Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଷ୍ଟ୍ର ଉଦ୍ଦେଶ୍ୟରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ


ମୋର ପ୍ରିୟ ଦେଶବାସୀ,

ଏକ ରାଷ୍ଟ୍ର ଭାବେ, ଏକ ପରିବାର ଭାବେ, ଆପଣମାନେ,  ଆମେ,  ସାରା ଦେଶ, ଏକ ଐତିହାସିକ ନିଷ୍ପତ୍ତି ନେଇଛି । ଏପରି ଏକ ବ୍ୟବସ୍ଥା, ଯାହାର କାରଣରୁ ଜାମ୍ମୁ-କାଶ୍ମୀର ଓ ଲଦାଖର ଆମ ଭାଇ-ଭଉଣୀମାନେ ସେମାନଙ୍କ ଅଧିକାରରୁ ବଞ୍ଚିତ ହୋଇଥିଲେ, ଯାହା ସେମାନଙ୍କ ବିକାଶରେ ବଡ଼ ବାଧକ ଥିଲା, ତାହା ଏବେ ଦୂର ହୋଇଛି ।  ଯେଉଁ ସ୍ୱପ୍ନ ସର୍ଦ୍ଦାର ପଟେଲଙ୍କର ଥିଲା, ବାବା ସାହେବ ଆମ୍ବେଦକରଙ୍କର ଥିଲା, ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଥିଲା, ଅଟଳ ଜୀ ଏବଂ କୋଟି କୋଟି ଦେଶଭକ୍ତଙ୍କର ଥିଲା,  ତାହା ଏବେ ପୂରଣ ହୋଇଛି । ଜାମ୍ମୁ-କାଶ୍ମୀର ଏବଂ ଲଦାଖରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି । ଏବେ ଦେଶର ସମସ୍ତ ନାଗରିକମାନଙ୍କ ଅଧିକାର ମଧ୍ୟ ସମାନ, ଦାୟିତ୍ୱ ମଧ୍ୟ ସମାନ । ମୁଁ ଜାମ୍ମୁ-କାଶ୍ମୀରର ଲୋକମାନଙ୍କୁ ଲଦାଖ ଲୋକମାନଙ୍କୁ ଏବଂ ପ୍ରତ୍ୟେକ ଦେଶବାସୀଙ୍କୁ ଅନେକ ଅନେକ ଶୁଭକାମନା ଜଣାଉଛି ।

ସାଥୀଗଣ,

ସାମାଜିକ ଜୀବନରେ କିଛି କଥା, ସମୟ ସହିତ ଏତେ ମିଶିଯାଇଥାଏ ଯେ ଅନେକ ସମୟରେ ସେଗୁଡ଼ିକୁ ସ୍ଥାୟୀ ମାନ୍ୟତା ମିଳିଯାଏ । ଏହି ଭାବନା ଆସିଯାଏ ଯେ, କିଛି ବଦଳିବ ନାହିଁ, ଏମିତି ଚାଲିଥିବ, ଅନୁଚ୍ଛେଦ 370କୁ ନେଇ ମଧ୍ୟ ଏମିତି ଭାବନା ଥିଲା ଏଥିଯୋଗୁ ଜାମ୍ମୁ-କାଶ୍ମୀର ଓ ଲଦାଖର ମୋର ଭାଇ-ଭଉଣୀମାନେ, ଆମ ପିଲାମାନଙ୍କୁ ଯେଉଁ କ୍ଷତି ହେଉଥିଲା, ତାର ଚର୍ଚ୍ଚା ମଧ୍ୟ ହେଉନଥିଲା ଆଶ୍ଚର୍ଯ୍ୟର କଥା ଯେ ଆପଣ କାହା ସହିତ ମଧ୍ୟ କଥା ହୁଅନ୍ତୁ, କେହି ଏକଥା ମଧ୍ୟ କହିପାରୁନଥିଲେ ଯେ ଅନୁଚ୍ଛେଦ 370ରୁ ଜାମ୍ମୁ-କାଶ୍ମୀର ଲୋକମାନଙ୍କ ଜୀବନରେ କି ଲାଭ ହେଉଥିଲା ।

ଭାଇ ଓ ଭଉଣୀମାନେ,

ଅନୁଚ୍ଛେଦ 370 ଏବଂ 35-ଏ  ଜାମ୍ମୁ-କାଶ୍ମୀରକୁ  ବିଚ୍ଛିନ୍ନତାବାଦ- ଆତଙ୍କବାଦ- ପରିବାରବାଦ ଏବଂ ବ୍ୟବସ୍ଥାରେ ବ୍ୟାପକ ପରିମାଣରେ ବ୍ୟାପିଥିବା ଭ୍ରଷ୍ଟାଚାର ବ୍ୟତୀତ କିଛି ଦେଇନାହିଁ । ଏହି ଦୁଇଟି ଅନୁଚ୍ଛେଦକୁ ଦେଶ ବିରୋଧରେ, କିଛି ଲୋକଙ୍କ ଭାବନକୁ ଉତ୍ତେଜିତ କରିବା ଲାଗି ପାକିସ୍ତାନ ପକ୍ଷରୁ ଏକ ଅସ୍ତ୍ର ଭାବେ ଉପଯୋଗ କରାଯାଉଥିଲା । ଏହି କାରଣରୁ ଗତ ତିନି ଦଶନ୍ଧି ମଧ୍ୟରେ ପାଖାପାଖି 42 ହଜାର ନିର୍ଦ୍ଦୋଷ ଲୋକଙ୍କୁ ଜୀବନ ହରାଇବାକୁ ପଡ଼ିଛି, ଜାମ୍ମୁ-କାଶ୍ମୀର ଏବଂ ଲଦାଖର ବିକାଶ ସେହି ଗତିରେ ହୋଇପାରିନାହିଁ,

ଯାହାର ସେମାନେ ଅଧିକାରୀ ଥିଲେ । ଏବେ ବ୍ୟବସ୍ଥାର ଏହି ଅଭାବ ଦୂର ହେବା ଫଳରେ ଜାମ୍ମୁ-କାଶ୍ମୀର ଏବଂ ଲଦାଖର ଲୋକମାନଙ୍କ ବର୍ତ୍ତମାନ ସୁଧୁରିଯିବା ସହିତ, ସେମାନଙ୍କ ଭବିଷ୍ୟତ ମଧ୍ୟ ସୁରକ୍ଷିତ ହେବ ।

ସାଥୀଗଣ,

ଆମ ଦେଶରେ ଯେ କୌଣସି ସରକାର ଥାଉ, ସେମାନେ ସଂସଦରେ ଆଇନ ତିଆରି କରି, ଦେଶର କଲ୍ୟାଣ ଲାଗି କାମ କରିଥାନ୍ତି । ଯେକୌଣସି ଦଳର ସରକାର ଥାଉ, ଯେକୌଣସି ମେଂଟ ସରକାର ଥାଉ, ଏହି କାର୍ଯ୍ୟ ନିରନ୍ତର ଚାଲିଥାଏ । ଆଇନ ତିଆରି କରିବାରେ ଯଥେଷ୍ଟ ବିତର୍କ ହୋଇଥାଏ, ବିଚାର-ଚିନ୍ତନ ହୋଇଥାଏ, ଏହାର ଆବଶ୍ୟକତା, ଏହାର ପ୍ରଭାବକୁ ନେଇ ଗମ୍ଭୀର ପକ୍ଷ ରଖାଯାଇଥାଏ । ଏହି ପ୍ରକ୍ରିୟା ଦେଇ ଗତି କରି ଯେଉଁ ଆଇନ ତିଆରି ହୁଏ, ତାହା ସାରା ଦେଶର ଲୋକମାନଙ୍କ କଲ୍ୟାଣ କରିଥାଏ ।

