Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

‘ରୂପାନ୍ତର ଭାରତ’ (Transforming India) ବତ୍କୃତା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

‘ରୂପାନ୍ତର ଭାରତ’ (Transforming India) ବତ୍କୃତା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


ସିଙ୍ଗାପୁର ଉପ-ପ୍ରଧାନମନ୍ତ୍ରୀ ମହାମହୀମ ଶ୍ରୀଯୁକ୍ତ ଥର୍ମାନ ସନମୁଗରତ୍ନମ,

ମୋର ସହକର୍ମୀ ମନ୍ତ୍ରୀବୃନ୍ଦ,

ମୁଖ୍ୟମନ୍ତ୍ରୀଗଣ,

ନିମନ୍ତ୍ରିତ ବକ୍ତା ଏବଂ ବନ୍ଧୁଗଣ,

ସମୟ ଥିଲା,

ଯେତେବେଳେ ବିକାଶ ପୁଞ୍ଜି ଏବଂ ଶ୍ରମର ପରିମାଣ ଉପରେ ନିର୍ଭରଶୀଳ ବୋଲି ବିଶ୍ୱାସ କରାଯାଉଥିଲା । ଆଜି ଆମେ ଜାଣିଛୁ ଯେ, ଏହା ସଂସ୍ଥା ଏବଂ ନୂତନ ଚିନ୍ତାଧାରା ଉପରେ ମଧ୍ୟ ସେତିକି ମାତ୍ରାରେ ନିର୍ଭରଶୀଳ । ଗତବର୍ଷର ଆରମ୍ଭରେ ନ୍ୟାସନାଲ୍ ଇଷ୍ଟିଟ୍ୟୁସନ ଫର୍ ଟ୍ରାନ୍ସଫର୍ମିଙ୍ଗ ଇଣ୍ଡିଆ (NITI) ନାମକ ଏକ ସଂସ୍ଥା ଗଠିତ ହୋଇଥିଲା । ଭାରତୀୟ ରୂପାନ୍ତରଣର ମାର୍ଗଦର୍ଶକ ଭାବରେ ସ୍ପଷ୍ଟତା ଆଧାରିତ ବିଶେଷଜ୍ଞ ମଣ୍ଡଳୀ (Think Tank)ରୂପେ NITI ଗଠନ ହୋଇଥିଲା ।

NITI ର କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିଏ ହେଲା –

– ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରର ବିଶେଷଜ୍ଞଙ୍କ ସହାୟତାରେ ବାହାରର ଚିନ୍ତାଧାରାକୁ ସରକାରୀ ନୀତିର ମୁଖ୍ୟଧାରାରେ ସାମିଲ କରିବା;

– ବାହାରର ଦୁନିଆ, ବିଶେଷଜ୍ଞ ଏବଂ କାର୍ଯ୍ୟକର୍ତ୍ତାଙ୍କ ସହ ସମ୍ପର୍କ ପାଇଁ ସରକାରଙ୍କ ଯୋଗସୂତ୍ର ହେବା;

– ନୀତି ପ୍ରସ୍ତୁତିରେ ବାହାରର ଚିନ୍ତାଧାରାକୁ ସାମିଲ କରିବା ପାଇଁ ଏକ ଉପକରଣ ସାଜିବା ।

ଭାରତ ସରକାର ଏବଂ ରାଜ୍ୟ ସରକାରମାନଙ୍କର ଏକ ସୁଦୀର୍ଘ ପ୍ରଶାସନିକ ପରମ୍ପରା ରହିଛି । ଏହି ପରମ୍ପରା ଭାରତର ଅତୀତରୁ ଉଭୟ ସ୍ୱଦେଶୀ ଏବଂ ବିଦେଶୀ ଚିନ୍ତାଧାରାକୁ ଏକାଠି କରିଛି । ଏହି ପ୍ରଶାସନିକ ପରମ୍ପରା ଅନେକ ପ୍ରକାରରେ ଭାରତର କାମରେ ଲାଗିଛି । ସର୍ବୋପରି ଏହା ଦେଶରେ ଗୌରବାନ୍ୱିତ ବିଭିନ୍ନତା, ଗଣତନ୍ତ୍ର ଏବଂ ମହାସଂଘବାଦ, ଏକତା ଏବଂ ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିଛି । ଏଗୁଡିକ ଛୋଟ ଉପଲବ୍ଧି ନୁହେଁ । ଆମେ ଏବେ ଏଭଳି ଏକ ଯୁଗରେ ବାସ କରୁଛୁ, ଯେଉଁଠି ପରିବର୍ତ୍ତନ ସ୍ଥିର (Constants) ଏବଂ ଆମେ ପରିବର୍ତ୍ତନଶୀଳ (Variables) ।

