ଉପଯୋଗ ଚିନ୍ତା ଠାରୁ ଉର୍ଦ୍ଧ୍ଵରେ ଥିଲା ।

ଗତ ସାଢ଼େ ତିନି ବର୍ଷ ମଧ୍ୟରେ ଆମେ ଏହି ସଫଳତାପୂର୍ବକ ଏହି ଜୀବନଚକ୍ର ସମ୍ପୂର୍ଣ୍ଣ କରିପାରିଛୁ । ଜନସାଧାରଣଙ୍କ ଅଭ୍ୟାସ ଏବଂ ପ୍ରକ୍ରିୟାରେ ପରିବର୍ତନ କାରଣରୁ ଏହା ସଫଳ ହୋଇଛି । ଡିଜିଟାଲ ଇଣ୍ଡିଆ କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ଏକ ଜୀବନଧାରଣର ମାଧ୍ୟମ ପାଲଟିଛି ।

ପ୍ରଯୁକ୍ତି ପାୱାର ପଏଂଟ ପ୍ରେଜେଂଟେସନ ଠାରୁ ଉର୍ଦ୍ଧ୍ଵକୁ ଯାଇ ମାନବ ଜୀବନର ଅଭିନ୍ନ ଅଙ୍ଗ ପାଲଟିଛି । ଅଧିକାଂଶ ସରକାରୀ କାର୍ଯ୍ୟକ୍ରମ ସରକାରଙ୍କ ପ୍ରୟାସ ଉପରେ ନିର୍ଭରଶୀଳ ଥିବା ବେଳେ ଡିଜିଟାଲ ଇଣ୍ଡିଆ ଜନସାଧାରଣଙ୍କ ପ୍ରୟାସ କାରଣରୁ ସଫଳ ହୋଇଛି ।

ଜାମ (JAM – JanDhan, Aadhar, Mobile)ତ୍ରୟ ଦ୍ୱାରା ଗରିବ ଲୋକଙ୍କ 320ନିୟୁତ  ଜନଧନ ଏକାଉଂଟକୁ ଆଧାର ଏବଂ ମୋବାଇଲ ସହ ଯୋଡ଼ାଯାଇପାରିଛି । ଏହାଦ୍ୱାରା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ସମ୍ଭବ ହେବା ସହ 57 ହଜାର କୋଟି ଟଙ୍କା ସଂଚୟ କରାଯାଇପାରିଛି ।

ପାଖାପାଖି 22ନିୟୁତ ଡିଜିଟାଲ ହସପିଟାଲ କାରବାର ଭାରତର 172ଟି ହସପିଟାଲରେ କରାଯାଇଛି ଯାହା ରୋଗୀଙ୍କ ପାଇଁ ଆଶ୍ୱସ୍ତି ଆଣିଛି । ସହଜ ସ୍କଲାରଶିପ ପାଇଁ ଜାତୀୟ ସ୍କଲାରଶିପ ପୋର୍ଟାଲରେ 14 ନିୟୁତ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି ।

ଇ-ନାମ-ଏକ ଅନଲାଇନ କୃଷି ବଜାର ଯାହା କୃଷକମାନଙ୍କୁ ଶ୍ରେଷ୍ଠ ମୂଲ୍ୟ ପ୍ରଦାନ କରୁଛି । ଏଥିରେ 6.6 ନିୟୁତ କୃଷକ ଏବଂ 470 କୃଷି ବଜାର ସଂଯୁକ୍ତ ହୋଇଛନ୍ତି । ଭୀମ-ୟୁପିଆଇ ଜରିଆରେ ଜାନୁଆରୀ 2018ରେ 15ହଜାର କୋଟି ଟଙ୍କାର ଡିଜିଟାଲ କାରବାର ରେକର୍ଡ କରାଯାଇଛି ।