କିନ୍ତୁ କେହି କଳ୍ପନା କରିପାରିବେ ନାହିଁ ଯେ ସଂସଦ ଏତେ ଅଧିକ ସଂଖ୍ୟାରେ ଆଇନ ତିଆରି କରିଛି କିନ୍ତୁ ଏହା ଦେଶର ଗୋଟିଏ ଭାଗରେ ଲାଗୁ ମଧ୍ୟ ହେଉ ନାହିଁ । ଏପରିକି, ପୂର୍ବରୁ ଥିବା ସରକାର, ଆଇନ ତିଆରି କରି ପ୍ରଶଂସା ସାଉଁଟିଛି, କିନ୍ତୁ ସେମାନେ ମଧ୍ୟ ଏହି ଦାବି କରିପାରିନାହାନ୍ତି ଯେ ସେମାନଙ୍କ ଦ୍ୱାରା ତିଆରି ହୋଇଥିବା ଆଇନ ଜାମ୍ମୁ-କାଶ୍ମୀରରେ ମଧ୍ୟ ଲାଗୁ ହୋଇଛି । ଯେଉଁ ଆଇନ ଦେଶର ସମସ୍ତ ନାଗରିକଙ୍କ ପାଇଁ ତିଆରି ହୋଇଥାଏ, ତାର ଲାଭରୁ ଜାମ୍ମୁ-କାଶ୍ମୀରର ଦେଢ଼ କୋଟିରୁ ଅଧିକ ଲୋକ ବଞ୍ଚିତ ରହିଥାନ୍ତି । ଚିନ୍ତା କରନ୍ତୁ,

ଦେଶର ଅନ୍ୟ ରାଜ୍ୟରେ ପିଲାମାନଙ୍କର ଶିକ୍ଷା ଅଧିକାର ରହିଛି, କିନ୍ତୁ ଜାମ୍ମୁ-କାଶ୍ମୀର ପିଲା ଏଥିରୁ ବଞ୍ଚିତ ଥିଲେ । ଦେଶର ଅନ୍ୟ ରାଜ୍ୟର ଝିଅମାନଙ୍କୁ ଯେଉଁ ଅଧିକାର ମିଳୁଛି, ସେସବୁ ଅଧିକାର ଜାମ୍ମୁ-କାଶ୍ମୀର ଝିଅମାନଙ୍କୁ ମିଳୁନଥିଲା । ଦେଶର ଅନ୍ୟ ରାଜ୍ୟରେ ସଫେଇ କର୍ମଚାରୀଙ୍କ ଲାଗି ସଫେଇ କର୍ମଚାରୀ ଆଇନ ଲାଗୁ ହୋଇଛି, କିନ୍ତୁ ଜାମ୍ମୁ-କାଶ୍ମୀରର ସଫେଇ କର୍ମଚାରୀ ଏଥିରୁ ବଞ୍ଚିତ ଥିଲେ । ଦେଶର ଅନ୍ୟ ରାଜ୍ୟରେ ଦଳିତଙ୍କ ଉପରେ ଅତ୍ୟାଚାର ରୋକିବା ଲାଗି କଠୋର ଆଇନ ଲାଗୁ ହୋଇଛି, କିନ୍ତୁ ଜାମ୍ମୁ-କାଶ୍ମୀରରେ ଏହା ନଥିଲା । ଦେଶର ଅନ୍ୟ ରାଜ୍ୟରେ ସଂଖ୍ୟାଲଘୁଙ୍କ ସ୍ୱାର୍ଥର ସୁରକ୍ଷା ଲାଗି ମାଇନୋରିଟି ଆଇନ ଲାଗୁ ହୋଇଛି, କିନ୍ତୁ ଜାମ୍ମୁ-କାଶ୍ମୀରରେ ଏହା ନଥିଲା । ଦେଶର ଅନ୍ୟ ରାଜ୍ୟରେ ଶ୍ରମିକଙ୍କ ସ୍ୱାର୍ଥ ସୁରକ୍ଷା ଲାଗି ସର୍ବନିମ୍ନ ମଜୁରି ଆଇନ ଲାଗୁ ହୋଇଛି,  କିନ୍ତୁ ଜାମ୍ମୁ-କାଶ୍ମୀରରେ କାମ କରୁଥିବା ଶ୍ରମିକମାନଙ୍କ ପାଇଁ ଏହା କେବଳ କାଗଜ କଲମରେ ହିଁ ମିଳୁଥିଲା । ଦେଶର ଅନ୍ୟ ରାଜ୍ୟରେ ନିର୍ବାଚନ ଲଢ଼ିବା ସମୟରେ ଅନୁସୂଚିତ ଜନଜାତିର ଭାଇ-ଭଉଣୀମାନଙ୍କୁ ସଂରକ୍ଷଣର ଲାଭ ମିଳୁଥିଲା, କିନ୍ତୁ ଜାମ୍ମୁ-କାଶ୍ମୀରରେ ଏହା ନଥିଲା ।

ସାଥୀଗଣ,

ଏବେ ଅନୁଚ୍ଛେଦ 370 ଏବଂ 35-ଏ, ଇତିହାସ ପାଲଟିଯିବା ପରେ, ଏହାର ନକାରାତ୍ମକ ପ୍ରଭାବରୁ ମଧ୍ୟ ଜାମ୍ମୁ-କାଶ୍ମୀର ଶୀଘ୍ର ବାହାରିଯିବ, ମୋର ଏହି ବିଶ୍ୱାସ ଅଛି ।

ଭାଇ ଓ ଭଉଣୀମାନେ,

ନୂଆ ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କର ଏହା ପ୍ରାଥମିକତା ରହିବ ଯେ ରାଜ୍ୟର କର୍ମଚାରୀମାନଙ୍କୁ, ଜାମ୍ମୁ-କାଶ୍ମୀର ପୋଲିସକୁ, ଅନ୍ୟ କେନ୍ଦ୍ର ଶାସିତ ପ୍ରଦେଶର କର୍ମଚାରୀ ଏବଂ ସେଠାକାର ପୋଲିସଙ୍କ ଭଳି ସମାନ ସୁବିଧା ମିଳିବ । ଏବେ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକରେ, ଅନେକ ଏପରି ଆର୍ଥିକ ସୁବିଧା ଯେପରିକି ଏଲଟିସି, ଘର ଭଡ଼ା ଭତା,  ପିଲାମାନଙ୍କ ଶିକ୍ଷା ଲାଗି ଶିକ୍ଷା ଭତା, ସ୍ୱାସ୍ଥ୍ୟ ସୁବିଧା, ଭଳି ଅନେକ ସୁବିଧା ଦିଆଯାଉଛି, ଏଥିମଧ୍ୟରୁ ଅଧିକାଂଶ ଜାମ୍ମୁ-କାଶ୍ମୀରର କର୍ମଚାରୀମାନଙ୍କୁ ମିଳିନଥାଏ । ଏପରି ସୁବିଧାର ସମୀକ୍ଷା କରାଯାଇ, ଶୀଘ୍ର ହିଁ ଜାମ୍ମୁ-କାଶ୍ମୀରର କର୍ମଚାରୀ ଏବଂ ସେଠାକାର ପୋଲିସକୁ ମଧ୍ୟ ଏହି ସୁବିଧା ଯୋଗାଇ ଦିଆଯିବ ।

