କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ ମିନି ରତ୍ନ ସଂସ୍ଥା ମେସର୍ସ HLL ଲାଇଫ କେୟାର ଲିମିଟେଡ ଚେନ୍ନାଇ ଉପକଣ୍ଠ ଚେଙ୍ଗାଲପାଟ୍ଟୁଠାରେ ଥିବା 330.10 ଏକର ଜମିକୁ ସବ-ଲିଜ୍ ଆକାରରେ ପ୍ରଦାନ କରିବା ପ୍ରସ୍ତାବକୁ କେନ୍ଦ୍ର କେବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ଜମିରେ ଏକ “ମେଡିପାର୍କ” (ମେଡିକାଲ ଡିଭାଇସ ଉତ୍ପାଦନ ପାର୍କ) ପ୍ରତିଷ୍ଠା କରାଯିବ । ଏହି ପ୍ରକଳ୍ପରେ HLL ର 50% ଅଂଶଧନ ରହିବ ।
HLL ମେଡିପାର୍କ ପ୍ରକଳ୍ପ ଦେଶରେ ପ୍ରଥମ ଥର ପାଇଁ ମେଡିକାଲ ଟେକ୍ନୋଲୋଜି ସେକ୍ଟରରେ କ୍ଲଷ୍ଟର ପ୍ରତିଷ୍ଠା କରିବ । ଏହାଦ୍ୱାରା ସ୍ୱଳ୍ପ ମୂଲ୍ୟରେ ଅତ୍ୟାଧୁନିକ ମେଡିକାଲ ଯନ୍ତ୍ରାଂଶ ସ୍ଥାନୀୟ ଭାବେ ଉତ୍ପାଦିତ ହେବ ଯଦ୍ଵାରା ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଏହା ଅଧିକ ସୁଲଭ ଓ ସହଜଲଭ୍ୟ କରାଇପାରିବ । ବିଶେଷ କରି ରୋଗ ନିଦାନ ଲାଗି ଉଦ୍ଦିଷ୍ଟ ଆଧୁନିକ ଉପକରଣମାନ ବହୁଳ ଭାବେ ଏହି ପ୍ରକଳ୍ପ ଜରିଆରେ ଉତ୍ପାଦନ ହେବ । ଏବେ ଦେଶରେ ମେଡିକାଲ ଯନ୍ତ୍ରାଂଶ ଓ ନିଦାନ ଉପରକଣ ଉତ୍ପାଦନ ପ୍ରାଥମିକ ଅବସ୍ଥାରେ ରହିଛି । ତେଣୁ ଏହି ପ୍ରକଳ୍ପ ଦେଶର ଚିକିତ୍ସା କ୍ଷେତ୍ରକୁ ସହାୟକ ହେବାସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ସରକାରଙ୍କ “ମେକ ଇନ ଇଣ୍ଡିଆ” ଅଭିଯାନକୁ ପ୍ରୋତ୍ସାହନ ଯୋଗାଇବ ।
ଆଗାମୀ ସାତ ବର୍ଷ ମଧ୍ୟରେ ପର୍ଯ୍ୟାୟ କ୍ରମେ ଏହି ମେଡିପାର୍କର ବିକାଶ ଘଟାଯିବ । ପ୍ରଥମ ପର୍ଯ୍ୟାୟରେ ଏହି ସଂସ୍ଥା ଲାଗି ସୌଧନିର୍ମାଣ କରାଯିବ ଓ ତୃତୀୟ ବର୍ଷ ଠାରୁ ପ୍ଲଟକୁ ଲିଜ୍ ଆକାରରେ ଯୋଗାଇ ଦିଆଯିବ । ଦ୍ୱିତୀୟ ପର୍ଯ୍ୟାୟରେ ନଲେଜ ମ୍ୟାନଜମେଣ୍ଟ ସେଣ୍ଟରର ବିକାଶ ଘଟାଯିବ ଏବଂ ଏହି ପର୍ଯ୍ୟାୟରେ ଯେଉଁ ବିଭାଗଗୁଡିକ ଅନୁରୂପ ଉଦ୍ୟମରେ ନିୟୋଜିତ ସେମାନଙ୍କୁ ଗ୍ରାଣ୍ଟ ଏବଂ ଆର୍ଥିକ ସହାୟତା ଯୋଗାଇଦେବ । ନିବେଶକମାନଙ୍କୁ HLL ସବଲିଜ୍ ଆକାରରେ ପ୍ଲଟ ଆବଣ୍ଟନ କରିବ । ମେଡିପାର୍କ ପ୍ରକଳ୍ପ ଦେଶର ଚିକିତ୍ସା ସେବା କ୍ଷେତ୍ରରେ ଲୋକମାନଙ୍କୁ ଗୁଣାତ୍ମକ ସେବା ପ୍ରଦାନ ଦିଗରେ ସହାୟକ ହେବ ଓ ଏହାଦ୍ୱାରା ମେଡିକାଲ ଯନ୍ତ୍ରାଂଶ ଓ ଉପକରଣ ଲାଗି ବିଦେଶରୁ ଆମଦାନି କରାଯାଉଥିବା ଏହିସବୁ ଉପକରଣ ନିର୍ଭରଶୀଳତାକୁ ହ୍ରାସ କରିବ ।