Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମିଳିତ ଜାତିସଂଘ ସାଧାରଣ ପରିଷଦର ୭୬ତମ ଅଧିବେଶନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଦାନ କରିଥିବା ଅଭିଭାଷଣ

ମିଳିତ ଜାତିସଂଘ ସାଧାରଣ ପରିଷଦର ୭୬ତମ  ଅଧିବେଶନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଦାନ କରିଥିବା ଅଭିଭାଷଣ


ନମସ୍କାର ସାଥୀଗଣ,

ମହାନୁଭବ ଅବଦୁଲ୍ଲା ଶାହିଦଜୀ, ଆପଣଙ୍କୁ ଏହି ଅଧିବେଶନର ଅଧ୍ୟକ୍ଷ ପଦ ନିର୍ବାହନ କରୁଥିବାରୁ ହାର୍ଦ୍ଦିକ ବଧେଇ ।

ଆପଣଙ୍କ ଅଧ୍ୟକ୍ଷ ପଦ ମଣ୍ଡନ କରିବା, ସମସ୍ତ ବିକାଶଶୀଳ ରାଷ୍ଟ୍ର ଏବଂ ବିଶେଷ କରି ବିକାଶଶୀଳ କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ରମାନଙ୍କ ନିମନ୍ତେ ଖୁବ୍ ଗୌରବର କଥା ।

ଅଧ୍ୟକ୍ଷ ମହୋଦୟ,

ବିଗତ ଦେଢ଼ବର୍ଷରେ ସମଗ୍ର ବିଶ୍ୱ, ୧୦୦ ବର୍ଷ ଭିତରେ ଆସିଥିବା ସବୁଠାରୁ ବଡ଼ ମହାମାରୀର ସାମ୍ନା କରିଆସୁଛି । ଏଭଳି ଭୟଙ୍କର ମହାମାରୀରେ ଜୀବନ ହରାଇଥିବା ସମସ୍ତ ଲୋକଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି ଏବଂ ସେମାନଙ୍କର ପରିବାରମାନଙ୍କ ପ୍ରତି

ନିଜର ସମ୍ବେଦନା ବ୍ୟକ୍ତ କରୁଛି ।

ଅଧ୍ୟକ୍ଷ ମହୋଦୟ,

ମୁଁ ଏହଭଳି ଏକ ଦେଶର ପ୍ରତିନିଧିତ୍ୱ କରୁଛି ଯାହା ଗଣତନ୍ତ୍ରର ମାତା ଭାବେ ଗୌରବର ଅଧିକାରୀ ହୋଇଛି । ଲୋକତନ୍ତ୍ରର ଆମର ହଜାର ହଜାର ବର୍ଷର ମହାନ୍ ପରମ୍ପରା ରହିଛି । ଏହି ୧୫ ଅଗଷ୍ଟକୁ ଭାରତ ନିଜର ସ୍ୱାଧୀନତାର ୭୫ତବ ବର୍ଷରେ ପ୍ରବେଶ କରିଛି ।  ଆମର ବିବିଧତା, ଆମର ସଶକ୍ତ ଲୋକତନ୍ତ୍ରର ପରିଚୟ ।

ଭାରତ ଏଭଳି ଏକ ରାଷ୍ଟ୍ର ଯେଉଁଠାରେ ଡ଼ଜନ ଡ଼ଜନ ଭାଷା, ଏବଂ ଶହ ଶହ କଥିତ ଭାଷା ରହିଛି । ଭିନ୍ନ ଭିନ୍ନ ଜୀବନଶୈଳୀ, ଖାଦ୍ୟପେୟ ରହିଛି । ଏହା ହେଉଛି ଏକ ସ୍ପନ୍ଦିତ ଗଣତନ୍ତ୍ରର ସର୍ବୋତ୍ତମ ଉଦାହରଣ ।

ଏହା ଭାରତୀୟ ଗଣତନ୍ତ୍ରର ଶକ୍ତି ଯେ ଜଣେ ଛୋଟ ଶିଶୁ ଯିଏ କେବେ ଗୋଟିଏ ରେଳ ଷ୍ଟେସନରେ, ଚା- ଦୋକାନ କରି ନିଜର ପିତାଙ୍କୁ ସାହାଯ୍ୟ କରୁଥିଲା, ସିଏ ଆଜି ଚତୁର୍ଥ ଥର, ଭାରତର ପ୍ରଧାନମନ୍ତ୍ରୀ ଭାବେ ମିଳିତ ଜାତିସଂଘ ସାଧାରଣ ପରିଷଦକୁ ସମ୍ବୋଧିତ କରୁଛି ।

ସବୁଠାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ପୁଣି ଗତ ସାତ ବର୍ଷ ଧରି ଭାରତର ପ୍ରଧାନମନ୍ତ୍ରୀ ଭାବେ ମୋତେ ସରକାରଙ୍କ ମୁଖ୍ୟ ଭାବେ ଦାୟିତ୍ୱ ନିର୍ବାହ କରିବା ସହିତ ଦେଶବାସୀଙ୍କ ସେବା କରିବାର ୨୦ ବର୍ଷ ପୂର୍ଣ୍ଣ ହେବାକୁ ଯାଉଛି ।

ଏବଂ ମୁଁ ନିଜର ଅନୁଭବରୁ ଏକଥା କହୁଛି-

ହଁ, ଗଣତନ୍ତ୍ର ଫଳପ୍ରସୁ ।

ହଁ, ଗଣତନ୍ତ୍ର ସୁଫଳ ପ୍ରଦାନ କରିଛି ।

ଅଧ୍ୟକ୍ଷ ମହୋଦୟ,

ଏକାତ୍ମ ମାନବଦର୍ଶନର ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଜୀଙ୍କର ଆଜି ହେଉଛି ଜନ୍ମଜୟନ୍ତୀ । ଏକାତ୍ମ ମାନବଦର୍ଶନ ଅର୍ଥାତ୍ ଇଣ୍ଟିଗ୍ରାଲ୍ ହ୍ୟୁମାନିଜିମ୍ । ଅର୍ଥାତ୍‌, ସ୍ୱ ଠାରୁ ସମଷ୍ଟି ଏକ, ବିକାଶ ଏବଂ ବିସ୍ତାରଣର ସହଯାତ୍ରା ।

ଆତ୍ମ ବିସ୍ତାରଣ, ବ୍ୟକ୍ତି ଠାରୁ ସମାଜ ପର୍ଯ୍ୟନ୍ତ ଯାତ୍ରା, ରାଷ୍ଟ୍ର ଏବଂ ସମଗ୍ର ମାନବଜାତି ଏବଂ ଏହି ଚିନ୍ତନ ଅନ୍ତ୍ୟୋଦୟକୁ ସମର୍ପିତ । ଅନ୍ତ୍ୟୋଦୟକୁ ଆଜି ପରିଭାଷାରେ- ଯେଉଁଠାରେ କୌଣସି ଜଣେ ହେଲେ ସୁଦ୍ଧା ବାଦ ପଡ଼ନ୍ତିନାହିଁ ବୋଲି କୁହାଯାଉଛି ।

ଏହି ଭାବନାର ସହିତ, ଭାରତ ଆଜି ସମନ୍ୱିତ ଭାବେ, ସମାନ ମାତ୍ରାର ବିକାଶ ପଥରେ ଆଗକୁ ବଢ଼ିଚାଲିଛି । ବିକାଶ, ସର୍ବସମାବେଶୀ ହେଉ, ସର୍ବସ୍ପର୍ଶୀ ହେଉ, ସର୍ବବ୍ୟାପୀ ହେଉ, ସର୍ବ ପୋଷକ ହେଉ, ଏହି ଆମର ପ୍ରାଥମିକତା ।

ବିଗତ ସାତ ବର୍ଷ ଭିତରେ ୪୩ କୋଟିରୁ ଅଧିକ ଲୋକଙ୍କୁ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହିତ ଭାରତରେ ଯୋଡ଼ାଯାଇଛି ଯେଉଁମାନେ କି ଆଜି ପର୍ଯ୍ୟନ୍ତ ସେହି ସୁବିଧାରୁ ବଞ୍ଚିତ ରହିଆସିଥିଲେ ।  ଆଜି ୩୬ କୋଟିରୁ ଅଧିକ ଏଭଳି ଲୋକଙ୍କୁ ବୀମା ସୁରକ୍ଷା କବଚ ବିଳିଛି ଯେଉଁମାନେ ପୂର୍ବରୁ  ଏ ସଂପର୍କରେ ଚିନ୍ତା ସୁଦ୍ଧା କରିପାରୁନଥିଲେ ।

୫୦ କୋଟିରୁ ଅଧିକ ଲୋକଙ୍କ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦେଇ ଭାରତ ସେମାନଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ସହିତ ଯୋଡ଼ିପାରିଛି । ଭାରତ ୩ କୋଟି ପକ୍କା ଘର ନିର୍ମାଣ କରି, ବାସହୀନ ଅର୍ଥାତ୍ ହୋମ୍‌ଲେସ୍ ପରିବାରଙ୍କୁ ଏବେ ଗୃହମାଲିକରେ ପରିଣତ କରିଛି ।

