ଉତ୍ତମ ପ୍ରଶାସନ ପାଇଁ ଅଗ୍ରାଧିକାର ଏବଂ ବାସ୍ତବବାଦୀ ଆଭିମୁଖ୍ୟ ନିହାତି ଆବଶ୍ୟକ । ଏହି ସନ୍ଦର୍ଭରେ ରାଜ୍ୟମାନଙ୍କର ଅନୁଭୂତିରୁ ଅନେକ କିଛି ଶିଖିବାର ଅଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଆଜି ନୂଆଦିଲ୍ଲୀଠାରେ ରାଜ୍ୟ ମୁଖ୍ୟ ଶାସନ ସଚିବମାନଙ୍କ ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରିବା ବେଳେ ସେ ଏହା କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟମାନଙ୍କ ପ୍ରଶାସନିକ ଅନୁଭୂତି ଅନେକ କିଛି ସମସ୍ୟା ଓ ଆହ୍ୱାନର ମୁକାବିଲା ଦିଗରେ ସମାଧାନର ସୂତ୍ର ଦେଇପାରିବ । ଉଚ୍ଚ ପ୍ରଶାସନିକ ଅଧିକାରୀମାନଙ୍କର ସାମୂହିକ ଦୃଷ୍ଟିଭଙ୍ଗୀ ଓ ସାମର୍ଥ୍ୟ ଅନେକ ସମସ୍ୟାର ସମାଧାନ କରିପାରିବ । ତେଣୁ ଏଭଳି ସମ୍ମିଳନୀରେ ପରସ୍ପରର ଅନୁଭୂତି ବାଣ୍ଟିବା ପାଇଁ ମତ ବିନିମୟକୁ ବ୍ୟାପକ କରାଯିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।
ଏବେ ଯେଉଁ ଯୁବ ପ୍ରଶାସନିକ ଅଧିକାରୀମାନେ ବିଭିନ୍ନ ରାଜ୍ୟରେ ଯୋଗ ଦେଇଛନ୍ତି ସେମାନେ ଏହିସବୁ ସମସ୍ୟା ଓ ଆହ୍ୱାନଗୁଡିକ ଉପରେ ବ୍ୟାପକ ବିଚାର ବିମର୍ଶ କରି ସେଥିରୁ ଅନେକ କିଛି ଶିଖିବାକୁ ପଡିବ । ପରସ୍ପରର ଶ୍ରେଷ୍ଠ କାର୍ଯ୍ୟ ପଦ୍ଧତିକୁ ଆପଣେଇବାକୁ ହେବ । ଏଥିଲାଗି ଯୁବ ଅଧିକାରୀମାନେ ବିଭିନ୍ନ ରାଜ୍ୟ ବୁଲି ଅନୁଭୂତି ହାସଲ କରିବାକୁ ପଡିବ । ଏହା ସେମାନଙ୍କର ପରବର୍ତ୍ତୀ ପ୍ରଶାସନିକ ଜୀବନରେ ଅନେକ ସଫଳତା ଆଣିଦେବ ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରତିଯୋଗିତା ମୂଳକ ସହଯୋଗୀ ସଂଘୀୟ ବ୍ୟବସ୍ଥା ଉପରେ ତର୍ଜମା କରିବା ସହିତ ଏଥିପ୍ରତି ପ୍ରଶାସନିକ ଅଧିକାରୀମାନେ ଶତତ ଯତ୍ନଶୀଳ ହେବାକୁ ପରାମର୍ଶ ଦେଇଥିଲେ । କେବଳ ରାଜ୍ୟମାନେ ନୁହନ୍ତି ବରଂ ଜିଲ୍ଲା ଏବଂ ସହରାଂଚଳଗୁଡିକ ମଧ୍ୟରେ ଉତ୍ତମ ପ୍ରଶାସନ ତଥା ବିକାଶଧର୍ମୀ ପ୍ରତିଯୋଗିତା ରହିବା ଆବଶ୍ୟକ । ଛୋଟ ଛୋଟ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ସଫଳତା ମଧ୍ୟ ଅନ୍ୟ ରାଜ୍ୟମାନଙ୍କର ଏବଂ ଜିଲ୍ଲା ଓ ସହରାଂଚଳର ଧ୍ୟେୟ ହେବା ଉଚିତ । ସେ କହିଥିଲେ ଯେ, ହରିୟାଣା ଓ ଚଣ୍ଡିଗଡ ଭଳି ଅଂଚଳକୁ କିରୋସିନିମୁକ୍ତ କରାଯାଇଛି । ଏହାକୁ ଅନ୍ୟମାନେ ଅନୁକରଣ କରିପାରିବେ ।
