Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମିଆଁମାରର ୟାଙ୍ଗୁନ୍ ରେ ଭାରତୀୟ ବାସିନ୍ଦାଙ୍କ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ( ସେପ୍ଟେମ୍ବର 6, 2017)


ମିଆଁମାରରେ ରହୁଥିବା ଭାରତୀୟ ଓ ଭାରତୀୟ ବଂଶୋଦ୍ଭବ ମୋର ପ୍ରିୟ ଭାଇ ଓ ଭଉଣୀମାନେ । ନମସ୍କାର ।

ଏବେ ଏବେ ଆପଣମାନେ ସମସ୍ତେ ଗଣେଶ ଚତୁର୍ଥୀର ପର୍ବ ପାଳନ କରିଛନ୍ତି । ଇଦ୍ ପାଳିଛନ୍ତି । ଆପଣ ସମସ୍ତଙ୍କୁ ଏହି ପର୍ବ ପାଇଁ ମୋ ତରଫରୁ ବହୁତ ବହୁତ ଶୁଭକାମନା । ଆଶା କରୁଛି ଏହି ପର୍ବ ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖ ସମୃଦ୍ଧି ଓ ଶାନ୍ତି ଆଣିବ ।

ମୁଁ ଆଜି ଏଠି ଆପଣମାନଙ୍କ ସହ ଥିବାରୁ ଅତ୍ୟନ୍ତ ଖୁସି । ମୋର ବହୁତ ଇଚ୍ଛା ଥିଲା କି ମୁଁ ଏହି ଐତିହାସିକ ଓ ଧାର୍ମିକ ସହରକୁ ଆସେ । ଇଚ୍ଛା ଥିଲା କି ଦେଖିବି ଏହି ୟାଙ୍ଗୁନ୍ କୁ ଯାହାକି ନିଜର ପରମ୍ପରା ପାଇଁ ବିଶ୍ୱରେ ପ୍ରସିଦ୍ଧ । ଯାହାର ଭାରତ ସହ ଯୁଗଯୁଗ ଧରି ସମ୍ପର୍କ ମଧ୍ୟ ରହିଛି ।  ଆଉ ଏଠି ପୂର୍ବ ଭାଗର ଐତିହାସିକ ଓ ଧାର୍ମିକ ପ୍ରବେଶ ଦ୍ୱାରରେ ଆପଣମାନଙ୍କୁ ଭେଟିବି । ଆପଣମାନେ ସମସ୍ତେ ଯେଉଁମାନେ’କି ଭାରତ ଓ ମିଆଁମାର ଦୁଇ ଦେଶରେ ନିଜର ହୃଦୟକୁ ସାଇତି ରଖିଛନ୍ତି । ମୁଁ ଏଠି ଆପଣମାନଙ୍କ ସମ୍ମୁଖରେ ଏକ କ୍ଷୁଦ୍ର ଓ ଏକ ମିନି ଭାରତକୁ ଦର୍ଶନ କରୁଛି । ଭାରତର ଭିନ୍ନ ଭିନ୍ନ କ୍ଷେତ୍ରରୁ ଆସି ଆପଣମାନେ ଏକ ମହାନ ରାଷ୍ଟ୍ରର ହୃଦୟରେ ଓ ଏକ ଅନ୍ୟ ମହାନ ରାଷ୍ଟ୍ରର ସ୍ପନ୍ଦନ ଭାବେ ବଞ୍ଚି ରହିଛନ୍ତି । ଆପଣମାନଙ୍କୁ ଭେଟି ମୋତେ ମଧ୍ୟ ଖୁସି ଲାଗୁଛି । କାରଣ ଆପଣମାନଙ୍କ ମାଧ୍ୟମରେ ଗୋଟିଏ ସ୍ଥାନରେ ଏହି ପରମ୍ପରା ଓ ସାଂସ୍କୃତିକ ଐତିହ୍ୟକୁ ଦେଖିଛୁ ଯାହାକୁ ଗଙ୍ଗା, ଗୋଦାବରୀ, କୃଷ୍ଣା, କାବେରୀ, ବ୍ରହ୍ମପୁତ୍ର ଓ ଇରାବତୀ ଭଳି ଉଦାର ମାତାମାନେ ନିଜର ପଣତ କାନିରେ ପୋଷିଛନ୍ତି ।  ଭାରତ ଓ ମିଆଁମାରର ମହାନ ପୁଅ ଓ ଝିଅ ଭାବେ ଆପଣମାନେ ହଜାର ହଜାର ବର୍ଷର ମିଳିତ ସଂସ୍କୃତି ଓ ସଭ୍ୟତା, ଭୌଗଳିକ ଓ ଐତିହାସିକ, ଆକାଂକ୍ଷା ଓ ସଫଳତାର ପ୍ରତିନିଧିତ୍ୱ କରୁଛନ୍ତି ।

ହଜାର ହଜାର ବର୍ଷ ଧରି ଭାରତ ଓ ମିଆଁମାରର କେବଳ ସୀମା ନୁହେଁ ବରଂ ଭାବନା ମଧ୍ୟ ପରସ୍ପର ସହ ଜଡ଼ିତ । ଭାରତରେ ମିଆଁମାରକୁ ବ୍ରହ୍ମଦେଶ ଅବା ଭଗବାନ ବ୍ରହ୍ମାଙ୍କ ଭୂମି ମଧ୍ୟ କୁହାଯାଏ । ବନ୍ଧୁଗଣ ଏ ହେଉଛି ସେହି ପବିତ୍ର ଭୂମି ଯେଉଁଠି ବୁଦ୍ଧଙ୍କୁ ସଦ୍ଜ୍ଞାନ ମିଳିଥିଲା, ତାଙ୍କର ଶିକ୍ଷା ମଧ୍ୟ ହୋଇଥିଲା । ଏଠାର ବୌଦ୍ଧ ଗ୍ରନ୍ଥ ଓ ଭିକ୍ଷୁମାନେ ହିନ୍ଦୁସ୍ତାନର କୋଣଅନୁକୋଣରେ ଭାରତର ସମସ୍ତ ରାଜ୍ୟ ସହ ଶତାଧିକ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ଏକ ଅତୁଟ ସମ୍ପର୍କରେ ଯୋଡ଼ି ହୋଇ ରହିଛନ୍ତି । ଯେଉଁଥିରେ ନା’କେବଳ ଧର୍ମ ବରଂ ପାଲି ଭାଷା, ସାହିତ୍ୟ ଓ ଶିକ୍ଷା ମଧ୍ୟ ସାମିଲ ଅଛି । ଭାରତକୁ ଆଉ ବିଶ୍ୱକୁ ମିଆଁମାର ପୁଣ୍ୟ ଭୂମିରେ ସ୍ୱର୍ଗୀୟ ଗୋଏଙ୍କା ମହୋଦୟଙ୍କ ମାଧ୍ୟମରେ ବିପାସନାର ଉପହାର ଦିଆଯାଇଥିଲା । ଆଉ ମୋତେ ଖୁସି ଲାଗୁଛି କି ତାଙ୍କର ସୁପୁତ୍ର ଆଜି ଆମ ଗହଣରେ ଅଛନ୍ତି ।

