Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଯୁକ୍ତ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ଯୁକ୍ତ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୧ ସେପ୍ଟେମ୍ବର ୨୪ରେ ଯୁକ୍ତ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ମହାମହିମ ଯୋଶେଫ ଆର. ବାଇଡେନଙ୍କ ସହ ଏକ ସୁନ୍ଦର ତଥା ଉପଯୋଗୀ ବୈଠକ କରିଥିଲେ ।

 

୨୦୨୧ ଜାନୁଆରୀରେ ରାଷ୍ଟ୍ରପତି ବାଇଡେନ ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ଉଭୟ ନେତାଙ୍କ ମଧ୍ୟରେ ପ୍ରଥମ ମୁହାଁମୁହିଁ ସାକ୍ଷାତ ଥିଲା । ଏହାର ସୁଯୋଗ ନେଇ ନେତାଦ୍ୱୟ ଭାରତ-ଆମେରିକା ବ୍ୟାପକ ଅନ୍ତର୍ଜାତୀୟ ରଣନୀତିକ ସହଯୋଗିତା ଏବଂ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ସୁଦୃଢ଼ ନିମନ୍ତେ ଥିବା ସୁଯୋଗ ଉପରେ ସମୀକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଓ ଆମେରିକା ପରିବର୍ତ୍ତନର ଏକ ଦଶନ୍ଧି ମଧ୍ୟରେ ପ୍ରବେଶ କରିଛନ୍ତି, ଯାହା ପାରମ୍ପରିକ ଗଣତାନ୍ତ୍ରିକ ମୂଲ୍ୟବୋଧ, ପ୍ରଯୁକ୍ତି, ବାଣିଜ୍ୟ, ଉଭୟ ଦେଶର ଲୋକମାନଙ୍କ ଦକ୍ଷତା, ମନୋଭାବର ସଂରକ୍ଷଣ, ଏବଂ ସର୍ବୋପରି ବିଶ୍ୱାସର ସ୍ତମ୍ଭଗୁଡ଼ିକ ଉପରେ ପର୍ଯ୍ୟବସିତ । ଉଭୟ ନେତା ବିଭିନ୍ନ କ୍ଷେତ୍ରରେ ହେବାକୁ ଥିବା ଆଗାମୀ ଦ୍ୱିପାକ୍ଷିକ କଥାବାର୍ତ୍ତା ଯଥା ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ୨+୨ ମନ୍ତ୍ରୀସ୍ତରୀୟ ଆଲୋଚନାକୁ ସ୍ୱାଗତ ଜଣାଇଥିଲେ, ଯାହା କି ଭବିଷ୍ୟତ ପାଇଁ ଉଦ୍ଦିଷ୍ଟ ଅଗ୍ରାଧିକାରଗୁଡ଼ିକୁ ରେଖାଙ୍କିତ କରିବ ।

 

ଉଭୟ ନେତା କୋଭିଡ-୧୯ ସ୍ଥିତି ଓ ମହାମାରୀ ନିୟନ୍ତ୍ରଣ ପାଇଁ ଭାରତ-ଆମେରିକା ମଧ୍ୟରେ ଜାରି ରହିଥିବା ସହଯୋଗ ଉପରେ ଆଲୋଚନା କରିଥିଲେ । ଏହି ପ୍ରସଙ୍ଗରେ ରାଷ୍ଟ୍ରପତି ବାଇଡେନ ଭାରତର ଜାରି ରହିଥିବା ଟିକାକରଣ ଓ ବିଶ୍ୱରେ କୋଭିଡ ସହାୟତା ପହଞ୍ଚାଇବା ନିମିତ୍ତ ଦେଶର ଉଦ୍ୟମକୁ ପ୍ରଶଂସା କରିଥିଲେ ।

 

ଦ୍ୱିପାକ୍ଷିକ ବାଣିଜ୍ୟକୁ ଆହୁରି ବୃଦ୍ଧି କରିବା ନେଇ ଥିବା ବିପୁଳ ସୁଯୋଗକୁ ହୃଦୟଙ୍ଗମ କରି ଉଭୟ ନେତା ଚଳିତବର୍ଷ ଶେଷ ଭାଗରେ ପରବର୍ତ୍ତୀ ବାଣିଜ୍ୟ ନୀତି ଫୋରମ ଆୟୋଜନ ହେବା ନେଇ ସହମତ ହୋଇଥିଲେ, ଯାହାଦ୍ୱାରା ବାଣିଜି୍ୟକ ଲିଙ୍କେଜଗୁଡ଼ିକୁ ସମୃଦ୍ଧ ପାଇଁ ଉଦ୍ଦିଷ୍ଟ ପଦକ୍ଷେପକୁ ଚିହ୍ନଟ କରାଯାଇ ପାରିବ । ଭାରତ-ଆମେରିକା ଜଳବାୟୁ ଓ ସ୍ୱଚ୍ଛ ଶକ୍ତି ଏଜେଣ୍ଡା ୨୦୩୦ ସହଯୋଗିତା ଅଧୀନରେ, ସେମାନେ ସ୍ୱଚ୍ଛ ଶକ୍ତି ବିକାଶ ଓ ମହତ୍ତ୍ୱପୂର୍ଣ୍ଣ ପ୍ରଯୁକ୍ତି ବ୍ୟବହାରକୁ ତ୍ୱରାନ୍ୱିତ କରିବା ଲାଗି ସହମତି ଜଣାଇଥିଲେ । ଆମେରିକାରେ ବୃହତ ସଂଖ୍ୟକ ଭାରତୀୟ ବଂଶୋଦ୍ଭବ ବାସ କରୁଥିବା ଦର୍ଶାଇ ପ୍ରଧାନମନ୍ତ୍ରୀ ଉଭୟ ରାଷ୍ଟ୍ର ମଧ୍ୟରେ ଲୋକ-ଲୋକ ମଧ୍ୟରେ ସମ୍ପର୍କର ଗୁରୁତ୍ୱ ଏବଂ ଗତିଶୀଳତା ଓ ଉଚ୍ଚ ଶିକ୍ଷା ଲିଙ୍କେଜଗୁଡ଼ିକର ସମ୍ପ୍ରସାରଣକୁ ସୁଦୃଢ଼ କରିବାର ଆପୋସ ଫାଇଦା ବାବଦରେ ରେଖାଙ୍କିତ କରିଥିଲେ ।