ମତ ବିନିମୟ କାଳରେ ପ୍ରଧାନମନ୍ତ୍ରୀ ପ୍ରଗତୀ ବୈଠକର ଫଳାଫଳ ସମ୍ପର୍କରେ ସମ୍ୟକ ଆଲୋଚନା କରିଥିଲେ । ସେ କହିଥିଲେ ଯେ, ପ୍ରଗତୀ ମାଧ୍ୟମରେ ସେ ବାରମ୍ବାର ସମୀକ୍ଷା କରୁଥିବାରୁ ଅନେକ ନିର୍ମାଣାଧିନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ପାରମ୍ପରିକ ଚିନ୍ତାଧାରାରୁ ମୁକୁଳି ନୂତନ ଭାବନାରେ କେନ୍ଦ୍ର-ରାଜ୍ୟ ମିଳିମିଶି ଏବଂ ଉଚିତ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏବେ ଭାରତ ଉପରେ ସମଗ୍ର ବିଶ୍ୱର ଆସ୍ଥା ସୃଷ୍ଟି ହୋଇଛି । ଭାରତଠାରୁ ଅନେକ କିଛି ଆଶା କରାଯାଉଛି । ବିଶ୍ୱ ସମୁଦାୟ ଏବେ ଭାରତ ସହିତ ବିକାଶ କାର୍ଯ୍ୟରେ ସହଭାଗୀ ହେବାକୁ ଆଗ୍ରହୀ । ଏହା ଆମ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି । ବର୍ତ୍ତମାନ କେନ୍ଦ୍ର ସରକାର ବାଣିଜ୍ୟ-ବ୍ୟବସାୟ ପଦ୍ଧତିକୁ ସୁଗମ ଓ ସରଳ କରିବା ଲାଗି ଅଗ୍ରାଧିକାର ଦେଉଛନ୍ତି । ରାଜ୍ୟ ସରକାରମାନେ ଏ ଦିଗରେ ଅଧିକ ପଦକ୍ଷେପ ନେବାକୁ ପଡିବ ଯାହାକି ସେମାନଙ୍କ ପାଇଁ ଅଧିକ ପୁଞ୍ଜି ନିବେଶ ଆଣିଦେବ । ରାଜ୍ୟମାନଙ୍କରେ ଅଧିକରୁ ଅଧିକ ପୁଞ୍ଜି ନିବେଶ ହେବାଦ୍ୱାରା ଦେଶର ମଙ୍ଗଳ ସାଧନ ହେବ । ଅନେକ ରାଜ୍ୟରେ ବିକାଶ ଓ ପୁଞ୍ଜି ବିନିଯୋଗ ପାଇଁ ବ୍ୟାପକ ସୁଯୋଗ ରହିଛି । ଏହାକୁ ହାତଛଡା ନ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଗୁଜରାଟରେ ତାଙ୍କର ମୁଖ୍ୟମନ୍ତ୍ରୀତ୍ୱ କାଳର ସ୍ମରଣ କରି କହିଥିଲେ ଯେ, କଚ୍ଛ ଅଂଚଳରେ ଭୂମିକମ୍ପ ହୋଇଥିଲା ଅଥଚ ସରକାରୀ କଳର ପ୍ରତ୍ୟକ୍ଷ ସହଯୋଗରେ ପୁନଃନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିଲା । ଏଥିଲାଗି ସେମାନେ ଏକ ଟିମ୍ ଭାବନା ନେଇ କାମ କରୁଥିଲେ । ପ୍ରତ୍ୟେକ ପୁନଃନିର୍ମାଣ କାର୍ଯ୍ୟରେ ନିଷ୍ଠା ଓ ସମର୍ପଣର ପ୍ରୟାସ ରହିଥିଲା । ଅପରପକ୍ଷରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପୁରାତନ ଆଇନ କାନୁନକୁ ଉଚ୍ଛେଦ କରାଯିବାର ଆବଶ୍ୟକତା ଉପରେ ସେ ଜୋର ଦେଇଥିଲେ ।