ମିଆଁମାରରେ ଆଜି ମଧ୍ୟ ରାମାୟଣକୁ ୟାମା ନାଁରେ ଉପସ୍ଥାପିତ କରାଯାଉଛି । ବିଦ୍ୟାର ଦେବୀ ସରସ୍ୱତୀଙ୍କୁ ଆପଣମାନେ ଥରୁଥରୀ ନାଁରେ ପୂଜା କରୁଛନ୍ତି ଓ ଶିବଙ୍କୁ ପରବିଜୱା, ବିଷ୍ଣୁଙ୍କୁ ବିଥାନୋ କହୁଛନ୍ତି ।

ଭାରତର ସ୍ୱାଧୀନତା ଆନ୍ଦୋଳନର ଇତିହାସ ମିଆଁମାରକୁ କୃତଜ୍ଞତା ଜଣାଇ ବିନା କଦାପି ପୂରଣ ହୋଇପାରିନଥାନ୍ତା । ଏହା ହେଉଛି ସେହି ପବିତ୍ର ଭୂମି ଯେଉଁଠି ସୁଭାଷଚନ୍ଦ୍ର ବୋଷ ଚିତ୍କାର କରି କହିଥିଲେ – ‘ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି ।’ ତାଙ୍କର ଏହି ସ୍ଲୋଗାନ ଶୁଣି ଭାରତକୁ ନିଜର ଜୀବନଠୁ ଅଧିକ ଭଲ ପାଉଥିବା ହଜାର ହଜାର ଲକ୍ଷଲକ୍ଷ ଯୁବକ ଓ ଯୁବତୀ ଜୀବନକୁ ବାଜି ଲଗାଇ ଭାରତରେ ଓ ଭାରତ ବାହାରେ ଆଜାଦ୍ ହିନ୍ଦ ଫୌଜ୍ ର ସହଯୋଗ କରିବା ପାଇଁ ଆଗେଇ ଆସିଥିଲେ । ଆଉ ମୋତେ ବି ସେହି ଆଜାଦ ହିନ୍ଦ ଫୌଜ୍ ରେ ନିଜର ଯୌବନକୁ ସମର୍ପିତ କରିଥିବା ଓ ଏବେ ବହୁତ ବୃଦ୍ଧ ହୋଇସାରିଥିବା କିଛି ବ୍ୟକ୍ତିଙ୍କ ଦର୍ଶନ କରିବା ଓ ସେମାନଙ୍କ ଆଶୀର୍ବାଦ ନେବାର ସୌଭାଗ୍ୟ ଆଜି ଏଠି ମିଳିଛି । ଯେତେବେଳେ ନେତାଜୀ ଏଠି ଆଜାଦ୍ ହିନ୍ଦ ସରକାରର ଘୋଷଣା କରିଥିଲେ, ସେତେବେଳେ ଭାରତରେ ଇଂରେଜ ଶାସନର ମୂଳଦୁଆ ଦୋହଲିଯାଇଥିଲା । ଏହା ହେଉଛି ସେହି ପବିତ୍ର ମାଟି ଯାହାର ମାନ୍ଲେ ଜେଲରେ 6 ବର୍ଷ ଧରି କଏଦୀ ରହି ବାଳ ଗଙ୍ଗାଧର ତିଳକ, ଲୋକମାନ୍ୟ ତିଳକ ମହାଶୟ ଗୀତା ରହସ୍ୟର ରଚନା କରିଥିଲେ । ଏହା ହେଉଛି ପବିତ୍ର ମାଟି ଯେଉଁଠି ମହାତ୍ମା ଗାନ୍ଧି, ଲାଲା ଲାଜପତରାୟ, ଗୁରୁବର ରବିନ୍ଦ୍ରନାଥ ଟାଗୋରଙ୍କ ଭଳି ମହାମାନବଙ୍କ ପାଦ ଅନେକଥର ଏହି ମାଟିରେ ପଡ଼ିଥିଲା ।

ଯେତେବେଳେ ବିଦେଶୀ ଶକ୍ତିଠାରୁ ଭାରତକୁ ସ୍ୱାଧୀନ କରାଇବା ପାଇଁ ଦେଶର ବୀର ପୁତ୍ରମାନଙ୍କୁ ନିଜର ଘର ଛାଡ଼ିବାକୁ ପଡ଼ିଥିଲା, ସେତେବେଳେ ମିଆଁମାର ସେମାନଙ୍କ ଦ୍ୱିତୀୟ ଘର ପାଲଟି ଯାଉଥିଲା । 1857 ପ୍ରଥମ ସ୍ୱାଧୀନତା ସଂଗ୍ରାମ ପରେ ବାଦଶାହା ବାହାଦୁରଶାହା ଜାଫରଙ୍କୁ ଦୁଇଗଜ ମାଟି ମଧ୍ୟ ଏହି ମାଟିରେ ମିଳିଥିଲା ।

ମୁଁ ଯେତେବେଳେ କୌଣସି ଦେଶକୁ ଯାଏ, ସେଠାରେ ଭାରତୀୟ ସଂପ୍ରଦାୟ ସହ ମିଶି ସେମାନଙ୍କର ଆଶୀର୍ବାଦ ପାଇବାର ସୁଯୋଗ ମୋତେ ମିଳେ । ଗତ କିଛି ଦିନ ପୂର୍ବରୁ ଶ୍ରୀଲଙ୍କା ଗସ୍ତରେ ଥିବାବେଳେ ଜାଫ୍ନା ଯାଇଥିଲି । ପ୍ରଥମଥର ପାଇଁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଜାଫ୍ନା ଯାଇଥିଲେ । ସେଠାରେ ତାମିଲ ବଂଶୋଦ୍ଭବ ଲୋକଙ୍କୁ ଭେଟିଲି । ସେମାନଙ୍କ ପାଇଁ ଭାରତର ସହାୟତାରେ ନିର୍ମାଣ ହୋଇଥିବା ଘର ସେମାନଙ୍କୁ ଅର୍ପଣ କରିବାର ସୌଭାଗ୍ୟ ମୋତେ ମିଳିଥିଲା । ଚଳିତବର୍ଷ ମଇ ମାସରେ ଯେତେବେଳେ ପୁଣିଥରେ ବୁଦ୍ଧ ପୂର୍ଣ୍ଣିମାରେ ମୋତେ ଶ୍ରୀଲଙ୍କା ଯିବାର ସୁଯୋଗ ମିଳିଥିଲା, ଆନ୍ତର୍ଜାତିକ ସମାରୋହରେ ଭାଗ ନେବା ପାଇଁ ମୋତେ ନିମନ୍ତ୍ରଣ ମିଳିଥିଲା । ମୁଁ କେନ୍ଦ୍ରୀୟ ଶ୍ରୀଲଙ୍କାର ତାମିଲ ଭାଇଭଉଣୀଙ୍କୁ ଭେଟିଥିଲି । ସେଠାରେ ଭାରତ ସହାୟତାରେ ନିର୍ମାଣ ହୋଇଥିବା ଏକ ହସ୍ପିଟାଲର ଉଦ୍ଘାଟନ କରିବା ପରେ ହଜାର ହଜାର ଲୋକ ଆସି ମୋତେ ଏତେ ଭଲପାଇବା ଦେଇଥିଲେ କି, ମୁଁ ସେଦିନ କଦାପି ଭୁଲିପାରିବି ନାହିଁ । ମୋର ତାମିଲ ଭାଇଭଉଣୀମାନେ ଶ୍ରୀଲଙ୍କାର ମାଟିରେ ମୋତେ ଏତେ ଭଲ ପାଇବା ଦେଇଥିଲେ । ମୁଁ ସାଉଦି ଆରବ ଯାଇଥିଲି । କନଷ୍ଟ୍ରକ୍ସନ କାମ ହେଉ ଅବା କେନିଆରେ ଚାଷୀ ଓ ବ୍ୟବସାୟୀ ହୁଅନ୍ତୁ ଅବା ସିଲିକନ ଭ୍ୟାଲିରେ ସିଓଓ ହୁଅନ୍ତୁ, ବିଦେଶରେ ରହୁଥିବା ଭାରତୀୟମାନେ ଓ ଭାରତୀୟ ବଂଶୋଦ୍ଭବ ଲୋକଙ୍କୁ ଭେଟି ମୋତେ ଆପଣାର ଅନୁଭବ ହୋଇଥାଏ । ଏକପ୍ରକାରେ ଏମାନେ ଆମର ସରକାରୀ ବ୍ୟବସ୍ଥାରେ ରାଜଦୂତ । ଆପଣମାନେ ସମସ୍ତେ ଆମର ରାଷ୍ଟ୍ରଦୂତ । ଆପଣମାନଙ୍କୁ ନେଇ ଗର୍ବ ମଧ୍ୟ ଲାଗୁଛି କି ଆପଣମାନେ ଯେଉଁଠି ରହୁଛନ୍ତି ସେଠାରେ ବିକାଶ ଓ ସୌହାର୍ଦ୍ଦ୍ୟକୁ ପ୍ରୋତ୍ସାହିତ କରିବା ସହ ନିଜ ନିଜର ଭାରତୀୟ ସଂସ୍କାର ଓ ମୂଲ୍ୟବୋଧକୁ ସାଇତି କରି ରଖିଛନ୍ତି । ଏହା ବହୁତ ବଡ଼ କଥା ।