ମାତ୍ର ତିନି ମାସ ତଳେ ଆରମ୍ଭ ହୋଇଥିବା ଅଭିନବ ଉମଙ୍ଗ ଆପ 185ଟି ସରକାରୀ ସେବା ପ୍ରଦାନ କରୁଛି ।

ଆଜି 2.8 ଲକ୍ଷ ଜନ ସେବା କେନ୍ଦ୍ର ଦେଶର ବିଭିନ୍ନ ଅଂଚଳରେ ଲୋକମାନଙ୍କୁ ବିଭିନ୍ନ ଡିଜିଟାଲ ସେବା ପ୍ରଦାନ କରୁଛି । ଏଥିରେ ପାଖାପାଖି 10 ଲକ୍ଷ କେଲକ କାମ କରୁଛନ୍ତି, ଏମାନଙ୍କ ମଧ୍ୟରେ ହଜାର ହଜାର ମହିଳା ଉଦ୍ୟୋଗୀ ରହିଛନ୍ତି । ଆମ ଯୁବପିଢ଼ିଙ୍କ ଦକ୍ଷତା ଏବଂ ପ୍ରତିଭାର ଶ୍ରେଷ୍ଠ ଉପଯୋଗ ଲାଗି ଉତ୍ତରପୂର୍ବ ଭାରତର କୋହିମା ଏବଂ ଇମ୍ଫାଲରୁ ଆରମ୍ଭ କରି ଜାମ୍ମୁ-କଶ୍ମୀରରେ ବିପିଓ ଖୋଲାଯାଇଛି ।

27ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳରେ 86 ଟି ୟୁନିଟ ଖୋଲାଯାଇସାରିଛି ଏବଂ ଆଗାମୀ ଦିନରେ ଆହୁରି ଖୋଲାଯିବାର କାର୍ଯ୍ୟକ୍ରମ ରହିଛି ।

ପ୍ରତ୍ୟେକ ପରିବାରକୁ ଡିଜିଟାଲ ସାକ୍ଷରତା ପହଁଚାଇବା ଲାଗି ଆମେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଡିଜିଟାଲ ସାକ୍ଷରତା ଅଭିଯାନ ଆରମ୍ଭ କରିଛୁ । ଏହାମାଧ୍ୟମରେ ଗ୍ରାମୀଣ ଭାରତରେ 60 ନିୟୁତ ବୟସ୍କଙ୍କୁ ଡିଜିଟାଲ ସାକ୍ଷର କରାଯିବ । ଏହା ଅଧୀନରେ 10 ନିୟୁତ ଲୋକଙ୍କୁ ବର୍ତ୍ତମାନସୁଦ୍ଧା ତାଲିମ ଦିଆଯାଇସାରିଲାଣି ।

ଆମେ ମେକ ଇନ ଇଣ୍ଡିଆ ଏବଂ ଡିଜିଟାଲ ଇଣ୍ଡିଆ ଅଭିଯାନ ସହ ଅନେକ ବାଟ ଆଗକୁ ଚାଲିଆସିଲୁଣି । 2014ରେ ଭାରତରେ ମାତ୍ର 2ଟି ମୋବାଇଲ ନିର୍ମାଣ ୟୁନିଟ ଥିଲା ଯାହା ବର୍ତ୍ତମାନ 118ରେ ପହଁଚିଛି, ଏଗୁଡ଼ିକ ମଧ୍ୟରେ କେତେକ ବିଶ୍ୱସ୍ତରୀୟ ବ୍ରାଣ୍ଡ ରହିଛି ।

ସରକାରୀ ଇ-ମାର୍କେଟ ପ୍ଲେସ ଭାରତର ଜାତୀୟ କ୍ରୟ ପୋର୍ଟାଲ ଭାବେ ବିକଶିତ ହୋଇଛି । ସରକାରଙ୍କ ବିଭିନ୍ନ କ୍ରୟ ଆବଶ୍ୟକତା ପୂରଣ କରିବା ଲାଗି ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ଏହା କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ସୁଯୋଗ ଦେଇଛି । ଏହି ସହଜ ଆଇ ଫ୍ରେମୱାର୍କ ସରକାରୀ କ୍ରୟରେ ପାରଦର୍ଶିତା ଆଣିପାରିଛି ।  ଏହା ମଧ୍ୟ ସରକାରୀ କ୍ରୟ ପ୍ରକ୍ରିୟାକୁ ଗତିଶୀଳ କରିଛି ଏବଂ ହଜାର ହଜାର କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗୀଙ୍କୁ ସଶକ୍ତ କରିଛି ।

ଗତକାଲି, ମୁମ୍ବାଇ ବିଶ୍ୱବିଦ୍ୟାଳୟ ଠାରେ ୱାଧୱାନୀ ଇନଷ୍ଟିଟ୍ୟୁଟ ଅଫ ଆର୍ଟିଫିସିଆଲ ଇଂଟେଲିଜେନ୍ସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବା ଲାଗି ମୋତେ ସୁଯୋଗ ମିଳିଥିଲା । ସମାଜ କଲ୍ୟାଣ ପାଇଁ କୃତ୍ରିମ ବୁଦ୍ଧି (ଆର୍ଟିଫିସିଆଲ ଇଂଟେଲିଜେନ୍ସ)ର ଉପଯୋଗ ଉଦ୍ଦେଶ୍ୟରେ ଏହା ଏକ ସ୍ୱାୟତ୍ତ, ଅଣଲାଭକାରୀ ଗବେଷଣା ପ୍ରତିଷ୍ଠାନ ।

କିଛିଦିନ ପୂର୍ବରୁ ଦୁବାଇରେ ଆୟୋଜିତ ବିଶ୍ୱ ସରକାର ସମ୍ମିଳନୀରେ ମୁଁ “ଭବିଷ୍ୟତର ସଂଗ୍ରହାଳୟ” ନାମକ ଏକ ପ୍ରଦର୍ଶନୀ ଭ୍ରମଣର ସୁଯୋଗ ପାଇଥିଲି । ଏହାକୁ ଏକ ବିଚାରର ସମାବେଶ ଏବଂ ନବସୃଜନର ସଂଚାଳକ ରୂପରେ ଯୋଜନା କରାଯାଇଥିଲା । ପ୍ରଯୁକ୍ତିର ଉଦ୍ଭାବକମାନଙ୍କୁ ସେମାନଙ୍କ କାର୍ଯ୍ୟ ପାଇଁ ମୁଁ ପ୍ରଶଂସା କରୁଛି, ଏପରି କେତେଜଣ ଆଜି ଶ୍ରୋତାଙ୍କ ମଧ୍ୟରେ ରହିଛନ୍ତି । ସେମାନେ ମାନବ ସଭ୍ୟତାର ଆରାମଦାୟକ ଭବିଷ୍ୟତ ସୁନିଶ୍ଚିତ କରିବାରେ ସହାୟତା କରୁଛନ୍ତି ।

ଆମେ ଆଜି ଚତୁର୍ଥ ଶିଳ୍ପ ବିପ୍ଳବର ଦ୍ୱାରଦେଶରେ ଛିଡ଼ା ହୋଇଛୁ । ପ୍ରଯୁକ୍ତିକୁ ଯଦି ଜନସାଧାରଣଙ୍କ କଲ୍ୟାଣ ପାଇଁ ଭଲ ଭାବେ ଉପଯୋଗ କରାଯାଏ, ଏହା ମାନବ ସଭ୍ୟତାକୁ ଦୀର୍ଘସ୍ଥାୟୀ ସମୃଦ୍ଧି ଏବଂ ବିଶ୍ୱକୁ ନିରନ୍ତର ଭବିଷ୍ୟତ ପ୍ରଦାନ କରିବ । ଏହି ପରିପ୍ରେକ୍ଷୀରେ, ଭାରତରେ ବିଶ୍ୱ ସୂଚନା ପ୍ରଯୁକ୍ତି ସମ୍ମିଳନୀ ଆୟୋଜନ କରାଯାଉଛି ।