ଅଧ୍ୟକ୍ଷ ମହୋଦୟ,

ପ୍ରଦୂଷିତ ପାଣି, କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ଏବଂ ବିଶେଶ କରି ଦରିତ୍ର ଓ ବିକାଶଶୀଳ ରାଷ୍ଟ୍ରମାନଙ୍କ ନିମନ୍ତେ ବହୁତ ବଡ଼ ସମସ୍ୟା ରୂପେ ଉଭା ହୋଇଛି । ଭାରତଏହି ଚାଲେଞ୍ଜକୁ ମୁକାବିଲା କରି ସେଥିରୁ ମୁକ୍ତି ପାଇବା ସକାଶେ ଆମେ ୧୭ କୋଟିରୁ ଅଧିକ ଘର ପର୍ଯ୍ୟନ୍ତ ପାଇପ ଯୋଗେ ସ୍ୱଚ୍ଛ ଜଳ ପହଞ୍ଚାଇବା ଦିଗରେ ବହୁତ ବଡ଼ ଅଭିଯାନ ଜାରି ରଖିଛୁ ।

ବିଶ୍ୱର ବହୁତ ବଡ଼ ବଡ଼ ସଂସ୍ଥାମାନେ ଏକଥା ସ୍ୱୀକାର କରିଛନ୍ତି ଯେ ଯେକୌଣସି ରାଷ୍ଟ୍ରର ବିକାଶ ନିମନ୍ତେ ସେଠାରେ ବସବାସ କରୁଥିବା ନାଗରିକମାନଙ୍କ ନିକଟରେ ଭୂମି ଏବଂ ଘରର ସ୍ୱତ୍ତ୍ୱାଧିକାର ଅର୍ଥାତ୍ ଓନରସିପ୍‌ର ରେକର୍ଡ ଥିବା ଆବଶ୍ୟକ । ବିଶ୍ୱର ବଡ଼ ବଡ଼ ରାଷ୍ଟ୍ରରେ ବହୁତ ସଂଖ୍ୟାରେ ଏଭଳି ଲୋକ ଅଛନ୍ତି ଯେଉଁମାନଙ୍କ ନିକଟରେ ନା ଅଛି ଜମି ନା ଅଛି ନିଜ ଘରର ସମ୍ପତ୍ତି ଦଲିଲର ଅଧିକାର ।

ଆଜି ଆମେ ଭାରତରେ ୬ ଲକ୍ଷରୁ ଅଧିକ ଗ୍ରାମରେ ଡ୍ରୋନ୍ ଦ୍ୱାରା ମ୍ୟାପିଂ କାର୍ଯ୍ୟ କରାଇ, କୋଟି କୋଟି ଲୋକଙ୍କୁ ସେମାନଙ୍କର ଘର ଓ ଜମିର ଡିଜିଟାଲ ରେକର୍ଡ଼ ଦେବା କାର୍ଯ୍ୟରେ ନିୟୋଜିତ ରହିଛୁ ।

ଏହି ଡିଜିଟାଲ ରେକର୍ଡ, ସମ୍ପତ୍ତି ଉପରେ ହେଉଥିôବା ବିବାଦକୁ କମ୍ କରିବା ସହିତ, ସେମାନଙ୍କୁ ଆର୍ଥିକ ଅନୁଷ୍ଠାନମାନଙ୍କରୁ ଋଣ ନେବା କାର୍ଯ୍ୟରେ ସହାୟକ ହେବ- ଅର୍ଥାତ୍ ବ୍ୟାଙ୍କ ଲୋନ ପର୍ଯ୍ୟନ୍ତ ଲୋକଙ୍କ ପହଞ୍ଚ ବଢ଼ିବ ।

ଅଧ୍ୟକ୍ଷ ମହୋଦୟ,

ଆଜି ବିଶ୍ୱରେ ପ୍ରତି ଛଅଜଣରେ ଜଣେ ବ୍ୟକ୍ତି ହେଉଛନ୍ତି ଭାରତୀୟ । ଯେତେବେଳେ ଭାରତୀୟ ଲୋକମାନଙ୍କର ପ୍ରଗତି ହେଉଛି ସେତେବେଳେ ବିଶ୍ୱର ମଧ୍ୟ ବିକାଶ ହେଉଛି । ବିଶ୍ୱର ବିକାଶକୁ ମଧ୍ୟ ଗତି ପ୍ରାପ୍ତ ହେଉଛି ।

