1. ରୁଷୀୟ ସଙ୍ଘର ମାନ୍ୟବର ରାଷ୍ଟ୍ରପତି ମିଷ୍ଟର ଭ୍ଲାଦିମିର ପୁତିନଙ୍କ ନିମନ୍ତ୍ରଣ କ୍ରମେ ଭାରତ ସାଧାରଣତନ୍ତ୍ରର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର 4-5, 2019ରେ ରୁଷୀୟ ସଙ୍ଘକୁ ଏକ ଆନୁଷ୍ଠାନିକ ଗସ୍ତରେ ଯାଇଥିଲେ । ଭ୍ଲାଦିଭୋଷ୍ଟକଠାରେ 20ତମ ଭାରତ-ରୁଷ ବାର୍ଷିକ ସମ୍ମିଳନୀର ଆୟୋଜନ ହୋଇଥିଲା । ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମୁଖ୍ୟ ଅତିଥି ଭାବେ ପଂଚମ ପ୍ରାଚ୍ୟ ଆର୍ଥିକ ମଂଚରେ ଯୋଗ ଦେଇଥିଲେ ।
2. 20ତମ ବାର୍ଷିକ ସମ୍ମିଳନୀରେ ଭାରତ ଓ ରୁଷ ମଧ୍ୟରେ ସ୍ୱତନ୍ତ୍ର ଏବଂ ବିଶେଷ ରଣନୈତିକ ଭାଗିଦାରୀତାରେ ହୋଇଥିବା ବିକାଶ ସମ୍ବନ୍ଧରେ ଉଭୟ ନେତା ଉଲ୍ଲେଖ କରିଥିଲେ । ଏହି ସମ୍ପର୍କ ବିଶେଷ, ଭରସାଯୋଗ୍ୟ ଏବଂ ପାରସ୍ପରିକ ଭାବେ ଲାଭପ୍ରଦ । ଏହି ସମ୍ପର୍କ ସମସ୍ତ ସମ୍ଭାବ୍ୟ ସହଯୋଗ କ୍ଷେତ୍ରକୁ ବ୍ୟାପ୍ତ । ଏହା ଏକାପ୍ରକାରର ସଭ୍ୟତା ଭିତ୍ତିକ ମୂଲ୍ୟବୋଧ, ଦୀର୍ଘ ସମୟ ଧରି ପ୍ରମାଣିତ ବନ୍ଧୁତ୍ୱ, ପାରସ୍ପରିକ ବୁଝାମଣା, ବିଶ୍ୱାସ, ପାରସ୍ପରିକ ଲାଭ ଏବଂ ବିକାଶ ଓ ଅର୍ଥନୈତିକ ପ୍ରଗତିର ମୂଳ ବିଷୟ ସହିତ ସମ୍ବନ୍ଧିତ ନିକଟତମ ବିଚାରଧାରା ଉପରେ ଆଧାରିତ । ବିଭିନ୍ନ ଆନ୍ତର୍ଜାତିକ ମଂଚର ବୈଠକ ଅବସର ସମେତ ଏହି ଦେଶମାନଙ୍କର ନେତାମାନଙ୍କ ମଧ୍ୟରେ ନିୟମିତ ବୈଠକ ଏବଂ ଦ୍ୱିପାକ୍ଷିକ ସମ୍ପର୍କରେ ନିୟମିତ ବୃଦ୍ଧି ଏହି ଭାଗିଦାରିତାର ଏକ ସ୍ପଷ୍ଟ ପ୍ରମାଣ ।
3. ଭାରତ-ରୁଷ ମଧ୍ୟରେ ସମ୍ପର୍କ ସମକାଳୀନ ବିଶ୍ୱର ଉଗ୍ର ବାସ୍ତବିକତାକୁ ସଫଳତାର ସହିତ ସମ୍ମୁଖୀନ ହୋଇଛି । ବାହାର ପ୍ରଭାବ ଦ୍ୱାରା ଏମାନେ କେବେ ବି ପ୍ରଭାବିତ ହୋଇନାହାନ୍ତି ଏବଂ ହେବେ ମଧ୍ୟ ନାହିଁ । ଭାରତ-ରୁଷ ମଧ୍ୟରେ ସାମଗ୍ରୀକ ସମ୍ପର୍କ ବୃଦ୍ଧି ଉଭୟ ଦେଶଙ୍କ ବୈଦେଶିକ ନୀତିରେ ଗୁରୁତ୍ୱ ବହନ କରିଥାଏ । ଉଭୟ ଦେଶର ନେତା ଆମ ରଣନୈତିକ ଭାଗିଦାରୀତାକୁ ସମସ୍ତ ସମ୍ଭାବ୍ୟ ଉପାୟରେ ବୃଦ୍ଧି କରିବା ନେଇ ଆବଶ୍ୟକ କାର୍ଯ୍ୟକ୍ରମ ଗ୍ରହଣ ପାଇଁ ରାଜି ହୋଇଥିଲେ, ଯାହାଫଳରେ କି ଏହାର ସ୍ୱତନ୍ତ୍ର ଏବଂ ବିଶେଷ ବ୍ୟବସ୍ଥା ଜଟିଳ ଆନ୍ତର୍ଜାତିକ ପରିସ୍ଥିତିରେ ଏହି ସମ୍ପର୍କକୁ ଆହୁରି ଦୃଢ଼ କରିବ ।
4. ଉଭୟ ଦେଶ ସେମାନଙ୍କ ସଂସଦ ମଧ୍ୟରେ ବ୍ୟାପକ ସହଯୋଗକୁ ସ୍ୱାଗତ କରିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ସେମାନଙ୍କ ଦ୍ୱିପାକ୍ଷିକ ସମ୍ପର୍କରେ ଆନ୍ତଃସଂସଦୀୟ ମତ ବିନିମୟ ସେମାନଙ୍କ ଦ୍ୱିପାକ୍ଷିକ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ । ସେମାନେ 2018 ଡିସେମ୍ବରରେ ଡୁମାର ଅଧ୍ୟକ୍ଷଙ୍କ ଭାରତ ଗସ୍ତ ସମ୍ବନ୍ଧରେ ଉଲ୍ଲେଖ କରିଥିଲେ ଏବଂ 2019 ଶେଷ ବେଳକୁ ଲୋକସଭାର ବାଚସ୍ପତିଙ୍କ ରୁଷ ଗସ୍ତ କାର୍ଯ୍ୟକ୍ରମ ରହିଥିବା ପ୍ରକାଶ କରିଥିଲେ ।
5. ଭାରତ-ରୁଷ ସମ୍ପର୍କର ବ୍ୟାପକତାକୁ ଆହୁରି ପ୍ରସାରିତ କରିବା ପାଇଁ ଉଭୟ ପକ୍ଷ ଶକ୍ତିଶାଳୀ ବହୁମୁଖୀ ବାଣିଜ୍ୟ ଏବଂ ଅର୍ଥନୈତିକ ସହଯୋଗକୁ ଆଧାରଶୀଳା ଭାବେ ଉଭୟ ପକ୍ଷ ଗୁରୁତ୍ୱ ପ୍ରଦାନ କରୁଛନ୍ତି ।
6. ବାଣିଜ୍ୟ, ଅର୍ଥନୀତି, ବୈଜ୍ଞାନିକ, ପ୍ରଯୁକ୍ତିବିଦ୍ୟା ଏବଂ ସାଂସ୍କୃତିକ ସହଯୋଗ ନେଇ ଭାରତ-ରୁଷ ଆନ୍ତଃସରକାରୀ କମିଶନର କାର୍ଯ୍ୟକୁ ନେତାମାନେ ଉଚ୍ଚପ୍ରଶଂସା କରିଥିଲେ ଯାହାକି ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ କ୍ଷେତ୍ରରେ ପ୍ରଗତିଶୀଳ ବିକାଶକୁ ନିଶ୍ଚିତ କରିଥାଏ ।
7. ପାରସ୍ପରିକ ବାଣିଜ୍ୟ କାରବାରରେ ସ୍ଥାୟୀତ୍ୱ ଓ ବୃଦ୍ଧିକୁ ନେଇ ଉଭୟ ପକ୍ଷ ସନ୍ତୋଷ ପ୍ରକାଶ କରିଥିଲେ । 2025 ସୁଦ୍ଧା ଏହାକୁ 30 ବିଲିଅନ ଆମେରିକୀୟ ଡଲାରରେ ପରିଣତ କରିବା ପାଇଁ ସେମାନେ ବିଶେଷ ଭାବେ ଅତ୍ୟାଧୁନିକ ହାଇ-ଟେକ କ୍ଷେତ୍ରରେ ଭାରତ ଓ ରୁଷର ଆକର୍ଷଣୀୟ ସମ୍ବଳ ଓ ମାନବ ସମ୍ବଳ, ଶିଳ୍ପ ସହଯୋଗ ବୃଦ୍ଧି, ନୂତନ ପ୍ରଯୁକ୍ତି ବିଦ୍ୟାର ନିର୍ମାଣ ଏବଂ ନିବେଶ ଭାଗିଦାରୀତା କ୍ଷେତ୍ରରେ ସକ୍ରିୟ ଭାବେ କାର୍ଯ୍ୟ କରିବା ଏବଂ ସହଯୋଗର ନୂତନ କ୍ଷେତ୍ର ସନ୍ଧାନ ପାଇଁ ସେମାନେ ରାଜି ହୋଇଥିଲେ ।
8. “ମେକ ଇନ ଇଣ୍ଡିଆ” କାର୍ଯ୍ୟକ୍ରମରେ ରୁଷ ବ୍ୟବସାୟିକ ପ୍ରତିଷ୍ଠାନର ଏବଂ ରୁଷରେ ନିବେଶ ପ୍ରକଳ୍ପରେ ଭାରତୀୟ କମ୍ପାନୀ ମାନଙ୍କର ଅଂଶଗ୍ରହଣ ନେଇ ଉଭୟ ପକ୍ଷ ଆଶା ପ୍ରକାଶ କରିଥିଲେ । ଏହି ପ୍ରସଙ୍ଗରେ ନିବେଶର ପ୍ରସାର ଏବଂ ପାରସ୍ପରିକ ସୁରକ୍ଷାକୁ ନେଇ ଭାରତ-ରୁଷ ଆନ୍ତଃସରକାରୀ ରାଜିନାମା ସ୍ୱାକ୍ଷରକୁ ନେଇ ପ୍ରସ୍ତୁତିକୁ ଜୋରଦାର କରିବା ପାଇଁ ସେମାନେ ରାଜି ହୋଇଥିଲେ ।
9. ପାରସ୍ପରିକ ବ୍ୟବସାୟରେ ବାଧା ଦୂର କରିବା ପାଇଁ ମିଳିତ କାର୍ଯ୍ୟକୁ ବୃଦ୍ଧି କରିବା ପାଇଁ ଉଭୟ ପକ୍ଷ ରାଜି ହୋଇଥିଲେ । ଏଥିରେ ରହିଛି ରକ୍ଷାତ୍ମକ ପଦକ୍ଷେପ, କଷ୍ଟମ ଓ ପ୍ରଶାସନିକ ବାଧା । ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ରକ୍ଷାତ୍ମକ ପଦକ୍ଷେପକୁ ଦୂର କରିବା ପାଇଁ ମଧ୍ୟ ସେମାନେ ରାଜି ହୋଇଥିଲେ । ୟୁରୋଏସିଆନ ଅର୍ଥନୈତିକ ୟୁନିଅନ (ଇଏଇୟୁ) ଓ ଭାରତ ସାଧାରଣତନ୍ତ୍ର ମଧ୍ୟରେ ପ୍ରସ୍ତାବିତ ବାଣିଜ୍ୟିକ ରାଜିନାମା ଏ କ୍ଷେତ୍ରରେ ସହାୟକ ହେବ ।
10. ଦ୍ରବ୍ୟ ଓ ସେବା କ୍ଷେତ୍ରରେ ବାଣିଜ୍ୟଗତ ବ୍ୟବସ୍ଥା, ଉଦ୍ୟମିତାଗତ କାର୍ଯ୍ୟଧାରା ଓ ନିବେଶ ଲାଗି ପରିବେଶ, ଉପଯୁକ୍ତ ଆମଦାନୀ ଓ ରପ୍ତାନୀ ପ୍ରକ୍ରିୟାକୁ ସନ୍ତୁଳିତ ଓ ସଂଶୋଧିତ ବ୍ୟବସ୍ଥା, ପ୍ରଯୁକ୍ତି, ସ୍ୱଚ୍ଛତା ଏବଂ ଫଟୋସାନିଟାରୀ ଆବଶ୍ୟକତା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଉଭୟ ରାଜି ହୋଇଥିଲେ ।
11. ଜାତୀୟ ମୁଦ୍ରା କ୍ଷେତ୍ରରେ ଦେୟର ପାରସ୍ପରିକ ଆଦାନ ପ୍ରଦାନ ଜାରି ରହିବ ।
12. ଦ୍ୱିପାକ୍ଷିକ ବାଣିଜ୍ୟ ଓ ଅର୍ଥନୈତିକ ସମ୍ପର୍କକୁ ପ୍ରସାର କରିବା ପାଇଁ ଭାରତକୁ ରୁଷ ବାଣିଜ୍ୟିକ ମିଶନ ଭିତ୍ତିଭୂମିରେ ରୁଷ ରପ୍ତାନୀ କେନ୍ଦ୍ର ସହିତ ମୁମ୍ବାଇରେ ଯୁଗ୍ମ ଭାବେ ପ୍ରତିଷ୍ଠିତ ରୁଷ ରପ୍ତାନୀ ସହାୟକ ଗ୍ରୁପ କାର୍ଯ୍ୟାଳୟକୁ ସ୍ୱାଗତ କରାଯାଇଛି । ରୁଷ ପ୍ଲସ ଡେସ୍କ ଅଫ ଇନଭେଷ୍ଟ ଇଣ୍ଡିଆ ଦ୍ୱାରା ଭାରତରେ କରାଯାଉଥିବା ନିବେଶ ଚାଲୁ ରଖାଯିବା ସମ୍ବନ୍ଧରେ ଉଭୟ ପକ୍ଷ ଉଲ୍ଲେଖ କରିଥିଲେ ।
13. ବାଣିଜ୍ୟ, ଅର୍ଥନୈତିକ ଓ ନିବେଶ ସହଯୋଗ ବୃଦ୍ଧି କରିବା ପାଇଁ ଉଭୟ ପକ୍ଷ ସେଂଟ ପିଟର୍ସବର୍ଗ ଆନ୍ତର୍ଜାତିକ ଅର୍ଥନୈତିକ ମଂଚର ଯୋଗଦାନ ଏବଂ ଏହି ଅବସରରେ ଚଳିତ ବର୍ଷ ଭାରତ-ଋଷ ବ୍ୟାବସାୟିକ ଆଲୋଚନା ସମ୍ବନ୍ଧରେ ଉଲ୍ଲେଖ କରିଥିଲେ ।
14. ନୂଆଦିଲ୍ଲୀଠାରେ 10 ଜୁଲାଇ 2019ରେ ଅନୁଷ୍ଠିତ ଭାରତ-ରୁଷ ରଣନୈତିକ ଅର୍ଥନୈତିକ ଆଲୋଚନାର ଦ୍ୱିତୀୟ ସଂସ୍କରଣକୁ ଉଭୟ ନେତା ସ୍ୱାଗତ କରିଛନ୍ତି । ଦୁଇ ଦେଶ ମଧ୍ୟରେ ନିୟମିତ ଏବଂ ବ୍ୟବସ୍ଥିତ ଭାବ ବିନିମୟ ଦ୍ୱାରା ପ୍ରମୁଖ କ୍ଷେତ୍ରରେ ପାରସ୍ପରିକ ଅର୍ଥନୈତିକ ସହଯୋଗକୁ ପ୍ରସାର କରିବା ଲକ୍ଷ୍ୟରେ ରଣନୈତିକ ଅର୍ଥନୈତିକ ଆଲୋଚନା ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ଭାବେ ଉଦ୍ଭବ ହୋଇଛି । ଦ୍ୱିପାକ୍ଷିକ ବାଣିଜ୍ୟ-ଅର୍ଥନୈତିକ ଓ ନିବେଶ ସହଯୋଗରେ ବୃଦ୍ଧି କରିବା ପାଇଁ ଏକ ବ୍ୟାପକ କାର୍ଯ୍ୟଧାରା ପ୍ରସ୍ତୁତ କରାଯାଇଛି ଏବଂ ଆଲୋଚନା ଆଧାରରେ 2018-2019ରେ ଗ୍ରହଣ କରାଯାଇଛି ।
