ପ୍ରଧାନମନ୍ତ୍ରୀଙ୍କ ପତ୍ର ହୃଦୟସ୍ପର୍ଶୀ କହିଲେ, ପୂର୍ବତନ ରାଷ୍ଟ୍ରପତି
ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତି ଭାବେ ନିଜ କାର୍ଯ୍ୟକାଳର ଅନ୍ତିମ ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ପାଇଥିବା ଏକ ପତ୍ରକୁ ସାର୍ବଜନୀନ କରିଛନ୍ତି । ଶ୍ରୀ ପ୍ରଣବ ମୁଖାର୍ଜୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଏହି ପତ୍ର ତାଙ୍କ ହୃଦୟକୁ ଛୁଇଁଛି । ନିମ୍ନରେ ଉକ୍ତ ପତ୍ରର ବିଷୟବସ୍ତୁ ଦିଆଗଲା:——-
ନୂଆଦିଲ୍ଲୀ, ୨୪ ଜୁଲାଇ, ୨୦୧୭
ଶ୍ରୀ ପ୍ରଣବ ମୁଖାର୍ଜୀ
ଭାରତର ରାଷ୍ଟ୍ରପତିଙ୍କ ସମୀପେଷୁ ।
ପ୍ରିୟ ପ୍ରଣବ ଦା,
ଆପଣ ନିଜ ଗୌରବମୟ ଯାତ୍ରାର ଏକ ନୂଆ ପର୍ଯ୍ୟାୟ ଆରମ୍ଭ କରିବାକୁ ଯାଉଥିବାରୁ ଦେଶ ପ୍ରତି ଆପଣଙ୍କ ବଳିଷ୍ଠ ଯୋଗଦାନ, ବିଶେଷ କରି ଗତ 5 ବର୍ଷ ମଧ୍ୟରେ ଭାରତର ରାଷ୍ଟ୍ରପତି ଭାବେ ଅନନ୍ୟ ସେବା ପାଇଁ, ମୁଁ ଆପଣଙ୍କୁ ସମ୍ମାନ ଏବଂ କୃତଜ୍ଞତା ଜଣାଇବା ଲାଗି ଚାହୁଁଛି । ଆପଣ ନିଜ ସରଳତା, ଉଚ୍ଚ ନୈତିକତା ଏବଂ ଅନୁକରଣୀୟ ନେତୃତ୍ୱ ଦ୍ୱାରା ଆମମାନଙ୍କୁ ଅନୁପ୍ରାଣିତ କରିଛନ୍ତି ।
ତିନି ବର୍ଷ ପୂର୍ବେ, ଜଣେ ବାହାର ଲୋକ ଭାବେ ମୁଁ ଦିଲ୍ଲୀ ଆସିଥିଲି । ମୋ ଆଗରେ ବିପୁଳ କାର୍ଯ୍ୟଭାର ଏବଂ ଆହ୍ୱାନ ରହିଥିଲା । ଏହି ସମୟଗୁଡ଼ିକରେ, ଆପଣ ମୋର ପିତୃତୁଲ୍ୟ ଏବଂ ଗୁରୁଜନ ଭାବେ ରହିଆସିଛନ୍ତି । ଆପଣଙ୍କ ବୁଦ୍ଧିମତା, ମାର୍ଗଦର୍ଶନ ଏବଂ ବ୍ୟକ୍ତିଗତ ସ୍ନେହ ମୋତେ ଅଧିକ ଆତ୍ମବିଶ୍ୱାସ ଏବଂ ବଳ ଦେଇଆସିଛି ।