ଜାତିସଂଘରେ 3ବର୍ଷ ପୂର୍ବରୁ ଭାରତର ପ୍ରୟାସରେ ଆନ୍ତର୍ଜାତିକ ଯୋଗ ଦିବସର ପ୍ରସ୍ତାବ ରେକର୍ଡ ଟାଇମ୍ ଓ ରେକର୍ଡ ପରିମାଣରେ ଗୃହୀତ ହୋଇଥିଲା । ଗତ 3ବର୍ଷ ମଧ୍ୟରେ ବିଶ୍ୱରେ  ଜୁନ୍ 21 ତାରିଖକୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ବ୍ୟାପକ ରୂପେ ପାଳନ କରାଯାଉଛି ଓ ଏବେ ଯୋଗର କଥା ଆସିଲେ, ଭାରତର ସ୍ମରଣ କରାଯିବା ସ୍ୱାଭାବିକ କଥା ।

ଯୋଗକୁ ଆନ୍ତର୍ଜାତିକ ସ୍ୱୀକୃତି ମିଳିବା ହେଉଛି ଆମର ସଫଳତା କାରଣ ବିଶ୍ୱର ପ୍ରତିଟି କୋଣରେ ରହୁଥିବା ଭାରତୀୟ ଲୋକଙ୍କ ଦ୍ୱାରା ଏହା ଉପଯୋଗ ହେଉଥିଲା ।

ଆପଣଙ୍କର ଭାରତ ସହ ସମ୍ପର୍କ କେବଳ ଭାବନାତ୍ମକ ନୁହେଁ, ଆପଣ ଭାରତର ବିକାଶରେ ମଧ୍ୟ ଠୋସ୍ ଭାବେ ଜଡ଼ିତ ରହିଛନ୍ତି । ଅନେକ ପ୍ରବାସୀ ଭାରତୀୟ ଏବେ ଭାରତର ବିକାଶରେ ସହଯୋଗ କରୁଛନ୍ତି । ସେମାନେ ନିଜ ନିଜର ପୂର୍ବପୁରୁଷଙ୍କ ରାଜ୍ୟରେ ବିକାଶ ପ୍ରକଳ୍ପରେ ସହଯୋଗ କରୁଛନ୍ତି । ଯୁବବର୍ଗ ତ ଅଧିକ ସକ୍ରିୟ ଅଛନ୍ତି । ନା’କେବଳ ସୋସିଆଲ ମିଡିଆ ମାଧ୍ୟମରେ ନିୟମିତ କାର୍ଯ୍ୟ ଜାଣୁଛନ୍ତି ବରଂ ଭାରତ ସମ୍ପର୍କରେ ଜାଣିବାର ସେମାନଙ୍କର ଇଚ୍ଛା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଉ ଅଧିକ ସୁଦୃଢ଼ ହେବାରେ ଲାଗିଛି । ଗତବର୍ଷ ଆମେ ପ୍ରବାସୀ ଯୁବବର୍ଗଙ୍କ ପାଇଁ ଭାରତକୁ ଜାଣ କୁଇଜ୍ ପ୍ରତିଯୋଗିତାର ଆୟୋଜନ କରିଥିଲୁ । ଏହି କୁଇଜ୍ ପ୍ରତିଯୋଗିତା ହେଉଛି ନିରନ୍ତର ଚାଲୁଥିବା ପ୍ରକ୍ରିୟା । ଆଉ ମୋତେ ଜାଣି ଖୁସି ଲାଗିଲା ଓ ଆଶ୍ଚର୍ଯ୍ୟ ମଧ୍ୟ ହେଲି ଯେ ଏଥିରେ ପ୍ରାୟ 100 ଦେଶର ପ୍ରବାସୀ ଭାରତୀୟ ଯୁବବର୍ଗ ସାମିଲ ହୋଇଥିଲେ । ଅର୍ଥାତ୍ ଉକ୍ତ ଦେଶ ଯେଉଁଠି ଦ୍ୱିତୀୟ ପିଢ଼ି ଓ ତୃତୀୟ ପିଢ଼ି ଭାରତୀୟ ପିଲା, ସେମାନେ ଏଥିରେ ଅଧିକ ଆଗ୍ରହ ଦେଖାଇ ସାମିଲ ହୋଇଥିଲେ ।

ମୁଁ ଯେତେବେଳେ ଆପଣମାନଙ୍କୁ ଭେଟୁଛି, ସେତେବେଳେ ମୋତେ ଲାଗୁଛି ବିଦେଶୀ ରାଷ୍ଟ୍ରରେ ରହୁଥିବା ଆମ ଲୋକଙ୍କ ସହ ଭାରତୀୟ ଅଧିକାରୀମାନଙ୍କ ଭାବ ବିନିମୟ କଦାପି ଏକତରଫା ହୋଇନପାରେ ।

ଏଠିକି ଆସିବା ପୂର୍ବରୁ ମୁଁ ଆପଣମାନଙ୍କଠାରୁ ନରେନ୍ଦ୍ର ମୋଦୀ ଆପ୍ ମାଧ୍ୟମରେ ପରାମର୍ଶ ଲୋଡ଼ିଥିଲି । ମୋତେ ଖୁସି ଲାଗିଲା କି ଆପଣମାନେ ଅନେକ ମୂଲ୍ୟବାନ ପରାମର୍ଶ ଦେଇଛନ୍ତି ଓ ସେଥିପାଇଁ ମୁଁ ଆପଣମାନଙ୍କ ପାଖରେ କୃତଜ୍ଞ ।

