Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମସୁରୀଠାରେ 92ତମ ଫାଉଣ୍ଡେସନ କୋର୍ସର ଅଫିସର ଟ୍ରେନିମାନଙ୍କୁ ଉଦ୍ବୋଧନ;

ମସୁରୀଠାରେ 92ତମ ଫାଉଣ୍ଡେସନ କୋର୍ସର ଅଫିସର ଟ୍ରେନିମାନଙ୍କୁ ଉଦ୍ବୋଧନ;

ମସୁରୀଠାରେ 92ତମ ଫାଉଣ୍ଡେସନ କୋର୍ସର ଅଫିସର ଟ୍ରେନିମାନଙ୍କୁ ଉଦ୍ବୋଧନ;

ମସୁରୀଠାରେ 92ତମ ଫାଉଣ୍ଡେସନ କୋର୍ସର ଅଫିସର ଟ୍ରେନିମାନଙ୍କୁ ଉଦ୍ବୋଧନ;


କ୍ୟାରିୟର ବଦଳରେ ମିଶନ୍ ଭାବନାନେଇ କାର୍ଯ୍ୟ କରିବାକୁ ଭାରତୀୟ ପ୍ରଶାସନିକ ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡ ଗସ୍ତର ଦ୍ୱିତୀୟ ଦିନରେ ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ, ମସୁରୀଠାରେ 92ତମ ଫାଉଣ୍ଡେସନ କୋର୍ସର ତାଲିମ ଗ୍ରହଣ କରୁଥିବା 360 ଜଣ ଅଫିସରମାନଙ୍କୁ ଉଦବୋଧନ ଦେଇଥିଲେ । ଏହି ଅଧିକାରୀମାନେ 17ଟି ଭାରତୀୟ ପ୍ରଶାସନିକ ସେବା ଏବଂ ରୟାଲ୍ ଭୂଟାନ୍ ପ୍ରଶାସନିକ ସେବାର 3ଟି ସେବାରୁ ପ୍ରତିନିଧିତ୍ୱ କରୁଛନ୍ତି ।

“ମୁଁ କାହିଁକି ପ୍ରଶାସନିକ ସେବାରେ ଯୋଗ ଦେଉଛି” ଏବଂ ଗୃହ ନିର୍ମାଣ, ଶିକ୍ଷା, ସମନ୍ୱିତ ପରିବହନ ବ୍ୟବସ୍ଥା, ଅପପୁଷ୍ଟି, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ଦକ୍ଷତା ବିକାଶ, ଡିଜିଟାଲ କାରବାର, ଏକ ଭାରତ-ଶ୍ରେଷ୍ଠ ଭାରତ ଏବଂ ନୂତନ ଭାରତ-2022 ଆଦି ବିଷୟରେ ତାଲିମରତ ଅଧିକାରୀମାନେ ନିଜ ନିଜର ସନ୍ଦର୍ଭ ଓ ପ୍ରସ୍ତୁତି ଉପସ୍ଥାପନ କରିବା ସହିତ ଉଦବୋଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ସ୍ୱଚ୍ଛ ଭାରତ ମିଶନ ଉପରେ ତାଲିମ ନେଉଥିବା ଅଫିସରମାନେ ମଧ୍ୟ ସେମାନଙ୍କ ଶ୍ରେଷ୍ଠ ବିଚାର ଓ ଚିନ୍ତନ ଉପସ୍ଥାପନ କରିଥିଲେ ।

ଅଫିସର ଟ୍ରେନିମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସେମାନଙ୍କୁ ସେମାନଙ୍କ ଉପସ୍ଥାପନା ପାଇଁ ଧନ୍ୟବାଦ ଜଣାଇଥିଲେ । ସେ କହିଥିଲେ ଯେ ଏହି ଉପସ୍ଥାପନାଗୁଡ଼ିକୁ ଗଭୀର ଭାବେ ଅନୁଧ୍ୟାନ କରିବା ଲାଗି ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହା ଉପରେ ସେମାନଙ୍କ ଟିପ୍ପଣୀ ଏବଂ ମତ ଅଫିସର ଟ୍ରେନିମାନଙ୍କୁ ସେମାନଙ୍କ ଫାଉଣ୍ଡେସନ କୋର୍ସ ଶେଷ ହେବା ପରେ ସୂଚିତ କରାଯିବ ।