ସାଥୀଗଣ, ଖୁବଶୀଘ୍ର ଜମ୍ମୁ-କାଶ୍ମୀର ଏବଂ ଲଦାଖରେ ଖାଲିଥିବା ସମସ୍ତ କେନ୍ଦ୍ର ଓ ରାଜ୍ୟ ପଦବୀ ପୂରଣ କରିବାର ପ୍ରକ୍ରିୟା ଆରମ୍ଭ କରାଯିବ । ଏଥିରୁ ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତିର ପର୍ଯ୍ୟାପ୍ତ ସୁଯୋଗ ଉପଲବ୍ଧ ହେବ । ଏଥିସହିତ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟୋଗ ଏବଂ ଘରୋଇ କ୍ଷେତ୍ରର ବଡ଼ କମ୍ପାନୀଗୁଡ଼ିକୁ ନିଯୁକ୍ତି ସୁଯୋଗ ଉପଲବ୍ଧ କରାଇବା ଲାଗି, ପ୍ରୋତ୍ସାହିତ କରାଯିବ । ଏହାବ୍ୟତୀତ, ସେନା  ଏବଂ ଅର୍ଦ୍ଧସାମରିକ ବାହିନୀ ପକ୍ଷରୁ, ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି ଦେବା ଲାଗି ର‌୍ୟାଲିମାନ ଆୟୋଜନ କରାଯିବ । ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ବୃତ୍ତି ଯୋଜନାର ମଧ୍ୟ ସମ୍ପ୍ରସାରଣ କରାଯିବ । ଫଳରେ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଏହାର ଲାଭ ମିଳିପାରିବ । ଜାମ୍ମୁ-କାଶ୍ମୀରରେ ରାଜସ୍ୱ ନିଅଣ୍ଟ ମଧ୍ୟ ବହୁତ ଅଧିକ ରହିଛି । କେନ୍ଦ୍ର ସରକାର ଏହା ମଧ୍ୟ ସୁନିଶ୍ଚିତ କରିବେ ଯେ ଏହାର ପ୍ରଭାବ ଯେମିତି କମ ହେବ ।

ଭାଇ ଓ ଭଉଣୀମାନେ, କେନ୍ଦ୍ର ସରକାର ଅନୁଚ୍ଛେଦ 370 ଉଚ୍ଛେଦ କରିବା ସହିତ, ଏବେ କିଛି ଦିନ ପାଇଁ ଜାମ୍ମୁ-କାଶ୍ମୀରକୁ ସିଧାସଳଖ କେନ୍ଦ୍ର ସରକାରଙ୍କ ଶାସନରେ ରଖିବା ଲାଗି ନିଷ୍ପତ୍ତି ଅତ୍ୟନ୍ତ ଭାବିଚିନ୍ତି ନିଆଯାଇଛି । ଏହା ପଛରେ ଥିବା କାରଣ ବୁଝିବା ଆପଣମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଯେଉଁଦିନ ଠାରୁ ସେଠାରେ ରାଜ୍ୟପାଳ ଶାସନ ଲାଗୁ ହୋଇଛି, ଜାମ୍ମୁ-କାଶ୍ମୀରର ପ୍ରଶାସନ, ସିଧାସଳଖ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ରହିଛି । ଏହି କାରଣରୁ ଗତ କିଛିମାସରେ ସେଠାରେ ଉତ୍ତମ ପ୍ରଶାସନ ଏବଂ ବିକାଶର ଅଧିକ ଉନ୍ନତ ପ୍ରଭାବ ତୃଣମୂଳସ୍ତରରେ ଦେଖିବାକୁ ମିଳୁଛି । ଯେଉଁ ଯୋଜନା ପୂର୍ବରୁ କେବଳ କାଗଜକଲମରେ ସୀମିତ ରହିଥିଲା, ସେଗୁଡ଼ିକ ଏବେ ତୃଣମୂଳସ୍ତରରେ କାର୍ଯ୍ୟକାରୀ ହେଉଛି । ଦଶନ୍ଧି ଦଶନ୍ଧି ଧରି ଅଟକି ରହିଥିବା ପ୍ରକଳ୍ପ ତ୍ୱରାନ୍ୱିତ ହୋଇଛି । ଆମେ ଜାମ୍ମୁ-କାଶ୍ମୀର ପ୍ରଶାସନରେ ଏକ ନୂଆ କାର୍ଯ୍ୟ ସଂସ୍କୃତି ଆଣିବା,  ପାରଦର୍ଶିତା ଆଣିବା ଲାଗି ପ୍ରୟାସ କରିଛୁ । ଯାହାର ଫଳସ୍ୱରୂପ ଆଇଆଇଟି, ଆଇଆଇଏମ, ଏମ୍ସ ହେଉ, ବ୍ୟାପକ ଜଳସେଚନ ପ୍ରକଳ୍ପ ହେଉ, ଶକ୍ତି ପ୍ରକଳ୍ପ ହେଉ,  କିମ୍ବା ପୁଣି ଦୁର୍ନୀତି ନିବାରଣ ବ୍ୟୁରୋ, ଏସବୁର କାମ ଦ୍ରୁତଗତିରେ ହେଉଛି । ଏହା ବ୍ୟତୀତ ସେଠାରେ ଯୋଗାଯୋଗ ସହ ଜଡ଼ିତ ପ୍ରକଳ୍ପ ହେଉ, ସଡ଼କ ଏବଂ ନୂଆ ରେଳ ଲାଇନର କାମ ହେଉ,

ବିମାନବନ୍ଦର ଆଧୁନିକୀକରଣ ହେଉ, ସବୁ କାମକୁ ଦ୍ରୁତ ଗତିରେ ଆଗକୁ ନିଆଯାଉଛି ।

ସାଥୀଗଣ, ଆମ ଦେଶର ଗଣତନ୍ତ୍ର ଖୁବ ସୁଦୃଢ଼ । କିନ୍ତୁ ଆପଣମାନେ ଏହା ଜାଣି ଚକିତ ହେବେ ଯେ ଜାମ୍ମୁ-କାଶ୍ମୀରରେ ଦଶନ୍ଧି ଦଶନ୍ଧି ଧରି, ହଜାର ହଜାର ସଂଖ୍ୟାରେ ଏପରି ଭାଇ-ଭଉଣୀ ରହୁଛନ୍ତି, ଯେଉଁମାନଙ୍କ ନିକଟରେ ଲୋକସଭା ନିର୍ବାଚନରେ ଭୋଟ ଦେବାର ଅଧିକାର ତଥିଲା, କିନ୍ତୁ ସେମାନେ ବିଧାନସଭା ଏବଂ ସ୍ଥାନୀୟ ପଂଚାୟତ ନିର୍ବାଚନରେ ମତଦାନ କରିପାରୁନଥିଲେ । ଏହି ଲୋକମାନେ 1947ରେ ଦେଶ ବିଭାଜନ ପରେ ପାକିସ୍ତାନରୁ ଭାରତ ଚାଲିଆସିଥିଲେ । କଣ ଏ ଲୋକମାନଙ୍କ ସହିତ ଏପରି ଅନ୍ୟାୟ ହେଉନଥିଲା?