15. ରୁଷୀୟ ସୁଦୂର ପ୍ରାଚ୍ୟର ବିକାଶ କ୍ଷେତ୍ରରେ ନୂଆଦିଲ୍ଲୀ ଓ ମସ୍କୋ ମଧ୍ୟରେ ସହଯୋଗ ପାଇଁ ନେତୃବୃନ୍ଦ ସନ୍ତୋଷ ପ୍ରକାଶ କରିଥିଲେ । ସୁଦୂର ପ୍ରାଚ୍ୟ ଅଂଚଳରେ ସଫଳତାର ସହ ଅନେକ ଭାରତୀୟ କମ୍ପାନୀ ପ୍ରତିଷ୍ଠା କରାଯାଇଛି । ଏଗୁଡ଼ିକ ମଧ୍ୟରେ ରହିଛି ହୀରା କଟା କ୍ଷେତ୍ରରେ ଭ୍ଲାଡିଭୋଷ୍ଟକରେ ଏମ/ଏସ କେଜିକେ ଓ କୋଇଲା ଖଣି କ୍ଷେତ୍ରରେ କ୍ରୁଟୋଗୋରୋଭର କାମଚାଟକାରେ ଏମ/ଏସ ଟାଟା ପାୱାର । ସୁଦୂର ପ୍ରାଚ୍ୟ ଅଂଚଳରେ ଏବଂ ସାଇବେରିଆରେ ଏହାର ଅର୍ଥନୈତିକ ଏବଂ ନିବେଶ ଗତ ଉପସ୍ଥିତିକୁ ପ୍ରସାରିତ କରିବା ନେଇ ଭାରତୀୟ ପକ୍ଷର ଆଗ୍ରହକୁ ରୁଷ ତରଫରୁ ସ୍ୱାଗତ କରାଯାଇଥିଲା ।
16. ରୁଷର ସୁଦୂର ପ୍ରାଚ୍ୟ ସହିତ ସହଯୋଗରେ ବୃଦ୍ଧି ପାଇଁ ଭାରତ ପ୍ରୟାସ କରୁଛି । ଏ ଦିଗରେ ପ୍ରଥମ ପଦକ୍ଷେପ ସ୍ୱରୂପ ଲକ୍ଷ୍ୟ ନିର୍ଦ୍ଧାରିତ କ୍ଷେତ୍ର ମାନଙ୍କରେ ଦ୍ୱିପାକ୍ଷିକ କାର୍ଯ୍ୟଧାରା ବୃଦ୍ଧି ନେଇ ଭାରତର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କ ନେତୃତ୍ୱରେ ଭାରତର ଏକ 4 ଜଣିଆ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ପ୍ରତିନିଧି ଦଳ ପ୍ରଥମ ଥର ପାଇଁ ଅଗଷ୍ଟ 12-13, 2019ରେ ଭ୍ଲାଡିଭୋଷ୍ଟକ ଗସ୍ତରେ ଯାଇଥିଲେ । ରୁଷର ସୁଦୂର ପ୍ରାଚ୍ୟରେ ଭାରତରୁ ଦକ୍ଷ ମାନବ ସମ୍ବଳକୁ ଅସ୍ଥାୟୀ ଭାବେ ନିଯୁକ୍ତି ପ୍ରଦାନ କରିବା ନେଇ ସହଯୋଗ କରିବା ପାଇଁ ଉଭୟ ପକ୍ଷ ପନ୍ଥା ଅନ୍ୱେଷଣ କରୁଛନ୍ତି ।
17. ଆର୍କଟିକରେ ରୁଷ ସହିତ ସହଯୋଗ କରିବା ପାଇଁ ଭାରତ ଆଗ୍ରହୀ । ଆର୍କଟିକ ଅଂଚଳରେ ବିକାଶକୁ ଭାରତ ଆଗ୍ରହର ସହ ଅନୁସରଣ କରୁଛି ଏବଂ ଆର୍କଟିକ ପରିଷଦରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ପାଇଁ ପ୍ରସ୍ତୁତ ଅଛି ।
18. ଅନ୍ୟପକ୍ଷେ ଭାରତରେ ପ୍ରମୁଖ ଭିତ୍ତିଭୂମି ତଥା ଅନ୍ୟାନ୍ୟ ପ୍ରକଳ୍ପରେ ଅଂଶଗ୍ରହଣ କରିବା ନେଇ ରୁଷ ଆଗ୍ରହ ପ୍ରକାଶ କରିଛି । ଏଇ ନିକଟରେ ମୁମ୍ବାଇରେ ଖୋଲିଥିବା ସୁଦୂର ପ୍ରାଚ୍ୟ ନିବେଶ ଓ ରପ୍ତାନୀ ଏଜେନ୍ସିର କାର୍ଯ୍ୟାଳୟ ଖୋଲିବାକୁ ଉଭୟ ପକ୍ଷ ସ୍ୱାଗତ କରିଥିଲେ ଏବଂ ରୁଷର ସୁଦୂର ପ୍ରାଚ୍ୟ ସହିତ ଦ୍ୱିପାକ୍ଷିକ ଓ ଅର୍ଥନୈତିକ ସମ୍ପର୍କ ବିକାଶରେ ଏହାର ଯୋଗଦାନ ନେଇ ଆଗ୍ରହ ପ୍ରକାଶ କରିଛନ୍ତି ।
19. ଦୁଇ ଦେଶ ମଧ୍ୟରେ ଶକ୍ତି ଶିଳ୍ପ ହେଉଛି ପାରମ୍ପରିକ ଭାବେ ମିଳିତ ଭାବେ ସହଯୋଗର ଏକ ପ୍ରମୁଖ କ୍ଷେତ୍ର- ଏହା ଏପରି ଏକ କ୍ଷେତ୍ର ଯେଉଁଠାରେ ଭାରତୀୟ ଓ ରୁଷୀୟ ଅର୍ଥନୀତି ପରସ୍ପରର ପରିପୂରକ ଏବଂ ସହାୟକ ଭାବେ ସହଯୋଗ କରିଆସୁଛନ୍ତି । ସେହିଭଳି ବେସାମରିକ ଆଣବିକ ଶକ୍ତି କ୍ଷେତ୍ରରେ ସହଯୋଗ ଭାରତ ଓ ରୁଷିଆ ମଧ୍ୟରେ ଷ୍ଟ୍ରାଟେଜିକ ସହଭାଗୀତାର ଅନ୍ୟତମ ପ୍ରମୁଖ କ୍ଷେତ୍ର । ସେହି ପରିପ୍ରେକ୍ଷୀରେ କୁଡ଼ାନକୁଲମଠାରେ ଛଅଟିରୁ ନିର୍ମାଣ ହେବାକୁ ଥିବା ଅବଶିଷ୍ଟ ଚାରିଟି ଆଣବିକ ଶକ୍ତି ରିଆକ୍ଟରର କାର୍ଯ୍ୟ ପ୍ରଗତି ସଂପକରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଦୁଇ ରାଷ୍ଟ୍ରର ପ୍ରତିନିଧିମାନେ ଏଥିପାଇଁ ଦ୍ୱିତୀୟ ସ୍ଥାନ ଚୟନ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲେ ଏବଂ ରୁଷୀୟ ଡ଼ିଜାଇନରେ ଭିଭିଇଆର 1200 ନିର୍ମାଣର ବୈଷୟିକ ଦିଗ ତଥା ମିଳିତ ଭାବେ ଏଥିପାଇଁ ଉପକରଣ ଓ ଇନ୍ଧନ ପ୍ରସ୍ତୁତ କରିବା ଉପରେ କଥାବାର୍ତ୍ତା କରିଥିଲେ ।
20. ଉଭୟ ପକ୍ଷଙ୍କ ବାଂଲାଦେଶର ରୁପୁରଠାରେ ମିଳିତ ସହଯୋଗୀତାରେ ନିର୍ମିତ ଏନପିପି ଉପରେ ଦୁଇ ରାଷ୍ଟ ଆଲୋକପାତ କରିଥିଲେ ଏବଂ ତୃତୀୟ ପକ୍ଷ ରାଷ୍ଟ୍ରରେ ଅନୁରୂପ ସହଯୋଗରେ କାର୍ଯ୍ୟ କରିବା ପାଇଁ ସେମାନଙ୍କର ଆଗ୍ରହ ପ୍ରକଟ କରିଥିଲେ ।
21. ଉଭୟ ଦେଶର ନେତା ଅଣ- ଆଣବିକ ଇନ୍ଧନ ଓ ଶକ୍ତି କ୍ଷେତ୍ରରେ ସହଯୋଗର ପର୍ଯ୍ୟାପ୍ତ ସମ୍ଭାବନା ପ୍ରସଙ୍ଗ ଉଲ୍ଲେଖ କରିଥିଲେ । ଭାରତ ଏବଂ ରୁଷିଆ ଜେଏସଜି ରୋଜନେଫ୍ଟ ଅଏଲ କମ୍ପାନୀ ଏବଂ ତୈଳ ଓ ବାଷ୍ପ ରାଷ୍ଟ୍ରାୟତ୍ତ ସଂସ୍ଥାମାନଙ୍କ ସଂଗଠନ ଭେଙ୍କୋରନେଫ୍ଟ ଓ ଟାସ୍- ୟୁରିଖନେଫ୍ଟଗାଜୋଡ଼ୋବିଚା ପ୍ରକଳ୍ପ ପ୍ରବର୍ତ୍ତନ ପାଇଁ ହୋଇଥିବା ସଫଳ କଥାବାର୍ତ୍ତାକୁ ସ୍ୱାଗତ କରିଥିଲେ । ସେହିଭଳି ନାୟାରା ଏନର୍ଜି ଲିମିଟେଡ଼ ତୈଳ ବିଶୋଧନାଗାର କାର୍ଯ୍ୟ, ବିଗତ ଦୁଇ ଦଶନ୍ଧି ମଧ୍ୟରେ କରାଯାଇଥିବା ହାଇଡ଼୍ରୋକାର୍ବନ ଉତ୍ତୋଳନ ଲାଗି ସହଯୋଗ ଏବଂ ଗାଜାପ୍ରୋମ ଓ ଗେଲ ଇଣ୍ଡିଆ ମମଧ୍ୟରେ ହୋଇଥିବା ରାଜନାମାର ସର୍ତ୍ତାନୁସାରେ ନିର୍ଦ୍ଧାରିତ ସମୟାନୁସାରେ କରାଯାଇଥିବା ତରଳ ପ୍ରାକୃତିକ ବାଷ୍ପ ଯୋଗାଣରେ ଦୁଇ ପକ୍ଷ ସନ୍ତୋଷ ବ୍ୟକ୍ତ କରିଥିଲେ । ଏଥିସହ ସେମାନେ ରୁଷିଆର ଦୂର ପ୍ରାଚ୍ୟ କ୍ଷେତ୍ରରୁ ଭାରତକୁ ରନ୍ଧନ ବାଷ୍ପ ଯୋଗାଣ ଲାଗି ସହଯୋଗ ନିମନ୍ତେ ଉଭୟ ପକ୍ଷ ସହମତ ହୋଇଥିଲେ ।
22. ରୁଷିଆ ଓ ଭାରତରେ ଅଫସୋର କ୍ଷେତ୍ର ସମେତ ଅନ୍ୟାନ୍ୟ ସ୍ଥାନରେ ତୈଳ ଓ ପ୍ରାକୃତିକ ବାଷ୍ପର ଭୂତାତ୍ତ୍ୱିକ ଅନୁସନ୍ଧାନ ଓ ମିଳିତ ବିକାଶ ନିମନ୍ତେ ଉଭୟ ନେତା ସେମାନଙ୍କର ପ୍ରତିବଦ୍ଧତା ପ୍ରକଟ କରିଥିଲେ । ରୁଷିଆରୁ ଭାରତକୁ ପ୍ରାକୃତିକ ସଂପଦା ଯୋଗାଣ ବ୍ୟବସ୍ଥାର ଉପାୟର ବିକାଶ କାର୍ଯ୍ୟ ଜାରି ରଖିବା ପାଇଁ ଉଭୟ ପକ୍ଷ ସହମତ ହୋଇଛନ୍ତି । ରୁଷିଆର ଅଶୋଧିତ ତୈଳ ଉତ୍ସ, ସମ୍ଭାବ୍ୟ ଉତ୍ତର ସାଗର ପଥ ଓ ପାଇପ ଲାଇନ ବ୍ୟବସ୍ଥା ବ୍ୟବହାର ସକାଶେ ଏହା କରାଯିବାକୁ ସେମାନେ ରାଜି ହୋଇଛନ୍ତି । ସେମାନେ ଉଲ୍ଲେଖ କରିଛନ୍ତି ଯେ ଭାଡ଼ିଲୋର ତୈଳ ବିଶୋଧାନାଗାରରେ ନାୟାରା ଶକ୍ତି ଲିମିଟେଡ଼ ତାର କ୍ଷମତା ବୃଦ୍ଧି କରିବା ଆବଶ୍ୟକ । ଜଳବିଦ୍ୟୁତ ଓ ତାପଜ ବିଦ୍ୟୁତ, ଶକ୍ତି ସକ୍ରିୟତା ତଥା ଅଣପାରମ୍ପରିକ ଉତ୍ସରୁ ଶକ୍ତି ଉତ୍ପାଦନ କରିବାଭଳି ଯନ୍ତ୍ରାଂଶ ଡ଼ିଜାଇନ ଓ ନିର୍ମାଣ ବ୍ୟବସ୍ଥାର ବିକାଶ କରିବା ନିବନ୍ତେ ଭାରତ ଓ ରୁଷିଆ ସହମତ ହୋଇଛନ୍ତି ।
23. 2019-24 ପର୍ଯ୍ୟନ୍ତ ହାଇଡ଼୍ରୋକାର୍ବନ କ୍ଷେତ୍ରରେ ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ସହଯୋଗର ରୋଡ଼ମ୍ୟାପ୍ ପ୍ରସ୍ତୁତ ରାଜିନାମା ସ୍ୱାକ୍ଷରିତ ହେବା ସହ ଶିଖର ବୈଠକ କାଳରେ ଏହି ପ୍ରସଙ୍ଗରେ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଏହି ସେକ୍ଟରରେ ଦ୍ୱିପାକ୍ଷିକ ସହଯୋଗ ଏକ ନୂତନ ଶୀର୍ଷରେ ପହଞ୍ଚିବ ବୋଲି ଉଭୟ ପକ୍ଷ ଆଶା ପୋଷଣ କରିଛନ୍ତି ।