ଯେତେବେଳେ ଭାରତରେ ବିକାଶ ଘଟୁଛି, ବିଶ୍ୱ ବିକଶିତ ହେଉଛି । ଯେତେବେଳେ ଭାରତରେ ସଂସ୍କାର ଆସୁଛି, ସେତେବେଳେ ଦୁନିଆ ବଦଳୁଛି ।

ଭାରତରେ ହେଉଥିବା ବିଜ୍ଞାନ ଓ ପ୍ରଯୁକ୍ତି ଆଧାରିତ ନବସୃଜନ ବିଶ୍ୱକୁ ଢ଼େର୍ ମାତ୍ରାରେ ସହାୟକ ହେଉଛି । ଆମର ପ୍ରଯୁକ୍ତିଗତ ସମାଧାନ ପନ୍ଥାର ସ୍କେଲ୍ ଏବଂ ଏହାର ସୁଲଭ ମୂଲ୍ୟ ଉଭୟ ଅତୁଳନୀୟ ।

ଆମର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍‌- ୟୁପିଆଇ ଦ୍ୱାରା ଆଜି ଭାରତରେ ପ୍ରତି ମାସରେ ୩୫୦ କୋଟିରୁ ଅଧିକ କାରବାର ହେଉଛି । ଭାରତର ଟିକା ଡେଲୀଭରୀ ପ୍ଲାଟଫର୍ମ କୋ- ୱିନ୍‌, ଗୋଟିଏ ଦିନରେ କୋଟି କୋଟି ଟିକା ଡୋଜନ୍ ଲଗାଇବା ସକାଶେ ଡିଜିଟାଲ ସପୋର୍ଟ ପ୍ରଦାନ କରୁଛି ।

ଅଧ୍ୟକ୍ଷ ମହୋଦୟ,

ସେବା ପରମୋ ଧର୍ମଃ

ସେବା ପରମୋ ଧର୍ମଃ ଭାବନାରେ ଜୀବନ ବଞ୍ଚୁଥିବା ଭାରତ, ସୀମିତ ସଂସାଧନ ସତ୍ତ୍ୱେ ଟିକାକରଣର ବିକାଶ ଏବଂ ଉତ୍ପାଦନରେ ନିଜର ମନପ୍ର୍ରାଣ ଲଗାଇ କାର୍ଯ୍ୟ କରୁଛି ।

ମୁଁ ମିଳିତ ଜାତିସଂଘ ସାଧାରଣ ପରିଷଦକୁ ଏହି ସୂଚନା ଦେବାକୁ ଚାହେଁ ଯେ ଭାରତ ବିଶ୍ୱର, ବିଶ୍ୱର ପ୍ରଥମ ଡିଏନଏ ଟିକାର ବିକାଶ ଘଟାଇ ସାରିଛି ଯାହାକୁ ୧୨ ବର୍ଷରୁ ଉର୍ଦ୍ଧ୍ୱ ଆୟୁର ସମସ୍ତ ଶିଶୁମାନଙ୍କୁ ଦିଆଯାଇପାରିବ ।

ଅନ୍ୟ ପଟେ ଏମ- ଆରଏନଏ ଟିକା ବିକାଶର ଆମେ ଶେଷ ଚରଣରେ ପହଂଚି ସାରିଛି । ଭାରତର ବୈଜ୍ଞାନିକମାନେ କରୋନାର ଏକ ନାସିକା ଡୋଜ୍ ମଧ୍ୟ ବିକାଶ ଘଟାଇବାରେ ନିୟୋଜିତ ଅଛନ୍ତି । ମାନବସମାଜ ପ୍ରତି ନିଜର ଦାୟିତ୍ୱକୁ ହୃଦୟଙ୍ଗମ କରି ଭାରତ ପୁଣି ଥରେ ବିଶ୍ୱର ଅତ୍ୟାବଶ୍ୟକ ଥିବା ରାଷ୍ଟ୍ରମାନଙ୍କୁ ଟିକା ଯୋଗାଣ ଆରମ୍ଭ କରିଛି ।

