Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗ ସୁପାରିଶ ଲାଗୁ କରିବା ପ୍ରସ୍ତାବକୁ କେବିନେଟର ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ବୈଠକରେ ବେତନ ଏବଂ ପେନସନଭୋଗୀଙ୍କ ପାଇଁ ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗ (ସିପିସି)ର ସୁପାରିଶକୁ ଲାଗୁ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏହାକୁ ଏକ ଜାନୁଆରୀ 2016 ରୁ ପିଛିଲା ଭାବେ ଲାଗୁ କରାଯିବ ।

ଅତୀତରେ କର୍ମଚାରୀଙ୍କୁ ପଞ୍ଚମ ବେତନ ଆୟୋଗର ସୁପାରିଶ କାର୍ଯ୍ୟକାରୀ କରିବା ପାଇଁ 19 ମାସ ଏବଂ ଷଷ୍ଠ ବେତନ ଆୟୋଗର ସୁପାରିଶ ଲାଗୁ କରିବା ପାଇଁ 32 ମାସ ଅପେକ୍ଷା କରିବାକୁ ପଡିଥିଲା । କିନ୍ତୁ ଏଥର ସପ୍ତମ ବେତନ ଆୟୋଗଙ୍କ ସୁପାରିଶ ଧାର୍ଯ୍ୟ ତାରିଖରୁ ଛଅ ମାସ ମଧ୍ୟରେ ଲାଗୁ କରାଯାଇଛି ।

ବେତନ ଏବଂ ପେନସନ ଲାଭର ବକେୟା ରାଶି ଚଳିତ ଆର୍ଥିକ ବର୍ଷ (2016-17) ମଧ୍ୟରେ ହିଁ ପ୍ରଦାନ କରାଯିବାକୁ ମନ୍ତ୍ରୀମଣ୍ଡଳ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । କିନ୍ତୁ ପୂର୍ବରୁ ବକେୟା ରାଶିର କିଛି ଅଂଶ ପରବର୍ତ୍ତୀ ଆର୍ଥିକ ବର୍ଷରେ ଦିଆଯାଉଥିଲା ।

ଏହି ସୁପାରିଶ କାର୍ଯ୍ୟକାରୀ ହେବା ଫଳରେ ପ୍ରାୟ ଏକ କୋଟି କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀ ଲାଭବାନ ହେବେ । ଏଥିମଧ୍ୟରେ 47 ଲକ୍ଷରୁ ଅଧିକ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ 53 ଲକ୍ଷ ପେନସନଧାରୀ ରହିଛନ୍ତି । ମୋଟ କର୍ମଚାରୀ ଓ ପେନସନଭୋଗୀଙ୍କ ମଧ୍ୟରୁ 14 ଲକ୍ଷ କର୍ମଚାରୀ ଏବଂ 18 ଲକ୍ଷ ପେନସନଭୋଗୀ ହେଉଛନ୍ତି ପ୍ରତିରକ୍ଷା ବିଭାଗର ।

ବେତନ ଆୟୋଗ ସୁପାରିଶର ବୈଶିଷ୍ଟ୍ୟ:

1. ବର୍ତ୍ତମାନ ପ୍ରଚଳିତ ପେ-ବେଣ୍ଡ ଏବଂ ଗ୍ରେଡ-ପେ ପ୍ରଣାଳୀକୁ ସମାପ୍ତ କରିଦିଆଯାଇଛି ଏବଂ ଆୟୋଗର ସୁପାରିଶ ଅନୁଯାୟୀ ଏକ ନୂତନ ବେତନ ସରଣୀ ବା ପେ-ମେଟ୍ରିକ୍ସ କୁ ମଞ୍ଜୁରି ପ୍ରଦାନ କରାଯାଇଛି । କର୍ମଚାରୀମାନଙ୍କ ପାହ୍ୟାର ନିର୍ଦ୍ଧାରଣ ଯାହା ଗ୍ରେଡ-ପେ ଅନୁଯାୟୀ କରାଯାଉଥିଲା ତାହା ଏବେ ପେ-ମେଟ୍ରିକ୍ସରେ ତାଙ୍କ ସ୍ତର ଅନୁଯାୟୀ କରାଯିବ । ବେସାମରିକ, ସୁରକ୍ଷାକର୍ମୀ ଏବଂ ସେନା ନର୍ସିଂ ସେବା ପାଇଁ ଅଲଗା ଅଲଗା ବେତନ ସରଣୀ ପ୍ରସ୍ତୁତ କରାଯାଇଛି । ଏହି ସରଣୀ ବା ମେଟ୍ରିକ୍ସ ପଛରେ ଯୁକ୍ତି ଏବଂ ସିଦ୍ଧାନ୍ତ ସମାନ ରହିଛି ।

