11.91 ଲକ୍ଷ ଅଣଗେଜେଟେଡ ରେଳ କର୍ମଚାରୀମାନଙ୍କୁ 2017-18 ଆର୍ଥିକ ବର୍ଷ ଲାଗି ମିଳିବ 78 ଦିନର ଉତ୍ପାଦନଭିତ୍ତିକ ବୋନସ
• ବୋନସ ପ୍ରଦାନରେ ଖର୍ଚ୍ଚ ହେବ 2044.31 କୋଟି ଟଙ୍କା
ଦେଶର ରେଳ କର୍ମଚାରୀମାନଙ୍କ ପାଇଁ ଖୁସିର ଖବର । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ 2017-18 ଆର୍ଥିକ ବର୍ଷ ଲାଗି ସମସ୍ତ ଯୋଗ୍ୟ ଅଣ ଗେଜେଟେଡ ରେଳ କର୍ମଚାରୀମାନଙ୍କୁ (ଆରପିଏଫ/ଆରପିଏସଏଫ କର୍ମଚାରୀମାନଙ୍କୁ ବାଦ ଦେଇ) 78 ଦିନର ଦରମା ସହ ସମାନ ଉତ୍ପାଦନ-ଭିତ୍ତିକ ବୋନସ (ପିଏଲବି) ପ୍ରଦାନ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ରେଳ କର୍ମଚାରୀମାନଙ୍କୁ 78ଦିନର ପିଏଲବି ପ୍ରଦାନ କରିବା ଲାଗି 2044.31 କୋଟି ଟଙ୍କା ଖର୍ଚ୍ଚ ହେବ । ଯୋଗ୍ୟ ଅଣ ଗେଜେଟେଡ ରେଳ କର୍ମଚାରୀମାନଙ୍କୁ ପିଏଲବି ପଇଠ ଲାଗି ଦରମା ଗଣନା ସୀମା ମାସିକ 7 ହଜାର ଟଙ୍କା ନିର୍ଦ୍ଧାରିତ ହୋଇଛି । 78 ଦିନ ଲାଗି ପ୍ରତ୍ୟେକ ଯୋଗ୍ୟ ରେଳ କର୍ମଚାରୀମାନଙ୍କୁ 17,951ଟଙ୍କାର ସର୍ବାଧିକ ପରିଶୋଧ ଦେୟ ହେବ । ଏହି ନିଷ୍ପତ୍ତି ଦ୍ୱାରା ପାଖାପାଖି 11.91 ଲକ୍ଷ ଅଣ ଗେଜେଟେଡ ରେଳ କର୍ମଚାରୀ ଲାଭାନ୍ୱିତ ହେବେ ।
ରେଳବାଇର ଉତ୍ପାଦନ-ଭିତ୍ତିକ ବୋନସ ସାରା ଦେଶର ସମସ୍ତ ଅଣ ଗେଜେଟେଡ ରେଳ କର୍ମଚାରୀ (ଆରପିଏଫ/ଆରପିଏସଏଫ କର୍ମଚାରୀଙ୍କୁ ବାଦଦେଇ)ଙ୍କୁ କଭର କରୁଛି । ଯୋଗ୍ୟ ରେଳ କର୍ମଚାରୀମାନଙ୍କୁ ପିଏଲବି ପ୍ରତ୍ୟେକ ବର୍ଷ ଦଶହରା/ପୂଜା ଛୁଟି ପୂର୍ବରୁ ଦିଆଯାଇଥାଏ । କ୍ୟାବିନେଟଙ୍କର ଏହି ନିଷ୍ପତ୍ତି ଚଳିତ ବର୍ଷ ମଧ୍ୟ ଛୁଟି ପୂର୍ବରୁ ଲାଗୁ ହୋଇଯିବ । 2017-18ବର୍ଷ ଲାଗି 78 ଦିନର ଉତ୍ପାଦନ-ଭିତ୍ତିକ ବୋନସ ଦିଆଯିବା ଦ୍ୱାରା ରେଳବାଇର କାମ କାର୍ଯ୍ୟ ସୁଧାରିବାରେ କର୍ମଚାରୀଙ୍କ ମନୋବଳ ବୃଦ୍ଧି ହେବ ବୋଲି ଆଶା କରାଯାଉଛି ।
**********