Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ସମୟରେ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ ବିବୃତି

ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ସମୟରେ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ ବିବୃତି

ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ସମୟରେ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ ବିବୃତି


ମହାମହିମ ପ୍ରଧାନମନ୍ତ୍ରୀ ଲୀ ସିଏନ ଲୁଙ୍ଗ,

ଗଣମାଧ୍ୟମର ପ୍ରତିନିଧିଗଣ,

ଚାଳକ ବିହୀନ କାରକୁ ରାସ୍ତାରେ ଛାଡିବାରେ ସିଙ୍ଗାପୁର ବିଶ୍ୱରେ ଅଗ୍ରଣୀ ଦେଶ ବୋଲି ମୋତେ ସୂଚନା ଦିଆଯାଇଛି । ହେଲେ, ଆମର ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ମୁ ନିଶ୍ଚିତ, ଆମେ ସମସ୍ତେ ନିଶ୍ଚିତ । ଭାରତର ଜଣେ ଦୃଢ ଶୁଭେଚ୍ଛୁ ପ୍ରଧାନମନ୍ତ୍ରୀ ଲୀ ସିଙ୍ଗାପୁରର ଚାଳକ ସିଟ୍ ରେ ବସିଛନ୍ତି ତାହା ମଧ୍ୟ ଆମ ପାଇଁ ଆଶ୍ୱସ୍ତିର ବିଷୟ । ମହାମହିମ ଲୀ, ଆପଣ ଭାରତର ଜଣେ ବନ୍ଧୁ । ଆମର ସମ୍ବନ୍ଧକୁ ସୁଦୃଢ କରିବାରେ ଆପଣଙ୍କ ସମର୍ପଣ ଏବଂ ଅବଦାନକୁ ଆମେ ପ୍ରଶଂସା କରୁ । ଆଜି ଏଠାରେ ଆପଣଙ୍କୁ ସ୍ୱାଗତ କରିବା ମୋ ପାଇଁ ବଡ ଗୌରବର କଥା ।

ବନ୍ଧୁଗଣ,

ପ୍ରଧାନମନ୍ତ୍ରୀ ଭାବେ ମୋର ପ୍ରଥମ ସିଙ୍ଗାପୁର ଯାତ୍ରା, କେବଳ ସିଙ୍ଗାପୁରର ନୁହେଁ, ବରଂ ସମଗ୍ର ଏସିଆର ମହାନ ପଥପ୍ରଦର୍ଶକ ଲୀ କ୍ୟୁଆନ ୟୂଙ୍କୁ ସମ୍ମାନ ପ୍ରଦର୍ଶନ ଭଳି ଏକ ପବିତ୍ର ଉଦ୍ଦେଶ୍ୟକୁ ନେଇ ହୋଇଥିଲା । ଚଳିତ ବର୍ଷ ସିଙ୍ଗାପୁରର ଅନ୍ୟ ଏକ ବରପୁତ୍ର ତଥା ପୂର୍ବତନ ରାଷ୍ଟ୍ରପତି ଏସ.ଆର. ନାଥନଙ୍କ ବିୟୋଗ ଆମକୁ ବ୍ୟଥିତ କରିଥିଲା । ସେ ଭାରତର ଜଣେ ଘନିଷ୍ଠ ବନ୍ଧୁ ଥିଲେ । ତାଙ୍କୁ ପ୍ରବାସୀ ଭାରତୀୟ ସମ୍ମାନ ପ୍ରଦାନ କରି ଆମେ ଗୌରବାନ୍ୱିତ ହୋଇଥିଲୁ । ଆମେ ତାଙ୍କୁ ସବୁବେଳେ ମନେରଖିଥିବୁ ।

