Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ “ଏକ ନୟୀ ସୁବହା” କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ “ଏକ ନୟୀ ସୁବହା” କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ


ଦେଶବାସୀମାନଙ୍କୁ ନମସ୍କାର ।

ଦୁଇ ବର୍ଷ ପୂର୍ବେ ଦେଶ ଆମକୁ ଗୋଟିଏ ନୂଆ ଦାୟୀତ୍ୱ ଦେଲା ଏବଂ ଗଣତନ୍ତ୍ରର ନିୟମାନୁଯାୟୀ ନିର୍ବାଚିତ ସରକାରଙ୍କର ଅନବରତ ମୂଲ୍ୟାଙ୍କନ ହେବା ଉଚିତ । ତୃଟି-ବିଚ୍ୟୁତି ହେଉ, ଭଲ କାମ ହେଉ, ଏହାର ହିସାବ-ନିକାଶ ହେବା ଉଚିତ । ଦୁଇ ବର୍ଷର କାର୍ଯ୍ୟକାଳ ଉପରେ ଦୃଷ୍ଟିପାତ କଲେ ଏହି କଥା ମଧ୍ୟର ମୂଲ୍ୟାଙ୍କନ କରି ହେବ ଯେ ଯାହାକୁ ଆମେ ଗନ୍ତବ୍ୟ ସ୍ଥଳ ବୋଲି ସି୍ଥର କରି ବାହାରି ଥିଲୁ, ସେଠାକୁ ଆମେ ପହଞ୍ଚି ପାରିଛୁ କି ନାହିଁ । ଯେଉଁ ଦିଗରେ ଚାଲି ଥିଲୁ ତାହା ଠିକ୍ କି ନାହିଁ । ଯାହା ଉଦ୍ଦେଶ୍ୟ ଥିଲା, ତାହା ପୂରଣ ହେଲା କି ନାହିଁ ।

ଏହି ଦୁଇ ବର୍ଷର ହିସାବ-ନିକାଶକୁ ଦେଖିଲେ ଆଗାମୀ ଦିନ ପାଇଁ କେବଳ ସରକାରରେ ନୁହେଁ, ଦେଶବାସୀମାନଙ୍କ ମଧ୍ୟରେ ବି ଆତ୍ମବିଶ୍ୱାସ ସୃଷ୍ଟି ହେଉଛି । ସମଗ୍ର ଦେଶରେ ଲକ୍ଷ୍ୟ କରୁଛି, ଗତ ପ୍ରାୟ ୧୫ ଦିନ ହେବ ଭାରତ ସରକାରଙ୍କ ପ୍ରତ୍ୟେକ କାର୍ଯ୍ୟର ଟିକିନିଖି ଭାବେ ମୂଲ୍ୟାଙ୍କନ ହେଉଛି । ପ୍ରତ୍ୟେକ ଦିଗକୁ ଟିକିନିଖି ଭାବେ ପରୀକ୍ଷା କରାଯାଉଛି ଏବଂ ଆଜି ଦେଶବାସୀଙ୍କ ସମ୍ମୁଖରେ ଅତ୍ୟନ୍ତ ସନ୍ତୁଷ୍ଟି ସହ ଦଣ୍ଡାୟମାନ । ଏତେ ସୂକ୍ଷ୍ମତାର ସହ ପରୀକ୍ଷା ହେବା ପରେ ଆମେ ଗୋଟିଏ ନୂତନ ବିଶ୍ୱାସ ଲାଭ କରିପାରିଛୁ, ନୂଆ ଉତ୍ସାହ ଲାଭ କରିପାରୁଛୁ । ଜନସାଧାରଣଙ୍କ ଆଶୀର୍ବାଦ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଯାହାଫଳରେ ଆମର କାମ କରିବାର ଉତ୍ସାହ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ରାଜନୈତିକ କାରଣରୁ ବିରୋଧ କରିବା ଯେଉଁମାନଙ୍କ ପାଇଁ ଅନିର୍ବାର୍ଯ୍ୟ ସେମାନଙ୍କ ପାଇଁ ମୁଁ କିଛି କହିପାରିବିନି । ଗଣତନ୍ତ୍ରରେ ଏହା ସ୍ୱାଭାବିକ । କିନ୍ତୁ ଦେଶ ଗତ ୧୫ ଦିନରେ ଦୁଇଟି କଥା ସ୍ପଷ୍ଟଭାବେ ଦେଖିପାରିଛି । ଏକ ପକ୍ଷରେ ବିକାଶବାଦ ଏବଂ ଅନ୍ୟ ପକ୍ଷରେ ବିରୋଧବାଦ । ଏହି ବିକାଶବାଦ ଏବଂ ବିରୋଧବାଦ ମଧ୍ୟରେ ଜନସାଧାରଣ କ୍ଷୀର-ନୀର ନ୍ୟାୟରେ ସତ୍ୟ କଣ, ସତ୍ୟର ମାତ୍ରା କେତେ ତାହା ଠିକ୍ ଭାବେ ମାପିପାରିବେ ।

ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ତେଣୁ ସେ ସବୁ କଥାକୁ ମୁଁ ଏଠାରେ ଦୋହରାଇବାକୁ ଚାହୁଁ ନାହିଁ । କିନ୍ତୁ ଏହା ଯେ ନିଶ୍ଚୟ ଏକ ଚିନ୍ତାର କାରଣ । ଗଣତନ୍ତ୍ରରେ ପ୍ରସଙ୍ଗ ଆଧାରରେ, ସତ୍ୟତାକୁ ଭିତ୍ତିକରି ପ୍ରତ୍ୟେକ କାର୍ଯ୍ୟର କଠିନ ମୂଲ୍ୟାଙ୍କନ ହେବା ଆବଶ୍ୟକ । କିନ୍ତୁ ଆମ ଦ୍ୱାରା ଏଭଳି କୌଣସି ଭୁଲ୍ ନ ହେଉ ଯାହା ଦେଶକୁ ବିନା କାରଣରେ ହତାଶାର ଗର୍ତ୍ତ ମଧ୍ୟକୁ ଠେଲିବାର ପ୍ରୟାସ କରେ । ବେଳେ ବେଳେ ଏଭଳି କଥା ଦୃଷ୍ଟିଗୋଚର ହୁଏ, ଯେଉଁଠି କୌଣସି ସତ୍ୟତା ନଥାଏ । ଏଭଳି ପରିସ୍ଥିତି ବିବ୍ରତ କରାଏ ।