24. ଭାରତ ଓ ରୁଷିଆ ମଧ୍ୟରେ ବାଣିଜ୍ୟ ଓ ଆର୍ଥିକ ସହଯୋଗର ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ନିମନ୍ତେ ଦୁଇ ରାଷ୍ଟ୍ର ପରିବହନ ସଂସାଧନକୁ ଉନ୍ନତ କରିବା ନିମନ୍ତେ ଇଚ୍ଛା ପ୍ରକଟ କରିଛନ୍ତି । ଏଥି ନିମନ୍ତେ ସେମାନେ ଅନ୍ତରାଷ୍ଟ୍ରୀୟ ଉତ୍ତର-ଦକ୍ଷିଣ ପରିବହନ କରିଡ଼ୋର (ଆଇଏନଏସଟିସି)ର ବିକାଶ ଉପରେ ଅଧିକ ପ୍ରାଧାନ୍ୟ ଆରୋପ କରିଛନ୍ତି । ଆଇଏନଏସଟିସିର ପ୍ରମୁଖ ଗୁରୁତ୍ୱ ହେଲା ମାଲ ପରିବହନର ପରିମାଣ ବୃଦ୍ଧି କରିବା, ଯୋଗାଇ ଦିଆଯାଉଥିବା ପରିବହନ ଓ ଲଜିଷ୍ଟିକ୍ସ ସେବାକୁ ଉନ୍ନତ ଓ ଆଧୁନିକୀକରଣ କରିବ । ନଥିପତ୍ର ଆଦାନ ପ୍ରଦାନ ବ୍ୟବସ୍ଥାର ସରଳୀକରଣ କରିବା ଏବଂ ଏହି ଆଦାନପ୍ରଦାନ ବ୍ୟବସ୍ଥାକୁ ଇଲେକ୍ଟ୍ରୋନିକ ନଥିରେ ପରିବର୍ତ୍ତିତ କରିବା, ପରିବହନ ପ୍ରକ୍ରିୟାକୁ ଡ଼ିଜିଟାଲ ପ୍ରଯୁକ୍ତି ଓ ସାଟେଲାଇଟ ନୌପରିବହନ ବ୍ୟବସ୍ଥାରେ ରୂପାନ୍ତରିତ କରିବା ।
25. ରେଳବାଇ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ସ୍ଥାପନର ଉତ୍ତମ କ୍ଷେତ୍ର ରହିଛି ବୋଲି ଉଭୟ ପକ୍ଷ ଦୂରଦୃଷ୍ଟି ପୋଷଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେମାନେ ନାଗପୁର- ସିକନ୍ଦରାବାଦ ସେକ୍ସନ ମଧ୍ୟରେ ରେଳଗାଡ଼ିର ବେଗ ବୃଦ୍ଧି କରିବା ଲାଗି ସହଯୋଗର ସମ୍ଭାବ୍ୟତାର ପ୍ରଗତିରେ ସେମାନେ ସନ୍ତୋଷ ବ୍ୟକ୍ତ କରିବା ସହ ଏହି ବିକାଶ ପ୍ରକଳ୍ପ ପ୍ରବର୍ତ୍ତନରେ ରୁଷିଆ ସରକାର ଅଂଶଗ୍ରହଣ କରିବା ନିମନ୍ତେ ଆଗ୍ରହୀ ଥିବା ଆଲୋଚନା ବେଳେ ସୂଚୀତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଉଭୟ ପକ୍ଷ ସେମାନଙ୍କର ଆଲୋଚନାକୁ ଜାରି ରଖିବା ସକାଶେ ସହମତ ହୋଇଛନ୍ତି ।
26. ଉଭୟ ରାଷ୍ଟ୍ରର ବିଭିନ୍ନ କ୍ଷେତ୍ରରୁ ପରସ୍ପର ରାଷ୍ଟ୍ରଙ୍କ ମମଧ୍ୟରେ ପ୍ରତ୍ୟକ୍ଷ ଯାତ୍ରୀବାହୀ ଓ ପରିବହନ ବିମାନ ସେବା ବୃଦ୍ଧିର ସମ୍ଭାବନା ଉପରେ ସମୀକ୍ଷା କରି ଦେଖିବା ସକାଶେ ଉଭୟ ପକ୍ଷ ସହମତ ହୋଇଛନ୍ତି ।
27. ପରିବହନ ପ୍ରକଳ୍ପର ଭିତ୍ତିଭୂମିର ବିକାଶ ସକାଶେ ଉଭୟ ପକ୍ଷ ପରିବହନ ଶିକ୍ଷା, ପେଶାଦାରୀ ତାଲିମ ଓ ବୈଜ୍ଞାନିକ ସହଯୋଗ ପାଇଁ ସେମାନେ ରାଜି ହୋଇଛନ୍ତି ।
28. ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ମିଳିତ ଗବେଷଣାର ଗୁରୁତ୍ୱ ଉପରେ ଉଭୟ ପକ୍ଷ ଗୁରୁତ୍ୱାରୋପ କରିଛନ୍ତି । ଏଭଳି କ୍ଷେତ୍ରରେ ସେମାନେ ହାଇ- ଟେକ୍ ଉତ୍ପାଦର ବିକାଶ କାର୍ଯ୍ୟ ଯଥା, ଟେଲିଯୋଗାଯୋଗ, ରୋବୋଟିକ୍ସ, କୃତ୍ରିମ ପ୍ରଜ୍ଞା, ନାନୋ ଟେକ୍ନୋଲଜି, ଫାର୍ମସି ଓ ଅନ୍ୟାନ୍ୟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ପ୍ରତିବଦ୍ଧତା ପ୍ରକଟ କରିଛନ୍ତି । ଏହି ଲକ୍ଷ୍ୟ ହାସଲ କରିବା ସକାଶେ, ଉଭୟ ନେତା ଭାରତର ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଏବଂ ରୁଷିଆ ମହାସଂଘର ଆର୍ଥିକ ବିକାଶ ମନ୍ତ୍ରଣାଳୟ ମଧ୍ୟରେ ଅଭିନବତ୍ୱ କ୍ଷେତ୍ରରେ ସହଯୋଗ ସକାଶେ ସ୍ୱାକ୍ଷରିତ ବୁଝାମଣା ପତ୍ର ସ୍ୱାକ୍ଷରକୁ ଭୂୟସୀ ପ୍ରଶଂସା କରିଛନ୍ତି ।
29. 2018 ମସିହାର ସର୍ବ ଭାରତୀୟ ବ୍ୟାଘ୍ର ଆକଳନର ଫଳାଫଳକୁ ରୁଷିଆ ପକ୍ଷରୁ ପ୍ରଶଂସା କରାଯାଇଛି ଯାହାକି ସୂଚାଇଛି ଯେ 2967ଟି ବାଘ ସହ ଭାରତରେ ଅଧୁନା ବିଶ୍ୱର ମୋଟ ବାଘ ସଂଖ୍ୟାର 75% ବାଘ ରହିଛନ୍ତି । 2022 ମସିହାରେ ରୁଷିଆ ପକ୍ଷରୁ ଦ୍ୱିତୀୟ ଆନ୍ତର୍ଜାତିକ ବାଘ ସଂରକ୍ଷଣ ଫୋରମ ଅନୁଷ୍ଠିତ କରିବା ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପକୁ (ଯାହାକି ଦ୍ୱିତୀୟ ବାଘ ସଂପର୍କୀତ ଶିଖର ସମ୍ମିଳନୀ ଭାବେ ସୁପରିଚିତ, ଏହାର ପ୍ରଥମ ଶିଖର ସମ୍ମିଳନୀ 2010 ମସିହାରେ ସେଣ୍ଟ-ପିଟର୍ସବର୍ଗଠାରେ ଆୟୋଜିତ ହୋଇଥିଲା) । ଭାରତ ପକ୍ଷରୁ ସ୍ୱାଗତ କରାଯାଇଛି । ବ୍ୟାଘ୍ର ସଂରକ୍ଷଣ କାର୍ଯ୍ୟକ୍ରମରେ ରୁଷିଆର ନେତୃତ୍ୱକୁ ସ୍ୱୀକାର ପୂର୍ବକ ଉଭୟ ପକ୍ଷ 2020 ମସିହାରେ ଭାରତରେ ଏକ ଉଚ୍ଚସ୍ତରୀୟ ବାଘ ଫୋରମ ଆୟୋଜିତ କରିବାକୁ ସହମତ ହୋଇଛନ୍ତି । ଏହି ଫୋରମରେ ବାଘ ଅବସ୍ଥାନ କରୁଥିବା ରାଷ୍ଟ୍ର, ସଂରକ୍ଷଣ ଅଂଶୀଦାର ଏବଂ ଅନ୍ୟାନ୍ୟ ସହଭାଗୀମାନଙ୍କୁ ସାମିଲ କରାଯିବ ।
30. ଉଭୟ ରାଷ୍ଟ୍ର ମଧ୍ୟରେ ବିମାନ ଚଳାଚଳ ଏବଂ ମହାକାଶ କ୍ଷେତ୍ରରେ ସହଯୋଗର ଆଶାଜନକ କ୍ଷେତ୍ର ରହିଛି । ତେଣୁ ଭାରତରେ ବେସାମରିକ ବିମାନ ଉତ୍ପାଦନ ଓ ବିକାଶ ସକାଶେ ମିଳିତ ପ୍ରୟାସ ସକାଶେ ଉଭୟ ପକ୍ଷ ସମ୍ଭାବନା ସଂପର୍କରେ ଅନୁଧ୍ୟାନ କରିବାକୁ ସହମତ ହୋଇଛନ୍ତି ।
31. ରାଷ୍ଟ୍ରାୟତ୍ତ ମହାକାଶ କର୍ପୋରେସନ୍ ‘ରୋସକୋମୋସ’ ଏବଂ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମଧ୍ୟରେ ବୃଦ୍ଧି ପାଇଥିବା ସହଯୋଗକୁ ଉଭୟ ପକ୍ଷ ସ୍ୱାଗତ କରିଛନ୍ତି ଏବଂ ଏଥିରେ ମାନବଯୁକ୍ତ ମହାକାଶଯାନ ପ୍ରେରଣ ଏବଂ ଉପଗ୍ରହ ପ୍ରେରଣ କାର୍ଯ୍ୟକ୍ରମ ସାମିଲ । ଦୁଇ ଦେଶ ଆହୁରି ସହମତ ପ୍ରକଟ କରିଛନ୍ତି ଯେ ମହାକାଶ ଉତକ୍ଷେପଣ ଯାନର ବିକାଶ, ନିର୍ମାଣ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ମହାକାଶଯାନର ନିୟୋଜନ ତଥା ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ମହାକାଶର ବ୍ୟବହାର ଓ ଗ୍ରହୀୟ ଉପଯୋଗ କରାଯିବା ଆବଶ୍ୟକ ଏବଂ ଏଥିପାଇଁ ସେମାନେ ମିଳିତ ଭାବେ କାର୍ଯ୍ୟ କରିବେ ।
32. ଭାରତର ମାନବଯୁକ୍ତ ଚନ୍ଦ୍ର ଅଭିଯାନ ‘ଗଗନାୟନ’ରେ ରୁଷିଆର ସହଯୋଗ ସକାଶେ ସ୍ୱାକ୍ଷରିତ ବୁଝାମଣା ପତ୍ରର ଢ଼ାଞ୍ଚା ଅନୁସାରେ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ଦୁଇ ପକ୍ଷ ସ୍ୱାଗତ କରିଛନ୍ତି ।
33. ଉଭୟ ପକ୍ଷ ମହାକାଶର ଶାନ୍ତିପୂର୍ଣ୍ଣ ଉପଯୋଗ ସଂକ୍ରାନ୍ତ ମିଳିତ ଜାତିସଂଘ କମିଟି (ୟୁଏନକୋପସ)ର ନିୟମାବଳୀ ଆଧାରରେ ସହଯୋଗକୁ ସୁଦୃଢ଼ କରିବା ଲାଗି ସହମତ ହୋଇଛନ୍ତି ଯେଉଁଥିରେ ମହାକାଶର ଦୀର୍ଘକାଳୀନ ପୋଷଣୀୟ କାର୍ଯ୍ୟକଳାପ ଓ ‘ସ୍ପେସ 2030’ କାର୍ଯ୍ୟସୂଚୀର ବିକାଶ ଓ କାର୍ଯ୍ୟାନ୍ୱୟନ ଯୋଜନା ସାମିଲ ।
34. ହୀରା ଶିଳ୍ପ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଉଭୟ ରାଷ୍ଟ୍ର ଅଧିକ ଗୁରୁତ୍ୱ ଆରୋପ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଭାରତରେ ପିଜେଏସସି ଆଲରୋସାର କାର୍ଯ୍ୟାଳୟ ଖୋଲାଯିବା ଓ ଏହା ସଫଳ ଭାବେ କାର୍ଯ୍ୟ କରିବା ପ୍ରସଙ୍ଗ ଉଭୟ ପକ୍ଷ ଉଲ୍ଲେଖ କରିଛନ୍ତି । ସେହିଭଳି କଟାଯାଇନଥିବା ହୀରା କାରବାର ବୃଦ୍ଧି ପ୍ରତି ଉଭୟ ପକ୍ଷ ଆଗ୍ରହ ପ୍ରକଟ କରିଛନ୍ତି ଏବଂ ଏ ଦିଗରେ ଥିବା ନିୟନ୍ତ୍ରଣ ବ୍ୟବସ୍ଥାକୁ ସରଳ କରାଯିବାର ଉପାୟ ଖୋଜି ବାହାର କରିବା ନିମନ୍ତେ ସେମାନେ ସହମତ ହୋଇଛନ୍ତି ଯେଉଁଥିରେ କି ପ୍ରାକୃତିକ ଉପାୟରେ ମିଳୁଥିବା ହୀରା ଅଧିକ ସୁରକ୍ଷିତ ରହିପାରିବ ।
35. ଉଭୟ ପକ୍ଷ ସ୍ୱୀକାର କରିଛନ୍ତି ଯେ କୃଷି କ୍ଷେତ୍ରରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାରର ବିପୁଳ ସମ୍ଭାବନା ରହିଛି । ଏହି କ୍ଷେତ୍ରରେ ରହିଥିବା ଆଇନଗତ ଢ଼ାଂଚାର ପରିସର ବୃଦ୍ଧି ଦିଗରେ ସେମାନେ ନିର୍ଦ୍ଦିଷ୍ଟ ଭାବେ ପଦକ୍ଷେପ ଗ୍ରହଣ ପାଇଁ ସେମାନଙ୍କର ଆଗ୍ରହ ପ୍ରକଟ କରିଛନ୍ତି । ସେହିଭଳି ଫାଇଟୋସାନିଟାରୀ ମାନର ସୁସଂଗତିକରଣ, ଲଜିଷ୍ଟିକ୍ସର ବିକାଶ, କୃଷିଜାତ ଦ୍ରବ୍ୟର ଉଭୟ ରାଷ୍ଟ୍ରରେ କାରବାର ବୃଦ୍ଧି ଉପରେ ନୂତନ ଉପାୟର ସନ୍ଧାନ କରିବା ଓ ପାରସ୍ପରିକ ଆବଶ୍ୟକତାକୁ ଅଧିକ ମାତ୍ରାରେ ଅଧ୍ୟୟନ କରିବା ଉପରେ ସେମାନେ ଗୁରୁତ୍ୱ ଆରୋପ କରିଛନ୍ତି । ଗ୍ରୀନ କରିଡ଼ୋର ବ୍ୟବସ୍ଥା ସୂଚୀତ କରୁଛିଯେ ଉଭୟ ରାଷ୍ଟ୍ର ମଧ୍ୟରେ ବହିଃଶୁଳ୍କ ପ୍ରଶାସନର ପ୍ରାକ-ସାମଗ୍ରୀ ପ୍ରେରଣ ସୂଚନା ଆଦାନ ପ୍ରଦାନକୁ ତ୍ୱରାନ୍ୱିତ କରାଯିବ । ଏହା ଦ୍ୱାରା ସାମଗ୍ରୀ କାରବର, ପ୍ରେରଣ ପ୍ରକ୍ରିୟା ସଂପ୍ରସାରିତ ରିସ୍କ ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ଅଧିକ କ୍ରିୟାଶୀଳ ହୋଇପାରିବ । ଏହା ଉଭୟ ପକ୍ଷଙ୍କ ମଧ୍ୟରେ ବାଣିଜ୍ୟ କାରବାର ବ୍ୟବସ୍ଥାକୁ ଯଥେଷ୍ଟ ମାତ୍ରାରେ ଉନ୍ନତ କରିବ ।
36. ଭାରତ ଓ ରୁଷିଆ ଘନିଷ୍ଠ ଭାବେ ସାମରିକ ଏବଂ ସାମରିକ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗର ସହ କାର୍ଯ୍ୟ କରିଆସୁଛନ୍ତି ଯାହାକି ସେମାନଙ୍କର ଦ୍ୱିପାକ୍ଷିକ ସ୍ୱତନ୍ତ୍ର ଓ ପ୍ରିଭିଲେଜଡ଼୍ ଷ୍ଟ୍ରାଟେଜିକ୍ ସହଭାଗୀତାର ସ୍ତମ୍ଭ ସଦୃଶ କାର୍ଯ୍ୟ କରୁଛି । ତେଣୁ ନିୟମିତ ଭାବେ ସେମାନଙ୍କର ସାମରିକ ଯୋଗସୂତ୍ର ଓ ମିଳିତ ସମରାଭ୍ୟାସକୁ ଜାରି ରଖିବା ଲାଗି ଉଭୟ ରାଷ୍ଟ୍ର ସହମତ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ସେମାନେ 2011-2020 ଦୀର୍ଘକାଳୀନ ସାମିରିକ ଓ ପ୍ରଯୁକ୍ତି ସହଯୋଗ କାର୍ଯ୍ୟକ୍ରମର ସଫଳ ରୂପାୟନକୁ ସ୍ୱାଗତ କରିଛନ୍ତି । ଏହି କ୍ଷେତ୍ରରେ ସେମାନେ ଦୀର୍ଘକାଳୀନ ଭାବ ବିନିମୟ ବ୍ୟବସ୍ଥାକୁ ବ୍ୟାପକ କରିବା ସହ ତ୍ୱରାନ୍ୱିକ କରିବା ସକାଶେ ରାଜି ହୋଇଛନ୍ତି ।
37. ଉଭୟ ପକ୍ଷ ସେମାନଙ୍କର ପ୍ରତିରକ୍ଷା ସହଯୋଗ ଯେଉଁଥିରେ କି ସାମରିକ ଉପକରଣ. ଯନ୍ତ୍ରାଂଶର ମିଳିତ ବିକାଶ ଓ ଉତ୍ପାଦନ ସାମିଲ ତାହାର ଉନ୍ନତିକରଣ ସକାଶେ ସେମାନଙ୍କର ପ୍ରତିବଦ୍ଧତା ପ୍ରକଟ କରିଛନ୍ତି । ସେହିଭଳି ସେସବୁର ବିକ୍ରୀ ପରବର୍ତ୍ତୀ ସେବା ବ୍ୟବସ୍ଥାର ଉନ୍ନତିକରଣ ଓ ସଶସ୍ତ୍ର ସେନାଙ୍କ ମଧ୍ୟରେ ନିୟମିତ ଭାବେ ମିଳିତ ସମରାଭ୍ୟାସକୁ ଜାରି ରଖିବା ପାଇଁ ମଧ୍ୟ ସହମତ ହୋଇଛନ୍ତି ।
38. ରୁଷ ନିର୍ମିତ ସାମରିକ ଯନ୍ତ୍ରାଂଶ ଓ ଉପକରଣ ଯାହାକି ମିଳିତ ଭାବେ ଏବେ ଭାରତରେ ଉତ୍ପାଦନ କରାଯାଉଛି ଓ ଅନ୍ୟାନ୍ୟ ସାମରିକ ଉପକରଣ ଯାହା ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଉତ୍ପାଦିତ ହେଉଛି ସେଥିପାଇଁ ପ୍ରଯୁକ୍ତି ହସ୍ତାନ୍ତରଣ ଓ ମିଳିତ ଉଦ୍ୟୋଗ ସ୍ଥାପନ କରିବା ସକାଶେ ଉଭୟ ରାଷ୍ଟ୍ର ସହମତ ହୋଇଛନ୍ତି ।
39. ଉଭୟ ରାଷ୍ଟ୍ର ସେମାନଙ୍କର ସଶସ୍ତ୍ର ସେନାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ବିକଶିତ କରିବା ନିମନ୍ତେ ଉପଯୁକ୍ତ ବାତାବରଣ ସୃଷ୍ଟି କରିବା ଏବଂ ଏଥି ସକାଶେ ପାରସ୍ପରିକ ଲଜିଷ୍ଟିକ ସହଯୋଗ ଓ ସଶସ୍ତ୍ର ସେନା ସେବା ଯୋଗାଣ ନିମନ୍ତେ ସେମାନେ ଆଶା ପୋଷଣ କରିଛନ୍ତି । ଏଥିନିମନ୍ତେ ପାରସ୍ପରିକ ଲଜିଷ୍ଟିକ୍ସ ସହଯୋଗ ଲାଗି ଏକ ଢ଼ାଂଚା ପ୍ରସ୍ତୁତ କରିବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି ।
40. ସାମରିକ ରାଜନୈତିକ କଥାବାର୍ତ୍ତ, ମିଳିତ ସାମରିକ ସମରାଭ୍ୟାସ, କର୍ମଚାରୀସ୍ତରୀୟ ଆଲୋଚନା, ଉଭୟ ପକ୍ଷଙ୍କ ସାମରିକ ପ୍ରତିଷ୍ଠାନମାନଙ୍କରେ ତାଲିମ ବ୍ୟବସ୍ଥା ଓ ଅନ୍ୟାନ୍ୟ ପାରସ୍ପରିକ ସହଯୋଗ କ୍ଷେତ୍ର ମାଧ୍ୟମରେ ସେମାନେ ଦୁଇ ଦେଶର ସାମରିକ ବାହିନୀ ମଧ୍ୟରେ ସହଯୋଗ ବୃଦ୍ଧି କରିବା ସକାଶେ ସେମାନଙ୍କର ପ୍ରତିବଦ୍ଧତା ପ୍ରକଟ କରିଛନ୍ତି । ଉଭୟ ପକ୍ଷ ଏହି ପରିପ୍ରେକ୍ଷୀରେ ଉଲ୍ଲେଖ କରିଛନ୍ତି ଯେ ଚଳିତ ବର୍ଷ ଭାରତରେ ଦ୍ୱିତୀୟ ମିଳିତ ତିନି-ବାହିନୀ ସମରାଭ୍ୟାସ ‘ଇନ୍ଦ୍ର 2019’ ଅନୁଷ୍ଠିତ ହେବ ।
41. ଉଭୟ ପକ୍ଷ ଦୁଇ ଦେଶ ମଧ୍ୟରେ ପ୍ରବର୍ତ୍ତିତ ଦ୍ୱିପାକ୍ଷିକ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ ଯାହାକି ଉଭୟ ରାଷ୍ଟ୍ରର ଜନସାଧାରଣଙ୍କୁ ପରସ୍ପରର ନିକଟତର କରାଇବାରେ ବିଶେଷ ଭାବେ ସହାୟକ ହୋଇପାରିଛି । ସେମାନେ ଭାରତରେ ରୁଷୀୟ ସାଂସ୍କୃତିକ ମହୋତ୍ସବ କାର୍ଯ୍ୟକ୍ରମ ଏବଂ ରୁଷିଆରେ ଭାରତୀୟ ସାଂସ୍କୃତିକ ମହୋତ୍ସବ କାର୍ଯ୍ୟକ୍ରମର ପାରସ୍ପରିକ ସଫଳ ଆୟୋଜନ ବ୍ୟବସ୍ଥାକୁ ଜାରି ରଖିବା ନିମନ୍ତେ ରାଜି ହୋଇଛନ୍ତି । ଏଥି ସହିତ ଭାରତରେ ରୁଷ ଚଳଚ୍ଚିତ୍ର ମହୋତ୍ସବ ଏବଂ ରୁଷିଆରେ ଭାରତୀୟ ଚଳଚ୍ଚିତ୍ର ମହୋତ୍ସବ ବ୍ୟବସ୍ଥା ଜାରି ରଖିବାକୁ ମଧ୍ୟ ସହମତ ହୋଇଛନ୍ତି । ଆସନ୍ତା ନଭେମ୍ବର 20-28, 2019ରେ ଗୋଆଠାରେ ଆୟୋଜିତ ହେବାକୁ ଥିବା 50ତମ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବରେ ରୁଷିଆ ସହଭାଗୀ ରାଷ୍ଟ୍ର ଭାବେ ଯୋଗ ଦେବାକୁ ଉଭୟ ରାଷ୍ଟ୍ର ସ୍ୱାଗତ କରିଥିଲେ । ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମର ଭୌଗୋଳିକ ସଂପ୍ରସାରଣ ଏବଂ ଏଥିରେ ଦୁଇ ଦେଶର ଯୁବଗୋଷ୍ଠୀ ଓ ଲୋକକଳା ଗୋଷ୍ଠୀଙ୍କ ଅଧିକରୁ ଅଧିକ ମାତ୍ରାରେ ଅଂଶଗ୍ରହଣ ପାଇଁ ସେମାନେ ସମ୍ମତ ହୋଇଛନ୍ତି । ଅନ୍ୟ ପକ୍ଷରେ ଭାରତରେ ରୁଷୀୟ ଭାଷାର ପ୍ରସାର ଏବଂ ରୁଷିଆରେ ହିନ୍ଦୀ ଭାଷାର ପ୍ରଚାର ଓ ପ୍ରସାରକୁ ବ୍ୟାପକ କରିବା ଓ ଏହି ଉଦ୍ଦେଶ୍ୟରେ ଉପଯୁକ୍ତ ଶିକ୍ଷାନୁଷ୍ଠାନମାନଙ୍କ ମଧ୍ୟରେ ପ୍ରତ୍ୟକ୍ଷ ସଂପର୍କ ସ୍ଥାପନ ନିମନ୍ତେ ଅଧିକ ପ୍ରଚେଷ୍ଟ କରିବା ଲାଗି ସେମାନେ ସହମତ ହୋଇଛନ୍ତି ।
42. ଶିକ୍ଷା କ୍ଷେତ୍ରରେ ସହଯୋଗକୁ ଅଧିକ ତୀବୟ କରିବା ପ୍ରସ୍ତାବକୁ ଉଭୟ ଭାରତ ଓ ରୁଷିଆ ସ୍ୱାଗତ କରିଛନ୍ତି । ଏଥି ସକାଶେ ଉଭୟ ରାଷ୍ଟ୍ରର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକ ମଧ୍ୟରେ ପ୍ରତ୍ୟକ୍ଷ ଯୋଗାଯୋଗ ସ୍ଥାପନ ପ୍ରୋତ୍ସାହନ ଧାରା ଜାରି ରହିବ । ଦ୍ୱିପାକ୍ଷିକ ଆନ୍ତଃସରକାରୀ ରାଜିନାମା ଯାହାକି ପାରସ୍ପରିକ ଶୈକ୍ଷିକ ଡ଼ିଗ୍ରୀକୁ ମାନ୍ୟତା ପ୍ରଦାନ ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମକୁ ଅଧିକ ଶକ୍ତି ପ୍ରଦାନ କରିବ । ଏଥି ନିମନ୍ତେ ରାଜିନାମା ସ୍ୱାକ୍ଷର ପ୍ରସ୍ତୁତି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ସେମାନେ ରାଜି ହୋଇଛନ୍ତି ।
43. ଭାରତର ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ କ୍ଷେତ୍ର ଏବଂ ରୁଷ ମହାସଂଘ ମଧ୍ୟରେ ସହଯୋଗ ବୃଦ୍ଧିର ଆବଶ୍ୟକତା ଉପରେ ଉଭୟ ପକ୍ଷ ଗୁରୁତ୍ୱ ଆରୋପ କରିଥିଲେ । ଏହି ପରିପ୍ରେକ୍ଷୀରେ ସେମାନେ ପରସ୍ପର ମଧ୍ୟରେ ଅଧିକ ସମନ୍ୱୟ ରକ୍ଷା ସକାଶେ ଦୁଇ ରାଷ୍ଟ୍ରର ବିଭିନ୍ନ ମନ୍ତ୍ରଣାଳୟଗୁଡ଼ିକ ମଧ୍ୟରେ ସହଯୋଗର ଫୋରମ ସ୍ଥାପନ ପାଇଁ ମତ ପୋଷଣ କରିଛନ୍ତି । ଏହା ବ୍ୟତୀତ ଭାରତର ବିଭିନ୍ନ ରାଜ୍ୟ ଓ ରୁଷିଆର ସମସ୍ତ କ୍ଷେତ୍ର ମଧ୍ୟରେ ସାଂସ୍କୃତିକ ଓ ବ୍ୟବସାୟିକ ମିଶନ ସ୍ଥାପନ ଲାଗି ଉଭୟ ପକ୍ଷ ସହମତ ପ୍ରକଟ କରିଛନ୍ତି । ଦ୍ୱୈତ ନଗରୀ ଫର୍ମାଟରେ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଥିବା ସଂପର୍କକୁ ସୁଦୃଢ଼ କରିବା ଏବଂ ସଂପର୍କର ନୂତନ କ୍ଷେତ୍ର ଉନ୍ମୋଚନ କରିବା ଲାଗି ସେମାନେ ନିଜ ନିଜର ଅନୁକୂଳ ମତ ପୋଷଣ କରିଛନ୍ତି ।