ସାଥୀଗଣ, ଜାମ୍ମୁ-କାଶ୍ମୀରର ଆମ ଭାଇ-ଭଉଣୀଙ୍କୁ ମୁଁ ଏକ ଗୁରୁତ୍ୱପୂର୍ଣ୍ଣ କଥା ଆହୁରି ସ୍ପଷ୍ଟ କରିବାକୁ ଚାହୁଁଛି । ଆପଣମାନଙ୍କ ଜନପ୍ରତିନିଧି ଆପଣମାନଙ୍କ ଦ୍ୱାରା ହିଁ ନିର୍ବାଚିତ ହେବେ, ଆପଣମାନଙ୍କ ମଧ୍ୟରୁ ହିଁ ଆସିବେ ଯେମିତି ପୂର୍ବରୁ ବିଧାୟକ ଆସୁଥିଲେ, ସେମିତି ହିଁ ଆଗକୁ ବିଧାୟକ ନିର୍ବାଚିତ ହେବେ । ଯେମିତି ପୂର୍ବରୁ ମନ୍ତ୍ରିପରିଷଦ ଥିଲା, ସେମିତି ମନ୍ତ୍ରିପରିଷଦ ଆଗକୁ ମଧ୍ୟ ହେବ । ଯେପରି ପୂର୍ବରୁ ଆପଣଙ୍କର ମୁଖ୍ୟମନ୍ତ୍ରୀ ଥିଲେ, ସେମିତି ଆଗକୁ ମଧ୍ୟ ଆପଣଙ୍କ ମୁଖ୍ୟମନ୍ତ୍ରୀ ହେବେ ।

ସାଥୀଗଣ, ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ଏହି ନୂଆ ବ୍ୟବସ୍ଥା ଅନ୍ତର୍ଗତ ଆମେ ସମସ୍ତେ ମିଶି  ଆତଙ୍କବାଦ-ବିଚ୍ଛିନ୍ନତାବାଦରୁ ଜାମ୍ମୁ-କାଶ୍ମୀରକୁ ମୁକ୍ତ କରିବା । ଯେତେବେଳେ ପୃଥବୀର ସ୍ୱର୍ଗ, ଆମର ଜାମ୍ମୁ-କାଶ୍ମୀର ପୁଣିଥରେ ବିକାଶର ନୂତନ ଉଚ୍ଚତା ପାର କରି ସାରା ବିଶ୍ୱକୁ ଆକର୍ଷିତ କରିବାକୁ ଆରମ୍ଭ କରିବ, ନାଗରିକମାନଙ୍କ ଜୀବନଧାରଣ ସହଜ ହେବ, ନାଗରିକମାନଙ୍କୁ ଯେଉଁ ଅଧିକାର ମିଳିବାର କଥା, ତାହା ବିନା ବାଧକରେ ମିଳିବ, ଶାସନ-ପ୍ରଶାସନର ସମସ୍ତ ବ୍ୟବସ୍ଥା ଜନହିତ କାର୍ଯ୍ୟକୁ ଦ୍ରୁତଗତିରେ ଆଗକୁ ବଢ଼ାଇବ, ତେଣୁ ମୁଁ ଏହାକୁ ଗ୍ରହଣ କରୁନାହିଁ ଯେ କେନ୍ଦ୍ର ଶାସିତ ପ୍ରଦେଶ ବ୍ୟବସ୍ଥା ଜାମ୍ମୁ-କାଶ୍ମୀରରେ ସବୁଦିନ ପାଇଁ ଚାଲିବ ।

ଭାଇ ଓ ଭଉଣୀମାନେ, ଆମ ସମସ୍ତେ ଚାହୁଁ ଯେ ଆଗାମୀ ଦିନରେ ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ହେଉ, ନୂଆ ସରକାର ଗଠନ ହେଉ, ମୁଖ୍ୟମନ୍ତ୍ରୀ ହୁଅନ୍ତୁ, ମୁଁ ଜାମ୍ମୁ-କାଶ୍ମୀର ଲୋକମାନଙ୍କୁ ଭରସା ଦେଉଛି ଯେ ଆପଣମାନଙ୍କୁ ଅତି ସଚ୍ଚୋଟତାର ସହିତ, ସମ୍ପୂର୍ଣ୍ଣ ପାରଦର୍ଶୀ ବାତାବରଣରେ ନିଜର ପ୍ରତିନିଧି ଚୟନ କରିବାର ସୁଯୋଗ ମିଳିବ । ଯେମିତି ବିଗତ ଦିନରେ ପଂଚାୟତ ନିର୍ବାଚନ ପାରଦର୍ଶିତାର ସହିତ ସମ୍ପନ୍ନ କରାଯାଇଛି, ସେମିତି ଜାମ୍ମୁ-କାଶ୍ମୀର ବିଧାନସଭାର ମଧ୍ୟ ନିର୍ବାଚନ ହେବ । ମୁଁ ରାଜ୍ୟର ରାଜ୍ୟପାଳଙ୍କୁ ଏହି ଅନୁରୋଧ ମଧ୍ୟ କରିବ ଯେ ବ୍ଲକ ଡେଭଲପମେଂଟ କାଉନସିଲ ଗଠନ, ଯାହା ଗତ ଦୁଇ ତିନି ଦଶକ ଧରି ପଡ଼ି ରହିଥିଲା, ତାକୁ ସମ୍ପୂର୍ଣ୍ଣ କରିବାର କାମ ମଧ୍ୟ ଯଥାଶୀଘ୍ର କରାଯାଉ ।

ସାଥୀଗଣ, ଏହା ମୋର ନିଜର ଅନୁଭବ ଯେ ଚାରି ପାଞ୍ଚ ମାସ ପୂର୍ବରୁ ଜାମ୍ମୁ-କାଶ୍ମୀର ଏବଂ ଲଦାଖର ପଂଚାୟତ ନିର୍ବାଚନରେ ଯେଉଁ ଲୋକମାନେ ନିର୍ବାଚିତ ହୋଇ ଆସିଲେ, ସେମାନେ ଅତି ଭଲ କାମ କରୁଛନ୍ତି । କିଛିମାସ ପୂର୍ବରୁ ଯେତେବେଳେ ମୁଁ ଶ୍ରୀନଗର ଯାଇଥିଲି, ସେଠାରେ ମୋର ସେମାନଙ୍କ ସହିତ ଦୀର୍ଘ ଆଲୋଚନା ମଧ୍ୟ ହୋଇଥିଲା । ଯେତେବେଳେ ସେମାନେ ଏଠାକୁ ଦିଲ୍ଲୀ ଆସିଥିଲେ, ସେତେବେଳେ ମଧ୍ୟ ମୋ ବାସଭବନରେ, ମୁଁ ସେମାନଙ୍କ ସହିତ ବହୁ ସମୟ ଧରି ଆଲୋଚନା କରିଥିଲି । ପଂଚାୟତର ଏହି ସାଥୀମାନଙ୍କ କାରଣରୁ ଜାମ୍ମୁ-କାଶ୍ମୀରରେ ବିଗତ ଦିନଗୁଡ଼ିକରେ ଗ୍ରାମୀଣ ସ୍ତରରେ ଅତ୍ୟନ୍ତ ଦ୍ରୁତଗତିରେ କାମ ହୋଇଛି । ପ୍ରତ୍ୟେକ ଘରେ ବିଦ୍ୟୁତ ପହଁଚାଇବାର କାମ ହେଉ କିମ୍ବା ରାଜ୍ୟକୁ ଖୋଲା ମଳମୁକ୍ତ ଘୋଷଣା ହେଉ, ଏଥିରେ ପଂଚାୟତର ପ୍ରତିନିଧିମାନଙ୍କ ବହୁତ ବଡ଼ ଭୂମିକା ରହିଥିଲା । ମୋର ସମ୍ପୂର୍ଣ୍ଣ ବିଶ୍ୱାଯେ ଏବେ ଅନୁଚ୍ଛେଦ 370 ଉଚ୍ଛେଦ ହେବା ପରେ, ଯେତେବେଳେ ଏହି ପଞ୍ଚାୟତ ସଦସ୍ୟମାନଙ୍କୁ ନୂତନ ବ୍ୟବସ୍ଥାରେ କାମ କରିବାର ସୁଯୋଗ ମିଳିବ ତସେମାନେ ଚମକ୍ରାର କରିପାରିବେ । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ଜାମ୍ମୁ-କାଶ୍ମୀରର ଜନସାଧାରଣ ବିଚ୍ଛିନ୍ନତାବାଦକୁ ପରାସ୍ତ କରି ନୂତନ ଆଶା ନେଇ ଆଗକୁ ବଢ଼ିବେ । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ଜାମ୍ମୁ-କାଶ୍ମୀରର ଜନସାଧାରଣ, ଉତମ ପ୍ରଶାସନ ଏବଂ ପାରଦର୍ଶୀ ବାତାବରଣରେ,  ନୂତନ ଉତ୍ସାହ ସହିତ ନିଜ ଲକ୍ଷ୍ୟ ହାସଲ କରିବେ ।