ଉୁଁ ମୁଁ ଆଜି ବିଶ୍ୱବ୍ୟାପୀ ଟିକା ଉତ୍ପାଦନକାରୀ କମ୍ପାନୀମାନଙ୍କୁ ଆମନ୍ତ୍ରିତକ କରୁଛି-

ଆଗେଇ ଆସ, ଭାରତରେ ଟିକା ଉତ୍ପାଦନ କର ।

ଅଧ୍ୟକ୍ଷ ମହୋଦୟ,

ଆଜି ଆମେ ସମସ୍ତେ ଅବଗତ ଅଛେ ଯେ ମାନବ ଜୀବନରେ ପ୍ରଯୁକ୍ତିର କେତେବଡ଼ ଯୋଗଦାନ ରହିଛି ଓ ତାହା କେତେ ମହତ୍ତ୍ୱ ବହନ କରେ । କିନ୍ତୁ ପରିବର୍ତ୍ତିତ ବିଶ୍ୱରେ, ପ୍ରଯୁକ୍ତି ସହିତ ଗଣତାନ୍ତ୍ରିକ ମୂଲ୍ୟବୋଧ, ଏହା ସୁନିଶ୍ଚିତ କରିବା ମଧ୍ୟ ଆବଶ୍ୟକ ।

ଭାରତୀୟ ବଂଶୋଦ୍ଭବ ଡ଼ାକ୍ତର, ଇନୋଭେଟର, ଇଞ୍ଜିନିୟର, ମ୍ୟାନେଜର, ବିଶ୍ୱର ଯେକୌଣସି ରାଷ୍ଟ୍ରରେ ବସବାସ କରୁଥାନ୍ତୁ ନା କାହିଁକି, ଆମର ଲୋକତାନ୍ତ୍ରିକ ମୂଲ୍ୟ, ସେମାନଙ୍କୁ ମାନବ ସବାଜର ସେବାରେ ନିଜକୁ ନିୟୋଜିତ ରଖିବାର ପ୍ରେରଣା ଯୋଗାଇ ଆସୁଛି । ଏବଂ ଏହା ମଧ୍ୟ ଆମେ କରୋନା ମହାମାରୀ ସମୟରେ ଦେଖିଛୁ ।

ଅଧ୍ୟକ୍ଷ ମହୋଦୟ,

କରୋନା ମହାମାରୀ ବିଶ୍ୱୁ ଏହି ମହାଶିକ୍ଷା ମଧ୍ୟ ଦେଇଛି ଯେ ବୈଶ୍ୱିକ ଅର୍ଥବ୍ୟବସ୍ଥାକୁ ଏବେ ଆହୁରି ଅଧିକ ବ୍ୟାପକ କରାଯିବା ଆବଶ୍ୟକ । ଏଥିପାଇଁ ବୈଶ୍ୱିକ ଭାଲ୍ୟୁ ଚେନ୍‌ର ବିସ୍ତାର ମଧ୍ୟ କରାଯିବା ଜରୁରି ।

ଆମର ଆତ୍ମନିର୍ଭର ଭାରତ ଅଭିଯାନ ଏହି ଭାବନା ଦ୍ୱାରା ପ୍ରଭାବିତ । ବୈଶ୍ୱିକ ଶିଳ୍ପ ବିବିଧିକରଣ ଓ ସମ୍ପ୍ରସାରଣ ନିମନ୍ତେ ଭାରତ, ବିଶ୍ୱର ଏକ ଲୋକତାନ୍ତ୍ରିକ ଏବଂ ନିର୍ଭରଯୋଗ୍ୟ ଅଂଶୀଦାର ଭାବେ ମୁଣ୍ଡ ଟେକିଛି ।

ଆହୁରି ମଧ୍ୟ ଏହି ଅଭିଯାନରେ ଭାରତର ଅର୍ଥବ୍ୟବସ୍ଥା ଏବଂ ବାତାବରଣ ଉଭୟ ଉତ୍ତମ ସନ୍ତୁଳନ ସ୍ଥାପନ କରିଛି । ବଡ଼ ବଡ଼ ବିକଶିତ ରାଷ୍ଟ୍ରମାନଙ୍କ ତୁଳନାରେ, ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ କାର୍ଯ୍ୟାନୁଷ୍ଠାନ ଠାରୁ ନେଇ ଭାରତର ପ୍ରୟାସକୁ ଦେଖି ଆପଣମାନେ ସମସ୍ତେ ନିଶ୍ଚିତ ଗର୍ବ ଅନୁଭବ କରିବେ । ଆଜି ଭାରତ, ବେଶ୍ ଦ୍ରୁତଗତିରେ ୪୫୦ ଗିଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ଦିଗରେ ଆଗକୁ ବଢ଼ି ଚାଲିଛି । ଆମେ ଭାରତକୁ ବିଶ୍ୱର ସବୁଠାରୁ ବଡ଼ ଗ୍ରୀନ୍ ହାଇଡ୍ରୋଜେନ୍ ହବ୍ ଭାବେ ପ୍ରତିଷ୍ଠା କରିବା ଅଭିଯାନରେ ଏବେ ନିୟୋଜିତ ରହିଛୁ

