Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମଣିପୁର ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ


ମଣିପୁର ରାଜ୍ୟପାଳ ଶ୍ରୀମତୀ ନଜମା ହେପତୁଲ୍ଲା ମହାଶୟା, ମଣିପୁରର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂହ ମହାଶୟ, କେନ୍ଦ୍ର ମନ୍ତ୍ରୀ ପରିଷଦରେ ମୋର ସହଯୋଗୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ମହାଶୟ, ଶ୍ରୀ ଜିତେନ୍ଦ୍ର ସିଂହ ମହାଶୟ, ରତନଲାଲ କଟାରିୟା ମହାଶୟ, ମଣିପୁରର ସାଂସଦ ଏବଂ ବିଧାନସଭାର ସମସ୍ତ ଜନ-ପ୍ରତିନିଧିଗଣ ଏବଂ ମଣିପୁରର ମୋର ପ୍ରିୟ ଭାଇ ଓ ଭଉଣୀମାନେ!!

ଆଜିକାର ଏହି କାର୍ଯ୍ୟକ୍ରମ, ଏହି କଥାର ହେଉଛି ଏକ ଉଦାହରଣ ଯେ କରୋନାର ଏହି ସଙ୍କଟ ସମୟରେ ମଧ୍ୟ ଦେଶ ଅଟକି ଯାଇ ନାହିଁ, ଦେଶ ସ୍ଥିର ହୋଇ ଯାଇ ନାହିଁ ଏବଂ ଦେଶ ଥକି ଯିବ ନାହିଁ । ଯେ ପର୍ଯ୍ୟନ୍ତ ଟିକା ଆସି ନାହିଁ, ସେ ପର୍ଯ୍ୟନ୍ତ କରୋନା ବିରୁଦ୍ଧରେ ଆମକୁ ଦୃଢ଼ତାର ସହିତ ଲଢ଼େଇ କରିବାକୁ ପଡ଼ିବ ବିଜୟ ଲାଭ କରିବାକୁ ହେବ । ଅନ୍ୟପକ୍ଷରେ ବିକାଶର କାର୍ଯ୍ୟଗୁଡ଼ିକୁ ମଧ୍ୟ ସଂପୂର୍ଣ୍ଣ ଶକ୍ତିର ସହିତ ଆଗକୁ ବଢ଼ାଇବାର ଅଛି । ଏଥର ପୂର୍ବ ଏବଂ ଉତ୍ତର-ପୂର୍ବାଞ୍ଚଳ ଭାରତକୁ ଗୋଟିଏ ପ୍ରକାରରେ ଦୁଇ ପ୍ରକାରର ଆହ୍ୱାନ ସହିତ ଲଢ଼େଇ କରିବାକୁ ପଡ଼ୁଛି । ଉତ୍ତର-ପୂର୍ବାଞ୍ଚଳରେ ଏ ବର୍ଷ ପୁଣି ପବଳ ବର୍ଷା ଯୋଗୁଁ ବହୁତ କିଛି କ୍ଷତି ହୋଇଛି । ଅନେକ ଲୋକମାନଙ୍କର ମୃତ୍ୟୁ ହୋଇଛି, ଅନେକ ଲୋକଙ୍କୁ ନିଜର ଘର ଛାଡ଼ିବାକୁ ପଡ଼ିଛି । ମୁଁ ସମସ୍ତ ପ୍ରଭାବିତ ଲୋକମାନଙ୍କ ପ୍ରତି ମୋର ସମ୍ବେଦନା ବ୍ୟକ୍ତ କରୁଛି ।

ଏହି ଜଟିଳ ପରିସ୍ଥିତିରେ ଆପଣ ସମସ୍ତଙ୍କୁ ବିଶ୍ୱାସ ଦେଉଛି, ସମଗ୍ର ଦେଶ ସେମାନଙ୍କ ସହିତ ଠିଆ ହୋଇଛି । ଭାରତ ସରକାର ସମସ୍ତ ରାଜ୍ୟ ସରକାରଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ, ଯାହା କିଛି ମଧ୍ୟ ଆବଶ୍ୟକତା ରହିଛି, ପ୍ରତ୍ୟେକ ପ୍ରକାରର କାର୍ଯ୍ୟ କରିବା ପାଇଁ କ୍ରମାଗତ ଭାବେ ପ୍ରୟାସ ଜାରି ରଖିଛନ୍ତି ।

ସାଥୀଗଣ,

ମଣିପୁରରେ କରୋନା ସଂକ୍ରମଣର ଗତି ଏବଂ ବ୍ୟାପକତାକୁ ନିୟନ୍ତ୍ରିତ କରିବା ପାଇଁ ରାଜ୍ୟ ସରକାର ଦିନ ରାତି ଏକ କରି କାର୍ଯ୍ୟ କରୁଛନ୍ତି ।