2. ବର୍ତ୍ତମାନର ସବୁ ସ୍ତରକୁ ନୂଆ ଢ଼ାଞ୍ଚାରେ ସାମିଲ କରିଦିଆଯାଇଛି । କୌଣସି ନୂଆ ପଦବୀ ସ୍ତର ସୃଷ୍ଟି କରାଯାଇ ନାହିଁ କିମ୍ବା ବର୍ତ୍ତମାନର ସ୍ତରକୁ ଉଚ୍ଛେଦ କରାଯାଇ ନାହିଁ । ବେତନ ସରଣୀର ପ୍ରତ୍ୟେକ ସ୍ତରରେ ସର୍ବନିମ୍ନ ବେତନ ସ୍ଥିର କରାଯିବା ପାଇଁ ସୁବ୍ୟବସ୍ଥା ନିମନ୍ତେ ସୂଚକାଙ୍କକୁ ମଞ୍ଜୁରି ପ୍ରଦାନ କରାଯାଇଛି, ଯାହା ବରିଷ୍ଠତା କ୍ରମରେ ପ୍ରତ୍ୟେକ ସ୍ତରରେ ବୃଦ୍ଧି ପାଉଥିବା ଭୂମିକା, ଦାୟୀତ୍ୱ ଏବଂ ଉତ୍ତରଦାୟୀତ୍ୱ ଉପରେ ନିର୍ଭର କରେ ।

3. ବର୍ତ୍ତମାନର ସବୁ ସ୍ତରକୁ ନୂଆ ଢ଼ାଞ୍ଚାରେ ସାମିଲ କରିଦିଆଯାଇଛି । କୌଣସି ନୂଆ ପଦବୀ ସ୍ତର ସୃଷ୍ଟି କରାଯାଇ ନାହିଁ କିମ୍ବା ବର୍ତ୍ତମାନର ସ୍ତରକୁ ଉଚ୍ଛେଦ କରାଯାଇ ନାହିଁ । ବେତନ ସରଣୀର ପ୍ରତ୍ୟେକ ସ୍ତରରେ ସର୍ବନିମ୍ନ ବେତନ ସ୍ଥିର କରାଯିବା ପାଇଁ ସୁବ୍ୟବସ୍ଥା ନିମନ୍ତେ ସୂଚକାଙ୍କକୁ ମଞ୍ଜୁରି ପ୍ରଦାନ କରାଯାଇଛି, ଯାହା ବରିଷ୍ଠତା କ୍ରମରେ ପ୍ରତ୍ୟେକ ସ୍ତରରେ ବୃଦ୍ଧି ପାଉଥିବା ଭୂମିକା, ଦାୟୀତ୍ୱ ଏବଂ ଉତ୍ତରଦାୟୀତ୍ୱ ଉପରେ ନିର୍ଭର କରେ ।

4. ବେତନ ଏବଂ ପେନସନରେ ସଂଶୋଧନ ଉଦ୍ଦେଶ୍ୟରେ 2.57 ର ଫିଟମେଣ୍ଟ ଫେକ୍ଟର ବେତନ ସରଣୀର ସବୁ ସ୍ତରରେ ପ୍ରଯୁଜ୍ୟ ହେବ । ପ୍ରଚଳିତ ବେତନରେ ଡିଏ ବା ମହଙ୍ଗା ଭତ୍ତାକୁ ସାମିଲ କରିବା ପରେ ସମସ୍ତ ସରକାରୀ କର୍ମଚାରୀ/ପେନସନଭୋଗୀମାନଙ୍କ ବେତନ/ପେନସନରେ 1 ଜାନୁଆରୀ 2016 ରେ ଅନ୍ୟୁନ 14.29 ପ୍ରତିଶତ ବୃଦ୍ଧି ହେବ ।

