ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଗ୍ରାଚ୍ୟୁଇଟି ପ୍ରଦାନ (ସଂଶୋଧନ) ବିଲ, 2017 ଉପସ୍ଥାପନ କରିବା ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି ।
ଏହି ସଂଶୋଧନ ଦ୍ୱାରା ଘରୋଇ କ୍ଷେତ୍ର ଏବଂ ସରକାରଙ୍କ ଅଧୀନରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ/ସ୍ୱାୟତ୍ତ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କ ଗ୍ରାଚ୍ୟୁଇଟିର ସର୍ବାଧିକ ସୀମାରେ ବୃଦ୍ଧି ଘଟିବ, ଯେଉଁମାନେ ଅନ୍ୟାନ୍ୟ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଭଳି ସିସିଏସ୍ (ପେନସନ୍) ନିୟମାବଳୀ ଅଧୀନରେ ସାମିଲ୍ ନୁହନ୍ତି ।
ବର୍ତ୍ତମାନ ଗ୍ରାଚ୍ୟୁଇଟି ପ୍ରଦାନ ଅଧିନିୟମ, 1972 ଜରିଆରେ 10 କିମ୍ବା ତତୋଧିକ ଲୋକଙ୍କୁ ନିୟୋଜିତ କରିଥିବା ସଂସ୍ଥାର ଶ୍ରମିକ କର୍ମଚାରୀଙ୍କୁ ଗ୍ରାଚ୍ୟୁଇଟି ପ୍ରଦାନର ବ୍ୟବସ୍ଥା ରହିଛି । ଏହି ଅଧିନିୟମ ଲାଗୁ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା- ଅବସର ଗ୍ରହଣ କରିବା ପରେ କର୍ମଚାରୀଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା । ସେମାନେ ନିୟମାବଳୀ ଅଧୀନରେ ଅବସର ନେଇଥାନ୍ତୁ କିମ୍ବା ଶରୀରର କୌଣସି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଚଳ ହୋଇଯିବାରୁ ଶାରୀରିକ ଅକ୍ଷମତା କାରଣରୁ ଅବସର ନେଇଥାନ୍ତୁ, ଏହି ଅଧିନିୟମ ଅନ୍ତର୍ଗତ ଗ୍ରାଚ୍ୟୁଇଟି ରାଶି ଉପରେ ବର୍ତ୍ତମାନର ସର୍ବାଧିକ ସୀମା 10 ଲକ୍ଷ ଟଙ୍କା ରହିଛି ।
ତେବେ ସପ୍ତମ ବେତନ କମିଶନଙ୍କ ସୁପାରିଶ ଆଧାରରେ କେନ୍ଦ୍ର କର୍ମଚାରୀମାନଙ୍କୁ 01.01.2016ରୁ ଗ୍ରାଚ୍ୟୁଇଟି ପ୍ରଦାନ ସୀମା 20 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସବୁ ବର୍ଗର ଶ୍ରମିକ କର୍ମଚାରୀଙ୍କୁ ସମାନ ଆକାରର ଗ୍ରାଚ୍ୟୁଇଟି ଦେବା ନିମନ୍ତେ 1972ର ଅଧିନିୟମରେ ସଂଶୋଧନ ଆଣିବା ଲାଗି ନିଷ୍ପତ୍ତି ନେଇଛନ୍ତି ।