ଆମେ, ଭାରତ ଓ ରୁଷିଆର ନେତା, ଆମର ଦୁଇ ଦେଶ ମଧ୍ୟରେ କୂଟନୀତିକ ସମ୍ପର୍କ ସ୍ଥାପନ ହେବାର 70 ତମ ବର୍ଷ ପୂର୍ତ୍ତି ଅବସରରେ ଅନୁଭବ କରୁଛୁ ଯେ ଭାରତ-ରୁଷ ସ୍ୱତନ୍ତ୍ର ଓ ବିଶେଷଧରଣର ରଣନୀତିକ ଭାଗିଦାରୀ ହେଉଛି ଦୁଇ ବୃହତ୍ ଶକ୍ତି ମଧ୍ୟରେ ପାରସ୍ପରିକ ବିଶ୍ୱାସର ଅଭିନବ ସମ୍ପର୍କ । ଆମର ସମ୍ପର୍କରେ ସବୁ କ୍ଷେତ୍ରରେ ସହଯୋଗ ସାମିଲ ରହିଛି । ଏଥିରେ ରାଜନୀତିକ ସମ୍ପର୍କ, ସୁରକ୍ଷା, ବାଣିଜ୍ୟ ଓ ଅର୍ଥବ୍ୟବସ୍ଥା, ସାମରିକ ଓ ଜ୍ଞାନକୌଶଳ କ୍ଷେତ୍ର, ଶକ୍ତି, ବିଜ୍ଞାନ, ସାଂସ୍କୃତିକ ଓ ମାନବିକ ଆଦାନପ୍ରଦାନ ଓ ବିଦେଶୀ ନୀତି ରହିଛି ଯାହା ଉଭୟ ଦେଶର ଜାତୀୟ ସ୍ୱାର୍ଥକୁ ପ୍ରୋତ୍ସାହିତ କରିବାରେ ସହାୟକ ହେଉଛି । ଏକ ଶାନ୍ତିପୂର୍ଣ୍ଣ ବିଶ୍ୱ ବ୍ୟବସ୍ଥାର ସ୍ଥାପନ ପାଇଁ ମଧ୍ୟ ଯୋଗଦାନ ଦେଉଛି ।
ଆମର ଦ୍ୱିପାକ୍ଷିକ ସମ୍ବନ୍ଧ ନିବିଡ଼ ପାରସ୍ପରିକ ବୁଝାମଣା ଓ ସମ୍ମାନ ଉପରେ ଆଧାରିତ । ସେହିପରି ଆର୍ଥିକ ଓ ସାମାଜିକ ବିକାଶ ଏବଂ ବିଦେଶ ନୀତିରେ ମଧ୍ୟ ସମାନ ପ୍ରାଥମିକତା ରହିଛି । ଆମେ ଶାନ୍ତି ଓ ସୁରକ୍ଷା ସୁନିଶ୍ଚିତ କରିବା ଓ ଆନ୍ତର୍ଜାତିକ ଢାଞ୍ଚାକୁ ରୂପ ଦେବା ପାଇଁ ଏହି ଦୃଷ୍ଟିକୋଣର ସମର୍ଥନ କରୁଛୁ ଯାହା ସାଂସ୍କୃତିକ ଓ ସଭ୍ୟତାଗତ ବିବିଧତାକୁ ଦର୍ଶାଉଛି ଓ ମାନବ ଜାତିର ଏକତାକୁ ମଧ୍ୟ ସୁଦୃଢ଼ କରୁଛି । ଭାରତ-ରୁଷିଆ ସମ୍ବନ୍ଧ ସମୟର କଷଟିରେ ପରୀକ୍ଷିତ ଓ ବାହ୍ୟ ପ୍ରଭାବରୁ ପ୍ରତିରୋଧିତ ।
ଭାରତକୁ ତା’ର ନିଜର ସ୍ୱାଧୀନତା ସଂଘର୍ଷରେ ରୁଷିଆ ଅବିଶ୍ୱସନୀୟ ଭାବେ ସମର୍ଥନ କରିଥିଲା ଓ ଆତ୍ମନିର୍ଭରଶୀଳ ହେବା ପାଇଁ ସହାୟତା କରିଥିଲା । 