31 ଅକ୍ଟୋବର 2016ରେ “ଏକ ଭାରତ ଶ୍ରେଷ୍ଠ ଭାରତ”ର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, “ସର୍ଦ୍ଦାର ପଟେଲ ଆମକୁ ଏକ ଭାରତ ଦେଇଥିଲେ । ବର୍ତ୍ତମାନ 125 କୋଟି ଭାରତୀୟଙ୍କ କର୍ତ୍ତବ୍ୟ ହେଉଛି ମିଳିମିଶି ଶ୍ରେଷ୍ଠ ଭାରତ ନିର୍ମାଣ କରିବା” । ଏହି ବିଚାର ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ କରିଥିଲା, ଏପରିକି ସେ ଭାରତର ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ।
ରାଷ୍ଟ୍ର ନାୟକ, ଯେଉଁମାନେ ଆମର ପ୍ରିୟ ରାଷ୍ଟ୍ରର ଏକତା, ନିରାପତ୍ତା, ସାର୍ବଭୌମତ୍ୱ ଏବଂ ବିକାଶ ପାଇଁ ଅନେକ କିଛି ବଳିଦାନ ଦେଇଥିଲେ ସେମାନଙ୍କୁ ସମ୍ମାନିତ କରିବାରେ ନରେନ୍ଦ୍ର ମୋଦୀ ବିଶ୍ୱାସ କରିଥାନ୍ତି । ଆମର ଇତିହାସ ଏବଂ ଐତିହ୍ୟ ଆମ ରାଷ୍ଟ୍ରୀୟ ଗୌରବ ଏବଂ ଚେତନାର ଅଂଶବିଶେଷ ହେଉ ବୋଲି ସେ ଚାହାନ୍ତି ।
ଦାଣ୍ଡି ଠାରେ ରାଷ୍ଟ୍ରୀୟ ଲବଣ ସତ୍ୟାଗ୍ରହ ସ୍ମାରକୀ, ଏହାର ଗୋଟିଏ ଉଦାହରଣ । ମହାତ୍ମା ଗାନ୍ଧୀ ଏବଂ ତାଙ୍କର 80 ଜଣ ସହଯୋଗୀ ସତ୍ୟାଗ୍ରହୀମାନଙ୍କୁ ଦ୍ୱାରା ପରିଚାଳିତ 1930 ଦାଣ୍ଡି ଯାତ୍ରାର ଉତ୍ସାହ ଏବଂ ସ୍ଫୃର୍ତ୍ତି ପ୍ରତି ଏହା ଏକ ସମ୍ମାନ ।
182 ମିଟର ଲମ୍ବ ଏକତାର ପ୍ରତିମୂର୍ତ୍ତି, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି, ଏହାର ସବୁଠୁ ଉତ୍କୃଷ୍ଟ ଉଦାହରଣ । ଯାହା ଆଜି, ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି, ସେଥିପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ନରେନ୍ଦ୍ର ମୋଦୀ ସ୍ୱପ୍ନ ଦେଖିଥିଲେ । ଏହି ପ୍ରତିମୂର୍ତ୍ତି ଭାରତକୁ ଏକତ୍ର କରିଥିବା ଲୌହ ପୁରୁଷଙ୍କ ପ୍ରତି କେବଳ ଏକ ଶ୍ରଦ୍ଧାଞ୍ଜଳି ନୁହେଁ, ବରଂ ସମସ୍ତ ଭାରତବାସୀଙ୍କ ପାଇଁ ଅତ୍ୟନ୍ତ ଗୌରବର ସ୍ମାରକୀ ।