5. ବାର୍ଷିକ ବେତନ ବୃଦ୍ଧିର ହାରକୁ 3 ପ୍ରତିଶତରେ ଅପରିବର୍ତ୍ତିତ ରଖାଯାଇଛି । ଅଧିକ ମୂଳ ଦରମା ଯୋଗୁଁ କର୍ମଚାରୀମାନେ ଭବିଷ୍ୟତରେ ଲାଭବାନ ହେବେ, କାରଣ ସେମାନଙ୍କ ବେତନରେ ହେଉଥିବା ବାର୍ଷିକ ବୃଦ୍ଧି ବର୍ତ୍ତମାନ ତୁଳନାରେ 2.57 ପ୍ରତିଶତ ଅଧିକ ହେବ ।
6. ମନ୍ତ୍ରୀମଣ୍ଡଳ ଦ୍ୱାରା ସ୍ତର 13 ଏ (ବ୍ରିଗେଡିୟର) ପାଇଁ ସୁବ୍ୟବସ୍ଥା ନିମନ୍ତେ ସୂଚକାଙ୍କକୁ ବୃଦ୍ଧି କରି, ସ୍ତର 12 ଏ (ଲେଫଟନାଣ୍ଟ କର୍ଣ୍ଣେଲ), 13 (କର୍ଣ୍ଣେଲ) ଏବଂ 13 ଏ (ବ୍ରିଗେଡିୟର)ରେ ଅତିରିକ୍ତ ସ୍ତର ସୁନିଶ୍ଚିତ କରି ସୁରକ୍ଷାକର୍ମୀଙ୍କ ବେତନ ସଂରଚନାକୁ ଆହୁରି ଭଲ କରିଦେଇଛନ୍ତି, ଯାହାଫଳରେ ତତସମ୍ବଳିତ ସ୍ତରର ଅଧିକତମ ପାହ୍ୟାରେ ମିଳିତ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ) ସହ ଏହା ସମକକ୍ଷ ହୋଇପାରିବ ।

7. ପ୍ରତିରକ୍ଷା ଏବଂ ମିଳିତ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ) କର୍ମଚାରୀଙ୍କ ସମେତ ବିଭିନ୍ନ କର୍ମଚାରୀଙ୍କୁ ପ୍ରଭାବିତ କରୁଥିବା କିଛି ଅନ୍ୟ ନିଷ୍ପତ୍ତିମାନ ମଧ୍ୟ ଗ୍ରହଣ କରାଯାଇଛି, ଯେଉଁଥିରେ ନିମ୍ନଲିଖିତ ବିଷୟ ଅନ୍ତର୍ଭୂକ୍ତ :