1971 ଅଗଷ୍ଟରେ, ଆମ ଦୁଇ ଦେଶ ଶାନ୍ତି, ମୈତ୍ରୀ ଓ ସହଯୋଗର ଚୁକ୍ତି ସ୍ୱାକ୍ଷରିତ କରିଥିଲେ, ଯେଉଁଥିରେ ପାରସ୍ପରିକ ସମ୍ବନ୍ଧର ମୂଳ ସିଦ୍ଧାନ୍ତ ଯଥା ପରସ୍ପରର ସାର୍ବଭୌମତ୍ୱ ଓ ସ୍ୱାର୍ଥ, ଉତ୍ତମ ପଡ଼ୋଶୀ ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ରେଖାଙ୍କିତ ହୋଇଥିଲା । ଦୁଇ ଦଶନ୍ଧି ପରେ 1993 ଜାନୁୟାରୀ ମାସରେ ଭାରତ ଓ ରୁଷିଆ ମୈତ୍ରୀ ଓ ସହଯୋଗର ନୂଆ ଚୁକ୍ତିରେ ଏହି ପ୍ରାବଧାନଗୁଡ଼ିକର ଅଲଂଘନୀୟତାକୁ ଆଶ୍ୱସ୍ତ କରାଇଥିଲେ । ଭାରତ ଓ ରୁଷିଆ ମଧ୍ୟରେ 2000 ଅକ୍ଟୋବର 3 ତାରିଖରେ ରଣନୀତିକ ଭାଗିଦାରୀ ପାଇଁ ହୋଇଥିବା ଘୋଷଣାପତ୍ର, ଦ୍ୱିପାକ୍ଷିକ ସମ୍ବନ୍ଧକୁ ଏକ ନୂଆସ୍ତରକୁ ନେଇଥିଲା ଯାହା ସମନ୍ୱୟକାରୀ ଆଭିମୁଖ୍ୟ ମାଧ୍ୟମରେ ଆନ୍ତର୍ଜାତିକ ଶାନ୍ତି ଓ ସୁରକ୍ଷାକୁ ସୁନିଶ୍ଚତ କରିବା, ପ୍ରମୁଖ ବିଶ୍ୱସ୍ତରୀୟ ଓ ଆଚଂଳିକ ସମସ୍ୟାର ସମାଧାନ ସହ ଆର୍ଥିକ, ସାଂସ୍କୃତିକ, ଶିକ୍ଷା ଓ ଅନ୍ୟ କ୍ଷେତ୍ରରେ ନିବିଡ଼ ସହଯୋଗ ଆଡ଼କୁ ନେଇଥିଲା । ଏହି ଭାଗିଦାରୀ ପୁଣିଥରେ 2010 ଡିସେମ୍ବର 21 ତାରିଖରେ ସ୍ୱତନ୍ତ୍ର ଓ ବିଶେଷ ରଣନୀତିକ ଭାଗିଦାରୀକୁ ଉନ୍ନୀତ ହୋଇଥିଲା ।
ଭାରତ-ରୁଷ ସମ୍ପର୍କରେ ବିସ୍ତୃତ ବିକାଶକୁ ଆଗେଇ ନେବା ପାଇଁ ଦୁଇ ଦେଶର ବିଦେଶ ନୀତିର ପୂର୍ଣ୍ଣ ପ୍ରାଥମିକତା ରହିଛି । ଆମେ ବିଭିନ୍ନ କ୍ଷେତ୍ରରେ ବହୁଳ ଭାବେ ଉଦ୍ୟମ ଆରମ୍ଭ କରି ଆମର ଦ୍ୱିପାକ୍ଷିକ ସମ୍ଭାବନାକୁ ବ୍ୟାପକ କରିବା ସହ ଆମର ଦ୍ୱିପାକ୍ଷିକ ଏଜେଣ୍ଡାକୁ ସମୃଦ୍ଧ ଓ ଅଧିକ ଫଳପ୍ରଦ ପାଇଁ ପ୍ରୟାସ ଜାରି ରଖିଛୁ ।
ଶକ୍ତି କ୍ଷେତ୍ରରେ ଭାରତ ଓ ରୁଷିଆର ଅର୍ଥବ୍ୟବସ୍ଥା ପରସ୍ପରର ପରିପୂରକ । ଆମେ ଆମର ଦୁଇ ଦେଶ ମଧ୍ୟରେ ଏକ ‘ଏନର୍ଜି ବ୍ରିଜ୍’ ସ୍ଥାପନ କରିବୁ ଓ ପରମାଣୁ, ହାଇଡ୍ରୋକାର୍ବନ, ଜଳବିଦ୍ୟୁତ ଓ ଅକ୍ଷୟ ଶକ୍ତି ସ୍ରୋତ ସହିତ ଶକ୍ତି ସହଯୋଗର ସମସ୍ତ କ୍ଷେତ୍ର ଓ ଶକ୍ତି ଦକ୍ଷତାର ଦ୍ୱିପାକ୍ଷିକ ସମ୍ବନ୍ଧରେ ସୁଧାର ପାଇଁ ପ୍ରୟାସ କରୁଛୁ ।
