ମୋଟର ଯାନ (ସଂଶୋଧନ) ବିଲ 2016 କୁ କେନ୍ଦ୍ର କେବିନେଟର ମୋହର ବାଜିଛି । ବୁଧବାର (03.08.2016) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେବିନେଟ ବୈଠରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ଫଳରେ ଦେଶର ସଡ଼କଗୁଡିକୁ ଅଧିକ ନିରାପଦ କରାଯିବା ସହ ଦୁର୍ଘଟଣାରୁ ଲକ୍ଷଲକ୍ଷ ଲୋକଙ୍କ ଜୀବନ ରକ୍ଷା କରାଯାଇପାରିବ ।
ସଂଶୋଧିତ ମୋଟର ଯାନ ବିଲ ଆଇନ ଭାବେ କାର୍ଯ୍ୟକାରୀ ହେଲେ ଆଗାମୀ 5 ବର୍ଷ ଭିତରେ ଦେଶରେ ସଡ଼କ ଦୁର୍ଘଟଣାର ମାତ୍ରାରେ 50 ପ୍ରତିଶତ ହ୍ରାସ ଘଟିବାର ଲକ୍ଷ୍ୟ ରଖାଯାଇଛି । ପ୍ରତିବର୍ଷ ଦେଶରେ 5 ଲକ୍ଷ ସଡ଼କ ଦୁର୍ଘଟଣା ଘଟୁଥିବା ରିପୋର୍ଟ ମିଳୁଥିବାବେଳେ ଏଭଳି ଅନ୍ୟୁନ 1.5 ଲକ୍ଷ ଲୋକଙ୍କ ଜୀବନହାନି ଘଟୁଛି । ଏଭଳି କ୍ରମବର୍ଦ୍ଧିଷ୍ଣୁ ବିପଦର ମୁକାବିଲା ସକାଶେ କ୍ଷମତାକୁ ଆସିବା ପରେ ଏନଡିଏ ସରକାର ସଡ଼କ ପରିବହନ ଓ ନିରାପତ୍ତା ଚିଠା ବିଲ ପ୍ରସ୍ତୁତ କରିଥିଲେ । ତେବେ ଏଥିପ୍ରତି ଅଧିକାଂଶ ରାଜ୍ୟ ସେମାନଙ୍କ ଅନିଚ୍ଛା ପ୍ରକଟ କରିଥିଲେ । ତେଣୁ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ରାଜ୍ୟ ପରିବହନମନ୍ତ୍ରୀମାନଙ୍କୁ ନେଇ ଏକ ସଂଗୋଷ୍ଠୀ ଗଠନ କରି ଏକାଧିକ ବୈଠକରେ ମିଳିତ ହୋଇଥିଲେ । ରାଜସ୍ଥାନର ପରିବହନ ମନ୍ତ୍ରୀ ୟୁନୁସ ଖାଁଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ 18 ଟି ରାଜ୍ୟର ପରିବହନ ମନ୍ତ୍ରୀ ବିସ୍ତୃତ ଆଲୋଚନା କରି ସେମାନଙ୍କ ମଧ୍ୟବର୍ତ୍ତୀ ରିପୋର୍ଟ ପ୍ରଦାନ କରିଛନ୍ତି । ସଡ଼କ ଦୁର୍ଘଟଣା ବୃଦ୍ଧି ଓ ସଡ଼କ ନିରାପତ୍ତାକୁ ଦୃଷ୍ଟିରେ ରଖି ସରକାର ତୁରନ୍ତ ବର୍ତ୍ତମାନର ମୋଟର ଯାନ ଆଇନରେ ସଂଶୋଧନ ଆଣିବାକୁ ଚାହାନ୍ତି । କେନ୍ଦ୍ର କେବିନେଟ ଏହି ପରିପ୍ରେକ୍ଷୀରେ ବିଲଟିକୁ ମଞ୍ଜୁରି ପ୍ରଦାନ କରିଛନ୍ତି ।
ବର୍ତ୍ତମାନର ମୋଟର ଯାନ ଆଇନରେ ଥିବା 223 ଟି ଧାରା ମଧ୍ୟରୁ 68 ଟି ଧାରାକୁ ସଂଶୋଧନ କରାଯାଇଥିବା ବେଳେ ଅଧ୍ୟାୟ 10 କୁ ବାଦ୍ ଦିଆଯାଇଛି ଏବଂ ଅଧ୍ୟାୟ 11ରେ ନୂଆ ବ୍ୟବସ୍ଥାମାନ ସାମିଲ କରାଯାଇଛି । ଦୁର୍ଘଟଣା ଘଟାଇ ଦୁର୍ଘଟଣାକାରୀ ଫେରାର ହେବା ପରିସ୍ଥିତିରେ ପୀଡିତ ଓ ଦୁର୍ଗତଙ୍କୁ 25000 ଟଙ୍କା ପରିବର୍ତ୍ତେ 2 ଲକ୍ଷ ଟଙ୍କା କ୍ଷତି ପୂରଣ ପ୍ରଦାନ ବ୍ୟବସ୍ଥା ରହିଛି । ସେହିଭଳି ଦୁର୍ଘଟଣା କ୍ଷତିପୂରଣ ରାଶିକୁ 10 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ବିଲରେ 28ଟି ନୂଆ ଧାରା ଯୋଡାଯାଇଛି ଯେଉଁଥିରେ ମୁଖ୍ୟତଃ ସଡ଼କ ନିରାପତ୍ତା, ନାଗରିକଙ୍କ ପାଇଁ ସୁବିଧାସୁଯୋଗ ଆଦିର ବ୍ୟବସ୍ଥା ରହିଛି । ଏଥିରେ ଗ୍ରାମାଞ୍ଚଳ ପରିବହନ, ଅଟୋମେସନ ଏବଂ ଯାତ୍ରୀ ସୁବିଧା ପାଇଁ ପ୍ରାବଧାନ ରଖାଯାଇଛି ।
ସେହିପରି ବାଳ ଅପରାଧୀଙ୍କ ପାଇଁ ଏହି ବିଲରେ ନୂଆ ବ୍ୟବସ୍ଥା ରହିଛି । ନାବାଳକଙ୍କ କ୍ଷେତ୍ରରେ ଦୁର୍ଘଟଣା ଘଟାଇଲେ ସେମାନଙ୍କ ଅଭିଭାବକ/ଗାଡି ମାଲିକଙ୍କୁ ଦାୟୀ କରାଯିବ । ସେ କ୍ଷେତ୍ରରେ ମୋଟର ଯାନର ରେଜିଷ୍ଟ୍ରେସନ ରଦ୍ଦ କରିବାର ମଧ୍ୟ ବ୍ୟବସ୍ଥା ରହିଛି ।
ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ପାଇଁ ଏକ ଜାତୀୟ ଡ୍ରାଇଭିଂ ଲାଇସେନ୍ସ ରେଜିଷ୍ଟ୍ରାର ଗଠନ ପାଇଁ ବିଲରେ ପ୍ରସ୍ତାବ ରଖାଯାଇଛି । ଏହି ବିଲ୍ ଗୃହୀତ ହେଲେ ମୋଟର ଯାନ ଚଳାଚଳ ଅଧିକ ସୁରକ୍ଷିତ ଓ ସୁସଂଗଠିତ ହେବ ବୋଲି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ।