ମାନ୍ୟବର,
ମହାମହିମ,
ବନ୍ଧୁଗଣ,
ଷୋଡ଼ଶ ବ୍ରିକ୍ସ ଶିଖର ସମ୍ମିଳନୀର ଭବ୍ୟ ଆୟୋଜନ ପାଇଁ ରାଷ୍ଟ୍ରପତି ପୁତିନଙ୍କୁ ଅଭିନନ୍ଦନ ।
ବ୍ରିକ୍ସ ସହ ଯୋଡ଼ି ହୋଇଥିବା ସମସ୍ତ ବନ୍ଧୁଙ୍କୁ ପୁଣି ଥରେ ହାର୍ଦ୍ଦିକ ସ୍ୱାଗତ କରୁଛି । ବ୍ରିକ୍ସର ନୂଆ ସ୍ୱରୂପ ବିଶ୍ୱର ୪୦ ପ୍ରତିଶତ ମାନବତା ଏବଂ ପ୍ରାୟ ୩୦ ପ୍ରତିଶତ ଅର୍ଥ ବ୍ୟବସ୍ଥା ର ପ୍ରତିନିଧିତ୍ୱ କରୁଛି ।
ବିଗତ ଦୁଇ ଦଶନ୍ଧିରେ ବ୍ରିକ୍ସ ଅନେକ ଗୁଡ଼ିଏ ଉପଲବ୍ôଧ ହାସଲ କରିଛି । ମୋର ବିଶ୍ୱାସ ଅଛି କି ଆଗାମୀ ଦିନରେ ଏହି ସଂଗଠନ ବୈଶ୍ୱିକ ଆହ୍ୱାନର ସମ୍ମୁଖୀନ ହେବା ଲାଗି ଅନେକ ପ୍ରଭାବୀ ମାଧ୍ୟମ ରୂପରେ ସାମନାକୁ ଆସିବ ।
ନିଉ ଡେଭଲପମେଣ୍ଟ ବ୍ୟାଙ୍କ (New Development Bank)ର ଅଧ୍ୟକ୍ଷା ଦିଲମା ରୁସେଫଙ୍କୁ ମଧ୍ୟ ମୁଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ।
ବନ୍ଧୁଗଣ,
ବିଗତ ଦଶ ବର୍ଷ ମଧ୍ୟରେ ଏହି ବ୍ୟାଙ୍କ ଗ୍ଲୋବାଲ ସାଉଥ୍ (Global South)ଦେଶ ଗୁଡ଼ିକର ବିକାଶ ପାଇଁ ମହତ୍ୱପୂର୍ଣ୍ଣ ବିକଳ୍ପ ଭାବେ ସାମନାକୁ ଆସିଛି । ଭାରତରେ ଜିଆଇଏଫଟି (GIFT) ତଥା ଗୁଜରାଟ ଇଣ୍ଟରନ୍ୟାସନାଲ ଫାଇନାନ୍ସ ଟେକ୍ ସିଟି (Gujarat International Finance Tech City) ଏବଂ ଆଫ୍ରିକା ଓ ରୁଷିଆରେ ଆଞ୍ଚଳିକ କେନ୍ଦ୍ର ଗୁଡ଼ିକ ଖୋଲିବା ଦ୍ୱାରା ବ୍ୟାଙ୍କର କାର୍ଯ୍ୟକଳାପ ବୃଦ୍ଧି ପାଇଛି । ପ୍ରାୟ ୩୫ ବିଲିଅନ ଡଲାରର ବିକାଶମୂଳକ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଚାହିଦାଗତ ନୀତି ଅନୁଯାୟୀ ଏନଡିବି କାମ କରିବା ଆବଶ୍ୟକ । ବ୍ୟାଙ୍କର ସମ୍ପ୍ରସାରଣ ସମୟରେ ଦୀର୍ଘକାଳୀନ ଆର୍ଥିକ ସ୍ଥିରତା, ହେଲଦି କ୍ରେଡିଟ ରେଟିଂ ଏବଂ ବଜାର ସୁନିଶ୍ଚିତତା ଉପରେ ପ୍ରାଥମିକତା ଦିଆଯିବା ଜରୁରି ।