ଲକଡାଉନ ସମୟରେ ମଣିପୁରର ଲୋକମାନଙ୍କ ପାଇଁ ଜରୁରୀ ଜିନିଷପତ୍ରର ବ୍ୟବସ୍ଥା ହେଉ, କିମ୍ବା ସେମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ବିଶେଷ ବ୍ୟବସ୍ଥା ହେଉ, ରାଜ୍ୟ ସରକାର ସମସ୍ତ ପ୍ରକାରର ଆବଶ୍ୟକୀୟ ପଦକ୍ଷେପ ଉଠାଇଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ମଣିପୁରର ପାଖାପାଖି 25 ଲକ୍ଷ ଗରିବ ଭାଇ-ଭଉଣୀଙ୍କୁ ଅର୍ଥାତ ପ୍ରାୟ-ପ୍ରାୟ 5 ଲକ୍ଷ ପରିବାର କିମ୍ବା 6 ଲକ୍ଷ ଭଳି ପରିବାର ଭାବି ନିଅନ୍ତୁ ଏହି ଗରିବ ଭାଇ-ଭଉଣୀଙ୍କୁ ମାଗଣାରେ ଶସ୍ୟ ମିଳିଛି । ସେହିପରି ଦେଢ଼ ଲକ୍ଷରୁ ଅଧିକ ଭଉଣୀଙ୍କୁ ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ମାଗଣା ଗ୍ୟାସ ସିଲିଣ୍ଡରର ସୁବିଧା ଦିଆଯାଇଛି । ମୋର ବିଶ୍ୱାସ ରହିଛି ଯେ, କେନ୍ଦ୍ର ସରକାରଙ୍କର ଏହିସବୁ ଯୋଜନାଗୁଡ଼ିକ, ସଙ୍କଟର ଏହି ସମୟରେ ଗରିବମାନଙ୍କୁ ଏହିଭଳି ଭାବେ ସାହାଯ୍ୟ କରି ଚାଲିବ ।

ସାଥୀଗଣ,

ଆଜି ଇମ୍ଫାଲ ସମେତ ମଣିପୁରର ଲକ୍ଷ-ଲକ୍ଷ ସାଥୀମାନଙ୍କ ପାଇଁ, ବିଶେଷ ଭାବେ ଆମ ଭଉଣୀମାନଙ୍କ ପାଇଁ ହେଉଛି ଏକ ବହୁତ ବଡ଼ ଦିନ । ଆଉ ତାହା ମଧ୍ୟ ଏବେ କିଛି ଦିନ ପରେ ଯେତେବେଳେ ରାକ୍ଷୀର ପର୍ବ ଆସିବାକୁ ଅଛି, ଏହା ପୂର୍ବରୁ ମଣିପୁରର ଭଉଣୀମାନଙ୍କୁ, ଏକ ବହୁତ ବଡ଼ ଉପହାରର ଶୁଭାରମ୍ଭ ହେଉଛି । ପ୍ରାୟ 3 ହଜାର କୋଟି ଟଙ୍କାର ବ୍ୟୟରେ ସଂପୂର୍ଣ୍ଣ ହେବାକୁ ଥିବା ମଣିପୁରର ଜଳ ଯୋଗାଣ ପ୍ରକଳ୍ପ ଦ୍ୱାରା ଏଠାକାର ଲୋକମାନଙ୍କୁ ଜଳ ଅଭାବ ଜନିତ ସମସ୍ୟା କମ୍ ହେବାକୁ ଯାଉଛି । ଗ୍ରେଟର ଇମ୍ଫାଲ ସହିତ, ଛୋଟ-ବଡ଼ 25ଟି ସହର ଏବଂ ଛୋଟ ଛୋଟ ଗାଁ, 1700ରୁ ଅଧିକ ଗାଁଗୁଡ଼ିକ ପାଇଁ ଏହି ପ୍ରକଳ୍ପରୁ ଜଳଧାରା ବାହାରିବ, ଏହି ଜଳଧାରା ଜୀବନଧାରା ଭାବେ କାର୍ଯ୍ୟ କରିବ । ଆହୁରି ମଧ୍ୟ ଏକ ବଡ଼ କଥା ହେଉଛି କି ଏହି ପ୍ରକଳ୍ପ ଆଜିକାର ନୁହେଁ ବରଂ ଆଗାମୀ 20-22 ବର୍ଷ ପର୍ଯ୍ୟନ୍ତ ହେବାକୁ ଥିବା ଆବଶ୍ୟକତାକୁ ଆଖି ଆଗରେ ରଖି ଡିଜାଇନ କରାଯାଇଛି ।

ଏହି ପ୍ରକଳ୍ପ ଦ୍ୱାରା ଲକ୍ଷ-ଲକ୍ଷ ଲୋକଙ୍କ ଘରେ ସ୍ୱଚ୍ଛ ପାନୀୟ ଜଳ ଉପଲବ୍ଧ ହେବ, ହଜାର ହଜାର ଲୋକଙ୍କୁ ରୋଜଗାର ମଧ୍ୟ ମିଳିବ । ଆଉ ଆପଣମାନେ ଜାଣନ୍ତି ଯେତେବେଳେ ବିଶୁଦ୍ଧ ପାଣି ପିଇବାକୁ ମିଳିଥାଏ, ରୋଗ ପ୍ରତିରୋଧକ ଶକ୍ତିକୁ ବହୁତ ସାହାଯ୍ୟ ମିଳିଥାଏ । ରୋଗ-ପ୍ରତିରୋଧକ ପାଇଁ ବହୁତ ବଡ଼ ଶକ୍ତି ମିଳିଥାଏ । ରୋଗ ଦୂର ହୋଇଥାଏ । ଏଥିପାଇଁ ଜଳ, କେବଳ ନଳ ମାଧ୍ୟମରେ ଜଳ ଆସିବ ଏତିକି ମାତ୍ର ବିଷୟ ନୁହେଁ । ନିଶ୍ଚିତ ରୂପେ ଏହି ପ୍ରକଳ୍ପ, ପ୍ରତ୍ୟେକଙ୍କ ଘରକୁ ନଳ ମାଧ୍ୟମରେ ଜଳ ଯୋଗାଣ କରିବାର ଆମର ବ୍ୟାପକ ଲକ୍ଷ୍ୟକୁ ମଧ୍ୟ ବହୁ ଅଧିକ ଗତି ପ୍ରଦାନ କରିବ । ମୁଁ ଏହି ଜଳ ପ୍ରକଳ୍ପ ପାଇଁ ମଣିପୁରର ଲୋକମାନଙ୍କୁ ଏବଂ ବିଶେଷ ଭାବେ ମଣିପୁରର ମୋର ମାଆ ଏବଂ ଭଉଣୀଙ୍କୁ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି ।

