ମନ କି ବାତ 2.0ର ନବମ ଅଧ୍ୟାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ମୋର ଦେଶବାସୀଗଣ, ଆମର ନୂଆ ଭାରତ ଆଉ ପୁରୁଣା ରାସ୍ତାରେ ଚାଲିବାକୁ ପ୍ରସ୍ତୁତ ନୁହେଁ । ବିଶେଷକରି New Indiaର ଆମର ମା’ ଓ ଭଉଣୀମାନେ ଆଗକୁ ଆସି ସେହି ଆହ୍ୱାନଗୁଡ଼ିକର ମୁକାବିଲା କରିବା ଆରମ୍ଭ କଲେଣି, ଯାହାଦ୍ୱାରା ସମାଜରେ ଏକ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ବିହାର ପୂର୍ଣ୍ଣିୟାର କଥା ସାରା ଦେଶର ଲୋକଙ୍କ ମନରେ ପ୍ରେରଣା ସୃଷ୍ଟି କଲାଭଳି । ଏହା ଏପରି ଏକ ଅଂଚଳ ଯାହା ଦଶନ୍ଧି-ଦଶନ୍ଧି ଧରି ଭୟଙ୍କର ବନ୍ୟା ପ୍ରପୀଡ଼ିତ ହୋଇଆସିଛି । ଏପରିସ୍ଥଳେ ଏଠାରେ କୃଷି କରିବା କିମ୍ବା ଆୟର ଅନ୍ୟ ପନ୍ଥା ଯୋଗାଡ଼ କରିବା ଅସମ୍ଭବ ହୋଇଥାଏ । କିନ୍ତୁ ଏଭଳି ପରିସ୍ଥିତିରେ ମଧ୍ୟ ପୂର୍ଣ୍ଣିୟାର କେତେକ ମହିଳା ଏକ ଭିନ୍ନ ରାସ୍ତା ବାଛିନେଲେ । ବନ୍ଧୁଗଣ, ପୂର୍ବରୁ ଏହି ଅଂଚଳର ମହିଳାମାନେ ତୁତ ଗଛ ବା ମଲବରୀ ଗଛରେ ରେଶମ ପୋକ ପାଳନ କରି ଖୋସା ସଂଗ୍ରହ କରୁଥିଲେ ଯୋଉଥିରୁ ସେମାନଙ୍କୁ ମାମୁଲି କିଛି ପଇସା ମିଳୁଥିଲା । କିନ୍ତୁ ସେଇ ଖୋସାକୁ ତାଙ୍କଠାରୁ କିଣୁଥିବା ଲୋକମାନେ ସେଥିରୁ ରେଶମ ସୂତା ତିଆରି କରି ପ୍ରଚୁର ଲାଭ ପାଉଥିଲେ । ଏବେ କିନ୍ତୁ ପୂର୍ଣ୍ଣିୟାର ମହିଳାମାନେ ଏକ ନୂତନ ପ୍ରୟୋଗ ଦ୍ୱାରା ଚିତ୍ରକୁ ସମ୍ପୂର୍ଣ୍ଣ ବଦଳେଇ ଦେଇଛନ୍ତି । ଏହି ମହିଳାମାନେ ସରକାରଙ୍କ ସହଯୋଗରେ ମଲବରୀ ଉତ୍ପାଦନ ସମିତି ଗଠନ କଲେ । ତା’ପରେ ସେମାନେ ଖୋସାରୁ ରେଶମ ସୂତା ତିଆରି କରିବା ସଙ୍ଗେ ସଙ୍ଗେ ସେହି ସୂତାରୁ ଶାଢ଼ୀ ବୁଣିବା ଆରମ୍ଭ କରିଦେଲେ । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପ୍ରଥମେ ଯେଉଁ ଖୋସାକୁ ବିକ୍ରୟ କରି ଖୁବ୍ କମ୍ ପଇସା ମିଳୁଥିଲା ଆଜି ସେଥିରୁ ତିଆରି ଶାଢ଼ୀ ବିକ୍ରିକରି ସେମାନେ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି । “ଆଦର୍ଶ ଜୀବିକା ମହିଳା ମଲବରୀ ଉତ୍ପାଦନ ସମୂହ”ର ଦିଦିମାନେ ଯେଉଁ କମାଲ କରି ଦେଖାଇଲେ ତା’ର ପ୍ରଭାବ ଏବେ ଆଖପାଖ ଗ୍ରାମମାନଙ୍କରେ ମଧ୍ୟ ଦେଖାଗଲାଣି । ପୂର୍ଣ୍ଣିୟାର ଅନେକ ଗ୍ରାମର କୃଷିଜୀବି ମହିଳାମାନେ ଆଜି ଖାଲି ଶାଢ଼ି ଉତ୍ପାଦନ କରୁନାହାଁନ୍ତି ବରଂ ବିଭିନ୍ନ ମେଳାମାନଙ୍କରେ ଷ୍ଟଲ୍ ଖୋଲି ସେଗୁଡ଼ିକୁ ବିକ୍ରୟ ମଧ୍ୟ କରୁଛନ୍ତି । ଆଜିର ମହିଳା କେମିତି ନୂତନ ଶକ୍ତି ଓ ନୂଆ ଚିନ୍ତାଧାରା ସହିତ ସଫଳତା ପାଇପାରୁଛନ୍ତି ଏହା ତା’ର ଏକ ଉଦାହରଣ ।
ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶର ମହିଳା ଆଉ ଝିଅମାନଙ୍କର ଉଦ୍ୟମ, ସେମାନଙ୍କର ସାହସ ଆମ ସମସ୍ତଙ୍କ ପାଇଁ ଗର୍ବର କଥା । ଆମ ଆଖପାଖରେ ଆମକୁ ଏମିତି ଅନେକ ଉଦାହରଣ ମିଳେ । ଆମର ଝିଅମାନେ ପୁରୁଣା ବନ୍ଧନକୁ ଛିନ୍ନକରି କେମିତି ନୂତନ ଶିଖରକୁ ଛୁଇଁପାରୁଛନ୍ତି ଏହାହିଁ ତା’ର ପ୍ରମାଣ । ଗୋଟିଏ ବାରବର୍ଷର ଝିଅ କାମ୍ୟା କାର୍ତିକେୟନଙ୍କ ଉପଲବ୍ଧି ବିଷୟରେ ମୁଁ ଆପଣମାନଙ୍କ ସହିତ ନିଶ୍ଚୟ ଚର୍ଚ୍ଚା କରିବାକୁ ଚାହିଁବି । ମାତ୍ର ବାରବର୍ଷ ବୟସରେ କାମ୍ୟା Mount Aconcagua ଆରୋହଣ କରିବାର ଅସାଧ୍ୟ ସାଧନ କରିପାରିଛନ୍ତି । ଏହାହେଉଛି ଦକ୍ଷିଣ ଆମେରିକାସ୍ଥିତ Andes ପର୍ବତର ଉଚ୍ଚତମ ଶୃଙ୍ଗ ଯାହାର ଉଚ୍ଚତା ହେଉଛି ସାତହଜାର ମିଟର । ଏକଥା ପ୍ରତ୍ୟେକ ଭାରତୀୟଙ୍କ ହୃଦୟକୁ ସ୍ପର୍ଶ କରିବ ଯେ ଏଇ ମାସର ଆରମ୍ଭରେ କାମ୍ୟା ଏହି ଶୃଙ୍ଗ ଆରୋହଣ କରି ସର୍ବପ୍ରଥମେ ସେଠାରେ ଆମର ତ୍ରିରଙ୍ଗା ପତାକା ଉଡ଼ାଇଲେ । ମୋତେ ସୂଚନା ମିଳିଛି ଯେ ଦେଶପାଇଁ ଗୌରବ ଆଣିଥିବା କାମ୍ୟା ଏବେ ଏକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି, ଯାହାର ନାଁ ହେଲା “ମିଶନ ସାହସ” । ଏହି ମିଶନ ମାଧ୍ୟମରେ ସେ ପୃଥିବୀର ସମସ୍ତ ଉଚ୍ଚତମ ଶୃଙ୍ଗଗୁଡ଼ିକୁ ଆରୋହଣ କରିବାର ଲକ୍ଷ୍ୟ ରଖିଛନ୍ତି । ଏହି ଅଭିଯାନରେ ସେ ଉତ୍ତର ଓ ଦକ୍ଷିଣ ମେରୁରେ Ski ମଧ୍ୟ କରିବେ । ମୁଁ “ମିଶନ ସାହସ” ପାଇଁ କାମ୍ୟାଙ୍କୁ ମୋର ଶୁଭକାମନା ଜଣାଉଛି । କାମ୍ୟାଙ୍କର ଏଇ ସଫଳତା ସମସ୍ତଙ୍କୁ ଫିଟ୍ ରହିବାର ପ୍ରେରଣା ବି ଦିଏ । ଏତେ କମ୍ ବୟସରେ କାମ୍ୟା ଯେଉଁ ସଫଳତାର ଶିଖରକୁ ଛୁଇଁପାରିଛନ୍ତି ସେଥିରେ Fitnessର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ‘A Nation that is fit, will be a nation that is hit’. ଅର୍ଥାତ୍ ଯେଉଁ ଦେଶ Fit ଅଛି ସେ ସବୁବେଳେ hit ବି ରହିବ । ଦେଖିବାକୁ ଗଲେ ଆଗାମୀ ମାସଗୁଡ଼ିକ ତ (Adventure Sports) ଦୁଃସାହସିକ କ୍ରୀଡ଼ା ପାଇଁ ବେଶ୍ ଉପଯୁକ୍ତ । ଭାରତର ଭୌଗୋଳିକ ଅବସ୍ଥିତି ଏପରି ଯେ, ଏଠି ଦୁଃସାହସିକ କ୍ରୀଡ଼ା ପାଇଁ ଅନେକ ସୁଯୋଗ ରହିଛି । ଗୋଟିଏ ଦିଗରେ ଉଚ୍ଚ ଉଚ୍ଚ ପର୍ବତ ଥିବାବେଳେ ଅନ୍ୟପାଖରେ ସୁଦୂର ବିସ୍ତୃତ ମରୁଭୂମି । ଗୋଟିଏ ପାଖ ଘଂଚ ଜଙ୍ଗଲରେ ପରିପୂର୍ଣ୍ଣ ତ ଅନ୍ୟ ପାଖରେ ଦିଗନ୍ତ ବିସ୍ତାରୀ ସମୁଦ୍ର । ତେଣୁ ମୁଁ ଆପଣମାନଙ୍କଠାରୁ ଆଶା କରେ ଯେ ଆପଣ ମଧ୍ୟ ନିଜ ପସନ୍ଦର ସ୍ଥାନ ଏବଂ ନିଜ ରୁଚି ଅନୁସାରେ କାର୍ଯ୍ୟ ସ୍ଥିର କରନ୍ତୁ ଆଉ ଜୀବନକୁ ଦୁଃସାହସିକ କ୍ରୀଡ଼ା ସହିତ ନିଶ୍ଚୟ ଯୋଡ଼ନ୍ତୁ । ଜୀବନରେ ଦୁଃସାହସ ରହିବା ବି ଦରକାର ନା! ବନ୍ଧୁଗଣ ବାରବର୍ଷ ବୟସ୍କା କାମ୍ୟାର ସଫଳତା ପରେ ଆପଣ ଯେତେବେଳେ ଶହେ ପାଞ୍ଚ ବର୍ଷ ବୟସ୍କା ଭାଗିରଥି ଆମ୍ମାଙ୍କ ସଫଳତାର କାହାଣୀ ଶୁଣିବେ – ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବନ୍ଧୁଗଣ ଆମେ ଯଦି ଜୀବନରେ ପ୍ରଗତି କରିବାକୁ ଚାହିଁବା, ବିକାଶ କରିବାକୁ ଚାହିଁବା, କିଛି କରିବାକୁ ଚାହିଁବା ତେବେ ତା’ର ପ୍ରଥମ ସର୍ତ ହେଲା ଆମ ଭିତରର ବିଦ୍ୟାର୍ଥୀକୁ କେବେ ବି ମରିବାକୁ ଦେବାନାହିଁ । ଶହେପାଞ୍ଚ ବର୍ଷ ବୟସ୍କା ଭାଗୀରଥି ଆମ୍ମା ଆମକୁ ଏହି ପ୍ରେରଣା