Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମନ କି ବାତ 2.0ର ନବମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


 

ମନ କି ବାତ 2.0ର ନବମ ଅଧ୍ୟାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ମୋର ଦେଶବାସୀଗଣ, ଆମର ନୂଆ ଭାରତ ଆଉ ପୁରୁଣା ରାସ୍ତାରେ ଚାଲିବାକୁ ପ୍ରସ୍ତୁତ ନୁହେଁ । ବିଶେଷକରି New Indiaର ଆମର ମାଓ ଭଉଣୀମାନେ ଆଗକୁ ଆସି ସେହି ଆହ୍ୱାନଗୁଡ଼ିକର ମୁକାବିଲା କରିବା ଆରମ୍ଭ କଲେଣି, ଯାହାଦ୍ୱାରା ସମାଜରେ ଏକ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ବିହାର ପୂର୍ଣ୍ଣିୟାର କଥା ସାରା ଦେଶର ଲୋକଙ୍କ ମନରେ ପ୍ରେରଣା ସୃଷ୍ଟି କଲାଭଳି ଏହା ଏପରି ଏକ ଅଂଚଳ ଯାହା ଦଶନ୍ଧି-ଦଶନ୍ଧି ଧରି ଭୟଙ୍କର ବନ୍ୟା ପ୍ରପୀଡ଼ିତ ହୋଇଆସିଛି । ଏପରିସ୍ଥଳେ ଏଠାରେ କୃଷି କରିବା କିମ୍ବା ଆୟର ଅନ୍ୟ ପନ୍ଥା ଯୋଗାଡ଼ କରିବା ଅସମ୍ଭବ ହୋଇଥାଏ । କିନ୍ତୁ ଏଭଳି ପରିସ୍ଥିତିରେ ମଧ୍ୟ ପୂର୍ଣ୍ଣିୟାର କେତେକ ମହିଳା ଏକ ଭିନ୍ନ ରାସ୍ତା ବାଛିନେଲେ । ବନ୍ଧୁଗଣ, ପୂର୍ବରୁ ଏହି ଅଂଚଳର ମହିଳାମାନେ ତୁତ ଗଛ ବା ମଲବରୀ ଗଛରେ ରେଶମ ପୋକ ପାଳନ କରି ଖୋସା ସଂଗ୍ରହ କରୁଥିଲେ ଯୋଉଥିରୁ ସେମାନଙ୍କୁ ମାମୁଲି କିଛି ପଇସା ମିଳୁଥିଲା । କିନ୍ତୁ ସେଇ ଖୋସାକୁ ତାଙ୍କଠାରୁ କିଣୁଥିବା ଲୋକମାନେ ସେଥିରୁ ରେଶମ ସୂତା ତିଆରି କରି ପ୍ରଚୁର ଲାଭ ପାଉଥିଲେ । ଏବେ କିନ୍ତୁ ପୂର୍ଣ୍ଣିୟାର ମହିଳାମାନେ ଏକ ନୂତନ ପ୍ରୟୋଗ ଦ୍ୱାରା ଚିତ୍ରକୁ ସମ୍ପୂର୍ଣ୍ଣ ବଦଳେଇ ଦେଇଛନ୍ତି । ଏହି ମହିଳାମାନେ ସରକାରଙ୍କ ସହଯୋଗରେ ମଲବରୀ ଉତ୍ପାଦନ ସମିତି ଗଠନ କଲେ । ତାପରେ ସେମାନେ ଖୋସାରୁ ରେଶମ ସୂତା ତିଆରି କରିବା ସଙ୍ଗେ ସଙ୍ଗେ ସେହି ସୂତାରୁ ଶାଢ଼ୀ ବୁଣିବା ଆରମ୍ଭ କରିଦେଲେ । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପ୍ରଥମେ ଯେଉଁ ଖୋସାକୁ ବିକ୍ରୟ କରି ଖୁବ୍ କମ୍ ପଇସା ମିଳୁଥିଲା ଆଜି ସେଥିରୁ ତିଆରି ଶାଢ଼ୀ ବିକ୍ରିକରି ସେମାନେ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି । ଆଦର୍ଶ ଜୀବିକା ମହିଳା ମଲବରୀ ଉତ୍ପାଦନ ସମୂହର ଦିଦିମାନେ ଯେଉଁ କମାଲ କରି ଦେଖାଇଲେ ତାର ପ୍ରଭାବ ଏବେ ଆଖପାଖ ଗ୍ରାମମାନଙ୍କରେ ମଧ୍ୟ ଦେଖାଗଲାଣି । ପୂର୍ଣ୍ଣିୟାର ଅନେକ ଗ୍ରାମର କୃଷିଜୀବି ମହିଳାମାନେ ଆଜି ଖାଲି ଶାଢ଼ି ଉତ୍ପାଦନ କରୁନାହାଁନ୍ତି ବରଂ ବିଭିନ୍ନ ମେଳାମାନଙ୍କରେ ଷ୍ଟଲ୍ ଖୋଲି ସେଗୁଡ଼ିକୁ ବିକ୍ରୟ ମଧ୍ୟ କରୁଛନ୍ତି । ଆଜିର ମହିଳା କେମିତି ନୂତନ ଶକ୍ତି ଓ ନୂଆ ଚିନ୍ତାଧାରା ସହିତ ସଫଳତା ପାଇପାରୁଛନ୍ତି ଏହା ତାର ଏକ ଉଦାହରଣ ।

ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶର ମହିଳା ଆଉ ଝିଅମାନଙ୍କର ଉଦ୍ୟମ, ସେମାନଙ୍କର ସାହସ ଆମ ସମସ୍ତଙ୍କ ପାଇଁ ଗର୍ବର କଥା । ଆମ ଆଖପାଖରେ ଆମକୁ ଏମିତି ଅନେକ ଉଦାହରଣ ମିଳେ । ଆମର ଝିଅମାନେ ପୁରୁଣା ବନ୍ଧନକୁ ଛିନ୍ନକରି କେମିତି ନୂତନ ଶିଖରକୁ ଛୁଇଁପାରୁଛନ୍ତି ଏହାହିଁ ତାର ପ୍ରମାଣ । ଗୋଟିଏ ବାରବର୍ଷର ଝିଅ କାମ୍ୟା କାର୍ତିକେୟନଙ୍କ ଉପଲବ୍ଧି ବିଷୟରେ ମୁଁ ଆପଣମାନଙ୍କ ସହିତ ନିଶ୍ଚୟ ଚର୍ଚ୍ଚା କରିବାକୁ ଚାହିଁବି । ମାତ୍ର ବାରବର୍ଷ ବୟସରେ କାମ୍ୟା Mount Aconcagua ଆରୋହଣ କରିବାର ଅସାଧ୍ୟ ସାଧନ କରିପାରିଛନ୍ତି । ଏହାହେଉଛି ଦକ୍ଷିଣ ଆମେରିକାସ୍ଥିତ Andes ପର୍ବତର ଉଚ୍ଚତମ ଶୃଙ୍ଗ ଯାହାର ଉଚ୍ଚତା ହେଉଛି ସାତହଜାର ମିଟର । ଏକଥା ପ୍ରତ୍ୟେକ ଭାରତୀୟଙ୍କ ହୃଦୟକୁ ସ୍ପର୍ଶ କରିବ ଯେ ଏଇ ମାସର ଆରମ୍ଭରେ କାମ୍ୟା ଏହି ଶୃଙ୍ଗ ଆରୋହଣ କରି ସର୍ବପ୍ରଥମେ ସେଠାରେ ଆମର ତ୍ରିରଙ୍ଗା ପତାକା ଉଡ଼ାଇଲେ । ମୋତେ ସୂଚନା ମିଳିଛି ଯେ ଦେଶପାଇଁ ଗୌରବ ଆଣିଥିବା କାମ୍ୟା ଏବେ ଏକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି, ଯାହାର ନାଁ ହେଲା ମିଶନ ସାହସ ଏହି ମିଶନ ମାଧ୍ୟମରେ ସେ ପୃଥିବୀର ସମସ୍ତ ଉଚ୍ଚତମ ଶୃଙ୍ଗଗୁଡ଼ିକୁ ଆରୋହଣ କରିବାର ଲକ୍ଷ୍ୟ ରଖିଛନ୍ତି । ଏହି ଅଭିଯାନରେ ସେ ଉତ୍ତର ଓ ଦକ୍ଷିଣ ମେରୁରେ Ski ମଧ୍ୟ କରିବେ । ମୁଁ ମିଶନ ସାହସପାଇଁ କାମ୍ୟାଙ୍କୁ ମୋର ଶୁଭକାମନା ଜଣାଉଛି । କାମ୍ୟାଙ୍କର ଏଇ ସଫଳତା ସମସ୍ତଙ୍କୁ ଫିଟ୍ ରହିବାର ପ୍ରେରଣା ବି ଦିଏ । ଏତେ କମ୍ ବୟସରେ କାମ୍ୟା ଯେଉଁ ସଫଳତାର ଶିଖରକୁ ଛୁଇଁପାରିଛନ୍ତି ସେଥିରେ Fitnessର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ‘A Nation that is fit, will be a nation that is hit’. ଅର୍ଥାତ୍ ଯେଉଁ ଦେଶ Fit ଅଛି ସେ ସବୁବେଳେ hit ବି ରହିବ । ଦେଖିବାକୁ ଗଲେ ଆଗାମୀ ମାସଗୁଡ଼ିକ ତ (Adventure Sports) ଦୁଃସାହସିକ କ୍ରୀଡ଼ା ପାଇଁ ବେଶ୍ ଉପଯୁକ୍ତ । ଭାରତର ଭୌଗୋଳିକ ଅବସ୍ଥିତି ଏପରି ଯେ, ଏଠି ଦୁଃସାହସିକ କ୍ରୀଡ଼ା ପାଇଁ ଅନେକ ସୁଯୋଗ ରହିଛି । ଗୋଟିଏ ଦିଗରେ ଉଚ୍ଚ ଉଚ୍ଚ ପର୍ବତ ଥିବାବେଳେ ଅନ୍ୟପାଖରେ ସୁଦୂର ବିସ୍ତୃତ ମରୁଭୂମି । ଗୋଟିଏ ପାଖ ଘଂଚ ଜଙ୍ଗଲରେ ପରିପୂର୍ଣ୍ଣ ତ ଅନ୍ୟ ପାଖରେ ଦିଗନ୍ତ ବିସ୍ତାରୀ ସମୁଦ୍ର । ତେଣୁ ମୁଁ ଆପଣମାନଙ୍କଠାରୁ ଆଶା କରେ ଯେ ଆପଣ ମଧ୍ୟ ନିଜ ପସନ୍ଦର ସ୍ଥାନ ଏବଂ ନିଜ ରୁଚି ଅନୁସାରେ କାର୍ଯ୍ୟ ସ୍ଥିର କରନ୍ତୁ ଆଉ ଜୀବନକୁ ଦୁଃସାହସିକ କ୍ରୀଡ଼ା ସହିତ ନିଶ୍ଚୟ ଯୋଡ଼ନ୍ତୁ । ଜୀବନରେ ଦୁଃସାହସ ରହିବା ବି ଦରକାର ନା! ବନ୍ଧୁଗଣ ବାରବର୍ଷ ବୟସ୍କା କାମ୍ୟାର ସଫଳତା ପରେ ଆପଣ ଯେତେବେଳେ ଶହେ ପାଞ୍ଚ ବର୍ଷ ବୟସ୍କା ଭାଗିରଥି ଆମ୍ମାଙ୍କ ସଫଳତାର କାହାଣୀ ଶୁଣିବେ – ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବନ୍ଧୁଗଣ ଆମେ ଯଦି ଜୀବନରେ ପ୍ରଗତି କରିବାକୁ ଚାହିଁବା, ବିକାଶ କରିବାକୁ ଚାହିଁବା, କିଛି