ସାଥୀଗଣ,

ଗତ ବର୍ଷ ଯେତେବେଳେ ଦେଶରେ ଜଳ ଜୀବନ ମିଶନ ଆରମ୍ଭ ହେଉଥିଲା, ସେତେବେଳେ ମୁଁ କହିଥିଲି କି ଆମକୁ ପୂର୍ବ ସରକାରଙ୍କ ତୁଳନାରେ ବହୁଗୁଣ ଅଧିକ ଗତିରେ କାର୍ଯ୍ୟ କରିବାକୁ ପଡ଼ିବ । ଯେତେବେଳେ 15 କୋଟିରୁ ଅଧିକ ଘରେ ପାଇପ ମାଧ୍ୟମରେ ପାଣି ପହଂଚାଇବାକୁ ଅଛି, ସେତେବେଳେ ଗୋଟିଏ କ୍ଷଣ ମଧ୍ୟ ରହିଯିବା ବିଷୟରେ ଚିନ୍ତା କରାଯାଇ ପାରିବ ନାହିଁ । ଏହି କାରଣ ଥିଲା କି ଲକଡାଉନ ସମୟରେ ମଧ୍ୟ ଗାଁ-ଗାଁରେ ପାଇପ୍ ଲାଇନ୍ ବିଛାଇବା ଏବଂ ସଚେତନତା ବୃଦ୍ଧି କରିବା, ପଞ୍ଚାୟତଗୁଡ଼ିକୁ ସାଙ୍ଗରେ ନେଇ ଚାଲିବାର କାର୍ଯ୍ୟ ସଦା ସର୍ବଦା ଚାଲୁ ରହିଲା ।

ଆଜିକାର ସ୍ଥିତି ଏହା ରହିଛି କି ଦେଶରେ ପ୍ରାୟ-ପ୍ରାୟ ଏକ ଲକ୍ଷ ଜଳ ସଂଯୋଗ ଅର୍ଥାତ ଘରମାନଙ୍କରେ ପାଣି ଟ୍ୟାପର ସଂଯୋଗ, ପ୍ରତିଦିନ, ପ୍ରତିଦିନ ଦିଆଯାଉଛି । ଅର୍ଥାତ ପ୍ରତ୍ୟେକ ଦିନ ଏକ ଲକ୍ଷ ମାଆ-ଭଉଣୀଙ୍କ ଜୀବନରୁ ପାଣିର ଏତେ ବଡ଼ ସମସ୍ୟାକୁ ଆମେ ଦୂର କରୁଛୁ । ଏକ ଲକ୍ଷ ପରିବାରର ମାଆ-ଭଉଣୀଙ୍କ ଜୀବନକୁ ଆମେ ସହଜ କରୁଛୁ । ଏହି ଦ୍ରୁତ ପରିବର୍ତ୍ତନ ମଧ୍ୟ ଏଥିପାଇଁ ସମ୍ଭବ ହୋଇ ପାରୁଛି, କାରଣ ଜଳ ଜୀବନ ମିଶନ ଏକ ଜନ ଆନ୍ଦୋଳନ ରୂପରେ ଆଗକୁ ବଢ଼ି ଚାଲିଛି । ଏଥିରେ ଗାଁର ଲୋକମାନେ, ବିଶେଷ କରି ଗାଁର ଭଉଣୀମାନେ, ଗାଁର ଜନ ପ୍ରତିନିଧିମାନେ ହିଁ ମିଶିକରି ଏହା ସ୍ଥିର କରୁଛନ୍ତି କି କେଉଁଠାରେ ପାଇପ୍ ବିଛାଯିବ, କେଉଁଠାରେ ପାଣିର ଉତ୍ସ ସୃଷ୍ଟି କରାଯିବ, କେଉଁଠାରେ ଟ୍ୟାଙ୍କ ନିର୍ମାଣ କରାଯିବ, କେଉଁଠାରେ କେତେ ବଜେଟ୍ ଲଗାଯିବ ।