ବନ୍ଧୁଗଣ,

“Majulah Singapura” – ଅର୍ଥାତ “ଅଗ୍ରସର ସିଙ୍ଗାପୁରା” . . . ହେଉଛି ସିଙ୍ଗାପୁରର ଜାତୀୟ ସଙ୍ଗୀତ । ତେଣୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ, ଯଦି କୌଣସି ଦେଶ ଥାଏ, ଯିଏ ଭବିଷ୍ୟତର ଆବଶ୍ୟକତାକୁ ଆଖିଆଗରେ ରଖି ବର୍ତ୍ତମାନ କାର୍ଯ୍ୟ କରୁଛି, ତେବେ ତାହା ସିଙ୍ଗାପୁର । ନିର୍ମାଣ, ପରିବେଶ, ନବୀନତ୍ୱ, ଜ୍ଞାନକୌଶଳ କିମ୍ବା ଜନସାଧାରଣଙ୍କୁ ସେବା ପ୍ରଦାନ, ଯେ କୌଣସି କ୍ଷେତ୍ର ହେଉ, ଏସବୁରେ ସିଙ୍ଗାପୁର ଆଜି ଯାହା କରୁଛି, ଦୁନିଆ ତାହା କାଲି କରୁଛି ।

ବନ୍ଧୁଗଣ,

ବାର ମାସରୁ ମଧ୍ୟ କମ୍ ସମୟ ପୂର୍ବେ, ମୋର ସିଙ୍ଗାପୁର ଗସ୍ତ ସମୟରେ, ଆମେ ଆମ ଦ୍ୱିପାକ୍ଷିକ ସମ୍ପର୍କକୁ ରଣନୀତିକ ଭାଗୀଦାରିତାରେ ପରିଣତ କରିବାର ନୂତନ ଉତ୍ସାହ ଓ ଶକ୍ତି ନେଇ ଆଗକୁ ବଢିଥିଲୁ ଓ ସେ ଦିଗରେ ଉନ୍ନତି କରିଥିଲୁ । ଉଭୟ ଦେଶର ଜନସାଧାରଣଙ୍କୁ ଏହାର ଲାଭ ପହଞ୍ଚାଇବା ପାଇଁ ସିଙ୍ଗାପୁରର ସାମର୍ଥ୍ୟ ଏବଂ ଭାରତର ମାପଦଣ୍ଡକୁ ଏକାଠି କରିବା ଏବଂ ସିଙ୍ଗାପୁରର ପରିବର୍ତ୍ତନଶୀଳତା ଓ ଆମ ରାଜ୍ୟଗୁଡିକର ଗତିଶୀଳତାକୁ ଯୋଡିବା ଏହି ସହଭାଗୀତାର ଲକ୍ଷ୍ୟ । ଗତ ବର୍ଷ ମୋ ଗସ୍ତ ସମୟରେ ଆମେ ଆମର ମହତ୍ୱାକାଂକ୍ଷୀ ସହଯୋଗ କାର୍ଯ୍ୟସୂଚୀକୁ ବାସ୍ତବତାର ରୂପରେଖ ଦେବାପାଇଁ ଗୋଟିଏ ଯୋଜନା ପ୍ରସ୍ତୁତ କରିଥିଲୁ । ରାଜି ହୋଇଥିବା ନିଷ୍ପତ୍ତିଗୁଡିକୁ ଶୀଘ୍ର କାର୍ଯ୍ୟକାରୀ କରିବା ଆମ ବଚନବଦ୍ଧତା ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ଆଜି ମହାମହିମ ଲୀ ଏବଂ ମୁଁ ଆମର ରଣନୀତିକ ଭାଗୀଦାରିତାର ଆକାର ଏବଂ ଉପାଦାନ ସମ୍ପର୍କରେ ସମୀକ୍ଷା କରିଛୁ । ମୋର ସିଙ୍ଗାପୁର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଲୀ ମୋତେ ଇନଷ୍ଟିଚ୍ୟୁଟ ଫର୍ ଟେକ୍ନିକାଲ୍ ଏଡୁକେଶନ୍ ପରିଦର୍ଶନ ପାଇଁ ନେଇଯାଇଥିଲେ । ଆଜି ଆମେ ଦକ୍ଷତା ବୃଦ୍ଧି ସମ୍ପର୍କରେ ଗୁରୁତ୍ୱ ବହନ କରୁଥିବା ଦୁଇଟି ବୁଝାମଣା ଉପରେ ସ୍ୱାକ୍ଷର କରିଛୁ । ପ୍ରଥମଟି ହେଲା- ଆମ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡିକ ପାଇଁ ଗୁଆହାଟୀଠାରେ ଗୋଟିଏ ସ୍କିଲ୍ ଡେଭେଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା ଏବଂ ଅନ୍ୟଟି ନେସନାଲ ସ୍କିଲ୍ ଡେଭଲପମେଣ୍ଟ କାଉନସିଲ ସମ୍ପର୍କରେ । ଉଦୟପୁରରେ ରାଜସ୍ଥାନ ସରକାରଙ୍କ ସହେଯାଗରେ ଉଦ୍ଘାଟିତ ହେବାକୁ ଥିବା ସେଣ୍ଟର ଅଫ ଏକ୍ସେଲେନ୍ସ ଫର୍ ଟୁରିଜମ୍ ଟ୍ରେନିଂ ପାଇଁ ମଧ୍ୟ ମୁଁ ସ୍ୱାଗତ ଜଣାଉଛି । ସହରୀ ବିକାଶ ଏବଂ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ରାଜସ୍ଥାନ ମଧ୍ୟ ସିଙ୍ଗାପୁର ସହିତ ସହଭାଗୀତା କରୁଛି । ଅମରାବତୀର ବିକାଶ ଏବଂ ଆନ୍ଧ୍ର ପ୍ରଦେଶର ନୂଆ ରାଜଧାନୀ ନିର୍ମାଣ ପାଇଁ ମଧ୍ୟ ସିଙ୍ଗାପୁର ଆମ ସହଯୋଗୀ ରହିଛି ।