ସାଥୀଗଣ, ଦଶନ୍ଧି ଦଶନ୍ଧି ଧରି ପରିବାରବାଦ ଜାମ୍ମୁ-କାଶ୍ମୀରର ମୋର ପ୍ରିୟ ଯୁବକମାନଙ୍କୁ ନେତୃତ୍ୱ ନେବାର ସୁଯୋଗ ଦେଇନାହିଁ । ଏବେ ମୋର ଯୁବକମାନେ, ଜାମ୍ମୁ-କାଶ୍ମୀରର ବିକାଶର ନେତୃତ୍ୱ ନେବେ ଏବଂ ଏହାକୁ ନୂତନ ଉଚ୍ଚତାକୁ ନେଇଯିବେ । ମୁଁ ଜାମ୍ମୁ-କାଶ୍ମୀର ଏବଂ ଲଦାଖର ନବଯୁବକମାନଙ୍କୁ ସେଠାକାର ଭାଇ-ଭଉଣୀମାନଙ୍କୁ ନିର୍ଦ୍ଦିଷ୍ଟ ଭାବେ ଅନୁରୋଧ କରିବି ଯେ ନିଜ ନିଜ କ୍ଷେତ୍ରର ବିକାଶର ଦାୟିତ୍ୱ ନିଜ କାନ୍ଧରେ ଉଠାନ୍ତୁ ।

ସାଥୀଗଣ, ଜାମ୍ମୁ-କାଶ୍ମୀର ଏବଂ ଲଦାଖରେ ବିଶ୍ୱର ସବୁଠୁ ବଡ଼ ପର୍ଯ୍ୟଟନ ଲକ୍ଷ୍ୟସ୍ଥଳୀ ହେବାର କ୍ଷମତା ରହିଛି ।

ଏଥିପାଇଁ ଯେଉଁ ବାତାବରଣ ଆବଶ୍ୟକ, ଶାସନ ପ୍ରଶାସନରେ ଯେଉଁ ପରିବର୍ତ୍ତନ ଆବଶ୍ୟକ, ତାହା କରାଯାଉଛି କିନ୍ତୁ ଏଥିରେ ମୁଁ ପ୍ରତ୍ୟେକ ଦେଶବାସୀଙ୍କ ସାହାଯ୍ୟ ଚାହୁଁଛି । ଏମିତି ଏକ ସମୟ ଥିଲା, ଯେତେବେଳେ ବଲିଉଡର ଚଳଚ୍ଚିତ୍ରର ସୁଟିଂ ଲାଗି କାଶ୍ମୀର ସବୁଠୁ ପସନ୍ଦଯୋଗ୍ୟ ସ୍ଥାନ ଥିଲା । ସେ ସମୟରେ ଅଧିକାଂଶ ଚଳଚ୍ଚିତ୍ର କାଶ୍ମୀରରେ ହିଁ ସୁଟିଂ ହେଉଥିଲା । ଏବେ ଜାମ୍ମୁ-କାଶ୍ମୀରରେ ପରିସ୍ଥିତି ସାମାନ୍ୟ ହେଲେ, କେବଳ ଦେଶ ନୁହେଁ, ସାରା ବିଶ୍ୱରୁ ଲୋକମାନେ ଏଠାକୁ ଚଳଚ୍ଚିତ୍ର ସୁଟିଂ ପାଇଁ ଆସିବେ । ପ୍ରତ୍ୟେକ ଚଳଚ୍ଚିତ୍ର ନିଜ ସହିତ କାଶ୍ମୀରର ଲୋକମାନଙ୍କ ପାଇଁ ନିଯୁକ୍ତି ସୁଯୋଗର ଅନେକ ଅବସର ନେଇ ଆସିବେ । ମୁଁ ହିନ୍ଦୀ ଚଳଚ୍ଚିତ୍ର ଜଗତ, ତେଲଗୁ ଏବଂ ତାମିଲ ଚଳଚ୍ଚିତ୍ର ଜଗତ ଏବଂ ଏହା ସହ ଜଡ଼ିତ ଲୋକମାନଙ୍କୁ ଅନୁରୋଧ କରୁଛି ଯେ ଜାମ୍ମୁ-କାଶ୍ମୀର ଏବଂ ଲଦାଖରେ ନିବେଶ ବିଷୟରେ, ଚଳଚ୍ଚିତ୍ର ସୁଟିଂ ଠାରୁ ଆରମ୍ଭ କରି ଥିଏଟର ଏବଂ ଅନ୍ୟ ସାଧନ ପ୍ରତିଷ୍ଠା କରିବା ବିଷୟରେ ନିଶ୍ଚିତ ଭାବେ ଚିନ୍ତା କରନ୍ତୁ । ଯେଉଁମାନେ ପ୍ରଯୁକ୍ତିର ଦୁନିଆ ସହ ଜଡ଼ିତ, ସେମାନେ ପ୍ରଶାସନରେ ଥାଆନ୍ତୁ, କିମ୍ବା ଘରୋଇ କ୍ଷେତ୍ରରେ, ସେମାନଙ୍କୁ ମଧ୍ୟ ମୁଁ ଅନୁରୋଧ କରୁଛି ଯେ ନିଜର ନୀତିରେ, ନିଜର ନିଷ୍ପତ୍ତିରେ ଏହିକଥା ପ୍ରତି ପ୍ରାଥମିକତା ଦିଅନ୍ତୁ ଯେ ଜାମ୍ମୁ-କାଶ୍ମୀରରେ କିପରି ପ୍ରଯୁକ୍ତିର ଆହୁରି ଅଧିକ ସମ୍ପ୍ରସାରଣ କରାଯିବ । ଯେତେବେଳେ ସେଠାରେ ଡିଜିଟାଲ ଯୋଗାଯୋଗକୁ ବଳ ମିଳିବ, ଯେତେବେଳେ ସେଠାରେ ବିପିଓ କେନ୍ଦ୍ର, ଜନସେବା କେନ୍ଦ୍ର ବୃଦ୍ଧି ପାଇବ, ଯେତେ ଅଧିକ ପ୍ରଯୁକ୍ତିର ବିସ୍ତାର ହେବ, ସେତେ ଅଧିକ ଜାମ୍ମୁ-କାଶ୍ମୀରର ଆମର ପ୍ରିୟ ଭାଇ-ଭଉଣୀମାନଙ୍କ ଜୀବନ ସହଜ ହେବ, ସେମାନଙ୍କ ଜୀବିକାର୍ଜନ ଓ ପେଟପାଟଣା ପାଇଁ ଅଧିକ ସୁଯୋଗ ବଢ଼ିବ ।

