ମହାମହିମ, ମୋର ବନ୍ଧୁ ରାଷ୍ଟ୍ରପତି ସୋଲିହ,
ଭାଇ ଓ ଭଉଣୀମାନେ,
ମୁଁ ଆନନ୍ଦିତ ଯେ ମୋର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବିଦେଶ ଗସ୍ତରେ ଆପଣଙ୍କ ସୁନ୍ଦର ଦେଶ ମାଳଦ୍ୱୀପକୁ ଆସିବା ଲାଗି ମୋତେ ସୌଭାଗ୍ୟ ପ୍ରାପ୍ତ ହେଲା ।
ଏହା ମଧ୍ୟ ଆନନ୍ଦର କଥା ଯେ ଆପଣଙ୍କ ଭଳି ନିବିଡ଼ ବନ୍ଧୁଙ୍କୁ ପୁଣିଥରେ ଭେଟିବାର ସୁଯୋଗ ମଧ୍ୟ ମୋତେ ମିଳିଲା ।
ଏହି ସୁଯୋଗ ଲାଗି ଏବଂ ଆପଣଙ୍କ ଚମତ୍କାର ଆତିଥେୟତା ପାଇଁ, ନିଜ ଟିମ ଏବଂ ନିଜ ପକ୍ଷରୁ, ମୁଁ ଆପଣଙ୍କୁ ତଥା ମାଳଦ୍ୱୀପ ସରକାରଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରୁଛି ।
ଆମ ଦେଶ କିଛିଦିନ ପୂର୍ବରୁ ଇଦ ପର୍ବ ହର୍ଷ ଓ ଉଲ୍ଲାସର ସହ ପାଳନ କରିଛି ।
ମୋର ଶୁଭକାମନା ଯେ ଏହି ପର୍ବର ଆଲୋକ ଆମ ନାଗରିକମାନଙ୍କ ଜୀବନକୁ ସବୁବେଳେ ଆଲୋକିତ କରିଚାଲିଥାଉ ।
ମହାମହିମ,
ଆଜି ମୋତେ ମାଳଦ୍ୱୀପର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରି ଆପଣମାନେ କେବଳ ମୋତେ ନୁହେଁ ବରଂ ସାରା ଭାରତବର୍ଷକୁ ଏକ ନୂତନ ଗୌରବ ପ୍ରଦାନ କରିଛନ୍ତି ।
ନିଶାନ ଇଜ୍ଜୁଦ୍ଦିନ ସମ୍ମାନ ମୋ ପାଇଁ ହର୍ଷ ଏବଂ ଗର୍ବର ବିଷୟ । ଏହା ମୋର ନୁହେଁ ବରଂ ଦୁଇ ଦେଶ ମଧ୍ୟରେ ବନ୍ଧୁତା ଏବଂ ଘନିଷ୍ଠ ସମ୍ପର୍କ ପ୍ରତି ସମ୍ମାନ ।
ମୁଁ ଏହାକୁ ଅତି ବିନମ୍ରତା ଏବଂ କୃତଜ୍ଞତାର ସହିତ ସମସ୍ତ ଭାରତୀୟଙ୍କ ପକ୍ଷରୁ ସ୍ୱୀକାର କରୁଛି ।
ଆମ ଦୁଇ ଦେଶକୁ ଭାରତ ମହାସାଗରର ଢେଉ ହଜାର ହଜାର ବର୍ଷ ଧରି ଘନିଷ୍ଠ ଐତିହାସିକ ଏବଂ ସାଂସ୍କୃତିକ ସମ୍ପର୍କରେ ବାନ୍ଧିଛି ।
ଏହି ଅତୁଟ ବନ୍ଧୁତା କଠିନ ସମୟରେ ମଧ୍ୟ ଆମର ମାର୍ଗଦର୍ଶକ ହୋଇରହିଛି ।
1988ରେ ବାହ୍ୟ ଆକ୍ରମଣ ହେଉ କିମ୍ବା ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ନିକଟରେ ପିଇବା ପାଣିର ସଂକଟ । ଭାରତ ସବୁବେଳେ ମାଳଦ୍ୱୀପ ସହିତ ଛିଡ଼ା ହୋଇଛି ଏବଂ ସହାୟତା ପାଇଁ ସର୍ବପ୍ରଥମେ ଆସିଛି ।
ବନ୍ଧୁଗଣ,