ଆମେ ଉଭୟ ବାହ୍ୟ ଏବଂ ଆଭ୍ୟନ୍ତରୀଣ କାରଣ ଯୋଗୁ ନିଜକୁ ପରିବର୍ତ୍ତିତ କରିବା ଆବଶ୍ୟକ । ପ୍ରତ୍ୟେକ ଦେଶର ନିଜସ୍ୱ ଅନୁଭୁତି ରହିଛି, ନିଜର ସମ୍ବଳ ରହିଛି, ନିଜର ବଳ ରହିଛି । ତିରିଶ ବର୍ଷ ପୂର୍ବେ ହୁଏତ ଗୋଟିଏ ଦେଶ ନିଜର ଅଭ୍ୟନ୍ତରକୁ ଦେଖି ନିଜ ସମସ୍ୟାର ସମାଧାନ ଖୋଜିବାରେ ସକ୍ଷମ ହୋଇଛି । ଆଜି ଦେଶଗୁଡିକ ପରସ୍ପର ସହିତ ସଂଯୁକ୍ତ ଏବଂ ପରସ୍ପର ଉପରେ ନିର୍ଭରଶୀଳ । ପୃଥକ ଭାବରେ ରହି କୌଣସି ଦେଶ ଉନ୍ନତି କରିପାରିବ ନାହିଁ । ପ୍ରତ୍ୟେକ ଦେଶକୁ ନିଜର କାର୍ଯ୍ୟକଳାପ ବୈଶ୍ୱିକ ପରିମାପକ ସହ ସମକକ୍ଷ କରିବାକୁ ପଡିବ, ନଚେତ୍ ସେହି ଦେଶ ବହୁତ ପଛରେ ରହିଯିବ ।

ଆଭ୍ୟନ୍ତରୀଣ କାରଣ ଯୋଗୁ ମଧ୍ୟ ପରିବର୍ତ୍ତନ ଆବଶ୍ୟକ । ଆମ ନିଜ ଦେଶରେ ନୂତନ ପିଢି ଭିନ୍ନ ଧରଣର ଚିନ୍ତାଧାରା ଏବଂ ଆଶା ପୋଷଣ କରୁଛି ଯେ, ସରକାର ଅତୀତ ଭିତରେ ବାନ୍ଧି ହୋଇ ରହିପାରିବେ ନାହିଁ । ଏପରିକି ପରିବାରରେ ମଧ୍ୟ ବଡ ସାନ ମଧ୍ୟରେ ଥିବା ସମ୍ପର୍କରେ ପରିବର୍ତ୍ତନ ଆସିଛି । ଦିନ ଥିଲା ପରିବାରର ବଡ ସଦସ୍ୟମାନେ ଛୋଟମାନଙ୍କ ଅପେକ୍ଷା ଅଧିକ ଜ୍ଞାନର ଅଧିକାରୀ ଥିଲେ । ଆଜି ନୂତନ କୌଶଳର ପ୍ରସାର ଫଳରେ ପରିସ୍ଥିତି ଓଲଟା ହୋଇଯାଇଛି । ଏହା ସରକାରଙ୍କ ପାଇଁ ମଧ୍ୟ ଯୋଗାଯୋଗ ଏବଂ ଉଚ୍ଚାକାଂକ୍ଷା ପୂରଣର ଆହ୍ୱାନ ସୃଷ୍ଟି କରୁଛି ।

ପରିବର୍ତ୍ତନର ଆହ୍ୱାନ ସ୍ୱୀକାର କରିବାକୁ ହେଲେ ଭାରତ ପାଇଁ କେବଳ ବୃଦ୍ଧିଜନିତ ବିକାଶ ଯଥେଷ୍ଟ ନୁହେଁ । ଗୋଟିଏ ରୂପାନ୍ତରର ଆବଶ୍ୟକତା ରହିଛି ।