ସରକାରଙ୍କ କାର୍ଯ୍ୟର ସମୀକ୍ଷା ଏହାର ପୂର୍ବ ସରକାରମାନଙ୍କ କାର୍ଯ୍ୟ ସହ ତୁଳନାତ୍ମକଭାବେ ହୁଏ । ଆଗ କଣ ହେଉଥିଲା, ଏବେ କଣ ହେଉଛି ଏହାର ଏକ ତୁଳନାତ୍ମକ ଅଧ୍ୟୟନ ଚାଲିଛି । ବିଗତ ସରକାରମାନଙ୍କ କାର୍ଯ୍ୟ ଉପରେ ଦୃଷ୍ଟିପାତ ନ କରି ହଠାତ୍ ବର୍ତ୍ତମାନର କାର୍ଯ୍ୟକୁ ନେଇ ଆଲୋଚନା କଲେ ହୁଏତ ଠିକ୍ ମୂଲ୍ୟାଙ୍କନ କରିପାରିବେ ନାହିଁ । ଆଜି ଯଦି ମୋ ସରକାର କହେ ଯେ ଆମେ କୋଇଲା ସମସ୍ୟାର ସମାଧାନ କରିଛୁ । ଆପଣ କଳ୍ପନା କରିପାରୁଥିବେ, ହଠାତ୍ ସୁପ୍ରିମ କୋର୍ଟ କୋଇଲା ଖଣିଗୁଡିକର ଲାଇସେନ୍ସ ବାତିଲ କରୁଛନ୍ତି ଏବଂ ବିଜୁଳି ଉତ୍ପାଦନ କେନ୍ଦ୍ରମାନଙ୍କରେ କୋଇଲା ସଙ୍କଟ ଦେଖାଦେଉଛି । ଏଭଳି ସଙ୍କଟଜନକ ପରିସ୍ଥିତିରେ ଯେତେବେଳେ କି ସମ୍ପୂର୍ଣ୍ଣ ସରକାର କୋଇଲା ଦୁର୍ନିତି ଯୋଗୁଁ ସମଗ୍ର ଦେଶରେ କୁଖ୍ୟାତି ଅର୍ଜନ କରିସାରିଛି ।

ଦୁଇ ବର୍ଷ ପୂର୍ବେ କୌଣସି ଖବରକାଗଜ, କୌଣସି ଦିନ, କୌଣସି ଟିଭି, କୌଣସି ଚ୍ୟାନେଲ, କୌଣସି ଆଲୋଚନା, କୌଣସି ଭାଷଣ ଏହି ଭୟଙ୍କର ଦୁର୍ନିତିର ସ୍ପର୍ଶରୁ ମୁକ୍ତ ନ ଥିଲେ, କିନ୍ତୁ ଆଜି ଯଦି ମୁଁ ଏକଥା କହେ ଯେ ନିଲାମ୍ କରାଗଲା, ସ୍ୱଚ୍ଛତାର ସହ କରାଗଲା । ଏଯାବତ୍ ଏହା ଉପରେ କୌଣସି ପ୍ରଶ୍ନବାଚୀ ସୃଷ୍ଟି ହୋଇ ନାହିଁ । ଦେଶର ରାଜସ୍ୱରେ ଲକ୍ଷ ଲକ୍ଷ କୋଟି ଟଙ୍କା ଆସିବା ଏକ ପ୍ରକାର ସ୍ଥିର ହୋଇ ଯାଇଛି । ରାଜ୍ୟମାନଙ୍କ ରାଜସ୍ୱ ମଧ୍ୟ ବୃଦ୍ଧି ପାଉଛି । କେବଳ ସେତିକି ନୁହେଁ, କୋଇଲା ଖଣି ଥିବା ଅଞ୍ଚଳରେ ପ୍ରାୟତଃ ଆଦିବାସୀମାନେ ବାସ କରୁଛନ୍ତି । ସେମାନଙ୍କ କଲ୍ୟାଣ ନିମନ୍ତେ ମଧ୍ୟ ଏଥିରୁ ପାଣ୍ଠି ବାହାରିବ ।

ଏସବୁ କଥା ମୁଁ ସେମିତି କହିଦେଲେ ଲାଗିବ ଯେ ମୋଦୀ ଜୀ କାମ କରିଦେଲେ । କିନ୍ତୁ ଏହାର ଶକ୍ତି ସେତେବେଳେ ବୁଝାପଡେ ଯେତେବେଳେ ଆମେ ଚିନ୍ତା କରୁ ଯେ, ସୁପ୍ରିମ୍ କୋର୍ଟକୁ ଏଭଳି କାହିଁକି କରିବାକୁ ପଡିଲା, କୋଇଲାରେ ଏତେ ଦୁର୍ନିତି କାହିଁକି ହୋଇଥିଲା, କିଭଳି ଢଙ୍ଗରେ ଚାଲିଥିଲା ଆଉ ସେଥିରୁ ଦେଶକୁ ଉଦ୍ଧାର କରିବା . . . ଏସବୁ ଚିନ୍ତା କଲେ ହିଁ ବୁଝିହେବ ଯେ, କେତେ ବଡ କାମ ହୋଇପାରିଛି, କେତେ ଗୁରୁତ୍ୱପୂର୍ଣ୍ଣ କାମ ହୋଇପାରିଛି । ତେଣୁ ବିଗତ ସରକାରମାନଙ୍କ କାର୍ଯ୍ୟକୁ ମନେ ପକାଇ ବର୍ତ୍ତମାନର ସରକାରଙ୍କ କାର୍ଯ୍ୟକୁ ପରୀକ୍ଷା କଲେ ହିଁ ଜଣା ପଡିବ ଯେ କେତେ ବଡ ପରିବର୍ତ୍ତନ ହୋଇଛି ।

ଏ କଥା କିଏ ଅସ୍ୱୀକାର କରିବ ଯେ, ଦୁର୍ନିତି ଉଈ ଭଳି ଏହି ଦେଶକୁ ଭିତରୁ ଫମ୍ପା କରିଦେଇଛି, ନଷ୍ଟ କରିଦେଇଛି । ଆମର ସବୁ ସ୍ୱପ୍ନକୁ ଚୁରମାର୍ କରିବାର ଶକ୍ତି ଯଦି କୌଣସି ଉଈର ରହିଛି ତେବେ ସେ ଉଈର ନାମ ହେଉଛି ଦୁର୍ନିତି ।

ଦୁର୍ନିତି ବିରୁଦ୍ଧରେ ମୁଁ ଖୁବ ସହଜ ଉପାୟରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇ ଭାରତର ଜନମାନସକୁ ଆନ୍ଦୋଳିତ କରୁଥିବା ଏହି ପ୍ରସଙ୍ଗକୁ ସ୍ପଷ୍ଟ କରିବାର ପ୍ରମାଣିତ ପ୍ରଚେଷ୍ଟା କରିଛି । ଗଭୀରତାକୁ ଯାଇ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଆପଣ କଳ୍ପନା କରିପାରୁଛନ୍ତି ଏ ଦେଶ କେମିତି ଚାଲିଥିଲା ? ଯେଉଁ ଝିଅ କେବେ ଜନମି ନାହିଁ, ଦେଶର ସରକାରଙ୍କ ଫାଇଲ୍ ରେ ସେ ଝିଅ ବିଧବା ମଧ୍ୟ ହୋଇଯାଉଛି ଏବଂ ସେହି ବିଧବା ଝିଅକୁ ପେନସନ୍ ମଧ୍ୟ ମିଳିବା ଆରମ୍ଭ ହୋଇଯାଉଛି, ବର୍ଷ ବର୍ଷ ଧରି ମିଳୁଛି ଏବଂ ଏଭଳି ଦୁର୍ନିତି ସମ୍ପର୍କରେ ଆଲୋଚନା ମଧ୍ୟ ହେଉ ନାହିଁ ।

ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଯୋଜନା ଅଧୀନରେ ଆମେ ଯେତେବେଳେ ରୋଷେଇ ଗ୍ୟାସ ସବସିଡି ସିଧା ପହଞ୍ଚାଇବା ଆରମ୍ଭ କଲୁ, ତାହାକୁ ଆଧାର ସହ ସଂଯୁକ୍ତ କଲୁ, ଜନ-ଧନ ଖାତା ସହ ସଂଯୁକ୍ତ କଲୁ, ଏହା ଫଳରେ କେତେ ଆଶ୍ଚର୍ଯ୍ୟଜନକ ପରିଣାମ ମିଳିଲା । ଦେଶବାସୀ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, କେବଳ ରୋଷେଇ ଗ୍ୟାସ କ୍ଷେତ୍ରରେ ଏତେ ବେନାମୀ ସଂଯୋଗ ଥିବା ଜଣା ପଡିଲା, ଯାହାକୁ ବନ୍ଦ କରିବାର ପ୍ରଚେଷ୍ଟା ଫଳରେ ପ୍ରାୟ ୧୫ ହଜାର କୋଟି ଟଙ୍କା, ଯାହା ଉପରେ ଆପଣମାନଙ୍କ ଅଧିକାର ରହିଛି, ସଞ୍ଚୟ ହୋଇପାରିଲା ।

କାହା ଘରେ ଚଢାଉ ହୋଇ ୫୦ କୋଟି ଟଙ୍କା ମିଳିଗଲେ ତାହା ଆମ ଦେଶରେ ମୁଖ୍ୟ ଖବର ପାଲଟିଯାଏ । ଯୋଜନାବଦ୍ଧ ଭାବରେ ବଡ ପରିଶ୍ରମ ଫଳରେ ଦେଶର ୧୫ ହଜାର କୋଟି ଟଙ୍କା ସଞ୍ଚୟ ହୋଇପାରିଛି । ମୋର ଏହି ଗୋଟିଏ କାମ ପାଇଁ ମୋ ଦେଶ ଏକଥା କହିବ ଯେ, ମୋଦୀ ଜୀ ଆପଣ ଠିକ୍ କରୁଛନ୍ତି ।

ଆପଣ ଜାଣି ଆଶ୍ଚର୍ଯ୍ୟାନ୍ୱିତ ହେବେ, ରାସନ୍ କାର୍ଡ, ଯେଉଁଥିରେ ଗରିବମାନଙ୍କୁ ଶସ୍ତାରେ ଖାଦ୍ୟଶସ୍ୟ ମିଳେ, କିରୋସିନ ମିଳେ ଏବଂ ତାର ଆବଶ୍ୟକତା ପୂରଣ ହୁଏ । ଆମେ ଟିକିଏ ତଦନ୍ତ କଲୁ ଯେ, ଦେଖିବା ସେଠି କି ପ୍ରକାର କାମ ଚାଲିଛି । କାରଣ ଗରିବ ଘରକୁ ଯାଉଥିବା ଚାଉଳ ତାକୁ ୩ ଟଙ୍କାରେ ମିଳୁ, ୨ ଟଙ୍କାରେ ମିଳୁ କି ୧ ଟଙ୍କାରେ ମିଳୁ କିନ୍ତୁ ଜାଣିପାରୁନାହିଁ ଯେ, କିଲୋ ପ୍ରତି ୨୭ ଟଙ୍କା ଭାରତ ସରକାରଙ୍କ କୋଷରୁ ଯାଉଛି । ସେ ସେକଥା ଜାଣିପାରୁ ନାହିଁ । ମୋ କାମ ତ ଏବେ ବି ଚାଲିଛି, କିନ୍ତୁ ଯେତିକି ସରିଛି ସେତିକିରେ ୧ କୋଟି ୬୨ ଲକ୍ଷରୁ ଅଧିକ ବେନାମୀ ରାସନ୍ କାର୍ଡ ଆମେ ଖୋଜି ବାହାର କରିଛୁ । ୧ କୋଟି ୬୨ ଲକ୍ଷ ବେନାମୀ ରାସନ୍ କାର୍ଡ । ମାନେ, ସେହି ରାସନ କାର୍ଡରେ ଯାହା ଯାଉଥିଲା ତାହା କାହାରି ନା କାହାରି ପକେଟକୁ ଯାଉଥିଲା । କେଉଁଠି ନା କେଉଁଠି ତ ଦୁର୍ନିତି ଚାଲିଥିଲା ।

ଆମର ଆଧାର ଯୋଜନାକୁ ନେଇ, ଜନ-ଧନ ଯୋଜନାକୁ ନେଇ, ମୋବାଇଲ ସଂଯୋଗକୁ ନେଇ, ହରିୟାନା ସରକାର ଗୋଟିଏ ଅଭିଯାନ ଆରମ୍ଭ କଲେ । ଗୋଟିଏ ଛୋଟିଆ ରାଜ୍ୟରେ କିରୋସିନ ନେଉଥିବା ବେନାମୀ ଲୋକଙ୍କ ସଂଖ୍ୟା ୬ ଲକ୍ଷ ଥିବା ଜଣାପଡିଲା । ଏହି ୬ ଲକ୍ଷ ଲୋକଙ୍କ ନାଁ ରେ ସବସିଡ ଯୁକ୍ତ କିରୋସିନ୍ ଯାଉଥିଲା । କୁଆଡେ ଯାଉଥିବ ସେହି କିରୋସିନ୍, ଡିଜେଲ୍ ରେ ମିଶାଇବା ପାଇଁ ଯାଉଥିବ, ପ୍ରଦୁଷଣ ବଢାଇବା ପାଇଁ ଯାଉଥିବ, କୌଣସି ରାସାୟନିକ କାରଖାନାରେ କାମରେ ଲାଗୁଥିବ । ଆଉ ସରକାରୀ ଧନ ଗରିବମାନଙ୍କ ନାଁ ରେ ଯାଉଥିବ ।