ତାଲିମ ଶେଷ ହେବା ସଙ୍ଗେ ସଙ୍ଗେ ପରବର୍ତ୍ତୀ ଜୀବନ ପାଇଁ ସେମାନଙ୍କ ପ୍ରସ୍ତୁତି କିଭଳି ହେବ ସେ ସମ୍ପର୍କରେ ଅଫିସର ଟ୍ରେନିମାନଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ ଅଫିସର ଟ୍ରେନିମାନେ ନିଜ ଆଖପାଖରେ ଥିବା ଲୋକମାନଙ୍କ ପ୍ରତି ସତର୍କ ଏବଂ ସଜାଗ ରହିବା ଆବଶ୍ୟକ । ସେ କହିଥିଲେ ଯେ ପୁସ୍ତକରୁ ଗ୍ରହଣ କରିଥିବା ଶିକ୍ଷା ନିଶ୍ଚିତ ଭାବେ ସେମାନଙ୍କୁ ଭୁଲ ମାର୍ଗରେ ଯିବାରୁ ବିରତ କରିବ; କିନ୍ତୁ ଦଳଗତ ଭାବେ କାର୍ଯ୍ୟ କରିବା ଏବଂ ଲୋକମାନଙ୍କ ସହିତ ଯୋଡ଼ି ହୋଇ କାମ କରିବାରେ ସେମାନଙ୍କ ଦକ୍ଷତା ସେମାନଙ୍କୁ ସଫଳ କରିପାରିବ ।

ନୀତି ଓ ଯୋଜନାଗୁଡ଼ିକର ସଫଳ କାର୍ଯ୍ୟକାରୀତା ପାଇଁ ଜନଭାଗିଦାରୀ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତା ପୂର୍ବରୁ ବ୍ରିଟିଶରାଜକୁ ସଂରକ୍ଷିତ କରି ରଖିବାର ଦାୟିତ୍ୱ ପ୍ରଶାସନିକ ସେବାକୁ ଦିଆଯାଇଥିଲା । ବର୍ତ୍ତମାନ ପ୍ରଶାସନିକ ସେବାର ଲକ୍ଷ୍ୟ ଜନସାଧାରଣଙ୍କ ସମୃଦ୍ଧି ଏବଂ କଲ୍ୟାଣ ପାଇଁ କାର୍ଯ୍ୟ କରିବା । ସେ କହିଥିଲେ ଯଦି ପ୍ରଶାସନିକ ସେବା ଅଧିକାରୀମାନେ  ଏହି ଲକ୍ଷ୍ୟ ନେଇ କାର୍ଯ୍ୟ କରନ୍ତି ତା’ହେଲେ ପ୍ରଶାସନିକ କଳ ଏବଂ ଲୋକମାନଙ୍କ ମଧ୍ୟରେ ରହିଥିବା ବ୍ୟବଧାନ ହ୍ରାସ ପାଇପାରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଶାସନିକ ସେବା ଅଧିକାରୀମାନଙ୍କ ମଧ୍ୟରେ ସ୍ଥାଣୁତା ଏବଂ ଦଳଗତ ଉତ୍ସାହର ଅଭାବକୁ ମସୁରୀରେ ପ୍ରାରମ୍ଭିକ ତାଲିମ ସମୟରେ ଦୂର କରାଯାଇପାରିବ । ମସୁରୀରେ ପ୍ରାରମ୍ଭିକ କୋର୍ସ ସମୟରେ ଅଫିସର ଟ୍ରେନିମାନେ କରୁଥିବା ଯାତ୍ରା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯାତ୍ରା ସମୟରେ ସେମାନେ ଆହରଣ କରୁଥିବା ଜ୍ଞାନ, ଯେପରିକି ଦଳଗତ ଉତ୍ସାହ ଏବଂ ନେତୃତ୍ୱକୁ ସେମାନଙ୍କ କ୍ୟାରିଅରରେ ଉପଯୋଗ କରିବା ଉଚିତ୍ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାମାଜିକ ଆନ୍ଦୋଳନ ଗଣତନ୍ତ୍ରରେ ପରିବର୍ତ୍ତନ ଆଣିପାରିବ । ପ୍ରଶାସନିକ ସେବା ଏହାର ଉତପ୍ରେରକ ହେବା ଉଚିତ । ଗତକାଲି ଅଫିସର ଟ୍ରେନିଙ୍କ ଦ୍ୱାରା ଗାନ କରାଯାଇଥିବା “ବୈଷ୍ଣବ ଜନ” ଭକ୍ତି ସଂଗୀତ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଏହି ସଂଗୀତର ପଦ “ବୈଷ୍ଣବ ଜନ” ସ୍ଥାନରେ “ପ୍ରଶାସନିକ ସେବାଧିକାରୀ” ପରିବର୍ତ୍ତନ କରି ଅଫିସ ଟ୍ରେନିମାନେ ଏହା ଉପରେ ଚିନ୍ତନ କରିବା ଆବଶ୍ୟକ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନାମବିହିନତା ପ୍ରଶାସନିକ ସେବା ଅଧିକାରୀଙ୍କ ସବୁଠୁ ବଡ଼ ସାମର୍ଥ୍ୟ । ଅଶୋକ ସ୍ତମ୍ଭ/ଚିହ୍ନର ଅଦୃଶ୍ୟ ଚତୁର୍ଥ ସିଂହ ଭାବେ ସେ ପ୍ରଶାସନିକ ସେବା ଅଧିକାରୀମାନଙ୍କୁ ଅଭିହିତ କରି କହିଥିଲେ ଯେ ସର୍ବଦା ଏହାର ଅଦୃଶ୍ୟ ଉପସ୍ଥିତି ଅନୁଭୂତ ହୋଇଥାଏ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭ୍ରମଣ ଏକ ଶ୍ରେଷ୍ଠ ଭାରତୀୟ ପରମ୍ପରା । ଭ୍ରମଣ କରିବା ଏବଂ ଲୋକମାନଙ୍କ ସହିତ ବାର୍ତ୍ତାଳାପ କରିବା ଏକ ଶ୍ରେଷ୍ଠ ଶିକ୍ଷା ଅଭିଜ୍ଞତା ପ୍ରଦାନ କରିଥାଏ । ନିଯୁକ୍ତି ପାଇବା ପରେ କ୍ଷେତ୍ର ପରିଦର୍ଶନ କରିବା ଲାଗି ସେ ଅଫିସର ଟ୍ରେନିମାନଙ୍କୁ ପରାମର୍ଶ ଦେଇଥିଲେ ।