ଭାରତ ଓ ରୁଷିଆ ପ୍ରାକୃତିକ ଗ୍ୟାସର ବ୍ୟାପକ ଉପଯୋଗ ପାଇଁ ଅନୁଭବ କରୁଛନ୍ତି । ଆର୍ଥିକ ଦୃଷ୍ଟିରୁ କୁଶଳ ଓ ପରିବେଶ ଅନୁକୂଳ ଇନ୍ଧନ ଯାହା ଆନ୍ତର୍ଜାତିକ ଶକ୍ତି ବଜାରର ଏକ ଅଭିନ୍ନ ଅଙ୍ଗ ପାଲଟିଛି, ଗ୍ରୀନହାଉସ୍ ଗ୍ୟାସ ଉତ୍ସର୍ଜନକୁ ହ୍ରାସ କରିବାରେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଓ ଜଳବାୟୁ ପରିବର୍ତ୍ତନକୁ ନେଇ ପ୍ୟାରିସ୍ ବୁଝାମଣାର ପ୍ରାବଧାନକୁ ପୂରଣ ଏବଂ ସ୍ଥାୟୀ ଆର୍ଥିକ ବିକାଶ କ୍ଷେତ୍ରରେ ସହାୟତା କରିବ । ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ଉପଯୋଗ ଏବେ ଦୁଇ ଦେଶ ମଧ୍ୟରେ ରଣନୀତିକ ଭାଗିଦାରୀର ପ୍ରମାଣ ପାଲଟିଛି । ଯାହା ଭାରତର ଶକ୍ତି ସୁରକ୍ଷାରେ ଯୋଗଦାନ ଦେଉଛି ଓ ବ୍ୟାପକ ବୈଜ୍ଞାନିକ ଏବଂ ଜ୍ଞାନକୌଶଳ ସହଯୋଗକୁ ସକ୍ରିୟ କରାଉଛି । ଉଭୟ ପକ୍ଷର ଠୋସ୍ ପ୍ରୟାସ ସହ କୁଡନକୁଲମରେ ପରମାଣୁ ଶକ୍ତି ପରିଯୋଜନାକୁ ଆଗେଇ ନେବା ଓ ଏହାକୁ ଭାରତର ସବୁଠାରୁ ବଡ଼ ଶକ୍ତି ପେଣ୍ଠ (Hub)ରେ ପରିବର୍ତ୍ତନ କରିବା, ଆମର ବେସାମରିକ ପରମାଣୁ ଭାଗିଦାରୀର ସ୍ଥିତି ଓ ସ୍ପଷ୍ଟ ଉପଲବ୍ଧର ଏକ ସିରିଜ୍ ହୋଇପାରିଛି । ଆମେ କୁଡନକୁଲମ ପରମାଣୁ ଶକ୍ତି କ୍ଷେତ୍ରର ୟୁନିଟ୍ 5 ଓ 6 ପାଇଁ ସାଧାରଣ ଫ୍ରେମୱାର୍କ ବୁଝାମଣା ଓ କ୍ରେଡିଟ୍ ପ୍ରୋଟୋକଲର ନିର୍ଯାସକୁ ସ୍ୱାଗତ କରୁଛୁ । 2014 ଡିସେମ୍ବର 11 ତାରିଖରେ ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ଉପଯୋଗ ରେ ସହଯୋଗକୁ ସୁଦୃଢ଼ କରିବା ନିମନ୍ତେ ରଣନୀତିକ ଭିଜନର କାର୍ଯ୍ୟକାରିତା ଦିଗରେ କାମ କରିବୁ ।
ଭାରତ-ରୁଷ ସହଯୋଗର ଭବିଷ୍ୟତ ପରମାଣୁ ଶକ୍ତି, ପରମାଣୁ ଇନ୍ଧନ ଓ ପରମାଣୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକୁ ସାମିଲ କରୁଥିବା ଏକ ବିସ୍ତୃତ ସିରିଜରେ ବହୁତ ବଡ଼ ପ୍ରତିଶ୍ରୁତି ଅଟେ ।
