Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମଛି ନଦୀରେ ସେତୁ ନିର୍ମାଣ ପାଇଁ ଭାରତ-ନେପାଳ ମଧ୍ୟରେ ବୁଝାମଣା ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ


ଭାରତ ଓ ନେପାଳ ମଧ୍ୟରେ ମଛି ନଦୀ ଉପରେ ଏକ ନୂତନ ସେତୁ ନିର୍ମାଣ କରାଯିବ । ଏହି ସେତୁର ନିର୍ମାଣ ଖର୍ଚ୍ଚ, ପ୍ରକଳ୍ପ ନିର୍ମାଣ ସମୟ ଓ ନିରାପତ୍ତା ସଂପର୍କୀତ ବିଭିନ୍ନ ପ୍ରସଙ୍ଗ ଉପରେ ଏକ କାର୍ଯ୍ୟାନ୍ୱୟନ ବୁଝାମଣା ପତ୍ର ଭାରତ ଓ ନେପାଳ ମଧ୍ୟରେ ସ୍ୱାକ୍ଷରିତ ହେବ । ଏହି ବୁଝାମଣା ପତ୍ରକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି ।

ଭାରତ-ନେପାଳ ସୀମାରେ ମଛି ନଦୀ ସେତୁ ପାଇଁ 158.65 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ପ୍ରକଳ୍ପ ପାଇଁ ଭାରତ ସରକାର ଏସୀୟ ଉନ୍ନୟନ ବ୍ୟାଙ୍କ ଋଣ ସହାୟତା ମାଧ୍ୟମରେ ସହାୟତା ଯୋଗାଇ ଦେବେ ।

ନେପାଳର କାକରବିଟା ଠାରୁ ଭାରତ ପାଣଟାଙ୍କି ବାଇପାସ ପର୍ଯ୍ୟନ୍ତ 1500 ମିଟର ଲମ୍ବର ଜାତୀୟ ରାଜପଥ – 327(ବି)ର ପୁନଃନିର୍ମାଣର ଅଂଶ ବିଶେଷ ହେଉଛି ପ୍ରସ୍ତାବିତ ମଛି ନଦୀ ସେତୁ । ଏହି ପ୍ରସ୍ତାବିତ ରାଜପଥକୁ 825 ମିଟର 6 ଲେନ ବିଶିଷ୍ଟ ପ୍ରବେଶ ରାସ୍ତା ମଧ୍ୟ ନିର୍ମାଣ କରାଯିବ । ମଛି ସେତୁ ହେଉଛି ଏସୀୟ ରାଜପଥ ନମ୍ବର-2 ର ଶେଷ ଭାଗ ଯାହାକି ଭାରତ-ନେପାଳ ସୀମା ମଧ୍ୟରେ ରହିଛି ଏବଂ ଉଭୟ ରାଷ୍ଟ୍ର ପାଇଁ ସଡ଼କ ଯୋଗାଯୋଗର ପ୍ରମୁଖ ମାଧ୍ୟମ ହୋଇଛି ।

ଏହି ସେତୁ ନିର୍ମାଣ ଦ୍ୱାରା ଦୁଇ ଦେଶ ମଧ୍ୟରେ ଗମନାଗମନର ସୁବିଧା ହେବ ଏବଂ ସୀମାପାର ବାଣିଜ୍ୟ କାରବାରକୁ ପ୍ରୋତ୍ସାହିତ କରିବ । ସେହିପରି ସଡ଼କ ସଂଯୋଗୀକରଣ ବ୍ୟବସ୍ଥାର ଉନ୍ନତିକରଣ ଦ୍ୱାରା ଶିଳ୍ପ, ସାମାଜିକ ଓ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ମଧ୍ୟ ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଇବ ।

ଏହି ସେତୁ ପ୍ରକଳ୍ପ ନିର୍ମାଣ ଦାୟିତ୍ୱ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଅଧିନସ୍ଥ ଜାତୀୟ ରାଜପଥ ଓ ଭିତ୍ତିଭୂମି ବିକାଶ ନିଗମକୁ ପ୍ରଦାନ କରାଯାଇଛି । ମଛି ସେତୁ ନିର୍ମାଣ ଲାଗି ଇତି ମଧ୍ୟରେ ପୂର୍ଣ୍ଣାଙ୍ଗ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ହୋଇଛି ଏବଂ ନେପାଳ ସରକାରଙ୍କ ପରାମର୍ଶ କ୍ରମେ ସେତୁ ଏଲାଏନମେଣ୍ଟ କାର୍ଯ୍ୟ ମଧ୍ୟ ଚୂଡାନ୍ତ ହୋଇସାରିଛି ।

**********