କୃଷି କ୍ଷେତ୍ର ସମ୍ପର୍କରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି କ୍ଷେତ୍ରରେ ଆଧୁନିକ ପ୍ରଯୁକ୍ତି କୌଶଳର ଉପଯୋଗ ନିହାତି ଜରୁରୀ । ଏବେ ଅନେକ କୃଷିଜାତ ସାମଗ୍ରୀ ନଷ୍ଟ ହୋଇଯାଉଥିବା ବେଳେ ସେ ସବୁକୁ ଠିକ୍ ମାର୍ଗରେ ସାଇତି ରଖିବା ଏବଂ କୃଷିଜାତ ସାମଗ୍ରୀର ମୂଲ୍ୟ ସମ୍ବର୍ଦ୍ଧନ ପାଇଁ ଖାଦ୍ୟ ପ୍ରକ୍ରୀୟାକରଣ ଉଦ୍ୟୋଗର ବିକାଶ ଉପରେ ଗୁରୁତ୍ୱ ଦେବାକୁ ପ୍ରଧାନମନ୍ତ୍ରୀ କହିଥିଲେ । ରାଜ୍ୟମାନଙ୍କୁ କୃଷି କ୍ଷେତ୍ରରେ ସଂସ୍କାର ଆଣିବା ଲାଗି ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଚାଷୀଙ୍କୁ ଗୋଟିଏ ଜାତୀୟ ବଜାରରେ ସାମିଲ କରିବା ପାଇଁ କେନ୍ଦ୍ର ସରକାର ଇ-ନାମ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଏଥିରେ ସାମିଲ ହେଉଥିବା ଚାଷୀ ଓ ମଣ୍ଡିମାନେ ଅନେକ ଲାଭ ପାଇପାରିବେ ।
ରାଜ୍ୟସ୍ତରରେ କାର୍ଯ୍ୟ କରୁଥିବା ପ୍ରଶାସନିକ ଅଧିକାରୀମାନେ ନୂଆ ନୂଆ ଯୋଜନା, ନୀତି ଓ ଆଭିମୁଖ୍ୟକୁ ସକାରାତ୍ମକ ଭାବନା ନେଇ କାର୍ଯ୍ୟକାରୀ କରିବାକୁ ସେ ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରାଜନୈତିକ ନେତୃତ୍ୱ ସବୁବେଳେ ନୂଆ ଚିନ୍ତନ, ମତ ଓ ପ୍ରସ୍ତାବ ପ୍ରତି ସକାରାତ୍ମକ ମନୋଭାବ ପୋଷଣ କରିବା ଉଚିତ । ଭିନ୍ନ ଭିନ୍ନ ରାଜନୈତିକ ଚିନ୍ତାଧାରାରୁ ଉଦ୍ଧ୍ୱର୍କୁ ଉଠି ନୂତନ ଭାବନାକୁ ଗ୍ରହଣ କରିବାକୁ ପଡିବ । ତେବେ ଯାଇ ଦେଶର ପ୍ରଗତୀ ଆଗେଇପାରିବ ।
ଆଧାର ନମ୍ବରର ଉପଯୋଗ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ର ସରକାର ଏବେ ପ୍ରତ୍ୟେକ କଲ୍ୟାଣ ମୂଳକ ଯୋଜନାକୁ ଆଧାର ଭିତିକ କରିଛନ୍ତି । ଏହାଦ୍ୱାରା ହିତାଧିକାରୀଙ୍କ ପାଖକୁ ଲାଭ ପହଂଚୁଛି ଏବଂ ସରକାରୀ ଅର୍ଥର ବାଟମାରଣାକୁ ବନ୍ଦ କରାଯାଇପାରିଛି । ଏଣୁ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଆଧାରକୁ ବ୍ୟବହାର କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ, ସରକାରୀ ଇ-ବଜାରସ୍ଥଳୀ ଏବେ ପ୍ରତ୍ୟେକ କ୍ଷେତ୍ରରେ ସ୍ୱଚ୍ଛତା ରକ୍ଷା କରିବା ସହ ସରକାରୀ କ୍ରୟରେ ପାରଦର୍ଶୀତା ଆଣୁଛି ଏବଂ ଅର୍ଥ ସଂଚୟ କରିପାରୁଛି । ରାଜ୍ୟ ସରକାରମାନେ ଏହି ଇ-ବଜାର ବ୍ୟବସ୍ଥାର ଲାଭ ଉଠାଇବାକୁ ସେ ଆହ୍ୱାନ ଦେଇଥିଲେ । ଅଗଷ୍ଟ 15 ତାରିଖ ସୁଦ୍ଧା ରାଜ୍ୟ ସରକାରମାନେ ଏହାକୁ ଲାଗୁ କରିବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।