ଦିଅନ୍ତି । ଏବେ ଆପଣମାନେ ଭାବୁଥିବେ ଯେ ଏହି ଭାଗୀରଥି ଆମ୍ମା କିଏ? ଭାଗୀରଥି ଆମ୍ମା କେରଳର କୋଲ୍ଲମରେ ରହନ୍ତି । ଖୁବ ପିଲାଦିନେ ସେ ତାଙ୍କ ମା’ଙ୍କୁ ହରାଇଥିଲେ । ବହୁତ କମ୍ ବୟସରେ ବିବାହ କରି ସ୍ୱାମୀଙ୍କୁ ମଧ୍ୟ ହରାଇଦେଲେ । କିନ୍ତୁ ଭାଗୀରଥି ଆମ୍ମା ତାଙ୍କର ଧୈର୍ଯ୍ୟ ଓ ସାହସ ହରାଇନଥିଲେ । 10 ବର୍ଷରୁ କମ୍ ବୟସରେ ତାଙ୍କୁ ସ୍କୁଲ ଛାଡ଼ିବାକୁ ପଡ଼ିଥିଲା । କିନ୍ତୁ 105 ବର୍ଷ ବୟସରେ ସେ ପୁଣି ସ୍କୁଲରେ ପଢ଼ିବା ଆରମ୍ଭ କଲେ । ଏତେ ଅଧିକ ବୟସ ହୋଇଥିବା ସତ୍ୱେ ଭାଗୀରଥି ଆମ୍ମା Level-4 ପରୀକ୍ଷା ଦେଲେ ଏବଂ ଅତି ଉତ୍ସୁକତାର ସହିତ ପରୀକ୍ଷାଫଳକୁ ଅପେକ୍ଷା କଲେ । ଏଇ ପରୀକ୍ଷାରେ ସେ 75 ପ୍ରତିଶତ ନମ୍ବର ରଖି ଉତୀର୍ଣ୍ଣ ହେଲେ । ଖାଲି ସେତିକି ନୁହେଁ, ଗଣିତରେ ତ ସେ 100ରୁ 100 ନମ୍ବର ରଖିଲେ । ଆମ୍ମା ଏବେ ଆହୁରି ଆଗକୁ ପଢ଼ିବାକୁ ଚାହୁଁଛନ୍ତି । ପରବର୍ତ୍ତୀ ପରୀକ୍ଷାଗୁଡ଼ିକ ଦେବାକୁ ଚାହୁଁଛନ୍ତି । ଏଥିରୁ ପ୍ରମାଣିତ ଯେ ଭାଗିରଥି ଆମ୍ମାଙ୍କ ଭଳି ଲୋକମାନେ ହେଲେ ଏ ଦେଶର ଶକ୍ତି, ଏକ ବହୁତ ବଡ଼ ପ୍ରେରଣାର ଉତ୍ସ । ମୁଁ ଆଜି ଭାଗୀରଥି ଆମ୍ମାଙ୍କୁ ବିଶେଷ ଭାବେ ପ୍ରଣାମ କରୁଛି ।
ବନ୍ଧୁଗଣ, ଜୀବନର ବିପରୀତ ପରିସ୍ଥିତିରେ ଆମର ଧୈର୍ଯ୍ୟ ଆଉ ଆମର ଇଚ୍ଛାଶକ୍ତି ଯେକୌଣସି ସ୍ଥିତିକୁ ବଦଳାଇ ଦେଇଥାଏ । ଏଇ କିଛିଦିନ ତଳେ ମୁଁ ଗଣମାଧ୍ୟମରେ ଏଭଳି ଏକ କଥା ପଢ଼ିଲି ଯାହା ମୁଁ ଆପଣମାନଙ୍କୁ ଜଣାଇବାକୁ ଚାହେଁ । ଇଏ ହେଲା ମୁରାଦାବାଦର ହମୀରପୁରରେ ରହୁଥିବା ସଲମାନଙ୍କ କଥା । ସଲମାନ ହେଉଛନ୍ତି ଜନ୍ମରୁ ଦିବ୍ୟାଙ୍ଗ । ତାଙ୍କର ଗୋଡ଼ ଦୁଇଟି ଅଚଳ । ଏଭଳି କଠିନ ପରିସ୍ଥିତିରେ ମଧ୍ୟ ସେ ହାରିଲେନି, ବରଂ ନିଜେ ନିଜର କାମ ଆରମ୍ଭ କରିବାର ସିଦ୍ଧାନ୍ତ ନେଲେ । ତା’ସଙ୍ଗେ ସଙ୍ଗେ ସେ ନିଜଭଳି ଅନ୍ୟ ଦିବ୍ୟାଙ୍ଗ ସାଥିମାନଙ୍କୁ ସାହାଯ୍ୟ କରିବାକୁ ମଧ୍ୟ ସ୍ଥିର କଲେ । ସଲମାନ ନିଜ ଗାଁରେ ଚପଲ ଆଉ ଡିଟରଜେଂଟ ତିଆରି କରିବାର କାମ ଆରମ୍ଭ କଲେ । ଦେଖୁ ଦେଖୁ ତାଙ୍କସହିତ ଆଉ ତିରିଶଜଣ ଦିବ୍ୟାଙ୍ଗ ସାଥି ଯୋଗଦେଲେ । ଆପଣମାନେ ଲକ୍ଷ୍ୟ କରନ୍ତୁ ତ! ସଲମାନ ନିଜେ ଚାଲିବା ପାଇଁ ଅକ୍ଷମ ଥିଲେ କିନ୍ତୁ ସେ ଅନ୍ୟମାନଙ୍କ ଚାଲିବାକୁ ସୁଗମ କରିବା ପାଇଁ ଚପଲ ତିଆରି କରିବା ପାଇଁ ନିଷ୍ପତ୍ତି ନେଲେ । ବଡ଼କଥା ହେଲା ସଲମାନ ନିଜେ ସାଥୀ ଦିବ୍ୟାଙ୍ଗମାନଙ୍କୁ ପ୍ରଶିକ୍ଷଣ ଦେଲେ । ଏବେ ସେମାନେ ସମସ୍ତେ ମିଶି ଉତ୍ପାଦନ କରିବା ସଙ୍ଗେ ସଙ୍ଗେ ମାର୍କେଟିଂ ବି କରୁଛନ୍ତି । ନିଜର ପରିଶ୍ରମ ବଳରେ ଏହି ଲୋକମାନେ ନିଜ ରୋଜଗାର ସୁନିଶ୍ଚିତ କରିବା ସଙ୍ଗେ ସଙ୍ଗେ ତାଙ୍କ କମ୍ପାନୀକୁ ମଧ୍ୟ ଲାଭଜନକ ସ୍ଥିତିରେ ପହଂଚାଇପାରିଛନ୍ତି । ଏବେ ସେମାନେ ମିଳିମିଶି ଦିନକୁ ଶହେପଚାଶ ହଳ ଚପଲ ତିଆରି କରିପାରୁଛନ୍ତି । ଖାଲି ସେତିକି ନୁହେଁ, ସଲମାନ ଏ ବର୍ଷ ଆହୁରି ଶହେ ଦିବ୍ୟାଙ୍ଗଙ୍କୁ ରୋଜଗାର ଯୋଗାଇଦେବାର ସଂକଳ୍ପ ନେଇଛନ୍ତି । ମୁଁ ସେମାନଙ୍କର ଧୈର୍ଯ୍ୟ ଓ ଉଦ୍ୟମକୁ ସାଲ୍ୟୁଟ୍ କରୁଛି । ଗୁଜରାଟ କଚ୍ଛ ଅଂଚଳର ଅଜରକ୍ ଗାଁର ଲୋକମାନେ ମଧ୍ୟ ଠିକ୍ ଏହିଭଳି ସଂକଳ୍ପ ଶକ୍ତି ପ୍ରଦର୍ଶନ କରିଛନ୍ତି । 2001 ମସିହାରେ ଘଟିଥିବା ବିନାଶକାରୀ ଭୂମିକମ୍ପ ପରେ ସବୁ ଲୋକ ଗାଁ ଛାଡୁଥିଲେ, ସେତିକିବେଳେ ଇସ୍ମାଇଲ ଖତ୍ରୀ ନାମକ ଜଣେ ବ୍ୟକ୍ତି ଗାଁରେ ରହି ‘ଅଜରକ୍ ପ୍ରିଣ୍ଟ’ ନାମକ ନିଜର ପାରମ୍ପରିକ କଳାକୁ ସଂରକ୍ଷଣ କରିବାର ନିଷ୍ପତ୍ତି ନେଲେ । ତା’ପରେ ଦେଖୁ ଦେଖୁ ପ୍ରାକୃତିକ ରଙ୍ଗରେ ତିଆରି ‘ଅଜରକ କଳା’ ପ୍ରତ୍ୟେକ ଲୋକଙ୍କୁ ଆକର୍ଷିତ କରିବାକୁ ଲାଗିଲା ଆଉ ପୁରା ଗାଁଟି ନିଜ ପାରମ୍ପରିକ ଶିଳ୍ପକଳାରେ ଲାଗିପଡ଼ିଲା । ଗ୍ରାମବାସୀମାନେ ଖାଲି ଏହି ଶହ ଶହ ବର୍ଷ ପୁରୁଣା କଳାକୁ ବଂଚେଇଲେ ତା’ନୁହେଁ – ବରଂ ତାକୁ ଆଧୁନିକ ଫାସନ ସହିତ ମଧ୍ୟ ସଂଯୁକ୍ତ କରିଦେଲେ । ଏବେ ବଡ଼ ବଡ଼ ଡିଜାଇନର, ବଡ଼ ବଡ଼ ଡିଜାଇନ ସଂସ୍ଥା ‘ଅଜରକ୍ ପ୍ରିଣ୍ଟ’ର ବ୍ୟବହାର କରିବାକୁ ଲାଗିଲେଣି । ଗାଁର ପରିଶ୍ରମୀ ଲୋକଙ୍କ ଯୋଗୁଁ ଆଜି ‘ଅଜରକ୍ ପ୍ରିଣ୍ଟ’ ଏକ ବଡ଼ ବ୍ରାଣ୍ଡରେ ପରିଣତ ହେବାରେ ଲାଗିଛି । ଦୁନିଆର ବଡ଼ ବଡ଼ ବ୍ୟବସାୟୀ ଏହି ପ୍ରିଣ୍ଟ ପ୍ରତି ଆକର୍ଷିତ ହେଉଛନ୍ତି ।
ମୋର ପ୍ରିୟ ଦେଶବାସୀଗଣ, ଏଇ ନିକଟରେ ସାରା ଦେଶରେ ମହାଶିବରାତ୍ରୀ ପର୍ବ ପାଳନ କରାଯାଇଛି । ଭଗବାନ ଶିବ ଏବଂ ମା’ ପାର୍ବତୀଙ୍କର ଆଶୀର୍ବାଦ ଦେଶର ଚେତନାକୁ ଜାଗୃତ କରିଛି । ଭୋଳାନାଥ ଶିବଙ୍କର ଆଶୀର୍ବାଦ ଆପଣମାନଙ୍କ ପ୍ରତି ରହିଥାଉ । ଭଗବାନ ଶିବ ଆପଣଙ୍କର ସମସ୍ତ ମନୋକାମନା ପୂର୍ଣ୍ଣ କରନ୍ତୁ, ଆପଣମାନେ ଉର୍ଜାବାନ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ସୁଖୀ ହୁଅନ୍ତୁ ଆଉ ଦେଶ ପ୍ରତି ନିଜର କର୍ତ୍ତବ୍ୟ ପାଳନ କରୁଥାଆନ୍ତୁ ।
ସାଥୀଗଣ, ମହାଶିବରାତ୍ରୀ ସହ ବି ଏବେ ବସନ୍ତ ଋତୁର ଶୋଭା ଦିନକୁ ଦିନ ବଢ଼ିଚାଲିବ । ଆଗାମୀ ଦିନରେ ହୋଲି ଉତ୍ସବ ଆଉ ତା’ପରେ ପରେ ‘ଗୁଡ଼ି ପଡ଼ୱା’ ମଧ୍ୟ ଆସିବ । ନବରାତ୍ରୀ ଉତ୍ସବ ମଧ୍ୟ ଏଗୁଡ଼ିକ ସହ ଯୋଡ଼ି ହୋଇଯିବ । ରାମନବମୀ ଉତ୍ସବ ମଧ୍ୟ ଆସିବ । ପର୍ବପର୍ବାଣୀଗୁଡ଼ିକ ଆମ ଦେଶର ସାମାଜିକ ଜୀବନର ଅଭିନ୍ନ ଅଙ୍ଗ । ପ୍ରତ୍ୟେକ ପର୍ବ ଭିତରେ ଏଭଳି କିଛି ନା କିଛି ସାମାଜିକ ସନ୍ଦେଶ ଲୁଚିରହିଥାଏ ଯାହା ଖାଲି ସମାଜକୁ ନୁହେଁ, ପୁରା ଦେଶକୁ ଏକତାର ସୂତ୍ରରେ ବାନ୍ଧିରଖିଥାଏ । ହୋଲି ପରେ ପରେ ଚୈତ୍ରଶୁକ୍ଳ ପ୍ରତିପଦାଠାରୁ ଭାରତୀୟ ବିକ୍ରମାଦ୍ଦ ଅନୁସାରେ ନୂତନ ବର୍ଷର ଆରମ୍ଭ ମଧ୍ୟ ହୋଇଥାଏ । ସେଥିପାଇଁ ମଧ୍ୟ ଭାରତୀୟ ନବବର୍ଷ ଉପଲକ୍ଷେ ବି ମୁଁ ଆପଣମାନଙ୍କୁ ଅଗ୍ରୀମ ଶୁଭକାମନା ଜଣାଉଛି ।
Inspiring anecdote from Bihar that would inspire many Indians... #MannKiBaat pic.twitter.com/j1f0CbNIII
— PMO India (@PMOIndia) February 23, 2020