ମୋର ସରକାର ପ୍ରଥମ ଦିନରୁ ହିଁ ପ୍ରବାସୀ ଭାରତୀୟଙ୍କ କଲ୍ୟାଣରେ ଅଛି ଓ ଏହା ଆମର ପ୍ରାଥମିକତା ମଧ୍ୟ । ଓସିଆଇ ଓ ପିଆଇଓ ସ୍କିମ୍ କୁ ମିଶ୍ରଣ କରିବା, ଦୀର୍ଘକାଳୀନ ଭିସା ପାଇଁ ପୁଲିସ୍ ରିପୋର୍ଟଂରୁ ମୁକ୍ତି ଦେବା, ପାସପୋର୍ଟ ପ୍ରଦାନକୁ ସହଜ କରିବା, ଭାରତୀୟ ସମୁଦାୟ କଲ୍ୟାଣ ପାଣ୍ଠିକୁ ଉଚିତ ଓ ସୁ ପରିଚାଳନା, ପ୍ରବାସୀ ଭାରତୀୟ ଦିବସକୁ ପୁନଃସକ୍ରିୟ କରାଇବା ଓ ବିଶ୍ୱର ଭିନ୍ନ ଭାଗରେ କ୍ଷେତ୍ରୀୟ ପ୍ରବାସୀ ଭାରତୀୟ ଦିବସର ଆୟୋଜନ ଏଭଳି ଅନେକ ପଦକ୍ଷେପ ଆମେ ପ୍ରବାସୀ ଭାରତୀୟଙ୍କ ଆବଶ୍ୟକତା ଓ ଅଭିମତକୁ ଦୃଷ୍ଟିରେ ରଖି ଉଠାଇଛୁ । ଆଉ ମୋତେ ଲାଗୁନି କି ଅନ୍ୟ କୌଣସି ଦେଶର ବିଦେଶ ମନ୍ତ୍ରୀ ବିଦେଶରେ ବାସ କରୁଥିବା ଅବା ଫସିଥିବା ଦେଶର ଲୋକଙ୍କ ଦୁଃଖ-ଯନ୍ତ୍ରଣାକୁ ନେଇ ଏତେ ସକ୍ରିୟ ଥିବେ, ଯେତିକି ଭାରତରେ ଆମର ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଅଛନ୍ତି ।

ସମଗ୍ର ବିଶ୍ୱରେ କୌରସି ଭାରତୀୟ ନାଗରିକଙ୍କୁ ଅବା ଭାରତୀୟ ବଂଶୋଦ୍ଭବଙ୍କୁ କୌଣସି ପ୍ରକାରର ସମସ୍ୟା ହେଲେ, ବିନା ଦ୍ୱିଧାରେ ସୁଷମାଜୀଙ୍କ ସହ ଟ୍ୱିଟରରେ ଯୋଗାଯୋଗ କରୁଛନ୍ତି, ସେମାନଙ୍କର ସମସ୍ୟାର ସମାଧାନ ହୋଇଯାଉଛି । ମୋର ମଧ୍ୟ ଆପଣମାନଙ୍କୁ ସନ୍ଦେଶ ହେଉଛି ଆପଣମାନଙ୍କ ପାସପୋର୍ଟ ସମସ୍ୟା ହେଉ ଅବା ଭିସା ଅବା ବିଦେଶରେ ଆଇନଗତ ସହାୟତା, ଆପଣମାନେ ଭାରତୀୟ ଦୂତାବାସକୁ ଯାଆନ୍ତୁ ଭାରତୀୟ ସମୁଦାୟ ପାଇଁ ଏହା ପୁରା 24 ଘଣ୍ଟା ଓ 365 ଦିନ ଖୋଲା ରହୁଛି ।

ବନ୍ଧୁଗଣ, ଭାରତକୁ ଆଜି ବିଶ୍ୱରେ ସମ୍ମାନ ଦୃଷ୍ଟିରେ  ଦେଖାଯାଉଛି । ଏହାର କାରଣ ହେଉଛି ଆପଣମାନେ । ଆପଣମାନେ ଭାରତର ପ୍ରକୃତ ରାଷ୍ଟ୍ରଦୂତ ଓ ଏହି କାରଣରୁ ଭାରତ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି ଓ ଆଗକୁ ବଢ଼ୁଛି ।

ଆମେ କେବଳ ଦେଶରେ ସୁଧାର କରୁନାହୁଁ, ଆମେ ଭାରତକୁ ରୂପାନ୍ତରିତ କରୁଛୁ । ଆମେ ଭାରତକୁ ପରିବର୍ତ୍ତନ କରୁନୁ, ଆମେ ଏକ ନୂଆ ଭାରତ ନିର୍ମାଣ କରୁଛୁ । ଗତମାସରେ ଭାରତର ସ୍ୱାଧୀନତାର 70ବର୍ଷ ଆମେ ପାଳନ କଲୁ । 5ବର୍ଷ ପରେ 2022 ମସିହାରେ ଭାରତର ସ୍ୱାଧୀନତାର 75ବର୍ଷ ପାଳନ ହେବ । ଆମେ ଦେଶ ସ୍ୱାଧୀନତାର 75ବର୍ଷ ହେବା ବେଳକୁ ଏକ ନୂଆ ଭାରତ ନିର୍ମାଣ କରିବାର ପ୍ରତିଶ୍ରୁତି ଦେଇଛୁ ।

ଆମେ ସଂକଳ୍ପ ନେଇଛୁ କି ଦାରିଦ୍ର୍ୟ ମୁକ୍ତ, ଆତଙ୍କବାଦମୁକ୍ତ, ସାମ୍ପ୍ରଦାୟିକମୁକ୍ତ, ଜାତିବାଦମୁକ୍ତ, ଭ୍ରଷ୍ଟାଚାରମୁକ୍ତ, ସ୍ୱଚ୍ଛ ଭାରତ ନିର୍ମାଣ କରିବୁ ଓ ଏହା କରି ଦେଖାଇବୁ ମଧ୍ୟ । ମୁଁ ଆପଣମାନଙ୍କୁ ଏହା ବି କହିବାକୁ ଚାହୁଁଛି କି ନିଉ ଇଣ୍ଡିଆ ୱେବସାଇଟ୍ ରେ ଆପଣମାନେ ବି ଏହି ମହାମିଶନରେ ସାମିଲ ହୋଇପାରିବେ ।

ବନ୍ଧୁଗଣ, ମୋ ମତରେ ଉନବିଂଶ ଶତାବ୍ଦୀର ଶୈଳୀରେ ଏକବିଂଶ ଶତାବ୍ଦୀର ଭିତ୍ତିଭୂମି ଚାଲିପାରିବ ନାହିଁ । ଆଉ ଭିତ୍ତିଭୂମିର ଅର୍ଥ କେବଳ ସଡ଼କ ନିର୍ମାଣ ଓ ରେଳ ନେଟୱାର୍କ ବିଛାଇବା ନୁହେଁ । ଏକବିଂଶ ଶତାବ୍ଦୀର ଭିତ୍ତିଭୂମିର ଆଧାର ହେଉଛି ସେ ସମସ୍ତ ଜିନିଷ ଯାହା ଲୋକଙ୍କୁ ଆଧୁନିକ ଜ୍ଞାନକୌଶଳ ସହ ସଂଯୋଗ କରାଇବ । ସେମାନଙ୍କର ଜୀବନରେ ପରିବର୍ତ୍ତନ ଆଣିବ, ଜୀବନର ଗୁଣାତ୍ମକ ମାନରେ ପରିବର୍ତ୍ତନ ଆଣିବ । ସାରା ବିଶ୍ୱରେ ସୌର ଶକ୍ତି ବୃଦ୍ଧିର ସବୁଠୁ ବଡ଼ କାର୍ଯ୍ୟକ୍ରମ ଏବେ ଭାରତରେ ଚାଲିଛି ।