ସାଥୀଗଣ,

ସରକାରଙ୍କ ବ୍ୟବସ୍ଥାରେ ଏତେ ବଡ଼ ବିକେନ୍ଦ୍ରୀକରଣ, ଏତେ ବଡ଼ ମାତ୍ରାରେ ‘ତୃଣମୂଳ ସ୍ତର’ରେ ସଶକ୍ତୀକରଣ ଆପଣମାନେ କଳ୍ପନା କରି ପାରୁଥିବେ କି ପାଣି କେତେ ବଡ଼ ଶକ୍ତି ହୋଇ ଆସିଛି । ସାଥୀଗଣ, ସହାବସ୍ଥାନ ସୁଗମତା, ଜୀବନ ଜୀଇଁବାରେ ସହଜତା, ଏହା ଉନ୍ନତ ଜୀବନର ହେଉଛି ଏକ ଆବଶ୍ୟକୀୟ ସର୍ତ । ପଇସା କମ ହୋଇପାରେ, ଅଧିକ ହୋଇପାରେ, କିନ୍ତୁ ସହାବସ୍ଥାନ ସୁଗମତା ଏହା ଉପରେ ସମସ୍ତଙ୍କର ଅଧିକାର ରହିଛି, ଆଉ ବିଶେଷ କରି ଆମର ପ୍ରତ୍ୟେକ ଗରିବ ଭାଇ-ଭଉଣୀ, ମାଆ, ଭଉଣୀ, ଦଳିତ, ପଛୁଆ, ଆଦିବାସୀ, ସେମାନଙ୍କର ହେଉଛି ଅଧିକାର ।

ଏଥିପାଇଁ ବିଗତ 6 ବର୍ଷରେ ଭାରତରେ ସହାବସ୍ଥାନ ସୁଗମତାର ମଧ୍ୟ ବହୁତ ବଡ଼ ଆନ୍ଦୋଳନ ଚାଲୁ ରହିଛି । ଭାରତ ନିଜର ନାଗରିକମାନଙ୍କୁ ଜୀବନର ପ୍ରତ୍ୟେକ ଜରୁରୀ ସୁବିଧା ଦେବାର ପ୍ରୟାସ ଜାରି ରଖିଛି । ବିଗତ 6 ବର୍ଷରେ ପ୍ରତ୍ୟେକ ସ୍ତରରେ, ପ୍ରତ୍ୟେକ କ୍ଷେତ୍ରରେ ସେହିସବୁ ପଦକ୍ଷେପ ଉଠାଯାଇଛି, ଯାହା ଗରିବଙ୍କୁ, ସାଧାରଣ ଜନସାଧାରଣଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରୋତ୍ସାହିତ କରି ପାରିବ । ଆଜି ମଣିପୁର ସମେତ ସଂପୂର୍ଣ୍ଣ ଭାରତ ଖୋଲାରେ ମଳମୁକ୍ତ ହେବାର ଘୋଷଣା କରି ସାରିଛି । ଆଜି ଭାରତର ପ୍ରତ୍ୟେକ ଗାଁକୁ ବିଜୁଳିର ସଂଯୋଗ ପହଂଚିସାରିଛି, ପ୍ରାୟ-ପ୍ରାୟ ସମସ୍ତ ପରିବାର ବିଜୁଳି ସଂଯୋଗ ହୋଇ ସାରିଛି । ଆଜି ଏଲପିଜି ଗ୍ୟାସ ଗରିବରୁ ଅତି ଗରିବ ଲୋକଙ୍କ ରୋଷେଇଶାଳାରେ ପହଂଚି ସାରିଛି । ପ୍ରତ୍ୟେକ ଗାଁକୁ ଭଲ ସଡ଼କ ଦ୍ୱାରା ସଂଯୋଗ କରାଯାଉଛି । ପ୍ରତ୍ୟେକ ଗରିବ ବେଘରଙ୍କୁ ରହିବା ପାଇଁ ଭଲ ଘର ଉପଲବ୍ଧ କରାଇ ଦିଆ ଯାଉଛି । ଗୋଟିଏ ବଡ଼ ଅଭାବ ରହି ଯାଉଥିଲା ସ୍ୱଚ୍ଛ ପାଣିର ତାହାକୁ ପୂରଣ କରିବା ପାଇଁ ମଧ୍ୟ ମିଶନ ମୋଡ଼ରେ ଜଳ ପହଂଚାଇବାର କାର୍ଯ୍ୟ କରାଯାଉଛି ।

ସାଥୀଗଣ,

ଉନ୍ନତ ଜୀବନର, ପ୍ରଗତି ଏବଂ ଉନ୍ନତିର ସିଧା ସଳଖ ସମ୍ବନ୍ଧ ରହିଛି ଯୋଗାଯୋଗ ସହିତ । ଉତ୍ତର-ପୂର୍ବାଞ୍ଚଳରେ ଯୋଗାଯୋଗ ଏଠାକାର ଲୋକଙ୍କର ସହାବସ୍ଥାନ ସୁଗମତା ପାଇଁ ହେଉଛି ଜରୁରୀ, ଏକ ସୁରକ୍ଷିତ ଏବଂ ଆତ୍ମନିର୍ଭର ଭାରତର ଲକ୍ଷ୍ୟକୁ ପୂରଣ କରିବା ପାଇଁ ମଧ୍ୟ ହେଉଛି ବହୁତ ଆବଶ୍ୟକ । ଏହା ଗୋଟିଏ ପଟେ ମିଆଁମାର, ଭୁଟାନ, ନେପାଳ ଏବଂ ବାଂଲାଦେଶ ସହିତ ଆମର ସାମାଜିକ ଏବଂ ବ୍ୟବସାୟିକ ସମ୍ପର୍କକୁ ସୁଦୃଢ଼ କରିଥାଏ, ଅନ୍ୟ ପକ୍ଷରେ ଭାରତର ଆକ୍ଟ ଇଷ୍ଟ ନୀତିକୁ ମଧ୍ୟ ସଶକ୍ତ କରିଥାଏ ।