୧ କୋଟି ୬୨ ଲକ୍ଷ ରାସନ୍ କାର୍ଡ, ୬ ଲକ୍ଷ କିରୋସିନ୍ ବାଲା ! ଏହି ଯୋଜନା ଅଧୀନରେ ମାତ୍ର ଗୋଟିଏ ରାଜ୍ୟରେ ଆମେ ୫୪୦ କୋଟି ଟଙ୍କା ସଞ୍ଚୟ କଲୁ । ଶିକ୍ଷକ ନାହାନ୍ତି, ଦରମା ଯାଉଛି, ୟୂନିଫର୍ମ ଯାଉଛି, ସ୍କୁଲ ପାଇଁ ମଧ୍ୟାହ୍ନ ଭୋଜନ ଯାଉଛି କାରଣ ଶିକ୍ଷକ ଥିଲେ ସ୍କୁଲ ତ ନିଶ୍ଚୟ ଥିବ । ତଦନ୍ତରେ ଏ ସବୁ କଥା ପଦାକୁ ଆସୁଛି । ଫଳ କଣ ହେଲା, ମୋଟାମୋଟି ଭାବରେ ହିସାବ କଲେ, ପ୍ରାୟ ୩୬୦୦୦ କୋଟି ଟଙ୍କାର ବାଟମାରଣା ଅଟକି ଯାଇଛି । ଏଭଳି ଦୁର୍ନିତି ଚାଲିଥିଲା ଯାହା ଅଟଳିଗଲା ଏବଂ ପ୍ରତି ବର୍ଷ ଏତେ ଟଙ୍କା ସଞ୍ଚୟ ହେବ । ଇଏ ତ ଆରମ୍ଭ, ଏହା ଏକ ନବ-ପ୍ରଭାତ ।

କିଛି ଲୋକ କହୁଛନ୍ତି ଯେ, ମୋଦୀ ଜୀ ଆପଣ ଏତେ ପରିଶ୍ରମ କରୁଛନ୍ତି, ଏତେ କାମ କରୁଛନ୍ତି, ଆପଣଙ୍କୁ ଏତେ ବିରୋଧ କାହିଁକି ? ପ୍ରତିଦିନ ଆପଣଙ୍କ ବିରୋଧରେ ଏତେ ତୁମ୍ବି-ତୋଫାନ୍ କାହିଁକି ? ଆପଣ ନିଜ ପାଇଁ ଗୋଟିଏ ସଠିକ୍ ଯୋଗାଯୋଗ କୌଶଳ ପ୍ରସ୍ତୁତ କରନ୍ତୁ । ଆପଣ ଗଣମାଧ୍ୟମ ସହ କଥା ହେବା ପାଇଁ କିଛି କରନ୍ତୁ । ମୋତେ ବହୁତ ଲୋକ ବୁଝାନ୍ତି, ହେଲେ ମୁଁ ତାଙ୍କୁ କେମିତି ବୁଝାଇବି ଯେ, କିଛି ଲୋକମାନଙ୍କ ପକେଟକୁ ୩୬ ହଜାର କୋଟି ଟଙ୍କା ଯାଉଥିଲା, ଯାହା ମୋଦୀ ବନ୍ଦ କରାଇଦେଲା, ତେବେ ମୋଦୀ ଗାଳି ଶୁଣିବନି ତ ଆଉ କଣ ଶୁଣିବ ? ଲୁଟୁଥିବା ଏହି ଲୋକମାନଙ୍କୁ କେତେ ଯେ ଅସୁବିଧା ନ ହେଉଥିବ, ଏହାର କଳ୍ପନା ଆମେ ଭଲ ଭାବେ କରିପାରିବା । ମୁଁ ଏଭଳି ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିବି, ଯାହା ଉପରେ ଆମେ ଦୁଇ ବର୍ଷରେ ଖୁବ୍ ଠିକ୍ ଢଙ୍ଗରେ ପଦକ୍ଷେପ ନେଇଛୁ ଏବଂ ଏହାର ପରିଣାମ ଆଜି ଦୃଷ୍ଟିଗୋଚର ହେଉଛି ।