· ଗ୍ରାଚୁଇଟି ସୀମା 10 ଲକ୍ଷ ଟଙ୍କାରୁ 20 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ମହଙ୍ଗାଭତ୍ତାରେ 50 ପ୍ରତିଶତ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ଗ୍ରାଚୁଇଟି ସୀମା 25 ପ୍ରତିଶତ ବୃଦ୍ଧି ପାଇବ ।
· ବେସାମରିକ ଏବଂ ସୁରକ୍ଷା କର୍ମୀଙ୍କ ପାଇଁ ଅନୁଗ୍ରହ ରାଶି ଏକକାଳୀନ ପ୍ରଦାନ ନିମନ୍ତେ ବ୍ୟବସ୍ଥା କରାଯାଇଛି, ଯାହା ତାଙ୍କ ପରିବାରବର୍ଗଙ୍କୁ ଦିଆଯିବ । ତଦନୁଯାୟୀ ବର୍ତ୍ତମାନ ଦରକୁ ବିଭିନ୍ନ ଶ୍ରେଣୀ ପାଇଁ 10-20 ଲକ୍ଷ ଟଙ୍କାରୁ ବୃଦ୍ଧି କରି 25-45 ଲକ୍ଷ ଟଙ୍କା କରିଦିଆଯାଇଛି ।
· ପ୍ରତିରକ୍ଷା କର୍ମଚାରୀଙ୍କ ବିଭିନ୍ନ ଶ୍ରେଣୀ ପାଇଁ ସୈନ୍ୟ ସେବା ବେତନ ହାର 1000, 2000, 4200 ଏବଂ 6000 ଟଙ୍କାକୁ ସଂଶୋଧନ କରି କ୍ରମଶଃ 3600, 5200, 10800 ଏବଂ 15500 ଟଙ୍କା କରିଦିଆଯାଇଛି ।
· ସର୍ଟ ସର୍ଭିସ କମିଶନ୍ଡ ଅଫିସରମାନଙ୍କୁ ସେମାନଙ୍କ ଚାକିରିକାଳର 7 ରୁ 10 ବର୍ଷ ମଧ୍ୟରେ କାର୍ଯ୍ୟରୁ ଅବସର ନେବାର ଅନୁମତି ମିଳିବ ଏବଂ ସେମାନଙ୍କ କ୍ଷେତ୍ରରେ ଅନ୍ତିମ ଗ୍ରାଚୁଇଟି ସେମାନଙ୍କ 10.5 ମାସର ଗଣନା ଯୋଗ୍ୟ ପରିଲବ୍ଧି (reckonable emoluments) ସହ ସମାନ ହେବ ।
·ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅବସ୍ଥାରେ ଛୁଟି, ବିଶେଷ ଅକ୍ଷମତା ଛୁଟି ଏବଂ ଅସୁସ୍ଥତାକାଳୀନ ଛୁଟିକୁ ମିଶାଇ “Work Related Illness and Injury Leave (WRIIL)” ନାମରେ ଅଲଗା ଶ୍ରେଣୀଭୁକ୍ତ କରାଯାଇଛି । କର୍ମଚାରୀଙ୍କୁ ଏହି ଶ୍ରେଣୀ ଅନ୍ତର୍ଗତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସମ୍ପୂର୍ଣ୍ଣ ସମୟର ପୂରା ଦରମା ଏବଂ ଭତ୍ତା ଦିଆଯିବ ।

8. କେବିନେଟ ବାସଗୃହ ନିର୍ମାଣ ସମ୍ପର୍କରେ ଅଗ୍ରୀମ ରାଶିକୁ 7.50 ଲକ୍ଷ ଟଙ୍କାକୁ ବୃଦ୍ଧି କରି 25 ଲକ୍ଷ ଟଙ୍କା କରାଯିବା ପାଇଁ ରହିଥିବା ଆୟୋଗର ସୁପାରିଶକୁ ମଧ୍ୟ ଅନୁମୋଦନ କରିଛନ୍ତି । କର୍ମଚାରୀମାନଙ୍କୁ କୌଣସି ପ୍ରକାର ଅସୁବିଧା ନ ହେଉ ଏହା ସୁନିଶ୍ଚିତ କରିବା ପାଇଁ 4 ଟି ସୁଧମୁକ୍ତ ଅଗ୍ରୀମକୁ କାଏମ ରଖାଯାଇଛି, ଯେଉଁଥିରେ ଚିକିତ୍ସା ପାଇଁ ଅଗ୍ରୀମ, ଦୂର କିମ୍ବା ଟ୍ରାନ୍ସଫର/ବଦଳି ପାଇଁ ଟି.ଏ, ମୃତ କର୍ମଚାରୀଙ୍କ ପରିବାର ପାଇଁ ଟି.ଏ ଏବଂ ଏଲ.ଟି.ସି ସାମିଲ ରହିଛି । ଅନ୍ୟ ସମସ୍ତ ସୁଧ ମୁକ୍ତ ଅଗ୍ରୀମକୁ ସମାପ୍ତ କରିଦିଆଯାଇଛି ।