ବନ୍ଧୁଗଣ,
ନୂତନ ସମ୍ପ୍ରସାରିତ ରୂପରେ ବ୍ରିକ୍ସ ୩୦ ଟ୍ରିଲିୟନ ଆମେରିକୀୟ ଡଲାର ଠାରୁ ବଡ଼ ଅର୍ଥନୀତି ଭାବେ ଉଭା ହୋଇଛି । ଆମର ଆର୍ଥିକ ସହଯୋଗକୁ ବୃଦ୍ଧି କରିବା ଦିଗରେ ବ୍ରିକ୍ସ ବିଜିନେସ କାଉନସିଲ ଏବଂ ବ୍ରିକ୍ସ ୱିମେନ ବିଜିନେସ ଆଲିଆନ୍ସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଚଳିତ ବର୍ଷ ବ୍ରିକ୍ସ ମଧ୍ୟରେ ଡବ୍ଲୁଟିଓ ସଂସ୍କାର, କୃଷି କ୍ଷେତ୍ରରେ ବାଣିଜ୍ୟ ସୁବିଧା, ନମନୀୟ ଯୋଗାଣ ଶୃଙ୍ଖଳ, ଇ–କମର୍ସ ଏବଂ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍କୁ ନେଇ ହୋଇଥିବା ସହମତି ଯୋଗୁ ଆର୍ଥିକ ସହଯୋଗ ଅଧିକ ସୁଦୃଢ଼ ହୋଇପାରିବ । ଏ ସମସ୍ତ ପଦକ୍ଷେପ ଗୁଡ଼ିକ ଭିତରେ ଆମେ ମଧ୍ୟ ଛୋଟ ଏବଂ ମଧ୍ୟମ ଉଦ୍ୟୋଗ ଗୁଡ଼ିକର ସ୍ୱାର୍ଥକୁ ଦେଖିବା ଉଚିତ ।
ମୋତେ ଖୁସି ଲାଗୁଛି କି ୨୦୨୧ ମସିହାରେ ବ୍ରିକ୍ସରେ ଭାରତର ଅଧ୍ୟକ୍ଷତା କାଳରେ ପ୍ରସ୍ତାବିତ ବ୍ରିକ୍ସ ଷ୍ଟାର୍ଟଅପ୍ ଫୋରମର ଶୁଭାରମ୍ଭ ଚଳିତ ବର୍ଷ ହେଉଛି । ଭାରତ ଦ୍ୱାରା ଆରମ୍ଭ କରାଯାଇଥିବା ରେଲୱେ ରିସର୍ଚ୍ଚ ନେଟୱର୍କ ପଦକ୍ଷେପ ମଧ୍ୟ ବ୍ରିକ୍ସ ଦେଶ ଗୁଡ଼ିକ ମଧ୍ୟରେ ପରିବହନ ଓ ଯୋଗାଣ ଶୃଙ୍ଖଳ ଯୋଗାଯୋଗକୁ ବଢ଼ାଇବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଚଳିତ ବର୍ଷ ବ୍ରିକ୍ସ ଦେଶ ଗୁଡ଼ିକୁ ୟୁନିଡୋ (UNIDO) ସହ ମିଳିତ ଭାବେ ଇଣ୍ଡଷ୍ଟ୍ରି ୪.୦ ପାଇଁ ଦକ୍ଷ ଶ୍ରମ ଶକ୍ତି ପ୍ରସ୍ତୁତ କରିବାକୁ ସହମତ ହେବା ବେଶ୍ ଗୁରୁତ୍ୱପୂର୍ଣ୍ଣ ।