44. ଭାରତ – ରୁଷିଆ ପର୍ଯ୍ୟଟନ ସଂପର୍କ ବେଶ୍ ବ୍ୟାପକ ଭାବେ ବିକଶିତ ହୋଇଛି ଏବଂ ଏହା ବିଶେଷ ଓ ପ୍ରିଭିଲେଜଡ଼୍ ଷ୍ଟ୍ରାଟେଜିକ୍ ସହଭାଗୀତା ଓ ପାରସ୍ପରିକ ବୁଝାମଣାର ସଂପର୍କକୁ ଅଧିକ ଶକ୍ତି ପ୍ରଦାନ କରିବ । ଏହି କ୍ଷେତ୍ରରେ ସେମାନଙ୍କର ସଂପର୍କକୁ ଅଧିକ ନିବିଡ଼ କରିବା ସକାଶେ ଦୁଇ ରାଷ୍ଟ୍ର ସହମତ ହୋଇଛନ୍ତି ।
45. ଉଭୟ ପକ୍ଷ ଭିସା ବ୍ୟବସ୍ଥାର କ୍ରମିକ ସରଳୀକରଣକୁ ସ୍ୱାଗତ କରିଛନ୍ତି । ବିଶେଷ କରି ବ୍ୟବସାୟ ଓ ପର୍ଯ୍ୟଟନ ଉଦ୍ଦେଶ୍ୟରେ ଇ-ଭିସା ସୁବିଧାର ଅବଧିକୁ ଏକ ବର୍ଷକୁ ବୃଦ୍ଧି କରାଯିବାରେ ସେମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଥିରେ ରୁଷୀୟ ନାଗରିକମାନେ ମଧ୍ୟ ସାମିଲ । ସେହିଭଳି କାଲିନିଙ୍ଗଗ୍ରାଡ଼ ଓ ଭ୍ଲାଦିଭୋଷ୍ଟକ ଭ୍ରମଣରେ ଯାଉଥିବା ଭାରତୀୟ ନାଗରିକଙ୍କ ସକାଶେ ମାଗଣା ଇଲେକ୍ଟ୍ରୋନିକ୍ସ ଭିସା ବ୍ୟବସ୍ଥା ପ୍ରବର୍ତ୍ତନକୁ ସେମାନେ ସ୍ୱାଗତ କରିଛନ୍ତି । ଭବିଷ୍ୟତରେ ମଧ୍ୟ ଭିସା ସରଳୀକରଣ ବ୍ୟବସ୍ଥାକୁ ଜାରି ରଖିବା ଲାଗି ସେମାନେ ସହମତ ହୋଇଛନ୍ତି ।
46. ମିଳିତ ଜାଜିସଂଘଠାରେ ସମେତ ଦୁଇ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ ରାଜନୈତିକ ଜାରି ରଖିବାର ଆବଶ୍ୟକତା ଉପରେ ଉଭୟ ପକ୍ଷ ଗୁରୁତ୍ୱ ଆରୋପ କରିଛନ୍ତି ଏବଂ ଏହାକୁ ଅଧିକ ନିବିଡ଼ କରିବା ଲାଗି ମତ ପୋଷଣ କରିଛନ୍ତି ।
47. ବିଶ୍ୱ ବ୍ୟାପାରରେ ମିଳିତ ଜାତିସଂଘର କେନ୍ଦ୍ରୀୟ ସମନ୍ୱୟ ରକ୍ଷାକାରୀ ଭୂମିକା ସମେତ ବହପକ୍ଷିୟ ଆଲୋଚନା ବ୍ୟବସ୍ଥାର ସୁଦୃଢ଼ୀକରଣର ଅନିବାର୍ଯ୍ୟତା ଉପରେ ଉଭୟ ରାଷ୍ଟ୍ର ଗୁରୁତ୍ୱ ଆରୋପ କରିଛନ୍ତି । ସେହିଭଳି ଦୁଇ ରାଷ୍ଟ୍ର ଅନ୍ତରାଷ୍ଟ୍ରୀୟ ଆଇନ ତଥା ମିଳିତ ଜାତିସଂଘ ସନନ୍ଦର ସର୍ତ୍ତାବଳୀର ପ୍ରାଥମିକତା ଉପରେ ପ୍ରାଧାନ୍ୟ ଦେବା ସହ ପ୍ରତ୍ୟେକ କାର୍ଯ୍ୟରେ ଏହାର ପ୍ରବର୍ତ୍ତନର ପ୍ରତିବଦ୍ଧତା ପ୍ରକଟ ପାଇଁ ମତପୋଷଣ କରିଛନ୍ତି । ଏଥିରେ ଜାତିସଂଘ ସଦସ୍ୟ ରାଷ୍ଟ୍ରଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ଅନ୍ୟ କୌଣସି ରାଷ୍ଟର ହସ୍ତକ୍ଷେପ ଅମାନ୍ୟତା ଉପରେ ପ୍ରାଧାନ୍ୟ ଆରୋପ କରିଛନ୍ତି ।
48. ଉଭୟ ପକ୍ଷ ପରସ୍ପର ମଧ୍ୟରେ ସେମାନଙ୍କର ମତ ବାଣ୍ଟି ସୂଚାଇଛନ୍ତି ଯେ ପ୍ରକୃଷ୍ଟ ଓ ସର୍ବଜନସ୍ୱକୃତ ନୀତି ଓ ଆନ୍ତର୍ଜାତିକ ଆଇନକୁ ନିଷ୍ଠାର ସହ ପ୍ରବର୍ତ୍ତନ କରାଯିବା ଉଚିତ ଏବଂ ଏଥିରେ କୌଣସି ରାଷ୍ଟ କୌଣସି ପ୍ରକାର ଦୋମୁହାଁ ନୀତି ଅବଲମ୍ବନ ନକରିବା ଉଚିତ । କୌଣସି ରାଷ୍ଟ ଅନ୍ୟ ରାଷ୍ଟ୍ର ଉପରେ ନିଜର ମତ ନଲଦିବା ବାଂଛନୀୟ । ସେହିଭଳି ଅନ୍ତରାଷ୍ଟ୍ରୀୟ ଆଇନ ଅସ୍ୱୀକୃତ କୌଣସି ପ୍ରକାର ଏକପକ୍ଷୀୟ ବଳପୂର୍ବକ ଲଦି ଦିଆଯିବା ଭଳି କାର୍ଯ୍ୟ ଏହାର ଏକ ଉଦାହରଣ ।
49. ମିଳିତ ଜାତିସଂଘ ନିରାପତ୍ତା କମିଟିରେ ସଂସ୍କାର ଘଟାଯିବା ପାଇଁ ଉଭୟ ପକ୍ଷ ଆହ୍ୱାନ ଜଣାଇଛନ୍ତି ଯାହାକି ବୈଶ୍ୱିକ ସମସାମୟିକ ବାସ୍ତବତା ଆଧାରରେ କରାଯିବା ଆବଶ୍ୟକ ଏବଂ ଏହାଦ୍ୱାରା ଏହି ବିଶ୍ୱ ସଂଗଠନକୁ ଅଧିକ ପ୍ରତିନିଧିମୂଳକ, ସକ୍ରିୟ ଓ ସଫଳ କରାଯାଇପାରିବ । ଏହା ଫଳରେ ଜାତିସଂଘ ନିରାପତ୍ତା ପରିଷଦ ବିଭିନ୍ନ ଜଟିଳ ପ୍ରସଙ୍ଗକୁ ସକ୍ରିୟତାର ସହ ସମାଧାନ କରିବା ସହ ଆନ୍ତର୍ଜାତିକ ସ୍ତରରେ ଶାନ୍ତି ଓ ନିରାପତ୍ତା ରକ୍ଷା କରିବାକୁ ସକ୍ଷମ ହୋଇପାରିବ ।
50. ସଂସ୍କାରିତ ଜାତିସଂଘ ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟପଦ ପ୍ରାର୍ଥତ୍ୱକୁ ରୁଷିଆ ତାର ସମର୍ଥନ ଜାରି ରଖିବ ।
51. ବ୍ରିକ୍ସ ସଂଗଠନରେ ବିବିଧ ସେକ୍ଟର ସହଭାଗୀତାରେ ଉଭୟ ପକ୍ଷ ସେମାନଙ୍କର ସହଯୋଗ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ଏବଂ 2019 ମସିହା ନଭେମ୍ବର ମାସରେ ବ୍ରାଜିଲଠାରେ ଅନୁଷ୍ଠିତ ହେବାକୁ ଥିବା 11ଶ ବ୍ରିକ୍ସ ଶିଖର ବୈଠକର ସଫଳତା ସକାଶେ ସେମାନଙ୍କର ପୂର୍ଣ୍ଣ ସହଯୋଗ ଜ୍ଞାପନ ପାଇଁ ପ୍ରତିଶ୍ରୁତି ଘୋଷଣା କରିଛନ୍ତି ।
52. ସାଂଘାଇ ସହଯୋଗ ସଂଗଠନର ସକ୍ରିୟତା ଓ ଏହାର ମହାନ ସାମର୍ଥ୍ୟ ପ୍ରତି ଭାରତ ଓ ରୁଷିଆ ସେମାନଙ୍କର ସର୍ବସମ୍ମତ ସ୍ୱୀକୃତି ଘୋଷଣା କରିଛନ୍ତି । ଭାରତ ଓ ରୁଷିଆ ସେମାନଙ୍କର ପାରସ୍ପରିକ କଥାବାର୍ତ୍ତାକୁ ବୃଦ୍ଧି କରିବେ ଏବଂ ଏଥିରେ 2019-2020ରେ ଏସସିଓ ସଂଗଠନର ଅଧ୍ୟକ୍ଷ ପଦ ରୁଷିଆ ଗ୍ରହଣ କରିବାର ଢ଼ାଂଚା ଏଥିରେ ସାମିଲ ଯାହାକି ସଂଗଠନକୁ ଅଧିକ ମଜଭୁତ କରିବାରେ ସହାୟକ ହେବ । ବିବିଧ ଅକ୍ଷିୟ ବିଶ୍ୱ ବ୍ୟବସ୍ଥାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବେ ମୁଣ୍ଡ ଟେକିଛି ଓ ଏହି ସଂଗଠନ ସମାନତା ଓ ଅବିଭାଜ୍ୟ ନିରାପତ୍ତା ଉପରେ ଆଧାରିତ ।
53. ଉଭୟ ପକ୍ଷ ବିଶେଷ କରି ସେମାନଙ୍କର ସକ୍ରିୟତାକୁ ଆତଙ୍କବାଦ, ଅତିବାଦ, ଚୋରା ନିଶାଦ୍ରବ୍ୟ କାରବାର, ସୀମାପାର ସଂଗଠିତ ଅପରାଧର ମୁକାବିଲା ଏବଂ ନିରାପତ୍ତା ପ୍ରତି ବିପଦ ସୃଷ୍ଟିକାରୀ ସୂଚନା ଆଦାନପ୍ରଦାନ, ଏବଂ ବିଶେଷ କରି ଏସସିଓ କ୍ଷେତ୍ରୀୟ ଆତଙ୍କବାଦ ଢ଼ାଂଚାର କାର୍ଯ୍ୟକଳାପ ମୁକାବିଲା ବ୍ୟବସ୍ଥାର ଉନ୍ନତିକରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି ।
54. ଏସସିଓ ସଂଗଠନ ମାଧ୍ୟମରେ ସେମାନେ ଆର୍ଥିକ ସହଯୋଗର ପରିସର ବୃଦ୍ଧି ପାଇଁ ଉଭୟ ପକ୍ଷ ସହମତ ହୋଇଛନ୍ତି । ମୁଖ୍ୟତଃ ୟୁରେସୀୟ କ୍ଷେତ୍ରରେ ପରିବହନ ଓ ଲଜିଷ୍ଟିକ୍ସ, ଭିତ୍ତିଭୂମି, ବିଜ୍ଞାନ, ପ୍ରଯୁକ୍ତି ଓ ଅଭିନବତ୍ୱ ମାଧ୍ୟମରେ ସେମାନେ ଏକ ବୃହତ୍ତର, ସମାନ, ମୁକ୍ତ ଓ ପାରସ୍ପରିକ ଉପକାରସିଦ୍ଧ ସହଯୋଗ କରିବାକୁ ନିଜ ନିଜର ଇଚ୍ଛା ପ୍ରକଟ କରିଛନ୍ତି । ସେହିଭଳି ଏସସିଓ ଫର୍ମାଟ ମାଧ୍ୟମରେ ଆମେ ଆମର ସାଂସ୍କୃତିକ ଓ ମାନବୀୟ ସଂପର୍କକୁ ନିବିଡ଼ କରିବା ସକାଶେ ଆମର ପ୍ରତିବଦ୍ଧତା ପ୍ରକଟ କରୁଛୁ ।
55. ଅନ୍ତରାଷ୍ଟ୍ରୀୟ ବ୍ୟାପାରରେ ଏସସିଓ ସଂଗଠନର ଭୂମିକା ବୃଦ୍ଧିକୁ ଉଭୟ ପକ୍ଷ ଦୃଢ଼ ସମର୍ଥନ ଜଣାଇଛନ୍ତି । ମିଳିତ ଜାତିସଂଘ ଏବଂ ଏହାର ବିଶେଷ ଏଜେନ୍ସି ଯଥା, ସିଏସଟିଓ, ସିଆଇଏସ, ଆସିଆନ୍ ଏବଂ ଅନ୍ୟାନ୍ୟ ସଂଗଠନ ଓ ସଂସ୍ଥା ସହ ସଂଗଠନ ତାର ସଂପର୍କ ବ୍ୟାପକ ମାତ୍ରାରେ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ଏହି ପରିପ୍ରେକ୍ଷୀରେ ସେମାନେ ସିଏସଓ ଏବଂ ୟୁରେସିଆ ଆର୍ଥିକ ସଂଘ ମଧ୍ୟରେ ସରକାରୀ ସ୍ତରରେ ସଂପର୍କ ସ୍ଥାପନକୁ ସମର୍ଥନ ଜଣାଇଛନ୍ତି ।