9. ଆୟୋଗଙ୍କ ଦ୍ୱାରା କରାଯାଇଥିବା କେନ୍ଦ୍ର ସରକାରୀ କର୍ମଚାରୀ ସମୂହ ବୀମା ଯୋଜନା (ସି.ଜି.ଇ.ଆଇ.ଏସ)ରେ କର୍ମଚାରୀଙ୍କ ଅଂଶଦାନକୁ ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଇଁ କରାଯାଇଥିବା ସୁପାରିଶକୁ କେବିନେଟ ଗ୍ରହଣ କରିନାହାନ୍ତି । ଏହା ତଳ ସ୍ତରରେ କାର୍ଯ୍ୟରତ କର୍ମଚାରୀମାନଙ୍କ ହାତକୁ ଆସୁଥିବା ଦରମାକୁ 1,470 ଟଙ୍କା ବୃଦ୍ଧି କରିବ । କିନ୍ତୁ କର୍ମଚାରୀମାନଙ୍କ ସାମାଜିକ ସୁରକ୍ଷାକୁ ଆଖି ଆଗରେ ରଖି ମନ୍ତ୍ରୀମଣ୍ଡଳ ଅର୍ଥ ମନ୍ତ୍ରଣାଳୟକୁ କେନ୍ଦ୍ର କର୍ମଚାରୀଙ୍କ ଆବଶ୍ୟକତା ମୁତାବକ ଏପରି ଗୋଟିଏ ଯୋଜନା ପ୍ରସ୍ତୁତ କରିବାକୁ କହିଛନ୍ତି ଯାହା କମ୍ ପ୍ରିମିୟମରେ ଅଧିକ ସୁରକ୍ଷା ଯୋଗାଇବ ।

10. ଆୟୋଗଙ୍କ ଦ୍ୱାରା ପେନସନ ସମ୍ପର୍କିୟ ଲାଭ ପାଇଁ କରାଯାଇଥିବା ସାଧାରଣ ସୁପାରିଶ ମନ୍ତ୍ରୀମଣ୍ଡଳର ଅନୁମୋଦନ ଲାଭ କରିଛି । କାର୍ଯ୍ୟକାରୀ କରାଯିବା ସମ୍ଭବ ହେବା ସର୍ତ୍ତରେ ପେନସନ ପାଇଁ ଆୟୋଗ କରିଥିବା ଉଭୟ ବିକଳ୍ପର ସୁପାରିଶକୁ ଗ୍ରହଣ କରିନିଆଯାଇଛି । 2.57 ର ଫିଟମେଣ୍ଟ ଫ୍ୟାକ୍ଟର ଆଧାରରେ ଦ୍ୱିତୀୟ ବିକଳ୍ପକୁ ନେଇ ତୁରନ୍ତ ପେନସନ ସଂଶୋଧନ କରାଯିବ । ଏହାକୁ ପ୍ରଥମ କରି କାର୍ଯ୍ୟକାରୀ କରାଯିବା ପ୍ରସଙ୍ଗରେ ଥିବା ଆଶଙ୍କାକୁ ଏଡାଇବା ନିମନ୍ତେ ଏକ କମିଟି ଗଠନ କରାଯାଉଛି । ଏକ ପ୍ରସ୍ତାବିତ କମିଟି ଦ୍ୱାରା ପରୀକ୍ଷା ପରେ ଯଦି ଏହାକୁ କାର୍ଯ୍ୟକାରୀ କରିବା ସଫଳ ମନେହେଲା ତାହେଲେ ଏହାର ପ୍ରଥମ ପଦ୍ଧତିକୁ କାର୍ଯ୍ୟକାରୀ କରାଯିବ । କମିଟି ତାଙ୍କ ରିପୋର୍ଟ 4 ମାସ ମଧ୍ୟରେ ଦେବେ ।