ସାଥୀଗଣ, ସରକାର ଯେଉଁ ନିଷ୍ପତି ନେଇଛନ୍ତି, ତାହା ଜାମ୍ମୁ-କାଶ୍ମୀର ଏବଂ ଲଦାଖର ସେହି ନବଯୁବକମାନଙ୍କୁ ମଧ୍ୟ ସହାୟତା କରିବ, ଯେଉଁମାନେ କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ିବା ଲାଗି ଚାହୁଁଛନ୍ତି । ନୂଆ କ୍ରୀଡ଼ା ପ୍ରଶିକ୍ଷଣ, ନୂଆ କ୍ରୀଡ଼ା ଷ୍ଟାଡିୟମ, ବୈଜ୍ଞାନିକ ପରିବେଶରେ ତାଲିମ, ସେମାନଙ୍କୁ ବିଶ୍ୱରେ ନିଜ ପ୍ରତିଭା ପ୍ରଦର୍ଶନ କରିବାରେ ସହାୟତା ମିଳିପାରିବ ।

ସାଥୀଗଣ, ଜାମ୍ମୁ-କାଶ୍ମୀର କେଶରର ରଙ୍ଗ ହେଉ କିମ୍ବା କହୱାର ସ୍ୱାଦ, ସେଓର ମିଠାପଣ ହେଉ କିମ୍ବା ଖୁବାନୀର ରସାଳପଣ, କାଶ୍ମୀରୀ ଶାଲ ହେଉ କିମ୍ବା ପୁଣି କଳାକୃତି, ଲଦାଖର ଜୈବିକ ଉତ୍ପାଦ ହେଉ କିମ୍ବା ପୁଣି ଔଷଧୀୟ ବୃକ୍ଷ ଏହାର ପ୍ରସାର ସାରା ବିଶ୍ୱରେ କରାଯିବାର ଆବଶ୍ୟକତା ରହିଛି । ମୁଁ ଆପଣଙ୍କୁ ଏକ ଉଦାହରଣ ଦେଉଛି । ଲଦାଖରେ ସୋଲୋ ନାମକ ଏକ ଗଛ ମିଳିଥାଏ । ବିଶେଷଜ୍ଞଙ୍କ କହିବା କଥା ଯେ ଏହି ଗଛ, ଅଧିକ ଉଚ୍ଚତାରେ ରହୁଥିବା ଲୋକମାନଙ୍କ ପାଇଁ, ବରଫାବୃତ ପାହାଡ଼ରେ ନିୟୋଜିତ ସୁରକ୍ଷାବାହିନୀଙ୍କ ପାଇଁ ସଞ୍ଜିବନୀ ଭଳି କାମ କରିଥାଏ । କମ ଅମ୍ଳଜାନ ଥିବା ଜାଗାରେ ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ସମ୍ଭାଳି ରଖିବାରେ ଏହାର ବହୁତ ବଡ଼ ଭୂମିକା ରହିଛି । ଚିନ୍ତା କରନ୍ତୁ, ଏମିତି ଅଦ୍ଭୂତ ଜିନିଷ, ସାରା ବିଶ୍ୱରେ ବିକ୍ରି ହେବା ଉଚିତ ନା ନାହିଁ? ଏମିତି କେଉଁ ହିନ୍ଦୁସ୍ତାନୀ ଏହା ଚାହିଁବେ ନାହିଁ ।

ଆହୁରି ସାଥୀଗଣ, ମୁଁ କେବଳ ଗୋଟିଏ ନାଁ ନେଇଛି । ଏମିତି ଅନେକ ଔଷଧୀୟ ବୃକ୍ଷ ଔଷଧୀୟ ଉତ୍ପାଦ ଜାମ୍ମୁ-କାଶ୍ମୀର ଏବଂ ଲଦାଖରେ ବିସ୍ତାରିତ ହୋଇଛି । ସେଗୁଡ଼ିକୁ ଚିହ୍ନଟ କରାଯିବ, ସେଗୁଡ଼ିକୁ ବିକ୍ରି କରାଗଲେ ତଏହାର ବହୁତ ବଡ଼ ଲାଭ ସେଠାକାର ଲୋକମାନଙ୍କୁ ମିଳିବ, ସେଠାକାର କୃଷକମାନଙ୍କୁ ମିଳିବ । ସେଥିପାଇଁ ମୁଁ ଦେଶର ଉଦ୍ୟୋଗୀମାନଙ୍କୁ, ରପ୍ତାନି ସହ ଜଡ଼ିତ ଲୋକମାନଙ୍କୁ, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଜଡ଼ିତ ଲୋକମାନଙ୍କୁ ଅନୁରୋଧ କରିବି ଯେ ଜାମ୍ମୁ-କାଶ୍ମୀର ଏବଂ ଲଦାଖର ସ୍ଥାନୀୟ ଉତ୍ପାଦକୁ ସାରା ବିଶ୍ୱରେ ପହଁଚାଇବାର କାମ କରିବା ଲାଗି ଆଗେଇ ଆସନ୍ତୁ ।

ସାଥୀ ଗଣ, କେନ୍ଦ୍ର ଶାସିତ ପ୍ରଦେଶ ହେବା ପରେ ଏବେ ଲଦାଖର ଲୋକମାନଙ୍କ ବିକାଶ, ଭାରତ ସରକାରଙ୍କ ସ୍ୱଭାବିକ ଦାୟିତ୍ୱ ହୋଇଛି । ସ୍ଥାନୀୟ ପ୍ରତିନିଧି, ଲଦାଖ ଏବଂ କାରଗିଲ ଡେଭଲପମେଣ୍ଟ କାଉନସିଲର ସହଯୋଗରେ କେନ୍ଦ୍ର ସରକାର, ବିକାଶର ବିଭିନ୍ନ ଯୋଜନାର ଲାଭ ଏବେ ଆହୁରି ଦ୍ରୁତଗତିରେ ପହଁଚାଇବେ ।

ଲଦାଖ ନିକଟରେ ଆଧ୍ୟାତ୍ମିକ ପର୍ଯ୍ୟଟନ, ଦୁଃସାହସିକ ପର୍ଯ୍ୟଟନ ଏବଂ ଇକୋ-ଟୁରିଜିମର ସବୁଠୁ ବଡ଼ କେନ୍ଦ୍ର ହେବାର କ୍ଷମତା ରହିଛି । ସୌର ଶକ୍ତି ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଲଦାଖ ବହୁତ ବଡ଼ କେନ୍ଦ୍ର ହୋଇପାରିବ । ଏବେ ସେଠାକାର ସାମର୍ଥ୍ୟର ଉଚିତ ଉପଯୋଗ ହେବ ଏବଂ ବିନା ଭେଦଭାବରେ ବିକାଶର ନୂଆ ସୁଯୋଗ ସୃଷ୍ଟି ହେବ । ଏବେ ଲଦାଖର ଯୁବକମାନଙ୍କ ଅଭିନବ ଉତ୍ସାହକୁ ପ୍ରୋତ୍ସାହନ ମିଳିବ, ସେମାନଙ୍କୁ ଉତ୍ତମ ଶିକ୍ଷା ଲାଗି ଉତ୍ତମ ସଂସ୍ଥାନ ମିଳିବ, ସେଠାକାର ଲୋକମାନଙ୍କୁ ଭଲ ହସପିଟାଲ ମିଳିବ, ଭିତ୍ତିଭୂମିର ଆହୁରି ଅଧିକ ଆଧୁନିକୀକରଣ ହେବ ।