କରିବାକୁ ଚାହିଁବା ତେବେ ତାର ପ୍ରଥମ ସର୍ତ ହେଲା ଆମ ଭିତରର ବିଦ୍ୟାର୍ଥୀକୁ କେବେ ବି ମରିବାକୁ ଦେବାନାହିଁ । ଶହେପାଞ୍ଚ ବର୍ଷ ବୟସ୍କା ଭାଗୀରଥି ଆମ୍ମା ଆମକୁ ଏହି ପ୍ରେରଣା ଦିଅନ୍ତି । ଏବେ ଆପଣମାନେ ଭାବୁଥିବେ ଯେ ଏହି ଭାଗୀରଥି ଆମ୍ମା କିଏ? ଭାଗୀରଥି ଆମ୍ମା କେରଳର କୋଲ୍ଲମରେ ରହନ୍ତି । ଖୁବ ପିଲାଦିନେ ସେ ତାଙ୍କ ମାଙ୍କୁ ହରାଇଥିଲେ । ବହୁତ କମ୍ ବୟସରେ ବିବାହ କରି ସ୍ୱାମୀଙ୍କୁ ମଧ୍ୟ ହରାଇଦେଲେ । କିନ୍ତୁ ଭାଗୀରଥି ଆମ୍ମା ତାଙ୍କର ଧୈର୍ଯ୍ୟ ଓ ସାହସ ହରାଇନଥିଲେ । 10 ବର୍ଷରୁ କମ୍ ବୟସରେ ତାଙ୍କୁ ସ୍କୁଲ ଛାଡ଼ିବାକୁ ପଡ଼ିଥିଲା । କିନ୍ତୁ 105 ବର୍ଷ ବୟସରେ ସେ ପୁଣି ସ୍କୁଲରେ ପଢ଼ିବା ଆରମ୍ଭ କଲେ । ଏତେ ଅଧିକ ବୟସ ହୋଇଥିବା ସତ୍ୱେ ଭାଗୀରଥି ଆମ୍ମା Level-4 ପରୀକ୍ଷା ଦେଲେ ଏବଂ ଅତି ଉତ୍ସୁକତାର ସହିତ ପରୀକ୍ଷାଫଳକୁ ଅପେକ୍ଷା କଲେ । ଏଇ ପରୀକ୍ଷାରେ ସେ 75 ପ୍ରତିଶତ ନମ୍ବର ରଖି ଉତୀର୍ଣ୍ଣ ହେଲେ । ଖାଲି ସେତିକି ନୁହେଁ, ଗଣିତରେ ତ ସେ 100ରୁ 100 ନମ୍ବର ରଖିଲେ । ଆମ୍ମା ଏବେ ଆହୁରି ଆଗକୁ ପଢ଼ିବାକୁ ଚାହୁଁଛନ୍ତି । ପରବର୍ତ୍ତୀ ପରୀକ୍ଷାଗୁଡ଼ିକ ଦେବାକୁ ଚାହୁଁଛନ୍ତି । ଏଥିରୁ ପ୍ରମାଣିତ ଯେ ଭାଗିରଥି ଆମ୍ମାଙ୍କ ଭଳି ଲୋକମାନେ ହେଲେ ଏ ଦେଶର ଶକ୍ତି, ଏକ ବହୁତ ବଡ଼ ପ୍ରେରଣାର ଉତ୍ସ । ମୁଁ ଆଜି ଭାଗୀରଥି ଆମ୍ମାଙ୍କୁ ବିଶେଷ ଭାବେ ପ୍ରଣାମ କରୁଛି ।

ବନ୍ଧୁଗଣ, ଜୀବନର ବିପରୀତ ପରିସ୍ଥିତିରେ ଆମର ଧୈର୍ଯ୍ୟ ଆଉ ଆମର ଇଚ୍ଛାଶକ୍ତି ଯେକୌଣସି ସ୍ଥିତିକୁ ବଦଳାଇ ଦେଇଥାଏ । ଏଇ କିଛିଦିନ ତଳେ ମୁଁ ଗଣମାଧ୍ୟମରେ ଏଭଳି ଏକ କଥା ପଢ଼ିଲି ଯାହା ମୁଁ ଆପଣମାନଙ୍କୁ ଜଣାଇବାକୁ ଚାହେଁ । ଇଏ ହେଲା ମୁରାଦାବାଦର ହମୀରପୁରରେ ରହୁଥିବା ସଲମାନଙ୍କ କଥା । ସଲମାନ ହେଉଛନ୍ତି ଜନ୍ମରୁ ଦିବ୍ୟାଙ୍ଗ । ତାଙ୍କର ଗୋଡ଼ ଦୁଇଟି ଅଚଳ । ଏଭଳି କଠିନ ପରିସ୍ଥିତିରେ ମଧ୍ୟ ସେ ହାରିଲେନି, ବରଂ ନିଜେ ନିଜର କାମ ଆରମ୍ଭ କରିବାର ସିଦ୍ଧାନ୍ତ ନେଲେ । ତାସଙ୍ଗେ ସଙ୍ଗେ ସେ ନିଜଭଳି ଅନ୍ୟ ଦିବ୍ୟାଙ୍ଗ ସାଥିମାନଙ୍କୁ ସାହାଯ୍ୟ କରିବାକୁ ମଧ୍ୟ ସ୍ଥିର କଲେ । ସଲମାନ ନିଜ ଗାଁରେ ଚପଲ ଆଉ ଡିଟରଜେଂଟ ତିଆରି କରିବାର କାମ ଆରମ୍ଭ କଲେ । ଦେଖୁ ଦେଖୁ ତାଙ୍କସହିତ ଆଉ ତିରିଶଜଣ ଦିବ୍ୟାଙ୍ଗ ସାଥି ଯୋଗଦେଲେ । ଆପଣମାନେ ଲକ୍ଷ୍ୟ କରନ୍ତୁ ତ! ସଲମାନ ନିଜେ ଚାଲିବା ପାଇଁ ଅକ୍ଷମ ଥିଲେ କିନ୍ତୁ ସେ ଅନ୍ୟମାନଙ୍କ ଚାଲିବାକୁ ସୁଗମ କରିବା ପାଇଁ ଚପଲ ତିଆରି କରିବା ପାଇଁ ନିଷ୍ପତ୍ତି ନେଲେ । ବଡ଼କଥା ହେଲା ସଲମାନ ନିଜେ ସାଥୀ ଦିବ୍ୟାଙ୍ଗମାନଙ୍କୁ ପ୍ରଶିକ୍ଷଣ ଦେଲେ । ଏବେ ସେମାନେ ସମସ୍ତେ ମିଶି ଉତ୍ପାଦନ କରିବା ସଙ୍ଗେ ସଙ୍ଗେ ମାର୍କେଟିଂ ବି କରୁଛନ୍ତି । ନିଜର ପରିଶ୍ରମ ବଳରେ ଏହି ଲୋକମାନେ ନିଜ ରୋଜଗାର ସୁନିଶ୍ଚିତ କରିବା ସଙ୍ଗେ ସଙ୍ଗେ ତାଙ୍କ କମ୍ପାନୀକୁ ମଧ୍ୟ ଲାଭଜନକ ସ୍ଥିତିରେ ପହଂଚାଇପାରିଛନ୍ତି । ଏବେ ସେମାନେ ମିଳିମିଶି ଦିନକୁ ଶହେପଚାଶ ହଳ ଚପଲ ତିଆରି କରିପାରୁଛନ୍ତି । ଖାଲି ସେତିକି ନୁହେଁ, ସଲମାନ ଏ ବର୍ଷ ଆହୁରି ଶହେ ଦିବ୍ୟାଙ୍ଗଙ୍କୁ ରୋଜଗାର ଯୋଗାଇଦେବାର ସଂକଳ୍ପ ନେଇଛନ୍ତି । ମୁଁ ସେମାନଙ୍କର ଧୈର୍ଯ୍ୟ ଓ ଉଦ୍ୟମକୁ ସାଲ୍ୟୁଟ୍ କରୁଛି । ଗୁଜରାଟ କଚ୍ଛ ଅଂଚଳର ଅଜରକ୍ ଗାଁର ଲୋକମାନେ ମଧ୍ୟ ଠିକ୍ ଏହିଭଳି ସଂକଳ୍ପ ଶକ୍ତି ପ୍ରଦର୍ଶନ କରିଛନ୍ତି । 2001 ମସିହାରେ ଘଟିଥିବା ବିନାଶକାରୀ ଭୂମିକମ୍ପ ପରେ ସବୁ ଲୋକ ଗାଁ ଛାଡୁଥିଲେ, ସେତିକିବେଳେ ଇସ୍‌ମାଇଲ ଖତ୍ରୀ ନାମକ ଜଣେ ବ୍ୟକ୍ତି ଗାଁରେ ରହି ଅଜରକ୍ ପ୍ରିଣ୍ଟନାମକ ନିଜର ପାରମ୍ପରିକ କଳାକୁ ସଂରକ୍ଷଣ କରିବାର ନିଷ୍ପତ୍ତି ନେଲେ । ତାପରେ ଦେଖୁ ଦେଖୁ ପ୍ରାକୃତିକ ରଙ୍ଗରେ ତିଆରି ଅଜରକ କଳାପ୍ରତ୍ୟେକ ଲୋକଙ୍କୁ ଆକର୍ଷିତ କରିବାକୁ ଲାଗିଲା ଆଉ ପୁରା ଗାଁଟି ନିଜ ପାରମ୍ପରିକ ଶିଳ୍ପକଳାରେ ଲାଗିପଡ଼ିଲା । ଗ୍ରାମବାସୀମାନେ ଖାଲି ଏହି ଶହ ଶହ ବର୍ଷ ପୁରୁଣା କଳାକୁ ବଂଚେଇଲେ ତାନୁହେଁ ବରଂ ତାକୁ ଆଧୁନିକ ଫାସନ ସହିତ ମଧ୍ୟ ସଂଯୁକ୍ତ କରିଦେଲେ । ଏବେ ବଡ଼ ବଡ଼ ଡିଜାଇନର, ବଡ଼ ବଡ଼ ଡିଜାଇନ ସଂସ୍ଥା ଅଜରକ୍ ପ୍ରିଣ୍ଟର ବ୍ୟବହାର କରିବାକୁ ଲାଗିଲେଣି । ଗାଁର ପରିଶ୍ରମୀ ଲୋକଙ୍କ ଯୋଗୁଁ ଆଜି ଅଜରକ୍ ପ୍ରିଣ୍ଟଏକ ବଡ଼ ବ୍ରାଣ୍ଡରେ ପରିଣତ ହେବାରେ ଲାଗିଛି । ଦୁନିଆର ବଡ଼ ବଡ଼ ବ୍ୟବସାୟୀ ଏହି ପ୍ରିଣ୍ଟ ପ୍ରତି ଆକର୍ଷିତ ହେଉଛନ୍ତି ।

ମୋର ପ୍ରିୟ ଦେଶବାସୀଗଣ, ଏଇ ନିକଟରେ ସାରା ଦେଶରେ ମହାଶିବରାତ୍ରୀ ପର୍ବ ପାଳନ କରାଯାଇଛି । ଭଗବାନ ଶିବ ଏବଂ ମାପାର୍ବତୀଙ୍କର ଆଶୀର୍ବାଦ ଦେଶର ଚେତନାକୁ ଜାଗୃତ କରିଛି । ଭୋଳାନାଥ ଶିବଙ୍କର ଆଶୀର୍ବାଦ ଆପଣମାନଙ୍କ ପ୍ରତି ରହିଥାଉ । ଭଗବାନ ଶିବ ଆପଣଙ୍କର ସମସ୍ତ ମନୋକାମନା ପୂର୍ଣ୍ଣ କରନ୍ତୁ, ଆପଣମାନେ ଉର୍ଜାବାନ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ସୁଖୀ ହୁଅନ୍ତୁ ଆଉ ଦେଶ ପ୍ରତି ନିଜର କର୍ତ୍ତବ୍ୟ ପାଳନ କରୁଥାଆନ୍ତୁ ।

ସାଥୀଗଣ, ମହାଶିବରାତ୍ରୀ ସହ ବି ଏବେ ବସନ୍ତ ଋତୁର ଶୋଭା ଦିନକୁ ଦିନ ବଢ଼ିଚାଲିବ । ଆଗାମୀ ଦିନରେ ହୋଲି ଉତ୍ସବ ଆଉ ତାପରେ ପରେ ଗୁଡ଼ି ପଡ଼ୱାମଧ୍ୟ ଆସିବ । ନବରାତ୍ରୀ ଉତ୍ସବ ମଧ୍ୟ ଏଗୁଡ଼ିକ ସହ ଯୋଡ଼ି ହୋଇଯିବ । ରାମନବମୀ ଉତ୍ସବ ମଧ୍ୟ ଆସିବ । ପର୍ବପର୍ବାଣୀଗୁଡ଼ିକ ଆମ ଦେଶର ସାମାଜିକ ଜୀବନର ଅଭିନ୍ନ ଅଙ୍ଗ ପ୍ରତ୍ୟେକ ପର୍ବ ଭିତରେ ଏଭଳି କିଛି ନା କିଛି ସାମାଜିକ ସନ୍ଦେଶ ଲୁଚିରହିଥାଏ ଯାହା ଖାଲି ସମାଜକୁ ନୁହେଁ, ପୁରା ଦେଶକୁ ଏକତାର ସୂତ୍ରରେ ବାନ୍ଧିରଖିଥାଏ । ହୋଲି ପରେ ପରେ ଚୈତ୍ରଶୁକ୍ଳ ପ୍ରତିପଦାଠାରୁ ଭାରତୀୟ ବିକ୍ରମାଦ୍ଦ ଅନୁସାରେ ନୂତନ ବର୍ଷର ଆରମ୍ଭ ମଧ୍ୟ ହୋଇଥାଏ । ସେଥିପାଇଁ ମଧ୍ୟ ଭାରତୀୟ ନବବର୍ଷ ଉପଲକ୍ଷେ ବି ମୁଁ ଆପଣମାନଙ୍କୁ ଅଗ୍ରୀମ ଶୁଭକାମନା ଜଣାଉଛି ।