ଆପଣ ଦେଖନ୍ତୁ ଏଲଇଡି ବଲ୍ବ, କେତେ ଟଙ୍କାରେ ବିକ୍ରି ହେଉଥିଲା, ୨୦୦, ୨୫୦, ୩୦୦ ଟଙ୍କା ଦାମ୍ ଥିଲା । ଆଜି ତାହା ୬୦, ୭୦, ୮୦ ଟଙ୍କା ହୋଇଯାଇଛି । ଆମ ଦେଶରେ ଆମେ ଯଦି କେଉଁଠି ବିଜୁଳି ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବା ଏବଂ ଆମେ ଘୋଷଣା କରିବା ଯେ, ଦୁଇ ଲକ୍ଷ କୋଟି ଟଙ୍କା ବିନିଯୋଗରେ ବିଜୁଳି ଉତ୍ପାଦନ କେନ୍ଦ୍ର ସ୍ଥାପିତ ହେବ କିମ୍ବା ଲକ୍ଷେ କୋଟି ଟଙ୍କା ବିନିଯୋଗରେ ବିଜୁଳି ଉତ୍ପାଦନ କେନ୍ଦ୍ର ସ୍ଥାପିତ ହେବ, ତାହେଲେ ଆମ ଦେଶର ଅର୍ଥନୀତି ଉପରେ ପ୍ରକାଶ ପାଉଥିବା ଖବରକାଗଜମାନେ ମୁଖ୍ୟ ଖବର କରିଦେବେ ଯେ, ମୋଦି ବହୁତ ବଡ ସ୍ୱପ୍ନ ଦେଖିଛନ୍ତି, ଲକ୍ଷେ କୋଟି ଟଙ୍କା ବ୍ୟୟରେ ନୂଆ ବିଜୁଳି ଉତ୍ପାଦନ କେନ୍ଦ୍ର ସ୍ଥାପିତ କରିବେ, ଏମିତି ହେବ – ସେମିତି ହେବ, କେହି ଏକଥା ଲେଖିବେନି ଯେ, ମୋଦୀ କଥା କହୁଛନ୍ତି ସିନା, ହେଲେ ଏତେ ଟଙ୍କା ଆସିବ କେଉଁଠୁ ? ଲକ୍ଷେ କୋଟି ଟଙ୍କା, ଟଙ୍କା ଆସିବ କେଉଁଠୁ ? ମାନେ ଅନେକ କଥା ହୋଇପାରେ । କିନ୍ତୁ ଏକଥା ଆଲୋଚନା ହେବନି ଯେ, ଏଲଇଡି ବଲ୍ବ ଅଭିଯାନରେ ଆମେ ଯେଉଁ ପାଞ୍ଚ ଶହ ସହରକୁ ଟାର୍ଗେଟ କରିଛୁ, ସେହି ସହରମାନଙ୍କରେ ଶତ-ପ୍ରତିଶତ ଭାବେ ଏଲଇଡି ବଲ୍ବ ପହଞ୍ଚାଇବାରେ ଯଦି ଆମେ ସଫଳ ହେବା ତେବେ, ଏହି ଦେଶରେ ପ୍ରାୟ ୨୦ ହଜାର ମେଗାୱାଟ ବିଦ୍ୟୁତ ଶକ୍ତି ସଞ୍ଚୟ ହୋଇପାରିବ । ୨୦ ହଜାର ମେଗାୱାଟ ବିଦ୍ୟୁତ ଶକ୍ତି ସଞ୍ଚୟର ଅର୍ଥ ହେଲା, ବିଜୁଳି ଉତ୍ପାଦନ କେନ୍ଦ୍ର ନିର୍ମାଣ ପାଇଁ ଖର୍ଚ୍ଚ ହେବାକୁ ଥିବା ଏକ ଲକ୍ଷ କୋଟି ଟଙ୍କା ସଞ୍ଚୟ । ହେଲେ ୬୦-୭୦ ଟଙ୍କାରେ ଏଲଇଡି ବଲ୍ବ ମିଳିବା କଥାକୁ ଖବରର ବିଷୟ କରି ହୁଅନ୍ତା କି ? ଏଥିରେ ଖବର ଭଳି କଣ ଅଛି ଯେ? ତେଣୁ ଆମେ ଦୃତ ଗତିରେ ଯେଉଁ ପରବର୍ତ୍ତନମାନ କରୁଛୁ, ଯାହା ଦେଶ ଆଜି ଅନୁଭବ କରୁଛି, ଗୋଟିଏ ପରେ ଗୋଟିଏ ଯୋଜନା ଯାହା କେହି ଚିନ୍ତା ମଧ୍ୟ କରି ନ ଥିବେ । ଆମେ ଦେଖିଛୁ, ବିଗତ ବର୍ଷମାନଙ୍କରେ ଅନେକ ନିର୍ବାଚନ ହେଲା, ଆପଣମାନେ ମଧ୍ୟ ଅନେକ ନିର୍ବାଚନ ଦେଖଛନ୍ତି । ନିର୍ବାଚନ ବେଳେ ଏହି କଥା ହିଁ ଆଲୋଚନା ହେଉଥିଲା ଯେ, ୧୨ଟି ସିଲିଣ୍ଡର ଦିଆଯିବ ନା ୬ଟି । ବଡ ବଡ ନେତା ଘୋଷଣା କରୁଥିଲେ ଏବଂ ପର ଦିନ ଖବରକାଗଜରେ ମୁଖ୍ୟ ଖବର ପ୍ରକାଶିତ ହେଉଥିଲା ଯେ, ଏବେ ୯ ଟି ସିଲିଣ୍ଡର ନୁହେଁ, ୧୨ଟି ସିଲିଣ୍ଡର ଉପରେ ସବସିଡି ମିଳିବ ଏବଂ ୯ ଟି ରୁ ୧୨ଟି କରାଯାଇଥିବା ନାଁ ରେ ଭୋଟଭିକ୍ଷା କରାଯାଉଥିଲା । ସେ ଦିନ କଥା ମନେ ପକାନ୍ତୁ, ଯେତେବେଳେ ଭାରତରେ ପାର୍ଲିଆମେଣ୍ଟ ସଭ୍ୟଙ୍କୁ ୨୫ଟି ରୋଷେଇ ଗ୍ୟାସ କୁପନ୍ ଦିଆଯାଉଥିଲା । ସେହି ୨୫ କୁପନ୍ ରେ ସେ ନିଜର କର୍ମକର୍ତ୍ତାମାନଙ୍କୁ, ସାଙ୍ଗସାଥିମାନଙ୍କୁ, ସମର୍ଥକମାନଙ୍କୁ ଉପକୃତ କରୁଥିଲେ । ମୋର ଠିକ୍ ମନେ ଅଛି ଅହମଦାବାଦ ବିମାନ ବନ୍ଦରରେ ଜଣେ ଅଫିସର ଥିଲେ, ସେ ସେଠକାର ସବୁ ପାର୍ଲିଆମେଣ୍ଟ ସଭ୍ୟମାନଙ୍କୁ ଜାଣିଥିଲେ କାରଣ ସେମାନେ ପ୍ରାୟତଃ ଯିବା ଆସିବା କରୁଥିଲେ । ସେ ପ୍ରତ୍ୟେକ ପାର୍ଲିଆମେଣ୍ଟ ସଭ୍ୟଙ୍କୁ ଅନୁରୋଧ କରି କହୁଥିଲେ ଯେ, ମୋ ପୁଅ ମୋଠାରୁ ଅଲଗା ହୋଇଯାଇଛି, ମୋ ପାଇଁ ଗୋଟିଏ ରୋଷେଇ ଗ୍ୟାସ କୁପନ୍ ଦରକାର । ବର୍ଷେ ଧରି କହିଲେ ହେଲେ ଜଣେ ହେଲେ ପାର୍ଲିଆମେଣ୍ଟ ସଭ୍ୟ ଦେଇପାରିଲେ ନାହିଁ । ଗ୍ୟାସ କନେକ୍ସନର ସେହି ଦିନଗୁଡିକୁ ଆମେ ଭୁଲିବା କଥା ନୁହଁ । ଏହା ପାଞ୍ଚ ଦଶ ବର୍ଷ ପୁରୁଣା କଥା, ବେଶୀ ପୁରୁଣା କଥା କହୁନି । ଯେଉଁ ଦେଶରେ ଏଭଳି ପରିସ୍ଥିତି ଥିଲା ସେ ଦେଶରେ ପ୍ରଧାନମନ୍ତ୍ରୀ କଥା କଥାରେ ଦେଶର ଜନସାଧାରଣଙ୍କୁ ଅନୁରୋଧ କରୁଛନ୍ତି ଗ୍ୟାସ ସବସିଡି ଛାଡିବା ପାଇଁ, ଆଉ ଏ ଦେଶକୁ ମୁଁ ପ୍ରଣାମ କରୁଛି, ୧ କୋଟି ୧୩ ଲକ୍ଷ ଲୋକ ନିଜ ସବସିଡି ଛାଡି ଦେଲେ । ଏହା କଣ ପରିବର୍ତ୍ତନ ନୁହେଁ, ଏହା କଣ ଜନମାନସର ପରିବର୍ତ୍ତନ ନୁହେଁ, ଏହା କଣ ଦେଶର ପରିବର୍ତ୍ତନ ନୁହେଁ ? ଦେଶର ବିକାଶ ପାଇଁ ଜନ ସହଭାଗୀତାର ଏହାଠାରୁ ବଡ ଉଦାହରଣ ଆଉ କଣ ହୋଇପାରେ ? ଦେଶ ଏହା ଅନୁଭବ କରିଛି । ଆମେ ମଧ୍ୟ ଏକଥା ସ୍ଥିର କଲୁ ଯେ, ସବସିଡିର ଏହି ଅର୍ଥ ଗରିବର ଘରକୁ ହିଁ ଯାଉ । ଗରିବ ଘରେ ମାଆ କାଠ ଚୁଲି ଜଳାଏ । ଦିନସାରା ରୋଷେଇ କରୁ କରୁ ପ୍ରାୟ ଚାରି ଶହ ସିଗାରେଟ ପରିମାଣର ଧୂଁଆ ତା ଶରୀର ମଧ୍ୟକୁ ପ୍ରବେଶ କରିଥାଏ । ସେହି ମାଆ କଥା କିଏ ଚିନ୍ତା କରୁଛି ? ଗତ ଏକ ବର୍ଷ ମଧ୍ୟରେ ଆମେ ତିନି କୋଟିରୁ ଅଧିକ ପରିବାରଙ୍କୁ ନୂଆ ରୋଷେଇ ଗ୍ୟାସ କନେକ୍ସନ ଦେଇଛୁ । ସ୍ୱାଧୀନ ଭାରତରେ ଗୋଟିଏ ବର୍ଷରେ ଏତେ ବଡ କାମ କେବେ ହେଲେ ହୋଇ ନ ଥିଲା । ଆମେ ନିଷ୍ପତ୍ତି ନେଇଛୁ ଯେ, ଆସନ୍ତା ତିନି ବର୍ଷ ମଧ୍ୟରେ ପାଞ୍ଚ କୋଟି ପରିବାର, ଯେଉଁମାନଙ୍କ ପାଖରେ ଗ୍ୟାସ କନେକ୍ସନ ନାହିଁ, ସେଭଳି ପରିବାରମାନଙ୍କୁ ଦିଆଯିବ, କାରଣ ସେମାନେ ଗରିବ ପରିବାର, ମଧ୍ୟବିତ୍ତ ପରିବାର ପାଖରେ ତ ଗ୍ୟାସ ପହଞ୍ଚିଯାଇଛି । ନିମ୍ନ ମଧ୍ୟବିତ୍ତ ପରିବାର ପାଖରେ ପହଞ୍ଚି ନାହିଁ । କୁଡିଆ ଘରେ ତ ପ୍ରଶ୍ନ ଉଠୁନି । ଅଥଚ ଆମେ ଅଭିଯାନ ଆରମ୍ଭ କରିଛୁ । ଏହା କେମିତି ସମ୍ଭବ ହେଉଛି ତାହା ଏକଥା ଦେଖିଲେ ବୁଝିପାରିବେ ଯେ, ୯ଟି ସିଲିଣ୍ଡର, ୧୨ଟି ସିଲିଣ୍ଡରକୁ ନେଇ ଝଗଡା ହେଉଥିଲା, ଜଣେ ସଂସଦ ସଭ୍ୟ ତାକୁ ମିଳୁଥିବା ୨୫ଟି ଗ୍ୟାସ କୁପନ୍ ଯୋଗୁ ଗର୍ବ ଅନୁଭନ କରୁଥିଲା । ସେ ଦିନର ଗ୍ୟାସ କନେକ୍ସନ ଦିଆଯିବା ଏବଂ ପାଞ୍ଚ କୋଟି ଗ୍ୟାସ କନେକ୍ସନ ଦିଆଯିବା – ଏହା ହିଁ ପରିବର୍ତ୍ତନ । ତେଣୁ ପ୍ରଗତି ଦେଖିଲେ, ପାରିମାଣ ଦେଖିଲେ, ଗତି ଦେଖିଲେ, ନିର୍ଦ୍ଧାରିତ ଗୋଷ୍ଠୀକୁ ଦେଖିଲେ ଆପଣ ଅନୁଭବ କରିବେ ଯେ, ଗରିବମାନଙ୍କ କଲ୍ୟାଣ ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ କିଭଳି ନିଆଯାଇଛି ।

ଆମ ଚାଷୀଭାଈମାନଙ୍କ କଥା । ଆମେ କହିଦେଉଛୁ ଯେ ବର୍ଷା ହେଲାନି, ହେଲେ ଆମେ ଧରଣୀ ମାଆର ଅବସ୍ଥା କଣ କରି ରଖିଛୁ, ଏ ବିଷୟରେ ଆଲୋଚନା କରୁନାହାନ୍ତି । ଚାଷୀ ସର୍ବସ୍ୱାନ୍ତ ହୋଇଗଲେ ଆମେ କହିଦେଉଛୁ ବିହନ ଖରାପ ଥିଲା, ପାଣି ମିଳିଲାନି କିନ୍ତୁ ଆମେ ଏ କଥା ଲକ୍ଷ୍ୟ କରୁନୁ ଯେ ଆମେ ମାଟି ମାଆକୁ ସର୍ବସ୍ୱାନ୍ତ କରିଦେଇକ୍ତୁ । ଏହି ମାଆର ଆମେ ଏତେ ଶୋଷଣ କରିଛୁ ଯେ, ଏବେ ତାକୁ ବଞ୍ଚାଇବା ଆବଶ୍ୟକ ହୋଇପଡିଛି । ସେଥିପାଇଁ ଆମର ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡର ଗୋଟିଏ ବଡ ଅଭିଯାନ ଆରମ୍ଭ କଲୁ । ମାଟିର ସ୍ୱାସ୍ଥ୍ୟ କେମିତି ଅଛି, ମାଟିରେ କି କି ଗୁଣ ଅଛି, କଣ ଅଭାବ ରହିଛି, କେଉଁ ପ୍ରକାର ଫସଲ ପାଇଁ ସେହି ମାଟି ଅନୁକୂଳ, କଣ ଔଷଧ ପ୍ରୟୋଗର ଆବଶ୍ୟକତା ଅଛି, କି ସାର ଦିଆଯିବା ଉଚିତ୍ । ମଣିଷ ଯେମିତି ରକ୍ତ ପରୀକ୍ଷା କରାଉଛି, ପରିଶ୍ରା ପରୀକ୍ଷା କରାଉଛି, ଡାୟାବିଟିସ ଅଛି କି ନାହିଁ ତାହାର ଯାଞ୍ଚ କରାଉଛି, ଏହି ମାଟି ମାଆର ମଧ୍ୟ ସେହିଭଳି ପରୀକ୍ଷା କରାଇବାର ଅଭିଯାନ ସରକାର ହାତକୁ ନେଇଛନ୍ତି । ଦେଶର ଚାଷୀମାନଙ୍କୁ ଏହି ବାର୍ତ୍ତା ଦିଆଯାଇଛି ଏବଂ ବହୁ ସଂଖ୍ୟାରେ ଚାଷୀ ଏବେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ ଫସଲ ପ୍ରଣାଳୀରେ କେମିତି ପରିବର୍ତ୍ତନ କରିହେବ ତାହା ସ୍ଥିର କରୁଛନ୍ତି ।