ସାଥୀଗଣ, ଗଣତନ୍ତ୍ରରେ ଏହା ମଧ୍ୟ ବହୁତ ସ୍ୱଭାବିକ ଯେ କିଛି ଲୋକ ଏହି ନିଷ୍ପତ୍ତି ସପକ୍ଷରେ ଅଛନ୍ତି ଏବଂ କିଛି ଲୋକଙ୍କର ଏହା ଉପରେ ମତଭେଦ ରହିଛି । ମୁଁ ସେମାନଙ୍କ ମଦଭେଦକୁ ମଧ୍ୟ ସମ୍ମାନ କରୁଛି ଏବଂ ସେମାନଙ୍କ ଆପତ୍ତିକୁ ମଧ୍ୟ । ଏହା ଉପରେ ଯେଉଁ ବିତର୍କ ହେଉଛି, ଏହାର କେନ୍ଦ୍ର ସରକାର ଜବାବ ମଧ୍ୟ ଦେଉଛନ୍ତି । ସମାଧାନ କରିବାର ପ୍ରୟାସ ମଧ୍ୟ କରୁଛନ୍ତି । ଏହା ଆମର ଗଣତାନ୍ତ୍ରିକ ଦାୟିତ୍ୱ କିନ୍ତୁ ମୋର ସେମାନଙ୍କୁ ଅନୁରୋଧ ଯେ ସେମାନେ ଦେଶହିତକୁ ସର୍ବୋପରି ରଖି ବ୍ୟବହାର କରନ୍ତୁ ଏବଂ  ଜାମ୍ମୁ-କାଶ୍ମୀର ଲଦାଖକୁ ନୂତନ ମାର୍ଗ ଦେଖାଇବାରେ ସରକାରଙ୍କ ସହାୟତା କରନ୍ତୁ । ଦେଶର ସହାୟତା କରନ୍ତୁ । ସଂସଦରେ କେଉଁମାନେ ମତଦାନ କଲେ, କେଉଁମାନେ ନକଲେ, କେଉଁମାନେ ସମର୍ଥନ କଲେ, କେଉଁମାନେ କଲେ ନାହିଁ, ଏହାଠାରୁ ଆଗକୁ ଯାଇ ଏମେ ଆମକୁ ଜାମ୍ମୁ-କାଶ୍ମୀର-ଲଦାଖର ହିତରେ ମିଳିମିଶି, ଏକଜୁଟ ହୋଇ କାମ କରିବାକୁ ହେବ । ମୁଁ ପ୍ରତ୍ୟେକ ଦେଶବାସୀଙ୍କୁ ଏହା ମଧ୍ୟ କହିବାକୁ ଚାହୁଁଛି ଯେ ଜାମ୍ମୁ-କାଶ୍ମୀର ଏବଂ ଲଦାଖର ଲୋକମାନଙ୍କ ଚିନ୍ତା, ଆମ ସମସ୍ତଙ୍କ ଚିନ୍ତା, 130 କୋଟି ନାଗରିକମାନଙ୍କ ଚିନ୍ତା ରହିଛି, ସେମାନଙ୍କୁ ସୁଖ-ଦୁଃଖ, ସେମାନଙ୍କ କଷ୍ଟରୁ ଆମେ ଅଲଗା ନୋହୁଁ । ଅନୁଚ୍ଛେଦ 370ରୁ ମୁକ୍ତି ଏକ ବାସ୍ତବତା, କିନ୍ତୁ ଏହା ମଧ୍ୟ ସତ ଯେ ଏ ସମୟରେ ଇତିହାସ ଦୃଷ୍ଟିରୁ ନିଆଯାଇଥିବା ପଦକ୍ଷେପ କାରଣରୁ ଯେଉଁ ସମସ୍ୟା ସୃଷ୍ଟି ହେଉଛି, ତାର ମୁକାବିଲା ମଧ୍ୟ ସେହି ଲୋକମାନେ କରିପାରିବେ । କିଛି ହାତଗଣତି ଲୋକ, ଯେଉଁମାନେ ସେଠାରେ ପରିସ୍ଥିତିକୁ ବିଗାଡ଼ିବାକୁ ଚାହୁଁଛନ୍ତି, ସେମାନଙ୍କୁ ଧୈର୍ଯ୍ୟପୂର୍ବକ ଜବାବ ମଧ୍ୟ ଆମର ଭାଇ ଭଉଣୀମାନେ ଦେଉଛନ୍ତି । ଆମେ ଏହା ମଧ୍ୟ ଭୁଲିବା ଉଚିତ ନୁହେଁ ଯେ ଆତଙ୍କାବାଦ ଓ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହନ ଦେବା ଲାଗି ପାକିସ୍ତାନୀ ଷଡ଼ଯନ୍ତ୍ରର ବିରୋଧରେ ଜାମ୍ମୁ-କାଶ୍ମୀରର ହିଁ ଦେଶଭକ୍ତ ଲୋକମାନେ ଦୃଢ଼ ଭାବେ ଛିଡ଼ା ହୋଇଛନ୍ତି । ଭାରତୀୟ ସମ୍ବିଧାନ ଉପରେ ବିଶ୍ୱାସ କରୁଥିବା ଆମର ଏ ସମସ୍ତ ଭାଇ-ଭଉଣୀ ଭଲ ଜୀବନ ଜୀଇଁବାର ଅଧିକାରୀ ଅଟନ୍ତି । ଆମେ ସେମାନଙ୍କ ପାଇଁ ଗର୍ବିତ । ମୁଁ ଆଜି ଜାମ୍ମୁ-କାଶ୍ମୀରର ଏହି ସାଥୀମାନଙ୍କୁ ଭରସା ଦେଉଛି ଯେ ଧୀରେ ଧୀରେ ପରିସ୍ଥିତି ସାମାନ୍ୟ ହୋଇଯିବ ଏବଂ ସେମାନଙ୍କ ସମସ୍ୟା ଦୂର ହୋଇଚାଲିବ ।

ସାଥୀଗଣ, ଇଦର ଅଭିନନ୍ଦନ ପର୍ବ ପାଖେଇ ଆସୁଛି । ଇଦ ଲାଗି ମୋ ପକ୍ଷରୁ ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା । ସରକାର ଏକଥା ପ୍ରତି ଧ୍ୟାନ ଦେଉଛନ୍ତି ଯେ ଜାମ୍ମୁ-କାଶ୍ମୀରରେ ଇଦ ପାଳନରେ ଲୋକମାନଙ୍କୁ କୌଣସି ସମସ୍ୟା ନହେଉ । ଆମର ଯେଉଁ ସାଥୀ ଜାମ୍ମୁ-କାଶ୍ମୀରରୁ ବାହାରେ ରହୁଛନ୍ତି ଏବଂ ଇଦରେ ନିଜ ଘରକୁ ଫେରିଯିବା ଳାଗି ଚାହୁଁଛନ୍ତି, ସେମାନଙ୍କୁ ମଧ୍ୟ ସରକାର ଯଥାସମ୍ଭବ ସହାୟତା କରୁଛନ୍ତି ।