ଏବେ ଭାରତରେ ରେଳବାଇ, ସଡ଼କ,ବିମାନ ବନ୍ଦରରେ ଯେତିକି ନିବେଶ କରାଯାଉଛି, ତାହା ପୂର୍ବରୁ କେବେ ହୋଇନଥିଲା । ଦେଶର ପ୍ରତ୍ୟେକ ଗ୍ରାମ ପଂଚାୟତରେ ଅପ୍ଟିକାଲ ଫାଇବର ବିଛାଇ ଯୋଡ଼ିବାର କାର୍ଯ୍ୟକୁ ଦ୍ରୁତ ଗତିରେ କରାଯାଉଛି । ସମୁଦ୍ର କୂଳରେ ଥିବା ସହର ଓ ବନ୍ଦରକୁ ବିକଶିତ କରିବା ପାଇଁ ସାଗରମାଳା ପରିଯୋଜନା ଦ୍ରୁତ ଗତିରେ ଆଗେଇ ଚାଲିଛି ।

ମୁଁ ଭାବୁଝି ଏସବୁ ପ୍ରୟାସ ଦ୍ୱାରା ଦେଶରେ ଭିତ୍ତିଭୂମି ସହ ଏକ ନୂଆ ଭିତ୍ତିଭୂମି ମଧ୍ୟ ବିକାଶିତ ହେବ । ଆଉ ଏହାର ଏକ ଅଭିନ୍ନ ଅଙ୍ଗ ହେବ କୃଷି । ଆମ ସରକାର ଭାରତର ଚାଷୀଙ୍କ ଉପାର୍ଜନ ଦ୍ୱିଗୁଣ କରିବା ଲକ୍ଷ୍ୟରେ କାମ କରୁଛି । ଏଥିପାଇଁ ବିହନରୁ ବଜାର ପର୍ଯ୍ୟନ୍ତ ଆମେ ଅନେକ ପଦକ୍ଷେପ ନେଇଛୁ । ଯେମିତିକି – ମୃତିକା ସ୍ୱାସ୍ଥ୍ୟ କାର୍ଡ, ନିମ୍ବଯୁକ୍ତ ୟୁରିଆ, କ୍ଷୁଦ୍ର ଜଳସେଚନ, ଫସଲ ବୀମା, ଖାଦ୍ୟ ପ୍ରକ୍ରିୟାକରଣ ପାର୍କ, ଶୀତଳ ଭଣ୍ଡାର ଚେନ୍, ଅନେକ କଥା ମୁଁ କହିପାରିବି । ଆମେ ସମସ୍ତେ ସବୁଜ ଓ  ଶ୍ୱେତ ବିପ୍ଲବ ସହ ପରିଚିତ ।  କିନ୍ତୁ ଏବେ ଆଉ ଦୁଇଟି ବିପ୍ଲବ ମଧ୍ୟ ଅଛି ଓ ଏହା ଉପରେ ଆମେ ଗୁରୁତ୍ୱ ଦେଉଛୁ । ଗୋଟିଏ ହେଉଛି ନୀଳ ବିପ୍ଲବ ଓ ଅନ୍ୟଟି ହେଉଛି ମଧୁର ବିପ୍ଲବ । ଯେତେବେଳେ ମୁଁ ନୀଳ ବିପ୍ଲବ କଥା କହୁଛି, ତାହା କେବଳ ମତ୍ସ୍ୟଜୀବୀଙ୍କ କଲ୍ୟାଣ ହେବ ତାହା ନୁହେଁ, ସାମୁଦ୍ରିକ ସାମର୍ଥ୍ୟର ମଧ୍ୟ ଏକ ନୂଆ ଯୁଗ ଆରମ୍ଭ ହୋଇଛି । ସେହିପରି ମଧୁର ବିପ୍ଲବ ଅର୍ଥାତ ମହୁ ମାଛି ପାଳିବା ଦ୍ୱାରା ମହୁରୁ ବହୁତ ଅଧିକ ଆୟର ସମ୍ଭାବନା ମଧ୍ୟ ଆମେ ଅନ୍ୱେଷଣ କରୁଛୁ, ପ୍ରୟାସ କରୁଛୁ ।

ଏହା ସହିତ ଆମେ ଦେଶର ସ୍ୱାର୍ଥରେ ବଡ଼ବଡ଼ ଓ କଠୋର ନିଷ୍ପତ୍ତି ନେବାକୁ ସାମାନ୍ୟତମ ସଙ୍କୋଚ କରୁନାହୁଁ । ଆଉ ଏଇଥିପାଇଁ କରିପାରୁଛୁ କି ଆମର ହୃଦୟରେ ବଡ଼ ହେଉଛି ଦେଶ । ଆମ ପାଇଁ ଦେଶ ସବୁକିଛି । ତେଣିକି ସର୍ଜିକାଲ ଷ୍ଟ୍ରାଇକ୍ ହେଉ ଅବା ବିମୁଦ୍ରୀକରଣ ଅବା ଜିଏସଟି । ଏ ସରକାର ଦେଶର ସ୍ୱାର୍ଥରେ ପ୍ରତ୍ୟେକ ନିଷ୍ପତ୍ତି ବିନା ସଙ୍କୋଚ ଓ ଭୟରେ ନେଇଛି ।

ଯେତେବେଳେ ଅର୍ଥ ବ୍ୟବସ୍ଥାକୁ କଳାଟଙ୍କା ଓ ଭ୍ରଷ୍ଟାଚାରରୁ ମୁକ୍ତି ଦେବା ପାଇଁ କଡ଼ା ନିଷ୍ପତ୍ତି ନେବାର ଆବଶ୍ୟକତା ପଡ଼ିଲା ସେତେବେଳେ 1000 ଓ 500 ଟଙ୍କାର ନୋଟ୍ ବନ୍ଦ କରିବାକୁ ନିଷ୍ପତି ଆମେ ନେଇପାରିଲୁ । ହାତଗଣତି ଲୋକଙ୍କ ଭ୍ରଷ୍ଟାଚାରର ମୂଲ୍ୟ ଏବେ ଦେଶର 125 କୋଟି ଲୋକଙ୍କୁ ମୁଣ୍ଡାଇବାକୁ ପଡ଼ିଛି । ଏହା ଆମକୁ ସ୍ୱୀକାର୍ଯ୍ୟ ନୁହେଁ । ବେଇମାନୀଙ୍କ ଟଙ୍କାର ଏତେ ଶକ୍ତି ଥିଲା କି ତାହା କେଉଁଠ ଆସୁଥିଲା, କାହା ପାଖକୁ ଯାଉଥିଲା,ତାହା କାଗଜରେ ଜଣାପଡୁନଥିଲା । କଳାଟଙ୍କାର କୌଣସି ଠିକଣା ମଧ୍ୟ ନଥିଲା ।