ଭାରତ ଓ ରୁଷିଆ ମଧ୍ୟରେ ପରମାଣୁ ଶକ୍ତି କ୍ଷେତ୍ରରେ ବୃଦ୍ଧି ପାଉଥିବା ଭାଗିଦାରୀ ଭାରତ ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’ର ପ୍ରୟାସ ସହ ଭାରତରେ ଉନ୍ନତ ପରମାଣୁ ନିର୍ମାଣ କ୍ଷମତା ବିକାଶର ସୁଯୋଗ ସୃଷ୍ଟି କରିଛି । 2015 ଡିସେମ୍ବର 24 ତାରିଖରେ ସ୍ୱାକ୍ଷରିତ ଚୁକ୍ତି ‘ଭାରତର ସ୍ଥାନୀୟକରଣ କାର୍ଯ୍ୟକ୍ରମ’କୁ କାର୍ଯ୍ୟକାରୀ କରିବା ପାଇଁ ଭାରତ ଓ ରୁଷିଆକୁ ପ୍ରତିଶ୍ରୁତିବଦ୍ଧ କରାଇଛି ଓ ନିଜର ପରମାଣୁ ଶିଳ୍ପ ପାଇଁ ନିବିଡ଼ ଭାବେ କାର୍ଯ୍ୟ କରିବା ଓ ଠୋସ୍ ସହଯୋଗିତାକୁ ମଧ୍ୟ ପ୍ରୋତ୍ସାହିତ କରାଇଛି ।
ଆମେ ରୁଷୀୟ ମହାସଂଘର ସୁମେରୁ ତଟଭୂମିରେ ହାଇଡ୍ରୋକାର୍ବନର ଅନ୍ୱେଷଣ ଓ ଉତ୍ତୋଳନ ଉପରେ ଯୌଥ ପରିଯୋଜନାକୁ ଆରମ୍ଭ କରିବାରେ ଆଗ୍ରହୀ ଅଛୁ । ଆମେ ଗଭୀର ସମୁଦ୍ରର ଅନ୍ୱେଷଣ ଓ ହାଇଡ୍ରୋକାର୍ବନ ସମ୍ବଳ, ପଲିମେଟାଲିକ୍ ନଡ୍ୟୁଲ୍ସ ଓ ଅନ୍ୟ ସାମୁଦ୍ରିକ ସମ୍ବଳର ଉପଯୋଗ ଦ୍ୱାରା ସାମୁଦ୍ରିକ ଗବେଷଣା କ୍ଷେତ୍ରକୁ ସୁଦୃଢ଼ କରିବା ଓ ପାରସ୍ପରିକ ଲାଭକାରୀ ସହଯୋଗର ସମ୍ଭାବନାର ଉପଯୋଗ କରିବା ପାଇଁ ଯୌଥ ରଣନୀତିର ବିକାଶିତ କରିବୁ ।
ବର୍ତ୍ତମାନର ପାୱାର ଷ୍ଟେସନଗୁଡ଼ିକର ଆଧୁନିକୀକରଣ ଓ ଭାରତରେ ନୂଆ ଶକ୍ତି କେନ୍ଦ୍ର ସ୍ଥାପନରେ ଦୁଇ ଦେଶର ଶକ୍ତି କମ୍ପାନୀଗୁଡ଼ିକ ମଧ୍ୟରେ ସହଯୋଗକୁ ଆମେ ସ୍ୱାଗତ କରୁଛୁ । ଆମେ ପ୍ରଯୁକ୍ତିବିଦ୍ୟାର ଆଦାନପ୍ରଦାନ, ବିଭିନ୍ନ ଅଂଚଳରେ କାର୍ଯ୍ୟର ଅନୁଭବ ଓ ଜଳବାୟୁ ପରିବର୍ତ୍ତନ ସମସ୍ୟା ଏବଂ ସବୁଜ ଶକ୍ତି ଉତ୍ପାଦନ ପାଇଁ ସୁଲଭ ପ୍ରଯୁକ୍ତିବିଦ୍ୟା, ଜଳବାୟୁ ଅନୁକୂଳ ଓ ସୁଲଭ ଶକ୍ତି ସମ୍ବଳ ପାଇଁ ଉଭୟ ଦେଶରେ ଯୌଥ ପରିଯୋଜନା ବିକଶିତ କରିବା ପାଇଁ ପ୍ରୟାସ କରିବୁ ।
ଆମର ପ୍ରମୁଖ ଆର୍ଥିକ ଉଦ୍ଦେଶ୍ୟ ମଧ୍ୟରେ ବାଣିଜ୍ୟ ଓ ନିବେଶର ସମ୍ପ୍ରସାରଣ ଏବଂ ଦ୍ରବ୍ୟ ଓ ସେବା କାରବାରରେ ବିବିଧତା ସାମିଲ ଅଛି । ବିଶେଷକରି ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ କାରବାରରେ ଉଚ୍ଚ ପ୍ରଯୁକ୍ତବିଦ୍ୟା ଉତ୍ପାଦର ଭାଗିଦାରୀ ବୃଦ୍ଧି, ଔଦ୍ୟୋଗିକ ସହଯୋଗକୁ ପ୍ରୋତ୍ସାହନ ଦେବା, ଉଦ୍ୟୋଗ ଓ ନିବେଶ ପାଇଁ ପରିବେଶରେ ସୁଧାର କରିବା ଓ ବ୍ୟାଙ୍କିଙ୍ଗ୍ ଓ ବିତ୍ତୀୟ ସହଯୋଗ ବିକଶିତ କରିବା ସାମିଲ ରହିଛି । ଆମର ରଣନୀତିକ ଭାଗିଦାରୀର ପରବର୍ତ୍ତୀ ପର୍ଯ୍ୟାୟରେ ଆମେ ପାରସ୍ପରିକ ଭାବେ ସହମତି କ୍ଷେତ୍ରରେ ଯୌଥ ବିକାଶ ପରିଯୋଜନା ଦ୍ୱାରା ତୃତୀୟ ରାଷ୍ଟ୍ର ପାଇଁ ଆମର ଦ୍ୱିପାକ୍ଷିକ ଜ୍ଞାନକୌଶଳ, ଆର୍ଥିକ ଓ ବୈଜ୍ଞାନିକ ସହଯୋଗକୁ ସମ୍ପ୍ରସାରଣ କରିବୁ ।
ଆମେ ଅନ୍ୟ ଜାତୀୟ ମୁଦ୍ରା ଉପରେ ଭାରତ-ରୁଷ ଦ୍ୱିପାକ୍ଷିକ ବାଣିଜ୍ୟର ନିର୍ଭରତାକୁ ହ୍ରାସ କରିବା ପାଇଁ ନିଜର ଜାତୀୟ ମୁଦ୍ରାକୁ ପ୍ରୋତ୍ସାହିତ କରିବା ଦିଗରେ ଆମର ପ୍ରୟାସରେ ସମନ୍ୱୟ ରକ୍ଷା କରିବୁ । ଆମେ ମିଳିତ ଭାବେ ଆମର ବାଣିଜ୍ୟିକ ସମୁଦାୟକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍ ରୁଷିଆ ଦ୍ୱାରା ବିସ୍ତାରିତ ଜାତୀୟ ମୁଦ୍ରାର ବନ୍ଦୋବସ୍ତ ପାଇଁ ବର୍ତ୍ତମାନର କାର୍ଯ୍ୟ ଯୋଜନା ଓ ବ୍ୟବସ୍ଥାର ଉପଯୋଗ କରିବା ନିମନ୍ତେ ପ୍ରୋତ୍ସାହିତ କରିବୁ ।
ଆମେ ଏକ କ୍ରେଡିଟ୍ ରେଟିଂ ଉଦ୍ୟୋଗ ବିକଶିତ କରିବା ପାଇଁ ଆମର ସ୍ଥିତିର ସମନ୍ୱୟ କରିବୁ, ଯାହାକି ବଜାର ସହଭାଗୀ ପାଇଁ ପାରଦର୍ଶୀ ହେବ ଓ ରାଜନୀତିକ ଘଟଣାବଳୀରୁ ସ୍ୱତନ୍ତ୍ର ରହିବ । ଏହି ଦୃଷ୍ଟିରୁ ଆମେ କ୍ରେଡିଟ୍ ରେଟିଂ କ୍ଷେତ୍ରରେ ଆମର ଆଇନକୁ ସୁଂସଗତ କରିବା ସମ୍ଭାବନାର ଅନ୍ୱେଷଣ ସହ ଆମର ସ୍ଥାନୀୟ କ୍ରେଡିଟ୍ ରେଟିଂ ଏଜେନ୍ସୀର ମାନ୍ୟତାର ସ୍ୱୀକୃତି ପାଇଁ କାର୍ଯ୍ୟର ସମର୍ଥନ କରୁଛୁ ।
ଆମେ ଆଂଚଳିକ ସ୍ତରରେ ଆର୍ଥିକ ସହଯୋଗ ବିକଶିତ କରିବାର ମହତ୍ୱକୁ ସ୍ୱୀକାର କରୁଛୁ । ଆମେ ୟୁରେସିଆନ୍ ଇକୋନୋମିକ ୟୁନିଅନ୍ ଓ ଭାରତ ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ବୁଝାମଣା ପାଇଁ ଆଲୋଚନା ଆରମ୍ଭ କରିବାର ସୁବିଧା ପ୍ରଦାନ କରିବୁ ।