ଆମର ଏହି ଉତ୍ତର-ପୂର୍ବାଞ୍ଚଳ, ଗୋଟିଏ ପ୍ରକାରରେ ପୂର୍ବ ଏସିଆ ସହିତ ଆମର ପ୍ରାଚୀନ ସାଂସ୍କୃତିକ ସମ୍ପର୍କକୁ ଏବଂ ଭବିଷ୍ୟତର ବ୍ୟବସାୟ, ଯାତ୍ରା ଏବଂ ପର୍ଯ୍ୟଟନ ସେହି ସମ୍ପର୍କଗୁଡ଼ିକର ହେଉଛି ପ୍ରବେଶଦ୍ୱାର । ଏହି ଚିନ୍ତାଧାରା ସହିତ ମଣିପୁର ସମେତ ସମଗ୍ର ଉତ୍ତର-ପୂର୍ବାଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ସହିତ ଜଡ଼ିତ ଭିତ୍ତିଭୂମି ଉପରେ ନିରନ୍ତର ଗୁରୁତ୍ୱ ଦିଆଯାଉଛି । ସଡ଼କପଥ, ରାଜପଥ, ଆକାଶପଥ, ଜଳପଥ ଏବଂ ଆଇ-ୱେଜ୍ ଏହା ସହିତ ଗ୍ୟାସ ପାଇପ୍ ଲାଇନର ମଧ୍ୟ ଆଧୁନିକ ଭିତ୍ତିଭୂମି, ଅପ୍ଟିକାଲ ଫାଇବରର ଭିତ୍ତିଭୂମି, ପାୱାର ଗ୍ରିଡ଼ର ବ୍ୟବସ୍ଥା, ଏଭଳି ଅନେକ କାର୍ଯ୍ୟ, ଉତ୍ତର-ପୂର୍ବାଞ୍ଚଳରେ ଗୋଟିଏ ପ୍ରକାରରେ ଭିତ୍ତିଭୂମିର ଜାଲ ବିଛାଇ ଦିଆ ଯାଇଛି ।

ବିଗତ 6 ବର୍ଷରେ ସମଗ୍ର ଉତ୍ତର-ପୂର୍ବାଞ୍ଚଳର ଭିତ୍ତିଭୂମି ଉପରେ ହଜାର-ହଜାର କୋଟି ଟଙ୍କାର ନିବେଶ କରାଯାଇଛି । ଏହା ଚେଷ୍ଟା ରହିଛି କି ଉତ୍ତର-ପୂର୍ବାଞ୍ଚଳର ରାଜ୍ୟର ରାଜଧାନୀଗୁଡ଼ିକୁ 4 ଲେନ୍, ଜିଲ୍ଲା ମୁଖ୍ୟାଳୟକୁ 2 ଲେନ୍ ଏବଂ ଗାଁକୁ ସବୁଦିନିଆ ରାସ୍ତା ସହିତ ଯୋଡ଼ା ଯାଉ । ଏହା ମାଧ୍ୟମରେ ପ୍ରାୟ 3 ହଜାର କିଲୋମିଟର ସଡ଼କ ମଧ୍ୟ ପ୍ରସ୍ତୁତ ହୋଇ ସାରିଛି ଏବଂ ପ୍ରାୟ 6 ହଜାର କିଲୋମିଟରର ପ୍ରକଳ୍ପ ଉପରେ ଦ୍ରୁତ ଗତିରେ କାର୍ଯ୍ୟ ଚାଲୁ ରହିଛି ।

ସାଥୀଗଣ,

ରେଳ ଯୋଗାଯୋଗ କ୍ଷେତ୍ରରେ ଉତ୍ତର-ପୂର୍ବାଞ୍ଚଳରେ ବହୁତ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଗୋଟିଏ ପଟେ ନୂଆ ନୂଆ ଷ୍ଟେସନରେ ଟ୍ରେନ ପହଂଚୁଛି, ଅନ୍ୟପକ୍ଷରେ ଉତ୍ତର ପୂର୍ବାଞ୍ଚଳରେ ରେଳ ନେଟୱାର୍କକୁ ବ୍ରଡଗଜରେ ପରିବର୍ତ୍ତନ କରାଯାଉଛି । ଆପଣ ସମସ୍ତେ ଏହି ପରିବର୍ତ୍ତନ ମଧ୍ୟ ଅନୁଭବ କରୁଛନ୍ତି । ପ୍ରାୟ 14 ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଜିରିବାମ୍-ଇମ୍ଫାଲ ରେଳ ଲାଇନ ପ୍ରସ୍ତୁତ ହେବା ପରେ  ମଣିପୁରରେ ବହୁତ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି । ସେହିପରି ଉତ୍ତର-ପୂର୍ବାଞ୍ଚଳର ପ୍ରତ୍ୟେକ ରାଜ୍ୟର ରାଜଧାନୀଗୁଡିକୁ ଆଗାମୀ ବର୍ଷମାନଙ୍କରେ ଏକ ଉନ୍ନତ ରେଳ ନେଟୱାର୍କ ସହିତ ଯୋଡିବା କାର୍ଯ୍ୟ ଦ୍ରୁତ ଗତିରେ ଚାଲୁ ରହିଛି ।