 ଅଧ୍ୟକ୍ଷ ମହୋଦୟ,

ଆମେ ନିଜର ଆଗାମୀ ପିଢ଼ିଙ୍କ ନିକଟରେ ମଧ୍ୟ ଉତ୍ତରଦାୟୀ ଯେ ଯେତେବେଳେ ନିଷ୍ପତ୍ତି ଗ୍ରହଣ କରିବାର ଅବସର ଥିଲା, ସେତେବେଳେ ଯାହାଙ୍କ ଉପରେ ବିଶ୍ୱକୁ ଦିଶା ନିର୍ଦ୍ଦେଶ କରିବାର ଦାୟିତ୍ୱ ଥିଲା, ସେମାନେ କଣ କରୁଥିଲେ? ଆଜି ବିଶ୍ୱ ସମ୍ମୁଖରେ ରିଗ୍ରେସିଭ୍ ଥିଙ୍କିଙ୍ଗ୍ ଏବଂ ଅତିବାଦର ବିପଦ ବୃଦ୍ଧି ପାଇବାରେ ଲାଗିଛି ।

ଏଭଳି ପରିସ୍ଥତିରେ, ସମଗ୍ର ବିଶ୍ୱକୁ ବିଜ୍ଞାନ ଭିତ୍ତିକ, ସୁଚିନ୍ତିତ ଏବଂ ପ୍ରଗତିଶୀଳ ଚିନ୍ତାଧାରାର ସହିତ ବିକାଶର ଆଧାର ସୃଷ୍ଟି କରିବା ଜରୁରି ।

ବିଜ୍ଞାନ ଆଧାରିତ କାର୍ଯ୍ୟପନ୍ଥାକୁ ମଜଭୁତ କରିବା ନିମନ୍ତେ ଭାରତ, ଅଭିଜ୍ଞତା ଭିତ୍ତିକ ଶିକ୍ଷାକୁ ପ୍ରୋତ୍ସାହନ ଦେଉଛି । ଆମର ଏଠାରେ, ସ୍କୁଲମାନଙ୍କରେ ହଜାର ହଜାର ଅଟଳ ଟିଙ୍କରିଂ ଲାବ୍ ଖୋଲାଯାଇଛି, ଇନକୁବେଟର୍ସ ନିର୍ମାଣ କରାଯାଇଛି ଏବଂ ଏକ ମଜଭୁତ ଷ୍ଟାର୍ଟ ଅପ୍ ଇକୋସିଷ୍ଟମର ବିକାଶ ଘଟାଯାଉଛି ।

ଆମର ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ, ଭାରତ ୭୫ଟି ଏଭଳି ଉପଗ୍ରହ ମହାକାଶକୁ ଉତ୍‌କ୍ଷେପଣ କରିବାକୁ ଯାଉଛି ଯାହା ଭାରତୀୟ ବିଦ୍ୟାର୍ଥୀମାନେ ସ୍କୁଲ କଲେଜରେ ନିର୍ମାଣ କରିଛନ୍ତି ।

ଅଧ୍ୟକ୍ଷଜୀ,

ଅପରପକ୍ଷେ, ରିଗ୍ରେସିଭ୍ ଥିଙ୍କିଙ୍ଗ୍ ସହିତ, ଯେଉଁ ରାଷ୍ଟ୍ର ଆତଙ୍କବାଦକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି, ସେମାନଙ୍କୁ ଏକଥା ହୃଦୟଙ୍ଗମ କରିବାକୁ ପଡ଼ିବ ଯେ ଆତଙ୍କବାଦ ସେମାନଙ୍କ ନିମନ୍ତେ ସେତିକି ବଡ଼ ବିପଦ ମଧ୍ୟ । ଏହା ସୁନିଶ୍ଚିତ କରାଯିବା ବହୁତ ଜରୁରି ଯେ ଆଫଗାନିସ୍ତାନ ଭୂମିକୁ ବ୍ୟବହାର କରି ଆତଙ୍କବାଦକୁ ପ୍ରସାରିତ ଏବଂ ଆତଙ୍କବାଦୀ ଆକ୍ରମଣ ନିମନ୍ତେ ଉପଯୋଗ କରାନଯିବା ଉଚିତ ।