ଆମେ ଶାନ୍ତି, ପ୍ରଗତି ଓ ସମୃଦ୍ଧି ପାଇଁ ଆଂଚଳିକ ସମ୍ପର୍କର ସାମୁହିକ ଯୁକ୍ତିକୁ ପ୍ରଶଂସା କରୁଛୁ । ଆମ ମତରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ଉଚିତ୍ । ଏହା ସାର୍ବଭୌମତ୍ୱ ସମ୍ବନ୍ଧିତ ସମସ୍ତ ପକ୍ଷର ଆଲୋଚନା ଓ ସହମତି ଆଧାରରେ ହେବା ଉଚିତ୍ । ପାରଦର୍ଶିତା, ସ୍ଥିରତା ଓ ଉତ୍ତରଦାୟିତ୍ୱର ସିଦ୍ଧାନ୍ତ ଦ୍ୱାରା ନିର୍ଦ୍ଦେଶିତ ରୁଷ ଓ ଭାରତୀୟ ପକ୍ଷ, ଆନ୍ତର୍ଜାତିକ ଉତ୍ତର ଦକ୍ଷିଣ ପରିବହନ କରିଡର ପାଇଁ ପ୍ରଭାବଶାଳୀ ଭିତ୍ତିଭୂମି ଢାଞ୍ଚାର ନିର୍ମାଣ ଓ ସବୁଜ କରିଡରର କାର୍ଯ୍ୟକାରିତା ପାଇଁ ନିଜର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଉଛି ।
ଆମେ ତଥ୍ୟ ପ୍ରତି ଅବଗତ ଅଛୁ ଯେ ସବିଶେଷ ବୈଜ୍ଞାନିକ ପ୍ରଗତି ଓ ଉଦ୍ଭାବନ ଆଧାରରେ ଅର୍ଥବ୍ୟବସ୍ଥାର ନିର୍ମାଣ ପାଇଁ ଉଭୟ ରାଷ୍ଟ୍ର ଜ୍ଞାନ ଆଧାରିତ ଅର୍ଥବ୍ୟବସ୍ଥା ପାଇଁ ପ୍ରତିଶ୍ରୁତିବଦ୍ଧ ଅଛନ୍ତି । ଆମେ ମହାକାଶ ପ୍ରଯୁକ୍ତିବିଦ୍ୟା, ବେସାମରିକ ବିମାନ ଚଳାଚଳ, ନୂଆ ସାମଗ୍ରୀ, କୃଷି, ସୂଚନା ଓ ସଂଚାର ପ୍ରଯୁକ୍ତବିଦ୍ୟା, ଔଷଧ, ଫାର୍ମାସ୍ୟୁଟିକାଲ, ରୋବୋଟିକ୍ସ, ନାନୋଟେକ୍ନୋଲଜି ଭଳି କ୍ଷେତ୍ରରେ ବିଦେଶୀ ବଜାରର ଉଚ୍ଚମାନର ପ୍ରଯୁକ୍ତିବିଦ୍ୟା ସାମଗ୍ରୀର ଡିଜାଇନ୍, ବିକାଶ, ନିର୍ମାଣ, ସୁପରକମ୍ପ୍ୟୁଟିଂ ଟେକ୍ନୋଲଜି, କୃତ୍ରିମ ବୃଦ୍ଧି ଓ ଭୌତିକ ବିଜ୍ଞାନ କ୍ଷେତ୍ର ପାଇଁ ସହଯୋଗକୁ ବ୍ୟାପକ କରିବୁ । ଆମ ଦୁଇ ଦେଶ ମଧ୍ୟରେ ଅତ୍ୟାଧୁନିକ ଟେକ୍ନୋଲଜି କ୍ଷେତ୍ରରେ ସହଯୋଗ ପାଇଁ ଗଠିତ ଉଚ୍ଚସ୍ତରୀୟ ସମିତିକୁ ଆମେ ସ୍ୱାଗତ କରୁଛୁ ।
ଆମେ ଭିତ୍ତିଭୂମି ସୁବିଧାର ଆଧୁନିକୀକରଣ, ସହରୀକରଣ ଚ୍ୟାଲେଞ୍ଜର ମୁକାବିଲା ପାଇଁ ମିଳିତ ଭାବେ ମାର୍ଗ ଅନ୍ୱେଷଣ, ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ସଂକ୍ରାନ୍ତ ସମସ୍ୟାର ସମାଧାନ, ଜଳ ଓ ଜଙ୍ଗଲ ସମ୍ବଳର ସଂରକ୍ଷଣ ଓ ଆର୍ଥିକ ସୁଧାର, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଓ ଦକ୍ଷତା ବିକାଶର ଜାତୀୟ କାର୍ଯ୍ୟକ୍ରମକୁ ସଂଚାଳନାରେ ଅନୁଭବକୁ ଆଦାନପ୍ରଦାନ କରିବାର ଶୈଳୀକୁ ପ୍ରୋତ୍ସାହିତ ଦେବା ନିମନ୍ତେ ଏକାଠି କାମ କରିବୁ ।