56. ଆରଆଇସି ଢ଼ାଂଚା ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ଉଭୟ ରାଷ୍ଟ୍ର ସେମାନଙ୍କର ସହମତ ପ୍ରକଟ କରିଛନ୍ତି ଯାହାକି ବିଭିନ୍ନ ପ୍ରକାର ବୈଶ୍ୱିକ ଓ କ୍ଷେତ୍ରୀୟ କାର୍ଯ୍ୟକ୍ରମରେ ଥିବା ସମାନ ଜରୁରି କାର୍ଯ୍ୟକ୍ରମକୁ ନିରବଚ୍ଛିନ୍ନ ଭାବେ ପ୍ରୋତ୍ସାହିତ କରିବ ଏବଂ ତାହା ଆନ୍ତର୍ଜାତିକ ଆଇନ ଅନୁସାରେ ସାକାର ହୋଇପାରିବ । ଏହା ସଂରକ୍ଷଣବାଦ ଓ ଏକପକ୍ଷୀୟ ବାସନ୍ଦବ୍ୟବସ୍ଥାର ସଂପ୍ରସାରଣକୁ ସଫଳତାର ସହ ମୁକାବିଲା କରିବା ସହ ଆତଙ୍କବାଦ ତଥା ଅନ୍ୟାନ୍ୟ ବିପଦ ଓ ଚାଲେଞ୍ଜର ସଫଳ ମୁକାବିଲା କରିପାରିବ । ଏହି ଫର୍ମାଟରେ ନିୟମିତ ଭାବେ ରାଷ୍ଟ/ ସରକାରୀ ମୁଖ୍ୟ, ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ନିୟମିତ ଭାବେ କରାଯିବ ଏବଂ ଯଦି ଆବଶ୍ୟକ ପକ୍ଷେ, ଅନ୍ୟାନ୍ୟ ସଂଗଠନ ଓ ସଂସ୍ଥାର ମୁଖ୍ୟମାନଙ୍କ ସହ ଆଲୋଚନା ଜାରି ରଖାଯିବ ।
57. ଜି20 ଏବଂ ଅନ୍ୟାନ୍ୟ ଅନ୍ତରାଷ୍ଟ୍ରୀୟ ସଂଗଠନ ଓ ସଂସ୍ଥା ମଧ୍ୟରେ ସମନ୍ୱୟ ସ୍ଥାପନ ବୃଦ୍ଧି ପାଇଁ ଆମେ ସହମତ ହୋଇଛୁ ଯଦ୍ୱାରା ଗୁରୁତ୍ୱପୂର୍ଣ୍ଣ ଆନ୍ତଜାତିକ ସମସ୍ୟାର ଯଥାଶୀଘ୍ର ସମାଧାନ ପନ୍ଥା ବାହାର କରାଯାଇପାରିବ । ଉଭୟ ପକ୍ଷ ଜି20 ଓ ଅନ୍ୟାନ୍ୟା ଆନ୍ତର୍ଜାତିକ ସଂଗଠନରେ ବୈଶ୍ୱିକ ଓ ପାରସ୍ପରିକ ସ୍ୱାର୍ଥଜନିତ ପ୍ରସଙ୍ଗ କ୍ଷେତ୍ରରେ ସହଯୋଗକୁ ନିବିଡ଼ କରିବା ନିମନ୍ତେ ସେମାନଙ୍କର ପ୍ରତିବଦ୍ଧତା ପ୍ରକଟ କରିଛନ୍ତି ।
58. ଉଭୟ ନେତା ଆତଙ୍କବାଦର ସମସ୍ତ ରୂପ ଓ ପ୍ରକଟକୁ ଦୃଢ଼ ସ୍ୱରରେ ନିନ୍ଦା କରିଛନ୍ତି ଏବଂ ଆତଙ୍କବାଦ ଭଳି ଅପଶକ୍ତି ବିରୋଧରେ ମିଳିତ ସଂଗ୍ରାମ ଲାଗି ସେମାନେ ଅନ୍ତରାଷ୍ଟ୍ରୀୟ ସମୁଦାୟକୁ ଆହ୍ୱାନ ଜଣାଇଛନ୍ତି । ଆତଙ୍କବାଦ ବିରୋଧରେ ସଂଗ୍ରାମ ଓ ଏହାର ପ୍ରତିରୋଧ ପାଇଁ ସେମାନେ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ ପାଇଁ ନିଜ ନିଜର ପ୍ରତିବଦ୍ଧତା ପ୍ରକଟ କରିଛନ୍ତି । ସାଂଘାଇ ସହଯୋଗ ସଂଗଠନର ରାଷ୍ଟ୍ରମୁଖ୍ୟ ପରିଷଦ ବୈଠକରେ ନିଆଯାଇଥିବା ବିଶକେକ ଘୋଷଣାନାମାକୁ ସେମାନେ ସ୍ୱାଗତ ଜଣାଇଛନ୍ତି । ଆତଙ୍କବାଦ ଓ ଅତିବାଦର ମୁକାବିଲା ଦିଗରେ ଦୋମୁହାଁ ନୀତି ଅବଲମ୍ବନ ତଥା ରାଜନୈତିକ ଲକ୍ଷ୍ୟ ହାସଲ ସକାଶେ ଆତଙ୍କବାଦୀ ଗୋଷ୍ଠୀଙ୍କୁ ବ୍ୟବହାର କରାଯିବାର ଅଗ୍ରହଣୀୟତାକୁ ସେମାନେ ଦୋହରାଇଛନ୍ତି । ଅନ୍ତରାଷ୍ଟ୍ରୀୟ ଆତଙ୍କବାଦ ନିରୋଧୀ ସହଯୋଗ ଢ଼ାଂଚା ଯେଉଁଥିରେ କି ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ କାର୍ଯ୍ୟକଳାପର ସଫଳ ମୁକାବିଲା ସକାଶେ ସୂଚନା ଓ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ ବ୍ୟବସ୍ଥା ପାଇଁ ଉଭୟ ପକ୍ଷ ଆହ୍ୱାନ ଜଣାଇଛନ୍ତି । ଦ୍ୱିପାକ୍ଷିକ ଓ ବହୁପକ୍ଷିୟ ଆତଙ୍କବାଦ ନିରୋଧୀ ସହଯୋଗ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ସହମତ ହେବା ସହ ସେମାନେ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦ ନିରୋଧୀ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଘୋଷଣାନାମାକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ସକାଶେ ଆହ୍ୱାନ ଜଣାଇଛନ୍ତି । ଉଭୟ ରାଷ୍ଟ୍ର ଆନ୍ତଃ ରାଜ୍ୟ ଚୋରା ମାଦକଦ୍ରବ୍ୟ କାରବାର ନିୟନ୍ତ୍ରଣ କରିବା ସକାଶେ ପାରସ୍ପରିକ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ଯାହାକି ଏହି ସଂପର୍କୀତ ତିନୋଟି ମିଳିତ ଜାତିସଂଘ ପ୍ରାୟୋଜିତ ଘୋଷଣାନାମା ଉପରେ ଆଧାରିତ । ଏବେ କୌଣସି ରାଷ୍ଟ୍ର ଆତଙ୍କବାଦର କଳାଛାୟାଠାରୁ ସଂପୂର୍ଣ୍ଣ ରୂପେ ମୁକ୍ତ ନୁହେଁ । ଭାରତ ଓ ରୁଷିଆ ସେହି ପରିପ୍ରେକ୍ଷୀରେ ଆତଙ୍କବାଦ ନିରୋଧୀ କାର୍ଯ୍ୟନୁଷ୍ଠାନ ସକାଶେ ହାତ ମିଳାଇବା ଉଚିତ । ଏହି ପରିପ୍ରେକ୍ଷୀରେ ଏକ ଆତଙ୍କବାଦ ନିରୋଧୀ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀର ଆଲୋଚନ କରିବା ଲାଗି ରୁଷିଆ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ।
59. ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିର ବ୍ୟବହାର ଯାହାକି ଉଭୟ ଦେଶର ନିରାପତ୍ତା ପାଇଁ ଜରୁରି ଏବଂ ଏଥି ସହିତ ବହୁପକ୍ଷିୟ ବିଶେଷଜ୍ଞ ଆଲୋଚନାକାରୀ ପ୍ଲାଟଫର୍ମ , ମୁଖ୍ୟତଃ ମିଳିତ ଜାତିସଂଘକୁ ସାମିଲ କରାଯିବା ନିଷ୍ପତ୍ତିକୁ ଉଭୟ ପକ୍ଷ ପ୍ରଶଂସା କରିଛନ୍ତି । ମିଳିତ ଜାତିସଂଘ ସାଧାରଣ ପରିଷଦର 73ତମ ଅଧିବେଶନର ନିର୍ଯ୍ୟାସ ଆଧାରରେ ଏହା ଉଲ୍ଲେଖ କରାଯାଇଥିଲା ଯେ ଜାତିସଂଘ ସାଧାରଣ ପରିଷଦରେ ଡ଼ିସେମ୍ବର 2018ରେଳ ଗୃହୀତ ରାଷ୍ଟ୍ରମାନଙ୍କ ଆଚରଣ ସଂପର୍କୀତ କେତେଗୁଡ଼ିକ ଦାୟିତ୍ୱସମ୍ପନ୍ନ ଆନ୍ତର୍ଜାତିକ ନିୟମାବଳୀ, ନୀତି, ନିରାପତ୍ତା ସଂପର୍କୀତ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି (ଆଇସିଟି) ଉପରେ ବ୍ୟାପକ ଆଲୋଚନା ତଥା ଅପରାଧିକ କାର୍ଯ୍ୟବିଧିକୁ ପ୍ରତିହତ କରିବା ଉଦେ୍ଦଶ୍ୟରେ ଆଇସିଟିକୁ ଉପଯୋଗ କରାଯିବା ଘେନି ବ୍ୟାପକ ଆଲୋଚନା କରାଯାଇଥିଲା ।
60. ଆଇସିଟିର ବ୍ୟବହାର ସକାଶେ ନିରାପତ୍ତା କ୍ଷେତ୍ରରେ ବ୍ରିକ୍ସ ରାଷ୍ଟ୍ରମାନଙ୍କ ମଧ୍ୟରେ ସହଯୋଗର ଢ଼ାଂଚା ସ୍ଥାପନର ଆବଶ୍ୟକତା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ । ଏଥି ମଧ୍ୟରେ ସଂଗଠନର ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଆନ୍ତଃ ସରକାରୀସ୍ତରୀୟ ରାଜିନାମା ସ୍ୱାକ୍ଷର ସାମିଲ ।
61. ଆଇସିଟିର ଉପଯୋଗ ନିମନ୍ତେ ସାଧାରଣ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ପ୍ରତି ଉଭୟ ପକ୍ଷ ସେମାନଙ୍କର ପ୍ରତିବଦ୍ଧତା ପ୍ରକଟ କରିଛନ୍ତି ତଥା ଦ୍ୱିପାକ୍ଷିକ ଆନ୍ତଃ ଏଜେନ୍ସି ବାସ୍ତବ ସହଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ସହମତ ହୋଇଛନ୍ତି ଯାହାକି ନିରାପତ୍ତା ଘେନି ଆଇସିଟିର ବ୍ୟବହାର କ୍ଷେତ୍ରରେ ଭାରତ-ରୁଷିଆ ଆନ୍ତଃ ସରକାରୀ ସ୍ତରୀୟ ରାଜିନାମା ମାଧ୍ୟମରେ କରାଯିବାକୁ ସେମାନେ ସହମତ ହୋଇଛନ୍ତି ।
62. ନିରାପତ୍ତା ଲାଗି 2019- 2020 ପାଇଁ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି (ଆଇସିଟି)ର ବ୍ୟବହାର ସକାଶେ ଭାରତ ଓ ରୁଷିଆ ମଧ୍ୟରେ ଯୋଜନାନୁସାରେ ମୁଖ୍ୟ ଦିଗରେ ଏହି କାର୍ଯ୍ୟପନ୍ଥା ଅବଲମ୍ବନ ସକାଶେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧିର ଆବଶ୍ୟକତା ପ୍ରତି ଉଭୟ ପକ୍ଷ ପ୍ରତିବଦ୍ଧ ହୋଇଛନ୍ତି । ସେହିଭଳି ଅନ୍ତରାଷ୍ଟ୍ରୀୟ ନିରାପତ୍ତା ବାତାବରଣର ଉନ୍ନତି ସକାଶେ ସେମାନଙ୍କର ପ୍ରୟାସ ଜାରି ରଖିବାର ଆବଶ୍ୟକତା ଉପରେ ଉଭୟ ପକ୍ଷ ଗୁରୁତ୍ୱାରୋପ କରିଛନ୍ତି ତଥା ଆନ୍ତଃ- ଦେଶୀୟ ଆସ୍ଥା ବୃଦ୍ଧି କରିବା ଦିଗରେ ନିରବଚ୍ଛିନ୍ନ ଭାବେ ପ୍ରୟାସ ଜାରି ରଖିବାକୁ ସହମତ ହୋଇଛନ୍ତି । ଅପର ପକ୍ଷରେ ସେମାନେ ଦୀର୍ଘସ୍ଥାୟୀ ଶାନ୍ତି ଯାହାକି ସମାନତା ଭିତ୍ତିରେ ଓ ସମସ୍ତଙ୍କ ସକାଶେ ନିରାପତ୍ତା ସୁନିଶ୍ଚିତ କରିବା ଆଧାରରେ ବୈଶ୍ୱିକ ଓ କ୍ଷେତ୍ରୀୟ ସ୍ଥିରତା ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହି ଦିଗରେ କାର୍ଯ୍ୟ କରିବା ବେଳେ ସମସ୍ତ ରାଷ୍ଟ୍ରଙ୍କ ସ୍ୱାର୍ଥ ଓ ଉଦବେଗ ପ୍ରତି ସମ୍ମାନ ପ୍ରଦର୍ଶନ କରାଯିବ ବୋଲି ସେମାନେ ମତ ପୋଷଣ କରିଛନ୍ତି ।
