ମହାମହିମ ଶ୍ରୀ ବଲ୍କାନ ବୋଜକିର, ମହାସଭା ଅଧ୍ୟକ୍ଷ,
ମାନ୍ୟବର ଭଦ୍ରମହିଳା ଓ ଭଦ୍ରବ୍ୟକ୍ତିମାନେ,
ନମସ୍କାର!
75 ବର୍ଷ ପୂର୍ବେ ଯୁଦ୍ଧର ବିଭୀଷିକା ମଧ୍ୟରୁ ଏକ ନୂତନ ଆଶାର କିରଣ ସୃଷ୍ଟି ହୋଇଥିଲା । ମାନବ ଇତିହାସରେ ପ୍ରଥମ ଥର ସାରା ବିଶ୍ୱ ପାଇଁ ଏକ ସଂସ୍ଥା ଗଢା ଯାଇଥିଲା । ମିଳିତ ଜାତିସଂଘ ଚାର୍ଟରର ପ୍ରତିଷ୍ଠାତା ସ୍ୱାକ୍ଷରକାରୀ ଭାବେ ଭାରତ ସେହି ମହାନ ଦୃଷ୍ଟିକୋଣର ଅଂଶୀଦାର ଥିଲା । ସମୁଦାୟ ସୃଷ୍ଟିକୁ ଏକ ପରିବାର ଭାବେ ବିବେଚନା କରୁଥିବା ଭାରତୀୟ ଦର୍ଶନ ‘ବସୁଧୈବ କୁଟୁମ୍ବକମ’ ଏଥିରେ ପ୍ରତିବିମ୍ବିତ ହୋଇଥିଲା ।
ମିଳିତ ଜାତିସଂଘ ଯୋଗୁଁ ଆଜି ବିଶ୍ୱ ଉନ୍ନତ ହୋଇପାରିଛି । ମିଳିତ ଜାତିସଂଘର ପତାକା ତଳେ ଶାନ୍ତି ଓ ବିକାଶକୁ ତ୍ୱରାନ୍ୱିତ କରିଥିବା ସଭିଙ୍କୁ ଆମେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ । ଭାରତର ବିଶେଷ ଅବଦାନ ଥିବା ମିଳିତ ଜାତିସଂଘ ଶାନ୍ତି ମିଶନ ମଧ୍ୟ ଏଥିରେ ସାମିଲ ରହିଛି ।
ତେବେ, ଆମେ ଅନେକ କିଛି ହାସଲ କରିଥିଲେ ମଧ୍ୟ ମୂଳ ମିଶନ ଏବେ ବି ଅପୂର୍ଣ୍ଣ ରହିଛି । ଆମେ ଯେଉଁ ବ୍ୟାପକ ଘୋଷଣା ପତ୍ର ଆପଣାଇଛୁ ସେଥିରୁ ଜଣାପଡୁଛି ଯେ, ବିବାଦ ରୋକିବା, ବିକାଶ ସୁନିଶ୍ଚିତ କରିବା, ପରିବେଶ ପରିବର୍ତନ ରୋକିବା, ତାରତମ୍ୟ ଦୂର କରିବା ଓ ଡିଜିଟାଲ ପ୍ରଯୁକ୍ତିଗୁଡିକର ଲାଭ ଉଠାଇବା ଆଦି କ୍ଷେତ୍ରରେ ଏବେ ବି ଅନେକ କିଛି କରିବାକୁ ପଡିବ । ଘୋଷଣା ପତ୍ରରେ ମିଳିତ ଜାତିସଂଘରେ ସଂସ୍କାରର ଆବଶ୍ୟକତାକୁ ମଧ୍ୟ ସ୍ୱୀକାର କରାଯାଇଛି ।
ଆମେ ଆଜିର ଆହ୍ୱାନକୁ ପୁରୁଣା ଢାଂଚାରେ ମୁକାବିଲା କରିପାରିବା ନାହିଁ । ବ୍ୟାପକ ସଂସ୍କାର ବିନା ମିଳିତ ଜାତିସଂଘ ବିଶ୍ୱସନୀୟତା ସଙ୍କଟ ଭୋଗୁଛି ।
ଆଜିର ପରସ୍ପର ସହ ଜଡିତ ବିଶ୍ୱ ପାଇଁ ବାସ୍ତବିକତାକୁ ଦର୍ଶାଉଥିବା, ଅଂଶୀଦାରମାନଙ୍କ କଥା ଶୁଣିବା, ସମସାମୟିକ ସମସ୍ୟା ଦୂର କରିବା ଓ ମାନବ କଲ୍ୟାଣରେ ଧ୍ୟାନ କେନ୍ଦ୍ରିତ କରୁଥିବା ବହୁପକ୍ଷୀୟ ସଂସ୍କାରର ଆବଶ୍ୟକତା ରହିଛି ।
ଏହି ମର୍ମରେ ଅନ୍ୟ ସମସ୍ତ ଦେଶଙ୍କ ସହିତ କାମ କରିବାକୁ ଭାରତ ତତ୍ପର ଅଛି ।
**********
Marking 75 years of the @UN. https://t.co/2j7HPYjEGA
— Narendra Modi (@narendramodi) September 21, 2020