ଆପଣ ଜଣେ ଜ୍ଞାନର ଭଣ୍ଡାର ବୋଲି ସମସ୍ତେ ଜାଣନ୍ତି । ନୀତି ନିର୍ଦ୍ଧାରଣ ଠାରୁ ରାଜନୀତି, ଅର୍ଥନୀତିରୁ ଆରମ୍ଭ କରି ବର୍ହିବ୍ୟାପାର, ଏବଂ ଜାତୀୟ ତଥା ଅନ୍ତର୍ଜାତୀୟ ଗୁରୁତ୍ୱ ବହନ କରୁଥିବା ସୁରକ୍ଷା ପ୍ରସଙ୍ଗ ଆଦି ବିଭିନ୍ନ ପ୍ରସଙ୍ଗରେ ଆପଣଙ୍କ ଅନ୍ତର୍ଦୃଷ୍ଟି ଦ୍ୱାରା ମୁଁ ସର୍ବଦା ପ୍ରଭାବିତ ହୋଇଆସିଛି । ଆପଣଙ୍କ ବୌଦ୍ଧିକ ନିପୁଣତା ଲଗାତାର ଭାବେ ମୋ ସରକାର ଏବଂ ମୋତେ ସହାୟତା କରିଆସିଛି ।
ଆପଣ ସବୁବେଳେ ମୋ ପ୍ରତି ଉଦାର, ସ୍ନେହପୂର୍ଣ୍ଣ ଏବଂ ଯତ୍ନଶୀଳ ରହିଛନ୍ତି । ଗୋଟିଏ ଦିନର ଲଗାତାର ବୈଠକ କିମ୍ବା ଗସ୍ତ ପରେ, ଆପଣଙ୍କ ଗୋଟିଏ ଫୋନ୍ କଲରେ ଆପଣ ମୋତେ ପଚାରିଥିଲେ “ମୋର ଆଶା ଯେ ତୁମେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେଉଥିବ” ମୋତେ ଏହି ବାକ୍ୟ ଟିକକ ଏକ ନୂତନ ସତେଜତା ଦେବା ପାଇଁ ଯଥେଷ୍ଟ ଥିଲା ।
ପ୍ରଣବ ଦା,
ଆମର ରାଜନୈତିକ ଯାତ୍ରା ଭିନ୍ନ ଭିନ୍ନ ରାଜନୈତିକ ପଥରେ ଗତିଶୀଳ ହୋଇଛି । ଆମର ବିଚାରଧାରା, ବିଭିନ୍ନ ସମୟରେ, ଭିନ୍ନ ରହିଆସିଛି । ଆମର ଅଭିଜ୍ଞତାରେ ମଧ୍ୟ ତଫାତ୍ ରହିଛି । ମୋର ପ୍ରଶାସନିକ ଅଭିଜ୍ଞତା କେବଳ ମୋର ରାଜ୍ୟରେ ସୀମିତ, ଅନ୍ୟପଟେ ଆପଣ ଦଶନ୍ଧୀ ଦଶନ୍ଧୀ ଧରି ଆମର ଜାତୀୟ ଶାସନତନ୍ତ୍ର ଏବଂ ରାଜନୀତିକୁ ଦେଖି ଆସିଛନ୍ତି । ତଥାପି, ଆପଣଙ୍କ ବିଚାରଶକ୍ତି ଏବଂ ବୁଦ୍ଧିମତ୍ତା ଏତେ ସବଳ ଯେ ଆମେ ଉଭୟ ତାଳମେଳ ରକ୍ଷା କରି ଏକାଠି କାମ କରିବାରେ ସକ୍ଷମ ହୋଇପାରିଲେ ।
ଆପଣଙ୍କ ରାଜନୈତିକ ଯାତ୍ରା ଏବଂ ଆପଣଙ୍କ ରାଷ୍ଟ୍ରପତିତ୍ୱ ସମୟରେ, ରାଷ୍ଟ୍ରକଲ୍ୟାଣକୁ ଆପଣ ସବୁଠାରୁ ଉପରେ ରଖିଥିଲେ । ନବସୃଜନକୁ ଅନୁମୋଦନ ଏବଂ ଯୁବ ପ୍ରତିଭାକୁ ପ୍ରୋତ୍ସାହନ ଦେଉଥିବା କାର୍ଯ୍ୟକ୍ରମ ଏବଂ ଉପକ୍ରମ ପାଇଁ ଆପଣ ରାଷ୍ଟ୍ରପତି ଭବନକୁ ଉନ୍ମୁକ୍ତ କରିଥିଲେ ।
