Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରେୱା ଅତ୍ୟାଧୁନିକ ବୃହତ୍‌ ସୌରଶକ୍ତି ପ୍ରକଳ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନ୍‌ଫରେନ୍‌ସି ବ୍ୟବସ୍ଥାରେ ମଧ୍ୟପ୍ରଦେଶର ରେୱାଠାରେ ନିର୍ମିତ ହୋଇଥିବା ଦେଶର ସର୍ବାଧୁନିକ ଓ ବୃହତ୍ତମ (ଅଲ୍‌ଟ୍ରା ମେଗା) ସୌରଶକ୍ତି ଉତ୍ପାଦନ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଅର୍ପଣ କରିଛନ୍ତି । ଏହା ଏସିଆର ଏ ଧରଣର ସର୍ବବୃହତ୍‌ ଶକ୍ତି ପ୍ରକଳ୍ପ । ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରେୱା ପ୍ରକଳ୍ପ ଫଳରେ ସମଗ୍ର ଅଞ୍ଚଳଟି ନିର୍ମଳ, ପ୍ରଦୂଷଣମୁକ୍ତ ତଥା ଭରସାଯୋଗ୍ୟ ଉର୍ଜ୍ଜା ପାଇବ ଏବଂ ଚଳିତ ଦଶନ୍ଧିରେ ଏହା ଏକ ବୃହତ୍‌ ଶିଳ୍ପାଞ୍ଚଳରେ ପରିଣତ ହେବ । ଏହି ପ୍ରକଳ୍ପରୁ ରେୱାର ଆଖପାଖ ଅଞ୍ଚଳ ସମେତ ଦିଲ୍ଲୀ ମେଟ୍ରୋକୁ ବିଜୁଳି ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଥିବାରୁ ପ୍ରଧାନମନ୍ତ୍ରୀ ଏହି ଉଦ୍ୟମର ଉଚ୍ଚ ପ୍ରଶଂସା କରିଛନ୍ତି ।

ସେ କହିଛନ୍ତି ଯେ ନିମୁଚ୍‌, ସାଜାପୁର, ଛତରପୁର ଓ ଓଁକାରେଶ୍ୱରରେ ଅନୁରୂପ ପ୍ରକଳ୍ପମାନ ତିଆରି ହୋଇଥିବାରୁ ମଧ୍ୟପ୍ରଦେଶ ଖୁବ୍‌ଶୀଘ୍ର ଦେଶର ସୌରଶକ୍ତି ଉତ୍ପାଦନ କେନ୍ଦ୍ରରେ ପରିଣତ ହେବ । ଏହି ସୌର ପ୍ରକଳ୍ପ ଦ୍ୱାରା ମଧ୍ୟପ୍ରଦେଶର ଗରିବ, ମଧ୍ୟବିତ୍ତ, ଆଦିବାସୀ ଓ କୃଷକମାନେ ସର୍ବାଧିକ ଉପକୃତ ହେବେ । ଏକବିଂଶ ଶତାବ୍ଦୀର ଆକାଙ୍‌କ୍ଷୀ ଭାରତରେ ଉର୍ଜ୍ଜା ଆବଶ୍ୟକତା ପୂରଣ ପାଇଁ ସୌରଶକ୍ତି ପ୍ରମୁଖ ମାଧ୍ୟମ ହେବ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଉର୍ଜ୍ଜା ସୁନିଶ୍ଚିତ, ନିରାପଦ ଓ ନିର୍ମଳ (ସିଓର, ପିଓର ଏବଂ ସିକ୍ୟୁର) । ସୂର୍ଯ୍ୟଠାରୁ ଏହି ଉର୍ଜ୍ଜା ଉତ୍ତୋଳିତ ହେବାକୁ ଥିବାରୁ ଏହା ନିଶ୍ଚିତ । ଏହା ପରିବେଶ ଅନୂକୁଳ ହୋଇଥିବାରୁ ନିର୍ମଳ ତଥା ଅକ୍ଷୟଶକ୍ତି ଦୃଷ୍ଟିରୁ ଏହା ଆମ ଉର୍ଜ୍ଜା ନିରାପତ୍ତାଜନିତ ଆବଶ୍ୟକତା ପୂରଣ କରିବାକୁ ଉପଯୁକ୍ତ । ପ୍ରଧାନମନ୍ତ୍ରୀ ଏହି ସୌରଶକ୍ତି ପ୍ରକଳ୍ପକୁ ଆତ୍ମନିର୍ଭର ଭାରତର ଯଥାର୍ଥ ପ୍ରଦର୍ଶନ ବୋଲି ବର୍ଣ୍ଣନା କରିଛନ୍ତି ।

ସେ କହିଛନ୍ତି ଯେ ଆତ୍ମନିର୍ଭରତା ଏବଂ ବିକାଶରେ ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପରିବେଶ ଆଗ ନା ଅର୍ଥନୀତି ଆଗ, ଏହି ନିୟମିତ ଦ୍ୱନ୍ଦ୍ୱ ସଂପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହାର ଅବସାନ ପାଇଁ ସୌରଶକ୍ତି ପ୍ରକଳ୍ପ ଓ ଅନ୍ୟାନ୍ୟ ପରିବେଶ ଅନୁକୂଳ ପଦକ୍ଷେପ ଏକମାତ୍ର ବାଟ । ଅର୍ଥନୀତି ଓ ପରିବେଶ ପରସ୍ପରର ବିରୋଧୀ ନୁହନ୍ତି; ବରଂ ଉଭୟ ଉଭୟର ପରିପୂରକ । ସରକାର ତାଙ୍କର ସମସ୍ତ କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷାକୁ ଅଗ୍ରାଧିକାର ଦେଉଛନ୍ତି ଏବଂ ଜୀବନଯାପନକୁ ସହଜ କରିବା ନିମନ୍ତେ ଗୁରୁତ୍ୱ ଦିଆଯାଉଛି । ସ୍ୱଚ୍ଛ ଭାରତ, ଗରିବଙ୍କୁ ରନ୍ଧନ ଗ୍ୟାସ୍‌ ଯୋଗାଣ, ଘରୋଇ ବ୍ୟବହାର ପାଇଁ ପାଇପ ଯୋଗେ ସିଏନ୍‌ଜି ଯୋଗାଣ ଆଦି ସେଥିମଧ୍ୟରୁ ଅନ୍ୟତମ । ଏହାଦ୍ୱାରା ସାଧାରଣ ଓ ମଧ୍ୟବିତ୍ତବର୍ଗର ଲୋକେ ଉପକୃତ ହେଉଛନ୍ତି । ସେ ଆହୁରି କହିଛନ୍ତି ଯେ ପରିବେଶର ସୁରକ୍ଷା କେବଳ ଅଳ୍ପ କେତେକ ପ୍ରକଳ୍ପ ମଧ୍ୟରେ ସୀମିତ ନୁହେଁ ବରଂ ଏହା ଜୀବନର ଏକ ମାର୍ଗ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସ୍ୱଚ୍ଛ ଇନ୍ଧନର ଆବଶ୍ୟକତା ଅନୁଭୂତ ହେଉଥିବାରୁ ତାହାକୁ ନିଶ୍ଚିତ କରିବାକୁ ଉଦ୍ୟମ ଚାଲିଛି । ସେଥିପାଇଁ ବିଶାଳକାୟ ଅକ୍ଷୟଶକ୍ତି ପ୍ରକଳ୍ପମାନ ତିଆରି କରାଯାଉଛି । ସରକାର ଏହାମଧ୍ୟ ନିଶ୍ଚିତ କରିଛନ୍ତି ଯେ ଏସବୁ ପ୍ରକଳ୍ପର ଲାଭ ଦେଶର ସବୁ ଭାଗ, ସବୁ ବର୍ଗ ଏବଂ ସବୁ ନାଗରିକଙ୍କ ପାଖରେ ପହଞ୍ଚୁ । ଏହି ଅବସରରେ ସେ ଏଲ୍‌ଇଡି ବଲ୍‌ବର ବ୍ୟବହାର ଦ୍ୱାରା ଦେଶରେ ବିଜୁଳି ବ୍ୟବହାର ଓ ସେ ବାବଦ ଖର୍ଚ୍ଚ କିପରି କମିଛି ତାହାର ଉଦାହରଣ ଦେଇଛନ୍ତି । ଏହାଦ୍ୱାରା ତାପଜ ବିଦ୍ୟୁତ କେନ୍ଦ୍ରରେ କୋଇଲା ଜାଳେଣି ବ୍ୟବହାର କମିଥିବାରୁ ପ୍ରାୟ 40 ନିୟୁତ ଟନ ଓଜନର ଅଙ୍ଗାରକାମ୍ଲ ପରିବେଶରେ ମିଶିପାରିନାହିଁ । ଏଲ୍‌ଇଡି ବଲ୍‌ବ ବ୍ୟବହାର ଦ୍ୱାରା ବିଜୁଳି ଚାହିଦା 600 କୋଟି ୟୁନିଟ କମିଛି ଏବଂ ଏହା ଫଳରେ ସରକାର 24 ହଜାର କୋଟି ଟଙ୍କା ବଞ୍ଚାଇ ପାରିଛନ୍ତି । ସେ କହିଛନ୍ତି ଯେ ଆମ ପରିବେଶ, ବାୟୁ ଓ ଜଳ ଆଦିକୁ ନିର୍ମଳ ରଖିବା ପାଇଁ ସରକାର ସବୁମନ୍ତେ ଉଦ୍ୟମ କରୁଛନ୍ତି । ଏସବୁ ବିଚାର ଓ ନୀତି ସୌରଶକ୍ତି ଉତ୍ପାଦନରେ ପ୍ରତିଫଳିତ ହେଉଛି ।

ଶ୍ରୀ ମୋଦୀ କହିଛନ୍ତି ଯେ ସୌରଶକ୍ତି ଉତ୍ପାଦନ କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ସଫଳତା ସମଗ୍ର ବିଶ୍ୱକୁ ବଡ଼ ଉତ୍ସାହ ଓ ପ୍ରେରଣା ଦେବ । ଭାରତ ସୌରଶକ୍ତି ପାଇଁ ଏବେ ସ୍ୱଚ୍ଛ ଉର୍ଜ୍ଜାର ଏକ ବଡ ବଜାରଭାବେ ପରିଗଣିତ ହେଉଛି । ଆନ୍ତର୍ଜାତିକ ସୌର ସହଯୋଗ (ଆଇଏସ୍‌ଏ) ସଂପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ସହଯୋଗ ସୌରଶକ୍ତି ଉତ୍ପାଦନ କ୍ଷେତ୍ରରେ ସମଗ୍ର ବିଶ୍ୱକୁ ଏକଜୁଟ କରିବାକୁ ଉଦ୍ଦିଷ୍ଟ ଥିଲା ଏବଂ ଏଥିପାଇଁ ଗୋଟିଏ ବିଚାର ଥିଲା ଗୋଟିଏ ବିଶ୍ୱ, ଗୋଟିଏ ସୂର୍ଯ୍ୟ, ଓ ଗୋଟିଏ ଗ୍ରିଡ । ସେ କହିଛନ୍ତି ଯେ ସରକାରଙ୍କ କୁସୁମ କାର୍ଯ୍ୟକ୍ରମର ଲାଭ ମଧ୍ୟପ୍ରଦେଶ ଚାଷୀଙ୍କୁ ମିଳିବ । ସେମାନେ ନିଜ ନିଜର ଜମିରେ ଛୋଟ ଛୋଟ ସୌରଶକ୍ତି କେନ୍ଦ୍ରମାନ ବସାଇ ଅତିରିକ୍ତ ରୋଜଗାର ସୁବିଧା ପାଇବେ । ସେ ଆଶା ପ୍ରକାଶ କରିଛନ୍ତି ଯେ ଖୁବ୍‌ ଶୀଘ୍ର ଭାରତ ଏକ ବୃହତ୍‌ ସୌରଶକ୍ତି ଉତ୍ପାଦନକାରୀ ରାଷ୍ଟ୍ରରେ ପରିଣତ ହେବ । ଭାରତ ମଧ୍ୟ ଏ କ୍ଷେତ୍ରରେ ବ୍ୟବହୃତ ହେଉଥିବା ବିଭିନ୍ନ ପ୍ରକାର ଉପକରଣ ଯଥା ଫଟୋଭୋଲ୍‌ଟାଇକ ସେଲ୍‌, ବ୍ୟାଟେରୀ ଏବଂ ଷ୍ଟୋରେଜ ବ୍ୟବସ୍ଥାରେ ଆତ୍ମନିର୍ଭରଶୀଳ ହୋଇ ଏସବୁର ଆମଦାନୀ ଯଥେଷ୍ଟ କମାଇଛି । ସୌରଶକ୍ତି କ୍ଷେତ୍ରରେ ଭାରତର କାର୍ଯ୍ୟ ଦ୍ରୁତଗତିରେ ଚାଲିଛି । ଏଥିରେ ଉଦ୍ୟୋଗ, ଯୁବବର୍ଗ, ଏମ୍‌ଏସ୍‌ଏମ୍‌ଇ ତଥା ଷ୍ଟାର୍ଟଅପ୍‌ ସମୂହଙ୍କୁ ସରକାର ପ୍ରୋତ୍ସାହିତ କରୁଛନ୍ତି । ସୌରଶକ୍ତି ଶକ୍ତି ଉତ୍ପାଦନ ପାଇଁ ଦରକାର ହେଉଥିବା ଉପକରଣ ନିର୍ମାଣ କ୍ଷେତ୍ରରେ ସେମାନେ ଆଗେଇ ଆସି ସୁଯୋଗର ସଦୁପଯୋଗ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

ସାଂପ୍ରତିକ କରୋନା ମହାମାରୀ ସଙ୍କଟ ସଂପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଭଳି ପରିସ୍ଥିତିର ମୁକାବିଲା କରିବା ପାଇଁ ସରକାର ଓ ସମାଜ ଉଭୟ ଅନୁକମ୍ପା ଓ ସତର୍କତାର ସହ କାମ କରିବା ଆବଶ୍ୟକ । ଲକ୍‌ଡାଉନ ଆରମ୍ଭରୁ ସରକାର ଗରିବ ଓ ଅଭାବୀ ଲୋକଙ୍କ ଖାଦ୍ୟ ତଥା ଇନ୍ଧନ ଆବଶ୍ୟକତାକୁ ନିଶ୍ଚିତ କରିଛନ୍ତି । ସେହି ବିଚାରରେ ଅନ୍‌ଲକ୍‌ଡାଉନ କାଳରେ ମଧ୍ୟ ଖାଦ୍ୟଶସ୍ୟ ଓ ରନ୍ଧନ ଗ୍ୟାସ୍‌ ନଭେମ୍ବର ପର୍ଯ୍ୟନ୍ତ ଯୋଗାଇ ଦେବାକୁ ପଦକ୍ଷେପ ନିଆଯାଇଛି । କେବଳ ଏତିକି ନୁହେଁ, କୋଟି କୋଟି ଘରୋଇ ଉଦ୍ୟୋଗ କର୍ମଚାରୀଙ୍କ ଇପିଏଫ୍‌ ଆକାଉଣ୍ଟକୁ ସରକାର ପୂର୍ଣ୍ଣଦେୟ ଦେଉଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ଅନେକ ବଞ୍ଚିତ ଲୋକଙ୍କୁ ସରକାର ସୁବିଧା ସୁଯୋଗ ଯୋଗାଉଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ସାମୂହିକ ବିକାଶ ପାଇଁ ମଧ୍ୟପ୍ରଦେଶବାସୀ ବହୁସଂଖ୍ୟାରେ ଘରୁ ବାହାରି କାମ କରିବା ଭଲ କଥା । ତେବେ ସେମାନଙ୍କୁ ତିନୋଟି ନିୟମ ମାନିବାକୁ ପଡିବ । ସେଗୁଡିକ ହେଲା ପରସ୍ପର ମଧ୍ୟରେ ଦୁଇ ଗଜର ଦୂରତ୍ୱ ରକ୍ଷା, ମୁହଁରେ ମାସ୍କ ଲଗାଇବା ଏବଂ ସାବୁନରେ ଅତିକମ୍‌ରେ 20 ସେକେଣ୍ଡ ପାଇଁ ହାତ ଧୋଇବା ।