ତେଣୁ ଭାରତର ବିକାଶ ସମ୍ପର୍କରେ ମୋର ଦୃଷ୍ଟିକୋଣ ହେଉଛି ଦୃତ ରୂପାନ୍ତର, ମନ୍ଥର ବିବର୍ତ୍ତନ ନୁହେଁ ।

– ସରକାରର ରୂପାନ୍ତର ବିନା ଭାରତର ରୂପାନ୍ତର ହୋଇପାରିବ ନାହିଁ

– ସରକାରର ରୁପାନ୍ତର ମାନସିକତାର ରୂପାନ୍ତର ବିନା ହୋଇପାରିବ ନାହିଁ

– ମାନସିକତାର ରୂପାନ୍ତର ଚିନ୍ତାଧାରାର ରୂପାନ୍ତର ବିନା ହୋଇପାରିବ ନାହିଁ

ଆମକୁ ଆଇନ ବଦଳାଇବାକୁ ହେବ, ଅନାବଶ୍ୟକ କାର୍ଯ୍ୟପ୍ରଣାଳୀକୁ ଉଠାଇଦେବାକୁ ପଡିବ, କାର୍ଯ୍ୟପ୍ରଣାଳୀର ଗତି ବୃଦ୍ଧି କରିବାକୁ ପଡିବ, ନୂଆ ପ୍ରଯୁକ୍ତିବିଦ୍ୟାକୁ ଆପଣେଇବାକୁ ପଡିବ । ଉନବିଂଶ ଶତାବ୍ଦୀର ଶାସନ ପ୍ରଣାଳୀକୁ ଧରି ଆମେ ଏକବିଂଶ ଶତାବ୍ଦୀରେ ଚାଲିପାରିବା ନାହିଁ । ପ୍ରଶାସନିକ ଚିନ୍ତାଧାରାରେ ମୌଳିକ ପରିବର୍ତ୍ତନ ପ୍ରାୟତଃ ଆକସ୍ମିକ ଆଘାତ କିମ୍ବା ସଙ୍କଟ ରୂପରେ ଆସେ । ଗୋଟିଏ ସ୍ଥିର ଗଣତାନ୍ତ୍ରିକ ରାଷ୍ଟ୍ର ହେବା ଭାରତର ସୌଭାଗ୍ୟ । ଆକସ୍ମିକ ଘଟଣା ବିନା ରୂପାନ୍ତରିତ ପରିବର୍ତ୍ତନ ପାଇଁ ଆମକୁ ନିଜକୁ ବାଧ୍ୟ କରିବା ପାଇଁ ବିଶେଷ ପ୍ରୟାସ କରିବାକୁ ପଡିବ । ଜଣେ ବ୍ୟକ୍ତିବିଶେଷ ହିସାବରେ କିଛି ବହି କିମ୍ବା ପ୍ରବନ୍ଧ ପାଠ କରି ଜ୍ଞାନ ଆହରଣ କରିପାରିବା । ପୁସ୍ତକ ପଠନ ଆମର ମସ୍ତିଷ୍କର ବାତାୟନକୁ ଉନ୍ମୁକ୍ତ କରିଦିଏ । କିନ୍ତୁ ସାମୁହିକ ଭାବରେ ଚିନ୍ତାଧାରାର ବିନିମୟ ନ ହେଲେ ଏହା ବ୍ୟକ୍ତିବିଶେଷର ମସ୍ତିଷ୍କରେ ଆବଦ୍ଧ ହୋଇ ରହିଯାଏ । ଆମେ ପ୍ରାୟତଃ ନୂତନ ଚିନ୍ତାଧାରା ସମ୍ପର୍କରେ ଶୁଣିଥାଉ ଏବଂ ଏହାକୁ ବୁଝିଥାଉ । କିନ୍ତୁ ଆମେ ଏହାକୁ କାର୍ଯ୍ୟକାରୀ କରୁ ନାହୁଁ କାରଣ ଏହା ଜଣେ ବ୍ୟକ୍ତିର କ୍ଷମତା ବହିର୍ଭୂତ । ଆମେ ଏକାଠି ବସିଲେ ଚିନ୍ତାଧାରାକୁ କାର୍ଯ୍ୟରେ ପରିଣତ କରିବାର ସାମୂହିକ ଶକ୍ତି ଲାଭ କରିପାରିବା । ଯାହା ଦରକାର ତାହା ହେଲା, ବିଶ୍ୱର ନୂତନ ରୂପକୁ ପ୍ରବେଶ କରାଇବା ପାଇଁ ମସ୍ତିଷ୍କର ସାମୂହିକ ବିମୁକ୍ତି । ଏଥିପାଇଁ ଆମକୁ ବ୍ୟକ୍ତିଗତ ନୁହେଁ ବରଂ ସାମୂହିକ ଭାବେ ନୂତନ ଚିନ୍ତାଧାରା ଆହରଣ କରିବାକୁ ପଡିବ । ଏଥିପାଇଁ ଆବଶ୍ୟକ ସାମୂହିକ ପ୍ରୟାସ ।