ଏହି ସମ୍ମିଳନୀର ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଆମକୁ ଅପେକ୍ଷା କରି ରହିଥିବା ସୁଯୋଗର ପ୍ରତିଫଳିତ କରୁଛି । ବ୍ଲକ ଚେନ ଏବଂ ଇଂଟରନେଟ ଅଫ ଥିଙ୍ଗସ ଭଳି ବିଘାତକ ପ୍ରଯୁକ୍ତି (Disruptive Technologies) ଆମର ଜୀବନଧାରଣ ଏବଂ କାର୍ଯ୍ୟ ଉପରେ ଗଭୀର ସକାରାତ୍ମକ ପ୍ରଭାବ ପକାଇବ । ଆମର କାର୍ଯ୍ୟସ୍ଥଳୀକୁ ଏହାର ଅନୁକୂଳ କରିବାକୁ ହେବ ।

ଭବିଷ୍ୟତର କାର୍ଯ୍ୟସ୍ଥଳ ପାଇଁ ନାଗରିକମାନଙ୍କୁ ଦକ୍ଷତା ତାଲିମ ଦେବା ଗୁରୁତ୍ୱପୂର୍ଣ୍ଣ । ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆମ ପିଲା ଏବଂ ଯୁବକମାନଙ୍କୁ ପ୍ରସ୍ତୁତ କରିବା ଲାଗି ଆମେ ଜାତୀୟ ଦକ୍ଷତା ବିକାଶ ମିଶନ ଆରମ୍ଭ କରିଛୁ । ନୂଆ ପ୍ରଯୁକ୍ତି ମୁଣ୍ଡଟେକିବା କ୍ଷଣି ଆମର ଶ୍ରମଶକ୍ତି ଯେପରି ପୁନଃ କାର୍ଯ୍ୟଦକ୍ଷ ହୋଇପାରିବ ତାହା ଆମକୁ ସୁନିଶ୍ଚିତ କରିବାକୁ ହେବ ।

ଏହି କାର୍ଯ୍ୟକ୍ରମରେ ଆମନ୍ତ୍ରିତ ବକ୍ତାଙ୍କ ମଧ୍ୟରୁ ଜଣେ, ରୋବୋଟ ସୋଫିଆ ନୂଆ ପ୍ରଯୁକ୍ତିର ସମ୍ଭାବନାକୁ ପ୍ରତିଫଳିତ କରୁଛନ୍ତି । ବୁଦ୍ଧିମାନ ସ୍ୱଚାଳନ (ଇଂଟେଲିଜେଂଟ ଅଟୋମେସନ) ଆଡ଼କୁ ଗତି କରୁଥିବା ଯୁଗରେ ଆମକୁ କାର୍ଯ୍ୟର ପ୍ରକୃତି ସହ ପରିଚିତ ହେବାକୁ ପଡ଼ିବ । “ଭବିଷ୍ୟତର ଦକ୍ଷତା” ମଞ୍ଚ ବିକଶିତ କରିଥିବାରୁ ମୁଁ ନାସକମକୁ ପ୍ରଶଂସା କରୁଛି ।

ମୁଁ ସୂଚନା ପାଇଛି ଯେ ନାସକମ 8ଟି ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତି ଚିହ୍ନଟ କରିଛି । ଏଥିମଧ୍ୟରେ ରହିଛି କୃତ୍ରିମ ବୁଦ୍ଧିମତା, ଭର୍ଚୁଆଲ ରିୟଲିଟି, ରୋବୋଟିକ ପ୍ରୋସେସ ଅଟୋମେସନ, ଇଂଟରନେଟ ଅଫ ଥିଙ୍ଗସ, ବିଗ ଡାଟା ଏନାଲିଟିକ୍ସ, ଥ୍ରୀଡି ପ୍ରିଟିଂ, କ୍ଲାଉଡ କମ୍ପ୍ୟୁଟିଂ, ସୋସିଆଲ ଏଣ୍ଡ ମୋବାଇଲ । ନାସକମ 55 ଟି ଜବ ରୋଲ ଚିହ୍ନଟ କରିଛି, ଏଗୁଡ଼ିକର ବିଶ୍ୱ ଦରବାରରେ  ଆଜି ଅଧିକ ଚାହିଦା ରହିଛି ।