ବନ୍ଧୁଗଣ,

ବାଣିଜ୍ୟ ଏବଂ ବିନିଯୋଗ କ୍ଷେତ୍ରରେ ଥିବା ଆମ ସହଭାଗିତା ହିଁ ଆମ ଦ୍ୱିପାକ୍ଷିକ ସମ୍ପର୍କର ଭିତ୍ତିଭୂମି ନିର୍ମାଣ କରୁଛି । ବ୍ୟବସାୟ ସହ ବ୍ୟବସାୟର ଏକ ଦୃଢ ନେଟୱାର୍କଜନିତ ଲାଭ ମଧ୍ୟ ଆମେ ଉଠାଉଛୁ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଲୀ ଏବଂ ମୁଁ ଆମ ସୁପରିକଳ୍ପିତ ଅର୍ଥନୈତିକ ସହଯୋଗ ରାଜିନାମାର ଦ୍ୱିତୀୟ ସମୀକ୍ଷାକୁ ତ୍ୱରାନ୍ୱିତ କରିବା ପାଇଁ ରାଜି ହୋଇଛୁ । ବୌଦ୍ଧିକ ସମ୍ପତ୍ତି ସମ୍ପର୍କରେ ଆଜି ସ୍ୱାକ୍ଷରିତ ହୋଇଥିବା ବୁଝାମଣା ପତ୍ର ବ୍ୟବସାୟ ବ୍ୟବସାୟ ମଧ୍ୟରେ ଅଧିକ ବିନିମୟ ଏବଂ ସହଯୋଗିତା ପାଇଁ ପଥ ପରିଷ୍କାର କରିବ । ସିଙ୍ଗାପୁରରେ କର୍ପୋରେଟ ରୂପି ବଣ୍ଡ ଜାରି ହେବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଲୀ ଏବଂ ମୁଁ ସ୍ୱାଗତ କରୁଛୁ । ଭାରତର ବୃହତ୍ ଭିତ୍ତିଭୂମି ବିକାଶର ଆବଶ୍ୟକତା ପୂରଣ ନିମନ୍ତେ ପୁଞ୍ଜି ଯୋଗାଡ ଦିଗରେ ଏହା ହେବ ଆଉ ଗୋଟିଏ ପଦକ୍ଷେପ ।