ବନ୍ଧୁଗଣ ନୋଟବନ୍ଦୀ ପରେ ଏବେ ଏଭଳି ଲକ୍ଷ ଲକ୍ଷ ଲୋକଙ୍କ ସମ୍ପର୍କରେ ଜଣାପଡ଼ିଛି ଯେଉଁମାନଙ୍କ ଏକାଉଣ୍ଟରେ କୋଟିକୋଟି ଟଙ୍କା ଜମା ହୋଇଛି । କିନ୍ତୁ ସେମାନେ କେବେ ଆୟକର ଦାଖଲ କରିନାହାନ୍ତି । ଏଭଳି ଲକ୍ଷ ଲକ୍ଷ କମ୍ପାନୀର ଚିହ୍ନଟ ହୋଇଛି ଯେଉଁମାନେ କେବଳ କଳାଟଙ୍କାକୁ ଏପଟସେପଟ କରିବା କାର୍ଯ୍ୟ କରୁଥିଲେ । ମୋର ପ୍ରିୟ ଦେଶବାସୀ ଜାଣି ଖୁସି ହେବେ ଯେ ମାତ୍ର 3ମାସ ମଧ୍ୟରେ ଦୁଇ ଲକ୍ଷରୁ ଉର୍ଦ୍ଧ୍ଵ କମ୍ପାନୀର ପଞ୍ଜିକରଣକୁ ରଦ୍ଦ କରାଯାଇଛି । ସେମାନଙ୍କର ବ୍ୟାଙ୍କ ଏକାଉଣ୍ଟ ମଧ୍ୟ ନିଲମ୍ବନ କରାଯାଇଛି ।

ଏବେ ଦୁଇମାସ ପୂର୍ବରୁ ଦେଶରେ ଜିଏସଟି ଲାଗୁ ହୋଇଛି । ମୁଁ ଜିଏସଟିକୁ ସରଳ ଭାଷାରେ ଗୁଡ୍ ଏଣ୍ଡ ସିମ୍ପଲ ଟେକ୍ସ କହୁଛି । ଜିଏସଟିରେ ମଧ୍ୟ ଦେଶରେ ସାଧୁତାର ସହ କାରବାର କରିବାର ନୂଆ ପରମ୍ପରା ଆରମ୍ଭ ହୋଇଛି । ଯେତେ ବ୍ୟବସାୟୀ  ଗତ 6 ବର୍ଷ ମଧ୍ୟରେ ଦେଶର ଟିକସ ବ୍ୟବସ୍ଥା ସହ ଜଡ଼ିତ ନଥିଲେ , ସେତିକି କେବଳ ଜିଏସଟି ଲାଗୁ ହେବାର ମାତ୍ର ଦୁଇମାସ ମଧ୍ୟରେ ସାମିଲ ହୋଇଛନ୍ତି । ଯେଉଁ କାମ 6 ବର୍ଷରେ ହେଉଥିଲା, ତାହା ଏବେ ମାତ୍ର 60ଦିନ ହୋଇଯାଉଛି । ଆପଣାଛାଁଏ କାମ କେମିତି ହେଉଛି ତା’ର ଏହା ହେଉଛି ଉଦାହରଣ । ଗତ 3ବର୍ଷ ମଧ୍ୟରେ ଭାରତରେ ପରିବର୍ତ୍ତନର ଏକ ନୂଆ ଯୁଗ ଆରମ୍ଭ ହୋଇଛି । ସର୍ବନିମ୍ନ ସରକାର, ସର୍ବାଧିକ ପ୍ରଶାସନର ସିଦ୍ଧାନ୍ତରେ ଚାଲି ସମସ୍ତ ପ୍ରକ୍ରିୟାକୁ ସରଳ କରାଯାଉଛି । ସହଜ କରାଯାଉଛି । ଆଇନ ପରିବର୍ତ୍ତନ ହେଉଛି, ଇଜ ଅଫ ଡୁଇଂ ବିଜିନେସ୍ ପାଇଁ ନିୟମ ସରଳ ହୋଇଛି । ଦେଶର ଲୋକଙ୍କ ମଧ୍ୟରେ ଭରସା ଫେରିଛି କି ଭାରତ ବଦଳି ପାରିବ । ଆଗକୁ ବଢ଼ିପାରିବ । ଦଶନ୍ଧି ଧରି ଭାରତକୁ ଯେଉଁ କୁକାର୍ଯ୍ୟ ମାଡ଼ି ବସି ଧରିଥିଲା, ସେଥିରୁ ଏବେ ଭାରତମୁକ୍ତ ହୋଇପାରିବ । ଏହି ଭରସା ଦେଶବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ।

ବନ୍ଧୁଗଣ, ଭାରତ ନିଜର ବିକାଶର ଲାଭ କେବଳ ନିଜ ମଧ୍ୟରେ ସୀମିତ ରଖିନାହିଁ । ଯଦି ଆମ ପାଖରେ କିଛି ଅଛି ତାକୁ ଆମେ ମିଳିମିଶି ବାଂଟି କରି ଖାଇବା ତା’ର ଆନନ୍ଦ ଅନେକ ଗୁଣ ବଢ଼ିଯାଏ । ଆଫ୍ରିକା ହେଉ ଅବା ଦକ୍ଷିଣ ଏସିଆ ଅବା ପ୍ରଶାନ୍ତ ମହାଦ୍ୱୀପ, ଆମର କ୍ଷମତା ଆମର ଅନୁଭବ ଆମ ସମସ୍ତେ ବିକାଶଶୀଳ ଦେଶଗୁଡ଼ିକ ସହ ଖୋଲାମନରେ ଶେୟାର କରୁଥିଲୁ । 2014 ରେ ମୁଁ ଦକ୍ଷିଣ ଏସିଆନ୍ ଉପଗ୍ରହ ପାଇଁ ପ୍ରତିଶ୍ରୁତି ଦେଇଥିଲି । ଆଉ ଚଳିତବର୍ଷ ଏହାକୁ ଆମେ ପ୍ରକ୍ଷେପଣ କରିଛୁ । କେବଳ ଭାରତ ନୁହେଁ ସମସ୍ତ ପଡ଼ୋଶୀ ରାଷ୍ଟ୍ର ଏହା ସହ ଜଡ଼ିତ ହୋଇଛନ୍ତି ଓ ସେମାନଙ୍କୁ ମଧ୍ୟ ଏହି ସାଟେଲାଇଟ୍ ରୁ ଫାଇଦା ମିଳୁଛି ।

ପ୍ରାକୃତିକ ବିପର୍ଯ୍ୟୟ ହେଉ ଅବା ଅନ୍ୟ କୌଣସି ପ୍ରକାରର ବିପର୍ଯ୍ୟୟ ସମୟରେ ବି ଆମେ ସର୍ବପ୍ରଥମେ ପ୍ରତିକ୍ରିୟା ଦେଉଛୁ । ନାକେବଳ ଭାରତୀୟଙ୍କର ବରଂ ପ୍ରତ୍ୟେକଙ୍କ ପାଇଁ ଯାହାର ଆମେ ସହାୟତା କରିପାରିବୁ । ଆମେ କରିବା ପାଇଁ ପଦକ୍ଷେପ ନେଇଛୁ, ପ୍ରୟାସ କରିଛୁ । ଆଉ ଯେତେବେଳେ ଆମେ ଏଭଳି ସହାୟତା କରୁ, ସେତେବେଳେ ଆମେ ପାସପୋର୍ଟର ରଙ୍ଗ ପଚାରୁ ନାହୁଁ । ନେପାଳରେ ଭୂମିକମ୍ପ ଆସିଲା, ମାଳଦ୍ୱୀପରେ ଅଚାନକ ପାଣି ସମସ୍ୟା ହେଲା, ଫିଜିରେ ସାମୁଦ୍ରିକ ଝଡ଼ ଆସିଲା, ପଶ୍ଚିମ ଏସିଆରେ ହିଂସା ଅଚଂଳରେ ହଜାର ହଜାର ଭାରତୀୟ, ବିଦେଶୀଙ୍କୁ ଉଦ୍ଧାର କଥା ହେଉ, ମିଆଁମାରରେ ବାତ୍ୟା ପରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ସହାୟତା କରିବାରେ ଆମେ ଏକ ଉତ୍ତମ ପଡୋଶୀର କର୍ତ୍ତବ୍ୟ ସମ୍ପାଦନ କରିଛୁ ।

ବନ୍ଧୁଗଣ, ବସୁଧୈବ କୁଟୁମ୍ବକମ୍, ଅର୍ଥାତ ସମଗ୍ର ବିଶ୍ୱ ଏକ ପରିବାର । ଏହି ବିଚାରଧାରା ଆମର ପରମ୍ପରା ଓ ଆମେ ଏହାକୁ ନେଇ ଗର୍ବ କରୁ । ଏହା ଆମର ଶିରାପ୍ରଶିରାରେ ରହିଛି । ଏବେ ସମଗ୍ର ବିଶ୍ୱ ଭାରତକୁ ତୃତୀୟ ନେତୃତ୍ୱ ଭାବେ ଚିହ୍ନିବା ଆରମ୍ଭ କରିଛି । ଆନ୍ତର୍ଜାତିକ ଯୋଗ ଦିବସର ପ୍ରସ୍ତାବ ହେଉ ଅବା ଆନ୍ତର୍ଜାତିକ ସୌର ମେଂଟର ନୂଆ ପ୍ରୟାସ ହେଉ ଅବା ବ୍ରିକ୍ସର ଆସନ୍ତା 10ବର୍ଷର ସୁବର୍ଣ୍ଣ ଦଶନ୍ଧିର ବିଚାରଧାରା, ଏବେ ଭାରତର ସ୍ୱର ବିଶ୍ୱରେ ଶୁଣିବାକୁ ମିଳୁଛି ଓ ଗୁଞ୍ଜରଣ କରୁଛି । ଏକ ନୂଆ ପ୍ରକାରର ବିଶ୍ୱାସ ଜନ୍ମ ନେଇଛି । ବିଶ୍ୱର ଭାରତ ପ୍ରତି ଏକ ନୂଆ ଆକାଂକ୍ଷା ଜନ୍ମ ନେଇଛି ।

ଭାଇ ଓ ଭଉଣୀମାନେ, ଭାରତ ଉତ୍ତର-ପୂର୍ବାଂଚଳ ରାଜ୍ୟଗୁଡ଼ିକୁ ଦକ୍ଷିଣ-ପୂର୍ବ ଏସିଆର ପ୍ରବେଶ ଦ୍ୱାର ବୋଲି କୁହାଯାଏ । ଆଉ ଏହି ପ୍ରବେଶଦ୍ୱାରର ଦ୍ୱାର ମିଆଁମାର ଦିଗରେ ଖୋଲିଥାଏ । ତେଣୁ ଭାରତର ଏହି ପ୍ରବେଶଦ୍ୱାରକୁ ଯୋଡ଼ୁଥିବା ସଡ଼କ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । କିଛି ମାସ ପୂର୍ବରୁ 1600କୋଟି ଟଙ୍କାର ଇମ୍ପାଲ-ମୋରେହ ସେକ୍ସନ୍ କୁ ଉନ୍ନୀତ କରିବାର କାମକୁ ଆମେ ମଞ୍ଜୁର କରିଦେଇଛୁ । ମୋରେହରେ ଗୋଟିଏ ସମନ୍ୱିତ ଚେକ୍ ପୋଷ୍ଟ ମଧ୍ୟ ନିର୍ମାଣ କରାଯାଉଛି । ଏହି ପ୍ରୋଜେକ୍ଟ ପରେ ମଣିପୁର ଓ ମିଆଁମାର ମଧ୍ୟରେ ବ୍ୟବସାୟ ଓ ଲୋକଙ୍କ ଯାତାୟତ ମଧ୍ୟ ସହଜ ହୋଇଯିବ । ଆମେ ସିତୱେ ବନ୍ଦର ତଥା ପାଲେୱା ଦ୍ୱୀପ ୱାଟର ଟର୍ମିନାଲ ଉପରେ ମଧ୍ୟ କାମ ପୁରା କରି କାଲାଦାନ ପ୍ରକଳ୍ପରେ ନିରନ୍ତର ଓ ପ୍ରତ୍ୟକ୍ଷ ପ୍ରଗତି କରୁଛୁ । ରୋଡ୍ କମ୍ପୋନେଣ୍ଟ ଉପରେ ମଧ୍ୟ କାମ ଆରମ୍ଭ ହୋଇସାରିଛି । ମୋତେ ମଧ୍ୟ ସନ୍ଦେହ ନାହିଁ ଯେ ଏହି ଟ୍ରାନ୍ସପୋର୍ଟ କରିଡରର ପାର୍ଶ୍ଵବର୍ତ୍ତୀ ଅଚଂଳକୁ ବିକାଶର କରିଡରରେ ପରିବର୍ତ୍ତନ କରିହେବ । ଏହା ମୋର ବିଶ୍ୱାସ । ଅପର ମିଆଁମାରର ଆବଶ୍ୟକତାକୁ ପୂରଣ କରିବା ପାଇଁ ଭାରତରୁ ହାଇସ୍ପିଡ୍ ଡିଜେଲ ଟ୍ରକ ଦ୍ୱାରା ଆସିବା ଆରମ୍ଭ ହୋଇସାରିଛି । ଆମେ ସୀମା ଅତିକ୍ରମ ବୁଝାମଣା ତଥା ମୋଟରଯାନ ଚୁକ୍ତି କରି ତଥା ଶକ୍ତି ଓ ବିଜୁଳି ଟ୍ରେଡିକୁ ଅଧିକ ପ୍ରୋତ୍ସାହିତ ଦେଇ ପାରସ୍ପରିକ ସହଯୋଗକୁ ଅନେକ ଗୁଣ ବୃଦ୍ଧି କରିବାକୁ ଚାହୁଁଛୁ । ଆମେ ନିଜର ବିକାଶ ସହଯୋଗ ଓ ସାମର୍ଥ୍ୟ ଗଠନ ଭାଗିଦାର ମାଧ୍ୟମରେ ଯାହାକିଛି ହାସଲ କରିଛୁ ଓ ଏହା ଉପରେ ଆଜି ଭାରତ ଗର୍ବ କରୁଛି ଓ ଗର୍ବିତ ।

