ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଭବନରେ ରାଜ୍ୟପାଳ ସମ୍ମିଳନୀର ଉଦ୍ଘାଟନୀ ସମାରୋହକୁ ସମ୍ବୋଧିତ କରିଛନ୍ତି ।
ଏହି ଅବସରରେ ସେ ମତବ୍ୟକ୍ତ କରିଥିଲେ ଯେ ସମସ୍ତ ରାଜ୍ୟପାଳମାନେ ସମ୍ବିଧାନର ପବିତ୍ରତାକୁ ବଜାୟ ରଖିବା ସହିତ ସମାଜରେ ପରିବର୍ତ୍ତନ ଆଣିବାରେ ଉତ୍ପ୍ରେରକ ପ୍ରତିନିଧି ଭାବେ କାର୍ଯ୍ୟ କରିପାରିବେ । ନୂତନ ଭାରତ 2022 ର ଲକ୍ଷ୍ୟ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଏହାକୁ ଲୋକ ଆନ୍ଦୋଳନ କରିପାରିଲେ ଯାଇ ଲକ୍ଷ୍ୟ ହାସଲ ହୋଇପାରିବ ।
ଏହି କ୍ଷେତ୍ରରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିବା ଲାଗି ସେ ରାଜ୍ୟପାଳମାନଙ୍କୁ ଉତ୍ସାହିତ କରିଥିଲେ । ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ହକାଥନ୍ ଆୟୋଜନ କରାଯାଇଥିଲା, ଏଥିରେ ଛାତ୍ରଛାତ୍ରୀ ଯୋଗ ଦେଇ ବିଭିନ୍ନ ସମସ୍ୟାର ପ୍ରଯୁକ୍ତି ମାଧ୍ୟମରେ ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲେ । ଏ ସମ୍ପର୍କରେ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱବିଦ୍ୟାଳୟଗୁଡ଼ିକ ନବୋନ୍ମେଷ ବା ନବସୃଜନର କେନ୍ଦ୍ରସ୍ଥଳୀ ହେବା ଉଚିତ ।
ସେହିପରି ପ୍ରତି ରାଜ୍ୟର ଯୁବପିଢ଼ି ନିଶ୍ଚିତ ଭାବେ କ୍ରୀଡ଼ା ପ୍ରତି ଲକ୍ଷ୍ୟବଦ୍ଧ ହେବା ଉଚିତ । ସ୍ୱଚ୍ଛତା ହାସଲ ଦିଗରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପ୍ରସ୍ତୁତ କଲା ଭଳି କାର୍ଯ୍ୟ କରି ନେତୃତ୍ୱ ନେବା ଲାଗି ସେ ରାଜ୍ୟପାଳମାନଙ୍କୁ ଆହ୍ୱାନ କରିଥିଲେ । ସେ କହିଥିଲେ ଯେ ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ଆସନ୍ତା 2019ରେ ପାଳନ କରାଯିବ । ଆମେ ଏକ ଖୋଲା ମଳମୁକ୍ତ ଭାରତ ଗଠନ ଦିଗରେ କାର୍ଯ୍ୟ କରୁଥିବାରୁ ଏହା ଆମ ପାଇଁ ପ୍ରେରଣାର ଉତ୍ସ ହେବ । ପ୍ରଧାନମନ୍ତ୍ରୀ କହିଥିଲେ ପାର୍ବଣ ଏବଂ ବାର୍ଷିକୀ ମହାନ ପ୍ରେରଣା ଦେଇଥାଏ ଏବଂ ପରିବର୍ତ୍ତନ ଲାଗି କାର୍ଯ୍ୟ କରିବା ଦିଗରେ ଶକ୍ତି ପ୍ରଦାନ କରିଥାଏ । ସେ କହିଥିଲେ ଯେ ନଭେମ୍ବର 26 ସମ୍ବିଧାନ ଦିବସ ଏବଂ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ଡିସେମ୍ବର 6 ତାରିଖ ମଧ୍ୟରେ ମୁଦ୍ରା ଯୋଜନାରେ ଆଦିବାସୀ, ଦଳିତ ଏବଂ ମହିଳାମାନଙ୍କୁ ବ୍ୟାଙ୍କ ଋଣ ପ୍ରଦାନ କରିବା ଲାଗି ରାଜ୍ୟପାଳମାନେ ବ୍ୟାଙ୍କଗୁଡ଼ିକୁ ଉତ୍ସାହିତ କରିପାରିବେ ।
ସୌର ଶକ୍ତି, ଡିବିଟି ଏବଂ କେନ୍ଦ୍ର ଶାସିତ ଅଂଚଳଗୁଡ଼ିକୁ କିରାସିନି ମୁକ୍ତ କରିବା ଦିଗରେ ସେମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଉତ୍ତମ କାର୍ଯ୍ୟଶୈଳୀ ଅନ୍ୟ ରାଜ୍ୟମାନଙ୍କ ସହ ବିନିମୟ କରିବା ଲାଗି ପ୍ରଧାନମନ୍ତ୍ରୀ କେନ୍ଦ୍ର ଶାସିତ ଅଂଚଳଗୁଡ଼ିକର ଉପରାଜ୍ୟପାଳମାନଙ୍କୁ ଆହ୍ୱାନ ଜଣାଇଥିଲେ । ସେ କହିଥିଲେ ଏହି ଉପଲବ୍ଧୀ ସମସ୍ତ କେନ୍ଦ୍ରଶାସିତ ଅଂଚଳରେ ଦ୍ରୁତଗତିରେ ପ୍ରସାର ଲାଭ କରିବା ଉଚିତ ।
***
Joined the Conference of Governors at Rashtrapati Bhavan. Here are the highlights of my remarks. https://t.co/hp8J1y3pok
— Narendra Modi (@narendramodi) October 12, 2017