ଆମକୁ ଏକଥା ଲାଗି ମଧ୍ୟ ସତର୍କ ରହିବାକୁ ପଡ଼ିବ ଯେ ସେଠାରେ ଏବେ ଯେଉଁ ତରଳ ସ୍ଥିତି ରହିଛି ସେଥିରୁ କୌଣସି ରାଷ୍ଟ୍ର, ନିଜ ସ୍ୱାର୍ଥ ନିମନ୍ତେ ଏହାକୁ ଏକ ଅସ୍ତ୍ର ଭାବେ ଉପଯୋଗ କରିବାର ପ୍ରୟାସ ନକରନ୍ତୁ ।

ଏବେ ଆଫଗାନିସ୍ତାନର ନାଗରିକମାନଙ୍କୁ ,ସେଠାକାର ମହିଳା ଓ ଶିଶୁମାନଙ୍କୁ, ସେଠାକାର ସଂଖ୍ୟାଲଘୁମାନଙ୍କୁ ସହାୟତାର ଆବଶ୍ୟକତା ରହିଛି ଏବଂ ,ସଥିରେ ଆମେ ନିଜର ଦାୟିତ୍ୱ ସଂପାଦନ କରିବାକୁ ପଡ଼ିବ ।

ଅଧ୍ୟକ୍ଷ ମହୋଦୟ,

ଆମର ମହାସାଗର ମଧ୍ୟ ଆମର ପ୍ରାକୃତିକ ସମ୍ପଦ । ସେଥିଫାଇଁ ଆମକୁ ଏକଥା ପ୍ରତି ଧ୍ୟାନ ରଖିବାକୁ ପଡ଼ିବ ଯେ ମହାସାଗରର ସମ୍ପଦକୁ ଆମେ ବ୍ୟବହାର କରିବା, କିନ୍ତୁ ଅପବ୍ୟବହାର କରିବାନାହିଁ । ଆମର ସମୁଦ୍ର, ଅନ୍ତରାଷ୍ଟ୍ରୀୟ ବାଣିଜର ଜୀବନ ରେଖା ମଧ୍ୟ । ଏହାକୁ ଆମେ ବିସ୍ତାରବାଦୀ ଓ ବିଚ୍ଛେଦନ ଦୌଡ଼ ଠାରୁ ବଞ୍ଚାଇ ରଖିବା ଆବଶ୍ୟକ ।

ନୀତି ଭିତ୍ତିକ ବିଶ୍ୱ ଶୃଙ୍ଖଳାକୁ ସଶକ୍ତ କରିବା ନିମନ୍ତେ, ଅନ୍ତରାଷ୍ଟ୍ରୀୟ ସମୁଦାୟ ଏକ ସ୍ୱରରେ ସ୍ୱର ଉଠାଇବାକୁ ପଡ଼ିବ । ସୁରକ୍ଷା ପରିଷଦରେ ଭାରତର ଅଧ୍ୟକ୍ଷତା ଅବସରରେ ସୃଷ୍ଟ ବିସ୍ତୃତ ସହମତ, ବିଶ୍ୱୁ ସାମୁଦ୍ରିକ ନିରାପତ୍ତା ପ୍ରସଙ୍ଗରେ ଆଗକୁ ବଢ଼ିବାକୁ ମାର୍ଗ ଦର୍ଶାଉଛି ।

ଅଧ୍ୟକ୍ଷ ମହୋଦୟ,

ଭାରତର ମହାନ କୂଟନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ଶହ ଶହ ବର୍ଷ ପୂର୍ବରୁ ଗୋଟିଏ କଥା କହିଥିଲେ ।  ସେ କହିଥିଲେ- କାଳାତି କ୍ରମାତ୍ କାଳ ଏବ ଫଳମ୍ ପିବତି । ଅର୍ଥାତ୍‌, ଯେତେବେଳେ ଉଚିତ ସମୟରେ ଉଚିତ କାର୍ଯ୍ୟ ସମ୍ପାଦନ କରାଯାଇନଥାଏ ସେତେବେଳେ ସମୟ ହିଁ ସେହି କାର୍ଯ୍ୟର ସଫଳତାକୁ ସମାପ୍ତ କରିଦେଇଥାଏ ।

ମିଳିତ ଜାତିସଂଘ ସ୍ୱୟଂକୁ ପ୍ରାସଙ୍ଗିକ କରି ରଖିବା ଉଚିତ । ସେତେବେଳେ ତାହା ନିଜର କାର୍ଯ୍ୟଶୀଳତାକୁ ସୁଧାରିବାକୁ ପଡ଼ିବ, ନିର୍ଭରଯୋଗ୍ୟତାକୁ ବଢ଼ାଇବାକୁ ହେବ ।