ସାଥୀଗଣ,

ସଡ଼କ ଏବଂ ରେଳପଥ ବ୍ୟତୀତ ଉତ୍ତର-ପୂର୍ବାଞ୍ଚଳର ଆକାଶ ପଥରେ ଯୋଗାଯୋଗ ମଧ୍ୟ ହେଉଛି ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଆଜି ଉତ୍ତର-ପୂର୍ବାଞ୍ଚଳରେ ଛୋଟ-ବଡ଼ ହୋଇ 13ଟି ବିମାନବନ୍ଦର କାର୍ଯ୍ୟକ୍ଷମ ଅଛି । ଇମ୍ଫାଲ ବିମାନବନ୍ଦର ସହିତ ଉତ୍ତର-ପୂର୍ବାଞ୍ଚଳର ଯେଉଁ ବିମାନବନ୍ଦର ଅଛି, ତାହାର ସମ୍ପ୍ରସାରଣ କରିବା ପାଇଁ, ସେଠାରେ ଅତ୍ୟାଧୁନିକ ସୁବିଧାଗୁଡ଼ିକୁ ପ୍ରସ୍ତୁତ କରିବା ପାଇଁ 3 ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟ କରାଯାଉଛି ।

ସାଥୀଗଣ,

ଉତ୍ତର-ପୂର୍ବାଞ୍ଚଳ ପାଇଁ ଆଉ ଏକ ବଡ଼ କାର୍ଯ୍ୟ ହେଉଛି, ଆନ୍ତଃ-ଜଳପଥ କ୍ଷେତ୍ରରେ । ଏକ ବହୁତ ବଡ଼ ବିପ୍ଳବ ମୁଁ ଦେଖିପାରୁଛି । ଏଠାରେ ଏବେ 20ରୁ ଅଧିକ ଜାତୀୟ ଜଳପଥ ଉପରେ କାର୍ଯ୍ୟ ଚାଲୁ ରହିଛି । ଭବିଷ୍ୟତରେ ଏଠାକାର ଯୋଗାଯୋଗ କେବଳ ସିଲିଗୁଡ଼ି କରିଡର ପର୍ଯ୍ୟନ୍ତ ସୀମିତ ରହିବ ନାହିଁ । ଏବେ ସମୁଦ୍ର ଏବଂ ନଦୀଗୁଡ଼ିକରେ ନେଟୱର୍କ ମାଧ୍ୟମରେ ଏକ ସହଜ ଯୋଗାଯୋଗ ବ୍ୟବସ୍ଥା ଉପରେ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି । ଯୋଗାଯୋଗ ବ୍ୟବସ୍ଥା ବୃଦ୍ଧି କରିବାର ବହୁତ ବଡ଼ ଲାଭ ଆମର ଉଦ୍ୟମୀମାନଙ୍କୁ, ଆମର କୃଷକମାନଙ୍କୁ ମିଳୁଛି । ଏହାଦ୍ୱାରା ଉତ୍ତର-ପୂର୍ବାଞ୍ଚଳ ପାଇଁ ହେଉଥିବା ପରିବହନରେ ସମୟର ସଂଚୟ ହେଉଛି । ଆଉ ଏକ ଲାଭ ଏହା ମଧ୍ୟ ହୋଇଛି କି ଉତ୍ତର-ପୂର୍ବାଞ୍ଚଳରେ ଗାଁଗୁଡ଼ିକୁ କୃଷକମାନଙ୍କୁ, ଫଳ, ପନିପରିବା ଏବଂ ଖଣିଜ ଭଳି ଅନ୍ୟାନ୍ୟ ଉତ୍ପାଦକୁ ଦେଶ ଏବଂ ବିଦେଶର ବଡ଼ ବଡ଼ ବଜାର ପର୍ଯ୍ୟନ୍ତ ସିଧାସଳଖ ପହଂଚିବାର ସୁଯୋଗ ମିଳୁଛି ।

ସାଥୀଗଣ,

ଉତ୍ତର-ପୂର୍ବାଞ୍ଚଳ ଭାରତର ପ୍ରାକୃତିକ ଏବଂ ସାଂସ୍କୃତିକ ବିବିଧତାର, ସାଂସ୍କୃତିକ ଦୃଢ଼ତାର ହେଉଛି ଏକ ବହୁତ ବଡ଼ ପ୍ରତୀକ । ଭାରତର ହେଉଛି ଗର୍ବ ଓ ଗୌରବର ବିଷୟ । ଏହିପରି ଭାବେ ଯେତେବେଳେ ଆଧୁନିକ ଭିତ୍ତିଭୂମିର ନିର୍ମାଣ ହୋଇଥାଏ, ପର୍ଯ୍ୟଟନକୁ ମଧ୍ୟ ବହୁତ ବଳ ମିଳିଥାଏ । ମଣିପୁର ସମେତ ଉତ୍ତର-ପୂର୍ବାଞ୍ଚଳରେ ପର୍ଯ୍ୟଟନ କ୍ଷମତା ଏବେ ମଧ୍ୟ ଅପରିଚିତ ହୋଇ ରହିଛି । ଏବେ ମୁଁ ଦେଖୁଛି କି ସାମାଜିକ ଗଣମାଧ୍ୟମ ଏବଂ ଭିଡିଓ ଷ୍ଟ୍ରିମିଂ ମାଧ୍ୟମରେ ଦେଶ ଏବଂ ବିଦେଶ ପର୍ଯ୍ୟନ୍ତ ଉତ୍ତର-ପୂର୍ବାଞ୍ଚଳର ଏହି ଛବି, ଦକ୍ଷତା ଘରେ-ଘରେ ପହଂଚିବାର ସମ୍ଭାବନା ସୃଷ୍ଟି ହୋଇଛି । ଆଉ ଉତ୍ତର-ପୂର୍ବାଞ୍ଚଳର ଅଦେଖା ସ୍ଥାନର ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛି, ଲୋକଙ୍କ ମନରେ ଏହି ଭାବନା ରହିଛି ଏହା ଆମ ଦେଶରେ ଅଛି । ଏଭଳି ଭାବନା ଲୋକଙ୍କ ମନରେ ଆସୁଛି । ଉତ୍ତର-ପୂର୍ବାଞ୍ଚଳ ନିଜର ଏହି ଶକ୍ତିର ପୂରା ଲାଭ ଉଠାଉ, ଏଠାକାର ଯୁବକମାନଙ୍କୁ ରୋଜଗାରର ସୁଯୋଗ ମିଳୁ, ଏହି ଦିଗରେ ସରକାରଙ୍କର ଅନେକ କାର୍ଯ୍ୟ ଆଗକୁ ବଢ଼ୁଛି ।