63. ଜାତୀୟ ନିରାପତ୍ତା ପରିଷଦ ସଚିବାଳୟ ଏବଂ ରୁଷୀୟ ମହାସଂଘର ନିରାପତ୍ତା ପରିଷଦ ମାଧ୍ୟମରେ ନିରାପତ୍ତା ସଂପର୍କୀତ ସମସ୍ତ ପ୍ରସଙ୍ଗ ଉପରେ ସେମାନେ ବ୍ୟାପକ ଓ ଗଭୀର ସହଯୋଗ ସ୍ଥାପନ କରିବା ନିମନ୍ତେ ଉଭୟ ପକ୍ଷ ସହମତ ପ୍ରକଟ କରିଛନ୍ତି ।
64. ବାହ୍ୟ ମହାଶୂନ୍ୟ ଅସ୍ତ୍ର ପ୍ରତିଯୋଗିତାର କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ଏବଂ ମହାଶୂନ୍ୟ ସାମରିକ ବିବାଦର କ୍ଷେତ୍ର ପାଲଟିବାର ଆଶଙ୍କା ଥିବାରୁ ଉଭୟ ପକ୍ଷ ଏଥିରେ ଚିନ୍ତା ପ୍ରକଟ କରିଛନ୍ତି । ମହାକାଶରେ ସାମରିକ ବିବାଦକୁ ରୋକାଯାଇ ପାରିଲେ ଅନ୍ତରାଷ୍ଟ୍ରୀୟ ଶାନ୍ତି ଓ ନିରାପତ୍ତା ପ୍ରତି ଥିବା ବଡ଼ ବିପଦକୁ ଏଡ଼ାଯାଇପାରିବ ଏବଂ ଏହି ପରିପ୍ରେକ୍ଷୀରେ ସେମାନେ ପ୍ରୟାସ ଜାରି ରଖିବା ସକାଶେ ପ୍ରତିବଦ୍ଧତା ପ୍ରକଟ କରିଛନ୍ତି । ସେହି ଉଦେ୍ଦଶ୍ୟରେ ମହାଶୂନ୍ୟକୁ ଶାନ୍ତିପୂର୍ଣ୍ଣ ଭାବେ ଉପଯୋଗ କରାଯିବା ସକାଶେ ପ୍ରବର୍ତ୍ତିତ ଆନ୍ତର୍ଜାତିକ ଆଇନଗତ ରାଜିନାମାର ସର୍ତ୍ତାବଳୀକୁ କଠୋର ଭାବେ ପାଳନ କରାଯିବାର ସର୍ବାଧିକ ଆବଶ୍ୟକତା ଉପରେ ସେମାନେ ଗୁରୁତ୍ୱାରୋପ କରିଛନ୍ତି ଏବଂ ସେଥି ମଧ୍ୟରେ ଆନ୍ତର୍ଜାତିକ ଶାନ୍ତି ଓ ସ୍ଥିରତା ରକ୍ଷା, ଅନ୍ତରାଷ୍ଟ୍ରୀୟ ସଦ୍ଭାବ ରକ୍ଷା ଓ ପାରସ୍ପରିକ ବୁଝାମଣା ଉପରେ ସେମାନେ ଜୋର ଦେଇଛନ୍ତି ।
65. ପୃଥିବୀର କକ୍ଷ ପଥରେ କୌଣସି ପ୍ରକାର ଅସ୍ତ୍ରଶସ୍ତ୍ର ଖଞ୍ଜାନଯିବା ସକାଶେ ବହୁପକ୍ଷିୟ, ଆଇନଗତ ଆଚରଣ ବାଧ୍ୟତା ସାଧନ ସ୍ଥାପନ ଦ୍ୱାରା ନିର୍ଭରଯୋଗ୍ୟ ଗ୍ୟାରେଣ୍ଟିକୁ ସୁନିଶ୍ଚିତ କରାଯିବାକୁ ଉଭୟ ପକ୍ଷ ସମର୍ଥନ ଜଣାଇଛନ୍ତି । ସେମାନେ ପୁନଃପ୍ରତିବଦ୍ଧତା ପ୍ରକଟ କରିଛନ୍ତି ଯେ ନିରସ୍ତ୍ରୀକରଣ ସଂପର୍କୀତ ସମ୍ମିଳନୀ ହେଉଛି ବିହୁପାକ୍ଷିକ ଆଲୋଚନାର ଏକମାତ୍ର ଉପାୟ ଯାହା ଦ୍ୱାରା ଆନ୍ତର୍ଜାତିକ ରାଜିନାମା (ରାଜିନାମାମାନ)ଗୁଡ଼ିକ ମାଧ୍ୟମରେ ମହାକାଶରେ ସକଳ ପ୍ରକାର ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତାକୁ ରୋକାଯାଇପାରିବ ।
66. ଉଭୟ ପକ୍ଷ ସହମତ ହୋଇଛନ୍ତି ଯେ ସାର୍ବଜନୀତ, ଭେଦଭାବହୀନ ଓ ବାସ୍ତବ, ସ୍ୱଚ୍ଛ ଓ ବିଶ୍ୱାସ ସୃଷ୍ଟିକାରୀ ପଦକ୍ଷେପ ଗ୍ରହଣ ‘ପାରୋସ’ ଉପରେ ଆଇନଗତ ଦୃଷ୍ଟିରୁ ବାଧ୍ୟତାମୂଳକ ଭାବେ ସହଯୋଗୀ ଭୂମିକା ଗ୍ରହଣ କରିବାର ଉପଯୋଗୀ ସାବ୍ୟସ୍ତ ହୋଇପାରିବ ।
67. ଉଭୟ ପକ୍ଷ ଜୈବ ଓ ବିଷାକ୍ତ ଅସ୍ତ୍ର ନିରୋଧ ଘୋଷଣାନାମା (ବିଟିଡ଼ବ୍ଲୁସି)କୁ ସଶକ୍ତ କରିବା ସହ ଏଥି ସହିତ ଏକ ଅନ୍ତରାଷ୍ଟ୍ରୀୟ, ବିଭେଦହୀନ ଓ ସକ୍ରିୟ ତନଖି ବ୍ୟବସ୍ଥା ପ୍ରୋଟୋକଲ ଘୋଷଣାନାମା ପାଇଁ ସମର୍ଥନ ଜଣାଇଛନ୍ତି । ଏହା ପୁନଃପ୍ରକଟିତ କରିଛି ଯେ ବିଟିଡ଼ବ୍ଲୁସି କାର୍ଯ୍ୟକାରୀତା ସହ ମିଳିତ ଜାତିସଂଘ ନିରାପତ୍ତା ପରିଷଦ ଯେଉଁଥିରେ ବିଶେଷ ଉଦବେଗ ପ୍ରକଟ କରିଛି, ସେଭଳି କାର୍ଯ୍ୟ ଅନ୍ୟାନ୍ୟ ବ୍ୟବସ୍ଥାରେ ଦୋହରା ଯିବା ଅନୁଚିତ ।
68. ଉଭୟ ପକ୍ଷ ରାସାୟନିକ ଅସ୍ତ୍ରଶସ୍ତ୍ର ନିଷିଦ୍ଧକରଣ ସଂଗଠନ (ଓପିସିଡ଼ବ୍ଲୁ) ପ୍ରତି ସେମାନଙ୍କର ସମର୍ଥନକୁ ପୁନଃପ୍ରକଟ କରିଛନ୍ତି ଯାହାକି ରାସାୟନିକ ଅସ୍ତ୍ରଶସ୍ତ୍ର ନିଷେଧ ଘୋଷଣାନାମା (ସିଡ଼ବ୍ଲୁସି)ରେ ଥିବା ବ୍ୟବସ୍ଥାର ସଫଳ ପ୍ରବର୍ତ୍ତନକୁ ଦୃଢ଼ ସମର୍ଥନ ଜଣାଏ । ସେମାନେ ଏହି ପରିପ୍ରେକ୍ଷୀରେ ସେମାନଙ୍କ ପ୍ରତିବଦ୍ଧତାକୁ ଦୋହରାଇ କହିଛନ୍ତିଯେ ଏହି ଦିଗରେ କରାଯାଉଥିବା ପ୍ରୟାସ ଓ ଗ୍ରହଣ କରାଯାଇଥିବା ଉଦ୍ୟମକୁ ସମର୍ଥନ ଜଣାଉଛନ୍ତି ଯାହାକି ସିଡ଼ବ୍ଲୁସିର ଭୂମିକାକୁ ସୁରକ୍ଷିତ ରଖିବାରେ ସହାୟକ ହେବ ଏବଂ ଓପିସିଡ଼ବ୍ଲୁର କାର୍ଯ୍ୟକଳାପକୁ ରାଜନୀତିକରଣ ହେବାରୁ ସୁରକ୍ଷିତ ରଖିବ । ଏହି ପରିପ୍ରେକ୍ଷୀରେ ସେମାନେ ସିଡ଼ବ୍ଲୁସିର ସଦସ୍ୟ ରାଷ୍ଟ୍ରମାନଙ୍କୁ ସଂଗଠିତ ହେବାକୁ ଓ ରଚନାତ୍ମକ ଆଲୋଚନାରେ ଲିପ୍ତ ରହିବା ସକାଶେ ଆହ୍ୱାନ ଜଣାଇଛନ୍ତି ଯାହା ଦ୍ୱାରା ଓପିସିଡ଼ବ୍ଲୁରେ ସର୍ବସମ୍ମତ ମନୋଭାବକୁ ପୁନଃସଂସ୍ଥାପିତ କରିବ ଓ ଏହା ସେହି ଘୋଷଣାନାମାର ସ୍ୱଚ୍ଛତା ଓ ଏକତାକୁ କାଏମ ରଖିପାରିବ ।
69. ଆତଙ୍କବାଦୀଙ୍କ ଦ୍ୱାରା ରାସାୟନିକ ଓ ଜୈବ ଆକ୍ରମଣ ଧମକର ମୁକାବିଲା ସକାଶେ ଉଭୟ ପକ୍ଷ ବହୁପାକ୍ଷିକ କଥାବାତ୍ତା ଆରମ୍ଭ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏଥି ସକାଶେ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀ ଆହ୍ୱାନ କରାଯାଇ ନିରସ୍ତ୍ରୀକରଣ ସମ୍ମିଳନୀରେ ରାସାୟନିକ ଓ ଜୈବ ଆତଙ୍କବାଦ ଭଳି କାର୍ଯ୍ୟର ମୁକାବିଲା ନିମନ୍ତେ ଆଲୋଚନା କରାଯିବା ଆବଶ୍ୟକ ବୋଲି ମତ ପୋଷଣ କରିଛନ୍ତି ।
70. ବୈଶ୍ୱିକ ଅସ୍ତ୍ରଶସ୍ତ୍ର ଅପ୍ରସାର ବ୍ୟବସ୍ଥାକୁ ସୁଦୃଢ଼ୀକରଣ କରାଯିବା ଉପରେ ଉଭୟ ପକ୍ଷ ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃପ୍ରକଟ କରିଛନ୍ତି । ଆଣବିକ ଯୋଗାଣକାରୀ ଗୋଷ୍ଠୀ (ଏନଏସଜି)ରେ ଭାରତକୁ ସଦସ୍ୟତା ପ୍ରଦାନ ପ୍ରତି ରୁଷିଆ ତା’ର ଦୃଢ଼ ସମର୍ଥନ ଜଣାଇଛି ।
71. ସମାବେଶୀ ଶାନ୍ତି ପାଇଁ ହେଉଥିବା ସକଳ ପ୍ରକାର ପ୍ରୟାସ ଏବଂ ଆଫଗାନିସ୍ତାନରେ ଆଫଗାନିସ୍ତାନ ନେତୃତ୍ୱାଧୀନ ଓ ଆଫଗାନ କର୍ତ୍ତୃତ୍ୱାଧୀନ ଶାନ୍ତି ପ୍ରୟାସକୁ ଭାରତ ଓ ରୁଷିଆ ସେମାନଙ୍କ ସମର୍ଥନ ଜଣାଇଛନ୍ତି । ଉଭୟ ପକ୍ଷ ଏହି ପରିପ୍ରେକ୍ଷୀରେ ଆଫଗାନିସ୍ତାନରେ ଯଥାଶୀଘ୍ର ଶାନ୍ତିପୂର୍ଣ୍ଣ ସମାଧାନ ସୂତ୍ର ବାହାରିବା ଉପରେ ସେମାନଙ୍କର ପ୍ରତିବଦ୍ଧତା ପ୍ରକଟ କରିଛନ୍ତି । ଏଥିପାଇଁ ଏସସିଓ- ଆଫଗାନିସ୍ତାନ କଣ୍ଟାକ୍ଟ ଗ୍ରୁପ୍ ଓ ଅନ୍ୟାନ୍ୟ ଅନ୍ତରାଷ୍ଟ୍ରୀୟ ସଂସ୍ଥାଦ୍ୱାରା ସ୍ୱୀକୃତ ଫର୍ମାଟଗୁନିକର ସହଯୋଗରେ ଏହି ଲକ୍ଷ୍ୟ ହାସଲ କରିବା ଦିଗରେ ଉଭୟ ପକ୍ଷ ସେମାନଙ୍କ ସହଯୋଗ ଜାରି ରଖିବେ ବୋଲି ନିର୍ଭର ପ୍ରତିଶ୍ରୁତି ବ୍ୟକ୍ତ କରିଛନ୍ତି । ସେହିଭଳି ସେମାନେ ଆନ୍ତଃ ଆଫଗାନ କଥାବାର୍ତ୍ତା ଯାହାକି ମସ୍କୋଠାରେ ଫେବୃଆରୀ 2019ରେ ଅନୁଷ୍ଠିତ ହୋଇଥିଲା ତାହାକୁ ସମର୍ଥନ ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ସେମାନେ ଆଫଗାନିସ୍ତାନ ସହ ବ୍ୟାପକ ଆଲୋଚନା କରିବେ । ଆଫଗାନିସ୍ତାନରେ ବ୍ୟାପକ ଭିତ୍ତିରେ କିଭଳି ଶାନ୍ତି ପ୍ରକ୍ରିୟା ପାଇଁ ପ୍ରୟାସ କରାଯିବ ସେଥି ସକାଶେ ସେମାନେ ସମସ୍ତ ଆଗ୍ରହୀ ପକ୍ଷଙ୍କୁ ପ୍ରୋତ୍ସାହିତ କରିଛନ୍ତି । ସେଠାରେ କିଭଳି ସାମ୍ବିଧାନିକ ଶୃଙ୍ଖଳା କାଏମ ଓ ସୁରକ୍ଷିତ ରହିବ, ଦୀର୍ଘସ୍ଥାୟୀ ଶାନ୍ତି ବିରାଜମାନ କରିବ ଏବଂ ଆଫଗାନିସ୍ତାନକୁ ଏକ ଶାନ୍ତିପୂର୍ଣ୍ଣ, ନିରାପଦ, ସ୍ଥିର ଓ ସ୍ୱାଧୀନ ରାଷ୍ଟ୍ରରେ ପରିଣତ କରିହେବ ସେ ଦିଗରେ ସେମାନେ ପ୍ରୟାସ ଜାରି ରଖିବାକୁ ଘୋଷଣା କରିଛନ୍ତି । ଆଫଗାନିସ୍ତାନକୁ ତୁରନ୍ତ ହିଂସାମୁକ୍ତ କରାଯିବାକୁ ସେମାନେ ଆହ୍ୱାନ ଜଣାଇଛନ୍ତି ।