ଭାରତରେ ସଂସଦୀୟ ନିର୍ବାଚନ ଏବଂ ମାଳଦ୍ୱୀପରେ ରାଷ୍ଟ୍ରପତି ଏବଂ ମଜଲିସର ନିର୍ବାଚନର ଜନାଦେଶରୁ ଏହା ସ୍ପଷ୍ଟ ଯେ ଆମ ଦୁଇ ଦେଶର ଲୋକମାନେ ସ୍ଥିରତା ଏବଂ ବିକାଶ ଚାହୁଁଛନ୍ତି । ଏପରି ସ୍ଥିତିରେ, ଜନ–କୈନ୍ଦ୍ରିକ ଏବଂ ସମାବେଶୀ ତଥା ସୁଶାସନ ଲାଗି ଆମର ଉତରଦାୟିତ୍ୱ ଆହୁରି ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଯାଉଛି ।
ମୁଁ ଏବେ ରାଷ୍ଟ୍ରପତି ସୋଲିହଙ୍କ ସହିତ ଅଧିକ ବିସ୍ତୃତ ଏବଂ ଉପଯୋଗୀ ବିଚାର–ବିମର୍ଶ କରିଛି । ଆମେ ଆପୋଷ ସ୍ୱାର୍ଥର କ୍ଷେତ୍ରୀୟ ଏବଂ ବୈଶ୍ୱିକ ପ୍ରସଙ୍ଗଗୁଡ଼ିକ ସହିତ ଆମର ଦ୍ୱିପାକ୍ଷିକ ସହଯୋଗକୁ ସମ୍ପ୍ରସାରିତ କରିବା ଲାଗି ସମୀକ୍ଷା କରିଛୁ । ଆମ ଭାଗିଦାରୀର ପରବର୍ତୀ ଦିଗ ଉପରେ ଆମ ଭିତରେ ସମ୍ପୂର୍ଣ୍ଣ ସହମତି ରହିଛି ।
ରାଷ୍ଟ୍ରପତି ସୋଲିହ, ଆପଣ ଦାୟିତ୍ୱ ଗ୍ରହଣ କରିବା ପରେ ଦ୍ୱିପାକ୍ଷିକ ସହଯୋଗର ଗତି ଓ ଦିଗରେ ମୌଳିକ ପରିବର୍ତନ ଆସିଛି । ଡିସେମ୍ବର 2018ରେ ଆପଣଙ୍କ ଭାରତ ଗସ୍ତ କାଳରେ ନିଆଯାଇଥିବା ନିଷ୍ପତିକୁ ଦୃଢ଼ ଏବଂ ସମୟବଦ୍ଧ ଢଙ୍ଗରେ ଲାଗୁ କରାଯାଉଛି ।
ବନ୍ଧୁଗଣ,
ରାଷ୍ଟ୍ରପତି ସୋଲିହଙ୍କ ଭାରତ ଗସ୍ତ କାଳରେ ଘୋଷିତ 1.4ବିଲିୟନ ଡଲାରର ଆର୍ଥିକ ପ୍ୟାକେଜ ଦ୍ୱାରା ମାଳଦ୍ୱୀପର ତତକାଳୀନ ଆର୍ଥିକ ଆବଶ୍ୟକତା ପୂରଣ ତ’ ହୋଇପାରିଛି । ଏଥିସହିତ ସାମାଜିକ ପ୍ରଭାବର ଅନେକ ନୂଆ ପ୍ରୋଜେକ୍ଟ ଆରମ୍ଭ କରାଯାଇଛି । ଆହୁରି 800 ମିଲିୟନ ଡଲାରର ଲାଇନ ଅଫ କ୍ରେଡିଟ ଅନ୍ତର୍ଗତ ବିକାଶ କାର୍ଯ୍ୟର ନୂଆ ରାସ୍ତା ମଧ୍ୟ ଖୋଲିଛି ।
ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ବିକାଶର ଭାଗିଦାରୀତାକୁ ଆହୁରି ଅଧିକ ଦୃଢ଼ କରିବା ଲାଗି ଆମେ ମାଳଦ୍ୱୀପର ସାଧାରଣ ନାଗରିକମାନଙ୍କୁ ଲାଭ ପହଁଚାଯାଉଥିବା ପ୍ରକଳ୍ପ ଉପରେ ଧ୍ୟାନ କେନ୍ଦ୍ରିତ କରିଛୁ । ଆଜି ଆମର ଦ୍ୱିପାକ୍ଷିକ ସହଯୋଗ ମାଳଦ୍ୱୀପରେ ସାଧାରଣ ଜନ–ଜୀବନର ପ୍ରତ୍ୟେକ ଦିଗକୁ ସ୍ପର୍ଶ କରୁଛି ।
ବିଭିନ୍ନ ଦ୍ୱୀପରେ ପାଣି ଏବଂ ସଫେଇ ବ୍ୟବସ୍ଥା;
କ୍ଷୁଦ୍ର ଏବଂ ଲଘୁ ଉଦ୍ୟୋଗ ଲାଗି ପର୍ଯ୍ୟାପ୍ତ ଅର୍ଥ ବ୍ୟବସ୍ଥା;
ବନ୍ଦରଗୁଡ଼ିକର ବିକାଶ;
କନଫରେନ୍ସ ଏବଂ କମ୍ୟୁନିଟି ସେଂଟର ନିର୍ମାଣ;
କ୍ରିକେଟ ଷ୍ଟାଡିୟମର ନିର୍ମାଣ;
ଜରୁରୀକାଳୀନ ଚିକିତ୍ସା ସେବା;
ଆମ୍ବୁଲାନ୍ସ ସେବା;
ଉପକୂଳ ସୁରକ୍ଷା ସୁନିଶ୍ଚିତ କରିବା;