ସାଥୀଗଣ,

ଉତ୍ତର-ପୂର୍ବାଞ୍ଚଳର ସାମର୍ଥ୍ୟ, ଭାରତର ବାଉଁଶ ଆମଦାନୀକୁ ସ୍ଥାନୀୟ ଉତ୍ପାଦରେ ପରିବର୍ତ୍ତନ କରିବାର ସାମର୍ଥ୍ୟ ରଖିଛି । ଦେଶରେ ଅଗରବତୀର ଏତେ ବଡ଼ ଚାହିଦା ଅଛି, କିନ୍ତୁ ଏଥିପାଇଁ ମଧ୍ୟ ଆମେ କୋଟି-କୋଟି ଟଙ୍କାର ବାଉଁଶ ଆମଦାନୀ କରୁଛୁ । ଏହି ସ୍ଥିତିକୁ ବଦଳାଇବା ପାଇଁ ଦେଶରେ ଦୀର୍ଘ ଦିନ ଧରି ଅନେକ କାର୍ଯ୍ୟ ହେଉଛି ଏବଂ ଏହାର ମଧ୍ୟ ବହୁତ ଲାଭ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ହିଁ ମିଳିବ ।

ସାଥୀଗଣ,

ଉତ୍ତର-ପୂର୍ବାଞ୍ଚଳରେ ବାଉଁଶ ଶିଳ୍ପକୁ ପ୍ରୋତ୍ସାହନ ଦେବାକୁ ପ୍ରଥମରୁ ହିଁ ଏକ ବାଉଁଶ ଶିଳ୍ପ ପାର୍କକୁ ମଞ୍ଜୁରି ଦିଆ ଯାଇଯାଇ ସାରିଛି । କେବଳ ଏତିକି ନୁହେଁ, ନୁମାଲିଗଡ଼ରେ ବାଉଁଶରୁ ଜୈବ ଇନ୍ଧନ ଉତ୍ପାଦନର କାରଖାନା ମଧ୍ୟ ନିର୍ମାଣ କରାଯାଉଛି । ଜାତୀୟ ବାଉଁଶ ମିଶନ ଅଧୀନରେ ବାଉଁଶ ଚାଷୀ, ହସ୍ତଶିଳ୍ପ ସହିତ ଜଡ଼ିତ ଶିଳ୍ପୀ ଏବଂ ଅନ୍ୟାନ୍ୟ ସୁବିଧା ପାଇଁ ଶହ-ଶହ କୋଟି ଟଙ୍କାର ନିବେଶ କରାଯାଉଛି । ଏହାଦ୍ୱାରା ଉତ୍ତର-ପୂର୍ବାଞ୍ଚଳରେ ଯୁବକମାନଙ୍କୁ, ଏଠାକାର ଷ୍ଟାର୍ଟ-ଅପ୍ସ ଗୁଡ଼ିକୁ ବହୁତ ଲାଭ ହେବ ।

ସାଥୀଗଣ,

ଉତ୍ତର-ପୂର୍ବାଞ୍ଚଳରେ ହେଉଥିବା ଏହି ଦ୍ରୁତ ପରିବର୍ତ୍ତନର ଲାଭ, ଯେଉଁ ରାଜ୍ୟ ଅଧିକ ସକ୍ରିୟ ହେବ, ସେମାନେ ଉଠାଇ ପାରିବେ, ମଣିପୁର ଆଗରେ ଅସୀମିତ ସୁଯୋଗ ରହିଛି ଆଉ ମୋର ଦୃଢ ବିଶ୍ୱାସ ହେଉଛି, ମଣିପୁର ଏହି ସୁଯୋଗ ହାତଛଡ଼ା କରିବାକୁ ଦେବ ନାହିଁ । ଏଠାକାର କୃଷକମାନଙ୍କୁ, ଏଠାକାର ଯୁବ ଉଦ୍ୟମୀମାନଙ୍କୁ ଏହାର ବହୁତ ବଡ଼ ଲାଭ ମିଳିବ । ଆମର ପ୍ରୟାସ ଏହା ଯେ ମଣିପୁରର ଯୁବକମାନଙ୍କୁ ରୋଜଗାରର ସୁଯୋଗ ସ୍ଥାନୀୟ ସ୍ତରରେ ହିଁ ଉପଲବ୍ଧ ହେଉ । ସ୍ୱାସ୍ଥ୍ୟ, ଶିକ୍ଷା, ଦକ୍ଷତା ବିକାଶ, ଷ୍ଟାର୍ଟ-ଅପ୍ସ ଏବଂ ଅନ୍ୟାନ୍ୟ ତାଲିମ ପାଇଁ ଏବେ ଏଠାରେ ଅନେକ ସଂସ୍ଥା ଗଠନ କରାଯାଉଛି ।