୨୦୨୨ରେ ଶୁଭାରମ୍ଭ ହୋଇଥିବା ବ୍ରିକ୍ସ ଭ୍ୟାକ୍ସିନ୍ ଆର ଆଣ୍ଡ ଡି ସେଣ୍ଟର ସମସ୍ତ ଦେଶରେ ସ୍ୱାସ୍ଥ୍ୟ ସୁରକ୍ଷା ବୃଦ୍ଧି ଦିଗରେ ସହାୟକ ହୋଇପାରିଛି । ବ୍ରିକ୍ସ ସହଯୋଗୀମାନଙ୍କ ସହ ଡିଜିଟାଲ ହେଲଥ୍ ଦିଗରେ ଭାରତର ସଫଳ ଅଭିଜ୍ଞତା ବାଣ୍ଟିବାରେ ଆମେ ଖୁସି ହେବୁ ।
ବନ୍ଧୁଗଣ,
ଜଳବାୟୁ ପରିବର୍ତ୍ତନ ଆମର ମୂଳ ପ୍ରାଥମିକତା ରହିଛି । ରୁଷ୍ ଅଧ୍ୟକ୍ଷତାରେ ବ୍ରିକ୍ସ ଓପନ କାର୍ବନ ମାର୍କେଟ ପାର୍ଟନରସିପରେ ହୋଇଥିବା ସହମତିକୁ ସ୍ୱାଗତ । ଭାରତରେ ମଧ୍ୟ ସବୁଜ ବଳୟ ବୃଦ୍ଧି, ଜଳବାୟୁ ଅନୁକୂଳ ମୌଳିକ ଢାଞ୍ଚା, ଗ୍ରୀନ୍ ଟ୍ରାଞ୍ଜିସନକୁ ଗୁରୁତ୍ୱ ଦିଆଯାଉଛି । ଭାରତ ଦ୍ୱାରା ଆନ୍ତର୍ଜାତିକ ସୌର ମଞ୍ଚ, ବିପର୍ଯ୍ୟୟ ପ୍ରତିରୋଧ ଇନଫ୍ରାଷ୍ଟ୍ରକଚର କୋଆଲିସନ, ମିସନ ଲାଇଫ୍, ଯଥା: ପରିବେଶ ପାଇଁ ଜୀବନଶୈଳୀ, ମା’ଙ୍କ ନାମରେ ଗୋଟିଏ ଗଛ ଇତ୍ୟାଦି ପଦକ୍ଷେପ ନିଆଯାଇଛି ।
ଗତ ବର୍ଷ ସିଓପି–୨୮ ସମୟରେ ଆମେ ଗ୍ରୀନ୍ କ୍ରେଡିଟ ନାମରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଆରମ୍ଭ କରିଥିଲୁ । ବ୍ରିକ୍ସ ସହଯୋଗୀମାନଙ୍କୁ ଏଥିରେ ସାମିଲ ହେବାକୁ ଆହ୍ୱାନ କରୁଛି ।
ବ୍ରିକ୍ସର ସମସ୍ତ ଦେଶରେ ମୌଳି ଢାଞ୍ଚା ନିର୍ମାଣ ଦିଗରେ ବିଶେଷ ଭାବେ ଧ୍ୟାନ ଦିଆଯାଉଛି ।
ଭାରତରେ ବହୁମୁଖୀ ସଂଯୋଗୀକରଣକୁ ବ୍ୟାପକ କରିବା ଲାଗି ଆମେ ଗତିଶକ୍ତି ପୋର୍ଟାଲ ନାମରେ ଡିଜିଟାଲ ପ୍ଲାଟଫର୍ମ ପ୍ରସ୍ତୁତ କରିଛୁ । ଏହାଦ୍ୱାରା ମୌଳିକ ଢାଞ୍ଚାର ବିକାଶ ପାଇଁ ସମନ୍ୱିତ ଯୋଜନାକୁ ସହାୟତା ମିଳିଛି ଏବଂ ପରିବହନ ଖର୍ଚ୍ଚ କମ୍ ହୋଇଛି ।
ଆପଣମାନଙ୍କ ସହ ଏହି ଅଭିଜ୍ଞତା ବାଣ୍ଟିବାରେ ଖୁସି ହେବୁ ।
ବନ୍ଧୁଗଣ,
ବ୍ରିକ୍ସ ଦେଶ ଗୁଡ଼ିକ ମଧ୍ୟରେ ବିତ୍ତୀୟ ଏକୀକରଣ ବୃଦ୍ଧି ସକାଶେ ପ୍ରଚେଷ୍ଟାକୁ ସ୍ୱାଗତ ।