“ଏକ ଭାରତ ଶ୍ରେଷ୍ଠ ଭାରତ” ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏଭଳି କାର୍ଯ୍ୟକ୍ରମ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବାରେ ସହାୟକ ହେବ । ରାଜ୍ୟ ମୁଖ୍ୟ ଶାସନ ସଚିବମାନେ ଏ ଦିଗରେ ଠୋସ୍ ପଦକ୍ଷେପ ନେବାକୁ ସେ କହିଥିଲେ ।
ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ସଫଳତା ଉତମ ପ୍ରଶାସନ ଉପରେ ନିର୍ଭର କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ, କନିଷ୍ଠ ଓ ଯୁବ ଅଧିକାରୀମାନେ ନିରନ୍ତର କ୍ଷେତ୍ର ପରିଦର୍ଶନ କରି ଅନୁଭୂତି ଅର୍ଜନ କରିବାକୁ ପଡିବ । ତୃଣମୂଳ ସ୍ତରରେ ଜନସାଧାରଣଙ୍କ ସମସ୍ୟା ହୃଦୟଙ୍ଗମ କରିବାକୁ ହେବ । ଜିଲ୍ଲା ଓ ରାଜ୍ୟ ସ୍ତରରେ ଆନୁଷ୍ଠନିକ ସ୍ମୃତିକୁ ସାଇତି ରଖିବା ପାଇଁ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ସ୍ତରରେ ଅଧିକାରୀମାନଙ୍କୁ ଗେଜେଟି ବିବରଣୀ ଲେଖିବା ବାଧ୍ୟତାମୂଳକ କରାଯିବା ଆବଶ୍ୟକ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, 2022ରେ ଆମର ସ୍ୱାଧିନତାକୁ 75 ବର୍ଷ ପୂରଣ ହେବ । ଏହି ଅବସରରେ ସମସ୍ତେ ଦେଶର ସର୍ବାଙ୍ଗୀନ ବିକାଶ ଲକ୍ଷ୍ୟରେ କାର୍ଯ୍ୟ କରିବାକୁ ପଡିବ ବୋଲି ସେ କହିଥିଲେ ।
ଏହି ଦିନିକିଆ ମୁଖ୍ୟ ଶାସନ ସଚିବମାନଙ୍କ ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ଥିଲା “States as Drivers for Transforming India.” । ଏଥିରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟ ସଚିବମାନେ ଅଂଶ ଗ୍ରହଣ କରିଥିଲେ । ଗ୍ରାମ୍ୟ ଉନ୍ନୟନ, କୌଶଳ ବିକାଶ, ଶସ୍ୟ ବୀମା, ସ୍ୱାସ୍ଥ୍ୟ ବୀମା, ଗ୍ରାମ୍ୟ ସ୍ୱାସ୍ଥ୍ୟ ସେବା, ଦିବ୍ୟାଙ୍ଗ ପିଲାମାନଙ୍କ କଲ୍ୟାଣ, ଶିଶୁ ମୃତ୍ୟୁହାର ହ୍ରାସ କରିବା, ଆଦିବାସୀ କଲ୍ୟାଣ, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ପରିମଳ, ପାନୀୟଜଳ, ନଦୀ ସଂରକ୍ଷଣ, ଜଳ ପରିଚାଳନା, ଇ-ପ୍ରଶାସନ, ପେନସନ ସଂସ୍କାର, ଜରୁରୀ କାଳୀନ ସେବା, ଖଣିଜ ସମୃଦ୍ଧ ଅଂଚଳର ବିକାଶ, ସାଧାରଣ ବଂଟନ ବ୍ୟବସ୍ଥାରେ ସଂସ୍କାର, ପ୍ରତ୍ୟକ୍ଷ ସବସିଡି ସୁବିଧା ହସ୍ତାନ୍ତର ଯୋଜନା, ସୌରଶକ୍ତିର ବିକାଶ, ଶିଳ୍ପପୁଞ୍ଜ ବିକାଶ, ଉତମ ପ୍ରଶାସନ ଏବଂ ବାଣିଜ୍ୟ-ବ୍ୟବସାୟ କାରବାରକୁ ସୁଗମ କରିବା ସମ୍ପର୍କରେ ଆଜିର ସମ୍ମିଳନୀରେ ବ୍ୟାପକ ଚର୍ଚ୍ଚା ହୋଇଥିଲା । ଅନେକ ମୁଖ୍ୟ ସଚିବ ନିଜ ନିଜ ରାଜ୍ୟର ପ୍ରଶାସନିକ ଅନୁଭୂତି ସମ୍ପର୍କରେ ସନ୍ଦର୍ଭମାନ ଉପସ୍ଥାପନ କରିଥିଲେ ।