କ୍ରୀଡ଼ା ବିଶ୍ୱବିଦ୍ୟାଳୟ ଏବଂ ବିଶ୍ୱସ୍ତରୀୟ ଷ୍ଟାଡିୟମ ନିର୍ମାଣ ହେବା ଦ୍ୱାରା ମଣିପୁର ଦେଶର କ୍ରୀଡ଼ା ପ୍ରତିଭାଙ୍କୁ ବିକଶିତ କରିବା ପାଇଁ ଏକ ବଡ଼ କେନ୍ଦ୍ର ପାଲଟିବାକୁ ଯାଉଛି । ଏତିକି ନୁହେଁ, ଦେଶର ଅନ୍ୟାନ୍ୟ ସ୍ଥାନରୁ ମଧ୍ୟ ମଣିପୁର ସହିତ ଉତ୍ତର-ପୂର୍ବାଞ୍ଚଳର ସମସ୍ତ ଯୁବକମାନଙ୍କୁ ଆଜି ଛାତ୍ରାବାସ ସମେତ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଯାଉଛି । ବିକାଶ ଏବଂ ବିଶ୍ୱାସର ଏହି ପଥକୁ ଆମକୁ ଆହୁରି ସୁଦୃଢ଼ କରିବାକୁ ପଡ଼ିବ । ପୁଣିଥରେ ଆପଣ ସମସ୍ତଙ୍କୁ ଏହି ନୂତନ ଜଳ ପ୍ରକଳ୍ପ ପାଇଁ ଅନେକ-ଅନେକ ଶୁଭକାମନା ।

ବିଶେଷକରି ଆମର ମାଆ ଓ ଭଉଣୀଙ୍କର ଆଶୀର୍ବାଦ, ଆମକୁ ସେହି ଶକ୍ତି ଦେଉ, ଯାହାଦ୍ୱାରା ଘରେ-ଘରେ ପାଣି ପହଂଚାଇବା ନେଇ ଆମ ସ୍ୱପ୍ନରେ କେଉଁଠାରେ କିଛି ପ୍ରତିବନ୍ଧକ ନ ଆସୁ । ସମୟସୀମା ପୂର୍ବରୁ ଆମେ କାର୍ଯ୍ୟ କରି ପାରିବା । ଏଭଳି ମାଆମାନେ ଏବଂ ଭଉଣୀମାନେ ଆମକୁ ଆଶୀର୍ବାଦ ଦିଅନ୍ତୁ । ଆମକୁ କାର୍ଯ୍ୟ କରିବାର ଅଛି । କାର୍ଯ୍ୟ କରିବା ପାଇଁ ଆଶୀର୍ବାଦ ଦିଅନ୍ତୁ । ଆପଣମାନଙ୍କ ଆଶୀର୍ବାଦରେ ବହୁତ ବଡ଼ ଶକ୍ତି ଥାଏ । ଆଉ ରକ୍ଷାବନ୍ଧନର ପର୍ବ ଆଗକୁ ଆସୁଛି, ତ ମୁଁ ଅନୁରୋଧ କରି ଆପଣମାନଙ୍କ ଆଶୀର୍ବାଦର କାମନା କରୁଛି । ଆପଣ ସମସ୍ତେ ନିଜର ଧ୍ୟାନ ରଖନ୍ତୁ । ସ୍ୱଚ୍ଛତାକୁ ନେଇକରି ଏମିତି ମଧ୍ୟ ଉତ୍ତର-ପୂର୍ବାଞ୍ଚଳ ସର୍ବଦା ବହୁତ ଗମ୍ଭୀର ରହିଛି, ସତର୍କ ରହିଛି । ଦେଶର ଏକ ଉଦାହରଣ ଭାବେ କାର୍ଯ୍ୟ କରୁଛି । କିନ୍ତୁ ଆଜି ଯେତେବେଳେ ଆମେ କରୋନା ସହିତ ଲଢ଼େଇ କରି ଚାଲିଛେ, ସେତେବେଳେ ଦୁଇ ଗଜର ଦୂରତା, ମୁହଁରେ ମାସ୍କ ଏବଂ ହାତ ବିଶୋଧନ ଆଉ ସେହିପରି ଭାବେ ବାହାରେ କେଉଁଠାରେ ଛେପ ନ ପକାଇବା, ଅପରିଷ୍କାର କରିବା ନାହିଁ । ଏହି ସମସ୍ତ କଥା ଉପରେ ଧ୍ୟାନ ରଖିବାର ଅଛି । ଆଜି କରୋନା ସହିତ ଲଢ଼େଇ ଲଢ଼ିବା ପାଇଁ ଏହା ହେଉଛି ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର । ଏହା ଆମକୁ କରୋନା ସହିତ ଲଢ଼େଇରେ ସାହାଯ୍ୟ କରି ଚାଲିବ ।

ବହୁତ-ବହୁତ ଧନ୍ୟବାଦ!!!

**********