ଜାତିସଂଘରେ ଆଜି ଏହିଭଳି ପ୍ରଶ୍ନ ମୁଣ୍ଡ ଟେକୁଛି । ଏହି ପ୍ରଶ୍ନକୁ ଆମେ ଜଳବାୟୁ ସଂକଟରେ ଦେଖୁଛେ, କୋଭିଡ଼ ସମୟରେ ମଧ୍ୟ ଦେଖିଛେ । ବିଶ୍ୱରେ ଅନେକ ଭାଗରେ ଚାଲିଥିବା ଛାୟା ଯୁଦ୍ଧ- ଆତଙ୍କବାଦ ଏବଂ ଏବେ ଆଫଗାନିସ୍ତାନ ସଂକଟ ଏହି ପ୍ରଶ୍ନଗୁଡ଼ିକୁ ଆହୁରି ଗଭୀର କରିଦେଇଛି । କୋଭିଡ଼ର ଉତ୍ପତ୍ତି ସଂପର୍କରେ ଏବଂ ଇଜ୍ ଅଫ୍ ଡୁଇଂ ବିଜିନେଓ ର‌୍ୟାଙ୍କିଙ୍ଗ୍ ଠାରୁ ନେଇ ବୈଶ୍ୱିକ ଗଭର୍ଣ୍ଣାନ୍ସ ସହିତ ଜଡ଼ିତ ଥିବା ସଂସ୍ଥାମାନେ, ଦଶନ୍ଧି ଦଶନ୍ଧି ଧରି କଠୋର ଶ୍ରମରୁ ସୃଷ୍ଟ ବିଶ୍ୱସନିୟତାକୁ କ୍ଷତି ପହଞ୍ଚାଉଛନ୍ତି ।

 

ଏବେ ଆବଶ୍ୟକ ଯେ ଆମକୁ ମିଳିତ ଜାତିସଂଘର ବୈଶ୍ୱିକ ଶୃଙ୍ଖଳା, ବୈଶ୍ୱିକ ଆଇନ ଏବଂ ବୈଶ୍ୱିକ ମୂଲ୍ୟବୋଧର ସଂରକ୍ଷଣ ନିମନ୍ତେ କାର୍ଯ୍ୟ କରି ଏହାକୁ ସୁଦୃଢ଼ କରିବା ଦରକାର । ମୁଁ ନୋବେଲ ପୁରସ୍କାର ବିଜେତା ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଜୀଙ୍କ ଶବ୍ଦର ସହିତ ନିଜର ବକ୍ତବ୍ୟ ସମାପ୍ତ କରିବାକୁ ଚାହୁଁଛି ।

ଏୁଭୋ କୋର୍ମୋ-ପୋଥେ/ ଧୋରୋ ନିର୍ଭେୟୋ ଗାନ,ଶୋବ ଦୁର୍ବୋଲ ସୋଂଶୋୟ/ ହୋକ ଓବସାନ ।

ଅର୍ଥାତ୍‌, ନିଜର ଶୁଭ କର୍ମ ପଥ ଉପରେ ନିର୍ଭୀକ ହୋଇ ଆଗକୁ ବଢ଼ । ସମସ୍ତ ଦୁର୍ବଳତା ଏବଂ ଆଶଙ୍କା ସମାପ୍ତ ହୋଇଯିବ ।

ଏହି ସଂଦେଶ ଆଜି ସଂଦର୍ଭରେ ମିଳିତ ଜାତିସଂଘ ନିମନ୍ତେ ଯେତିକି ପ୍ରାସଙ୍ଗିକ, ସେତିକି ଦାୟିତ୍ୱବାନ ପ୍ରତ୍ୟେକ ରାଷ୍ଟ୍ରମାନଙ୍କ ପାଇଁ ମଧ୍ୟ । ମୋର ବିଶ୍ୱାସ ଯେ ଆମ ସମସ୍ତଙ୍କ ପ୍ରୟାସ ଦ୍ୱାରା ବିଶ୍ୱରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ବୃଦ୍ଧି ପାଇବ, ବିଶ୍ୱକୁ ସ୍ୱସ୍ଥ, ସୁରକ୍ଷିତ ଏବଂ ସମୃଦ୍ଧ କରିବ ।

ଏହି ଶୁଭକାମନାର ସହ,

ବହୁତ ବହୁତ  ଧନ୍ୟବାଦ

ନମସ୍କାର!

 

****

SS