Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭ୍ରଷ୍ଟାଚାର, କଳାଧନ, ଆତଙ୍କବାଦ ବିରୋଧୀ ମହା ଅଭିଯାନ ଓ ଯଜ୍ଞରେ ଦେଶବାସୀଙ୍କ ଅକୁଣ୍ଠ ଯୋଗଦାନକୁ ପ୍ରଧାନମନ୍ତ୍ରୀଙ୍କ ଭୂୟସୀ ପ୍ରଶଂସା


କଳାଧନ, ଭ୍ରଷ୍ଟାଚାର ଏବଂ ଆତଙ୍କବାଦ ବିରୁଦ୍ଧରେ ସରକାର ଆରମ୍ଭ କରିଥିବା ସାଂପ୍ରତିକ ଅଭିଯାନକୁ ଜନସାଧାରଣ ସାମଗ୍ରୀକଭାବେ ସମର୍ଥନ ଜଣାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆଜି (୦୮.୧୨.୨୦୧୬) ନିଜର ଟ୍ୱିଟର ପୃଷ୍ଠା ଜରିଆରେ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କ ସହ ମତ ବିନିମୟ କରିବା ବେଳେ କହିଛନ୍ତି ଯେ ବିମୁଦ୍ରୀକରଣ ନିଷ୍ପତ୍ତି, କଳାଧନ, ଭ୍ରଷ୍ଟାଚାର ଓ ଆତଙ୍କବାଦ ବିରୁଦ୍ଧରେ ଏକ ମହା ଅଭିଯାନ ଏବଂ ମହାଯଜ୍ଞ । ଏଥିରେ ସାମୟିକ ବ୍ୟଥା ସତ୍ତ୍ୱେ ଜନସାଧାରଣ ବହୁ ସଂଖ୍ୟାରେ ନିଜକୁ ସାମିଲ କରିଥିବାରୁ ସେ ଅଶେଷ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ୱଳ୍ପ ସମୟର ବିମୁଦ୍ରୀକରଣ ବ୍ୟଥା, ଜନସାଧାରଣଙ୍କ ପାଇଁ ଦୀର୍ଘସ୍ଥାୟୀ ଫାଇଦା ପହଂଚାଇବ । ଦେଶରେ ଏକ ନଗଦମୁକ୍ତ କାରବାର ବ୍ୟବସ୍ଥା ଆରମ୍ଭ କରିବା ଦିଗରେ ବିମୁଦ୍ରୀକରଣ ଏକ ବଡ ପଦକ୍ଷେପ । ଅର୍ଥନୈତିକ କାରବାର ସହ ଆଧୁନିକ ପ୍ରଯୁକ୍ତି କୌଶଳକୁ ଯୋଡା ଯାଉଛି । ଜନସାଧାରଣ ସେମାନଙ୍କ ଦୈନିକ କାରବାର ପାଇଁ ଏହି ସରଳ ଡିଜିଟାଲ ବ୍ୟବସ୍ଥାରେ ନିଜକୁ ସାମିଲ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ‘‘ଭ୍ରଷ୍ଟାଚାର, ଆତଙ୍କବାଦ ଏବଂ କଳାଧନ ବିରୋଧୀ ଯଜ୍ଞରେ ଜନସାଧାରଣ ପୂର୍ଣ୍ଣ ପ୍ରାଣରେ ଅଂଶଗ୍ରହଣ କରୁଥିବାରୁ ମୁଁ ସେମାନଙ୍କୁ ଅଭିବାଦନ ଜଣାଉଛି ।
ସରକାରଙ୍କର ଏହି ବିମୁଦ୍ରୀକରଣ ସଂକ୍ରାନ୍ତ ଏହି ନିଷ୍ପତ୍ତି ଚାଷୀ, ବ୍ୟବସାୟୀ, ଶ୍ରମିକ ଗୋଷ୍ଠୀ – ଯେଉଁମାନେ କି ରାଷ୍ଟ୍ରୀୟ ଅର୍ଥ ବ୍ୟବସ୍ଥାର ମେରୁଦଣ୍ଡ – ସେମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ ।

ମୁଁ ବିମୁଦ୍ରୀକରଣ ନିଷ୍ପତ୍ତି ଘୋଷଣା ହେବା ଦିନଠାରୁ କହିଆସିଛି ଯେ ସରକାରଙ୍କର ଏହି ନିଷ୍ପତ୍ତି କିଛି ପରିମାଣରେ ଅସୁବିଧା ସୃଷ୍ଟି କରିବ । ଏବେ ସ୍ୱଳ୍ପ ସମୟର ଅସୁବିଧା ଦେଶ ପାଇଁ ଦୀର୍ଘସ୍ଥାୟୀ ସଫଳତା ଆଣିଦେବ ।

ଭ୍ରଷ୍ଟାଚାର ଏବଂ କଳାଧନ ଆଉ ଅଧିକ ସମୟ ଗ୍ରାମୀଣ ଭାରତର ସମୃଦ୍ଧି ଓ ପ୍ରଗତିକୁ ରୋକି ପାରିବ ନାହିଁ । ଆମର ପ୍ରତ୍ୟେକ ଗାଁ ଗଣ୍ଡା ସେମାନଙ୍କ ନ୍ୟାଯ୍ୟ ସୁବିଧା ପାଇବେ ।

ବିମୁଦ୍ରୀକରଣ ନିଷ୍ପତ୍ତି ଆମପାଇଁ ଏକ ଐତିହାସିକ ସୁଯୋଗ ସୃଷ୍ଟି କରିଛି ଯାହାକି ଆମର ଅର୍ଥନୈତିକ ଦେଣନେଣ ସହ ଆଧୁନିକ ଡିଜିଟାଲ ପ୍ରଯୁକ୍ତି କୌଶଳ ତଥା ନଗଦମୁକ୍ତ ପାଉଣା ବ୍ୟବସ୍ଥାର ସୁ-ସମନ୍ୱୟ ପାଇଁ ବାଟ କଢାଇବ ।

ମୋର ଦେଶର ଯୁବ ବନ୍ଧୁମାନେ ହେଉଛନ୍ତି ରାଷ୍ଟ୍ରୀୟ ପ୍ରଗତି, ସଂସ୍କାର ଓ ପରିବର୍ତ୍ତନର ବାହକ । ସେମାନେ ଭାରତକୁ ଏକ ଭ୍ରଷ୍ଟାଚାରମୁକ୍ତ ରାଷ୍ଟ୍ରଭାବେ ପ୍ରତିଷ୍ଠା କରିବା ଏବଂ ଅଧିକରୁ ଅଧିକ ନଗଦମୁକ୍ତ କାରବାର ବ୍ୟବସ୍ଥାଯୁକ୍ତ ସମାଜ ଗଠନ ଦିଗରେ ମହନୀୟ ଯୋଗଦାନ ଦେଇପାରିବେ ।

ମିଳିତ ଭାବେ ଆମେ ଭାରତକୁ କଳାଧନମୁକ୍ତ କରିପାରିବା । ଏହା ଗରିବ ନବ୍ୟ-ମଧ୍ୟବିତ୍ତ, ମଧ୍ୟବିତ୍ତ ଏବଂ ଆଗାମୀ ପିଢୀକୁ ସବୁ ଦୃଷ୍ଟିରୁ ସଶକ୍ତ କରିବ’’, ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟର ପୃଷ୍ଠାରେ କହିଛନ୍ତି ।