ଯେମିତିକି, ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଜାଣିଛନ୍ତି ଯେ, କାର୍ଯ୍ୟଭାର ଗ୍ରହଣ କରିବା ଦିନଠାରୁ ବ୍ୟକ୍ତିଗତ ଭାବରେ ମୁଁ ଅନେକ ବ୍ୟାଙ୍କ ଅଧିକାରୀ, ପୋଲିସ ଅଧିକାରୀ, ରାଜ୍ୟ ସରକାରଙ୍କ ସଚିବଙ୍କ ସହ ବିଚାର ମନ୍ଥନ କରିଛି । ସେଥିରୁ ପ୍ରାପ୍ତ ଚିନ୍ତାଧାରା ହିଁ ନୀତିର ରୂପ ନେଉଛି ।

ଏହା ଆଭ୍ୟନ୍ତରୀଣ ସ୍ରୋତରୁ ବିଚାର ଆହରଣର ପ୍ରୟାସ । ପରବର୍ତ୍ତୀ ପଦକ୍ଷେପ ହେଲା ବାହାରରୁ ନୂତନ ଚିନ୍ତାଧାରା ଗ୍ରହଣ କରିବା । ସାଂସ୍କୃତିକ ଭାବରେ ଦେଖିଲେ, ଭାରତୀୟମାନେ ସର୍ବଦା ଯେ କୌଣସି ସ୍ରୋତରୁ ଜ୍ଞାନ ଆହରଣ ପାଇଁ ତତ୍ପରତା ପ୍ରକାଶ କରିଛନ୍ତି । ଋଗବେଦରେ କୁହାଯାଇଛି – “ଆ ନୋ ଭଦ୍ରାଃ କ୍ରତବୋ ୟନ୍ତୁ ବିଶ୍ୱତଃ”, ଅର୍ଥାତ୍, ଚତୁର୍ଦ୍ଦିଗରୁ ଆମେ ଶ୍ରେଷ୍ଠ ଚିନ୍ତାଧାରାକୁ ସ୍ୱାଗତ କରିବା ।

ଭାରତ ରୂପାନ୍ତର ବକ୍ତୃତାମାଳାର ଏହା ହିଁ ଉଦ୍ଦେଶ୍ୟ । ଏହି ବକ୍ତୃତାମାଳାରେ ଆମେ ବ୍ୟକ୍ତିବେଶେଷ ଭାବରେ ନୁହେଁ ବରଂ ପରିବର୍ତ୍ତନ ଘଟାଇବାରେ ସକ୍ଷମ ଦଳର ଅଂଶବିଶେଷ ଭାବରେ ଉପସ୍ଥିତ ରହିବା ।

ଯେଉଁ ବିଶିଷ୍ଟ ବ୍ୟକ୍ତି ସେମାନଙ୍କ ଦେଶକୁ ଏହି ଗ୍ରହର ଏକ ଉନ୍ନତତ୍ତର ସ୍ଥାନରେ ରୂପାନ୍ତରିତ କରିବା ପାଇଁ ପରିବର୍ତ୍ତନ ଘଟାଇ ପାରିଲେ କିମ୍ବା ସେଥିପାଇଁ ଅନେକ ଲୋକଙ୍କୁ ପ୍ରଭାବିତ କରିପାରିଲେ, ସେହିମାନଙ୍କ ବୁଦ୍ଧିମତ୍ତା ଏବଂ ଜ୍ଞାନର ଶ୍ରେଷ୍ଠାଂଶକୁ ଆମେ ଆହରଣ କରିବା ।