ଆପଣ ଏପରି ଏକ ପିଢ଼ିର ରାଜନେତାଙ୍କ ପ୍ରତିନିଧିତ୍ୱ କରିଥାନ୍ତି ଯାହାଙ୍କ ପାଇଁ ରାଜନୀତିର ଅର୍ଥ ହେଉଛି ନିଃସ୍ୱାର୍ଥ ଭାବେ ସମାଜ ପାଇଁ ସେବା କରିବା । ଆପଣ ଭାରତର ଲୋକମାନଙ୍କ ପାଇଁ ମହାନ ପ୍ରେରଣାର ଉତ୍ସ । ଜଣେ ରାଷ୍ଟ୍ରପତି ଯେ’କି ଜଣେ ଉଦାର ଜନ ସେବକ ଏବଂ ଅସାଧାରଣ ନେତା ଥିଲେ, ଭାରତ ସବୁବେଳେ ଆପଣଙ୍କୁ ନେଇ ଗର୍ବ କରିବ ।
ଆପଣଙ୍କ ରାଜନୈତିକ ଉତ୍ତରାଧିକାର ଆମକୁ ମାର୍ଗଦର୍ଶନ କରି ଚାଲିଥିବ । ସମସ୍ତଙ୍କୁ ସାଥୀରେ ନେଇ ଚାଲିବାର ଆପଣଙ୍କ ରାଜନୈତିକ ଦୂରଦୃଷ୍ଟିରୁ ଆମେ ଲଗାତାର ପ୍ରେରଣା ଓ ଶକ୍ତି ଲାଭ କରିଚାଲିଥିବୁ, ଯାହାକୁ ଆପଣ ଦୀର୍ଘ ଏବଂ ଲବ୍ଧ ପ୍ରତିଷ୍ଠିତ ସାଧାରଣ ଜୀବନଯାତ୍ରା ସମୟରେ ହାସଲ କରିଛନ୍ତି । ଆପଣ ନିଜ ଜୀବନର ଏକ ନୂଆ ପର୍ଯ୍ୟାୟରେ ପ୍ରବେଶ କରିବାକୁ ଯାଉଥିବାରୁ, ଆପଣଙ୍କ ଉଜ୍ଜଳ ଭବିଷ୍ୟତର ପ୍ରୟାସ ପାଇଁ ମୁଁ ଶୁଭକାମନା ଜଣାଉଛି ।
ଆପଣଙ୍କ ସହଯୋଗ, ଉତ୍ସାହ, ମାର୍ଗଦର୍ଶନ ଏବଂ ପ୍ରେରଣା ପାଇଁ ପୁଣିଥରେ ଆପଣଙ୍କୁ ଧନ୍ୟବାଦ । କିଛିଦିନ ପୂର୍ବେ ସଂସଦରେ ବିଦାୟକାଳୀନ ସମାରୋହରେ ଆପଣ ମୋ ପାଇଁ କହିଥିବା ଅତି ସ୍ନେହପୂର୍ଣ୍ଣ ଶବ୍ଦ ନିମନ୍ତେ ଆପଣଙ୍କୁ ଧନ୍ୟବାଦ ।
ରାଷ୍ଟ୍ରପତି ମହୋଦୟ, ଆପଣଙ୍କ ପ୍ରଧାନମନ୍ତ୍ରୀ ଭାବେ ଆପଣଙ୍କ ସହିତ କାର୍ଯ୍ୟ କରିବା ମୋ ପାଇଁ ସମ୍ମାନର ବିଷୟ ଥିଲା ।
ଜୟ ହିନ୍ଦ!
ଆପଣଙ୍କ ବିଶ୍ୱସ୍ତ
ନରେନ୍ଦ୍ର ମୋଦୀ
**********
Pranab Da, I will always cherish working with you. @CitiznMukherjee https://t.co/VHOTXzHtlM
— Narendra Modi (@narendramodi) August 3, 2017