ନୀତି ଆୟୋଗ ପକ୍ଷରୁ ଆୟୋଜିତ ସମ୍ମିଳନୀରେ କେନ୍ଦ୍ର ଯୋଜନା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଓ ଇନ୍ଦରଜିତ ସିଂହ, ନୀତି ଆୟୋଗର ଉପାଧ୍ୟକ୍ଷ ଡଃ ଅରବିନ୍ଦ ପନାଗାରିୟା, ନୀତି ଆୟୋଗର ସିଇଓ ଶ୍ରୀ ଅମିତାଭ କାନ୍ତ, କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।
Here are highlights of a special interaction PM @narendramodi had with Chief Secretaries of States & UTs. https://t.co/UuoSpVlsMq
— PMO India (@PMOIndia) July 11, 2017
Chief Secretaries presented best practices in their states in key areas including rural development, agriculture, health, tribal welfare.
— PMO India (@PMOIndia) July 11, 2017
Presentations were also shared on Divyang welfare, solid waste management, e-governance, PDS reform among various other policy issues.
— PMO India (@PMOIndia) July 11, 2017
In his address, PM highlighted the importance of ‘competitive cooperative federalism’ & need to learn from best practices of various states
— PMO India (@PMOIndia) July 11, 2017
PM spoke about Central Government’s focus on ease of doing business & bringing greater investment in the states, which would benefit people.
— PMO India (@PMOIndia) July 11, 2017
PM also called for greater usage of technology in areas of governance. Technology has a transformative potential on the lives of citizens.
— PMO India (@PMOIndia) July 11, 2017
Good governance is the greatest key to the success of government programmes & development goals. https://t.co/UuoSpVlsMq
— PMO India (@PMOIndia) July 11, 2017