ଏହା ଏହି ବକ୍ତୃତାମାଳାର ପ୍ରଥମ ବକ୍ତୃତା । ଆପଣ ସମସ୍ତଙ୍କୁ ଗୋଟିଏ ଗୋଟିଏ ଅଭିମତ(Feedback) ଫର୍ମ ଦିଆଯାଇଛି । କାର୍ଯ୍ୟପ୍ରଣାଳୀକୁ ଉନ୍ନତ କରିବା ପାଇଁ ମୁଁ ଆପଣ ସମସ୍ତଙ୍କର ବିସ୍ତୃତ ଏବଂ ମନଖୋଲା ମନ୍ତବ୍ୟକୁ ଆହ୍ୱାନ କରୁଛି । ଭାରତ ଭିତରୁ ଏବଂ ବାହାରୁ ବିଶେଷଜ୍ଞମାନଙ୍କ ନାମର ପ୍ରସ୍ତାବ ଦେବା ପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି । ଏକ ସପ୍ତାହ ମଧ୍ୟରେ ନିଜର ମନ୍ତ୍ରଣାଳୟର ଅଂଶଗ୍ରହଣକାରୀମାନଙ୍କ ସହିତ ଗୋଟିଏ ଫଲୋ-ଅପ୍ ଡିସ୍କସନ ପାଇଁ ମୁଁ ସରକାରଙ୍କ ସମସ୍ତ ସଚିବମାନଙ୍କୁ ମଧ୍ୟ ଅନୁରୋଧ କରୁଛି । ଆଜିର ଆଲୋଚନାରେ ବାହାରିଥିବା ପ୍ରତି ଦଳ ପାଇଁ ପ୍ରଯୁଜ୍ୟ ଚିନ୍ତାଧାରାକୁ ନିର୍ଦ୍ଦିଷ୍ଟ କାର୍ଯ୍ୟପନ୍ଥାରେ ପରିବର୍ତ୍ତିତ କରିବା ଏହାର ଉଦ୍ଦେଶ୍ୟ । ମୁଁ ମନ୍ତ୍ରୀଗଣଙ୍କୁ ମଧ୍ୟ ଅନୁରୋଧ କରୁଛି, ଯଦି ସମ୍ଭବ, ସେମାନେ ମଧ୍ୟ ଏଥିରେ ଅଂଶ ଗ୍ରହଣ କରନ୍ତୁ ।

ଆମ ସମୟର ଜଣେ ମହାନ ସଂସ୍କାରକ ଏବଂ ପ୍ରଶାସକ ଥିଲେ ଲି କୁଆନ ୟୂ, ଯିଏ ସିଙ୍ଗାପୁରକୁ ଏହାର ଆଜିର ରୂପରେ ପରିବର୍ତ୍ତିତ କରିଥିଲେ । ତେଣୁ ଆଜିର ଏହି ଶୃଙ୍ଖଳାକୁ ଆମେ ସିଙ୍ଗାପୁରର ଉପ-ପ୍ରଧାନମନ୍ତ୍ରୀ ମହାମହୀମ ଶ୍ରୀଯୁକ୍ତ ଥର୍ମାନ ସନମୁଗରତ୍ନମଙ୍କ ଉପସ୍ଥିତିରେ ଉଦ୍ଘାଟନ କରିବାର ପ୍ରାସଙ୍ଗିକତା ଆହୁରି ବଢିଯାଇଛି । ସେ ଜଣେ ମହାନ ବିଦ୍ୱାନ ଏବଂ ନୀତି ନିର୍ଦ୍ଧାରକ । ଉପ-ପ୍ରଧାନମନ୍ତ୍ରୀ ହେବା ସଙ୍ଗେ ସଙ୍ଗେ ସେ ଆର୍ଥିକ ଏବଂ ସାମାଜିକ ନୀତି ବିଭାଗର ସମନ୍ୱୟ ମନ୍ତ୍ରୀ ଏବଂ ସିଙ୍ଗାପୁର ମୁଦ୍ରା ପ୍ରାଧିକରଣର ଅଧ୍ୟକ୍ଷ ଅଟନ୍ତି । ଅତୀତରେ ସେ ମାନବ ସମ୍ବଳ ବିଭାଗର ମନ୍ତ୍ରୀ, ଦ୍ୱିତୀୟ ଅର୍ଥମନ୍ତ୍ରୀ ଏବଂ ଶିକ୍ଷା ମନ୍ତ୍ରୀ ରୂପେ ଦାୟୀତ୍ୱ ତୁଲାଇଛନ୍ତି ।

