ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ମରିସସ ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବିନ୍ଦ ଜଗନ୍ନାଥଙ୍କୁ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀ ଜଗନ୍ନାଥ ତାଙ୍କ ପତ୍ନୀ ଶ୍ରୀମତୀ କବିତା ଜଗନ୍ନାଥଙ୍କ ସହ ବ୍ୟକ୍ତିଗତ ଗସ୍ତରେ ଭାରତ ଆସିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବିପୁଳ ଜନାଦେଶ ସହ ପୁନର୍ବାର ନିର୍ବାଚିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଜଗନ୍ନାଥଙ୍କୁ ହାର୍ଦ୍ଦିକ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପ୍ରଧାନମନ୍ତ୍ରୀ ଜଗନ୍ନାଥ ଏଥିପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇବା ସହିତ ଦୁଇ ଦେଶ ମଧ୍ୟରେ ରହିଥିବା ବନ୍ଧୁତ୍ୱପୂର୍ଣ୍ଣ ଓ ସ୍ଥାୟୀ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ ଓ ନିବିଡ଼ କରିବା ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ ।
ମରିସସରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ ସହଯୋଗ ପ୍ରକଳ୍ପ ଯଦା ମେଟ୍ରୋ ଏକ୍ସପ୍ରେସ ପ୍ରକଳ୍ପ, ଇଏନଟି ହସପିଟାଲ, ସାମାଜିକ ଆବାସିକ ପ୍ରକଳ୍ପ ପାଇଁ ଭାରତର ସହଯୋଗ ନିମନ୍ତେ ପ୍ରଧାନମନ୍ତ୍ରୀ ଜଗନ୍ନାଥ ଗଭୀର କୃତଜ୍ଞତା ଜ୍ଞାପନ କରିଥିଲେ । ଏସବୁ ପ୍ରକଳ୍ପ ବାସ୍ତବରେ ଏହାର ଲୋକମାନଙ୍କୁ ଲାଭାନ୍ୱିତ କରୁଛି ।
ପ୍ରଧାନମନ୍ତ୍ରୀ ଜଗନ୍ନାଥ କହିଥିଲେ ଯେ ନୂତନ କାର୍ଯ୍ୟକାଳ ସମୟରେ ମରିସସର ସାମଗ୍ରିକ ଉନ୍ନତିକୁ ତ୍ୱରାନ୍ୱିତ କରିବା ଏବଂ ଭାରତ ସହିତ ସହଯୋଗକୁ ଆହୁରି ନିବିଡ଼ କରିବା ହେବ ତାଙ୍କର ପ୍ରାଥମିକତା । ଏ ଦିଗରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଅଧିକ ସୁରକ୍ଷିତ, ସ୍ଥିର ଏବଂ ସମୃଦ୍ଧ ମରିସସ ନିର୍ମାଣ ଲାଗି ସେଠାକାର ସରକାର ଏବଂ ଲୋକମାନଙ୍କ ଆଶାଆକାଂକ୍ଷା ପ୍ରତି ଭାରତ ପକ୍ଷରୁ ହୃଦୟଖୋଲା ସମର୍ଥନ ଜାରି ରହିବ ।
ଆପୋସ ହିତ ଏବଂ ପ୍ରାଥମିକତା ଉପରେ ଆଧାରିତ ବହୁପକ୍ଷୀୟ ନିବିଡ଼ ଦ୍ୱିପାକ୍ଷିକ ସମ୍ପର୍କ ପ୍ରତିଷ୍ଠା କରିବା ଏବଂ ସହଯୋଗର ନୂତନ ସମ୍ଭାବନାକୁ ଉଜାଗର କରିବା ଲାଗି ଉଭୟ ନେତା ଆଶା ବ୍ୟକ୍ତ କରିଥିଲେ ।
**********