ଆଉଟଡୋର ଫିଟନେସ ଉପକରଣର ବ୍ୟବସ୍ଥା;
ଡ୍ରଗ ଡିଟକ୍ସ ସେଂଟର;
ଷ୍ଟୁଡେଂଟ ଫେରୀ;
କୃଷି ଏବଂ ମତ୍ସ୍ୟ ପାଳନ;
ଅକ୍ଷୟ ଶକ୍ତି ଏବଂ ପର୍ଯ୍ୟଟନ;
ଏପରି ଅନେକ ଭାରତୀୟ ସହଯୋଗ ପ୍ରକଳ୍ପ ଦ୍ୱାରା ମାଳଦ୍ୱୀପର ଲୋକମାନଙ୍କୁ ସିଧାସଳଖ ଫାଇଦା ମିଳିପାରୁଛି ।
ଆମେ ଅଡ୍ଡୁରେ ଭିତିଭୂମି ବିକାଶ ଏବଂ ଐତିହାସିକ ଫ୍ରାଇଡେ ମସଜିଦର ସଂରକ୍ଷଣ ଉପରେ ସହଯୋଗ ଲାଗି ମଧ୍ୟ ସହମତ ହୋଇଛୁ ।
ଦୁଇ ଦେଶର ନାଗରିକମାନଙ୍କ ମଧ୍ୟରେ ସମ୍ପର୍କ ବଢ଼ାଇବା ଲାଗି, ଆମେ ଭାରତରେ କୋଚି ଏବଂ ମାଳଦ୍ୱୀପରେ କୁଲଧୁଫୁଶୀ ଏବଂ ମାଲେ ମଧ୍ୟରେ ନୌକା ସେବା ଆରମ୍ଭ କରିବା ଲାଗି ମଧ୍ୟ ସହମତ ହୋଇଛୁ ।
ମାଳଦ୍ୱୀପରେ ରୁପେ କାର୍ଡ ଜାରି କରିବା ଦ୍ୱାରା ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟାରେ ବୃଦ୍ଧି ହେବ । ଏ ବିଷୟରେ ଆମେ ଶୀଘ୍ର ପଦକ୍ଷେପ ନେବୁ ।
ପ୍ରତିରକ୍ଷା ସହଯୋଗକୁ ଆହୁରି ସୁଦୃଢ଼ କରିବା ଉପରେ ମଧ୍ୟ ଆଲୋଚନା ହୋଇଛି ।
ଆଜି ଆମେ ମିଳିତ ଭାବେ ମାଳଦ୍ୱୀପ ପ୍ରତିରକ୍ଷା ବାହିନୀର କମ୍ପୋଜିଟ ଟ୍ରେନିଂ ସେଂଟର ଏବଂ ଉପକୂଳ ଅନୁଧ୍ୟାନର ରାଡାର ପ୍ରଣାଳୀର ଉଦଘାଟନ କରିଛୁ । ଏହା ମାଳଦ୍ୱୀପର ସାମୁଦ୍ରିକ ସୁରକ୍ଷାକୁ ଆହୁରି ବଢ଼ାଇବ ।
ଭାରତ ମାଳଦ୍ୱୀପ ସହିତ ନିଜ ସମ୍ପର୍କକୁ ସବୁଠୁ ଅଧିକ ଗୁରୁତ୍ୱ ଦେଉଛି । ଆମେ ପରସ୍ପରର ସହିତ ଏକ ଗଭୀର ଏବଂ ଦୃଢ଼ ଭାଗିଦାରୀତା ଚାହୁଁଛୁ । ଏକ ସମୃଦ୍ଧ, ଗଣତାନ୍ତ୍ରିକ ଏବଂ ଶାନ୍ତିପୂର୍ଣ୍ଣ ମାଳଦ୍ୱୀପ ସମଗ୍ର କ୍ଷେତ୍ରର ମଙ୍ଗଳ ପାଇଁ ଆବଶ୍ୟକ ।
ମୁଁ ଏହା ମଧ୍ୟ ଦୋହରାଇବାକୁ ଚାହୁଁଛି ଯେ ଭାରତ ମାଳଦ୍ୱୀପକୁ ଯଥାସମ୍ଭବ ସହାୟତା କରିବା ଲାଗି ସବୁବେଳେ ପ୍ରତିବଦ୍ଧ ।
ମୁଁ ପୁଣିଥରେ ମହାମହିମ ରାଷ୍ଟ୍ରପତି ଏବଂ ମାଳଦ୍ୱୀପର ଲୋକମାନଙ୍କୁ ଉଦାରତାପୂର୍ଣ୍ଣ ଆତିଥେୟତା ପାଇଁ ଧନ୍ୟବାଦ ଜଣାଉଛି ।
ଭାରତ–ମାଳଦ୍ୱୀପ ସମ୍ପର୍କ ଅମର ରହୁ ।
ଦିବେହି ରାଜ୍ଜେ ଆ ଇଣ୍ଡିୟାଗେ ରାହମେଥେରୀଖନ ଅବଦହ ।
ଧନ୍ୟବାଦ!
*********
PM @narendramodi is addressing a joint press meet with President @ibusolih. https://t.co/qCCTwPCqw4
— PMO India (@PMOIndia) June 8, 2019