ଭାରତର ଗଣତାନ୍ତ୍ରିକ ଅଭିଜ୍ଞତା ଆମେ ମିଆଁମାର ସହ ବାଣ୍ଟୁଛୁ । ଆମର ଲୋକଙ୍କ ସହ ଲୋକ କଥା ସାମାଜିକ ସଂସ୍କୃତି ସମ୍ବନ୍ଧ ଆମର ସବୁଠାରୁ ବଡ଼ ଐତିହ୍ୟ । ଆଉ ଏହାକୁ ସୁଦୃଢ଼ କରିବା ପାଇଁ ଆମେ ଭାରତ ଆସିବାକୁ ଇଚ୍ଛୁକ ମିଆଁମାର ସମସ୍ତ ନାଗରିକଙ୍କୁ ଗ୍ରାଟିସ ଭିସା ଦେବାକୁ ନିଷ୍ପତ୍ତି ନେଇଛୁ । ଆମେ ମିଆଁମାରର 40 ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛୁ, ଯେଉଁମାନେ କି ଏବେ ଭାରତୀୟ ଜେଲରେ ବନ୍ଦୀ ଅଛନ୍ତି । ମୁଁ ଆଶା କରୁଛି ଖୁବଶୀଘ୍ର ମିଆଁମାରରେ ନିଜର ପରିବାର ସହ ସେମାନେ ସାକ୍ଷାତ କରିପାରିବେ ।

ଆଜି ମୁଁ ବାଗାନରେ ଆନନ୍ଦ ମନ୍ଦିର ଯାଇଥିଲି । ଆନନ୍ଦ ମନ୍ଦିର ଓ ଅନ୍ୟ ଐତିହାସିକ ଓ ସାଂସ୍କୃତିକ କୋଠାରେ ଗତବର୍ଷ ଭୂମିକମ୍ପ ହୋଇଥିବା କ୍ଷତି ପରେ ଭାରତର ସହଯୋଗରେ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି । ଭାରତ ଓ ମିଆଁମାର ମଧ୍ୟରେ ଏତେ ଐତିହାସିକ ସମ୍ବନ୍ଧ ରହଛି କି ତା’ର ସୂଚନା ଏକ ବହୁତ ବଡ଼ ବିଷୟ । ମୋ ମତରେ ଆଗାମୀ ପିଢ଼ିକୁ ମଧ୍ୟ ଏହି ସୂଚନା ରହିବା ଉଚିତ୍ । ଏ ସମ୍ବନ୍ଧରେ ମିଳିତ ଭାବେ ଗବେଷଣାର ପ୍ରୟାସ ହେବା ଉଚିତ୍ ।

ମୁଁ ଏଠି ଆଲୋଚନାବେଳେ ସରକାରଙ୍କ ସମ୍ମୁଖରେ ଏକ ପ୍ରସ୍ତାବ ରଖିଛି । ଆଇଏନ୍ଏ ସ୍ମାରକର ସର୍ଭେ ଆମେ ଏକାଠି ମିଶି କରିବା । ଏକ ମିଳିତ ଇତିହାସ ପ୍ରକଳ୍ପର ସ୍ଥାପନ କରାଯାଇପାରେ । ଏହା ଦ୍ୱାରା ଦୁଇ ଦେଶ ମଧ୍ୟରେ ଲୋକଙ୍କ ସହ ଲୋକଙ୍କ ଯୋଗାଯୋଗ ଅଧିକ ସୁଦୃଢ଼ ହେବ ।

ମୋତେ ଆପଣଙ୍କୁ ଜଣାଇ ଖୁସି ଲାଗୁଛି କି ଆମେ ଜାତୀୟ ପଞ୍ଜିକରଣ କାର୍ଡର ଆଧାରରେ ଓସିଆଇ ଦେବାକୁ ନିଷ୍ପତ୍ତି ନେଇଛୁ । ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ସମ୍ବନ୍ଧକୁ ଅଧିକ ସୁଦୃଢ଼ କରିବା ପାଇଁ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦର ବୃତି ପରିମାଣ ବୃଦ୍ଧି କରିବାକୁ ମଧ୍ୟ ନିଷ୍ପତ୍ତି ଭାରତ ସରକାର ନେଇଛନ୍ତି ।

ବନ୍ଧୁଗଣ, ମୁଁ ଥରେ କେଉଁଠି ପଢ଼ିଥିଲି କି ଭାରତ ଓ ମିଆଁମାର ସମ୍ପର୍କର ଆଧାର 5ବି । 5ବି ଅର୍ଥାତ୍ ବୁଦ୍ଧିଜିମ୍, ବିଜନେସ୍, ବଲିଉଡ, ଭାରତନାଟ୍ୟମ୍ ଓ ବର୍ମା ଟିକ୍ । କିନ୍ତୁ ମୋତେ ଲାଗୁଛି ଏଥିରେ ସବୁଠାରୁ ମହତ୍ୱପୂର୍ଣ୍ଣ ବି ବାଦ୍ ପଡ଼ିଯାଇଛି । ଆଉ ସେହି ‘ବି’ ହେଉଛି ବିଶ୍ୱାସ (ବିଲିଭ୍) । ଭାରତ ଓ ମିଆଁମାର ହେଉଛନ୍ତି ପରସ୍ପରର ବିଶ୍ୱାସ । ଏହି ବିଶ୍ୱାସର ଭିତ୍ତିଭୂମି ଶହ ଶହ ବର୍ଷ ଧରି ସୁଦୃଢ଼ ହୋଇ ରହିଛି । ଆଉ ସମୟର ସହ ସୁଦୃଢ଼ ହେବାରେ ଲାଗିଛି ।

ଭାଇ ଓ ଭଉଣୀମାନେ, ସବ୍କା ସାଥ-ସବ୍କା ବିକାଶର ଯେଉଁ ମନ୍ତ୍ରରେ ଆମର ସରକାର ଚାଲିଛି, ତାହା ସୀମା ମଧ୍ୟରେ ସୀମିତ ନାହିଁ । ସବ୍କା ସାଥ୍ ଅର୍ଥାତ ପ୍ରତ୍ୟେକ ଦେଶର ସହଯୋଗ । ସବ୍କା ବିକାଶ ଅର୍ଥାତ ପ୍ରତ୍ୟେକ ଦେଶର ବିକାଶ । ଭାରତର ବିକାଶ କାର୍ଯ୍ୟରେ ମିଆଁମାର ଚାଲିବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରତିଶ୍ରୁତିବଦ୍ଧ ।

ଆପଣମାନେ ଏଥିରେ ଆପଣମାନଙ୍କ ଆଶୀର୍ବାଦ ପାଇଁ ଆପଣମାନଙ୍କୁ ପୁଣିଥରେ ମଥାନତ  କରୁଛି । ଆପଣମାନଙ୍କ ଦର୍ଶନ କରିବାର ସୌଭାଗ୍ୟ ମିଳିଲା ।, ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ । ଏତେ ବଡ଼ ସଂଖ୍ୟାରେ ଆପଣମାନେ ଆସିଥିଲେ, ଦେଶର କଥା ଶୁଣିଲେ, ଦେଶ ସହ ଭଲପାଇବା କାରଣରୁ ଦେଶ ସହ ଯୋଡ଼ି ହେବାର ଉଦ୍ଦେଶ୍ୟରେ , ଏତେ ବଡ଼ ସଂଖ୍ୟାରେ ଆପଣ ଆସିଲେ । ମୁଁ ପୁଣିଥରେ ଆପଣମାନଙ୍କୁ ହୃଦୟପୂର୍ବକ କୃତଜ୍ଞତା ଜଣାଉଛି । ଏହି ମାଟିକୁ ପ୍ରଣାମ କରୁଛି । ଆପଣ ସମସ୍ତଙ୍କୁ ପ୍ରମାଣ କରୁଛି  । ବହୁତ ବହୁତ ଧନ୍ୟବାଦ

 

**********