ମୁଁ ନିଶ୍ଚିତ ଯେ “ଭବିଷ୍ୟତର ଦକ୍ଷତା” ମଞ୍ଚ ଭାରତକୁ ଏହାର ପ୍ରତିଦ୍ୱନ୍ଦ୍ୱିତା ସ୍ଥିତି ବଜାୟ ରଖିବାରେ ସହାୟକ ହେବ । ଡିଜିଟାଲ ପ୍ରଯୁକ୍ତି ବର୍ତ୍ତମାନ ପ୍ରତ୍ୟେକ ବ୍ୟବସାୟର କେନ୍ଦ୍ରରେ ରହିଛି ।

ବିଭିନ୍ନ କାର୍ଯ୍ୟକଳାପ ଏବଂ ବ୍ୟବସାୟୀକ ପ୍ରତିଷ୍ଠା ପ୍ରକ୍ରିୟାରେ ନୂଆ ପ୍ରଯୁକ୍ତିର ଉପଯୋଗ ହେବା ଆବଶ୍ୟକ ।

ଏତେ କମ ସମୟ ମଧ୍ୟରେ ଏହି ପରିବର୍ତନ ଲାଗି ଆମେ କିପରି ଭାବେ ଆମର ଲକ୍ଷ ଲକ୍ଷ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗୀଙ୍କୁ ପ୍ରସ୍ତୁତ କରିବୁ । ନବସୃଜନର ଗୁରୁତ୍ୱକୁ ଦୃଷ୍ଟିରେ ରଖି ବ୍ୟବସାୟ ଏବଂ ଅର୍ଥବ୍ୟବସ୍ଥାର ଭବିଷ୍ୟତ ଲାଗି ଭାରତ ସରକାର ଷ୍ଟାର୍ଟଅପ ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ କରିଛି ।

ବିଭିନ୍ନ କ୍ଷେତ୍ର ଏବଂ ସ୍ତରରେ ଷ୍ଟାର୍ଟଅପଗୁଡ଼ିକ ଉପଯୋଗୀ ଏବଂ ଅର୍ଥନୈତିକ ସମାଧାନ ପ୍ରଦାନ କରିବ ବୋଲି ଆମେ ବିଶ୍ୱାସ କରୁ ।

ଅଟଳ ଇନୋଭେସନ ମିଶନ ଅନ୍ତର୍ଗତ ଆମେ ଅଟଳ ଟିଙ୍କରିଂ ଲେବ ସାରା ଦେଶର ସ୍କୁଲରେ ପ୍ରତିଷ୍ଠା କରୁଛୁ । ଏହି ଯୋଜନାର ଲକ୍ଷ୍ୟ ହେଉଛି ଯୁବ ମସ୍ତିଷ୍କରେ ଅନୁସନ୍ଧିତ୍ସା, ସୃଜନଶୀଳତା ଏବଂ ପରିକଳ୍ପନାର ମଞ୍ଜି ବୁଣିବା ।

ଭାଇ ଓ ଭଉଣୀମାନେ,

ମୋର ବିଶ୍ୱାସ ଯେ ଆପଣମାନେ ସୂଚନା ପ୍ରଯୁକ୍ତିର ବିଭିନ୍ନ ବିଷୟବସ୍ତୁ ଉପରେ ବିଚାରଆଲୋଚନା କରୁଥିବା ସମୟରେ ସାଧାରଣ ଜନତାଙ୍କ ହିତ ବିଷୟରେ ଚିନ୍ତା କରୁଥିବେ । ପୁଣିଥରେ ମୁଁ ସାରା ବିଶ୍ୱରୁ ଆସିଥିବା ସମ୍ମାନିତ ଅତିଥିମାନଙ୍କୁ ଭାରତରେ ସ୍ୱାଗତ କରୁଛି । ଆପଣମାନଙ୍କ ପ୍ରୟାସ ଫଳପ୍ରଦ ହେଉ ।

ଏହି ଫଳାଫଳ ସାରା ବିଶ୍ୱର ଗରିବ ଏବଂ ବଂଚିତମାନଙ୍କର କଲ୍ୟାଣ କରିବ ବୋଲି ମୁଁ ଆଶା କରେ ।

ଧନ୍ୟବାଦ ।

 

*********