ସ୍ଥାନୀୟ ମୁଦ୍ରାରେ ବାଣିଜ୍ୟ ଏବଂ ସୀମାପାରି ସୁଗମ ଦେଣନେଣ ଆମର ଆର୍ଥିକ ସହଯୋଗକୁ ସୁଦୃଢ଼ କରିବ । ଭାରତ ଦ୍ୱାରା ଆରମ୍ଭ କରାଯାଇଥିବା ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ୍ (ୟୁପିଆଇ) ଏକ ବଡ଼ ସଫଳ କାହାଣୀ ଏବଂ ଅନେକ ଗୁଡ଼ିଏ ଦେଶ ଏହାକୁ ଆଦରିଛନ୍ତି ।
ଗତବର୍ଷ ମହାମାନ୍ୟ ଶେଖ୍ ମହମ୍ମଦଙ୍କ ସହ ମିଳିତ ଭାବେ ୟୁଏଇରେ ଏହାର ଶୁଭାରମ୍ଭ କରିଥିଲୁ । ଅନ୍ୟାନ୍ୟ ବ୍ରିକ୍ସ ଦେଶ ଗୁଡ଼ିକ ସହ ଏହି କ୍ଷେତ୍ରରେ ଆମେ ମଧ୍ୟ ସହଯୋଗ କରିପାରିବୁ ।
ବନ୍ଧୁଗଣ,
ବ୍ରିକ୍ସରେ ସହଯୋଗ ବୃଦ୍ଧି ପାଇଁ ଭାରତ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ ।
ଆମର ବିବିଧିତା ଏବଂ ବହୁଧ୍ରୁବୀୟତା ଆମ ଶକ୍ତି ବୋଲି ଦୃଢ଼ ବିଶ୍ୱାସ । ଆମର ଏହି ଶକ୍ତି ଏବଂ ମାନବତାରେ ଥିବା ବିଶ୍ୱାସ ଆମର ଭାବୀ ପିଢ଼ିଙ୍କୁ ସମୃଦ୍ଧ ଓ ସଶକ୍ତ ଭବିଷ୍ୟକୁ ସାର୍ଥକ ରୂପ ଦେବାକୁ ସହଯୋଗୀ ହେବ ।
ଆଜିର ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଓ ଉପଯୋଗୀ ଆଲୋଚନା ପାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି ।
ବ୍ରିକ୍ସର ପରବର୍ତ୍ତୀ ଅଧ୍ୟକ୍ଷ ଭାବେ ରାଷ୍ଟ୍ରପତି ଲୁଲାଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଉଛି । ଆପଣଙ୍କ ବ୍ରିକ୍ସ ଅଧ୍ୟକ୍ଷତା ପାଇଁ ଭାରତ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବ ।
ପୁଣି ଥରେ ରାଷ୍ଟ୍ରପତି ପୁତିନ ଓ ଅନ୍ୟ ନେତାମାନଙ୍କୁ ବହୁତ ଧନ୍ୟବାଦ ।
SR
My remarks during the BRICS Summit in Kazan, Russia. https://t.co/TvPNL0HHd0
— Narendra Modi (@narendramodi) October 23, 2024