ସାଥୀଗଣ, ଆଜି ଏହି ଅବସରରେ, ମୁଁ  ଜାମ୍ମୁ-କାଶ୍ମୀରର ଲୋକମାନଙ୍କ ସୁରକ୍ଷାରେ ନିୟୋଜିତ ନିଜ ସୁରକ୍ଷାବାହିନୀର ସାଥୀମାନଙ୍କୁ ମଧ୍ୟ କୃତଜ୍ଞତା ବ୍ୟକ୍ତ କରୁଛି । ପ୍ରଶାସନ ସହ ଜଡ଼ିତ ସବୁ ଲୋକ, ରାଜ୍ୟର କର୍ମଚାରୀ ଏବଂ ଜାମ୍ମୁ-କାଶ୍ମୀର ପୋଲିସ ଯେପରି ପରିସ୍ଥିତିକୁ ସମ୍ଭାଳୁଛନ୍ତି,  ସେମାଙ୍କୁ ଯେତେ ପ୍ରଶଂସା କଲେ କମ ହେବ । ଆପଣମାନଙ୍କ ଏହି ପରିଶ୍ରମ, ମୋର ଏହି ବିଶ୍ୱାସକୁ ଆହୁରି ବଢ଼ାଇଛି, ପରିବର୍ତ୍ତନ ହୋଇପାରିବ

ଭାଇ ଓ ଭଉଣୀମାନେ, ଜାମ୍ମୁ-କାଶ୍ମୀର ଆମ ଦେଶର ମୁକୁଟ, ଆମେ ଏହାକୁ ନେଇ ଗର୍ବିତ । ଏହାର ରକ୍ଷା ଲାଗି ଜାମ୍ମୁ-କାଶ୍ମୀରର ଅନେକ ବୀର ପୁଅ-ଝିଅମାନେ ନିଜ ବଳିଦାନ ଦେଇଛନ୍ତି, ନିଜ ଜୀବନକୁ ବାଜି ଲଗାଇଛନ୍ତି । ପୁଞ୍ଛ ଜିଲ୍ଲାର ମୌଲବୀ ଗୁଲାମ ଦୀନ, ଯିଏକି 65ର ଯୁଦ୍ଧରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ବିଷୟରେ ଭାରତୀୟ ସେନାକୁ କହିଥିଲେ, ତାଙ୍କୁ ଅଶୋକ ଚକ୍ରରେ ସମ୍ମାନିତ କରାଯାଇଥିଲା, ଲଦାଖର କର୍ଣ୍ଣଲ ସୋନମ ୱାଙ୍ଗଚୁଗ ଯିଏକି କାର୍ଗିଲ ଯୁଦ୍ଧରେ ଶତ୍ରୁପକ୍ଷକୁ ଧୂଳି ଚଟାଇ ଦେଇଥିଲେ, ତାଙ୍କୁ ମହାବୀର ଚକ୍ର ଦିଆଯାଇଥିଲା । ରାଜୌରୀର ରୁଖସାନା କୌସର, ଯିଏକି ଜଣେ ବଡ଼ ଆତଙ୍କବାଦୀକୁ ମାରି ଦେଇଥିଲେ, ସେ କୀର୍ତି ଚକ୍ରରେ ସମ୍ମାନିତ ହୋଇଛନ୍ତି । ପୁଞ୍ଛର ଶହୀଦ ଔରଙ୍ଗଜେବ, ଯାହାଙ୍କୁ ଗତବର୍ଷ ଆତଙ୍କବାଦୀମାନେ ହତ୍ୟା କରି ଦେଇଥିଲେ ଏବଂ ତାଙ୍କର ଦୁଇ ଭାଇ ଏବେ ସେନାରେ ଭର୍ତି ହୋଇ ଦେଶ ସେବା କରୁଛନ୍ତି, ଏପରି ବୀର ପୁଅ-ଝିଅଙ୍କ ତାଲିକା ବହୁତ ଲମ୍ବା । ଆତଙ୍କବାଦୀଙ୍କ ସହ ଲଢ଼ି ଜାମ୍ମୁ-କାଶ୍ମୀର ପୋଲିସର ଅନେକ ଯବାନ ଏବଂ ଅଧିକାରୀ ମଧ୍ୟ ଶହୀଦ ହୋଇଛନ୍ତି । ଦେଶର ଅନ୍ୟ ଭୂ-ଭାଗରୁ ମଧ୍ୟ ହଜାର ହଜାର ଲୋକଙ୍କୁ ଆମେ ହରାଇଛୁ । ଏ ସମସ୍ତଙ୍କ ସ୍ୱପ୍ନ ଥିଲା- ଏକ ଶାନ୍ତ, ସୁରକ୍ଷିତ, ସମୃଦ୍ଧ ଜାମ୍ମୁ-କାଶ୍ମୀର ନିର୍ମାଣ କରିବା । ସେମାନଙ୍କ ସ୍ୱପ୍ନକୁ ଆମେ ମିଳିମିଶ ସମ୍ପୂର୍ଣ୍ଣ କରିବା ।

ସାଥୀଗଣ, ଏହି ନିଷ୍ପତ୍ତି ଜାମ୍ମୁ-କାଶ୍ମୀର ଏବଂ ଲଦାଖ ସହିତ ହିଁ ସାରା ଭାରତର ଆର୍ଥିକ ପ୍ରଗତିରେ ସହଯୋଗ କରିବ । ଯେତେବେଳେ ବିଶ୍ୱର ଏହି ଗୁରୁତ୍ୱପୂର୍ଣ୍ଣ ଭୂଭାଗରେ ସୁଖଶାନ୍ତି ବିରାଜମାନ କରିବ, ସ୍ୱଭାବିକ ଭାବେ ବିଶ୍ୱ ଶାନ୍ତିର ପ୍ରୟାସ ଆହୁରି ସୁଦୃଢ଼ ହେବ । ମୁଁ ଜାମ୍ମୁ-କାଶ୍ମୀରର ମୋର ଭାଇ ଓ ଭଉଣୀମାନଙ୍କୁ, ଲଦାଖର ଭାଇ ଓ ଭଉଣୀମାନଙ୍କୁ ଆହ୍ୱାନ କରୁଛି ।

ଆସନ୍ତୁ, ଆମେ ସମସ୍ତେ ମିଶି ଦୁନିଆକୁ ଏହା ଦେଖାଇ ଦେବା ଯେ ଏହି କ୍ଷେତ୍ରର ଲୋକମାନଙ୍କ ସାମର୍ଥ୍ୟ କେତେ ଅଧିକ, ଏଠାକାର ଲୋକମାନଙ୍କ ସାହସ, ସେମାନଙ୍କ ଆତ୍ମବିଶ୍ୱାସ କେତେ ଅଧିକ ।

ଆସନ୍ତୁ, ଆମେ ସମସ୍ତେ ମିଶି, ନୂଆ ଭାରତ ସହିତ ଏବେ ନୂଆ ଜାମ୍ମୁ-କାଶ୍ମୀର ଏବଂ ନୂଆ ଲଦାଖର ମଧ୍ୟ ନିର୍ମାଣ କରିବା ।

ବହୁତ ବହୁତ ଧନ୍ୟବାଦ !

ଜୟ ହିନ୍ଦ !

*******