ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ବିଭିନ୍ନ ଅଞ୍ଚଳର 20ରୁ ଊର୍ଦ୍ଧ୍ଵ ମୁଦ୍ରିତ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ମତ ବିନିମୟ କରିଛନ୍ତି । ଏହି ମତ ବିନିମୟ କାର୍ଯ୍ୟକ୍ରମରେ ଦେଶର 14ଟି ସ୍ଥାନରୁ ଉଭୟ ଜାତୀୟ ଓ ଆଞ୍ଚଳିକ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ । ଓଡିଶାରୁ ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ଧରିତ୍ରୀର ସମ୍ପାଦକ ତଥାଗତ ଶତପଥୀ ଓ ସମାଜର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି ଅଂଶଗ୍ରହଣ କରିଥିଲେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶର କୋଣଅନୁକୋଣରେ ଗୁରୁତ୍ଵପୂର୍ଣ୍ଣ ସୂଚନା ପହଞ୍ଚାଇବାରେ ଗଣମାଧ୍ୟମ ପ୍ରଶଂସା ଯୋଗ୍ୟ ଭୂମିକା ତୁଲାଉଛି । ସେ କହିଥିଲେ ଦେଶର ସମସ୍ତ ସହର ଓ ଗ୍ରାମାଞ୍ଚଳରେ ଗଣମାଧ୍ୟମର ପହଞ୍ଚ ରହିଛି । ଏଥିପାଇଁ କରୋନା ସଂକ୍ରମଣ ରୋକିବା ନେଇ ତୃଣମୂଳ ସ୍ତରର ଲୋକଙ୍କ ପାଖରେ ସଠିକ ସୂଚନା ପହଞ୍ଚାଇବା ଓ ଜନସଚେତନତା ସୃଷ୍ଟି କରିବାରେ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଖବର କାଗଜଗୁଡିକ ସୂଚନା ପ୍ରସାରଣର ନିର୍ଭରଯୋଗ୍ୟ ମାଧ୍ୟମ । ଆଞ୍ଚଳିକ ଖବର କାଗଜଗୁଡ଼ିକୁ ତୃଣମୂଳ ସ୍ତରରେ ଅନେକ ଲୋକ ପଢିଥାନ୍ତି । କରୋନା ସଂକ୍ରମଣ ରୋକିବା ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯେପରିକି, କେଉଁଠାରେ ଭୂତାଣୁ ସଂକ୍ରମିତଙ୍କ ପରୀକ୍ଷା କରାଯିବ, କାହାକୁ ପରୀକ୍ଷା କରାଯିବ, ପରୀକ୍ଷା ପାଇଁ କାହାକୁ ଯୋଗାଯୋଗ କରାଯିବ ଏବଂ ଗୃହ ସଙ୍ଗରୋଧର ନିୟମାବଳୀ ଆଦି ସମ୍ପର୍କରେ ସାଧାରଣ ଲୋକ ଜାଣିବା ଦରକାର । ଏହିସବୁ ସୂଚନା ଖବର କାଗଜରେ ଏବଂ ୱେବ ପୋର୍ଟାଲରେ ପ୍ରସାରିତ ହେବା ଆବଶ୍ୟକ । ସେ କହିଥିଲେ, ବନ୍ଦ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧତା ନେଇ ଖବର ଆଞ୍ଚଳିକ ପୃଷ୍ଠାରେ ସ୍ଥାନ ପାଇବା ଉଚିତ । ସରକାର ଓ ଜନତାଙ୍କ ମଧ୍ୟରେ ଏକ ଯୋଗାଯୋଗର ମାଧ୍ୟମ ସାଜି ଉଭୟ ଜାତୀୟ ଓ ଆଞ୍ଚଳିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା ସରକାରଙ୍କ ସହ ବାଣ୍ଟିବା ପାଇଁ ପ୍ରଧାନମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ପରାମର୍ଶ ଦେଇଥିଲେ । ଭୂତାଣୁ ସଂକ୍ରମଣ ରୋକିବା, ସାମାଜିକ ଦୂରତ୍ଵର ଭୂମିକା ଏବଂ ବିଭିନ୍ନ ରାଜ୍ୟମାନେ ଘୋଷଣା କରିଥିବା ବନ୍ଦ ସମ୍ପର୍କିତ ମାର୍ଗଦର୍ଶିକା ଉପରେ ସଚେତନତା ସୃଷ୍ଟି କରିବା ଲାଗି ପ୍ରଧାନମନ୍ତ୍ରୀ କହିଥିଲେ । ମିଥ୍ୟା ଓ ନକାରାତ୍ମକବାଦୀ ସୂଚନା ପ୍ରସାରଣଠାରୁ ଦୂରେଇ ରହିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ଵାରୋପ କରିଥିଲେ । କୋଭିଡ-19 ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ଏ ଦିଗରେ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସେ କହିଥିଲେ । ଭୂତାଣୁ ସଂକ୍ରମଣ ରୋକିବା ଅଭିଯାନର ସଫଳ ନେତୃତ୍ଵ ନେଇଥିବାରୁ ଏବଂ ଦେଶବାସୀଙ୍କ ସହ ପ୍ରଭାବୀ ଢଙ୍ଗରେ ବାର୍ତ୍ତାଳାପ ଓ ଯୋଗାଯୋଗ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶଂସା କରିଥିଲେ । ସେମାନେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ ପ୍ରେରଣାଦାୟୀ ଓ ସକାରାତ୍ମକ ଖବର ପରିବେଷଣ କରିବେ ବୋଲି କହିଥିଲେ । ମୁଦ୍ରିତ ଗଣମାଧ୍ୟମର ପ୍ରତିଶ୍ରୁତିବଦ୍ଧତା ଉପରେ ଆସ୍ଥା ପ୍ରକଟ କରିଥିବାରୁ ପ୍ରତିନିଧିମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଏହି ମତ ବିନିମୟ କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଉପସ୍ଥିତ ଥିଲେ ।
*****
Earlier today, interacted with those associated with the print media. We discussed many subjects relating to fighting the COVID-19 menace and the role media can play in times such as this. https://t.co/XKqEWrxYOp
— Narendra Modi (@narendramodi) March 24, 2020