ବନ୍ଧୁଗଣ,

ଆମର ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗିତା ଆମ ରଣନୀତିକ ଭାଗୀଦାରିତାର ମୂଖ୍ୟ ଆଧାର । ଦୁଇଟି ତଟବର୍ତ୍ତୀ ଦେଶ ଭାବରେ ଯୋଗାଯୋଗ ପାଇଁ ସାମୁଦ୍ରିକ ମାର୍ଗକୁ ଖୋଲା ରଖିବା ଏବଂ ସାଗର ଓ ମହାସାଗର ପାଇଁ ରହିଥିବା ଆନ୍ତର୍ଜାତିକ ଆଇନଗତ ଆଦେଶକୁ ସମ୍ମାନ ଜଣାଇବା ଆମ ଉଭୟ ଦେଶର ପ୍ରାଥମିକତା ଅଟେ । ଆସିଆନର ଆଦର୍ଶ ଆଧାରରେ ବିଶ୍ୱାସର ବାତାବରଣ ମଧ୍ୟରେ ରହି ଆଞ୍ଚଳିକ ସହଯୋଗିତା ପାଇଁ ଗୋଟିଏ ଖୋଲା ଏବଂ ସମାବେଶୀ ଢାଞ୍ଚାର ନିର୍ମାଣ ପୂର୍ବ ଏସିଆ ଶିଖର ବୈଠକ ଏବଂ ଏସିଆନ ରିଜିଓନାଲ ଫ୍ରେମୱାର୍କର ଲକ୍ଷ୍ୟ । ବୃଦ୍ଧି ପାଉଥିବା ଆତଙ୍କବାଦ, ବିଶେଷକରି ସୀମାପାର ଆତଙ୍କବାଦ ଏବଂ ମୌଳବାଦର ଅଭ୍ୟୁଦୟ ଆମ ସୁରକ୍ଷା ପାଇଁ ବଡ ଆହ୍ୱାନ ସୃଷ୍ଟି କରିଛି । ସେମାନେ ଆମ ସମାଜକୁ ଭୟଭୀତ କରୁଛନ୍ତି । ଯେଉଁମାନେ ଶାନ୍ତି ଏବଂ ମାନବିକତା ଉପରେ ବିଶ୍ୱାସ କରନ୍ତି ସେମାନେ ଏହି ଧମକ ବିରୁଦ୍ଧରେ ଗୋଟିଏ ମଞ୍ଚରେ ଠିଆ ହୋଇ ଏକ ସଙ୍ଗେ କାର୍ଯ୍ୟ କରବା ଆବଶ୍ୟକ ବୋଲି ମୋର ଦୃଢ ବିଶ୍ୱାସ । ସାଇବର ସୁରକ୍ଷା ସମେତ ଏହି ଆଶଙ୍କାର ମୁକାବିଲା କରିବା ପାଇଁ ସହଯୋଗ ବୃଦ୍ଧି ନିମନ୍ତେ ଆଜି ଆମେ ଏକମତ ହୋଇଛୁ ।

ମହାମହିମ ଲୀ,

ଏକ ଦୃଢ ଅର୍ଥନୈତିକ ଅଭିବୃଦ୍ଧି ଏବଂ ରୂପାନ୍ତର ଦିଗରେ ଭାରତ ଅଗ୍ରସର ହୋଇଛି । ଏହି ଯାତ୍ରାରେ ସିଙ୍ଗାପୁରକୁ ଆମେ ପ୍ରମୁଖ ସହଭାଗୀ ମନେକରୁଛୁ । ନିକଟ ଅତୀତରେ ଆମେ ରୂପାନ୍ତର ଦିଗରେ ଉପପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ସନମୁଗରତ୍ନମଙ୍କ ଚିନ୍ତାଧାରାରୁ ଲାଭାନ୍ୱିତ ହୋଇଛୁ । ଆପଣଙ୍କ ବ୍ୟକ୍ତିଗତ ବନ୍ଧୁତ୍ୱ ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ କରିବାରେ ଆପଣଙ୍କ ନେତୃତ୍ୱକୁ ମଧ୍ୟ ମୁଁ ଗଭୀର ସମ୍ମାନ ଜଣାଉଛି । ମୁଁ ପୁଣିଥରେ ଆପଣ ଏବଂ ଆପଣଙ୍କ ପ୍ରତିନିଧି ଦଳକୁ ସ୍ୱାଗତ କରୁଛି । ଆପଣଙ୍କ ଭାରତ ଗସ୍ତ ଫଳପ୍ରଦ ଏବଂ ସଫଳ ହେବ ବୋଲି ମୋର ବିଶ୍ୱାସ ।

ଧନ୍ୟବାଦ ।

ବହୁତ ବହୁତ ଧନ୍ୟବାଦ ।