ମୋର କହିବାର ତାତ୍ପର୍ଯ୍ୟ ହେଲା ଯେ, ଦେଶର ସାଧାରଣ ଲୋକର ଜୀବନରେ ପରିବର୍ତ୍ତନ ଆଣିବା ଦିଗରେ ଆମେ ଏଭଳି ଅନେକ କାମ କରିଛୁ । ଗଣତନ୍ତ୍ରର ପ୍ରଥମ ସର୍ତ୍ତ ହେଲା, ଶାସକମାନଙ୍କ ହୃଦୟରେ ନିଜ ଜନତାଙ୍କ ପ୍ରତି ଅପ୍ରତିମ ବିଶ୍ୱାସ ଥିବା ଆବଶ୍ୟକ – ଏହା ମୋ ମତରେ ଗଣତନ୍ତ୍ରର ଗୋଟିଏ ବହୁତ ବଡ ପୁଞ୍ଜି । ଏତେ ଦିନ ଧରି ଆମେ ଏତେ ସରକାର ଚଳାଇ ଆସିଛୁ.. .. .. । ମୁଁ ଦିନେ ଆୟକର ଅଧିକାରିମାନଙ୍କର ଗୋଟିଏ ବୈଠକ ଡାକିଥିଲି । ମୁଁ କହିଲି , ଆପଣ ବ୍ୟବସାୟୀମାନଙ୍କୁ ଚୋର କାହିଁକି ମନେକରୁଛନ୍ତି ଭାଇ ? ଦେଶ କଣ ଏମିତି ଚାଲିବ? ଏହି ଢଙ୍ଗ ପୁରା ଭୁଲ୍, ଏଭଳି ଚିନ୍ତାଧାରା ସମ୍ପୂର୍ଣ୍ଣ ଭୁଲ୍ । ଆମେ ପରିବର୍ତ୍ତନ ଆରମ୍ଭ କଲୁ ।

ଆମର ତ ଏଠାରେ ଡିଗ୍ରୀଧାରୀ ଅଛନ୍ତି, କେଉଁଠି ଆବେଦନ କରିବାକୁ ହେଲେ କୌଣସି ଉଦ୍ୟୋଗ, କୌଣସି ବିଧାନସଭା ସଦସ୍ୟ ବା ସାଂସଦଙ୍କ ଘର ଆଗରେ ଲାଇନ ଲଗାଇ ଠିଆ ହେବାକୁ ପଡୁଥିଲା, ସେ ଆପଣଙ୍କ ମୁହଁକୁ ବି ଚାହୁଁ ନ ଥିଲା, ଏବଂ ତାର ଛୋଟିଆ ପୁଅଟି ଘରେ ବସି ଷ୍ଟାମ୍ପ ବସାଇ ଦେଉଥିଲା । ଆପଣଙ୍କୁ ପ୍ରମାଣ ପତ୍ର ଦେଉଥିଲା । ଯଦି ଏଇ କଥା, ତେବେ କଣ ଦରକାର? ମୁଁ କହିଲି – କିଛି ଦରକାର ନାହିଁ, ଲୋକଙ୍କୁ କହିଲି ଆପଣ ନିଜର ନିଜେ ହିଁ ପ୍ରମାଣନ କରନ୍ତୁ ଏବଂ ସରକାରଙ୍କୁ ପଠାଇ ଦିଅନ୍ତୁ, ଯେତେବେଳେ ଚୁଡାନ୍ତ ନିର୍ଦ୍ଦେଶ ହେବ ସେତେବେଳେ ମୂଳ ପ୍ରମାଣ ପତ୍ର ଦେଖାଇଦେବେ । ଆମକୁ ଜନସାଧାରଣଙ୍କ ଉପରେ ବିଶ୍ୱାସ କରିବା ଉଚିତ୍ । ଏହି ଦେଶ ତାଙ୍କର ମଧ୍ୟ ।

ଜନସାଧାରଣଙ୍କ ଉପରେ ଥରେ ବିଶ୍ୱାସ କଲେ ଆପଣ ଦେଖିବେ କେମିତି ପରିବର୍ତ୍ତନ ଆସୁଛି । ମୁଁ ଥରେ ସୁରେଶ ପ୍ରଭୁଙ୍କୁ କହୁଥିଲି । ମୁଁ କହିଲି, କେତେବେଳେ ଏମିତି ଗୋଟିଏ ଘୋଷଣା କର ଯେ ଅମୁକ ଦିନ, ଅମୁକ ଟ୍ରେନରେ, ଅମୁକ ରୁଟରେ କୌଣସି ଟିକଟ ଯାଞ୍ଚକାରୀ ରହିବେ ନାହିଁ । ଆମ ଦେଶର ଲୋକ ସେମିତି, ଥରେ ଏମିତି କରି ଦେଖ । ଆମେ ଚେଷ୍ଟା ଚଳାଇଛୁ । ମୁଁ ଗୋଟିଏ ପରେ ଗୋଟିଏ, ଯେଉଁ ଅଫିସରରାଜ୍ ଚାଲିଛି, ତାହାକୁ ଦୂର କରିବାକୁ ସମ୍ପୂର୍ଣ୍ଣ ଚେଷ୍ଟା ଚଳାଇଛି ।