11. ଆୟୋଗ ବର୍ତ୍ତମାନର ସର୍ବମୋଟ 196 ଭତ୍ତା ଉପରେ ଦୃଷ୍ଟିପାତ କଲେ ଏବଂ ଏହାକୁ ଯୁକ୍ତି ସଙ୍ଗତ କରିବା ଉଦ୍ଦେଶ୍ୟରେ 51 ଭତ୍ତାକୁ ସମାପ୍ତ କରିବା ଏବଂ 37 ଭତ୍ତାକୁ ସମାହିତ କରିବା ପାଇଁ ସୁପାରିଶ କରିଛନ୍ତି । ସୁଦୂରପ୍ରସାରୀ ପ୍ରଭାବ ରହିଥିବା ସପ୍ତମ ବେତନ ଆୟୋଗଙ୍କ ଦ୍ୱାରା ଭତ୍ତା ନିୟମରେ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ସୁପାରିଶକୁ ପୁନଃସମୀକ୍ଷା ପାଇଁ ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବା ଲାଗି ମନ୍ତ୍ରୀମଣ୍ଡଳ ନିଷ୍ପତ୍ତି ନେଇଛି । କମିଟି ତାଙ୍କ କାର୍ଯ୍ୟ ସୀମିତ ସମୟାବଧି ମଧ୍ୟରେ ଶେଷ କରିବେ ଏବଂ 4 ମାସ ମଧ୍ୟରେ ନିଜ ରିପୋର୍ଟ ପ୍ରଦାନ କରିବେ । ଚୁଡାନ୍ତ ନିଷ୍ପତ୍ତି ହେବା ଯାଏ ବର୍ତ୍ତମାନ ପ୍ରଚଳିତ ସମସ୍ତ ଭତ୍ତା ପ୍ରଚଳିତ ହାରରେ ପ୍ରଦାନ କରାଯିବ ।

12.ମନ୍ତ୍ରୀମଣ୍ଡଳରେ ଦୁଇଟି ପୃଥକ କମିଟି ଗଠନ କରାଯିବା ପାଇଁ ମଧ୍ୟ ସ୍ଥିର କରାଯାଇଛି, (1) ପ୍ରଥମ କମିଟି ଜାତୀୟ ପେନସନ ପ୍ରଣାଳୀର କାର୍ଯ୍ୟକାରିତାକୁ ସୁଚିନ୍ତିତ ଢଙ୍ଗରେ କରାଯିବା ସକାଶେ ପଦକ୍ଷେପ ପାଇଁ ପ୍ରସ୍ତାବ ଦେବ, (2) କମିସନଙ୍କ ରିପୋର୍ଟ କାର୍ଯ୍ୟକାରୀ କରାଯିବା ଦ୍ୱାରା କି ପ୍ରକାର ଅସଙ୍ଗତି ସୃଷ୍ଟି ହେଉଛି ତାହା ଅନୁଧ୍ୟାନ କରିବ ଦ୍ୱିତୀୟ କମିଟି ।

13. ମନ୍ତ୍ରୀମଣ୍ଡଳ ଦ୍ୱାରା ସ୍ୱୀକୃତ ଦରମା, ପେନସନ ଏବଂ ଅନ୍ୟାନ୍ୟ ସୁପାରିଶ ବ୍ୟତୀତ, ପ୍ରଶାସନିକ ପ୍ରସଙ୍ଗ, କୌଣସି ବ୍ୟକ୍ତିଗତ ମାମଲା କିମ୍ବା କ୍ୟାଡର ସମ୍ପର୍କିୟ ମାମଲା ଯାହା ଉପରେ ଆୟୋଗ ସର୍ବସମ୍ମତ ମତ ଦେଇନାହାନ୍ତି ତାହାକୁ ସଂପୃକ୍ତ ମନ୍ତ୍ରୀମାନେ ପରୀକ୍ଷା କରିବେ ।

14.ସପ୍ତମ ବେତନ ଆୟୋଗଙ୍କ ଦ୍ୱାରା କରାଯାଇଥିବା ଅନୁମାନ ଅନୁସାରେ 2016-17 ଆର୍ଥିକ ବର୍ଷରେ ଏହାର ସମସ୍ତ ସୁପାରିଶ କାର୍ଯ୍ୟକାରୀ କରାଯିବା ଫଳରେ 1,02,100 କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ବୋଝ ସୃଷ୍ଟି ହେବ । ଏତଦବ୍ୟତୀତ 2015-16ର ଦୁଇ ମାସ ପାଇଁ ବେତନ ଏବଂ ପେନସନ ସହ ଜଡିତ ବକେୟା ରାଶି ଦେୟ ବାବଦକୁ 12,133 କୋଟି ଟଙ୍କାର ଅତିରିକ୍ତ ବୋଝ ଉଠାଇବାକୁ ପଡିବ ।