 

ନେତାମାନେ ଆଫଗାନିସ୍ତାନ ସ୍ଥିତି ସମେତ ଦକ୍ଷିଣ ଏସିଆରେ ସଦ୍ୟ ଆଞ୍ଚଳିକ ଘଟଣାଗୁଡ଼ିକ ଉପରେ ମତ ବିନିମୟ କରିଥିଲେ, ଏବଂ ଅନ୍ତର୍ଜାତୀୟ ଆତଙ୍କବାଦର ମୁକାବିଲା ପାଇଁ ଉଭୟ ପରସ୍ପର ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ନିଜ ପ୍ରତିବଦ୍ଧତାକୁ ଦୋହରାଇଥିଲେ ଏବଂ ସୀମାପାର ଆତଙ୍କବାଦକୁ ଗଭୀର ନିନ୍ଦା କରିଥିଲେ । ସମସ୍ତ ଆଫଗାନ ନାଗରିକଙ୍କର ମାନବାଧିକାର ସୁରକ୍ଷା ବାବଦରେ ତାଲିବାନ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବା ସହ ଆଫଗାନିସ୍ତାନକୁ ଅବାଧିତ ମାନବୀୟ ସହାୟତାକୁ ଅନୁମତି ଦେବା ପାଇଁ ଉଭୟ ନେତା ତାଲିବାନକୁ ଆହ୍ୱାନ ଦେଇଥିଲେ । ଆଫଗାନ ଲୋକଙ୍କ ପାଇଁ ନିଜର ଦୀର୍ଘମିଆଦୀ ପ୍ରତିଶ୍ରୁତିବଦ୍ଧତା ଦେବା ସହ ଉଭୟ ନେତା ସମସ୍ତ ଆଫଗାନଙ୍କ ନିମନ୍ତେ ଏକ ସମ୍ମିଳିତ ଓ ଶାନ୍ତିପୂର୍ଣ୍ଣ ଭବିଷ୍ୟତ ଅଭିମୁଖେ ପରସ୍ପର ସହ ତଥା ଅନ୍ୟ ସହଯୋଗୀମାନଙ୍କ ସହିତ ଭାରତ ଓ ଆମେରିକା ନିଜ ସମନ୍ୱୟ ଜାରି ରଖିବେ ବୋଲି ସହମତ ହୋଇଥିଲେ ।

 

ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳ ବାବଦରେ ନେତାମାନେ ମତ ବିନିମୟ କରିଥିଲେ, ଏବଂ ଏକ ମୁକ୍ତ, ଉନ୍ମୁକ୍ତ ଏବଂ ସାମଗ୍ରିକ ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳ ନିମନ୍ତେ ସେମାନଙ୍କ ଆପୋସ ଦୃଷ୍ଟିକୋଣକୁ ପୁନଃ ସ୍ପଷ୍ଟ କରିଥିଲେ ।

 

ଅନ୍ତର୍ଜାତୀୟ ସଂଗଠନଗୁଡ଼ିକରେ ଭାରତ ଓ ଆମେରିକା ମିଳିତ ଭାବେ କାର୍ଯ୍ୟ ଜାରି ରଖିବେ ବୋଲି ସହମତ ହୋଇଥିଲେ । ଜଳବାୟୁ ପରିବର୍ତ୍ତନ ଓ ଆତଙ୍କବାଦ ଭଳି ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ରଣନୀତିକ ଦୃଷ୍ଟିକୋଣ ଓ ଆପୋସ ସ୍ୱାର୍ଥ ନେଇ ସମାଭିରୂପତା ବଜାୟ ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ ।

 

ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ବାଇଡେନ ଓ ଫାର୍ଷ୍ଟ ଲେଡି ଡ. ଜିଲ ବାଇଡେନଙ୍କୁ ଭାରତ ଆସିବା ପାଇଁ ଆମନ୍ତ୍ରଣ କରିଥିଲେ । ଉଭୟ ନେତା ସେମାନଙ୍କ ଉଚ୍ଚସ୍ତରୀୟ କଥାବାର୍ତ୍ତା ଜାରି ରଖିବା ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଏବଂ ସେମାନଙ୍କ ଅନ୍ତର୍ଜାତୀୟ ସହଯୋଗିତାକୁ ସମୃଦ୍ଧ କରିବାକୁ ସହମତି ପ୍ରକାଶ କରିଥିଲେ ।

 

SR