72. ସିରିଆରେ ସ୍ଥିରତା ବଜାୟ ରହିଥିବା ଘଟଣାକୁ ସେମାନେ ସ୍ୱାଗତ କରିଛନ୍ତି । ସେହିଭଳି ସିରିଆର ସାର୍ବଭୌମତ୍ୱ, କ୍ଷେତ୍ରୀୟ ଏକତାକୁ ସମ୍ମାନ ଜଣାଇବାର ଆବଶ୍ୟକତା ଉପରେ ସେମାନେ ଗୁରୁତ୍ୱ ଆରୋପ କରି ସିରିଆ ସଂକଟକୁ ନିର୍ଦ୍ଦିଷ୍ଟ ଭାବେ ରାଜନୈତିକ ଓ କୂଟନୈତିକ ଉପାୟରେ ସମାଧାନ କରିବା ଲାଗି ଆହ୍ୱାନ ଜଣାଇଛନ୍ତି ।
73. ସିରିଆରେ ଥିବା ଆତଙ୍କବାଦୀ ସଂଗଠନଗୁଡ଼ିକୁ ମୁକାବିଲା କରିବା ଯାହାକି ମିଳିତ ଜାତିସଂଘ ନିରାପତ୍ତା ପରିଷଦ ଦ୍ୱାରା ସଂଜ୍ଞା ନିରୂପିତ କରାଯାଇଛି, ତାହାର ଆବଶ୍ୟକତା ଉପରେ ସେମାନେ ଗୁରୁତ୍ୱ ଆରୋପ କରିଛନ୍ତି । ସେମାନେ ସହମତ ହୋଇଛନ୍ତି ଯେ ସିରିଆକୁ ସେମାନଙ୍କର ସହାୟତା ଜାରି ରଖିବେ ଏବଂ ଏହା ସେଠାରେ ପୁନଃନିର୍ମାଣ ସମେତ ଶରଣାର୍ଥୀ ଓ ଅସ୍ଥାୟୀ ଭାବେ ସ୍ଥାନାନ୍ତରୀତ ହୋଇଥିବା ଲୋକମାନଙ୍କର ସେଠାକୁ ପୁନଃପ୍ରତ୍ୟାବର୍ତ୍ତନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେବ । ମିଳିତ ଜାତିସଂଘର ସାଧାରଣ ପରିଷଦରେ ଗୃହୀତ ପ୍ରସ୍ତାବ 46/182ରେ ସୂଚୀତ ଅନ୍ତରାଷ୍ଟ୍ରୀୟ ମାନବୀୟ ସହାୟତା ଯୋଗାଣ ନୀତିକୁ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ କରାଯିବା ସକାଶେ ସେମାନେ ଦାବି କରିଛନ୍ତି । ଏହା ଆକ୍ରାନ୍ତ ରାଷ୍ଟ୍ରକୁ ମାନବୀୟ ସହାୟତା ପ୍ରଦାନ ସକାଶେ ନିରୂପିତ ସଂଜ୍ଞାରେ ଥିବା ସର୍ତ୍ତାବଳୀ ଆଧାରରେ ପ୍ରସ୍ତୁତ କରାଯାଇଛି ଯଦ୍ୱାରା ଅଧ୍ୟୁସିତ ରାଷ୍ଟ୍ରର ଜାତୀୟ ସାର୍ବଭୌମତ୍ୱକୁ ସମ୍ମାନ ପ୍ରଦର୍ଶନ ପୂର୍ବକ ଯୋଗାଇ ଦିଆଯିବ ।
74. ଇରାନ ଆଣବିକ କାର୍ଯ୍ୟକ୍ରମ ଉପରେ ମିଳିତ ବ୍ୟାପକ କାର୍ଯ୍ୟକ୍ରମ ଯୋଜନା (ଜେସିପିଓଏ)କୁ ସଂପୂର୍ଣ୍ଣ ଓ ସଫଳତାର ସହ ପ୍ରବର୍ତ୍ତନ କରାଯିବାର ଆବଶ୍ୟକତା ଉପରେ ଉଭୟ ପକ୍ଷ ଗୁରୁତ୍ୱ ଆରୋପ କରିଛନ୍ତି ଯଦ୍ୱାରା କ୍ଷେତ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ଶାନ୍ତି, ନିରାପତ୍ତା ଓ ସ୍ଥିରତା ବଜାୟ ରହିପାରିବ ଓ ଏଥି ସକାଶେ ସେମାନେ ମିଳିତ ଜାତିସଂଘ ନିରାପତ୍ତା ପରିଷଦର ପ୍ରସ୍ତାବ ସଂଖ୍ୟା 2231 ପ୍ରତି ପୂର୍ଣ୍ଣ ପ୍ରତିବଦ୍ଧତା ପ୍ରକଟ କରିଛନ୍ତି । ଏହି ପ୍ରସଙ୍ଗ ସହ ଜଡ଼ିତ ଅନ୍ୟାନ୍ୟ ସମସ୍ୟାବଳୀର ଶାନ୍ତିପୂର୍ଣ୍ଣ ଓ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ସେମାନେ ଆହ୍ୱାନ ଜଣାଇଛନ୍ତି । ଉଭୟ ରାଷ୍ଟ୍ର ଇରାନ ସହ ପାରସ୍ପରିକ ସ୍ୱାର୍ଥ ଥିବା ଓ ଯଥାର୍ଥ ଆର୍ଥିକ ଓ ବ୍ୟବସାୟିକ ସହଯୋଗ ଜାରି ରଖିବା ସକାଶେ ସେମାନଙ୍କର ପ୍ରତିବଦ୍ଧତା ପ୍ରକଟ କରିଛନ୍ତି ।
75. କୋରିଆ ଉପସାଗର କ୍ଷେତ୍ରକୁ ଆଣବିକ ଅସ୍ତ୍ର ଭୟମୁକ୍ତ କରି ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଉଦ୍ଦେଶ୍ୟକୁ ସାକାର କରିବା ନିମନ୍ତେ ସମସ୍ତ ସଂପୃକ୍ତ ପକ୍ଷଙ୍କ ମଧ୍ୟରେ ଶାନ୍ତିପୂର୍ଣ୍ଣ ଆଲୋଚନା ଜାରି ରଖିବା ଉପରେ ଉଭୟ ପକ୍ଷ ଗୁରୁତ୍ୱ ଆରୋପ କରିଛନ୍ତି । ଏହି ପରିପ୍ରେକ୍ଷୀରେ, ଉଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବା ନିମନ୍ତେ ସମସ୍ତ ସଂପୃକ୍ତ ପକ୍ଷ ଏକତ୍ର କାର୍ଯ୍ୟ କରିବା ସକାଶେ ସେମାନେ ଆହ୍ୱାନ ଜଣାଇଛନ୍ତି ।
76. ତୃତୀୟ ରାଷ୍ଟ୍ର ବିଶେଷ କରି କେନ୍ଦ୍ର ଏସିଆ, ଦକ୍ଷିଣ ପୂର୍ବ ଏସିଆ ଓ ଆଫ୍ରିକାରେ ସମସ୍ତ ପକ୍ଷଙ୍କ ଦ୍ୱାରା ଗ୍ରହଣୀୟ ଓ ଉପକାରସିଦ୍ଧ କ୍ଷେତ୍ରମାନ ଅନ୍ୱେଷଣ କରିବାକୁ ସେମାନେ ସହମତ ହୋଇଛନ୍ତି ।
77. ଉଭୟ ପକ୍ଷ ବିଶ୍ୱ ବାଣିଜ୍ୟ ସଂଗଠନର ଭୂମିକାର ସୁରକ୍ଷା ଓ ଏହାକୁ ସୁଦୃଢ଼ କରାଯିବାର ଆବଶ୍ୟକତାରେ ସହମତ ହୋଇଛନ୍ତି ଯଦ୍ୱାର ଏହାକୁ ଏକ ସ୍ୱଚ୍ଛ, ଭେଦଭାବବିହୀନ ପାରସ୍ପରିକ ବାଣିଜ୍ୟ କାରବାର ବ୍ୟବସ୍ଥାରେ ପରିଣତ କରିହେବ । ଉଭୟ ପକ୍ଷ ଏକ ଉଚିତ ଓ ମୁକ୍ତ ବିଶ୍ୱ ଅର୍ଥନୀତି ଗଠନ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବା ସକାଶେ ଇଚ୍ଛା ପ୍ରକଟ କରିଛନ୍ତି ।
78. ଉଭୟ ପକ୍ଷ କ୍ଷେତ୍ରୀୟ ଆର୍ଥିକ ସହଯୋଗ ବୃଦ୍ଧିର ଆବଶ୍ୟକତା ଏବଂ ପୋଷଣୀୟ ସାମାଜିକ- ଆର୍ଥିକ ବିକାଶ ଏବଂ 2030 ଏଜେଣ୍ଡାର ପ୍ରବର୍ତ୍ତନ ଉପରେ ପ୍ରାଧାନ୍ୟ ଆରୋପ କରିଛନ୍ତି । ସେଥି ମଧ୍ୟରେ ଏସିଆ ଓ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ମିଳିତ ଜାତିସଂଘ ଆର୍ଥିକ ଓ ସାମାଜିକ କମିଶନର ପରିବହନ, ଶକ୍ତି ଓ ବାଣିଜ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ପରିସର ବୃଦ୍ଧି ସାମିଲ ।
79. ଉଭୟ ପକ୍ଷ ଏସିଆ ଓ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଏକ ସମାନ ଓ ଅବିଭାଜ୍ୟ ନିରାପତ୍ତା ବ୍ୟବସ୍ଥା ନିର୍ମାଣ ସକାଶେ ସେମାନଙ୍କର ପ୍ରତିବଦ୍ଧତା ପୁନଃପ୍ରକଟ କରିଛନ୍ତି । ଏହି ପ୍ରସଙ୍ଗ ଉପରେ ପୂର୍ବ ଏସୀୟ ଶିଖର ବୈଠକ ଓ ଅନ୍ୟାନ୍ୟ କ୍ଷେତ୍ରୀୟ ପ୍ଲାଟଫର୍ମରେ ବହୁପକ୍ଷିୟ ବିଚାରବିମର୍ଷ ତଥା ଆଲୋଚନାର ବିକାଶକୁ ସେମାନେ ସମର୍ଥନ ଜଣାଇଛନ୍ତି । ସେମାନେ ସହମତ ହୋଇଛନ୍ତଯେ କ୍ଷେତ୍ରୀୟ ଶୃଙ୍ଖଳାରକ୍ଷାକୁ ସୁଦୃଢ଼ କରିବା ସକାଶେ ସେମାନେ ପଦକ୍ଷେପ ଗ୍ରହଣ କରିବେ ଏବଂ ତାହା ବହୁପକ୍ଷିୟତା, ମୁକ୍ତ, ସମାବେଶୀ ଏବଂ ପାରସ୍ପରିକ ସମ୍ମାନ ରକ୍ଷା ଉପରେ ଆଧାରିତ ହେବ ଏବଂ ତାହା କୌଣସି ରାଷ୍ଟ୍ର ବିରୁଦ୍ଧରେ ଉଦ୍ଦିଷ୍ଟ ହେବନାହିଁ । ଭାରତ ଓ ରୁଷିଆ ଏହି ସମାନ ପ୍ରସଙ୍ଗରେ ବ୍ୟାପକ ୟୁରେସୀୟ କ୍ଷେତ୍ରରେ ତଥା ଭାରତ ମହାସାଗର ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସମନ୍ୱୟ ଓ ବିକାଶ ଦିଗରେ ସମାନତାଭିତ୍ତିକ ଆଲୋଚନାକୁ ତ୍ୱରାନ୍ୱିତ କରିବାକୁ ସହମତ ହୋଇଛନ୍ତି ।
80. ଉଭୟ ପକ୍ଷ ସେମାନଙ୍କର ବୈଦେଶିକ ନୀତି ପ୍ରାଥମିକତାରେ ଥିବା ମହତ୍ତ୍ୱପୂର୍ଣ୍ଣ ସମାନତାକୁ ଉଲ୍ଲେଖ କରିବା ସହ ସେଥିରେ ସନ୍ତୁଷ୍ଟି ପ୍ରକଟ କରିଛନ୍ତି ଏବଂ ଭାରତ- ରୁଷିଆ ସ୍ୱତନ୍ତ୍ର ଏବଂ ପ୍ରିଭିଲେଜଡ଼୍ ସହଭାଗୀତାର ଅଧିକ ବିକାଶର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ବିଶେଷ ଭାବେ ସାମ୍ପ୍ରତିକ ଦ୍ୱିପାକ୍ଷିକ ସଂପର୍କ ତଥା କ୍ଷେତ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ପରିପ୍ରେକ୍ଷୀରେ ଏହା ଜରୁରି ବୋଲି ଉଲ୍ଲେଖ କରିଛନ୍ତି । ଭାରତ ଓ ରୁଷିଆର ଜନସାଧାରଣଙ୍କ ଉପକାର ନିମନ୍ତେ ସେମାନେ ପାରସ୍ପରିକ ଉଦେ୍ଦଶ୍ୟକୁ ସୁଦୃଢ଼ ଓ ସଂପ୍ରସାରିତ କରିବା ନିମନ୍ତେ ସେମାନଙ୍କର ଇଚ୍ଛା ପ୍ରକଟ କରିଛନ୍ତି ।
81. ତାଙ୍କୁ ଏବଂ ତାଙ୍କର ପ୍ରତିନିଧିମାନଙ୍କ ପାଇଁ ଭ୍ଲାଦିଭୋଷ୍ଟକଠାରେ ଭବ୍ୟ ଆତିଥେୟତା ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭ୍ଳାଦିମିର ପୁତିନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଆସନ୍ତାବର୍ଷ ଅନୁଷ୍ଠିତ ହେବାକୁ ଥିବା ଭାରତ- ରୁଷିଆ ବାର୍ଷିକ ଶିଖର ବୈଠକରେ ଯୋଗଦେବା ଲାଗି ଭାରତ ଗସ୍ତରେ ଆସିବା ପାଇଁ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ସେ ଆମନ୍ତ୍ରଣ ଜଣାଇଛନ୍ତି ।
**********