ଅଫିସର ଟ୍ରେନିମାନଙ୍କୁ ଉତ୍ସାହିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “କ୍ୟାରିୟର ଭାବନା” ନେଇ ସେମାନେ ଏଲବିଏସଏନଏଏକୁ ଆସିଥିଲେ, ବର୍ତ୍ତମାନ  ଭାରତର ଜନସାଧାରଣଙ୍କ ସେବା ପାଇଁ “ମିଶନ୍ ଭାବନା” ନେଇ ଆଗେଇ ଯିବା ଉଚିତ । ସେ କହିଥିଲେ ଯେ ଭବିଷ୍ୟତରେ ସେମାନେ ଯେତେବେଳେ କ୍ଷେତ୍ରରେ କାର୍ଯ୍ୟ କରିବେ ସେମାନେ ଏହା ସେମାନଙ୍କ “ଜୀବନର ଉଦ୍ଦେଶ୍ୟ” ହେବା ଉଚିତ ।

ଏଥିପୂର୍ବରୁ ସକାଳେ ପ୍ରଧାନମନ୍ତ୍ରୀ ଅଫିସର ଟ୍ରେନିମାନଙ୍କ ସହିତ ଆୟୋଜିତ ଯୋଗ ଅଧିବେଶନରେ ଯୋଗ ଦେଇଥିଲେ । ଏହା ହିମାଳୟର ପାଦଦେଶରେ ଥିବା ଏକାଡେମୀ ଘାସ ପଡ଼ିଆରେ ଆୟୋଜନ କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ନୂଆ ହଷ୍ଟେଲ କୋଠା ଏବଂ 200ମିଟର ବହୁମୁଖୀ ସିନ୍ଥେଟିକ୍ ଆଥଲେଟିକ୍ ଟ୍ରାକ୍ ର ଶିଳାନ୍ୟାସ କରିଥିଲେ ।

ପ୍ରଧାନମନ୍ତ୍ରୀ ଏକାଡେମୀ ପରିସରରେ ଥିବା ବାଲୱାଡ଼ି ପରିଦର୍ଶନ କରିଥିଲେ ଏବଂ ପିଲାମାନଙ୍କ ସହ ବାର୍ତ୍ତାଳାପ କରିଥିଲେ । ସେ ଏକାଡେମୀ ପରିସରରେ ଥିବା ବ୍ୟାୟାମଶାଳା ଓ ଅନ୍ୟାନ୍ୟ ସୁବିଧା ମଧ୍ୟ ବୁଲି ଦେଖିଥିଲେ ।