ଦଶନ୍ଧି ଧରି, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପରିବାର ଲୋକମାନେ ତାଙ୍କ ଜୀବନ ସହ ଜଡ଼ିତ ଫାଇଲଗୁଡ଼ିକୁ ଉନ୍ମୋଚନ କରିବା ଲାଗି ଦାବି କରିଆସୁଥିଲେ । ପୂର୍ବରୁ ଚାଲିଆସିଥିବା ସରକାର ଏକ ଦୃଢ଼ ପଦକ୍ଷେପ ନେବା ପାଇଁ ବାରଣ କରି ଆସୁଥିଲେ । ଅକ୍ଟୋବର 2015 ପର୍ଯ୍ୟନ୍ତ ଯେତେବେଳେ ନରେନ୍ଦ୍ର ମୋଦୀ ତାଙ୍କର ବାସଭବନରେ ନେତାଜୀଙ୍କ ପରିବାର ଲୋକମାନଙ୍କୁ ଭେଟିଥିଲେ । “ଇତିହାସକୁ ଚାପି ରଖିବାର କୌଣସି କାରଣ ମୁଁ ଦେଖୁନାହିଁ”, ସେ କହିଥିଲେ, ଯେଉଁମାନେ ଇତିହାସକୁ ଭୁଲିଯାଇଛନ୍ତି, ସେମାନେ ଇତିହାସ ରଚିବାର ସାମର୍ଥ୍ୟ ହରାଇଛନ୍ତି । ଫାଇଲଗୁଡ଼ିକୁ ସହଜ ଭାବେ ଉନ୍ମୋଚନ କରାଗଲା, ଏବଂ ଡିଜିଟାଲ ପ୍ଲାଟଫର୍ମରେ ରଖାଗଲା ।
40 ଦଶକର ମଧ୍ୟଭାଗରେ ଲାଲକିଲ୍ଲାଠାରେ ଆଜାଦ ହିନ୍ଦ ଫୌଜ ବିରୋଧରେ ମାମଲା ଚାଲିବା ସାରା ଦେଶକୁ ଦୋହଲାଇ ଦେଇଥିଲା । ତେବେ, ଦଶନ୍ଧି ଦଶନ୍ଧି ଧରି ଯେଉଁ କୋଠାରେ ଏହି ବିଚାର ହୋଇଥିଲା ତାହା ଲାଲକିଲ୍ଲା ପରିସରରେ ବିସ୍ମୃତ ହୋଇ ପଡ଼ିରହିଥିଲା । ଚଳିତ ବର୍ଷ ସୁଭାଷ ବୋଷଙ୍କ ଜୟନ୍ତୀରେ, ପ୍ରଧାନମନ୍ତ୍ରୀ ସେହି କୋଠାରେ ଏକ ସଂଗ୍ରହାଳୟ ନିର୍ମାଣ କରିଥିଲେ, ଏହାକୁ ନେତାଜୀ ଏବଂ ଆଜାଦ ହିନ୍ଦ ଫୌଜକୁ ସମର୍ପିତ କରିଥିଲେ । ଏହି ସଂଗ୍ରହାଳୟ 4ଟି ସଂଗ୍ରହାଳୟକୁ ନେଇ ଏକ ମିଳିତ ପରିସରର ଅଂଶବିଶେଷ ଯାହାକୁ ସମ୍ପୂର୍ଣ୍ଣ ଭାବେ “କ୍ରାନ୍ତି ମନ୍ଦିର” କୁହାଯାଉଛି । 1857 ସିପାହୀ ବିଦ୍ରୋହ ଏବଂ ଜାଲିଆନାୱାଲାବାଗ ଗଣସଂହାର ପ୍ରତି ସମର୍ପିତ ଦୁଇଟି ସଂଗ୍ରହାଳୟ ମଧ୍ୟ ଏହି ପରିସରର ଅଂଶବିଶେଷ ଥିଲା ।
ବିପର୍ଯ୍ୟୟ ମୁକାବିଲା କାର୍ଯ୍ୟରେ ନିୟୋଜିତ ପୋଲିସ ଅଧିକାରୀମାନଙ୍କୁ ସମ୍ମାନିତ କରିବା ଲାଗି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ସମର୍ପିତ ଏକ ପୁରସ୍କାର ମଧ୍ୟ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ।
ଆମ ଇତିହାସର ଅନେକ ମହାନ ନେତାମାନଙ୍କ ଯୋଗଦାନକୁ ମନେ ପକାଇବା ଲାଗି ଗତ ଚାରି ବର୍ଷ ମଧ୍ୟରେ ଏପରି ଅନେକ ସ୍ମାରକୀ ନିର୍ମାଣ କରାଯାଇଛି ।
ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ଚିନ୍ତାଧାରା ମଧ୍ୟରୁ ଗୋଟିଏ ହେଉଛି ପଞ୍ଚତୀର୍ଥ-5ଟି ସ୍ମାରକ ଯାହା ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତି ସମର୍ପିତ । ଏଥିମଧ୍ୟରେ ରହିଛି ମାହୋସ୍ଥିତ ତାଙ୍କର ଜନ୍ମସ୍ଥାନ, ଇଂଲଣ୍ଡରେ ପାଠ ପଢ଼ିବା ସମୟରେ ଲଣ୍ଡନରେ ସେ ରହୁଥିବା ସ୍ଥାନ, ନାଗପୁରସ୍ଥିତ ଦୀକ୍ଷା ଭୂମି, ଦିଲ୍ଲୀସ୍ଥିତ ମହାପରିନିର୍ବାଣସ୍ଥଳୀ ଏବଂ ମୁମ୍ବାଇସ୍ଥିତ ଚୈତ୍ୟ ଭୂମି ।
ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ କଚ୍ଛଠାରେ ଶ୍ୟାମଜୀ କୃଷ୍ଣ ବର୍ମାଙ୍କ ପ୍ରତି ସମର୍ପିତ ଏକ ସ୍ମାରକର ଉଦଘାଟନ କରିଥିଲେ ।
ହରିଆଣାରେ ସେ ମହାନ ସମାଜ ସଂସ୍କାରକ ସାର ଛୋଟୁ ରାମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ ।
ଆରବ ସାଗରର ମୁମ୍ବାଇ ଉପକୂଳରେ ଶିବାଜୀ ସ୍ମାରକ ସ୍ଥଳୀ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିଲେ ।
ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଜାତୀୟ ବିଜ୍ଞାନ କେନ୍ଦ୍ରଠାରେ ସର୍ଦ୍ଦାର ପଟେଲ ଗ୍ୟାଲେରୀ ଉଦଘାଟନ କରିଥିଲେ ।
ନିକଟରେ, ସେ ଜାତୀୟ ପୋଲିସ ସ୍ମାରକକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି, ଏହା ଦେଶ ସେବାରେ ପ୍ରାଣବଳି ଦେଇଥିବା 33,000 ପୋଲିସ କର୍ମଚାରୀଙ୍କ ସାହସ ଏବଂ ବଳିଦାନ ପ୍ରତି ଶ୍ରଦ୍ଧାଞ୍ଜଳି ।
କିଛି ସପ୍ତାହ ମଧ୍ୟରେ, ଏକ ଜାତୀୟ ଯୁଦ୍ଧ ସ୍ମାରକୀ, ମଧ୍ୟ ଉନ୍ମୋଚନ କରାଯିବ, ଏହା ସ୍ୱାଧୀନତା ପର ଠାରୁ ଯୁଦ୍ଧ ଏବଂ ଉଦ୍ଧାର କାର୍ଯ୍ୟରେ ପ୍ରାଣବଳି ଦେଇଥିବା ସେନାର ଯବାନଙ୍କ ପ୍ରତି ହେବ ଶ୍ରଦ୍ଧାଞ୍ଜଳି ।
ସ୍ମାରକଗୁଡ଼ିକ ସେହି ଲୋକମାନଙ୍କ ବଳିଦାନକୁ ମନେ ପକାଇ ଦେଇଥାଏ ଯେଉଁମାନଙ୍କ ଯୋଗଦାନ ଆମକୁ ଆଜି ଉନ୍ନତ ଜୀବନଧାରଣ ପାଇଁ ସମର୍ଥ କରିଛି । ସେମାନେ ବର୍ତ୍ତମାନ ଏବଂ ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣାର ଉତ୍ସ ।
ଏହି ସ୍ମାରକୀଗୁଡ଼ିକ, ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନିର୍ମାଣ କରାଯାଇଛି, ଏଗୁଡ଼ିକ ଜାତୀୟତାର ଗୋଟିଏ ଗୋଟିଏ ସ୍ମାରକୀ, ଯାହା ଏକତା ଏବଂ ଗୌରବର ଭାବନା ଜାଗ୍ରତ କରୁଛି, ଯାହାକୁ ଧାରଣ କରି ରଖିବା ଏବଂ ପ୍ରୋତ୍ସାହିତ କରାଯିବାର ଆବଶ୍ୟକତା ରହିଛି ।
**********