ଏହା ଗଣତନ୍ତ୍ର, ଏଠାରେ ଜନତା-ଜନାର୍ଦ୍ଦନଙ୍କ ଶକ୍ତି ସର୍ବାଧିକ ହେବା ଉଚିତ୍ ଏବଂ ସେ ଦିଗରେ ଆମେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରିଚାଲିଛୁ । ଏବେ ଆମେ ଗ୍ରହଣ କରିଥିବା ନିଷ୍ପତ୍ତି ଆମ ଦେଶର ଯୁବକମାନଙ୍କ ପାଇଁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଆମ ଦେଶରେ ଦୁର୍ନିତିର ଆଉ ଗୋଟିଏ କ୍ଷେତ୍ର ହେଲା ଚାକିରୀ । ସେ ଲିଖିତ ପରୀକ୍ଷା ଦିଏ । ସେତେବେଳ ଯାଏ ଏତେ ଚିନ୍ତା ନ ଥାଏ । ବିଚରା ଦିଏ ଏବଂ ସେଥିରେ ସାକ୍ଷାତକାର ପାଇଁ ଡାକରା ଆସିଯାଏ । ସାକ୍ଷାତକାର ଡାକରା ପାଇଲେ ତା ମନରେ ଗୋଟିଏ ଆଶାର ସଂଚାର ହୁଏ, ସାକ୍ଷାତକାରରେ କଣ ପଚାରିବେ, କଣ ପିନ୍ଧିକରି ଯିବେ ଏସବୁ କଥା ସେ ଚିନ୍ତା କରେନି । ଚିନ୍ତା କରେ ସାକ୍ଷାତକାର ପାଇଁ ଡାକରା ପାଇଛି, କେହି ଟିକେ ସୁପାରିଶ କରିବା ଲୋକ ଜୁଟନ୍ତା କି ? କେହି ମୋତେ ସାହାଯ୍ୟ କରିବା ଲୋକ ମିଳିଯାଆନ୍ତା କି ? ଯଦି କେହି ଦଲାଲ ତା ପାଖକୁ ପହଞ୍ଚି ଯାଇ କହୁଛି – ଦେଖ ଭାଇ ତୁମର ସାକ୍ଷାତକାର ପାଇଁ ଡାକରା ଆସିଛି, ପାସ ହେବାର ଇଚ୍ଛା ଅଛି, ଚାକିରୀ ଦରକାର ତାହେଲେ ଏତିକି ଦେବାକୁ ପଡିବ । ଏହି ଦୁର୍ନିତିର ପୁରା ଖେଳ ସାକ୍ଷାତକାର ପାଖାପାଖି ଚାଲିଛି । ଆମେ ସ୍ଥିର କଲୁ ଯେ, ଭାରତ ସରକାରଙ୍କ ତୃତୀୟ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ କ୍ଷେତ୍ରରେ କୌଣସି ସାକ୍ଷାତକାର ହେବ ନାହିଁ, କମ୍ପ୍ୟୁଟର ମେରିଟ ଲିଷ୍ଟ ପ୍ରସ୍ତୁତ କରିବ ଯେ, ଏହିମାନେ ପ୍ରଥମ ଏତେ ଜଣ । ଏମାନଙ୍କୁ ଚାକିରୀ ଦିଆଯାଉ । ଗୋଟିଏ ଦୁଇଟି ନିଷ୍ପତ୍ତି ଭୁଲ ହୋଇପାରେ କିନ୍ତୁ ଏହି ଦେଶକୁ ଯେଉଁ ଉଈ ଧରିଛି, ସେଥିରୁ ମୁକ୍ତି ମିଳିବ । ସେଥିପାଇଁ ଆମେ ଗୋଟିଏ ପରେ ଗୋଟିଏ ଏଭଳି ନିଷ୍ପତ୍ତି ଗ୍ରହଣ କଲୁ । ଏହି ନିଷ୍ପତ୍ତିଗୁଡିକ ନୂଆ ଚିନ୍ତାଧାରା ସହ କରାଯାଇଛି ।

ଦେଶରେ ଗୋଟିଏ ନୂଆ ବିଶ୍ୱାସ ଭରିଦେବା, ପ୍ରତିଜ୍ଞାବଦ୍ଧ ଭାବରେ ଆଗେଇବା ଏବଂ ସାଧାରଣ ଲୋକର ଜୀବନର ଆଶା-ଆକାଂକ୍ଷାକୁ ପୂରଣ କରିବା ଦିଗରେ ଅନବରତ ଚେଷ୍ଟା କରିବା । ସରକାରଙ୍କ ଦୁଇ ବର୍ଷର କାର୍ଯ୍ୟ ସମ୍ପର୍କରେ କହିବାକୁ ଥିଲେ ଦୂରଦର୍ଶନବାଲାଙ୍କୁ ସପ୍ତାହବ୍ୟାପୀ ଦିନସାରା ମୋର ଭାଷଣ ରଖିବାକୁ ପଡିବ, ଏତେଗୁଡିଏ ସଫଳତା ରହିଛି, କିନ୍ତୁ ମୁଁ ଏଠି ସଫଳତା ଉପରେ ଆଲୋଚନା କରିବା ପାଇଁ ଆସିନି ମୁଁ ଆପଣମାନଙ୍କୁ ବିଶ୍ୱାସ ଦେବାକୁ ଆସିଛି ଯେ, ଦେଶବାସୀ ଆମ ଉପରେ ଭରସା କରିଛନ୍ତି, ସେହି ଭରସାକୁ ଅତୁଟ ରଖିବାକୁ ଆମେ ସମ୍ପୂର୍ଣ୍ଣ ଚେଷ୍ଟା କରୁଛୁ । ଦେଶ ଦେଖିଛି, କୌଣସି ମନ୍ଦ ଉଦେ୍ଦଶ୍ୟ ରଖି କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ । ପରିଶ୍ରମରେ କିଛି ଉଣା ରଖିନୁ । ଦେଶହିତ ଏବଂ ଜନସାଧାରଣଙ୍କ ହିତକୁ ସର୍ବୋଚ୍ଚ ସ୍ଥାନ ଦେଇ ଆମେ ନିଜେ ନିଜକୁ ସମର୍ପିତ କରିଦେଇକ୍ତୁ ।

ଟିମ୍ ଇଣ୍ଡିଆର କଳ୍ପନା ଧରି ଚାଲିଛୁ । ରାଜ୍ୟଗୁଡିକ କାନ୍ଧ ସହ କାନ୍ଧ ମିଳାଇ କାମରେ ଯୋଡିଚାଲିଛୁ । କିନ୍ତୁ ଏ କଥା ସତ ଯେ, ଯେଉଁମାନେ ଆଜିଯାଏ ଖାଇଛନ୍ତି ସେମାନଙ୍କୁ ତ ନିଶ୍ଚୟ ଅସୁବିଧା ହେବ, ସେମାନଙ୍କୁ ତ କଷ୍ଟ ହେବ ହିଁ ହେବ । କିଏ ଖାଇଲା, କେବେ ଖାଇଲା ତାହା ମୋର ବିଷୟ ନୁହେଁ କିନ୍ତୁ ଏହା ଦେଶର ଧନ, ଗରିବର ଧନ, ଏହାକୁ ଆଉ କାହା ପାଖକୁ ଯିବାକୁ ଦିଆଯିବ ନାହିଁ । ଏହି କାମରେ ମୁଁ ଲାଗିଛି । ଯାହାକୁ କଷ୍ଟ ହେଉଛି, ହେଉ, ଆମେ ଦେଶ ପାଇଁ କାମ କରିଚାଲିବୁ । ଦେଶର ଜନସାଧାରଣ ଆମକୁ ଆଶୀର୍ବାଦ କରୁଥାଅନ୍ତୁ । ଆଜି ଏହି ଅବସରରେ ମୋତେ ପୁଣିଥରେ ଆପଣମାନଙ୍କ ଗହଣକୁ ଆସିବାର ସୁଯୋଗ ମିଳିଲା, ମୋ କଥା କହିବାର ସୁଯୋଗ ମିଳିଲା, ମୁଁ ଆପଣମାନଙ୍କ ନିକଟରେ ବହୁତ ବହୁତ କୃତଜ୍ଞ ।

ଧନ୍ୟବାଦ ।