ଆମେ ଏହି କ୍ଷେତ୍ରରେ ଦୁଇ ଦେଶରେ ବର୍ତ୍ତମାନର ସାମର୍ଥ୍ୟ ଓ ସମ୍ବଳର ପୁରା ଫାଇଦା ଉଠାଇବାର ଉଦ୍ଦେଶ୍ୟରେ ହୀରା ଉଦ୍ୟୋଗରେ ସହଯୋଗର ସମ୍ଭାବନାକୁ ଅଧିକ ବିକଶିତ କରିବା ପାଇଁ ଏକାଠି କାମ କରିବୁ । ହୀରା ବଜାରରେ ପ୍ରବେଶ କରୁଥିବା ଅଜ୍ଞାତ ସିନ୍ଥେଟିକ ପଥରକୁ ଆମେ ବିରୋଧ କରୁ ଓ ହୀରା ପାଇଁ ଜେନେରିକ ବଜାର କାର୍ଯ୍ୟକ୍ରମର ବିକାଶକୁ ସମର୍ଥନ କରି ନିମନ୍ତ ଆମର ଯୌଥ ପ୍ରୟାସକୁ ତ୍ୱରାନ୍ୱିତ କରିବୁ ।
ଜାହାଜ ନିର୍ମାଣ, ନଦୀ ନେଭିଗେସନ୍ ଓ ଲବଣାଂଶ ନିଷ୍କାସନ କ୍ଷେତ୍ରରେ ରୁଷିଆର ସାମର୍ଥ୍ୟକୁ ସ୍ୱୀକାର କରି ଭାରତରେ ବ୍ୟାପକ ନଦୀ ପ୍ରଣାଳୀର ପ୍ରଭାବୀ ଉପଯୋଗ ଦିଗରେ ଅର୍ନ୍ତଦେଶୀୟ ଜଳମାର୍ଗ, ନଦୀ ତଟବନ୍ଧ, ବନ୍ଦର ଓ କାର୍ଗୋ କଣ୍ଟେନରର ବିକାଶ ପାଇଁ ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତରଣ ଓ ଅଭିଜ୍ଞତାର ଆଦାନପ୍ରଦାନ କରିବାରେ ଆମେ ଯୌଥ ପରିଯୋଜନାର ବିକାଶ ପାଇଁ ଏକାଠି କାମ କରିବୁ ।
ଆମେ ରେଳମାର୍ଗ କ୍ଷେତ୍ରରେ ପରସ୍ପରର ସାମର୍ଥ୍ୟରୁ ଫାଇଦା ପାଇଁ ହାଇସ୍ପିଡ୍ ଟ୍ରେନ୍, ସମର୍ପିତ ପରିବହନ କରିଡରର ବିକାଶ ଓ ଜ୍ଞାନକୌଶଳ ଆଦାନପ୍ରଦାନ ଓ ମିଳିତ ବିକାଶ ମାଧ୍ୟମରେ ରେଳ ପରିବହନ ପାଇଁ ନୂଆ ପ୍ରଯୁକ୍ତବିଦ୍ୟାର ବିକାଶ ଓ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ମିଳିତ ଭାବେ କାମ କରିବୁ ।
ଆମେ ପରସ୍ପରର ଦେଶରେ କୃଷି ଓ ଖାଦ୍ୟ ସାମଗ୍ରୀ ପାଇଁ ବଜାର ସୁବିଧା ବୃଦ୍ଧି ଏବଂ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ବର୍ତ୍ତମାନର କ୍ଷମତାର ଉପଯୋଗ କରିବା ପାଇଁ ଗବେଷଣା ଓ ବକାଶ ମାଧ୍ୟମରେ ମିଳିତ ରଣନୀତିକୁ ବିକଶିତ କରିବା ପାଇଁ ଏକାଠି ମିଶି କାମ କରିବୁ । ଯେଉଁଥିରେ ଚାଷ, ଫସଲ କଟା, ଅମଳ, ପ୍ରକ୍ରିୟାକରଣ ପାଇଁ ବଜାର ରଣନୀତି ସାମଲ ଅଛି । ଆମେ ବର୍ତ୍ତମାନର ପ୍ରଯୁକ୍ତିବିଦ୍ୟା ଓ ବିକାଶ ଓ ଖନନ ଓ ଧାତବ କ୍ଷେତ୍ରରେ ଅନ୍ୱେଷଣ ପାଇଁ ନୂଆ ପ୍ରଯୁକ୍ତିବିଦ୍ୟାର ଆଦାନପ୍ରଦାନ କରିବା ଏବଂ ପ୍ରାକୃତିକ ସମ୍ବଳର ସୁଲଭ ଓ ଜଳବାୟୁ ଅନୁକୂଳ ଉପଯୋଗ ନିମନ୍ତେ ସଂଯୁକ୍ତ ପରିଯୋଜନାର ଅନ୍ୱେଷଣ ପାଇଁ ଏକାଠି କାମ କରିବୁ ।
ଆମେ ଅନୁଭବ କରୁଛୁ କି 2020 ମସିହା ସୁଦ୍ଧା ଭାରତ ତୃତୀୟ ସର୍ବବୃହତ ବେସାମରିକ ବିମାନ ଚଳାଚଳ ବଜାର ପାଲଟିବ ଓ ଏହି ଦୃଷ୍ଟିରୁ ଆମେ ଭାବୁଛୁ ଭାରତ ସରକାରଙ୍କ ଆଂଚଳିକ ଯୋଗାଯୋଗ ଯୋଜନା ମିଳିତ ଉତ୍ପାଦନରେ ସହଯୋଗକୁ ସୁଦୃଢ଼ କରିବା ଓ ଭାରତରେ ବେସାମରିକ ବିମାନ ନିର୍ମାଣ କ୍ଷେତ୍ରରେ ଯୌଥ ଉଦ୍ୟୋଗର ସ୍ଥାପନ ପାଇଁ ଏକ ସୁଯୋଗ ପ୍ରଦାନ କରିବ ।
ଆମର ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ସୁଦୃଢ଼ ପାରସ୍ପରିକ ବିଶ୍ୱାସ ଉପରେ ତିଷ୍ଠି ରହିଛି । ଭାରତ ପାଇଁ ରୁଷିଆ ନିଜର ଆଧୁନିକ ସାମରିକ ପ୍ରଯୁକ୍ତକୌଶଳକୁ ରପ୍ତାନୀ କରୁଛି । ବର୍ତ୍ତମାନର ସାମରିକ-ଜ୍ଞାନକୌଶଳ ସହଯୋଗ ବୁଝାମଣା ଆଧାରରେ ଆମେ ପରସ୍ପରର ଦାୟିତ୍ୱ ଅନୁପାଳନ କରି ଏହି ସୁଯୋଗକୁ ତ୍ୱରାନ୍ୱିତ କରିବୁ । ବିଶେଷକରି ଯୌଥ ନିର୍ମାଣ, ମିଳିତ ଉତ୍ପାଦନ, ସାମରିକ ହାର୍ଡୱେୟାର ଓ ସାମରିକ ଉପକରଣର ମିଳିତ ବିକାଶ ପାଇଁ ଭବିଷ୍ୟତରେ ଜ୍ଞାନକୌଶଳ ଆଦାନପ୍ରଦାନ ମାଧ୍ୟମରେ ଏହି ପରିମାଣକୁ ବୃଦ୍ଧି କରିବୁ ।
ଆମେ ଉଚ୍ଚସ୍ତରର ସାମରିକ ସହଯୋଗ ଦିଗରେ କାମ କରିବୁ । ଆମେ ନିୟମିତ ଭାବେ ମିଳିତ ସ୍ଥଳ ଓ ସାମୁଦ୍ରିକ ସମରାଭ୍ୟାସ ଜାରି ରଖିବୁ ଓ ପରସ୍ପରର ସାମରିକ ସଂସ୍ଥାନରେ ପ୍ରଶିକ୍ଷଣ କରିବୁ । ଚଳିତବର୍ଷ ପ୍ରଥମଥର ତ୍ରି-ସେବା ସମରାଭ୍ୟାସ ‘ଇନ୍ଦ୍ର-2017’ ଆୟୋଜନ ହେବ ।
**********