ମୂଳ ଶ୍ରୀଲଙ୍କାର ତାମିଲ ପରିବାରରେ ସନମୁଗରତ୍ନମଙ୍କ ଜନ୍ମ 1957 ମସିହାରେ । ସେ ଲଣ୍ଡନ ସ୍କୁଲ ଅଫ ଇକୋନିମିକ୍ସରୁ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ହାସଲ କରିବା ସହ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାଲ କରିଛନ୍ତି । ଏହାଛଡା ହାୱାର୍ଡ ବିଶ୍ୱବିଦ୍ୟାଳୟରୁ ମଧ୍ୟ ସେ ସାଧାରଣ ପ୍ରଶାସନ ବିଷୟରେ ସ୍ନାତକୋତ୍ତର ଡିଗ୍ରୀର ଅଧିକାରୀ । ତାଙ୍କ ଅସାଧାରଣ ପ୍ରଦର୍ଶନ ପାଇଁ ହାୱାର୍ଡ ବିଶ୍ୱବିଦ୍ୟାଳୟ ତରଫରୁ ତାଙ୍କୁ Littauer Fellow ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଶ୍ରୀ ସନମୁଗରତ୍ନମ ବିଶ୍ୱର ଜଣେ ମହାନ ବୁଦ୍ଧିଜୀବି । ତାଙ୍କର ପ୍ରଖର ବୁଦ୍ଧିର ଗୋଟିଏ ଉଦାହରଣ ମୁଁ ଆପଣମାନଙ୍କୁ ଦେବାକୁ ଚାହୁଁଛି । ଆଜି ସିଙ୍ଗାପୁରର ଅର୍ଥବ୍ୟବସ୍ଥା ଟ୍ରାନ୍ସସିପମେଣ୍ଟ ଉପରେ ବହୁମାତ୍ରାରେ ନିର୍ଭର କରୁଛି । କିନ୍ତୁ ବିଶ୍ୱର କ୍ରମବର୍ଦ୍ଧିଷ୍ଣୁ ତାପମାତ୍ରା ଯୋଗୁ ଯଦି ମେରୁ ଅଞ୍ଚଳର ବରଫ ତରଳେ ତେବେ ନୂତନ ଜଳପଥ ସୃଷ୍ଟି ହେବା ସହ ସିଙ୍ଗାପୁରର ଗୁରୁତ୍ୱ ହ୍ରାସ ପାଇପାରେ । ସେ ଏଥିପାଇଁ ଚିନ୍ତା କରିବା ସହ ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛନ୍ତି ବୋଲି ମୋତେ ସୂଚନା ଦିଆଯାଇଛି ।

ବନ୍ଧୁଗଣ, ଶ୍ରୀ ସନମୁଗରତ୍ନମ ଲାଭ କରିଥିବା ଉପଲବ୍ଧି ଏବଂ ସମ୍ମାନର ତାଲିକା ସୁଦୀର୍ଘ । ଆମେ ସମସ୍ତେ ତାଙ୍କ ବକ୍ତବ୍ୟ ଶୁଣିବା ପାଇଁ ଉତ୍କଣ୍ଠିତ । ତେଣୁ ଆଉ ଡେରି ନ କରି, ମୁଁ ଶ୍ରୀ ସନମୁଗରତ୍ନମଙ୍କୁ ଏହି ମଞ୍ଚକୁ ସ୍ୱାଗତ ଜଣାଇ “ବିଶ୍ୱ ଅର୍ଥନୀତିରେ ଭାରତ”ସମ୍ପର୍କରେ ତାଙ୍କୁ ଆଲୋକପାତ କରିବାକୁ ଅନୁରୋଧ କରୁଛି ।

**********